ସମ୍ବିଧାନ ଶିକ୍ଷା

ସତ୍ୟବ୍ରତ ବାରିକ

ସମ୍ବିଧାନରେ ଚିତ୍ରିତ ହୋଇଛି ଭାରତବର୍ଷ ପାଇଁ ଏକ ଆଦର୍ଶ ସମାଜର ନକ୍ସା; ରାଜତନ୍ତ୍ର ଓ ଏକଛତ୍ର ଶାସନର ପୂର୍ଣ୍ଣଚ୍ଛେଦ ଘଟାଇ ଏକ ଶୋଷଣମୁକ୍ତ, ପକ୍ଷପାତିତାରୁ ମୁକ୍ତ ସମାଜ ନିର୍ମାଣର ସଂକଳ୍ପ, ଯେଉଁଠି ସବୁ ମଣିଷଙ୍କୁ ସମାନ ସୁଖସମୃଦ୍ଧି, ମର୍ଯ୍ୟାଦା, ନ୍ୟାୟ ଓ ସ୍ୱାଧୀନତା ମିଳିବ; ମାତ୍ର ଏହା ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଲୋକତନ୍ତ୍ର ନାମରେ ବଡ଼ଲୋକି ଶାସନ ଚାଲିଛି, ଗରିବ ଏବେ ବି ଶକ୍ତିହୀନ ଓ ଅସହାୟ। ସମ୍ବିଧାନ ବିଷୟରେ ନାଗରିକଙ୍କ ଅଜ୍ଞତା ହିଁ ଏ ପରିସ୍ଥିତିର ମୂଳ କାରଣ; ତେଣୁ ସମ୍ବିଧାନ ପାଠ ଓ ପାଠଶାଳାର ପରିକଳ୍ପନା।

ପାଠଶାଳାର ସ୍ୱରୂପକୁ ତିନିଟି ଦିଗରୁ ଆଲୋଚନା କରିବା: ୧) ସମ୍ବିଧାନ ମଧ୍ୟରୁ ପାଠ୍ୟବିଷୟ ବାଛିବା, ୨) ଶିକ୍ଷାର୍ଥୀ ଦଳ ବା ଗୋଷ୍ଠୀ ଚିହ୍ନିବା ୩) ଶିଖିବା-ଶିଖାଇବା ଧାରାର ପ୍ରଣାଳୀ ଓ କାର୍ଯ୍ୟ ଯୋଜନା ତିଆରି କରିବା। ସାଧାରଣ ନାଗରିକଙ୍କ ପାଇଁ ବିଷୟଗୁଡିକ ଭିତରେ ମୌଳିକ ଅଧିକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ସମାନତାର ଅଧିକାର, ଶୋଷଣ ଓ ପକ୍ଷପାତିତାଠାରୁ ସୁରକ୍ଷା, ଅସ୍ପୃଶ୍ୟତା ନିଷେଧ, ବଞ୍ଚିବାର ଅଧିକାର, ଯେକୌଣସି ଧର୍ମ ବା ଈଶ୍ୱର ବିଶ୍ବାସ ପ୍ରସଙ୍ଗରେ ସ୍ୱାଧୀନତା, ମତବ୍ୟକ୍ତ କରିବାର ସ୍ୱାଧୀନତା ଅନ୍ୟତମ। ଏ ଅଧିକାରଗୁଡ଼ିକ ସାବ୍ୟସ୍ତ କରିବା ପାଇଁ ନାଗରିକ ଆଇନର ସହାୟତା ନେଇ ପାରିବେ। ଦ୍ବିତୀୟ ଭାଗରେ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ, ଯେପରିକି ସମ୍ବିଧାନ ଓ ଜାତୀୟ ପତାକା ପ୍ରତି ସମ୍ମାନ, ଭାରତର ଏକତା ଓ ସଂହତି, ପ୍ରାକୃତିକ ସମ୍ପଦ ଓ ଆମର ସାଂସ୍କୃତିକ ବିବିଧତାର ସଂରକ୍ଷଣ, ବିଜ୍ଞାନସମ୍ମତ ବିଚାର ଅର୍ଜନ ଓ ହିଂସାତ୍ମକ କାର୍ଯ୍ୟକଳାପ ବର୍ଜନ। ତୃତୀୟତଃ ସରକାର ଗଠନ ଓ କାର୍ଯ୍ୟଧାରା ସମ୍ପର୍କିତ ନିୟମାବଳୀ; ଚତୁର୍ଥରେ ଗ୍ରାମସଭା ସମେତ ପଞ୍ଚାୟତିରାଜର କାର୍ଯ୍ୟକାରିତା ଏବଂ ପଞ୍ଚମ ଭାଗରେ ନିର୍ବାଚନ ପ୍ରକ୍ରିୟା ଓ ସେଥିରେ ନାଗରିକମାନଙ୍କ ଭୂମିକା। ଏହି ବିଷୟଗୁଡିକୁ ପାଠ୍ୟ ଯୋଜନାରେ ରୂପାନ୍ତରିତ କରି ଶିକ୍ଷାର୍ଥୀମାନଙ୍କ ବୟସ ଓ ଅନୁଭୂତିକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ପାଠ ପରିବେଷଣ କୌଶଳ ଗ୍ରହଣ କରାଯାଇପାରିବ।

“ପାଠଶାଳା” ଶବ୍ଦ ବ୍ୟବହାର କରାଯିବାର ଯଥାର୍ଥତା ରହିଛି; ଏହା ଶ୍ରେଣୀ ଶିକ୍ଷାର ବିଶେଷତ୍ୱ ବହନ କରିବ, କେବଳ ସଚେତନତା କାର୍ଯ୍ୟକ୍ରମ ନୁହେଁ। ଶିକ୍ଷାର୍ଥୀମାନେ କୌଣସି ନିର୍ଦ୍ଦିଷ୍ଟ ସାମ୍ବିଧାନିକ ଧାରାକୁ ଆପଣା ଢଙ୍ଗରେ କିପରି ହୃଦୟଙ୍ଗମ କରିପାରିବେ ଏବଂ ତାହାକୁ ନିଜ ବିଶ୍ୱାସରେ ଓ କର୍ମରେ ଗ୍ରହଣ କରିବେ ତାହା ହିଁ ପରମ ଲକ୍ଷ୍ୟ ହେବା ଉଚିତ। ଅର୍ଥାତ୍‌ ଏହାର ଫଳ ସ୍ୱରୂପ ଆମର ତଳ ଭୂମିଟିରେ ଗଣତନ୍ତ୍ର ନାମକ ଗଛଟି ଦୃଢ଼ ହୋଇ ଠିଆ ହୋଇ ପାରିବ।

ଗ୍ରାମାଞ୍ଚଳର ଅଧିବାସୀମାନେ ଏକ ବୃହତ୍‌ ସମୁଦାୟ ଏବଂ ଆମ ସମ୍ବିଧାନ ପାଠଶାଳାର ପ୍ରମୁଖ ଧ୍ୟେୟ। ଏବେ ଆମ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇଲାଣି। ବଲାଙ୍ଗିର ଅଞ୍ଚଳରୁ ଖବର ଆସିଛି ଯେ ସରପଞ୍ଚ ପଦକୁ ଜଣେ ପ୍ରାର୍ଥୀ ଲକ୍ଷାଧିକ ଟଙ୍କାରେ ‘ନିଲାମ’ ଧରିଛନ୍ତି। ଲୋକେ ମନ୍ଦିର ପାଇଁ ଚାନ୍ଦା ବିନିମୟରେ ତାହାଙ୍କୁ ବିନା ପ୍ରତିଦ୍ବନ୍ଦ୍ବିତାରେ ଜିତାଇବାର ପ୍ରାକ୍-ନିର୍ଣ୍ଣୟ କରିଛନ୍ତି। ଦେଖନ୍ତୁ କିପରି ନିର୍ବାଚନ ଅର୍ଥହୀନ ହୋଇପଡୁଛି ଓ ସମ୍ବିଧାନ ଉପହସିତ। ଧାରା ୩୨୪ରୁ ୩୨୮ ମଧ୍ୟରେ ରହିଛି ନାଗରିକଙ୍କ ଭୋଟ ଦାନ ଅଧିକାର, ଅନୁସୂଚିତ ଜାତି ଓ ଉପଜାତିଙ୍କ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ଓ ସ୍ଥାନୀୟ ସରକାର ଗଠନ ସକାଶେ ପଞ୍ଚାୟତ ନିର୍ବାଚନ ସମ୍ବନ୍ଧୀୟ ନିୟମ। ନିର୍ବାଚନକୁ ନେଇ କେତେକ ଅତି ଜଟିଳ ସମସ୍ୟା ଦେଖାଦେଇଛି। ସରକାର ଭିତରକୁ ପ୍ରବେଶ କରି ସାରିଥିବା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ସରକାରୀ ବ୍ୟକ୍ତି, କୌଣସି ଦଳର ନୁହନ୍ତି; କିନ୍ତୁ ନିର୍ବାଚନ ସମୟରେ ସରକାରୀ କ୍ଷମତା ଦୁରୁପଯୋଗ କରି ନିଜ ନିଜ ଦଳର ପ୍ରଚାର କରୁଛନ୍ତି, ଯାହାକି ସମ୍ପୂର୍ଣ ଅଗଣତାନ୍ତ୍ରିକ ଓ ସ୍ୱଚ୍ଛ ଏବଂ ନିଷ୍ପକ୍ଷ ନିର୍ବାଚନ ପାଇଁ ପ୍ରତିକୂଳ। ଏ ବିଷୟରେ ଭାରତୀୟ ନାଗରିକ, ଏପରି କି ବୁଦ୍ଧିଜୀବୀମାନେ ନିରବ।

ନିର୍ବାଚନ ସରିଲେ ସରିଯାଏ ନାହିଁ ନାଗରିକର ଭୂମିକା ଓ କର୍ତ୍ତବ୍ୟ। ପଞ୍ଚାୟତ ସ୍ତରରେ ପଲ୍ଲିସଭା, ଗ୍ରାମସଭା ଲୋକତନ୍ତ୍ରର ପ୍ରୟୋଗଶାଳା। ନାଗରିକମାନେ ନିଷ୍କ୍ରିୟ ହେଲେ ଲୋକତନ୍ତ୍ର ‘କୋମା’କୁ ଚାଲିଯାଏ। କେବଳ ଦସ୍ତଖତମରା ପଞ୍ଚାୟତ ଦ୍ୱାରା ଗ୍ରାମସଭାର ଲାଭ ଲୋକଙ୍କୁ ମିଳିପାରେ ନାହିଁ। ମାଗଣା ଯୋଜନା ଅସ୍ଥାୟୀ ଭାବେ ଦାନାକନା ଦେଇପାରେ; କିନ୍ତୁ ମଣିଷଙ୍କଠାରୁ ସ୍ଥାୟୀ ଭାବେ ସ୍ୱାଧୀନତା ଓ ସ୍ୱାବଲମ୍ବନ ହରଣ କରିନିଏ।

ବିଦ୍ୟାଳୟ ପିଲାଙ୍କୁ ସାମ୍ବିଧାନିକ ଧାରା ଓ ମୂଲ୍ୟ ଶିଖାଇବା କଠିନ ହେବ ନାହିଁ ତ? ଏପରି ଆଶଙ୍କା ଦୂର କରିବା ପାଇଁ ଏକ ଦୃଷ୍ଟାନ୍ତ ଆଣିବା ସ୍କୁଲରେ କାର୍ଯ୍ୟକାରୀ ହେଉଥିବା ଶିଶୁ ମଣ୍ଡଳ (ଚାଇଲ୍‌ଡ କ୍ୟାବିନେଟ) କାର୍ଯ୍ୟକ୍ରମରୁ। ଶିକ୍ଷା ଅଧିକାର ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟ ପ୍ରକୃତରେ କିପରି ଚାଲିଛି ତଦାରଖକାରୀମାନେ କହି ପାରିବେ, ମାତ୍ର ଏହା ପଛରେ ଥିବା ଚିନ୍ତନଟି ଆସିଛି ୧୯୮୯ରେ ଅନୁଷ୍ଠିତ ଜାତିସଙ୍ଘ ସଂଗଠିତ ଶିଶୁ ଅଧିକାର ସମ୍ମେଳନରୁ, ଯେଉଁଥିରେ ଶିଶୁଙ୍କୁ ମିଳିଛି ନିଷ୍ପତ୍ତି ଗ୍ରହଣରେ ଭାଗ ନେବାର ଅଧିକାର। ଗଣତନ୍ତ୍ରର ବୀଜ ବପନ ସହ ଏହା ସମାନ ନୁହେଁ କି? ଆମ ସମାଜରେ ମଧ୍ୟ ଏକ କଥା ଅଛି: ବାଲ୍ୟ କାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ … । ଧର୍ମ-ଧନ କିପରି ସଞ୍ଚିବାକୁ ହୁଏ ଯଦି ଶିଶୁଙ୍କୁ ଶିଖାଇବା ସମ୍ଭବ ତେବେ ସମାନତା ଭଳି ମୂଲ୍ୟ ଶିଖାଇବା କାହିଁକି କଷ୍ଟ ହେବ? କିନ୍ତୁ ଜପିଲେ ଘୋଷିଲେ ଏହା କଦାପି ନ ହୁଏ। ଶିଶୁଦଳଟିକୁ ପଚାରିବା ସେମାନଙ୍କ ମଧ୍ୟରେ ଭିନ୍ନତା ଅଛି କି? ତଳ-ଉପର ଭାବନା ଅଛି କି? କି କି ଭିନ୍ନତା ଅଛି? କାହିଁକି ଏପରି ଅଛି? ଯେମିତି ଅଛି ତାହା ଠିକ କି? ଏ ଅସମାନତା ଦୂର ହେବ କିପରି? ଏପରି ଆଳାପରୁ ଉତ୍ତର ଯାହା ମିଳିବ ସେ ସବୁ ତ ସମ୍ବିଧାନ ଧାରା ୧୫, ୧୭, ୧୮ରେ ରହିଛି। ତେଣୁ ଆମେ ସମାନତା ଶିଖାଇବାକୁ ଯାଇ ଶିକ୍ଷାର୍ଥୀଙ୍କୁ ସମାଜରେ ଅସମାନତାର ଚିତ୍ର ଉପଲବ୍ଧି କରାଇଦେବୁ। ସମାନତା ହିଁ ‘ଧର୍ମ’, ଅସମାନତା ‘ଅଧର୍ମ’ । ପ୍ରଶ୍ନ ପଚାରିବାର ସୁଯୋଗ ଦେଇ ଉପଲବ୍ଧି କରିବାର ବାଟ ପରିଷ୍କାର କରିବା। ଶିକ୍ଷକଙ୍କ ପକ୍ଷରେ ନମନୀୟତା ଓ ସମଭାବ ପ୍ରଦର୍ଶନରୁ ଶିକ୍ଷାର୍ଥୀ ମୂଲ୍ୟବୋଧ ଆହରଣ କରିବେ।

ଯେମିତି ସମାନତା ଉପରେ ଆଲୋଚନା ବେଳେ ଅସମାନତାର ଆବିଷ୍କାର ପାଇଁ ଶିକ୍ଷାର୍ଥୀଦଳଙ୍କୁ ଉତ୍ସାହିତ କରାଯିବ ସେହିପରି ପକ୍ଷପାତିତା ନିଷେଧ ଧାରା (୧୫) ପାଠଟି ଆଲୋଚନାବେଳେ ଅତୀତରେ କିପରି କେଉଁମାନେ କେଉଁମାନଙ୍କ ପ୍ରତି ପାତର ଅନ୍ତର କରୁଥିଲେ, କିପରି କରୁଥିଲେ ସେ ରହସ୍ୟ ପେଟିକାର ଉନ୍ମୋଚନ ହେବ ଅନୁସନ୍ଧାନକାରୀ ପ୍ରଶ୍ନ ମାଧ୍ୟମରେ। ସମ୍ବିଧାନ ଏକ ସାମାଜିକ ଚୁକ୍ତିନାମା ଗୋଟିଏ ଆଦର୍ଶ ଦେଶ ନିର୍ମାଣ ଲକ୍ଷ୍ୟରେ। ଏହାର ଧାରାଗୁଡିକ ଭିତରେ ସନ୍ନିହିତ ଅଛି ବିଶ୍ୱସ୍ତରର ନୈତିକ ମାନଦଣ୍ଡ, ଉଚ୍ଚ ମାନବୀୟ ମୂଲ୍ୟବୋଧ, ଯେଉଁ ଗୁଡ଼ିକୁ ଶିକ୍ଷାର୍ଥୀଙ୍କୁ ଉପଲବ୍ଧି କରାଇବା ଉକ୍ତ ପାଠଶାଳାର କାର୍ଯ୍ୟ।

କଠିନ ବିଷୟକୁ ସରଳ, ପ୍ରାଞ୍ଜଳ, ଆକର୍ଷଣୀୟ କରିବା ଲକ୍ଷ୍ୟରେ ସର୍ବଦା ଅଭିଯୋଗ ହେଉଥିବା ମାଧ୍ୟମ ହେଉଛି ଗୀତ, ଗଳ୍ପ, ଅଭିନୟ, ତର୍କ, ପ୍ରଶ୍ନୋତ୍ତର, ଅଡିଓ, ଭିଡିଓ, ପ୍ରଦର୍ଶନୀ ଇତ୍ୟାଦି। ଏ ସମସ୍ତ ମାଧ୍ୟମ ସହିତ ସମ୍ବିଧାନରୁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଆଧାରରେ ଛୋଟ ଛୋଟ ପୁସ୍ତିକା ଓ ଚିତ୍ରକାହାଣୀ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ। ଏକ ସମୟରେ ଓଡ଼ିଶାର ଜଣେ ମୁଖ୍ୟମନ୍ତ୍ରୀଙ୍କ ନି‌େର୍ଦଶରେ ଅନେକ ଭକ୍ତିସଙ୍ଗୀତର କ୍ୟାସେଟ ତିଆରି ହୋଇଥିଲା। ଏମିତି ତ ପ୍ରେମସଙ୍ଗୀତ ଓ ଦେଶଭକ୍ତିର ଗୀତ ହାଟ ବଜାରରେ ମୁଖରିତ। ସମ୍ବିଧାନକୁ ନେଇ ସଙ୍ଗୀତ ତିଆରି କଅଣ ଅସମ୍ଭବ? ଯଦି ଶାସନରେ ଥିବା ଲୋକେ ନ କରନ୍ତି, ମଦ ବିରୋଧରେ ବା ଚେତନା ଜାଗରଣ ନିମନ୍ତେ ଗୀତ ଗାଉଥିବା ସାମାଜିକ କର୍ମୀମାନେ ହେଲେ ସମ୍ବିଧାନ ବିଷୟରେ ଗୀତ ରଚନା କରି ଗାଆନ୍ତୁ। ସମ୍ବିଧାନର ସାରାଂଶକୁ ଜନ ମାନସରେ ଆଦୃତ କରିବା ନିମନ୍ତେ ବଳରାମ ଦାସଙ୍କ ଲଷ୍ମୀ ପୁରାଣ ପରି ଗୀତିକାବ୍ୟ ମଧ୍ୟ ରଚନା କରାଯାଇ ପାରେ। ଇଚ୍ଛା ଥିଲେ କିଛି ଅସମ୍ଭବ ନୁହେଁ। ଆଗ୍ରହୀ ଶିକ୍ଷକ, ଗାୟକ, ଚିତ୍ରକର ଓ କର୍ମୀମାନଙ୍କ ପାଇଁ ସାଧନର ମଧ୍ୟ ଅଭାବ ନାହିଁ। ଦଳିତଙ୍କ ପ୍ରତି ନିର୍ଯାତନା ଉପରେ ଗୌରବ ସୋଲାଙ୍କି ଲିଖିତ ୨୦୧୯ ରେ ନିର୍ମିତ ଚଳଚ୍ଚିତ୍ର ‘ଆର୍ଟିକ୍ଲ ୧୫’ ଅଛି। ଶାମା ଜାଇଦି ଓ ଅତୁଲ ତିୱାରୀ ରଚିତ, ଶ୍ୟାମ ବେନେଗଲ ନି​‌େ​‌ର୍ଦଶିତ ‘ସମ୍ବିଧାନ’ ଧାରାବାହିକରେ ଭାରତର ସମ୍ବିଧାନ ନିର୍ମାଣ କାହାଣୀ ଚିତ୍ରାୟିତ ହୋଇଛି, ଯାହା ୨୦୧୪ ମସିହାରେ ରାଜ୍ୟସଭା ଟିଭି ଦ୍ୱାରା ୧୦ଟି ଉପାଖ୍ୟାନ ରେ ପ୍ରସାରିତ ହୋଇଥିଲା। ଆମକୁ ଜଣା ନ ଥିବା ଆହୁରି କେତେ ସାଧନ ଥିବ, ଆଜିକାଲି ଇଣ୍ଟରନେଟ ଯୁଗରେ କିଛି ଅମିଳ ନୁହେଁ। ମୋ ସଂଗ୍ରହ ଭିତରେ ଦୁଇଟି ପୁସ୍ତକ ଅନ୍ୟତମ: ଆମ୍ବେଦକରଙ୍କ ଜୀବନୀ ଆଧାରିତ ‘ଭୀମାୟନ: ଦ ଷ୍ଟୋରି ଅଫ ଆନ-ଟଚେବିଲିଟି’ ଏବଂ ପ୍ରାକ୍ତନ ମୁଖ୍ୟ ବିଚାରପତି ଲେଇଲା ଶେଠଙ୍କ ପୁସ୍ତିକା ‘ଉଇ ଦ’ ଚିଲଡ୍ରେନ ଅଫ ଇଣ୍ଡିଆ’। ସମ୍ବିଧାନ ପାଠଶାଳା କାର୍ଯ୍ୟକାରୀ କରିବା ବିଭିନ୍ନ ରୂପରେ ହୋଇପାରେ। ଏହା କେନ୍ଦ୍ରଭିତ୍ତିକ ହୋଇପାରେ, ଭ୍ରାମ୍ୟମାଣ ବି ହୋଇପାରେ। ପାଠାଗାର ବା ଗୋଷ୍ଠୀଗୃହରେ ପାଠଚକ୍ର ଭାବେ କିମ୍ବା ଶିକ୍ଷାନୁଷ୍ଠାନରେ ଯେ କୌଣସି ଜାତୀୟ ଦିବସ ଅବସରରେ ଆଲୋଚନା ଆସର ଆୟୋଜନ କରାଯାଇପାରେ। ସ୍କୁଲକଲେଜ ସମ୍ବିଧାନ ଉପରେ ଶିକ୍ଷାଦାନ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଅନେକ ଆଶାବାଦୀ ବିଦ୍ୱାନ ପରାମର୍ଶ ଦିଅନ୍ତି। ମାତ୍ର ସରକାରୀ କଳର ଯାନ୍ତ୍ରିକ ଔପଚାରିକତା, ପରୀକ୍ଷା ଓ ପ୍ରମାଣପତ୍ର ବନ୍ଧନରୁ ମୁକ୍ତ ନ ହେଲେ ‘ସମ୍ବିଧାନ ପାଠଶାଳା’ର ଉପକାର ଶିକ୍ଷାର୍ଥୀଙ୍କୁ ମିଳିବ ନାହିଁ।

ଏବେ ଦେଶ ଏମିତି ଏକ ସଙ୍କଟ-ଛକ ରେ ପହଞ୍ଚିଛି ଯେ ଶାସକମାନେ ସମ୍ବିଧାନକୁ ଖୋଲାଖୋଲି ଅବଜ୍ଞା କରୁଛନ୍ତି, କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଜାତିଭିତ୍ତିକ ସଂରକ୍ଷଣ ନୀତିର ବିରୋଧ କରୁଛନ୍ତି ଏବଂ ଆଉ କେତେକ ଅଜ୍ଞାନ-ବିଦ୍ୱାନ ସମତାଳରେ ପାଳି ପକାଉଛନ୍ତି। ପରିଣତିରେ ପୁଣି ଥରେ ପୁରୁଣା ପିରାମିଡ ତୀଖ ହେବା ଓ ସାମନ୍ତବାଦୀ ବ୍ୟବସ୍ଥା ମୁଣ୍ଡ ଟେକିବା ଆଶଙ୍କା। ଏ ସ୍ରୋତର ଗତିରୋଧ କରିବାକୁ ହେଲେ ଯେଉଁ ସଂଖ୍ୟାଗରିଷ୍ଠ ଲୋକଙ୍କୁ ଏ ଶାସନ ବାଧୁଛି ସେମାନେ ଏକତ୍ର ହୋଇ ସମ୍ବିଧାନ ପଢନ୍ତୁ, ବୁଝନ୍ତୁ ଓ ଅନୁସରଣ କରନ୍ତୁ ।

Comments are closed.