ନିୟମ, ନୈତିକତା ଓ ନେତୃତ୍ବ

ଅରବିନ୍ଦ ବେହେରା

ବୋରିସ ଜନ୍‍ସନ୍‍ ହେଉଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଏବଂ ନୋଭାକ ଜୋକୋଭିଚ୍‍ ବିଶ୍ୱର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ପ୍ରଖ୍ୟାତ ଟେନିସ୍‍ ଖେଳାଳୀ। ଏହି ଦୁଇଜଣ ପ୍ରଖ୍ୟାତ ବ୍ୟକ୍ତିଗତ ଜାନୁଆରୀ ୧୨ ତାରିଖ ଦିନ ସେମାନଙ୍କ ଭୁଲ୍‍ ସ୍ୱୀକାର କରି ସେଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଜନସନ୍‍ ଲଣ୍ଡନର ବ୍ରିଟିଶ ସଂସଦରେ କ୍ଷମା ପ୍ରାର୍ଥନା କରିଛନ୍ତି। ଜୋକୋଭିଚ୍‍ କାହାରିକୁ କ୍ଷମା ମାଗି ନଥିଲେ ମଧ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ନରଖି କିଛି ଭୁଲ୍‍ କରିଛନ୍ତି ବୋଲି ଅତ୍ୟନ୍ତ ନମ୍ର ଭାବରେ ସର୍ବସାଧାରଣଙ୍କ ଅବଗତି ପାଇଁ ବକ୍ତବ୍ୟଟିଏ ଦେଇଛନ୍ତି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠାରେ। କେଉଁ ପରିସ୍ଥିତିରେ ଏହି ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡିଲା, ତାହାର ବିଭିନ୍ନ ଦିଗକୁ ଆଲୋଚନା କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ।

ଜନ୍‍ସନ୍‍ ୨୦୧୯ରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ବହୁମତରେ ନିର୍ବାଚିତ ହୋଇଥିଲେ। ଇଉରୋପୀୟ ସଂଘରୁ ବ୍ରିଟେନକୁ ପୃଥକ୍‍ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଥିଲା ତାଙ୍କର ମୁଖ୍ୟ ପ୍ରତିଶ୍ରୁତି। ୨୦୨୦ ଆରମ୍ଭ ବେଳକୁ କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱର ଅନ୍ୟ ରାଷ୍ଟ୍ର ପରି ବ୍ରିଟେନ ମଧ୍ୟ ପ୍ରଭାବିତ ହେଲା। ପ୍ରକୃତରେ ସବୁଠାରୁ ବେଶୀ କ୍ଷତିଗସ୍ତ ରାଷ୍ଟ୍ରଙ୍କ ତାଲିକାରେ ବ୍ରିଟେନ ସ୍ଥାନ ପାଇଲା। ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ତାଲା ବନ୍ଦ କରାଗଲା। ଏହାଦ୍ୱାରା ଅର୍ଥନୀତି ବ୍ୟାପକ ଭାବରେ କ୍ଷତିଗସ୍ତ ହେବା ସହ ଚଳପ୍ରଚଳ ଉପରେ କଟକଣା ଲାଗିବାରୁ ବ୍ୟକ୍ତି ସ୍ୱାଧୀନତା ମଧ୍ୟ ସଂକୁଚିତ ହେଲା। ପ୍ରାୟ ଦେଢ ବର୍ଷର ବ୍ୟବଧାନ ପରେ ଏହି ଅଳ୍ପ କେତେଦିନ ତଳେ ଜଣା ପଡିଲା ଯେ ୨୦୨୦ ମଇ ୨୦ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ବାସଗୃହ ସଂଲଗ୍ନ ଡାଉନିଂ ଷ୍ଟ୍ରିଟ୍‍ ବଗିଚାରେ ପ୍ରାୟ ୪୦ ଜଣ କର୍ମଚାରୀଙ୍କର ଏକ ଭୋଜି ହୋଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ଜନସନ୍‍ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ଯୋଗ ଦେଇଥିବା ବ୍ୟକ୍ତିମାନେ ନିଜର ପାନୀୟ ନିଜ ସହ ଆଣିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ଘଟଣା ସଂପର୍କରେ ଗଣମାଧ୍ୟମଗୁଡିକ ପ୍ରକାଶ କରିବା ପରେ ତାଙ୍କୁ ଶାଣିତ ସମାଲୋଚନାର ଶରବ୍ୟ ହେବାକୁ ପଡିଛି। କେବଳ ବିରୋଧୀ ଶ୍ରମିକ ଦଳ ନୁହେଁ, ଶାସକ ଜାଠ ଦଳର ସଦସ୍ୟ ମଧ୍ୟ ଏହି ସମାଲୋଚନାରେ ଯୋଗ ଦେଇଛନ୍ତି। ବିରୋଧୀ ଦଳ ନେତାଙ୍କର ବକ୍ତବ୍ୟ ଥିଲା ‘ମାସ ମାସ ଧରି ମିଥ୍ୟା ଓ ପ୍ରବଂଚନା ପରେ ଜଣେ ଦୟନୀୟ ବ୍ୟକ୍ତିର ଦୃଶ୍ୟ ଦେଖିବାକୁ ମିଳିଛି, ଯାହାପାଇଁ ଆଉ କିଛି ରାସ୍ତା ନାହିଁ। ଭୋଜିରେ ଯୋଗ ଦେଉଛନ୍ତି ବୋଲି ସେ ଉପଲବ୍ଧି କରି ପାରି ନଥିଲେ ବୋଲି ଯେଉଁ ସଫେଇ ଦେଇଛନ୍ତି ତାହା ଏତେ ହାସ୍ୟାସ୍ପଦ ଯେ ପ୍ରକୃତରେ ବ୍ରିଟିଶ ଜନତାଙ୍କ ପାଇଁ ଏହା ଏକ ଅପମାନ’।

ବ୍ରିଟିଶ ସଦନରେ ପ୍ରଧାନମନ୍ତ୍ରୀ ଜନସନ୍‍ଙ୍କୁ ସ୍ୱୀକାର କରିବାକୁ ପଡିଲା ଯେ ୨୦୨୦ ମଇ ୨୦ ତାରିଖରେ ସେ ୧୦ ଡାଉନିଂ ଷ୍ଟ୍ରିଟ୍‍ର ବଗିଚାରେ ନିଜ କର୍ମଚାରୀଙ୍କର ଏକ ଭୋଜିରେ ସେ କିଛି ସମୟ ପାଇଁ ଯୋଗ ଦେଇଥିଲେ, ଯେତେବେଳେ ସାରା ଦେଶରେ କୋଭିଡ-୧୯ର ନିୟମ ଲାଗୁଥିଲା ଏବଂ ସାମାଜିକ ମିଳାମିଶା ଉପରେ କଟକଣା ଜାରି ହୋଇଥିଲା। ଇସ୍ତଫା ଦେବା ପାଇଁ ପ୍ରବଳ ଦାବୀ ହେବା ପରେ ଜନସନ୍‍ କ୍ଷମାପ୍ରାର୍ଥନା ସହ ଯେଉଁ ବକ୍ତବ୍ୟ ଦେଇଥିଲେ ତାହାଥିଲା “ସେଦିନ ଠିକ୍‍ ୬ଟା ପରେ ମୁଁ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ପାଇଁ ମାତ୍ର ୨୫ ମିନିଟ୍‍ ପାଇଁ ସେମାନଙ୍କ ସହ ଥିଲି ଏବଂ ତା’ ପରେ ପୁଣି ଅଫିସ୍‍କୁ ଆସି ଅଫିସ୍‍ କାର୍ଯ୍ୟ ଚାଲୁ ରଖିଲି। ପଛକୁ ଚାହିଁ ଦେଖିଲେ ମୁଁ ଉପଲବ୍ଧି କରୁଛି ଯେ ମୋର ସେ ସମାବେଶକୁ ଯିବା ଉଚିତ ନ ଥିଲା।”

ଏଥର ଆସିବା ଜୋକୋଭିଚ୍‍ଙ୍କ ନିକଟକୁ। ୯ ଥର ଅଷ୍ଟ୍ରେଲିଆ ଓପନ୍‍ ଚମ୍ପିଆନ ହୋଇଥିବା ଏବଂ ୨୧ତମ ଗ୍ରାଣ୍ଡସ୍ଳାମ ବିଜୟ ପାଇଁ ଆଶାୟୀ ଥିବା ଏହି ତାରକା ଟେନିସ୍‍ ଖେଳାଳୀ ମେଲବୋର୍ଣ୍ଣରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ କିଛି ଦିନ ପୂର୍ବରୁ ସେହି ସହରରେ ପହଞ୍ଚିବା ସଂଗେ ସଂଗେ ସେ କୋଭିଡ ଟିକା ନେଇ ନଥିବାରୁ ତାଙ୍କୁ ଅଟକ ରଖାଗଲା। ଟୁର୍ଣ୍ଣାମେଣ୍ଟ ଆୟୋଜକଙ୍କଠାରୁ ସେ ଟିକା ସଂପର୍କରେ ରିଆତି ପାଇଛନ୍ତି ବୋଲି ସଫେଇ ଦେଲେ ମଧ୍ୟ ସୀମା ଦାୟିତ୍ୱରେ ଥିବା କର୍ମଚାରୀମାନେ ତାହା ଗ୍ରହଣ କରି ନଥିଲେ। ଜାନୁଆରୀ ୧୬ରେ ଅଦାଲତ ଅଷ୍ଟ୍ରେଲିଆ ସରକାର ଜୋକୋଭିଚ୍‌ଙ୍କ ଭିସା ରଦ୍ଦ କରିଥିବା ନିଷ୍ପତ୍ତିକୁ କାଏମ୍‌ ରଖିବାପରେ ତାଙ୍କୁ ଫେରିଯିବାକୁ ପଡ଼ିଥିଲା। ୩୪ ବର୍ଷ ବୟସ୍କ ଖେଳାଳୀଙ୍କ ଅଷ୍ଟ୍ରେଲିଆ ଗସ୍ତ ପୂର୍ବ ଘଟଣା ସଂପର୍କରେ କିଛି ବିବଦମାନ ତଥ୍ୟ ପ୍ରକାଶିିତ ହୋଇଛି। ମୋଟ ଉପରେ ଯାହା ଜଣାପଡିଛି ତାହା ହେଲା କୋଭିଡ ଟିକାକରଣ ଉପରେ ଜୋକୋଭିଚ୍‍ଙ୍କର ଅବିଶ୍ୱାସ। ଟିକା ନ ନେବା ପାଇଁ ପି.ସି.ଆର. ପରୀକ୍ଷା କରାଇ କୋଭିଡ ପଜିଟିଭ ପ୍ରମାଣପତ୍ରଟିଏ ସେ ହାସଲ କରିଥିଲେ। ଏହା ପ୍ରକୃତରେ ‘ନେଗେଟିଭ୍‌’ ରହିଥିବା ଗଣମାଧ୍ୟମ ଖୋଳତାଡ଼ରୁ ଜଣାପଡ଼ିଛି। ସେହିପରି ବିମାନ ଯାତ୍ରା ସଂପର୍କୀୟ କାଗଜପତ୍ରରେ ସେ ପୂର୍ବ ୧୪ ଦିନ କେଉଁଠାକୁ ଯାତ୍ରା କରିନାହାନ୍ତି ବୋଲି ଯେଉଁ ସୂଚନା ଦେଇଥିଲେ, ଯାହା ଭୁଲ୍‍ ବୋଲି ସେ ସ୍ୱୀକାର କରିଛନ୍ତି। ଜୋକୋଭିଚ ତାଙ୍କ ନିଜ ଦେଶରେ ମଧ୍ୟ ବିନା ମାସ୍କରେ ବୁଲୁଥିବା ଅଭିଯୋଗ ହୋଇଛି। ଶେଷରେ ଏସବୁ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରି ସେ କହିଛନ୍ତି, “ବିଶ୍ୱ ମହାମାରୀ ଚାଲିଥିବାବେଳେ ଆମେ ଏକ ବିଷମ ସମୟ ଦେଇ ଗତି କରୁଛୁ ଏବଂ ବେଳେବେଳେ ଏପରି ତ୍ରୁଟି ହୋଇଥାଏ। ମୋର ସହାୟକମାନେ ଅନିଚ୍ଛାକୃତ ଭାବରେ ଯେଉଁ ତ୍ରୁଟି କରିଛନ୍ତି ସେଥିପାଇଁ ମୁଁ ଦୁଃଖିତ।”

ଉପରୋକ୍ତ କାରଣରୁ ଇସ୍ତଫା ଦେବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ବଢୁଥିବା ବେଳେ ଅଷ୍ଟ୍ରେଲିଆର ଅଧିକାଂଶ ଲୋକ ତାଙ୍କ ସରକାରଙ୍କର ଜୋକୋଭିଚ୍‍ଙ୍କ ଭିସା ଅଗ୍ରାହ୍ୟ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଟେନିସ୍‍ ତାରକାଙ୍କ କ୍ଷେତ୍ରରେ ବିବାଦଟି ବିଶ୍ୱବ୍ୟାପୀ ହୋଇପଡିଛି। ନିଜ ଦେଶ ସର୍ବିଆରେ ତାଙ୍କ ସପକ୍ଷରେ ଜନମତ ପ୍ରକାଶ ପାଇଥିବାବେଳେ ତାଙ୍କର ଅଗଣିତ ପ୍ରଶଂସକ ଅଷ୍ଟ୍ରେଲିଆ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିନାହାନ୍ତି।
ସାଧାରଣ ଜୀବନରେ ଯେଉଁମାନେ ଉଚ୍ଚ ସ୍ଥାନରେ ଥାଆନ୍ତିି ସେମାନେ ମଧ୍ୟ ଆଇନ୍‍ର ଊର୍ଦ୍ଧ୍ବରେ ନୁହନ୍ତି ଏହାହିଁ ହେଉଛି ଉଦାରବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥାର ବିଶେଷ ଲକ୍ଷଣ। ସେମାନଙ୍କ ଆଚରଣର ପ୍ରଭାବ ପଡିଥାଏ ଅସଂଖ୍ୟ ଲୋକଙ୍କ ଉପରେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ ଏହା ଭଲ ଭାବରେ ଜାଣିଥିଲେ ମଧ୍ୟ କାର୍ଯ୍ୟରେ ଏହି ନୀତିର ଉଲ୍ଲଙ୍ଘନ କରିବା ଦୋଷରେ ଦୋଷୀ। ସେ କୋଭିଡ ନିୟମକୁ ବାରମ୍ବାର ଅମାନ୍ୟ କରିଥିବା ବିଷୟରେ ମିଳିଥିବା ଅତିରିକ୍ତ ତଥ୍ୟ ତାଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଛି। ଯେଉଁଦିନ ତାଙ୍କ ବଗିଚାରେ ଭୋଜି ହୋଇଥିଲା ତା ପର ଦିନ ଥିଲା ବ୍ରିଟେନ ରାଣୀଙ୍କର ଦିବଂଗତ ସ୍ୱାମୀ ପ୍ରିନ୍‍ସ୍‍ ଫିଲିପ୍‍ଙ୍କର ଅ‌େ‌ନ୍ତ୍ୟଷ୍ଟି କ୍ରିୟା। ବୋଧହୁଏ ଏହି କାରଣରୁ ପାର୍ଲାମେଣ୍ଟରେ କ୍ଷମାପ୍ରାର୍ଥନା କରିବା ସହିତ ଜନସନ ରାଣୀଙ୍କୁ ମଧ୍ୟ କ୍ଷମାପ୍ରାର୍ଥନା କରିଛନ୍ତି। ଏସବୁ କ୍ଷମା ଯାଚନା ତାଙ୍କ ପଦର ସୁରକ୍ଷା ପାଇଁ ଯଥେଷ୍ଟ ହେବ କି ନାହିଁ ତାହା ସମୟ କହିବ।

ବିଭିନ୍ନ ସମୟରେ ଅଡୁଆ ପରିସ୍ଥିତିରେ ପଡିଥିବା ରାଷ୍ଟ୍ରନେତା ଓ ବିଖ୍ୟାତ ବ୍ୟକ୍ତିମାନେ କ୍ଷମା ପ୍ରାର୍ଥନା କରିବାର ଅନେକ ଉଦାହରଣ ଇତିହାସରେ ରହିଛି। ଏଠାରେ ଦୁଇଟି ମାତ୍ର ଉଦାହରଣ ଦିଆଯାଇପାରେ। ମୋନିକା ଲେୱିନ୍‍ସ୍କି ବ୍ୟାପାରରେ ଆମେରିକାର ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କୁ କ୍ଷମାପ୍ରାର୍ଥନା କରିବାକୁ ପଡିଥିଲା। ଲାଞ୍ଛିତ ହୋଇଥିଲେ ମଧ୍ୟ କ୍ଷମା ପ୍ରାର୍ଥନା ଦ୍ୱାରା ସେ ନିଜ ପଦର ସୁରକ୍ଷା କରିପାରିଥିଲେ ଏବଂ ଜଣେ ସଫଳ ଶାସକ ଭାବରେ ତାଙ୍କ କାର୍ଯ୍ୟକାଳ ଶେଷ କରିଥିଲେ। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଲ୍ୟାରି ସମର୍ସ ଏକ ବିବଦମାନ ବକ୍ତବ୍ୟ ଦେଇଥିଲେ ଯେ ବିଜ୍ଞାନ ଓ ଇଂଜିନିୟରିଂ କ୍ଷେତ୍ରରେ ମହିଳାମାନଙ୍କ ସଂଖ୍ୟା ଅଳ୍ପ ହେବାର କାରଣ ହେଉଛି ମହିଳାଙ୍କର ଏସବୁ ବିଷୟ ପାଇଁ ଅନ୍ତର୍ନିହିତ ଆଗ୍ରହର ଅଭାବ। ଏଥିପାଇଁ ତାଙ୍କୁ କଠୋର ସମାଲୋଚନା କରାଯିବାରୁ ସେ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଶେଷରେ ତାଙ୍କୁ ଇସ୍ତଫା ଦେବାକୁ ମଧ୍ୟ ପଡିଥିଲା।

ଜର୍ମାନୀର ଚାନ୍‍ସେଲର ୱିଲି ବ୍ରାଣ୍ଟ ତିନି ଦଶନ୍ଧି ପରେ ପୋଲାଣ୍ଡର ଇହୁଦିଙ୍କ ଉପରେ ହୋଇଥିବା ଅତ୍ୟାଚାର ପାଇଁ କ୍ଷମା ପ୍ରାର୍ଥନା କରିବା, ଆମେରିକାର ରବର୍ଟ ମାକ୍‍ନାମାରା ଭିଏତନାମ ଯୁଦ୍ଧ ପାଇଁ କ୍ଷମା ପ୍ରାର୍ଥନା କରିବା, ଇଂଲଣ୍ଡ- କ୍ୟାଂଟରବରୀର ଆର୍କ ବିଶପ ଜାଲିଆନାୱାଲାବାଗଠାରେ ଆଣ୍ଠୁମାଡି କ୍ଷମା ପ୍ରାର୍ଥନା କରିବା – ଏସବୁ ହେଉଛି କ୍ଷମା ପ୍ରାର୍ଥନା କରିବା ଦ୍ୱାରା ଇତିହାସର ଏକଏକ କଳା ପରିଚ୍ଛେଦକୁ ଭୁଲି ଯାଇ ସଂପୃକ୍ତ ସ୍ଥାନର ଅଧିବାସୀଙ୍କ ସହିତ ସଂପର୍କର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିବା ଦିଗରେ ଉଦ୍ୟମର ଉଦାହରଣ।

ଗଣତାନ୍ତ୍ରିକ ବ୍ୟବସ୍ଥାର ଆଇନ୍‍ର ଶାସନ ହେଉ ବା ନୈତିକ ସ୍ଖଳନ ପାଇଁ କ୍ଷମା ପ୍ରାର୍ଥନାର ସଂସ୍କୃତି ହେଉ, ପୃଥିବୀର ଅନ୍ୟ କେତୋଟି ସଭ୍ୟତାରେ ଯେତେ ଦେଖିବାକୁ ମିଳେ ତାହା ଆମ ଦେଶରେ ଖୁବ୍‍ କମ୍‍ ଦେଖିବାକୁ ମିଳେ। ମନେହୁଏ ଏଠାରେ ଯାହା ବେଶୀ ଦେଖିବାକୁ ମିଳେ ତାହା ହେଉଛି ଆଇନ ପ୍ରଣୟନ କରୁଥିବା ଶାସକ ବର୍ଗଙ୍କର ଆଇନ୍‍ର ଊର୍ଦ୍ଧ୍ବରେ ରହିବାର ମାନସିକତା ଓ ନିଜ ତ୍ରୁଟିକୁ ସ୍ୱୀକାର ନ କରି ଅନ୍ୟ ଉପରେ ଦୋଷ ଦେବାର ସଂସ୍କୃତି। ଏଥିରେ ପରିବର୍ତ୍ତନ ହେଲେ ଯାଇ ଆମେ ନିଜକୁ ଏକ ଗୌରବୋଜ୍ୱଳ ଐତିହ୍ୟର ଦାୟାଦ ଓ ଏକ ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ରର ଅଧିବାସୀ ବୋଲି ଦାବୀ କରିପାରିବା।

Comments are closed.