ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍-୧୯

- ଆଶୁତୋଷ ଦେବତା

ଆମର ସଦ୍ୟ ସ୍ମରଣରେ ୨୦୨୦ ମସିହା ହେଉଛି ଅନ୍ୟତମ ଅଶାନ୍ତିର ବର୍ଷ। କାରଣ କୋଭିଡ୍-୧୯ ମହାମାରୀ ଯୋଗୁଁ ୨୦୨୦ ମସିହାରେ ବିଶ୍ବରେ ୧.୪ ମିଲିୟନ ଲୋକ ଆକ୍ରାନ୍ତ ଅଥବା ମୃତ୍ୟୁବରଣ କରିଛନ୍ତି। ଏହି ଆତଙ୍କରାଜର ପ୍ରଭାବରେ ସାମାଜିକ ଜୀବନ ଶୈଳୀରେ ପରିବର୍ତ୍ତନ ଦେଖାଦେଇଛି। ଅପର ପକ୍ଷରେ କୋଭିଡ୍-୧୯ ସୃଷ୍ଟ ଆକସ୍ମିକ ଭୟ ପ୍ରବଣତାରୁ ଜଳବାୟୁ ପରିବର୍ତ୍ତନରେ ଶୃଙ୍ଖଳା ଆଣିବାର ନୂତନ ଆଶା ଉଦ୍ରେକ ହୋଇଅଛି। ବିକଶିତ ରାଷ୍ଟ୍ର ସମୂହ ୨୦୫୦ ବା ୨୦୬୦ ମସିହା ସୁଦ୍ଧା କାର୍ବନ ନ୍ୟୁଟ୍ରାଲ ବା ନିରପେକ୍ଷତା ଆଣିବାରେ ସଫଳ ହୋଇପାରିବେ ବୋଲି ଉଚ୍ଚାଭିଳାଷ ରଖିଛନ୍ତି। ୨୦୨୧ ମସିହାରେ ଜାତିସଂଘ ଆନୁକୂଲ୍ୟରେ ସ୍କଟଲ୍ୟାଣ୍ଡଠାରେ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ଏକ ଉଚ୍ଚକୋଟୀର ସମ୍ମିଳନୀ ଆହୂତ ହେବାର କାର୍ଯ୍ୟକ୍ରମ ରହିଅଛି। ନିର୍ଦ୍ଧାରିତ ସମ୍ମିଳନୀର ଫଳାଫଳ ଶତପ୍ରତିଶତ ସଫଳ ନ ହେଲେ ମଧ୍ୟ ସମୟୋଚିତ ତଥା ଅନୁକୂଳ ସମ୍ଭାବନାର ଧାରଣା ପରିଦୃଷ୍ଟ, ବିଶ୍ବବ୍ୟାପୀ ଏ ପ୍ରକାର ଆତଙ୍କରାଜକୁ ପ୍ରତିରୋଧ କରିବାରେ ସମସ୍ତ ରାଷ୍ଟ୍ର, ଗବେଷକ, ଔଷଧ ଟିକା ପ୍ରସ୍ତୁତକାରୀ କମ୍ପାନୀ ଏକାଠି ହୋଇ ପରିପକ୍ବ ମାନସିକତା ଉଦ୍ରେକ କରିବାର ସମୟ ଉପନୀତ।

ଗୋଟିଏ ରାଷ୍ଟ୍ରର କୋଭିଡ୍ ପ୍ରତିରୋଧକ ପଦ୍ଧତି ଭିନ୍ନ ହେଲେ ମଧ୍ୟ ଅନ୍ୟ ରାଷ୍ଟ୍ର ତାହାକୁ ଭ୍ରୂକ୍ଷେପ ନକରି ଏକ ସମାଦୃତ ବ୍ୟବସ୍ଥା ଅବଲମ୍ବନ କରିବା ବାଞ୍ଛନୀୟ। ଉଦାହରଣତଃ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗୋଟିଏ ଦେଶ ତୁଣ୍ଡି ବ୍ୟବହାର କରି ସାମାଜିକ ଦୂରତ୍ବ ଅବଲମ୍ବନ କରିବା ପାଇଁ ପ୍ରସ୍ତାବ ଦେବାରେ ଅନ୍ୟ ରାଷ୍ଟ୍ର ଏହାକୁ ଯୁକ୍ତିହୀନ ବୋଲି ପ୍ରମାଣ କରିବାର ପ୍ରୟାସ ଅଯୌକ୍ତିକ। ଯଦି ବିକଶିତ ରାଷ୍ଟ୍ର ସମୂହ ପ୍ରକାରାନ୍ତରେ ପରସ୍ପରର ସ୍ବାସ୍ଥ୍ୟରକ୍ଷା, ପରିବେଶ, ପରିଚ୍ଛନ୍ନତା ଅଙ୍ଗାରକ ନିର୍ଗମନରେ ହାସଲ କୌଶଳ ଅନ୍ୟ ରାଷ୍ଟ୍ରକୁ ନ ଶିଖାଇ କେବଳ ନିଜ ଦେଶରେ ବ୍ୟବସ୍ଥିତ କରିବେ ତେବେ ମୂଳ ସମସ୍ୟାର ସମାଧାନ ମରୀଚିକା ସଦୃଶ ହେବ। ଭାରତବର୍ଷରେ ବାୟୁମଣ୍ଡଳକୁ ଯଦି ବେଶି ପରିମାଣରେ ଅଙ୍ଗାରକ ନିର୍ଗମନ ହେବ ତେବେ ଟେକ୍ସାଠାରେ ବାୟୁମଣ୍ଡଳର ଉତ୍ତାପ କମ ହେବନାହିଁ। କାରଣ ବାୟୁମଣ୍ଡଳର କୌଣସି ଭୌଗୋଳିକ ସୀମାରେଖା ନଥାଏ। କୋଭିଡ୍-୧୯ ଜନିତ ସମସ୍ୟାର ଅବଲୋକନ କଲେ ପ୍ରତୀୟମାନ ହୁଏ ଯେ ଏହାର ପ୍ରତିକାର ପାଇଁ ଜୀବ ବିଜ୍ଞାନ ଭୂତାଣୁତତ୍ତ୍ବ, (ଭାଇରୋଲୋଜି) ଔଷଧୀୟତତ୍ତ୍ବ, (ଫରମାକୋଲୋଜି) ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତି ବିଭାଗ ସଂପୃକ୍ତ ହେବା ଆବଶ୍ୟକ କାରଣ ପ୍ରତିଷେଧକ ଟିକା ବଣ୍ଟନର ଟିକା ସମାନତା ଏକାନ୍ତ ଭାବରେ ରାଜନୈତିକ ଇଚ୍ଛାଶକ୍ତି ଉପରେ ନିର୍ଭରଶୀଳ।

ମହାମାରୀତତ୍ତ୍ବ, (ଏପିଡ଼େମିଓଲୋଜି) ଗୋଟିଏ ପକ୍ଷରେ କୋଭିଡ-୧୯ର ଭୟାବହତାର ସୂଚନା ଦେଉଛି କିନ୍ତୁ ନିରାକରଣର ନୁହେଁ। ସେହିପରି ଜଳବାୟୁ ବିଜ୍ଞାନ ସମିତି, (କ୍ଲାଇମେଟ୍ ସାଇନ୍ସ ସେଲ୍) ଜଳବାୟୁୁ ପରିବର୍ତ୍ତନର ଧାରାର ଆବଶ୍ୟକତା ଅଛି ବୋଲି ଜୋର ଦେଉଛି ମାତ୍ର ଜଳବାୟୁ ପରିବର୍ତ୍ତନରେ ନିୟମିତତା ଆଣିବା ଦିଗରେ ଠିକ୍ ପଦ୍ଧତି ବିଷୟରେ ଏକ ସିଦ୍ଧାନ୍ତରେ ଉପନୀତ ହୋଇପାରୁନାହିଁ। ସେଥିଲାଗି ଏହି ସମୂହ ସମସ୍ୟା ସମାଧାନର ଉପାୟ ସ୍ଥିର କରିବାରେ ବିଜ୍ଞାନ, ବୈଷୟିକ ଏବଂ ପ୍ରଯୁକ୍ତି ବିଦ୍ୟାର ବିଭାଗର ସହଯୋଗ ଅପରିହାର୍ଯ୍ୟ। ସର୍ବୋପରି ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି; ନାଗରିକ ସଚେତନତା, ପାରସ୍ପରିକ ଜୀବନଶୈଳୀ ରୂପାୟିତ କରିବାର ଆବଶ୍ୟକତା ଅନିବାର୍ଯ୍ୟ।

ଘରେ ରହି ଅଫିସ୍ କାର୍ଯ୍ୟ କମ୍ପ୍ୟୁଟର ପ୍ରୟୋଗରେ ସମାପନ କରିବା, ନିଜ ପରିବାର ପ୍ରତି ବିଶେଷ ଯତ୍ନବାନ ହେବା, ଅଯଥାରେ ଯନ୍ତ୍ର ଚାଳିତ ଯାନବାହନ ଚଳାଚଳ ନକରି ବାୟୁମଣ୍ଡଳ, ଜଳାଶୟ ମୃତ୍ତିକା, ସୂକ୍ଷ୍ମ ଧୂଳିକଣା ସୃଷ୍ଟି, ଆଲୋକ ଓ ଧ୍ବନି ପ୍ରଦୂଷଣର ମାତ୍ରା ଯଥେଷ୍ଟ ହ୍ରାସ ହେବାରୁ ଜଳବାୟୁରେ ସାମଞ୍ଜସ୍ୟତା ଆସିବାରେ ସହାୟକ ହେବା ଉତ୍ସାହପ୍ରଦ କୋଭିଡ୍-୧୯ ସମୟରେ ଘରେ ବସି ରହି ମାତ୍ର ଅପରପକ୍ଷରେ ରାଷ୍ଟ୍ର ପାଇଁ ଆବଶ୍ୟକତା ମାନବ ସମ୍ବଳର ଯଥେଷ୍ଟ ବିନିଯୋଗ ନହୋଇ ପାରିବା; ଶିକ୍ଷା ସ୍ବାସ୍ଥ୍ୟ, ସାମାଜିକତା, ଗବେଷଣା ଖାଦ୍ୟ, ବସ୍ତ୍ର ବାସ, ଜୀବନର ଭଳି ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ ଉଦ୍ଦିଷ୍ଟ କଳକାରଖାନା ବନ୍ଦ ହେବା, ସର୍ବୋପରି ବାଣିଜ୍ୟ ବ୍ୟବସାୟ, ଦୈନିକ ବେପାର, ଦିନ ମଜୁରିଆ ପ୍ରଭୃତି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଭାବରେ ଆର୍ଥିକ ଅନଟନରେ ଶିକାର ହେବା ଅନୁମେୟ। ମୋଟାମୋଟି ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ଗତ ୨୫ ସପ୍ତାହରେ ସଂକ୍ରମିତ ବିଶ୍ବ କୋଭିଡ୍-୧୯ ଯୋଗୁଁ ଆଗାମୀ ୨୫ ବର୍ଷର ପ୍ରଗତିର ଦ୍ବାରଦେଶରେ ପହଞ୍ଚିବାର ସ୍ବପ୍ନ ସାକାର ନହେବା ଅବଶ୍ୟମ୍ଭାବୀ ହୋଇପଡ଼ିଛି। ବିକଶିତ ରାଷ୍ଟ୍ରମାନେ ‘ସମଗ୍ର ବିଶ୍ବ ଏକ ପରିବାର’ ଆଧାରରେ ସାମୂହିକ ଭାବରେ ଶିକ୍ଷା ସ୍ବାସ୍ଥ୍ୟ ସେବା ଶକ୍ତି ପରିେବଶ ଭିତ୍ତିକ ପ୍ରୟୋଗାତ୍ମକ ଗବେଷଣାଲବ୍ଧ ପଦାର୍ଥର ଆମଦାନୀ କରିପାରିଲେ ଆସନ୍ତା ମହାମାରୀକୁ ସମ୍ମୁଖୀନ ହେବାର ଉପାୟ ହସ୍ତଗତ ହେବ।

ମୋଟ ଉପରେ କୋଭିଡ୍-୧୯ ଦୁର୍ବିପାକ ଏବଂ ଜଳବାୟୁରେ ନିୟମିତତା ଆଣିବା ପ୍ରକ୍ରିୟା ଏକ ସଙ୍ଗରେ ବିଚାରକୁ ନେବାର ସମୟ ଆସିଛି। ସେଥିଲାଗି ବିଶ୍ବ ସମୂହ ଶକ୍ତି ସଫେଇ କମ୍ପାନୀକୁ ପ୍ରୋତ୍ସାହିତ କରିବା ଏବଂ ସବୁଜ ଉତ୍ପାଦ ଆମଦାନୀ କରିବାକୁ ଅଗ୍ରାଧିକାର ଦେବା ଉଚିତ୍। ୨୦୦୮ ମସିହାରେ ସଂଘଟିତ ବିଶ୍ବ ଅର୍ଥନୈତିକ ସଂକଟ ସମୟରେ ଜଳବାୟୁ ପରିବର୍ତ୍ତନ ତଥା ବାୟୁମଣ୍ଡଳ ଉତ୍ତପ୍ତ କରିବାରେ ସହାୟକ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାର ମାନସିକତା ସୃଷ୍ଟି କରିବା ଏକ ସମୟୋପଯୋଗୀ ତଥା ପ୍ରଶଂସନୀୟ ଉଦ୍ୟମ।

Comments are closed.