ଧାନକଟା ଛୁଟି ଓ ଆମ କୃଷି ସଂସ୍କୃତି

ବିଶ୍ବଭାରତୀ

ରୁଷ ଦେଶର ଏକ ସ୍ବନାମଧନ୍ୟ ବିଶ୍ବବିଦ୍ୟାଳୟ। ଆଡ଼ମ୍ବରପୂର୍ଣ୍ଣ ସମାବର୍ତ୍ତନ ଉତ୍ସବ ପାଇଁ ଭବ୍ୟ ଆୟୋଜନ ସରିଛି। ବିଦେଶରୁ ଆମନ୍ତ୍ରିତ ଅତିଥିଗଣ ସ୍ବସ୍ଥାନରୁ ଯାତ୍ରା ଆରମ୍ଭ କରି ସାରିଲେଣି। ସମଗ୍ର ବିଶ୍ବବିଦ୍ୟାଳୟ ସୁସଜ୍ଜିତ ହୋଇ ସାରିଲାଣି। କାର୍ଯ୍ୟକ୍ରମ ପାଇଁ ଆଉ ଦିନେ ମାତ୍ର ବାକି। ଅତିଥିଗଣ ପହଞ୍ଚି ଚକିତ ହୋଇଗଲେ; ବିଶ୍ବବିଦ୍ୟାଳୟ ସମ୍ପୂର୍ଣ୍ଣ ଜନଶୂନ୍ୟ। କାରଣ, ଏଇମାତ୍ର ଦୁଇଦିନ ତଳେ ସେ ଅଞ୍ଚଳରେ ଅଦିନିଆ ଝଡ଼ିବର୍ଷାର ସଂକେତ ପାଇ ସରକାର ଉତ୍ସବ ସ୍ଥଗିତ କରି ବିଶ୍ବବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ପ୍ରାୟ ଦଶହଜାର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଗାଁମାନଙ୍କୁ ଯାଇ କ୍ଷେତରୁ ଗହମ ଅମଳ କରିବାରେ ଚାଷୀମାନଙ୍କୁ ସାହାଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ତ ଗୋଟିଏ ଉଦାହରଣ ମାତ୍ର। ସେ ଦେଶରେ ଉଭୟ ସହର ଏବଂ ଗ୍ରାମାଞ୍ଚଳର ପିଲାମାନଙ୍କୁ ଛୋଟ ବୟସରୁ ହିଁ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରାଯାଏ ଏବଂ ଏମିତି କୌଣସି ଜରୁରୀ କାଳୀନ ପରିସ୍ଥିତି ପଡ଼ିଲେ ବିଦ୍ୟାଳୟଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନର ପରୀକ୍ଷା, ପ୍ରତିଯୋଗିତା,ଉତ୍ସବ ବାତିଲ ବା ସ୍ଥଗିତ କରିଦେଇ ଚାଷୀମାନଙ୍କୁ ସାହାଯ୍ୟ କରିବାକୁ ତୁରନ୍ତ ନିର୍ଦେଶ ଦିଆଯାଏ। ସେଥିପାଇଁ ତ ରୁଷୀୟମାନେ ସହରରେ ଚାକିରି ବାକିରି କରି ବିଳାସପୂର୍ଣ୍ଣ ଜୀବନ କାଟିଲାବେଳେ ମଧ୍ୟ ସମୟ ଓ ସୁଯୋଗ ପାଇଲାମାତ୍ରେ ସୁଦୂର ‘ବାଚା’ ବା ଚାଷଘରକୁ ଚାଲିଯାଆନ୍ତି; କାଠଘରେ ବିନା ପାଣି ଇଲେକ୍ଟ୍ରି ସୁବିଧା​‌େ​‌ର ଡିବିରିଜାଳି ଝରଣା ପାଣି ପିଇ ଯାଉ ଖାଇ ସାରା ପରିବାର ଚାଷକାମରେ ଲାଗିଯାଆନ୍ତି। ଶସ୍ୟ ବା ଫଳ ପରିବା ନିଜ କ୍ଷେତରୁ ଅମଳକରି ସହରକୁ ଧରି ଫେରିଲାବେଳେ କି ଆନନ୍ଦ ତାଙ୍କର!

ଆଉ ଆମ ମାନସିକତା? ଆମେ ସହରରେ ଥାଉ କି ଗାଁରେ। ବଡ଼ ଚାକିରି କରିଥାଉ ବା ଛୋଟ ବେପାର ,ଯଦି କିଣିକି ଖାଇବାକୁ ପଇସା ଅଛି, ତେବେ ଆମେ କାହିଁକି ଚାଷ କରିବୁ? ଆଉ ଆମ ପିଲାଏ ପାଠପଢ଼ା ଛାଡ଼ି ଖରାତରା, ଶୀତକାକରରେ ଦିହମୁଣ୍ଡ ପାଣି କାଦୁଅ ସାଲୁବାଲୁ ହୋଇ ଚାଷ କରିବେ? କି ନିଉଛୁଣା କଥା! ଏବେ ତ ଖୋଦ୍‌ ଚାଷୀଘର ପିଲାଏ ବି ଯଦି ଦି’ଅକ୍ଷର ପାଠ ପଢ଼ିଦେଲେ, ତେବେ ସହରର ବସ୍ତିରେ ରହି ଦି’ ପଇସା କୌଣସି ଉପାୟରେ ରୋଜଗାର କରୁଛନ୍ତି ପଛେକେ ବାପ ମା’ ସହିତ ଆଉ ବିଲବାଡ଼ିକୁ ଯାଉନାହାନ୍ତି। ପଇସା ଦେଲେ ତ ସବୁ ଜିନିଷ ବଜାରରେ ମିଳୁଛି, ଚାଷ କରିବା କି ଦରକାର? ତା’ଛଡ଼ା ବନ୍ୟା, ବାତ୍ୟା, ଝଡ଼ି ବତାସ, ମରୁଡ଼ି, ରୋଗପୋକ ଦାଉରୁ ଫସଲକୁ ରକ୍ଷା କରିବା ଦାୟିତ୍ବ ଚାଷୀର, କ୍ଷତି ହେଲେ ତା’ର ଯିବ, ଆମର କ’ଣ ଯାଉଛି?

ବେଶ ପଛକୁ ଯିବାନି, ଏଇମାତ୍ର ଗଲା ମାସର କଥା। ମଗୁଶିର ମାସରେ ବିଲରେ ପାଚିଲାଧାନ ଲହଡ଼ି ଭାଙ୍ଗୁଛି। ଏସନ ଚାଷ ଅନୁୁକୂଳ ବେଳେ ଚାଷୀ କି ଦହସତ ନ ହେଇଛି। ରଜ ଗଲା, ଗୁଣ୍ଡିଚା ବାହୁଡ଼ା ଗଲା, ବର୍ଷା ନାହିଁ। ଏଣେ ତଳି ବୁଢ଼ା ହେଇଯାଉଛି, ବେଳ ଉଛୁର ହୋଇଯାଉଛି। ଭାରିଯା ବେକରୁ କଣ୍ଠିମାଳି ବନ୍ଧା ପକେଇ ସାଉକାରଠୁ ଋଣ କରଜ କରି ବାଧ୍ୟ ହୋଇ ଚାଷୀ ବିଲରେ ପାଣି ମଡ଼େଇ ଧାନ ରୋଇଲା ଏତକ ଦିନ କେତେ ​‌େ​‌ମହେନତ କରି ନିଜ ପିଲାଭାରିଜାଠୁ ଅଧିକ ଯତ୍ନକରି ପାଳିପୋଷି ଫସଲ ଉପୁଜେଇଲା। ଆଉ ମାତ୍ର ଦଶପନ୍ଦରଟା ଦିନରେ ଧାନ ଅମଳ ହୋଇଥାନ୍ତା ଯେ କାହଁୁ ଅଦିନିଆ ଲଘୁଚାପ ମାଡ଼ିଆସିଲା। ଗଣମାଧ୍ୟମ ଗୁଡ଼ିକରେ ଦିନରାତି ଘନଘନ ପ୍ରଚାର ହେଲା, ବାତ୍ୟା ଆସୁଛି, ପ୍ରଚଣ୍ଡ ବର୍ଷା ହେବ, ଧାନ ଫସଲ ସବୁ ନଷ୍ଟ ହୋଇଯିବ, ଶୀଘ୍ର ଅମଳ କରିବା ଦରକାର; କିନ୍ତୁ ଏକରଏକର ଧାନଫସଲ ଏତିକି ଦିନରେ କେମିତି ଏକୁଟିଆ ଚାଷୀ ଅମଳ କରିବ? ଆଖି ସାମନାରେ ବର୍ଷକର ଅମଳ ଉଜୁଡ଼ିଗଲା। ଚାଷୀ ଯେତେବେଳେ ଲୁହ ନକାନ୍ଦି ରକ୍ତ କାନ୍ଦୁଥିଲା, ଆମେ ସହରର ନିବୁଜ କୋଠରିରେ ଉଷୁମ ଗଦିରେ ବସି ଚା’ପିଇ ଟେଲିଭିଜନରେ ସେ ଦୃଶ୍ୟ ଦେଖି ଆହା ଚୁଚୁ କରୁଥିଲୁ। ଆମ ଭିତରୁ କାହାର ବିବେକ କହିଲାନି ଏ ଘୋର ବିପଦ ସମୟରେ ଧାଇଁଯାଇ ଚାଷୀ ସହିତ ହାତ ମିଶେଇ ଧାନ କାଟି ଆଣିବାରେ ସାହାଯ୍ୟ କରିବାକୁ? ସରକାର ମଧ୍ୟ ସରକାରୀ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ନିର୍ଦେଶ ଦେଇ ପାରିଲେନି ତୁରନ୍ତ ଗାଁ ମାନଙ୍କୁ ଯାଇ ଚାଷୀଙ୍କୁ ସାହାଯ୍ୟ କରିବାକୁ? କେବଳ ପାଣିପାଗ ସତର୍କବାଣୀ ଶୁଣେଇ ନିଜର ଦାୟିତ୍ବ ଶେଷ କରିଦେଲେ; କିନ୍ତୁ ସମସ୍ୟାଟା ନହଉଣୁ ସମାଧାନ ହୋଇଗଲେ ସରକାରଙ୍କ ଲାଭ କ’ଣ ଯେ? ବନ୍ୟାବାତ୍ୟା ମରୁଡ଼ି ପରି ଦୈବଦୁର୍ବିପାକ ସିନା ଟିକେ ଜୋଅରିଆ ହେଲେ ଲୋକେ ହନ୍ତସନ୍ତ ହେବେ, ମନ୍ତ୍ରୀ, ନେତାଏ ସେ ଦୁରବସ୍ଥା ଦେଖି ଚାଷୀଙ୍କୁ ସମବେଦନା ଜଣାଇବେ, ସରକାରୀ ରାଜକୋଷରୁ ମାହାରା କରି ରିଲିଫ୍‌, କ୍ଷତିପୂରଣ ବୁହାଇବେ, ତେବେ ଯାଇ ଭୋଟ୍‌ ରାଜନୀତିଟା ଜୋର ଜମିବ!

ଏସବୁ ଆଲୋଚନା କଲାବେଳେ ମନେପଡ଼େ ପିଲାଦିନ। ଡିସେମ୍ବର ମାସ ଶେଷ ସପ୍ତାହର ଏଇ ଛୁଟିଟିକୁ ସେତେବେଳେ ଧାନକଟା ଛୁଟି କୁହାଯାଉଥିଲା। ଏ ସମୟରେ ସହରସବୁ ଖାଲି ହୋଇଯାଉଥିଲା। ମଜୁରିଆ ବା ରିକ୍‌ସାବାଲାଟିଏ ଖୋଜିଲେ ବି ମିଳିବା ମୁସ୍କିଲ ହୋଇପଡ଼ୁଥଲା। ଧୋବା, ଭଣ୍ଡାରୀ, ଦରଜି, ହାଟୁଆଙ୍କ ଠାରୁ ଆରମ୍ଭ କରି ପଦସ୍ଥ ସରକାରୀ ଅଧିକାରୀମାନେ ମଧ୍ୟ ଗାଁକୁ ଯାଉଥିଲେ ଓ ସପରିବାର ଧାନକଟା କାମରେ ସାମିଲ ହେଉଥିଲେ। ଗାଁ ସ୍କୁଲର ଶିକ୍ଷକ ନିଜେ ଧାନ କାଟୁଥିଲେ ଏବଂ ଛାତ୍ରଛାତ୍ରୀମାନେ ବାପା ମାଆଙ୍କ ଧାନକଟାରେ ସାହାଯ୍ୟ କରୁଥିଲେ , ଆମେ ତ ଏ ଛୁଟିରେ ଗାଁକୁ ଯିବାକୁ ଚାହିଁ ବସୁଥିଲୁ। ଭୋରରୁ ଉଠି ଜେଜେଙ୍କ ସହ ବିଲକୁ ଯାଇ ହଳିଆ ହାତରୁ ଦା’ ଛଡ଼େଇ ଧାନ କାଟୁଥିଲୁ। ଧାନକଳେଇ ସବୁ ଶଗଡ଼ରେ ଲଦି ‘କୃଷ୍ଣଙ୍କୁ ବେଶ କରି ସୁୁଦାମା ମାଳୀ’ ଗୀତ ଗାଇଗାଇ ଅଇଁଠି ବାପା ଯେବେ ଖଳାକୁ ଯାଉଥିଲେ ଆମେ ସବୁ ଶଗଡ଼ରେ ଚଢ଼ି ଧାନଗୋଛା ଉପରେ ବସି ପଡ଼ୁଥିଲୁ। ଖଳାରେ ଧାନବେଙ୍ଗଳା ହେଲାବେଳେ ବଳଦ ହଳ ପଛରେ ଦୌଡ଼ିବା କେତେ ମଜାଦାର ଥିଲା। ଜେଜେମା’ ଯେତେବେଳେ ଧାନ ଉଷୋଁଉ ଥିଲେ ଆମେ ସବୁ ମକା, କନ୍ଦମୂଳ ଧାନହାଣ୍ଡିରେ ସିଝେଇ ଖାଉଥିଲୁ। ତା’ପରେ ଢ଼ିଙ୍କିରେ କୁଟି ଚାଉଳ କରାହେଉଥିଲା ଓ ବୋଉ କୁଲାରେ ପାଛୁଡ଼ି ତଳୁ ଗୋଟିଗୋଟି ଚାଉଳ ଗୋଟେଇ ସାଇତି ରଖୁଥିଲେ। ଏଥିରୁ ଆମେ ଅନ୍ନର ମୂଲ୍ୟ ଉପଲବ୍ଧି କରିଥିଲୁ। ସେ ଆନନ୍ଦାନୁଭୂତି ସହିତ ଆମେ ପ୍ରକୃତି ଓ ଜୀବନ ସହିତ ନିବିଡ଼ତର ହେଉଥିଲୁ ଆଉ ଅଜାଣତରେ, ବିନା ବହି ପତ୍ରରେ ପଢ଼ୁଥିଲୁ ଜୀବବିଜ୍ଞାନ, ପ୍ରକୃତି ବିଜ୍ଞାନ, କୃଷିବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଚିରନ୍ତନ ବିକାଶର ମଞ୍ଜି କଥା ସବୁ। ପ୍ରକୃତି ଓ ଗ୍ରାମ୍ୟ ସମାଜ ଥିଲା ଆମର ମୁକ୍ତ ବିଦ୍ୟାଳୟ ଏବଂ ଜେଜେ ବାପାଙ୍କଠୁ ହଳିଆଯାଏ ସବୁ ମଣିଷ ତଥା ବଳଦଠାରୁ ବିଲର ଗାତୁଆମୂଷା ଯାଏ ଜୀବଜନ୍ତୁ ଥିଲେ ଆମର ବିଦ୍ୟାଗୁରୁ।

ଧାନ ଚାଷରେ ଧାନକଟା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଶ। ଏଥିପାଇଁ ଗୋଟିଏ ସମୟରେ ବହୁତ ଲୋକବଳର ଆବଶ୍ୟକ ହୁଏ। କାରଣ ଏକା ସମୟରେ ସମସ୍ତଙ୍କ ଧାନ ପାଚେ। ଧାନ ପାଚୁପାଚୁ ଯଦି କାଟି ଅଣା ନଯାଏ, ତେବେ ହାତୀ, ହରିଣଠାରୁ ଚଢ଼େଇ, ମୂଷା ପର୍ଯ୍ୟନ୍ତ ଖାଇଯିବାର ଆଶଙ୍କା ଥାଏ। ଅଦିନିଆ ଲଘୁଚାପ ଆସିଲେ ସାମାନ୍ୟ ବର୍ଷାରେ ଫଳଭରା ଧାନଗଛ ପାଣିରେ ପଡ଼ି ଗଜାହୋଇଯାଏ। ଧାନ ଅତି ଶୁଖିଗଲେ ବିଲରେ ହିଁ ଝଡ଼ିପଡ଼େ। ତେଣୁ ଧାନକଟା ସଠିକ୍‌ ସମୟରେ ନହେଲେ ଚାଷୀର ଛ’ମାସର ଅକ୍ଳାନ୍ତ ପରିଶ୍ରମ, ବର୍ଷକର ଖାଦ୍ୟ, ବିହନ, ଋଣକରଜ ଶୁଝା କି ବାହାପୁଆଣି ଖର୍ଚ୍ଚ ତୁଲେଇବାର ଆଶା ସବୁ କିଛି ଗୋଟିଏ ଦିନରେ ଧୂଳିସାତ୍‌ ହୋଇଯାଏ। ତା’ଛଡ଼ା ଧାନ ଖାଲି କାଟିଦେଲେ ହେବ ନାହିଁ, ତାକୁ ତୁରନ୍ତ ଖଳାକୁ ସ୍ଥାନାନ୍ତରିତ କରିବା ଦରକାର ଏବଂ ଖଳାରୁ ମଧ୍ୟ ଯଥାଶୀଘ୍ର ବେଙ୍ଗଳାକରି ନଡ଼ାଗଦା କରି ଧାନ ଘରକୁ ନେଇଯିବା ଆବଶ୍ୟକ। ନହେଲେ ନିଆଁ ପାଣିର ଭୟ ଲାଗି ରହେ। ଧାନରୁ ଚାଉଳ କରିବାପାଇଁ ମଧ୍ୟ ଏ ସମୟର ଜଳବାୟୁ ସର୍ବୋତ୍କୃଷ୍ଟ। ଏ ସମୟର ଦିନର ଖରା, ରାତିର ଶୀତ କାକର, କମ ଆର୍ଦ୍ର ବାୟୁମଣ୍ଡଳ ଚାଉଳ କରିବାପାଇଁ ଖୁବ ଅନୁକୂଳ। ଟିକିଏ ଡେରିହେଲେ ପାଗ ବିଗିଡ଼ିଯାଏ। ଚାଉଳ ଭଲ ହୁଏନାହିଁ। ତେଣୁ ଏହି ସମୟରେ ହିଁ ଧାନ ସିଝେଇ ଛାଇରେ ଶୁଖାଇ ଉଷୁନା ଚାଉଳ ଏବଂ ଖରାରେ ଶୁଖେଇ ଅରୁଆ ଚାଉଳ କରାଯାଏ, ବସ୍ତା ବା ଓଳିଆବାନ୍ଧି ସାଇତି ରଖାଯାଏ। ‘ଏକାବେଳକେ ଏତେଗୁଡ଼ାଏ କାମ ଏକୁଟିଆ କରିବା ଚାଷୀ ପାଇଁ ଅସମ୍ଭବ ହୋଇପଡ଼େ।

ଏ କଥାର ଗୁରୁତ୍ବ ସମସ୍ତେ ବୁଝୁଥିଲେ ବୋଲ ିପ୍ରବାସରେ ରହୁଥିବା ଘରର ପ୍ରତେକ ସଦସ୍ୟ ସ୍ବତଃସ୍ଫୂର୍ତ୍ତ ଭାବେ ଗାଁକୁ ଆସୁଥିଲେ ଏବଂ ସାଧ୍ୟମତେ ଧାନ ଅମଳ କାମରେ ସାମିଲ ହେଉଥିଲା। ବନ୍ଧୁବାନ୍ଧବ ନିଜେ ଆସି ସାହାଯ୍ୟ କରୁଥିଲେ ବା ହଳିଆ, ଶଗଡ଼, ହଳବଳଦ ପଠାଉଥିଲେ। ସାଇପଡ଼ିଶାଙ୍କ ସହିତ ବିନିମୟର ପରମ୍ପରା ଥିଲା- ଆଜି ତୁ ମୋର ଧାନ କାଟି ଦେଲେ କାଲି ମୁଁ ତୋ’ର କାଟି ଦେବି, ମୁଁ ତୋ’ର ବଳଦହଳ ବେଙ୍ଗଳା ପାଇଁ ନେଉଛି, ତା’ବଦଳରେ ତତେ ଗାଈବଳଦ ଖାଇବାକୁ ନଡ଼ା ପାଳ ଦେବି, ତୁ ମୋ’ ପାଇଁ ଢ଼ିଙ୍କି କୁଟିଦେବୁ, ମୁଁ ତୋ ପାଇଁ ଚାଉଳ ପାଛୁଡ଼ି ଦେବି। ଏହାଦ୍ବାରା ଗୋଟାଏ ଗୁରୁତ୍ବପୂର୍ଣ୍ଣ କାମ ବିନା ଖର୍ଚ୍ଚରେ, ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଉଠିଯାଉଥିଲା। ପରସ୍ପର ମଧ୍ୟରେ ସମ୍ପର୍କ ମଜଭୁତ ହେଉଥିଲା, ଏକତା ସୁଦୃଢ଼ ହେଉଥିଲା, ସମ୍ପଦରେ ବିପଦରେ ପରସ୍ପରକୁ ସାହାଯ୍ୟ କରିବାର ମନୋବୃତ୍ତି ବୃଦ୍ଧି ପାଉଥିଲା। ପ୍ରବାସୀ ସହରୀମାନେ ଗାଁ ସହିତ ସମ୍ପର୍କ ରଖିବାର, ନିଜ ଜମିର ଚାଉଳ ଖାଇବାର ସୁଯୋଗ ପାଉଥିଲେ। ପିଲାଏ ପୋଥି ବିଦ୍ୟାରେ ବିରଳ ଅନେକ ଜ୍ଞାନଲାଭ କରୁଥିଲେ ଏବଂ ଅନ୍ନର ମହତ୍ତ୍ବ ବୁଝୁଥିଲେ।

ଏବେ କିନ୍ତୁ ସମୟ ବଦଳି ଯାଇଛି। ଚାଷୀକୁ ସାହାଯ୍ୟ କରିବାକୁ ଆଉ କେହି ଆଗେଇ ଆସୁନାହାନ୍ତି। ଫଳରେ ଚାଷୀ ଋଣ କରଜ କରି ଯାନ୍ତ୍ରିକ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛି। ଫସଲ ଉଜୁଡ଼ିଗଲେ ଋଣ ଶୁଝି ନପାରି ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ପ୍ରବଣ ହୋଇପଡ଼ୁଛି। ନିଜ ଜମି ପଡ଼ିଆ ପକେଇ ଦେଇ ସୁରତର ସୂତାକଳ ବା ଆନ୍ଧ୍ରର ଇଟାଭାଟିରେ ଦାଦନ ଖଟିବାକୁ ଶ୍ରେୟସ୍କର ମଣୁଛି ବା ଗଭୀର ହୀନମନ୍ୟତାର ସହ ଭିଟାମାଟି କାମୁଡ଼ି ପଡ଼ିଛି। ଟଙ୍କା ଦେଲେ ଦୋକାନରୁ ସବୁ ଖାଦ୍ୟ ମିଳିଯିବ ଭାବି ଆମେ ଯୋଉ ନିର୍ବୋଧତା କରୁଛେ ସେଥିପାଇଁ ଆମକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଚାଷୀ ଖାଦ୍ୟ ନ ଉପୁଜେଇଲେ ଟଙ୍କାର ପାହାଡ଼ ଗଦେଇ ଦେଲେ ବି ଦୋକାନରୁ ଖାଦ୍ୟ ମିଳିବ କି? ଯଦିଓ ବହୁତ ଉଛୁର ହୋଇଗଲାଣି , ବେଳ ଗଡ଼ି ଯାଇନି। ଏଥର ଧାନକଟା ଛୁଟିରେ ଚାଲନ୍ତୁୁ ସପରିବାର ଗଁାକୁ ଯିବା। ଚାଷୀଭାଇର କାନ୍ଧରେ ହାତ ପକାଇ ତାକୁ ବଳଦେବା ଉତ୍ସାହିତ କରିବା। ନିଜେ ହାତରେ ଦା’ଧରି ସୁନାର ଫସଲ ଆମଦାନୀ କରିବା। ପିଲାଙ୍କୁ ମାଟି ମା’ର ମମତା ଅନୁଭବ କରିବାର ସୁଯୋଗ ଦେବା, ଅନ୍ନର ଆଦର କରିବା ଶିଖାଇବା। ନିଃସଙ୍ଗ ସହରୀ ଜୀବନରୁ ଛୋଟ ବିରତି ନେଇ ପ୍ରକୃତି, ଜୀବନ ସହିତ ଏକାତ୍ମ ହେବାର କଳା ଓ ସୁସ୍ଥଜୀବନ ବଞ୍ଚିବାର ବିଜ୍ଞାନ ଶିଖାଇବା। ଦେଖିବେ, ତା’ପରେ ପିଲାଏ କହିବେ ବାଃ! କେତେ ମଜା ! ଏଥର ପ୍ରତିବର୍ଷ ଧାନକଟା ଛୁଟି ଆମେ ଗାଁରେ ହିଁ କଟାଇବା!

Comments are closed.