ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନସହଭାଗିତା

ରଘୁନାଥ ବାବୁ

ପ୍ରଖ୍ୟାତ ଇଂରାଜୀ କବି ଉଇଲିୟମ କୁପର ତାଙ୍କର ଏକ ଲୋକପ୍ରିୟ କବିତାରେ ଦର୍ଶାଇଛନ୍ତି ଯେ ଭଗବାନ ଗ୍ରାମ ତିଆରି କଲେ ଓ ମଣିଷ ସହର ଗଢ଼ିଲା। ଏ କଥା ସତ ଯେ ଗ୍ରାମରୁ ସହରମୁହାଁ ହୋଇଛି ମାନବ ସଭ୍ୟତା। ଗ୍ରାମାଞ୍ଚଳର ସ୍ଥିତି ଶାଶ୍ୱତ। ସହର ଉଜୁଡି ଯାଇପାରେ; କିନ୍ତୁ ମାନବ ସଭ୍ୟତା ବଞ୍ଚିଥିବା ଯାଏ ଗ୍ରାମ୍ୟ ସଂରଚନା ରହିଥିବ। ଗ୍ରାମ ହେଉଛି ମାନବ ସଭ୍ୟତାର ଆତ୍ମା। କାଳକ୍ରମେ ଗ୍ରାମମାନଙ୍କରେ ଗ୍ରାମବାସୀଙ୍କ ସୁସଂହତ ସହାବସ୍ଥାନ ପାଇଁ ଗ୍ରାମ୍ୟ ଶାସନ ବ୍ୟବସ୍ଥା ପ୍ରଚଳିତ ହେଲା। ଆଧୁନିକ ପଞ୍ଚାୟତିରାଜ ବ୍ୟବସ୍ଥା ତାହାର ନବକଳେବର ମାତ୍ର।
ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ଏକମାତ୍ର ସ୍ଥାନ, ଯେଉଁଠି ସାଧାରଣ ନାଗରିକ ପ୍ରତ୍ୟକ୍ଷରୂପେ ଭାଗନେଇ ଯୋଜନା ତିଆରି କରିବାଠାରୁ ତାହାର କ୍ରିୟାନ୍ୱୟନରେ ସାମିଲ ହେବାର ସୁଯୋଗ ରହିଛି।

ଏଠାରେ ଲୋକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୋଜନା ଅର୍ଥ ଖର୍ଚ୍ଚ ହୁଏ ଓ ତା’ର ହିସାବ ମଧ୍ୟ ଉପସ୍ଥାପନ ହୁଏ; କିନ୍ତୁ ପରିତାପର ବିଷୟ ସଚେତନତାର ଅଭାବରୁ ହେଉ କି ଜନଅବହେଳାବଶତଃ ହେଉ ପଞ୍ଚାୟତିରାଜ ବ୍ୟବସ୍ଥା କିଛି ଲୋକଙ୍କ ପାଇଁ ଦୁର୍ନୀତିର ଚରାଭୂଇଁ ପାଲଟିଛି। ଅଧିକାଂଶ ସରକାରୀ ଯୋଜନାପାଇଁ ଉଦ୍ଦିଷ୍ଟ ଅର୍ଥରାଶି ଗ୍ରାମ ପଞ୍ଚାୟତ ମାଧ୍ୟମରେ ଖର୍ଚ୍ଚ ହେଉଥିବାରୁ ଏଠାରେ ବାଟମାରଣାର ସୁଯୋଗ ବେଶୀ। ପଞ୍ଚାୟତିରାଜ ବ୍ୟବସ୍ଥାରେ ଭବିଷ୍ୟତରେ ଅନ୍ୟାୟ ଉପାୟରେ ଧନ ଉପାର୍ଜନର ଆଶାଥିବାରୁ ପ୍ରାର୍ଥୀମାନେ ଅଜସ୍ର ଅର୍ଥ ଖର୍ଚ୍ଚକରି ନିର୍ବାଚିତ ହେବାକୁ ଚେଷ୍ଟା କରନ୍ତି। ଜନସାଧାରଣଙ୍କ ଆଖିଆଗରେ ଏସବୁ ବାଟମାରଣା ତଥା ଅନ୍ୟାୟ ଅନୀତି ହେଉ ଥିଲେ ସୁଦ୍ଧା କେହି ପ୍ରତିବାଦ କରନ୍ତି ନାହିଁ। କାରଣ ବାଟମାରଣା କରୁଥିବା ବ୍ୟକ୍ତି ତାଙ୍କ ମଧ୍ୟରୁ ଜଣେ, ପରିଚିତ ବା ସମ୍ବନ୍ଧିତ। ଏଣୁ ସବୁ ଜାଣୁଥିଲେ ମଧ୍ୟ ପ୍ରତିବାଦ କରିବାର ସତ୍‍ସାହସ ଜୁଟାଇପାରନ୍ତି ନାହିଁ ଗ୍ରାମବାସୀ। ଏହି ଦୁର୍ବଳତାର ଭରପୂର ଫାଇଦା ନେଉଛନ୍ତି ଦୁର୍ନୀତିଗ୍ରସ୍ତ ଜନପ୍ରତିନିଧି ଓ ତାଙ୍କ ଚାଟୁକାରମାନେ।

କରୋନା ମହାମାରୀ ଏଥର ସୁଯୋଗ ଦେଇଛି ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ କମ୍‍ ଖର୍ଚ୍ଚରେ ପରିଚାଳନା କରିବାକୁ। ପ୍ରଚାର ପ୍ରସାର, ସଭା ଶୋଭାଯାତ୍ରା, ଭୋଜିଭାତ, ମଦମାଂସର ଆସର ଉପରେ କଟକଣା। ସାମାଜିକ ଗଣମାଧ୍ୟମକୁ ଉପଯୋଗ କରି ଭୋଟଭିକ୍ଷା କରିବାକୁ ପରାମର୍ଶ ଦିଆଯାଇଛିା। ତେଣୁ ପ୍ରାର୍ଥୀମାନେ ଏହି ପରାମର୍ଶର ପ୍ରକୃଷ୍ଟ ଉପଯୋଗ କରିବା ଆବଶ୍ୟକ। ଆଶା କରାଯାଉଛି ଲୋକେ ମଧ୍ୟ ଏଥର ସଚେତନ ହେବେ। କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ନିର୍ଭୟରେ ତଥା ନିଜ ବିବେକାନୁଯାୟୀ ପ୍ରତିନିଧି ବାଛିବେ।

ପଞ୍ଚାୟତିରାଜ ବ୍ୟବସ୍ଥାରେ ପଲ୍ଲିସଭା / ଗ୍ରାମସଭା ହେଉଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯେଉଁଠାରେ ସାଧାରଣ ଭୋଟର ପ୍ରତ୍ୟକ୍ଷରୂପେ ଭାଗନେଇ ନିଜ ଗ୍ରାମର ବା ଅଞ୍ଚଳର ବିକାଶ ସମ୍ବନ୍ଧରେ ଆଲୋଚନା କରିବା ସହ ନିଷ୍ପତ୍ତି ନେଇପାରିବେ। ଏହାକୁ ‘ମିନି ପାର୍ଲିଆମେଣ୍ଟ’ କୁହାଯାଇପାରେ ବା ପ୍ରକୃତପକ୍ଷେ ଏହା ହେଉଛି ସଂସଦର ଅନ୍ତୁଡ଼ିଶାଳ। ଅତୀତରେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କାରଖାନାକୁ ଖଣି ଲିଜ ଦେବା ସଂକ୍ରାନ୍ତ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି ଯେ, ଏଭଳି ପ୍ରସଙ୍ଗରେ ଗ୍ରାମସଭା ହିଁ ଶେଷ ନିଷ୍ପତ୍ତି ନେବ। ଏଣୁ ଗ୍ରାମସଭା / ପଲ୍ଲିସଭାର କ୍ଷମତା କେତେ ତାହା ଆମେ ଜାଣିବା ଆବଶ୍ୟକ। କିନ୍ତୁ ଦେଖାଯାଉଛି ସଚେତନତା ଅଭାବରୁ ପଲ୍ଲିସଭା /ଗ୍ରାମସଭା ସର୍ବୋପରି ପଞ୍ଚାୟତିରାଜ ବ୍ୟବସ୍ଥା ଗ୍ରାମାଞ୍ଚଳ ଜନସାଧାରଣଙ୍କ ଆଶାଆକାଙ୍‌କ୍ଷା ପୂରଣ କରିବାରେ ବିଫଳ ହେଉଛି। ଲୋକେ ଏଭଳି ସଭାରେ ଉପସ୍ଥିତ ରହି ଜନସହଭାଗିତାର ଅଂଶ ହେବାକୁ ଚାହୁଁ ନାହାନ୍ତି। ତେସ୍ତରିତମ ସମ୍ବିଧାନ ସଂଶୋଧନ ଆଇନ ଲାଗୁହେବା ପରେ ପଲ୍ଲିସଭା ସାମ୍ବିଧାନିକ ମାନ୍ୟତା ପାଇଛି ଓ ଏହାର ଗୁରୁତ୍ୱ ବଢ଼ିଛି।

ଏ କଥା ମଧ୍ୟ ସ୍ୱୀକାର କରିବାକୁ ହେବ ଯେ ଉନ୍ନୟନମୂଳକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ପାଇଁ ପଲ୍ଲିସଭା ହିଁ ଉପଯୁକ୍ତ ଅନୁଷ୍ଠାନ। କାରଣ ଯେଉଁମାନଙ୍କ ପାଇଁ ଉନ୍ନୟନମୂଳକ ଯୋଜନାଟି ଉଦ୍ଦିଷ୍ଟ ତାର ରୂପରେଖ / କାର୍ଯ୍ୟକାରିତା ଉପରେ ସେମାନେ ହିଁ ଶ୍ରେଷ୍ଠ ବିଚାରକ। ଉପର ମୁଣ୍ଡରୁ ଯୋଜନାମାନ ଲଦି ଦିଆଗଲେ ତାହାର ଠିକ ବିନିଯୋଗ ହେବନାହିଁ। ପୁନଶ୍ଚ ଗ୍ରାମର ହାନିଲାଭ, ଲୋକଙ୍କ ଆର୍ଥିକ ଅବସ୍ଥା / ଆବଶ୍ୟକତା ଆଦି ବିଷୟରେ ଗ୍ରାମବାସୀ ହିଁ ସର୍ବଶ୍ରେଷ୍ଠ ନିଷ୍ପତ୍ତି ନେଇ ପାରିବେ। ଏସବୁ ଦୃଷ୍ଟିରୁ ପଲ୍ଲିସଭା / ଗ୍ରାମସଭା ଠିକଭାବେ କାର୍ଯ୍ୟକଲେ ସମସ୍ତ ସରକାରୀ ଯୋଜନାର କ୍ରିୟାନ୍ୱୟନ ସଫଳରୂପେ ହୋଇପାରିବ ଓ ଲୋକେ ଉପକୃତ ହେବେ। କିନ୍ତୁ ପଲ୍ଲିସଭା/ଗ୍ରାମସଭାକୁ ଠିକ ରୂପେ ପରିଚାଳିତ କରିବା ପାଇଁ ଆମର ଆନ୍ତରିକତା କେତେ ରହିଛି? ଆମେ ପଞ୍ଚାୟତିରାଜ ସଂସ୍ଥାକୁ କେଉଁ ପ୍ରକାର ପ୍ରତିନିଧିଙ୍କୁ ନିର୍ବାଚିତ କରୁଛୁ?

ସାଧାରଣତଃ ଦେଖାଯାଉଛି, କିଛି ମୁଷ୍ଟିମେୟ ଲୋକ ପଞ୍ଚାୟତିରାଜ ବ୍ୟବସ୍ଥାକୁ କରାୟତ୍ତକରି ରଖିଛନ୍ତି। ତାଙ୍କ ମର୍ଜିରେ ନିଷ୍ପତ୍ତି ନିଆଯାଉଛି। ତାଙ୍କୁ ସୁହାଇଲା ପରି କାର୍ଯ୍ୟଖସଡା ପ୍ରସ୍ତୁତ ହେଉଛି। ସମୂହ ଆବଶ୍ୟକତାକୁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ। ଏହି ତଥାକଥିତ ମୁଷ୍ଟିମେୟ ଗୋଷ୍ଠୀ ହିଁ ଗ୍ରାମାଞ୍ଚଳର ହର୍ତ୍ତାକର୍ତ୍ତା ଭାଗ୍ୟ ବିଧାତା ସାଜିଛନ୍ତି। ତାଙ୍କରି ନି‌େର୍ଦଶରେ ବ୍ଲକ ପ୍ରଶାସନରୁ ପଞ୍ଚାୟତ ପ୍ରଶାସନ ପରିଚାଳିତ ହେବାକୁ ଏକ ପ୍ରକାର ବାଧ୍ୟ। କାରଣ, ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକସଭା ବା ବିଧାନସଭାକୁ ନିର୍ବାଚିତ ହେଉଥିବା ରାଜନେତାମାନଙ୍କର ଭୋଟ ସଂଗ୍ରହକାରୀ/ କର୍ମୀ / ଉପଦେଷ୍ଟା / ସହଯୋଗୀ ସବୁକିଛି। ତାଙ୍କୁ ହାତ ନ କଲେ ରାଜନେତାମାନେ ଗାଁକୁ ପଶିପାରିବେ ନାହିଁ। ଏଣୁ ପଲ୍ଲିସଭାରେ ସେମାନେ ହିଁ ବଡ଼ କୁହାଳିଆ। ସାଧାରଣ ଲୋକର ମତାଧିକାର ସାବ୍ୟସ୍ତ କରିବାର ସୁଯୋଗ ନାହିଁ କହିଲେ ଚଳେ ଅଥବା ଅତ୍ୟନ୍ତ ସୀମିତ। ସେହି ଗୋଷ୍ଠୀ ଆମ୍ବକୁ ନିମ୍ବ କହିଲେ ମଧ୍ୟ ପଲ୍ଲିସଭାରେ ଅନୁମୋଦିତ ହେଉଛି। ଏ ହେଉଛି ଗ୍ରାମାଞ୍ଚଳର ବାସ୍ତବ ସ୍ଥିତି।

ପଞ୍ଚାୟତିରାଜ ଅନୁଷ୍ଠାନକୁ ଉପଯୁକ୍ତ ଲୋକ ନିର୍ବାଚିତ ନ ହେଲେ ତଥା ଏ ସଂସ୍ଥାସବୁ ଯଦି ତାଙ୍କ କାର୍ଯ୍ୟଧାରାରେ ସଂଶୋଧନ ଆଣି ଜନସହଭାଗିତାକୁ ସମ୍ମାନ ନ ଦିଅନ୍ତି, ତେବେ ଲୋକଙ୍କ ଆଶା ଆକାଙ୍‌କ୍ଷା ଧୂଳିସାତ୍‌ ହେବ। ଜନ ଅସନ୍ତୋଷ ବୃଦ୍ଧି ପାଇବ। ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ୱାର୍ଡସଭ୍ୟଠାରୁ ଜିଲାପରିଷଦ ସଭ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବାକୁ ହେବ। ତ୍ୟାଗ, ନିଷ୍ଠା, ପ୍ରତିବଦ୍ଧତା ଏବଂ ସହିଷ୍ଣୁତା ପ୍ରତି ଅନୁରାଗୀ ହେବାକୁ ହେବ। ଅନ୍ୟଥା ଗାନ୍ଧିଜୀଙ୍କ ଗ୍ରାମସ୍ୱରାଜର ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଯିବ। ଜନସହଭାଗିତା ବିନା ପଞ୍ଚାୟତିରାଜ ବ୍ୟବସ୍ଥା ଲକ୍ଷ୍ୟଭ୍ରଷ୍ଟ ହୋଇଯିବ।

Comments are closed.