ଧର୍ମ ଓ ବିକାଶ

ନୀଳମାଧବ ମହାନ୍ତି

ଗତ କିିଛି ବର୍ଷ ହେଲା ଆମ ଦେଶ ଓ ସମାଜର ଚିନ୍ତନ ଏବଂ ଚର୍ଚ୍ଚାରେ ଧର୍ମ ଓ ଧାର୍ମିକତା ଉପରେ ବେଶ୍‌ ପ୍ରାଧାନ୍ୟ ଦିଆଯାଉଛି। ଆଧୁନିକ ଭାରତକୁ ଏକ ଧର୍ମନିରପେକ୍ଷ ଓ ବିକାଶୋନ୍ମୁଖୀ ରାଷ୍ଟ୍ର ଭାବରେ ଅବଧାରଣା କରାଯାଇଥିବାରୁ, ସ୍ବାଧୀନତା ପରେ ‘ଧର୍ମ’କୁ ନାଗରିକଙ୍କର ନିଜସ୍ବ ଭାବନା ଓ ଅଭିବ୍ୟକ୍ତିର ବିଷୟ ବୋଲି ଧରାଯାଉଥିଲା ଏବଂ ପଞ୍ଚବର୍ଷୀୟ ଓ ଅନ୍ୟାନ୍ୟ ଉନ୍ନତିମୂଳକ ଯୋଜନା କାର୍ଯ୍ୟକାରୀ ହେବା ପରିପ୍ରେକ୍ଷୀରେ ବିକାଶ ସହ ସଂଯୋଜିତ ବିଭିନ୍ନ ପ୍ରକଳ୍ପମାନ, ଯଥା- ହୀରାକୁଦ ଓ ଭାକ୍ରା ଭଳି ବହୁମୁଖୀ ଯୋଜନା, ରାଉରକେଲା, ଭିଲାଇ ଓ ଅନ୍ୟାନ୍ୟ ଶିଳ୍ପ ପରିକଳ୍ପନା; ଜାତୀୟ ରାଜପଥ, ଆଇଆଇଟି ଓ ମେନେଜମେଣ୍ଟ ଇନଷ୍ଟିଚ୍ୟୁଟ ସଦୃଶ ଆଧୁନିକ ଶିକ୍ଷା ଅନୁଷ୍ଠାନ ସର୍ବସାଧାରଣଙ୍କ ଦୃଷ୍ଟିକୁ ଆସୁଥିଲା ଓ କଥୋପକଥନର ବିଷୟବସ୍ତୁ ମଧ୍ୟ ଥିଲା।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ପ୍ରକଳ୍ପଗୁଡ଼ିକୁ ଆଧୁନିକ ଭାରତର ‘ମନ୍ଦିର’ ବୋଲି ବର୍ଣ୍ଣନା କରୁଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, କାଶୀ ବିଶ୍ବନାଥ ମନ୍ଦିର ନିକଟ କରିଡର ବିକାଶ, ଉତ୍ତରାଖଣ୍ଡରେ ଚାରିଧାମ ପରିକଳ୍ପନା, ପୁରୀ ଶ୍ରୀମନ୍ଦିରର ବେଢ଼ା ଉନ୍ନୟନ, ଓଡ଼ିଶାରେ ମନ୍ଦିରଗୁଡ଼ିକର ନବୀକରଣ ପାଇଁ ସଙ୍ଗଠିତ ପ୍ରୟାସ ଆଦି ଯୋଜନାଗୁଡ଼ିକର ଉଦ୍‌ଘାଟନ ଉତ୍ସବ ଓ ତତ୍‌ଜନିତ କାର୍ଯ୍ୟକ୍ରମ ଗଣମାଧ୍ୟମରେ ବିସ୍ତୃତ ପ୍ରଚାର ହେବା ଦ୍ବାରା ଲୋକଙ୍କ ନଜର ବର୍ତ୍ତମାନ ପ୍ରକୃତ ‘ମନ୍ଦିର’ ଆଡ଼କୁ ଫେରିଆସୁଥିବା ମନେ ହୁଏ! ଦାର୍ଶନିକ କାର୍ଲ ମାର୍କସଙ୍କର ପ୍ରସିଦ୍ଧବାଣୀ ଯେ ‘ଧର୍ମ ହେଉଛି ସାଧାରଣ ଲୋକଙ୍କ ପାଇଁ ଅଫିମ ସଦୃଶ ମାଦକ’ ଅବଶ୍ୟ ସମ୍ପୂର୍ଣ୍ଣରୂପେ ଗ୍ରହଣୀୟ ନୁହେଁ, ତଥାପି, ପ୍ରଶ୍ନ ହେଉଛି ଯେ ଧର୍ମ (ତଥା ଧର୍ମପରାୟଣତା) ଓ ଆର୍ଥିକ ବିକାଶ ମଧ୍ୟରେ କେଉଁ ପ୍ରକାରର ସମ୍ପର୍କ ରହିଛି।

ଏହି ପ୍ରଶ୍ନଟି ଅପେକ୍ଷାକୃତ ଅନୁନ୍ନତ ଓଡ଼ିଶା ଓ ଏହାର (ଅଧିକାଂଶ) ଗରିବ ଅଧିବାସୀମାନଙ୍କ ପାଇଁ ବିଶେଷ ସଙ୍ଗତ, କାରଣ ଆମ ଲୋକେ ପୂଜାପର୍ବାଣିରେ ବହୁତ ସମୟ ଓ ପରିଶ୍ରମ ବିନିଯୋଗ କରିଥାଆନ୍ତି। ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କ ବଡ଼ମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ, ସମ୍ବଲପୁର ସମଲେଶ୍ବରୀ, କଟକର ଚଣ୍ଡୀମନ୍ଦିର, ଭଦ୍ରକ ନିକଟସ୍ଥ ଆଖଣ୍ଡଳମଣି ଓ ଗଞ୍ଜାମର ତାରାତାରିଣୀ ଭଳି ଅପେକ୍ଷାକୃତ ବଡ଼ବଡ଼ ପୂଜାସ୍ଥଳ ବ୍ୟତୀତ ଓଡ଼ିଶାର ସମସ୍ତ ସହର ଓ ଗ୍ରାମମାନଙ୍କରେ ଭିନ୍ନଭିନ୍ନ ଠାକୁର ଓ ଠାକୁରାଣୀଙ୍କ ପାଇଁ ଛୋଟବଡ଼ ବହୁ ସଂଖ୍ୟକ ମନ୍ଦିର ରହିଛି। ଏହି ସବୁ ସ୍ଥଳୀରେ ପୂଜା କରିବା ସାଙ୍ଗକୁ ଲୋକେ ନିଜ ଘରମାନଙ୍କରେ ମଧ୍ୟ ବ୍ରତ, ହୋମ, ଉପାସନା ଆଦି ଧର୍ମ-ସମ୍ବନ୍ଧୀୟ ବିଧି, ବିଧାନ ଓ କର୍ମକାଣ୍ଡଗୁଡ଼ିକ ଉପରେ ବେଶ୍‌ ସମୟ ସାମର୍ଥ୍ୟ ଓ ଅର୍ଥ ବିନିଯୋଗ କରିଥାଆନ୍ତି। ଏହି ଚିନ୍ତାଧାରା ଓ ତତ୍‌ଜନିତ ବିଧିବିଧାନ ସମ୍ବଳିତ କାର୍ଯ୍ୟକଳାପ ଅର୍ଥନୈତିକ ବିକାଶ ଉପରେ କେଉଁ ପ୍ରକାରର ପ୍ରଭାବ ପକାଏ ବା ପକାଇବାର ସମ୍ଭାବନା ଥାଏ, ଏହା ଆଲୋଚନା କରିବା ଫଳଦାୟକ ହେବ, ଯେହେତୁ ଆର୍ଥିକ ବିକାଶ ଓଡ଼ିଶାବାସୀଙ୍କ ପାଇଁ ଅନ୍ୟ ସବୁ ବିଷୟଠାରୁ ଅଧିକତର ଗୁରୁତ୍ବପୂର୍ଣ୍ଣ ବିଷୟ।

ଧର୍ମ ଓ ବିକାଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ପାରସ୍ପରିକ ଅାନ୍ତଃକ୍ରିୟା ଥିବା ଦେଖାଯାଏ। ଅର୍ଥନୈତିକ ବିକାଶ, ଆଧୁନିକତା, ସହରୀକରଣ ଓ ବୈଜ୍ଞାନିକ ମନୋଭାବର ପ୍ରସାର ସାଧାରଣ ଲୋକଙ୍କ ମନରେ ଧର୍ମର ପ୍ରାଧାନ୍ୟକୁ ହ୍ରାସ କରେ। ୟୁରୋପର ଅନେକ ଦେଶ, ଜାପାନ, ଦକ୍ଷିଣ କୋରିଆ ଆଦି ଉନ୍ନତ ଦେଶମାନଙ୍କରେ ଏହି ପ୍ରକାର କ୍ରମ ବିକାଶ ଦେଖାଯାଇଛି। ଅନ୍ୟ ପଟେ, ଦକ୍ଷିଣ ଆମେରିକା, ଆଫ୍ରିକା ଓ ଏସିଆ ମହାଦେଶର ଅନୁନ୍ନତ ଦେଶଗୁଡ଼ିକରେ ଲୋକେ ଧାର୍ମିକ ବା ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଅନେକ ସମୟ ବିନିଯୋଗ କରିଥାଆନ୍ତି। ଧର୍ମ ଉପଚାର ଓ ତତ୍‌ସମ୍ବନ୍ଧୀୟ କାର୍ଯ୍ୟସମୂହ ବେଶ ସମୟସାପେକ୍ଷ; ତେଣୁ ଯେଉଁ ଲୋକଙ୍କ ପାଇଁ ସମୟ ଏତେ ମୂଲ୍ୟବାନ ନୁହେଁ ସେମାନେ ଧର୍ମ ସମ୍ବନ୍ଧୀୟ ରୀତିନୀତି ଓ ପ୍ରାର୍ଥନା କରିବା ପାଇଁ ବେଶ୍‌ ସମୟ ଦେଇପାରନ୍ତି। ସେଥିପାଇଁ ବୋଧହୁଏ ଦେଖାଯାଏ ଯେ ଗାଁ ଅଞ୍ଚଳ‌େ‌ର ଏବଂ ବୟୋବୃଦ୍ଧ ଓ ନିତିଦିନିଆ କାମରୁ ଅବସର ନେଇଥିବା ବ୍ୟକ୍ତି ତଥା ଚାକିରି ବା ବିଧିବଦ୍ଧ କାମ କରୁନଥିବା ମହିଳାମାନେ ପ୍ରାର୍ଥନା ଓ ଉପାସନାରେ ଅନେକ ସମୟ ଅତିବାହିତ କରନ୍ତି।

ଅପରପକ୍ଷରେ, ବିକାଶ ପ୍ରକ୍ରିୟା ମଧ୍ୟ ଧର୍ମ ଓ ଲୋକଙ୍କ ଧର୍ମପରାୟଣତା ଦ୍ବାରା ପ୍ରବାହିତ ହୁଏ। ଧର୍ମପରାୟଣତାର ଦୁଇଟି ଦିଗ ଅଛି। ପ୍ରଥମଟି ହେଲା ବିଧି ବା ରୀତି ସମ୍ବଳିତ ପୂଜା ଓ ପ୍ରାର୍ଥନା କରିବାର ବିସ୍ତୃତ କ୍ରିୟା ପଦ୍ଧତି (ରିଚୁଆଲ)। ଏଥିରେ ଧର୍ମପୀଠ ଯିବା ଓ ଗଙ୍ଗା ବା ସଙ୍ଗମରେ ବୁଡ଼ ଦେବା ଆଦି ମଧ୍ୟ ଅନ୍ତର୍ଭୁକ୍ତ। ଦ୍ବିତୀୟଟି ହେଉଛି, ଈଶ୍ବର ବିଶ୍ବାସ ବା ଆସ୍ଥା ସହ ଜଡ଼ିତ ବିଭିନ୍ନ ନୈତିକ ଗୁଣ ବା ମୂଲ୍ୟବୋଧଗୁଡ଼ିକ ନିଜ ଜୀବନରେ ଅନୁସରଣ ବା ଅବଲମ୍ବନ କରିବା। ସେହି ଗୁଣଗୁଡ଼ିକ ହେଲା: କର୍ତ୍ତବ୍ୟନିଷ୍ଠା ତଥା ନୈତିକତା, କଠିନ ପରିଶ୍ରମ, ସଚ୍ଚୋଟତା, ସତ୍ୟବାଦିତା, ମିତବ୍ୟୟିତା ଓ ପରସ୍ପରକୁ ସାହାଯ୍ୟ କରିବାର ପ୍ରବୃତ୍ତି।

ନିିତିଦିନିଆ ଜୀବନରେ ଦେଖାଯାଏ ଯେ ଅନେକ ଲୋକ ପୂଜା ଓ ପ୍ରାର୍ଥନାର ରୀତିନୀତିକୁ କଠୋର ଭାବରେ ପାଳନ କରନ୍ତି, ମାତ୍ର ବ୍ୟକ୍ତିଗତ ଜୀବନରେ ନିଜର କର୍ତ୍ତବ୍ୟରେ ହେଳାକରି ବା ଦୁର୍ନୀତିଗ୍ରସ୍ତ ଅଥବା କଳାବଜାରି ହୋଇ ଧର୍ମର ମୂଲ୍ୟବୋଧଗୁଡ଼ିକୁ ଅବମାନନା କରନ୍ତି। ଏମିତିକି ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କ ଉପରେ ଆସ୍ଥା ରଖିଥିଲେ ମଧ୍ୟ ବିଭିନ୍ନ ବିଧି ସମ୍ବଳିତ ଧାର୍ମିକ କ୍ରିୟା ବା ପଦ୍ଧତିଠାରୁ ଦୂରରେ ରହନ୍ତି; ମାତ୍ର ନୈତିକ ଗୁଣଗୁଡ଼ିକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି।

ଜର୍ମାନ ଦାର୍ଶନିକ ମେକ୍ସ ୱେବର (୧୮୬୫-୧୯୨୦) ତାଙ୍କର ପ୍ରସିଦ୍ଧ ‘ପ୍ରୋଟେଷ୍ଟାଣ୍ଟ ଏଥିକ’ ଚିନ୍ତାକଳ୍ପକୁ ଆଲୋଚନା କରି ମତ ଦେଇଥିଲେ ଯେ ଧର୍ମପରାୟଣତା ଏହି ନୈତିକ ଗୁଣଗୁଡ଼ିକ ଉତ୍ସାହିତ କରି ଲୋକଙ୍କର ଉତ୍ପାଦକ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି କରେ ଏବଂ ଏହାଦ୍ବାରା ପାଶ୍ଚାତ୍ୟ ଦେଶଗୁଡ଼ିକରେ ପୁଞ୍ଜିବାଦ ଓ ଅର୍ଥନୀତିର ବିକାଶ ହୋଇ ପାରିଥିଲା।

ହାରଭାର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଦ୍ବୟ (ରାକେଲ ମେକ୍‌ଲେରି ଓ ରବର୍ଟ ବାରୋ) ବିଶ୍ବର ମୁଖ୍ୟ ଧର୍ମଗୁଡ଼ିକର ଅନୁଗାମୀମାନଙ୍କର ଧର୍ମ-ସମ୍ବନ୍ଧୀୟ କାର୍ଯ୍ୟକଳାପ ପରୀକ୍ଷାସିଦ୍ଧ ଭାବରେ ଗବେଷଣା କରିଛନ୍ତି। ସେମାନଙ୍କ ଯୁକ୍ତିଯୁକ୍ତ ସିଦ୍ଧାନ୍ତ ହେଲା ଯେ ଯେଉଁ ସମାଜର ଲୋକେ ରୀତି ବା ବିଧି ସମ୍ବଳିତ ପୂଜା ଓ ପ୍ରାର୍ଥନାରେ ବେଶ୍‌ ସମୟ ଅତିବାହିତ କରନ୍ତି, ସେଠାରେ ଆର୍ଥିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଦେଖାଯାଏ। କାରଣ, ଲୋକମାନେ ତାଙ୍କର ବହୁମୂଲ୍ୟ ସମୟ, ସାମର୍ଥ୍ୟ ଓ ସମ୍ପଦ ଅପେକ୍ଷାକୃତ ଅଫଳପ୍ରଦ କାର୍ଯ୍ୟରେ ବିନିଯୋଗ କରିବା ଦ୍ବାରା ଘରୋଇ ଉତ୍ପାଦନ ସଙ୍କୁଚିତ ହୋଇଥାଏ। ଅପରପକ୍ଷରେ ଯଦି ମନ୍ଦିର ବା ଚର୍ଚ୍ଚରେ ଅଳ୍ପ ସମୟ ଦେଇ, ନାଗରିକମାନେ ଧର୍ମ ସମ୍ବନ୍ଧୀୟ ନୈତିକ ଗୁଣ ବା ମୂଲ୍ୟବୋଧଗୁଡ଼ିକୁ ନିଜ ଜୀବନରେ ଆନ୍ତରିକତା ସହ ପାଳନ କରନ୍ତି, ତାହାହେଲେ ତାଙ୍କର ଉତ୍ପାଦିକା ଶକ୍ତି ବଢ଼ିବା ସାଙ୍ଗକୁ ଆର୍ଥିକ ବିକାଶ ହାସଲ କରିବା ସମ୍ଭବ ହୋଇଥାଏ। ସ୍କାଣ୍ଡିନେଭିଆ, ବ୍ରିଟେନ, ଜାପାନ ସଦୃଶ ସମୃଦ୍ଧଶାଳୀ ଦେଶଗୁଡ଼ିକରେ ଲୋକେ ନୈତିକ ମୂଲ୍ୟବୋଧଗୁଡ଼ିକ ଉପରେ ବେଶ୍‌ ଜୋର ଦିଅନ୍ତି, ଯଦିଓ ଏହି ଦେଶଗୁଡ଼ିକୁ ଧର୍ମପରାୟଣ ବୋଲି ଧରାଯାଏ ନାହିଁ।

ଅପରପକ୍ଷରେ, ଦକ୍ଷିଣ ଆମେରିକାର ଦେଶ ସମୂହ ଓ ଭାରତର ଲୋକେ ନିୟମିତ ଭାବରେ ଚର୍ଚ୍ଚ ବା ମନ୍ଦିରକୁ ଯିବା ସାଙ୍ଗକୁ ବିଧି ସମ୍ବଳିତ ଧାର୍ମିକ କ୍ରିୟା ପଦ୍ଧତିରେ ବେଶ୍‌ ସମୟ ଅତିବାହିତ କରନ୍ତି, ମାତ୍ର ସେହି ଦେଶଗୁଡ଼ିକରେ ନୈତିକ ମୂଲ୍ୟବୋଧଗୁଡ଼ିକ ଉପରେ ବିଶେଷ ଗୁରୁତ୍ବ ଦିଆଯାଏ ନାହିଁ। ଏହି ପ୍ରକାର ମନୋଭାବ ଓ ଆଚରଣ ଓଡ଼ିଶାରେ ପୂର୍ଣ୍ଣ ମାତ୍ରାରେ ଦେଖାଯାଏ। ଏହା ଯେ ଆର୍ଥିକ ବିକାଶ ପାଇଁ ପ୍ରତିବନ୍ଧକ, ଏଥିରେ ସନ୍ଦେହ ନାହିଁ। ଅନେକ ସମୟରେ ଶାସନରେ ଥିବା ବ୍ୟକ୍ତିମାନେ ମଧ୍ୟ ଶସ୍ତା ଲୋକପ୍ରିୟତା ପାଇଁ ହେଉ ବା ନିତିଦିନିଆ ସମସ୍ୟା (କୁଶାସନ, ବେକାରୀ, ଦରଦାମ ବୃଦ୍ଧି) ଗୁଡ଼ିକରୁ ଲୋକଙ୍କ ଦୃଷ୍ଟି ବିଚଳିତ କରିବାପାଇଁ ହେଉ, (ଆମର ଧର୍ମନିରପେକ୍ଷ ରାଷ୍ଟ୍ରରେ!) ମନ୍ଦିର ନିର୍ମାଣ, ନବୀକରଣ ଆଦି ଯୋଜନାମାନ ଆଡ଼ମ୍ବରପୂର୍ଣ୍ଣ ଭାବରେ ଉଦ୍‌ଘାଟନ କରି ସାଧାରଣ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥାଆନ୍ତି।

ଆମ ଆଲୋଚନାରୁ ଏହା ସ୍ପଷ୍ଟ ଯେ ଧର୍ମଜନିତ ବା ଉପାସନାର ବିଧି, ବିଧାନ ଓ କ୍ରିୟା ପଦ୍ଧତି ଅର୍ଥାତ୍‌ ‘ରିଚୁଆଲ’ଗୁଡ଼ିକ ଉପରେ ବିଶେଷ ଗୁରୁତ୍ବ ବା ସମୟ ଦେବା ସମାଜ ପାଇଁ ଫଳପ୍ରଦ ନୁହେଁ; ବରଂ ସାଧାରଣ ଲୋକଙ୍କର ଧର୍ମପରାୟଣତାର ଆଗ୍ରହ ଓ କାର୍ଯ୍ୟକ୍ରମ କର୍ତ୍ତବ୍ୟନିଷ୍ଠା ତଥା ଅନ୍ୟାନ୍ୟ ମୂଲ୍ୟବୋଧଗୁଡ଼ିକ ଉପରେ କେନ୍ଦ୍ରିଭୂତ ହେବା ବାଞ୍ଛନୀୟ। ଭାରତୀୟ ସଂସ୍କୃତିରେ ନାଗରିକମାନଙ୍କ ପାଇଁ ଜୀବନର ଚାରିଟି ପର୍ଯ୍ୟାୟରୁ ଶେଷ ପର୍ଯ୍ୟାୟ (ସନ୍ନ୍ୟାସ)ରେ ହିଁ ଧାର୍ମିକ କାର୍ଯ୍ୟକଳାପ କରିବାକୁ ନିର୍ଦ୍ଧାରଣ କରାଯାଇଛି। ତା’ ଛଡ଼ା ଭଗବଦ୍‌ ଗୀତାରେ ବ୍ରହ୍ମ ବା ଭଗବାନଙ୍କ ଉପରେ ଆସ୍ଥା ରଖିବା ସାଙ୍ଗକୁ କର୍ମମାର୍ଗ ଉପରେ ଗୁରୁତ୍ବ ଦିଆଯାଇଛି। ଏହାର ଅର୍ଥହେଲା ଯେ ଧର୍ମ ସମ୍ବନ୍ଧୀୟ ରୀତିନୀତି ବା ପ୍ରଥାପରମ୍ପରାକୁ ଜୀବନର ଶେଷ ସମୟ ପାଇଁ ଘୁଞ୍ଚାଇ ଦେଇ ଜଣେ ବ୍ୟକ୍ତି ତାହାର ଫଳପ୍ରସୂ ବର୍ଷଗୁଡ଼ିକରେ ନିଜର ବୃତ୍ତିଗତ କର୍ମରେ ମନୋନିବେଶ କରିବା ଆବଶ୍ୟକ। ଏହା ହେଉଛି ସମାଜର ଅକ୍ଷୁଣ୍ଣତା ରକ୍ଷା କରିବାପାଇଁ ନାଗରିକଙ୍କର ପ୍ରୟୋଜନୀୟ ‘ଧର୍ମ’। ଏହା ଦେଶର ଅର୍ଥନୈତିକ ବିକାଶ ପାଇଁ ମଧ୍ୟ ସହାୟକ ହେବ।

Comments are closed.