ପିତା ଧର୍ମଃ ପିତା ସ୍ବର୍ଗଃ…

ଯେତେ ସବୁ ଘଟଣା ଘଟୁଛି ବା ଘଟାଯାଉଛି, ଯେତେ ସବୁ କାମ କରୁଛେ ବା କରାଉଛେ ତା’ ପଛରେ ଏକ କାରଣ ନିହିତ। ସେଇ କାରଣ ହିଁ ପ୍ରଚ୍ଛଦପଟର ପ୍ରକୃତ କର୍ତ୍ତା। ଆମେ ସବୁ, ଅନ୍ୟମାନେ ସବୁ ଏ କର୍ତ୍ତାର ତାଳପତ୍ର ସିପେହି ମାତ୍ର। ଏ କଥା ଯେ ବୁଝିଛି, ହେଜିଛି, ସେ ଏ ସବୁ କୋଳାହଳମୟ କର୍ମ ଓ ତା’ର କାଳ୍ପନିକ ଫଳ ଆଶାରେ ଧନ୍ଦି ହୁଏନି। ଶକ୍ତି, ପ୍ରେରଣା ଯେ ସେ ‘କାରଣ’, ତା’ ବୁଝିଗଲେ ଅଧା ବାଟରେ କିଏ ଆଉ ହାପୁସି ଯାଆନ୍ତେନି। ‘କାରଣ’ ସ୍ବଚ୍ଛ ହୋଇଗଲେ କର୍ମ ବି ତଦନୁଗତ ହୋଇ ତାଙ୍କୁ, ଆମକୁ ଓ ସଭିଙ୍କୁ ଆଉ ବାଟବଣା କରନ୍ତାନି। ଫୁଲ ଫଳରେ ଆମୋଦିତ ହେଉଥିବା ଲୋକ ଚେର ବା ମୂଳ କଥା କୋଉ ଚିନ୍ତି ଥାଏ? ସାଙ୍ଗ ହରି ସହ ଗୋପାଳ ଦୁଇଟି ଗୋଲାପ ଗଛ ଆଣିଥିଲେ। ଗୋପାଳର ଗଛଟା ଝାଉଁଳି ଗଲା, ମରିଗଲା ବି। କିଣିଲା ବେଳେ ଯୋଉ ଅଧାଫୁଟା ମନଲୋଭା କଢ଼ିଟା ଥିଲା, ତା’ ବି ଫୁଟି ପାରିଲାନି। ଗୋପାଳ କହିଲା, ‘‘ଶଳାଟା, ବଡ଼ବଡ଼ କଥା କହି ଆମକୁ ଠକି ଦେଲା’’। ତା’ ପରେ ସେ କୋଉ ଫୁଲ ରଙ୍କୁଣା କି, ହରି କଥାରେ ଭାସିଯାଇ କିଣି ଦେଇଥିଲା ସିନା। ଦେଢ଼ଶ’, ଦେଢ଼ଶ’ ତିନିଶହ ଟଙ୍କା ପାଣିରେ ପଡ଼ିଲା। ଏ କଥା ବି ସେ ଭୁଲି ଯାଇଥିଲା। ହରି ସାଙ୍ଗେ ତା’ର ଦେଖା ହୁଏ, ମାତ୍ର ଇଏ କୋଉ କଥାଟେ ଯେ ତାକୁ ପଚାରନ୍ତା? ମାତ୍ର ଚାରିମାସ ପରେ ସେ ହରି ଘରକୁ ଗଲାବେଳେ ଗୋଟାଏ ଗୋଲାପ ଗଛ ଛନ୍ଛନିଆ ହୋଇ ବଢ଼ିଯାଇନି କେବଳ, କି ସୁନ୍ଦର ନାଲି ନାଲି ଫୁଲମ !

ନେହେରୁ ସବୁଦିନ ଲଗଉଥିବା ଗୋଲାପ ଫୁଲଟା ବି ଏଙ୍କ ଆଗରେ ନିଊନ ଦିଶିବ। କହିଲା, ‘‘ହଇରେ ହରି, ଏତେ ଟଙ୍କା ଦେଇ ଗୋଲାପ ଗଛ ଦି’ଟା କିଣିଥିଲେ, ମରିଗଲା। ସେ ଫୁଲ ଗଛବାଲାଟା ଆମକୁ ଠକିଦେଲା। ତୁ ଆଉ ଗୋଟେ ଗଛ କୁଉଠୁ ଆଣିଲୁ, କେଡ଼େ ଲୋଭନୀୟ ହୋଇଛି ମ! ମୋ ପାଇଁ ଆଣି ନ ଥା’ନ୍ତୁ?’’ ହରି ଠୋ ଠୋ ହସିଲା। କହିଲା, ‘‘ଆରେ ଏଇଟା ସେଇ ଗଛ ଆମେ ଆଣିଥିଲେ। ତମେ ‘ଫାଷ୍ଟ ଫୁଡ’ ବାଲା ଗଛ କୋଉ ବଢ଼େଇ ପାରିବ? ଏଡ଼େ ଏଡ଼େ ଗୋଲାପ ଫୁଲ ଓ ତାକୁ ଛନଛନିଆ କରୁଛି ଏ ଗଛର ଚେର ଓ ମୂଳ। ସେଗୁଡ଼ା ମାଟି ତଳେ ଅଲକ୍ଷ୍ୟରେ ଗଛ ବଢ଼ାଇ ଥା’ନ୍ତି। ଚେର ପାଣି ନ ପାଇଲେ, ସେଥିରେ ଖତ ନ ଦେଲେ, ଚେର ସମ୍ପ୍ରସାରଣ ପାଇଁ ମାଟି ନ ଖୁରୁସାଇଲେ, ଡାଳ କି କାଣ୍ଡ କୋଉ ଛନଛନିଆ କି ଫୁଲ କି ଫଳ କୋଉ ଲୋଭନୀୟ ହେବ? ତୋର ଗଣ୍ଡାଗଣ୍ଡା ଚାକର। ଗଛରେ ପାଣି ଦେବାଟା ବି ଗୋଟେ କଳା। ତାକୁ ବି ଶିଖିବାର ଅଛି। ସେମାନେ ଗଛରେ ତ ପାଣି ଦିଅନ୍ତିନି, ପାଣି (ନଳି) ପାଇପକୁ ତା’ ମୂଳରେ ଲଗେଇ ତାଠୁ ମାଟି ଖସେଇ ଦିଅନ୍ତି। ଆରେ ଚେରମୂଳ ଦୁର୍ବଳ ହେଲେ ଗଛ କୁ ବଢ଼ିବ, ଫଳିବ କି ଫୁଟିବ? ୟେ ସେଇ ଗଛ। ଆମେ ଦି’ପ୍ରାଣୀ ସକାଳେ ସଞ୍ଜରେ ଏଇ ବଗିଚାରେ ଲାଗୁ। ୟେ ବି କମ୍ ବ୍ୟାୟାମ ନୁହଁ। ତମେ ଦିହେଁ ତ ‘ମର୍ଣ୍ଣିଂୱାକ୍’ (ପ୍ରାତଃଭ୍ରମଣ) କରିବ, ପୁଣି ଦି’ ଓଳି, ଗଛ କଥା ବୁଝିବ କେତେବେଳେ? ଆମେ ସବୁ ମୂଳ ତାଡ଼ି ଓଜାଡ଼ି ଏ ମାଟିକୁ ଖସେଇ ଦେଉଛେ। ତେଣେ ଫୁଲ ଫଳ ଆଶା କିନ୍ତୁ କରୁଛେ। କିରେ ୟେ କି କଥା?

ବଣରେ ରାମ ପରିତ୍ୟକ୍ତା ସୀତାଙ୍କୁ ବାଲ୍ମୀକି ମୁନି ଏଇ ଗଛ ବଢ଼େଇବା, ମଣିଷ ପିଲା ବଢ଼େଇବା କଥା ବି କହିଥିଲେ। କହିଲେ, ‘‘ଆଶ୍ରମର ତରୁଣ ତରୁ ନିକରେ, ଯତନେ ବଢ଼ାଇଣ ଘଟ ଜଳରେ, ନିରେଖିବା ଆଗରୁ ତନୟ ମୁଖ, ଲଭିବୁ ତନୟର ପାଳନ ସୁଖ।’’ ଆଜିକାଲି ତ ‘‘ନିରେଖିବା ଆଗରୁ ତନୟ ମୁଖ, ଲଭିବୁ ତନୟର ମାରଣ ସୁଖ’’, ତ ନୀତି ଆଦର୍ଶ, ‘‘ଭ୍ରୂଣହତ୍ୟା– ଦୋଷମୁକ୍ତା ପ୍ରଗତିକାଙ୍କ’’ ରାଇଜ ବନିବାକୁ ଯାଉଛି। ମୂଳ ମାରି, ମୂଳର ଉପଚାର ନ କରି ଫଳଫୁଲର ଏକ ଭ୍ରମାତ୍ମକ ଆଶାରେ ଜଡ଼ିତ ଏ ଲୋକଗୁଡ଼ା ଏଥିରେ ଜୀବନଯାତ୍ରାକୁ ଜଟିଳ ଓ ଦୁର୍ବିସହ କରିଦେଉଛନ୍ତି। ଗଛ ପତ୍ରଙ୍କ ପରି ଏ କଥା ବି ମଣିଷଠେଇ ଶତକଡ଼ା ଶହେ ପ୍ରଯୁଜ୍ୟ। ହାତ ଗୋଡ଼ ମୁଣ୍ଡ ଭଳି ମଣିଷର ପିତାମାତା ତା’ର ଏକ ଦେହାତୀତ ଅଙ୍ଗ। ତମେ କହିବ ‘ଏଇଟା ଗାଲୁଆଟା’, ହାତ ଗୋଡ଼ ଭଳି ବାପ ମା’କୁ ପୁଅ ଝିଅଙ୍କ ଦିହରେ ଲାଖି ରହିଛନ୍ତି କି ଲଟକି ରହିଛନ୍ତି? ‘ସମ୍ପର୍କ’ ଓ ‘ଭାବ’ ଏକ ଆଖି ଦେଖିଲା ବସ୍ତୁ ନୁହଁ। ଏ ଭାବ ଓ ସମ୍ପର୍କ ଅଙ୍ଗପ୍ରତ୍ୟଙ୍ଗଠୁ ବି ଢେର ବଳୁଆ, ଦୃଢ଼। ପଣ୍ଡିତେ, ତମେ କହୁନା, ନିଜେ କେତେ ଥର କହୁଛୁ ‘ରକ୍ତର ଡାକ’, ‘ରକ୍ତର ଆକର୍ଷଣ’। ରକ୍ତର କୁ ଜିଭ ଅଛି ଯେ ସେ କୁହାଟ ମାରି ଡାକ ପକେଇବ, କି ଲୁହା ଚୁମ୍ବକର ଶକ୍ତି, ରକ୍ତର କାଇଁ ମ?

ଏତେ କଥା ଛାଡ଼ ମ। ତମ ବିଜ୍ଞାନର ଉଦାହରଣରୁ ତମେ ହେଜ ଯେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି, ଆକର୍ଷଣ, ଦୃଷ୍ଟିର ବିଷୟ ଆଦୌ ନୁହଁ। ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକି କିଏ ଦେଖିଛି? ଅନୁଭବ କରୁଛି ମାତ୍ର? ଜିନିଷ ଉପରକୁ ଫିଙ୍ଗିଲେ ତଳକୁ ଖସି ପଡ଼ୁଛି କିଆଁ? ତମେ କ’ଣ ଦେଖିପାରୁଛ କିଏ ପଛରୁ ଏକୁ ଟାଣୁଛି? ମାଷ୍ଟ୍ରେ ପିଲାଙ୍କୁ ପଚାରିଲେ, ‘‘ମାଧ୍ୟାକର୍ଷଣ ଓ ମହାକର୍ଷଣ ଶକ୍ତି କ’ଣ? କ’ଣ ସେମାନଙ୍କ ମଧ୍ୟରେ ଫରକ? ଦୀନା କହିଲା, ‘‘ସାରେ, ଆମେ ପଡ଼ିଶା ଘର ପିଜୁଳି ଗଛକୁ ଟେକା ମାରିଲେ, ପିଜୁଳି ଛିଡ଼ି ଉପରକୁ ନ ଯାଇ ତଳକୁ ପଡ଼ିବା ‘ମାଧ୍ୟାକର୍ଷଣ’ ଶକ୍ତିର ପରିଣତି। ମାତ୍ର ସେ ଘରର ପାଚିଲାବାଳିଆ ଅଶୀ ବର୍ଷର ବୁଢ଼ୀ ତା’ ବଙ୍କୁଲି ବାଡ଼ି ଧରି, ‘‘ହଇରେ ବାଡ଼ିଖିଆ ପିଜୁଳି ଚୋର, ମୋ ପିଜୁଳି ଗଛକୁ କିଏ ଢେଲା ମାରୁଛ?’’ କହି ଧାଇଁ ଆସିବା ମହାକର୍ଷଣର କାରସାଦି।’’ ଶ୍ରେଣୀଯାକ ପିଲା ହସିହସି ଗଡ଼ିଗଲେ। ଦୀନା ପିଠିରେ ବତିଶ ଫାଳିଆ ବିଧାଟିଏ ଥୋଇଦେଲେ, ସାରା ଶ୍ରେଣୀକୁ ପୁଣି ତୁନି କରିଦେଲେ ସାରେ। ଦୀନା ନଟିଆଙ୍କ ଏ ଉପାଖ୍ୟାନରେ ଆକର୍ଷଣ, ବିକର୍ଷଣର ବହୁ ତତ୍ତ୍ବ ରହିଛି, ମାତ୍ର ଆଜିର ଆଲୋଚନାରେ ତା’ର ଆଲୋଚନା ଗୁଳା ହଜେଇବା ଭଳି ହେବ। ଘର କବାଟ ଉଚ୍ଚା ସରିକି ଥାକରେ ଟେଲିଭିଜନ (ଦୂରଦର୍ଶନ) ଯନ୍ତ୍ରଟା ରଖାଯାଇଛି। ସେଠି ଦେଖଉଥିବା ଦୃଶ୍ୟକୁ ବଦଳେଇ ଅନ୍ୟ ଦୃଶ୍ୟ ବା ବିଷୟକୁ ଯିବାକୁ ଘୋଡ଼ି ହୋଇ ଖଟରେ ପଡ଼ିଥିବା ମକୁ ବାବୁ ତାଙ୍କ ନୂଆ ମଫସଲିଆ ଚାକର ଟୋକାକୁ କହିଲେ। ସେ ଷ୍ଟୁଲ ଖୋଜିବାକୁ ଗଲା। କାରଣ ଟିଭିକୁ ତା’ ହାତ କୁ ପାଇବ? ମକୁ ବାବୁ ଗର୍ଜି ଉଠିଲେ, ‘‘ଆରେ ମୂର୍ଖ ‘ରିମୋଟ’ଟା ମତେ ଦେ।’’ ଅଗତ୍ୟା ସେ ଉଠି ‘ରିମୋଟ କଣ୍ଟ୍ରୋଲ’ (ଦୂର ନିୟନ୍ତ୍ରଣ)ରେ ଦୂରଦର୍ଶନ ଯନ୍ତ୍ରରେ ଗୋଟାକୁ ଗୋଟା କାର୍ଯ୍ୟକ୍ରମ ବଦଳେଇ ଚାଲିଲେ।

ଚାକର ଟୋକା ପରି ଆମେ ବି ଅଜ୍ଞ ଯେ ତାର ବା ବସ୍ତୁଗତ ମାଧ୍ୟମ ବିନା ଏ ସଂସାର ବା ଜଗତର ଗୁରୁତ୍ବପୂର୍ଣ୍ଣ ଓ ସୂକ୍ଷ୍ମ ସମ୍ପର୍କ ଓ ଘଟଣାମାନ ନିର୍ବାହିତ। ସେମିତି ଏକ ଗୁରୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପିତ ହୋଇଛି ବାପମା’ଙ୍କର ପିଲାଝିଲାଙ୍କ ସହ। ରିମୋଟ କ‌େଣ୍ଟ୍ରାଲ ପରି ସେମାନଙ୍କ ସନ୍ତୋଷ ଓ ଅସନ୍ତୋଷ ଏ ସମ୍ପର୍କକୁ ଦୃଢ଼ ବା ଦୁର୍ବଳ କରିଦିଏ। ଆଜିର ଏ ଦୃପ୍ତ ମଣିଷର ଚେର ଓ ମୂଳ ଅଛି ଓ ତା’ ଅଦୃଶ୍ୟ ମାତ୍ର ଅନୁଭବ୍ୟ। ଯାହାର ଏ ଅନୁଭବ ନାହିଁ, ତା’ର ରିମୋଟ ଟିଭି ଖରାପ, ମାତ୍ର ଏ ମୂଳର ବା ଚେରର ଶକ୍ତି ସେମିତି ଅକ୍ଷୁଣ୍ଣ ଓ ଅନାହତ। ସେଇଥି ପାଇଁ ଆମ ଶାସ୍ତ୍ରରେ କୁହାଯାଉଥିଲା, ‘‘ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା’’। ବାପ, ମା’ ଯେଉଁ ସନ୍ତାନ ଉପରେ ସନ୍ତୁଷ୍ଟ ତା’ର ଆଉ କୋଉ ଦେବତା ପୂଜିବା ଅନାବଶ୍ୟକ। ପାଶ୍ଚାତ୍ୟ ପଣ୍ଡିତ ମଣ୍ଡଳୀ ଏ ଦେଶ ସାରା ଜନତାର ସଫଳ ଓ ଶାନ୍ତିପୂର୍ଣ୍ଣ ଜୀବନ ଯାତ୍ରାର ସୂତ୍ର ଖୋଜି ପାଇ ନ ଥିଲେ ଅନେକ ଦିନ ପର୍ଯ୍ୟନ୍ତ। ସେ ଦେଶର ଅର୍ଥନୀତିଜ୍ଞମାନଙ୍କ ପରାମର୍ଶରେ ‘‘ଲ’ ଅଫ୍ ଡିମିନିସିଙ୍ଗ ମାର୍ଜିନାଲ ୟୁଟିଲିଟି’’ ତତ୍ତ୍ବାନୁଯାୟୀ ହଡ଼ା ବଳଦର ପୋଷା ଅଯଥା ଅର୍ଥ ଶ୍ରାଦ୍ଧ। ତେଣୁ ତାକୁ କଂସେଇକି ଦେବା ସ୍ବଚ୍ଛଳ ଅର୍ଥନୀତିର ସୂତ୍ର। ସେଇ ଅନୁସାରେ ବୁଢ଼ା ବାପ ମା’ଙ୍କୁ ସ୍ବୀୟ ପରିବାର (ସ୍ବାମୀ, ସ୍ତ୍ରୀ ଓ ପିଲାପିଲି) ମଧ୍ୟରେ ଖୁନ୍ଦିଲେ ଆର୍ଥିକ ବୋଝ ଅକାରଣ ବଢ଼ିବ। ତା’ ପରେ ପ୍ରତି ୫୦ ବର୍ଷରେ ମୂଲ୍ୟବୋଧରେ ପରିବର୍ତ୍ତନ ଘଟୁଥିବା ସଂସାର ସହ ଏ ସତୁରି ଅଶୀ ବର୍ଷର ବୃଦ୍ଧେ କୁଆଡ଼େ ଖାପ ଖାଇବେ?

ଅଶାନ୍ତି ସାର ମାତ୍ର, ତେଣୁ ସେ ଦେଶରେ ସ୍ଥବିରାଶ୍ରମ ଏକ ଆଧୁନିକ ଉଦ୍ଭାବନ ବନିଗଲା। ସଂସାରୀମାନଙ୍କ ଜୀବନକୁ ସ୍ବଚ୍ଛନ୍ଦର ନୂଆବାଟ ଦେଖେଇଲା। ଖୁନ୍ଦି ହୋଇ ଯାଉଛି ସେ ଦେଶରେ ସ୍ଥବିରାଶ୍ରମ। ନିଜ ରକ୍ତ ମାଂସ ଦେଇ ବହୁ ସ୍ନେହରେ କାଲି ବଢ଼େଇଥିବା ଏ ସନ୍ତାନମାନେ ଆଜି କି ନୃଶଂସ ନିଷ୍ଠୁର ହେଲେ କେମିତି? ଏବେ ଦେଖ ସେ ସବୁ ଦେଶରେ ଆତ୍ମହତ୍ୟା, ପରିବାର ବିଚ୍ଛେଦ, ଜୀବନକୁ କେମିତି ଦୁର୍ବିସହ କରି ଦେଇଛି? ସେଠି ସତୁରି ବର୍ଷର ବୁଢ଼ାବୁଢ଼ୀଙ୍କ ରକ୍ତମିଶା ଆଖି ଲୁହ ଏ କୃତଘ୍ନ ସନ୍ତାନମାନଙ୍କୁ ଜାଳି ପୋଡ଼ି ଦେଉଥିବା ବେଳେ, ଏ ଦେଶର ସତୁରି ଅଶୀ ବର୍ଷର ବୁଢ଼ାବୁଢ଼ୀଙ୍କ ବାଙ୍କୁଲି ବାଡ଼ିରେ ପାଞ୍ଚପୁଅ, ପଚିଶ ନାତିନାତୁଣୀଙ୍କ ଶାସନ କରିବାର ଆକର୍ଷଣ, ମମତା ଓ ଅମୃତତ୍ବ ଏ ଦେଶ ବ୍ୟତୀତ କିଏ ଆଉ ବୁଝିଥିଲା, ଅନୁଭବି ଥିଲା? ଦେଖୁ ନାହାନ୍ତି ଭୀଷ୍ମ ପିତାମହଙ୍କୁ। ବୃଦ୍ଧ ବାପା ରାଜା ଶାନ୍ତନୁ କୈବର୍ତ୍ତର ଷୋଡ଼ଶ ବର୍ଷୀୟା ସୁନ୍ଦରୀ କନ୍ୟା ପ୍ରତି ଆକର୍ଷିତ ହେବା ଓ ତା’ ବାପା ଦ୍ବାରା ପ୍ରତ୍ୟାଖ୍ୟାତ ହେବା ଘଟଣା ପରେ ବହୁଭାବେ ଆହତ ଓ ଦୁଃଖିତ ପିତା ଶାନ୍ତନୁଙ୍କ ଦୁଃଖ ଓ ଅବସୋସ ମେଣ୍ଟାଇବାକୁ ଯାଇ କୈବର୍ତ୍ତକୁ ଧମକ ଦେବା ଓ ତା’ ଝିଅର ପ୍ରାଧାନ୍ୟ ତଥା ସୁଖ ପାଇଁ ନିଜେ କେବଳ ରାଜଗାଦି ଛାଡ଼ିଲେନି, ଅବିବାହିତ ରହିବାର ପ୍ରତିଜ୍ଞା ପୁରାଣ ଓ ଆଜିର ବସ୍ତୁବାଦ ଜଗତରେ ବିରଳ। ଆଜିର ପିଲା ଚିଲେଇଥାନ୍ତେ, ‘‘ଶଳାଟା ବାପ ନା କ’ଣ ମ?

ସତୁରି ଅଶୀ ବର୍ଷରେ ଷୋଡ଼ଶୀ କନ୍ୟା ବିବାହ ମୋହରେ ପୋଡ଼ି ହେଉଛି। ଧିକ୍, ଶଳାକୁ ମାଡ଼ ଦରକାର। ମାତ୍ର ଭୀଷ୍ମ କ’ଣ କହିଲେ, ତାକୁ ଏ ଦେଶର ଏ ବାଳୁଙ୍ଗା ପୁଅ ଝିଅ ବୁଝିଛନ୍ତି ପଢ଼ିଛନ୍ତି କେତେ? ବିଳମ୍ବରେ ବୁଝିଥିବା ତମ ସାଇବଙ୍କ ଭାଷାରେ, ‘‘Father is above reason and question.’’ ପିତା ସମସ୍ତ ନୀତିନିୟମ ଓ ପ୍ରଶ୍ନର ଊର୍ଦ୍ଧ୍ବରେ।

ବିଶ୍ବବିଜୟୀ ଆଲେକ୍ଜାଣ୍ଡରଙ୍କ କଥା ଦେଖୁନା। ତାଙ୍କ ମା’ ଭାରି ଦୁଷ୍ଟା ଥିଲେ। ମାତ୍ର ଏ ମାତୃଭକ୍ତ ସମ୍ରାଟ୍ଙ୍କର ମାତୃ ଭକ୍ତି ଏ ଯାଏ ବି ଅତୁଳନୀୟ ରହିଛି। ତାଙ୍କ ମା’ଙ୍କ ବିରୁଦ୍ଧରେ ରାଜ୍ୟ ଶାସନ କରୁଥିବା ଗଭର୍ଣ୍ଣର ବିଦେଶରେ ରାଜ୍ୟ ଜୟରେ ବ୍ୟସ୍ତ ଥିବା ଆଲେକଜାଣ୍ଡରଙ୍କୁ ଗଣ୍ଡା ଗଣ୍ଡା ପତ୍ର ଲେଖନ୍ତି। ‘‘ଆପଣଙ୍କ ମା’ଙ୍କୁ ସହ୍ୟ କରିବା କଷ୍ଟକର। ମୋତେ ଏ ଶାସନରୁ ମୁକ୍ତି ଦିଅନ୍ତୁ। ତାଙ୍କ ସହ ମୁଁ ଚଳି ପାରିବିନି।’’ ଉତ୍ତରରେ ଆଲେକ୍ଜାଣ୍ଡର ଲେଖିଛନ୍ତି, ‘‘ହେ ସ୍ନେହାସ୍ପଦ ଗଭର୍ଣ୍ଣର, ତୁମ ସମସ୍ତ ଅଭିଯୋଗ ସତ୍ୟ, ମାତ୍ର ତମେ ଏ ଛୋଟିଆ କଥାଟି କେମିତି ବୁଝିପାରୁନ ଯେ ସେ ମୋର ମାତା। ବହୁବର୍ଷ ପରେ ଯେତେବେଳେ ମୁଁ ରାଜଧାନୀକୁ ଫେରିବି, ସେ ମତେ କୁଣ୍ଢାଇ ପକେଇବେ ଓ ତାଙ୍କ ଆଖିର ଦୁଇଧାର ଲୁହ ମୋ ଗାଲରେ ବୋହିଯିବ, ସେତେବେଳେ ତମର ଏ ଗଦା ଗଦା ଅଭିଯୋଗ କେମିତି ପାଣି ହୋଇ ବୋହିଯିବ,…. ‘‘That her drop of tears would wash out your heaps of complaints. Please bear with her’’. ଇଏ ଇତିହାସର କଥା, ଗୁଲି ଗପ ନୁହଁ।

ଏବେ ବମ୍ବେର ସର୍ବୋଚ୍ଚ ନ୍ୟାୟାଳୟ ବିଦେଶାଗତ ଏକ କନ୍ୟାର ପିତୃସମ୍ପତ୍ତିରେ ଦାବି ସମ୍ପର୍କିତ ମୋକଦ୍ଦମାର ବିଚାର କରି ଯେଉଁ ରାୟ ପ୍ରଦାନ କରିଛନ୍ତି, ସେଥିରୁ ଭାରତୀୟ ଦର୍ଶନ ଓ ଋଷିମହାଋଷିଙ୍କ ଆଶୀର୍ବାଦ ଓ ଶକ୍ତି ସେମାନଙ୍କ କଲମକୁ ଶକ୍ତିମୟ କରିଦେଇଥିବା ଜଣାପଡ଼େ। ସମ୍ପତ୍ତିଆତୁରା ଏଭଳି କୃତଘ୍ନ କନ୍ୟାକୁ ସେମାନେ ଢେର ଭର୍ତ୍ସନା କରିଛନ୍ତି ଓ ତୁରନ୍ତ ପିତାଙ୍କ ବାସଭବନ ଛାଡ଼ି ଚାଲିଯିବାକୁ କହିଛନ୍ତି। ସେଇ ଧର୍ମାବତାର ମହାଭାଗମାନଙ୍କ ଚରଣ ତଳେ କୋଟି ସାଷ୍ଟାଙ୍ଗ ଦଣ୍ଡବତ। ଆଜି ଆମ ଓଡ଼ିଶାରେ ସ୍ଥବିରାଶ୍ରମମାନ ଘୁଘୁ ବଢ଼ିଲାଣି। ଏଥିରୁ ବର୍ଣ୍ଣସଙ୍କରମାନଙ୍କ ସଂଖ୍ୟା ବଢ଼ି ଚାଲିଥିବା ଜଣାପଡ଼ିଲାଣି। ସରକାର ଏଭଳି ଝଡ଼ା ବାଳୁଙ୍ଗା ପୁଅ ଝିଅଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରନ୍ତୁ। ବୃଦ୍ଧ ପିତାମାତାଙ୍କ ସମ୍ପତ୍ତି ବା ସେମାନଙ୍କୁ ଅଯତ୍ନ ପ୍ରତି ଅଭିଯୋଗ ଓ ଘଟଣାକୁ ସରକାର ନିଜ ତରଫରୁ ଲଢ଼ନ୍ତୁ। ତେବେ ଯାଇ ଏ ବାଳୁଙ୍ଗା ଦଳ ଆଉ ଏ ପବିତ୍ର ଭାରତ ଭୂମିର ମାଟିକୁ ମଇଳା କରନ୍ତେ ନାହିଁ। ଗୀତାରେ ତ କୃଷ୍ଣ କହିଲେ– ‘‘ଦୋଷୈରେତୈଃ କୁଳଘ୍ନାନାଂ ବର୍ଣ୍ଣସଙ୍କରକାରକୈଃ।
ଉତ୍ସାଦ୍ୟନ୍ତେ ଜାତିଧର୍ମାଃ କୁଳଧର୍ମାଶ୍ଚ ଶାଶ୍ବତାଃ।। ଉତ୍ସନ୍ନକୁଳଧର୍ମାଣାଂ ମନୁଷ୍ୟାଣାଂ ଜନାର୍ଦନ। ନରକେଽନିୟତଂ ବାସୋ ଭବତୀତ୍ୟନୁଶୁଶ୍ରୁମ୍।।

Comments are closed.