ଜଙ୍ଗଲର ବିକଳ୍ପ ନାହିଁ

- ହରିଶରଣ ମହାରାଜ

ବୃକ୍ଷ ହେଉଛି ସମଗ୍ର ଜଗତର ଏକମାତ୍ର ସଜୀବ ସୃଷ୍ଟି ଯିଏ ବିନା ଦ୍ୱିଧାରେ ସମସ୍ତଙ୍କର ଉପକାର କରିଥାଏ। “ପରୋପକାରାୟ ବହନ୍ତି ନଦ୍ୟଃ, ପରୋପକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ଦୁହ୍ୟନ୍ତି ଗାବଃ, ପରୋପକାରାୟ ଇଦଂ ଶରୀରଂ’’। ଗୋଟିଏ ବୃକ୍ଷ ତା’ର ଜୀବଦ୍ଦଶା କାଳରେ ଔଷଧ, ଖାଦ୍ୟ, ଜଳ, ମୃତ୍ତିକା ସଂରକ୍ଷଣ, ଜାଳେଣି, ବିଶୁଦ୍ଧ ବାୟୁ, ପକ୍ଷୀଜଗତକୁ ମନୋରମ ବାସସ୍ଥଳୀ ଏବଂ ଖାଦ୍ୟ ଯୋଗାଇଥାଏ। ସୁତରାଂ ଅଧିକ ମାତ୍ରା ବିବିଧତାର ବନରାଜି ହିଁ ଜୀବଜଗତର ପ୍ରାକୃତିକ ପୋଷଣୀୟରେ ସହାୟକ ହୋଇଥାଏ। ତେଣୁ ସମ୍ପ୍ରତି ଜଙ୍ଗଲ ସୁରକ୍ଷା ଏକ ମହତ୍ତ୍ବପୂର୍ଣ୍ଣ ତଥା ସମୟାନୁସାରୀ ଆହ୍ୱାନ! ଜଙ୍ଗଲର କୌଣସି ବିକଳ୍ପ ନାହିଁ। ଉଜୁଡା ଜଙ୍ଗଲର ପୁନରୁଦ୍ଧାର ସହ ନୂତନଧାରାର ଲୁପ୍ତପ୍ରାୟ ବୃକ୍ଷସମୂହ ଜଙ୍ଗଲର ସୃଷ୍ଟି ନିମନ୍ତେ ସରକାର, ଏନ୍‍. ଜି. ଓ, ସାମାଜିକ କର୍ମକର୍ତ୍ତା, ଆୟୁର୍ବେଦାଚାର୍ୟ୍ୟ, ବୃକ୍ଷପ୍ରେମୀ, ପରିବେଶବିତ୍‌ମାନେ ମିଳିତ ଉଦ୍ୟମ କରିବାର ସମୟ ଆସିଛି।

ସମ୍ପ୍ରତି ବିଶ୍ୱରେ ବିକୃତ ଶିଳ୍ପାୟନ ପ୍ରଗତି ନାମରେ ପ୍ରତିବର୍ଷ ୩୨୦ ଲକ୍ଷ ଏକର ଜଙ୍ଗଲ ଅବିଚାରିତ ଭାବେ ଧ୍ୱଂସ ପାଇଚାଲିଛି। ଏହି ଧାରା ଅବ୍ୟାହତ ରହିଲେ ପୃଥିବୀ କ୍ରମଶଃ ମରୁଭୂମିରେ ପରିଣତ ହେବ। ଜଙ୍ଗଲଧ୍ୱଂସ କାରଣରୁ ୨୦୫୦ ମସିହା ବେଳକୁ ୫୫୦ କୋଟି ଲୋକ ବିଶ୍ୱରେ ଜଳାଭାବର ସମ୍ମୁଖୀନ ହେବେ। ବିଶ୍ୱର ୭୦୦ କୋଟି ଜନ ବିସ୍ଫୋରଣ ଜଙ୍ଗଲ କ୍ଷୟର ମୁଖ୍ୟ କାରଣ ତଥା ବିଶ୍ୱ ରାଷ୍ଟ୍ର ନାୟକମାନଙ୍କର ଭାବନାବିହୀନ ଶିଳ୍ପ ପ୍ରତିଷ୍ଠା ଜଙ୍ଗଲ ପ୍ରତି ନକାରାତ୍ମକ କୃତ୍ରିମ ପ୍ରୀତିଭାବ ଥିଲାପରି ପ୍ରତିଭାତ ହୁଏ। ପରିସଂଖ୍ୟାନରୁ ଜଣାଯାଏ ବିଶ୍ୱ ଭୂଭାଗର ୩୦% ଜଙ୍ଗଲ ସଂପଦ ଅଟେ। ଭାରତ ପାଖରେ ବିଶ୍ୱର ମୋଟ ଜୈବ ବିବିଧତାର ୮% (ଆଠଭାଗ) ରହିବା ସୁଖବର ଏବଂ ଆମ ଦେଶ ନିକଟରେ ବିଶ୍ୱର ମୋଟ ସ୍ୱଚ୍ଛଜଳ ବର୍ଷାଜଳ ସଂପଦର ମାତ୍ର ୪% ଉପଲବ୍ଧ। ଜଙ୍ଗଲର କ୍ଷୟ ଏହି ସ୍ୱଚ୍ଛ ବର୍ଷାଜଳ ସଂପଦର ସଂଗ୍ରହରେ ବାଧକ ହେବ ଏଥିରେ ସନ୍ଦେହ ନାହିଁ। ଜଙ୍ଗଲରେ ମିଳେ ୬୦ ହଜାର ପ୍ରଜାତିର ବୃକ୍ଷଲତା, ଦୁର୍ଲଭ ଜଡିବୁଟି। ସମ୍ପ୍ରତି ଓଡିଶାର ୨୮ଟି ପ୍ରଜାତିର ବୃକ୍ଷରାଜି ସଂପୂର୍ଣ୍ଣ ବିଲୁପ୍ତ।

“ପାଦପ ବୈ ପ୍ରାଣାଃ” (ଅଥର୍ବ ବେଦ); ଅର୍ଥାତ୍‍ ବୃକ୍ଷ ହିଁ ମଣିଷ ସମାଜକୁ ପ୍ରାଣ ଶକ୍ତି ପ୍ରଦାନ କରିଥାଏ। ଅଥର୍ବ ବେଦ କହେ ସୃଷ୍ଟି ପୂର୍ବରୁ ଦେବତାଙ୍କ ଅନୁରୋଧରେ ଭଗବାନ ବିଷ୍ଣୁ ପ୍ରଥମେ ଜୀବନ ଧାରଣ ପାଇଁ ବୃକ୍ଷ (ଚତୁଃପ୍ରକାର) ରାଜି ସୃଷ୍ଟି କରିଥିଲେ। ଭାରତୀୟ ସଂସ୍କୃତିର ଭାବନା ହେଉଛି ପ୍ରକୃତିକୁ ନିଜ ଜୀବନର ଏକ ଅଂଶ ବିଶେଷଭାବେ ଗ୍ରହଣ କରିବା ଏବଂ ପ୍ରକୃତି ସହ ସହଭାଗୀ ହୋଇ ଜୀବନ ବଞ୍ଚିବା, କିନ୍ତୁ ବର୍ତ୍ତମାନ ବିଲକ୍ଷଣ ମନୋବୃତ୍ତିପାଇଁ ଜଙ୍ଗଲ ଅବକ୍ଷୟମୁଖୀ। ଓଡିଶାର ଜଙ୍ଗଲ ପରିବେଶ ଉପରେ ଆଲୋଚନା କରିବା। ଆମ ସରକାର କହୁଛନ୍ତି ଜଙ୍ଗଲ ଗାଣିତିକ ହିସାବରେ ବଢିଅଛି; କିନ୍ତୁ କେଉଁ ପ୍ରଜାତିର ବୃକ୍ଷରାଜିର ପରିବର୍ଦ୍ଧନ ଘଟିଛି ତାହା ବୁଝାପଡେ ନାହିଁ। ଜଙ୍ଗଲର ଘଞ୍ଚ ମହୀରୁହ (ଦ୍ରୁମ) ଉପସ୍ଥିତି ଜଙ୍ଗଲର ଶୋଭା ବର୍ଦ୍ଧନ କରିଥାଏ। ପୂର୍ବେ ରାଜା, ମହାରାଜାଙ୍କଦ୍ୱାରା ରୋପିତ ଦୀର୍ଘସ୍ଥାୟୀ , ଜୀବଦାୟୀ, ପ୍ରାଣଦାୟୀ, ବାସଦାୟୀ ମହାବୃକ୍ଷ ସମୂହ ଆମ୍ବ ବଉଳ, ଜାମୁ, ଗଉଡକଷା, ଜାମ୍ବିଲୋ, ଶାଲ୍ମଳି, ବେଲ, ପଣସ, ଚାଉଳଧୁଆ, ଖିରିକୋଳି, ଫିରିକ, ଜେଉଟ, ହରିଡା, ବାହାଡା, ପାଟୁଳୀ, ବଜ୍ରଦନ୍ତୀ, ବର, ଅଶ୍ୱତ୍‍ଥ, ଲିମ୍ବ, ଗହ୍ମାରି, ଶିମିଳି ଆଦି ରାସ୍ତାପାର୍ଶ୍ବ ଫଳଦାୟୀ ଗଛମାନ ସରକାରଙ୍କ ଅନ୍ଧ ବୁଝାମଣାକ୍ରମେ ଦାନବରାଜ ଜେ.ସି.ବି. ମେସିନ୍‍ ଏବଂ ଏସ୍କାଭେଟର ବୃକ୍ଷମାରଣ ଯନ୍ତ୍ର ଆକ୍ରମଣରେ ସଂପୂର୍ଣ୍ଣ ଧରାଶାୟୀ।

ରାସ୍ତା ଆଜି ଛାୟାଶୂନ୍ୟ ଏବଂ ଦୁଃଖରେ ବିଳାପକରୁଥିବା ପକ୍ଷୀଜଗତ ବାସହୀନ। ଜଙ୍ଗଲରେ ଆଉ ପର୍ୟ୍ୟାପ୍ତ ହରିଡା, ବାହାଡା, ଅଁଳା, ବବୁଲୁ, ତୁମ୍ବରୋ, ଫଣଫଣା, ଶିକାକାଇ, ଲୋଧ, ପଠାଣିଲୋଧ, ତପ୍ତଖଣ୍ଡା, ବାଲ, ପିଙ୍ଗୁ, ପୁତ୍ରଜୀବକ, ଖଇର, ପଳାଶ, ଛଇତନା ସପ୍ତପର୍ଣ୍ଣୀ, ବାନ୍ଧଣ, ଗନ୍ଧଣା ରକ୍ତଚିତା, ହସ୍ତୀଦନ୍ତା, ଗନ୍ଧଗୋହିରା, ଧଉରା, ହଲନ୍ଦ, କଳାଶିଶୁ, କାଙ୍କୋଲି, ଶାଳପର୍ଣ୍ଣି, ଅଗ୍ନିମନ୍ଥନ, ଅର୍କକାନ୍ତି, ବୀଜା, ଚକ୍ରକଦମ୍ବ, କେଳି କଦମ୍ବ,, ବେତ, ଗିଲ, ଭେଣ୍ଡିଆ, ମର୍ଦ୍ଦନ, ମେଧା, ମହାମେଧା, କୁରୁବେଲି, ମକୋଇ, ଦମ୍ବେଲ, ରୁଦ୍ରଜଟା, ବିଦାରିକନ୍ଦ, ଅଗ୍ନିତୁଣ୍ଡୀ, ଜୀବନ୍ତି, କୁଙ୍କୁମ, କର୍ପୂର, ଗୁଗୁଳ, ଇନ୍ଦ୍ରଜବ, ମାଷପର୍ଣ୍ଣି, ଅଷ୍ଟବର୍ଗ, ଆଦି କ୍ଷୁପ, ଜୁପ, ଦ୍ରୁମ ଜାତୀୟ ବୃକ୍ଷ ସମୂହ ଲୁପ୍ତପ୍ରାୟ। ଜୈବମଣ୍ଡଳରେ ବିଚିତ୍ର ଉଦ୍ଭାବନ ହେଉଛି “କ୍ରାନ୍ତୀୟ ଜଙ୍ଗଲ”। ସମ୍ପ୍ରତି ଓଡିଶାର ଜୀବନରେଖା କୁହାଯାଉଥିବା ଜଙ୍ଗଲରାଣୀ ନୟାଗଡ ବନଖଣ୍ଡ ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣପାଇଁ ପ୍ରାୟ ୩୨ ହଜାର ୭୯୨ ହେକ୍ଟର ଦୁର୍ଲଭ ଦୁର୍ମୂଲ୍ୟ ଘଞ୍ଚ ଜଙ୍ଗଲ କଟାଯିବ ବୋଲି କୁହାଯାଉଛି। ଏଠାରେ ପ୍ରଶ୍ନଉଠେ ପ୍ରଗତି ନେଇ ରେଳ ଲାଇନ ନିର୍ମାଣ ହେଉ; କିନ୍ତୁ ରାସ୍ତା ଗତିପଥ ଦିଗ ପରିବର୍ତ୍ତନ କରାଗଲେ ବହୁ ମୂଲ୍ୟବାନ ଜଙ୍ଗଲ ସମ୍ପଦ ବଞ୍ଚି ରହିବ ତାହା ଚିନ୍ତା କରିବାକୁ ହେବ।

ଜଙ୍ଗଲର ଦ୍ରୁତ କ୍ଷୟ କାରଣରୁ ଗତ ୧୦ ବର୍ଷ ମଧ୍ୟରେ ପୃଥିବୀରୁ ଲୋପ ପାଇଗଲେଣି ୭୩୨ ପ୍ରକାର ବନ୍ୟପ୍ରାଣୀ ଓ ପକ୍ଷୀ। ଭୋରା କମିସନଙ୍କ୍‍ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୬୦୦ ଲକ୍ଷ ଟନରୁ ଅଧିକ ମୃତ୍ତିକା କ୍ଷୟ ହେଉଛି। ଏହା ଛଡା ୭୦୦ କୋଟିରୁ ଅଧିକ ଟଙ୍କାର ନାଇଟ୍ରୋଜେନ, ଫସ୍‍ଫରସ୍‍, ପଟାସିୟମ ନଷ୍ଟ ହୋଇ ଜମିର ଉର୍ବରତା ନଷ୍ଟ ହେଉଛି। ତଦୋଽପରି ‘ପର୍ବତସଂଜାୟତେ ବାରି, ବାରି ସଞ୍ଚୟତେ ବୃକ୍ଷାଃ’; ଏଣୁ ପାହାଡ ପର୍ବତ ସଂରକ୍ଷଣ କଲେ ସ୍ୱୟଂକ୍ରିୟ ଭାବେ ସେଠାରେ ଜଙ୍ଗଲ ସୃଷ୍ଟି ହେବା ସହ ଜୈବ ବିବିଧତା ତିଷ୍ଠି ରହିବ।

ଓଡିଶାର ୩୦ ଗୋଟି ଜିଲାର ସର୍ବତ୍ର ପାହାଡ ପର୍ବତ ଓ ଜଙ୍ଗଲ ଯେପରି ନିଶ୍ଚିତ ସଂରକ୍ଷିତ ରହିବ, ସେଥିପାଇଁ ରାଜ୍ୟ ସରକାର ରାଜନୀତିର ଊର୍ଦ୍ଧ୍ବକୁ ଯାଇ ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ। ପିଲାଟି ଜନ୍ମ ହେବା ସମୟରେ ଅନ୍ତତଃ ୧୦ଗୋଟି ଚାରା ଶିକ୍ଷା ଉଦ୍ଦେଶ୍ୟରେ ଲଗାଇଲେ ବଡହେଲେ ଶିକ୍ଷା/ବିବାହ ଜନିତ ଖର୍ଚ୍ଚ ଅବଶ୍ୟ ମେଣ୍ଟିପାରିବ। ରାଜସ୍ଥାନର ଅଲୱାର ଜିଲାରେ ଏହି ନିୟମକୁ କଡାକଡି ଭାବରେ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶ ସରକାର ପ୍ରଣୟନ କରିଥିବା “ପଞ୍ଚବଟ ଯୋଜନା” ଓଡିଶା ସରକାର ମଧ୍ୟ ଆପଣାନ୍ତୁ। ଆଜିର ଦିନରେ ଉଦ୍ଭିଦ କୋଷର ଆବରଣରୁ ପ୍ରାପ୍ତ ଜୈବିକ ପଦାର୍ଥ “ସେଲୁଲୋଜ”ର ଚାହିଦା କ୍ରମଶଃ ବଢିଚାଲିଛି, ଯାହା ବିଶ୍ୱରେ ୩୩% ପହଞ୍ଚିଲାଣି। ସେଲୁଲୋଜର ଯଥେଷ୍ଟ ଚାହିଦା ହେତୁ ଜଙ୍ଗଲ ଓ ବୃକ୍ଷଜଗତ ଉପରେ ଯଥେଷ୍ଟ ଚାପ ପକାଇବ, ଫଳତଃ ଜୈବ ବିବିଧତାର ସ୍ଥିତିକୁ ଦୋହଲାଇଦେବ। ତେଣୁ ବେଳହୁଁ ସାବଧାନ। ଏହି ପରିପ୍ରେକ୍ଷୀରେ ଆମେ ଭୁଲିଯିବା ଉଚିତ୍‍ ନୁହେଁ ଯେ ବଣ ଜଙ୍ଗଲର ସବୁଜିମା, ସୁନ୍ଦର ପଶୁପକ୍ଷୀ ଦୁନିଆକୁ ସଙ୍କୁଚିତ କରିଦେବା ଅର୍ଥ ଖାଲି ଜୈବ ବିବିଧତାର ଅବକ୍ଷୟ ନୁହେଁ ଏଥି ସହିତ ଯୋଡି ହୋଇ ରହିଛି ଆପଣା ବିଲୁପ୍ତିର ପୂର୍ବାଭାସ। ଅତଏବ ସମସ୍ତଙ୍କୁ ଅନୁରୋଧ ଆମେ ଆମର ଜଙ୍ଗଲ, ପାହାଡ, ପର୍ବତ, ପଶୁପକ୍ଷୀ, ନଦୀ, ଝରଣା ସୁରକ୍ଷା ଅଭିଯାନରେ ପ୍ରତ୍ୟେ​‌େ​‌କ ସାମିଲ ହେବା ତଥା ଦ୍ରୁତ ଜଙ୍ଗଲ ବୃଦ୍ଧିରେ ଭାଗୀଦାର ହେବା।

Comments are closed.