ମେଟାଭର୍ସ: କଳ୍ପନାର କଳ୍ପଲୋକ

ଗିରିଜା ଶଙ୍କର ମିଶ୍ର

ପିଲାଦିନେ ଗଣିତ ଶିକ୍ଷକ ଶତକଡା ଓ ଲାଭକ୍ଷତିର ଅଙ୍କ ପଢ଼େଇ ସାରି ପରୀକ୍ଷା ପୂର୍ବରୁ ଦିନେ ପଚାରିଲେ- ଚିନିର ଦାମ ଶତକଡା ୧୦ ବଢିଲାରୁ ଚିନିର ବିକ୍ରି ଶତକଡା ୧୦ କମିଗଲା। ଏହା ଦ୍ୱାରା ଦୋକାନୀର ଶତକଡା କେତେ ଲାଭ ବା କ୍ଷତି ହେଲା? ଅରୁଣର ଗଣିତ ଭଲ ହୁଏ। ସେ ଚଟାପଟ କହିଦେଲା- ସାର୍‌, ଦୋକାନୀର ପ୍ରତି ୧୦୦ ଟଙ୍କାରେ ଟଙ୍କାଟେ ବା ଶତକଡା ୧ କ୍ଷତି ହେଲା। ସାର୍‌ କହିଲେ ଚମତ୍କାର। ତୋ ବୁଦ୍ଧି ପାଇଁ ତୋତେ ବହୁତ ବହୁତ ଧନ୍ୟବାଦ। ଆମେ ଦୈନନ୍ଦିନ ଜୀବନରେ ବୁଦ୍ଧିକୁ ନେଇ ଅତିବୁଦ୍ଧିଆ, ପଛବୁଦ୍ଧିଆ, ଉପସ୍ଥିତ ବୁଦ୍ଧି, ତୀକ୍ଷ୍ଣ ବୁଦ୍ଧି, ସତ ବୁଦ୍ଧି, ମନ୍ଦ ବୁଦ୍ଧି, ବିପରୀତ ବୁଦ୍ଧି ଏମିତି ଅନେକ ଶବ୍ଦ ଶୁଣିଥାଉ।

କାଳେ କାଳେ ଅରୁଣ ଭଳି ଏମିତି ଅନେକ ବୁଦ୍ଧିମାନ ଛାତ୍ରଛାତ୍ରୀ ବଡ ହୋଇ ବିଜ୍ଞାନର ଜଟିଳ ଓ ସୂକ୍ଷ୍ମ ତତ୍ଵକୁ ବିଶ୍ଳେଷଣ କରି ଏକ ସୁନ୍ଦର ପୃଥିବୀ ନିର୍ମାଣରେ ନିଜର ଯୋଗଦାନ କରି ଆସିଛନ୍ତି। ସେଇ ଶାଣିତ ବୁଦ୍ଧିରୁ ସୃଷ୍ଟି ହୋଇଛି କେତେ ନୂଆ ନୂଆ ଉଦ୍ଭାବନ। ସେମିତି ଅସାଧାରଣ ପ୍ରଜ୍ଞାରୁ ଜନ୍ମଲାଭ କରିଥିବା ଏ ଶତାବ୍ଦୀର ବହୁ ଚର୍ଚ୍ଚିତ ବୁଦ୍ଧିମାନ କୌଶଳର ନାଆଁ ହେଲା କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)। ଏହା ଏପରି କଂପ୍ୟୁଟର ବା ପ୍ରଯୁକ୍ତି ନିର୍ଭର ଜ୍ଞାନକୌଶଳ, ଯାହା ମନୁଷ୍ୟ ଭଳି ନିଜେ ଭାବନା କରିପାରେ ଓ ମନୁଷ୍ୟର ବିନା ହସ୍ତକ୍ଷେପରେ ସିଦ୍ଧାନ୍ତ ନେଇପାରେ। ଗବେଷଣା ଦୃଷ୍ଟିରୁ କୃତ୍ରିମ ବୁଦ୍ଧିମତ୍ତାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ହେଲା ନିଉରାଲ ନେଟୱାର୍କ ଓ ଅନ୍ୟଟି ସାଧାରଣ କୃତ୍ରିମ ବୁଦ୍ଧିମତ୍ତା (ଜେନେରାଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)। ନିଉରାଲ ନେଟୱାର୍କ ଏପରି ଏକ ପଦ୍ଧତି ଯେଉଁଥିରେ ବୈଜ୍ଞାନିକମାନେ ଆମ ମସ୍ତିଷ୍କର ଏକ ସରଳ ନମୁନା (ମଡେଲ) ନେଇ ତାକୁ ଗବେଷଣା ପାଇଁ ବ୍ୟବହାର କରିଥାନ୍ତି। ଏହି ପ୍ରଯୁକ୍ତି ନିର୍ଭର ଯନ୍ତ୍ରରେ କୋଟି କୋଟି ଉଦାହରଣ ସମ୍ବଳିତ ବିଶାଳ ତଥ୍ୟ ଭଣ୍ଡାର ଥାଏ। ଏହାରି ମାଧ୍ୟମରେ କମ୍ପ୍ୟୁଟର ଯେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟ ନିଖୁଣ ଭାବେ ସମ୍ପନ୍ନ କରିଥାଏ। ଏଇ ଯେମିତି ୧୯୯୭ ମସିହାରେ ଆଇବିଏମ୍‌ର ‘ଡିପ ବ୍ଲୁ’ ନାମକ ସୁପର କଂପ୍ୟୁଟର ଚେସ ଖେଳର ତତ୍କାଳୀନ ବିଶ୍ବବିଜେତା ଗ୍ୟାରି କାସପାରୋଭଙ୍କୁ ପରାସ୍ତ କରିଥିଲା। ଠିକ ସେମିତି ଏବେ କୋଭିଡ ସଂକ୍ରମଣର ମଡେଲ ତିଆରି କରା ହୋଇଛି; ଯେଉଁଥିରେ ମହାମାରୀର କେଉଁ ପ୍ରଜାତି କେଉଁ ଦେଶର କେଉଁ ସ୍ଥାନରେ ଦେଖା ଦେଇପାରେ, ତାର ପୂର୍ବାଭାସ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାରରୁ ହିଁ ମିଳିଯାଉଛି। ଏହା ବ୍ୟତୀତ ଖେଳକୁଦ ବିଶ୍ଳେଷଣଠାରୁ ରୋବଟ ନିର୍ମାଣ, ବୈଜ୍ଞାନିକ ଗବେଷଣାଠାରୁ ଚିକିତ୍ସା ବିଜ୍ଞାନ ଓ ଦେଶର ନିରାପତ୍ତା ସବୁଠି କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର। ଅନ୍ୟ ପକ୍ଷରେ ସାଧାରଣ କୃତ୍ରିମ ବୁଦ୍ଧିମତ୍ତା ଯନ୍ତ୍ର ମାଧ୍ୟମରେ ବୈଜ୍ଞାନିକ ଗୋଷ୍ଠୀ ଏପରି ଏକ ମଡେଲ ବିକଶିତ କରିବାକୁ ଚାହାନ୍ତି, ଯେଉଁଥିରେ ଶିଶୁଟିଏ ଭଳି ମନୁଷ୍ୟ ଏକା ସାଙ୍ଗରେ ଅନେକ କାର୍ଯ୍ୟ କରିବାକୁ ସମର୍ଥ ହୋଇପାରିବ ।

ପ୍ରଯୁକ୍ତି ବିଜ୍ଞାନର ଏହି ଅକଳ୍ପନୀୟ ଉନ୍ନତି ଫଳରେ ଗୁଗଲ ଆସିଷ୍ଟାଣ୍ଟ, ଏପଲ ସିରୀ, ଆମାଜନ ଏଲେକ୍ସ, ମାଇକ୍ରୋସଫ୍ଟ କୋରଟାନା ପ୍ରଭୃତି ମାନବ ପରି କଥା କହିପାରୁଥିବା ସଫଳ ଆଭାସି ସହାୟକ ସୃଷ୍ଟି ହୋଇଛନ୍ତି। ଆଗାମୀ ଦିନରେ ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା ସହିତ ବିକଶିତ ଇଣ୍ଟରନେଟ ବ୍ୟବସ୍ଥା ଡିଜିଟାଲ ବିଶ୍ୱର ପ୍ରେକ୍ଷାପଟକୁ ବଦଳାଇଦେବ। ଏଥି ସହିତ ଭରଚୁଆଲ ରିଅଲିଟି (ଆଭାସି ବାସ୍ତବତା) ଓ ଅଗମେଣ୍ଟେଡ଼ ରିଅଲିଟି (ବର୍ଦ୍ଧିତ ବାସ୍ତବତା)ର ଅପୂର୍ବ ସମ୍ମିଶ୍ରଣରେ ସୃଷ୍ଟିହେବ ଏକ ଅନ୍ତହୀନ ବ୍ରହ୍ମାଣ୍ଡର ଆଭାସି ପରିବେଶ; କଳ୍ପନାର କଳ୍ପଲୋକ ମାର୍କ ଜୁକରବର୍ଗଙ୍କ ‘ମେଟା’ ଯୁକ୍ତ ‘ଭର୍ସ’ ମେଟାଭର୍ସ। ଏଥିପାଇଁ ଗତ ଅକ୍ଟୋବର ମାସରେ ଫେସବୁକର ମୁଖ୍ୟ ଜୁକରବର୍ଗ ଫେସବୁକ ଆପର ନାମ ଅପରିବର୍ତ୍ତିତ ରଖି କମ୍ପାନୀର ନାମ ବଦଳେଇ ‘ମେଟା’ କରିଦେଲେ।

୧୯୯୨ ମସିହାରେ ଔପନ୍ୟାସିକ ନୀଲ ଷ୍ଟିଫେନସନ ତାଙ୍କ ‘ସ୍ନୋ କ୍ରାଶ୍‌’ କାଳ୍ପନିକ ବିଜ୍ଞାନ ଉପନ୍ୟାସରେ ପ୍ରଥମଥର ପାଇଁ ଏହି ମେଟାଭର୍ସ ଶବ୍ଦର ପ୍ରୟୋଗ କରିଥିଲେ। ଏହା ଏପରି ଏକ ଜଗତ ଯେଉଁଠି ପରସ୍ପର ସଂଯୁକ୍ତ ଆଭାସି ସମାଜ ଥିବ। ଗୋଟିଏ ସାଙ୍କେତିକ ଶବ୍ଦ ବା ପରିଚୟ ପତ୍ର ମାଧ୍ୟମରେ ସେଇ ଦୁନିଆରେ ପ୍ରବେଶ କରି ଆଭାସି ବାସ୍ତବତାର ହେଡ଼ସେଟ, ବର୍ଦ୍ଧିତ ବାସ୍ତବତାର ଚଷମା, ସ୍ମାର୍ଟ ଫୋନ ଆପ କିମ୍ବା ଅନ୍ୟାନ୍ୟ ଡିଜିଟାଲ ଉପକରଣ ମାଧ୍ୟମରେ ନିଜର ପ୍ରିୟ ୱେବସାଇଟରେ ବିଚରଣ କରିବା ସହ ସିନେମା, ଖେଳ ଦେଖିବା, ପ୍ରେମ କରିବା, ମନମୁତାବକ ଜିନିଷ କିଣିବା, ମନପସନ୍ଦର ହୋଟେଲରେ ସାଙ୍ଗ ସାଥୀଙ୍କ ସହ ଏକତ୍ର ବସି ଭୋଜନ କରିବା ସମ୍ଭବ ହୋଇ ପାରିବ ।

ଆଉ ସେତେବେଳେ ଆଭାସି ଜଗତ ବାସ୍ତବ ଜଗତ ପରି ଅନୁଭୂତ ହେବ। ମନେକରାଯାଉ, ଆପଣଙ୍କର ଜଣେ ବନ୍ଧୁ ଶିମିଳିପାଳ ଜଙ୍ଗଲରେ ବୁଲୁଥିବାର କିଛି ଛବି ପଠେଇଲେ। ଫେସବୁକ ଦେଖିବା ସମୟରେ ଆପଣଙ୍କର ମନେହେବ ଆପଣ ଶିମିଳିପାଳ ଜଙ୍ଗଲରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ଏବେ ଆମେ ଯେଉଁ ୨ଡି ବା ଦ୍ବିମାତ୍ରିକ ଆଭାସି ଜଗତରେ ଅଛେ ତାହା ପ୍ରଯୁକ୍ତି ବଳରେ ୩ଡିକୁ ରୂପାନ୍ତରିତ ହେଲେ କଳ୍ପନାତୀତ ଭାବେ ବଦଳିଯିବ ଆଭାସି ଜଗତ। ଅଶୀ ଦଶକର ମୋବାଇଲ ଫୋନ ଠାରୁ ଆଜିର ସ୍ମାର୍ଟ ଫୋନ ବଦଳିଲା ଭଳି। ଏବର ଆଭାସି ଦୁନିଆ ମୋଟାମୋଟି ଅନଲାଇନ ଖେଳରେ ହିଁ ସୀମିତ। ପ୍ରଯୁକ୍ତିର କ୍ରମାଗତ ବିକାଶ ଫଳରେ ଇଣ୍ଟରନେଟର ନୂତନ ସଂସ୍କରଣରେ କିଛି ଉପାଦାନ ଯୋଡି ହୋଇଯିବ। ଏହା ଆଭାସି ଦୁନିଆର ପରିସରକୁ ଅବିଶ୍ବାସ୍ୟ ଭାବେ ବ୍ୟାପକ କରିଦେବ। ଫଳରେ କୃତ୍ରିମ ବୁଦ୍ଧିମତା ସହିତ ଆଭାସି ବାସ୍ତବତା, ବର୍ଦ୍ଧିତ ବାସ୍ତବତା, ଯନ୍ତ୍ର ଶିକ୍ଷା (ମେସିନ ଲର୍ଣ୍ଣିଙ୍ଗ), ଗଭୀର ଜ୍ଞାନାର୍ଜନ (ଡ଼ିପ ଲର୍ଣ୍ଣିଙ୍ଗ), ବ୍ଲକଚେନ, କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ପ୍ରଭୃତି ପ୍ରଯୁକ୍ତିର ସଫଳ ମିଶ୍ରଣରେ ମେଟାଭର୍ସର ଦୁନିଆ ପରୀ ରାଇଜର କାହାଣୀ ବାସ୍ତବ ହେବାପରି ପ୍ରତୀତ ହେବ। ଧରନ୍ତୁ ଗୋଟିଏ ରେଫ୍ରିଜରେଟର କିଣିବାକୁ ଆପଣ ଇଚ୍ଛାକଲେ। ଘରେ ବସି ଅନଲାଇନରେ ଭିନ୍ନ ଭିନ୍ନ ପ୍ରକାରର ନମୁନା ଦେଖିଲା ପରେ ବି କଣ କିଣିବେ ନିଶ୍ଚିତ ହୋଇ ପାରିଲେନି। ମେଟାଭର୍ସରେ ଏଇ ଅନଲାଇନର ସୀମାବଦ୍ଧତା ରହିବନି। କମ୍ପ୍ୟୁଟର ସହ ସଂଯୁକ୍ତ ଗୋଟିଏ ଚଷମା ପିନ୍ଧି (୩ ଡି ସିନେମା ଦେଖିବା ସମୟରେ ବ୍ୟବହାର କଲା ଭଳି) ଆପଣ ସିଧା ଚାଲିଯିବେ ଅଭିଳଷିତ ଦୋକାନକୁ। ବିଶେଷ ଡିଜିଟାଲର ପ୍ରୟୋଗରେ ବାସ୍ତବ ଦୁନିଆ ଭଳି ଆପଣ ତାକୁ ସହଜରେ ସ୍ପର୍ଶ ଅନୁଭୂତିରେ ଆଣି ପସନ୍ଦ ମୁତାବକ ମଡେଲ ଡିଜିଟାଲ ଟଙ୍କା (କରେନ୍ସି) ଦେଇ କିଣି ପାରିବେ। ଏସବୁ ମେଟାଭର୍ସର ଚମତ୍କାରିତା। ବଡ ବଡ ସଫ୍ଟୱେୟାର କମ୍ପାନୀ ତାଙ୍କର ଅଭୀଷ୍ଟ ଲକ୍ଷ୍ୟରେ ପହଂଚିବା ପାଇଁ ମୋଟା ଅଙ୍କର ଅର୍ଥ ବିନିଯୋଗ କରି ଦିନରାତି ଏଥିପାଇଁ କାମ କରି ଚାଲିଛନ୍ତି। ସମୟ ହିଁ ମେଟାଭର୍ସର ଭବିଷ୍ୟତର ରୂପରେଖ ନିର୍ଣ୍ଣୟ କରିବ। ତେବେ ମେଟାଭର୍ସର ବିଶ୍ୱରେ ଆମ ସମସ୍ତଙ୍କର ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଓ ଗୋପନୀୟତା ପାଇଁ ଉପଯୁକ୍ତ ଆଇନ ପ୍ରଣୟନ ହେବା ନିହାତି ଆବଶ୍ୟକ।

Comments are closed.