ମହାବିଷୁବର ମହତ୍ତ୍ବ

ଅନ୍ତର୍ଯ୍ୟାମୀ ମିଶ୍ର

ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରାରେ ମହାବିଷୁବ ସଂକାନ୍ତି ଏକ ବିଶ୍ବାତ୍ମ ଚେତନାଦ୍ୟୋତକ ମାହେନ୍ଦ୍ର ମୁହୂର୍ତ୍ତ। ବିଶ୍ବ ଜାଗତିକ ପ୍ରକ୍ରିୟାରେ ମହାବିଷୁବର ମହତ୍ତ୍ବ ଅବର୍ଣ୍ଣନୀୟ। ଭାରତୀୟ ଶାସ୍ତ୍ର, ପୁରାଣ, ସ୍ମୃତି, ଜ୍ୟୋତିଷ ଓ ଲୋକ ସାହିତ୍ୟରେ ମହାବିଷୁବ ସଂକ୍ରାନ୍ତିକୁ ସମନ୍ବୟାତ୍ମକ ସାର୍ବଜନୀନ ପର୍ବର ମାନ୍ୟତା ପ୍ରଦାନ କରାଯାଇଛି। ପବିତ୍ର ଭାରତଭୂମିରେ ପ୍ରବାହିତ ବୈଦିକ, ଶାକ୍ତ, ଶୈବ, ନାଗ, ଶାବର, ସୌର ସଂସ୍କୃତିରେ ମହାବିଷୁବ ପାଳନ ପାରମ୍ପରିକ ମର୍ଯ୍ୟାଦା ଲାଭ କରିଅଛି। ବିଶେଷତଃ ଜନଜୀବନରେ ମହାବିଷୁବର ମାହେନ୍ଦ୍ର ମୁହୂର୍ତ୍ତ ସୂକ୍ଷ୍ମ, ଆଧ୍ୟାତ୍ମିକ ପ୍ରବୃତ୍ତି ଜାଗ୍ରତ କରାଇଥାଏ। ଏହି ଦିବ୍ୟଦୃଷ୍ଟିରେ ମହାବିଷୁବ ହେଉଛି ମହାନୁଭବତାର ଆବେଗମୟ ମୁହୂର୍ତ୍ତ।

ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କୁ କେନ୍ଦ୍ରକରି ଆମର ଏହି ବିଶ୍ବବ୍ରହ୍ମାଣ୍ଡ ଅବିରାମ ଗତିରେ ସୃଷ୍ଟିଧର୍ମ ପାଳନ କରିବା ସହିତ ଦୈନିକ ଓ ବାର୍ଷିକ ଗତିରେ ଶୃଙ୍ଖଳିତ। ବିଶ୍ବଜାଗତିକ ପ୍ରକ୍ରିୟାରେ ସୂର୍ଯ୍ୟଦେବ ଆପଣାର ପରିବାର ସହିତ ଦୈନିକ ଓ ବାର୍ଷିକ ଗତିର ପ୍ରବହମାନ ଧାରାରେ ଏକ ଅଲୌକିକ ରଶ୍ମି ସକଳ ବିଶ୍ବରେ ଊର୍ଜା ସ୍ବରୂପରେ ବିକିରଣ କରିଥାନ୍ତି। ଏହି ଊର୍ଜାକୁ ପ୍ରଚେତାବୃନ୍ଦ ପ୍ରାଣଶକ୍ତି ନାମରେ ଅଭିହିତ କରିଯାଇଛନ୍ତି। ସୂର୍ଯ୍ୟଙ୍କ ବାର୍ଷିକ ଗତିର ଅୟମାରମ୍ଭ ମୁହୂର୍ତ୍ତ ଏହି ବିକିରଣ ଅତୀବ ଔଲ୍ୟମୟ ତଥା ଶକ୍ତିଶାଳୀ। ବାର୍ଷିକ ଗତିର ସେହି ଅୟମାରମ୍ଭ ମୁହୂର୍ତ୍ତ ହିଁ ମହାବିଷୁବ। କ୍ରାନ୍ତିପଥ ବା କ୍ରାନ୍ତିବୃତ୍ତକୁ ବାର ଭାଗରେ ବିଭକ୍ତ କରାଯାଇ ବାରଗୋଟି ସୌର ମାସ ନିର୍ଣ୍ଣୟ କରାଯାଇଛି। ତନ୍ମଧ୍ୟରୁ ପ୍ରଥମ ସୌର ମାସ ଅର୍ଥାତ୍‌ ମେଷ ମାସ ମହାବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥାଏ। ଏହି ପୁରୋଦୃଷ୍ଟିରୁ ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଜ୍ୟୋତିଷଶାସ୍ତ୍ରରେ ପ୍ରାଧାନ୍ୟ ଦିଆଯାଇଛି। ଏହି ଦିନ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରୁଥିବାରୁ ଏହା ମହାବିଷୁବ ସଂକ୍ରାନ୍ତି ନାମରେ ଖ୍ୟାତ। ବିଷୁବରେଖାର ଉତ୍ତରରେ ବା ଉତ୍ତର ଗୋଲାର୍ଦ୍ଧରେ ଭାରତବର୍ଷର ଅବସ୍ଥିତି। ମକରସଂକ୍ରାନ୍ତିରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଆରମ୍ଭ ହୋଇ ମେଷ ସଂକ୍ରାନ୍ତିରେ ବିଷୁବରେଖା ଉପରେ ଅବସ୍ଥାନ ପୂର୍ବକ ପବିତ୍ର ଭାରତବର୍ଷକୁ ସ୍ବକୀୟ ଊର୍ଜାରେ ପୂତ, ପବିତ୍ର, ମଧୁମୟ ଓ ଶକ୍ତିଶାଳୀ କରିଥାନ୍ତି। ତେଣୁ ବୈଦିକ ଯୁଗରୁ ମହାବିଷୁବ ସଂକ୍ରାନ୍ତିକୁ ମହତ୍ତ୍ବ ପ୍ରଦାନ କରାଯାଇଛି। ଜ୍ୟୋତିର୍ବିଦବୃନ୍ଦ ସୂର୍ଯ୍ୟଙ୍କର ଏହି ସାମ୍ବତ୍ସରିକ ଗତିର ଆଦ୍ୟ ମୁହୂର୍ତ୍ତର କାଳନିରୂପଣ ପୂର୍ବକ ଏହାକୁ ମହାବିଷୁବ ନାମରେ ନାମିତ କରିଛନ୍ତି ତଥା ବିଶ୍ବର କଲ୍ୟାଣମୟ ବେଳା ରୂପେ ନିରୂପଣ କରିଛନ୍ତି। ଅଧିକନ୍ତୁ ବିଶ୍ବ ଜାଗତିକ ପ୍ରକ୍ରିୟାର ଏହି ଶୁଭ ମୁହୂର୍ତ୍ତର ପ୍ରଶସ୍ତି ଗାନରେ ପ୍ରତ୍ୟେକ ପଞ୍ଜିକାର ଶତମୁଖ। ଜ୍ୟୋତିଷଶାସ୍ତ୍ର ମତରେ ସୂର୍ଯ୍ୟ କଳିଙ୍ଗ ଦେଶରେ ଜାତ ହୋଇଥିବାରୁ ଓଡ଼ିଶା ନିମିତ୍ତ ମହାବିଷୁବ ସଂକ୍ରାନ୍ତିର ସମ୍ପର୍କ ସୂକ୍ଷ୍ମାତିସୂକ୍ଷ୍ମ। ଜ୍ୟୋତିର୍ବିଦବୃନ୍ଦ ଗାଣିତିକ ସୂତ୍ର ମାଧ୍ୟମରେ ମହାବିଷୁବ ସଂକ୍ରାନ୍ତିର ଠିକ କାଳ ନିରୂପଣ କରିଥାନ୍ତି। ତଦନୁଯାୟୀ ପ୍ରଚଳିତ ବିଭିନ୍ନ ପଞ୍ଜିକାରେ ମହାବିଷୁବ ସଂକ୍ରାନ୍ତିରେ ସୂର୍ଯ୍ୟ ଓ ଅନ୍ୟାନ୍ୟ ଗ୍ରହଙ୍କର ସ୍ଥିତି, ଚଳନ ଓ ପ୍ରଭାବର ସୂଚନା ଉଲ୍ଲେଖ କରାଯାଇଥାଏ। ଏହି ଶୁଭମୁହୂର୍ତ୍ତରେ ଲୌକିକ ଓ ପାରଲୌକିକ ଜୀବନର ମଙ୍ଗଳ କାମନା ଭାରତୀୟ ଜନଜୀବନରେ ପାରମ୍ପରିକ ପ୍ରବାହ ସୃଷ୍ଟି କରିଛି। ପରିଣାମସ୍ବରୂପ ଦାର୍ଶନିକ, ଧାର୍ମିକ, ସଂାସ୍କୃତିକ ଓ ସାମାଜିକ ଜୀବନଧାରାରେ ମହାବିଷୁବ ସଂକ୍ରାନ୍ତି ପ୍ରାଚୀନକାଳରୁ ସ୍ବକୀୟ ପ୍ରଭାବ ବିସ୍ତାର ପୂର୍ବକ ଏକ ସାର୍ବଜନୀନ ମହୋତ୍ସବର ମାନ୍ୟତା ଲାଭ କରିଛି।

ପବିତ୍ର ଭାରତବର୍ଷ ବହୁ ଭାଷାଭାଷୀ ଓ ବହୁ ସାଂସ୍କୃତିକ ଚେତନାର ଦେଶ। ତେଣୁ ପ୍ରତ୍ୟେକ ସଂସ୍କୃତିରେ ଭିନ୍ନଭିନ୍ନ ରୀତିରେ ମହାବିଷୁବ ମହୋତ୍ସବ ପାଳନ କରାଯାଇ ସାର୍ବଜନୀନ ମଙ୍ଗଳ କାମନା କରାଯାଏ। ଭାରତୀୟ ଜନମାନସରେ ବିଶ୍ବାସ ରହିଛି ଯେ ମହାବିଷୁବର ସମୀରଣ ସର୍ବରୋଗ ନିବାରକ ତଥା ଅଧ୍ୟାତ୍ମ ଚେତନା ଦ୍ୟୋତକ। ତେଣୁ ସଭିଏଁ ଆପଣା ଆପଣାର ସାଂପ୍ରଦାୟିକ ରୀତିନୀତିରେ ଏହି ପର୍ବ ପାଳନ ପୂର୍ବକ ଅପାର ଆନନ୍ଦ ଲାଭ କରିଥାନ୍ତି। ଏହି ପର୍ବର ପୁଣ୍ୟତାକୁ ଅନୁଭବ କରି ପ୍ରଚେତାବୃନ୍ଦ ଭିନ୍ନଭିନ୍ନ ସଂପ୍ରଦାୟ ନିମିତ୍ତ ବିଭିନ୍ନ ପୂଜା, ପର୍ବ, ଦାନପୁଣ୍ୟ, ଉତ୍ସବ, ଯାଗ, ଯଜ୍ଞ, ଜନ୍ତାଳ, ବାରେଣି, ମେଳା, ଉପାସନା ପ୍ରଭୃତିର ବିିଧିବ୍ୟବସ୍ଥା ନିର୍ଦ୍ଧାରଣ କରିଯାଇଛନ୍ତି। ସେମାନଙ୍କ ମତରେ ବିଦ୍ୟାମାନଙ୍କ ମଧ୍ୟରେ ବେଦବିଦ୍ୟା, ମନ୍ତ୍ରମାନଙ୍କ ମଧ୍ୟରେ ପ୍ରଣବ,ବୃକ୍ଷମାନଙ୍କ ମଧ୍ୟରେ କଳ୍ପବୃକ୍ଷ, ଧେନୁମାନଙ୍କ ମଧ୍ୟରେ କାମଧେନୁ, ଦେବତାମାନଙ୍କ ମଧ୍ୟରେ ବିଷ୍ଣୁ, ନଦୀମାନଙ୍କ ଭିତରେ ଗଙ୍ଗା, ତେଜଷ୍କ୍ରିୟମାନଙ୍କ ମଧ୍ୟରେ ସୂର୍ଯ୍ୟ, ଧାତୁମାନଙ୍କ ମଧ୍ୟରେ ସୁବର୍ଣ୍ଣ, ରତ୍ନମାନଙ୍କ ମଧ୍ୟରେ କୌସ୍ତୁଭ ମଣି ଓ ସଂକ୍ରାନ୍ତିମାନଙ୍କ ମଧ୍ୟରେ ମହାବିଷୁବ ଶ୍ରେଷ୍ଠ ଅଟନ୍ତି।

ବୈଦିକ ସଂସ୍କୃତିରେ ମହାବିଷୁବ ସଂକ୍ରାନ୍ତିର ପାଳନ ଅବର୍ଣ୍ଣନୀୟ। ଏହି ପୁଣ୍ୟ ସଂକ୍ରାନ୍ତିରେ ବେଦପାଠ, ପୁରୁଷସୂକ୍ତ ପାଠ, ଶ୍ରୀସୂକ୍ତ ପାଠ, ବିଭିନ୍ନ ଉପନିଷଦ ସ୍ବାଧ୍ୟାୟ, ଦେବତା ଓ ପିତୃଙ୍କର ତର୍ପଣ, ବେଦବିଦ୍‌ଙ୍କର ପୂଜନ, ଯଜ୍ଞ, ହୋମ, ଜପ ପ୍ରଭୃତି କଲେ ଅଶେଷ ପୁଣ୍ୟ ମିଳିଥାଏ। ଅନେକ ଦେବପୀଠ, ବିଦ୍ୟାପୀଠ ଓ ଗୁରୁକୁଳରେ ଏହି ଦିନ ସାମୂହିକ ବେଦପାଠ, ଜପ, ଗାୟତ୍ରୀ ପୁରଶ୍ଚରଣ ଓ ବିଶ୍ବ ମଙ୍ଗଳକାମନାରେ ଯଜ୍ଞାଦି ବୈଦିକ କର୍ମ ଅନୁଷ୍ଠିତ ହୁଏ। ଧର୍ମପ୍ରାଣ ବଦାନ୍ୟ ବ୍ୟକ୍ତିବିଶେଷ ମହାବିଷୁବ ସଂକ୍ରାନ୍ତିର ପୁଣ୍ୟକାଳରେ ଅନ୍ନ, ଜଳ, ବସ୍ତ୍ର, ଉପାନହ, ଛତ୍ର ପ୍ରଭୃତି ଅକୁଣ୍ଠ ଚିତ୍ତରେ ଦାନ କରିଥାନ୍ତି। ମହାବିଷୁବ ସଂକ୍ରାନ୍ତିକୁ ପଣାସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନ ଦୁଗ୍ଧ, ଦଧି,ଛେନା, ଲବଣି, ଛାଚି, ଗୁଡ଼, ମହୁ, ନଡ଼ିଆକୋରା, ଗୋଲମରିଚ ପ୍ରଭୃତିର ମିଶ୍ରଣରେ ପଣା ପ୍ରସ୍ତୁତ ହୋଇ ସଭିଙ୍କୁ ପାନ କରିବାକୁ ପ୍ରଦାନ କରାଯାଏ। ସ୍ଥଳବିଶେଷରେ ସାଧୁ, ସନ୍ଥ ଓ ମହାତ୍ମାବୃନ୍ଦ ସତ୍ରରେ ବୈଦିକ ବାଣୀ ପ୍ରବଚନ ପ୍ରଦାନ କରିଥାନ୍ତି। ଗୃହସ୍ଥମାନେ ମହାବିଷୁବ ସଂକ୍ରାନ୍ତିରେ ଗୃହାଙ୍ଗନାରେ ଥିବା ତୁଳସୀ ଚଉରାରେ ଛାୟାମଣ୍ଡପ ନିର୍ମାଣପୂର୍ବକ ବସନ୍ତରା ବସାନ୍ତି ଓ କଳସୀରେ ସୁବାସିତ ଜଳରଖି କଳସୀତଳେ ଛୋଟ କୁଶଟିଏ କଣା କରି ରଖିଦିଅନ୍ତି। ସେହି ବସନ୍ତରାରୁ ଦିନସାରା ଠୋପାଠୋପା ଜଳ ନିର୍ଗତ ହୋଇ ତୁଳସୀ ଉପରେ ପଡ଼େ। ଏହାଦ୍ବାରା ବର୍ଷସାରା ପରିବାରର ମଙ୍ଗଳ ହୁଏ ବୋଲି ଲୋକ ବିଶ୍ବାସ ରହିଛି। ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ ତ୍ରିତାପ ନିବାରଣ ନିମିତ୍ତ ମହାବିଷୁବ ସଂକ୍ରାନ୍ତିର ପବିତ୍ର ମୁହୂର୍ତ୍ତରେ ଗ୍ରହପୂଜା ଓ ହୋମାନୁଷ୍ଠାନ ଅଶେଷ ମଙ୍ଗଳ କାରକ। ବର୍ଷ ମଧ୍ୟରେ ତିନିଦିନ ତିନିପ୍ରକାର ନବାନ୍ନ ଭକ୍ଷଣର ବିଧି ରହିଛି। ଭାଦ୍ରବ ମାସର ଶୁକ୍ଳପଞ୍ଚମୀ ବା ସୁନିଆ ଦିନ ସୁଆଁ ଧାନରୁ ଉତ୍ପନ୍ନ ଚାଉଳର ନବାନ୍ନ, ମାର୍ଗଶିର ପ୍ରଥମାଷ୍ଟମୀରେ ଶାରଦ ଧାନରୁ ଉତ୍ପନ୍ନ ଚାଉଳର ନିବାନ୍ନ ଓ ବିଷୁବ ସଂକ୍ରାନ୍ତି ରବିଶସ୍ୟରୁ ଉତ୍ପନ୍ନ ଛତୁଆର ନବାନ୍ନ ହୁଏ। ତେଣୁ ବିଷୁବ ସଂକ୍ରାନ୍ତିରେ ଗହମ, ବୁଟ, ଚଣା ଓ ମୁଗ ପ୍ରଭୃତିରୁ ଉତ୍ପନ୍ନ ଛତୁଆ ଠାକୁରଙ୍କୁ ଭୋଗ ଲାଗି ନବାନ୍ନ ଭକ୍ଷଣ ହୋଇଥାଏ।

ଶୈବ ସଂସ୍କୃତିରେ ମହାବିଷୁବ ସଂକ୍ରାନ୍ତି ସମାରୋହରେ ପାଳନ କରାଯାଏ। ଏହି ଦିନ ଶିବମନ୍ଦିରମାନଙ୍କରେ ଅଖଣ୍ଡ ଜଳଧାରା ପ୍ରଦାନ ପୂର୍ବକ ବିଶ୍ବର ମଙ୍ଗଳ କାମନା କରାଯାଏ। ସ୍ଥଳବିଶେଷରେ ଶିବଲିଙ୍ଗ ଉପରେ ରୁଦ୍ରାଭିଷେକ କରାଯାଇ ଶିବସହସ୍ର ନାମ, ମହିମ୍ନ ସ୍ତବ, ଶିବ ତାଣ୍ଡବ ଓ ଶିବପୁରାଣ ପ୍ରଭୃତି ପାଠକରାଯାଏ। ଓଡ଼ିଶାରେ ଉଦ୍ଭବ ଦଣ୍ଡନାଚ ମଧ୍ୟ ଓଡ଼ିଶାର ଶୈବସଂସ୍କୃତିର ବିଶିଷ୍ଟ ଅଙ୍ଗ। ବିଷୁବ ସଂକ୍ରାନ୍ତିର ତେରଦିନ ପୂର୍ବରୁ କେତେଜଣ ଭକ୍ତ ଶିବଗୌରୀ ବ୍ରତ ପାଳନ ପୂର୍ବକ ଦଣ୍ଡନାଚ କରନ୍ତି। ଏହି ନାଚ ଧୂଳିଦଣ୍ଡ, ଜଳଦଣ୍ଡ, ଅଗ୍ନିଦଣ୍ଡ ପ୍ରଭୃତି ବହୁ ଭାଗରେ ବିଭକ୍ତ। ବିଷୁବ ସଂକ୍ରାନ୍ତି ପୂର୍ବଦିନ ମେରୁବ୍ରତ ପାଳନ କରି ସଂକ୍ରାନ୍ତିରେ ବ୍ରତ ଉଦ୍‌ଯାପନ କରନ୍ତି। ଦଣ୍ଡନୃତ୍ୟ ସହିତ ଝାମୁଯାତ୍ରା ମଧ୍ୟ ଶୈବପର୍ବ। ବିଷୁବ ସଂକ୍ରାନ୍ତିର ଦ୍ବିପ୍ରହରରେ ଭକ୍ତଗଣ ଡହଡହ ତାତିରେ ରଡ଼ ନିଆଁରେ ଖାଲି ପାଦରେ ଚାଲନ୍ତି। ପିଠିଫୋଡ଼ା ଯାତ୍ରାରେ ମଧ୍ୟ ବିଷୁବ ସଂକ୍ରାନ୍ତିରେ ନିଷ୍ଠାପର ଭକ୍ତଙ୍କ ପିଠିରେ ଲୁହାକଣ୍ଟା ଫୋଡ଼ାଯାଏ। ଉଡ଼ାପର୍ବରେ ମଧ୍ୟ ଭକ୍ତଙ୍କ ପିଠିରେ ଲୁହାକଣ୍ଟା ଫୋଡ଼ାଯାଇ କଣ୍ଟାକୁ ଦଉଡ଼ିରେ ଚକ୍ରଦୋଳି ସଦୃଶ କାଠରେ ବନ୍ଧାଯାଏ ଓ କାଠକୁ ବୁଲାଯାଏ। ଫଳରେ ଭକ୍ତଟି ଶୂନ୍ୟରେ ଉଡ଼େ। ଶିବଭକ୍ତି ପ୍ରାପ୍ତି ନିମିତ୍ତ ଏସବୁ ହେଉଛି କଠୋର ସାଧନା ତଥା ବିଷୁବର ଲୌକିକ ପର୍ବ।

ଶାକ୍ତ ସଂସ୍କୃତିରେ ମହାବିଷୁବ ପର୍ବ ଆଡ଼ମ୍ବର ସହକାରେ ପାଳନ କରାଯାଏ। ବିଷୁବ ସଂକ୍ରାନ୍ତିରେ ପ୍ରତ୍ୟେକ ଦେବୀପୀଠରେ ଦେବୀଙ୍କର ମାଜଣା ଓ ବିଶେଷ ପୂଜାର୍ଚ୍ଚନା କରାଯାଏ ତଥା ସପ୍ତଶତୀଚଣ୍ଡୀ, ଦେବୀ କବଚ, ଅର୍ଗଳ, କୀଳକ, ଦେବ୍ୟାର୍ଥଶୀର୍ଷମ୍‌, ସିଦ୍ଧକୁଞ୍ଜିକା, ଦୁର୍ଗାସହସ୍ରନାମ ପ୍ରଭୃତି ସ୍ତବସ୍ତୋତ୍ର ପାଠକରାଯାଏ। ଓଡ଼ିଶା ହେଉଛି ଏକମାତ୍ର ଭୂଖଣ୍ଡ ଯେଉଁଠାରେ ପ୍ରତ୍ୟେକ ଗ୍ରାମ ମୁଣ୍ଡରେ ଦେବୀ ଗ୍ରାମଦେବତୀ ଭାବରେ ପୂଜିତା। ବିଷୁବ ସଂକ୍ରାନ୍ତିରେ ଗ୍ରାମର ମଙ୍ଗଳ ନିମିତ୍ତ ଗ୍ରାମଦେବୀଙ୍କର ପୂଜାର୍ଚ୍ଚନା କରାଯାଇ ଜନ୍ତାଳ ଅନୁଷ୍ଠିତ ହୁଏ।

ବୈଷ୍ଣବ ସଂସ୍କୃତିରେ ମହାବିଷୁବ ସଂକ୍ରାନ୍ତିକୁ ମହାଜାଗତିକ ପର୍ବ ଭାବରେ ପାଳନ କରାଯାଏ। ଏହି ଦିନ ବିଷ୍ଣୁଙ୍କୁ ମାଧବ ରୂପରେ ପୂଜା କରାଯାଏ। ଗୃହେଗୃହେ ଓ ବିଷ୍ଣୁମନ୍ଦିରଗୁଡ଼ିକରେ ବିଶେଷ ପୂଜାର୍ଚ୍ଚନା କରାଯାଇ ଅଖଣ୍ଡ ନାମ ସଂକୀର୍ତ୍ତନ, ଗୀତାପାଠ, ବିଷ୍ଣୁ ସହସ୍ର ନାମ, ବିଷ୍ଣୁପଞ୍ଜର ସ୍ତୋତ୍ର, ଅନନ୍ତମୁଖୀ ଭାଗବତ, ରାମାୟଣ ପାରାୟଣ ଓ ହରିହାଟ ପ୍ରଭୃତି ଆଧ୍ୟାତ୍ମିକ ଅନୁଷ୍ଠାନ କରାଯାଇ ବ୍ରାହ୍ମଣ, ବୈଷ୍ଣବ ଓ ସାଧୁସନ୍ଥଙ୍କୁ ଭୋଜନ ଦିଆଯାଏ। ବୈଷ୍ଣବ ମତରେ ମହାବିଷୁବ ସଂକ୍ରାନ୍ତିକୁ ବୌଦ୍ଧିକ ସାଧନାର ଅୟମାରମ୍ଭ କାଳରୂପେ ବିବେଚନା କରାଯାଇଛି। ତେଣୁ ଅଭୂତପୂର୍ବ ଆନନ୍ଦ ଉଲ୍ଲାସ ମଧ୍ୟରେ ବୈଷ୍ଣବଗଣ ଏହି ବିଷୁବପର୍ବକୁ ତିନିଦିନ, ସାତଦିନ, ନବଦିନ ବା ଏକାଦଶ ଦିବସ ବ୍ୟାପୀ ପାଳନ କରନ୍ତି। ନିତାଇଗୌର ମହାମନ୍ତ୍ରର ଉଦ୍‌ଗାତା ଶ୍ରୀରାଧାରମଣ ଦେବ ମହାବିଷୁବରେ ଆବିର୍ଭାବ ହୋଇଥିବାରୁ ଗୌଡ଼ୀୟ ବୈଷ୍ଣବମାନେ ସମାରୋହରେ ମହାବିଷୁବ ସଂକ୍ରାନ୍ତି ମହୋତ୍ସବ ଓ ବୈଷ୍ଣବମେଳା ପାଳନ କରିଥାନ୍ତି। ହନୁମାନଙ୍କ ଭକ୍ତଗଣ ଏହି ତିଥିରେ ଭକ୍ତପ୍ରବର ଅଞ୍ଜନାନନ୍ଦନ ମହାବୀରଙ୍କର ଜୟନ୍ତୀ ପାଳନ କରିଥାନ୍ତି।

ବୈଦିକ, ସୌର, ଶୈବ, ଶାକ୍ତ, ବୈଷ୍ଣବ ଓ ଶାବର ପ୍ରତ୍ୟେକ ସଂସ୍କୃତିରେ ମହାବିଷୁବ ସଂକ୍ରାନ୍ତିର ମହତ୍ତ୍ବ ଅବର୍ଣ୍ଣନୀୟ। ଏହି ପୁଣ୍ୟକାଳରେ ସୃଷ୍ଟିର ଶାଶ୍ବତସତ୍ତା ସୃଷ୍ଟିକାରୀ ସବିତା କଲ୍ୟାଣମୟ ଔଜ୍ବଲ୍ୟରେ ଉଦ୍‌ଭାସିତ ହେଉଥିବାରୁ ଜାତି, ବର୍ଣ୍ଣ ଓ ସଂପ୍ରଦାୟ ନିର୍ବିଶେଷରେ ସଭିଏଁ ଆନନ୍ଦଉଲ୍ଲାସରେ ମହାବିଷୁବ ମହୋତ୍ସବ ଆପଣାଆପଣାର ପାରମ୍ପରିକ ପରିଧିରେ ପାଳନ କରିଥାନ୍ତି। ଚିନ୍ତନ ଚେତନାକୁ ପରିଷ୍କରଣ ପୂର୍ବକ ମହାନୁଭବତାରେ ଉଦ୍‌ବୁଦ୍ଧ ହେବା ନିମିତ୍ତ ମହାବିଷୁବ ସଂକ୍ରାନ୍ତି ହିଁ ମାହେନ୍ଦ୍ର ମୁହୂର୍ତ୍ତ। ମହାବିଷୁବର ମହତ୍ତ୍ବ ଉପଲବ୍ଧରେ ମାନବିକତାର ଉତ୍କର୍ଷ ସାଧନ ହୋଇ ଜ୍ଞାନ, ଭକ୍ତି, ଶ୍ରଦ୍ଧା, ପ୍ରୀତି, ବିନୟ, ଶାନ୍ତି ଓ ସୌଜନ୍ୟର ମଧୁର ସମାହାରରେ ବ୍ୟକ୍ତି, ପରିବାର, ସମାଜ, ରାଷ୍ଟ୍ର ଓ ବିଶ୍ବ ମଧୁମୟ ହୋଇଯାଏ। ଏହା ହିଁ ମହାବିଷୁବର ମହତ୍ତ୍ବ।

Comments are closed.