ସମ୍ବିଧାନ ପାଠଶାଳା

ସତ୍ୟବ୍ରତ ବାରିକ

ଭାରତର ପ୍ରତ୍ୟେକ ନାଗରିକ ଦେଶର ସମ୍ବିଧାନ ସମ୍ବନ୍ଧୀୟ ମୌଳିକ ଜ୍ଞାନ ଓ ମୂଲ୍ୟଗୁଡ଼ିକୁ ହାସଲ କରିବା ଆବଶ୍ୟକ। ଏହା ବ୍ୟକ୍ତି ପାଇଁ ଯେତିକି, ରାଷ୍ଟ୍ର ହିତରେ ସେତିକି ଜରୁରୀ। ଖାଲି ଚେତନା ସ୍ତରରେ ନୁହେଁ; ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଏସବୁକୁ ପାଳନ କରିବା ଆବଶ୍ୟକ, ନଚେତ୍‌ ଲୋକତନ୍ତ୍ର ଏ ମାଟିରେ ମଜଭୁତ ହୋଇପାରିବ ନାହିଁ।

ଆପଣାକୁ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର କହିବାରେ ବାଧା ନାହିଁ, ମାତ୍ର ଯେ କେହି ସଚେତନ ବ୍ୟକ୍ତି ଜାଣନ୍ତି ଏହା କେବଳ ଆକାରକୁ ବୁଝାଏ। ଗଣତନ୍ତ୍ରର ଢାଞ୍ଚାଟିଏ ତିଆରି ହୋଇଛି, ତାହାକୁ ଧରିରଖିବା ପାଇଁ ଆନୁଷ୍ଠାନିକ ସ୍ତମ୍ଭମାନ ତିଆରି ହୋଇଛି; ମାତ୍ର ସେଗୁଡିକର କାର୍ଯ୍ୟକାରିତା ଏଯାଏ ଲୋକମୁଖୀ ହୋଇ ପାରିନାହିଁ, ଲୋକମାନଙ୍କର ଆଶାପୂରଣରେ ସହାୟକ ହୋଇନାହିଁ। ଗଣତନ୍ତ୍ର ବହୁମତକୁ ନେଇ ପରିଚାଳିତ ହୁଏ। ବହୁମତ ନିର୍ବାଚନ ଜରିଆରେ ସାବ୍ୟସ୍ତ ହୁଏ; ମାତ୍ର ଘୋର ଦୁର୍ଭାଗ୍ୟର ବିଷୟ ବହୁମତ ଯୋଗାଡ଼ ନିମନ୍ତେ ପରିଚାଳିତ ନିର୍ବାଚନ ପ୍ରକ୍ରିୟା ପ୍ରଲୋଭନ, ଟଙ୍କା ଓ କ୍ଷମତାର ଅସାଧୁ ଦୁରୁପଯୋଗ ସହିତ ମତଦାତାଙ୍କ ଅଜ୍ଞତା ଓ ଅସ୍ଥିର ମାନସିକତା ଯୋଗୁ ଭୀଷଣ ବିଭ୍ରାଟର ଶିକାର ହୋଇଛି। କ୍ଷମତା ଅପବ୍ୟୟ ଓ ମିଥ୍ୟାଚାର ବଳରେ ଭୋଟ ସଂଗ୍ରହ କରିବା, ତଥା କୌଣସି ଦଳ ଭୋଟର ସଂଖ୍ୟାର ଅଧାରୁ କମ ଭୋଟ ପାଇ ସରକାର ଗଠନ କରିବା ସମ୍ବିଧାନ ପ୍ରତି ପ୍ରବଞ୍ଚନା। ଏହା ଏକ ଛଦ୍ମ ଗଣତନ୍ତ୍ର। ସେ ପର୍ଯ୍ୟନ୍ତ ସମ୍ବିଧାନ ପ୍ରତି ପ୍ରବଞ୍ଚନା ଏହିପରି ଲାଗି ରହିଥିବ ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ସମ୍ବିଧାନ ବିଷୟରେ ସଚେତନ ତଥା ତାହା ପ୍ରତି ସଂକଳ୍ପବଦ୍ଧ ହୋଇନାହାନ୍ତି।

ସମ୍ବିଧାନ ଶିକ୍ଷା କାହିଁକି ଗୁରୁତ୍ୱପୂର୍ଣ୍ଣ? କାରଣ ଆମେ, ଭାରତୀୟ ଜନଗଣ, ସ୍ୱାଧୀନତା ପରେ ଏ ଦେଶକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ନେଲୁ, ଯାହାକି ପୂର୍ବରୁ ମୂଳତଃ ରାଜତାନ୍ତ୍ରିକ ପଦ୍ଧତିରେ ହଜାର ହଜାର ବର୍ଷ ଶାସିତ ହୋଇଆସିଥିଲା। ରାଜତାନ୍ତ୍ରିକ ମୂଲ୍ୟ, ପ୍ରଥା ଓ ବିଚାର ଏ ଦେଶ ଲୋକଙ୍କ ଶିରାପ୍ରଶିରାରେ କୋଷ-କଣିକା ହୋଇ ସହସ୍ର ପିଢ଼ିଧରି ପ୍ରବାହିତ ହୋଇଆସିଥିଲା। ସେହି ତନ୍ତ୍ର ଓ ପ୍ରବାହକୁ ହଟାଇ ଏକ ଲୋକ-କୈନ୍ଦ୍ରିକ, ପୂର୍ବତନ ପ୍ରଜାଗଣଙ୍କୁ ମାଲିକ ସ୍ୱୀକାର କରୁଥିବା ଏକ ନୂତନ ବ୍ୟବସ୍ଥା ଗ୍ରହଣ କରାଗଲା, ଏକ ସାମ୍ବିଧାନିକ ସଂକଳ୍ପ ଓ ସର୍ବସମ୍ମତ ଦସ୍ତାବିଜ ଜରିଆରେ।

ସଂକଳ୍ପ, ସଂକଳ୍ପ ମାତ୍ର ହେଲା। ସଂକଳ୍ପଗୁଡିକୁ କାର୍ଯ୍ୟରେ ପରିଣତ ସକାଶେ ଭୂମି ପ୍ରସ୍ତୁତ ହୋଇନାହିଁ। ପୂର୍ବରୁ ଦୃଢ଼ ହୋଇ ରହିଥିବା ପିରାମିଡୀୟ ସାମାଜିକ ବ୍ୟବସ୍ଥା, ରାଜତାନ୍ତ୍ରିକ ଯୁଗର ମାନସିକତା, ରାଜା-ଗୁରୁ-ବ୍ରାହ୍ମଣ ପ୍ରତି ନିଃସର୍ତ୍ତ ଆନୁଗତ୍ୟ ଓ ରାଜବଂଶୀୟ ମୃତ ବ୍ୟକ୍ତିଙ୍କୁ ଦେବଦେବୀ ବୋଲି ଖାତିର ଏବଂ ଧର୍ମ ନାମରେ ଜାତିପ୍ରଥା ଭଳି ମଣିଷର ବିଭାଜନକୁ ଅପରିବର୍ତ୍ତିତ ରଖିବା ଆଜି ବି ଯାଇନାହିଁ। ଲୋକେ ଶୁଭାଶୁଭ ନିଷ୍ପତ୍ତି ନେଲାବେଳେ କିମ୍ବା ସର୍ବସାଧାରଣରେ ଆଲୋଚନା ବେଳେ ଅନାୟାସରେ ଗୀତା, ଭାଗବତ, ରାମାୟଣ, ମହାଭାରତରୁ ଚରିତ୍ର ଉପାଖ୍ୟାନ ଉଦ୍ଧାର କରି ପକାଉଛନ୍ତି। ମାତ୍ର ସ୍ୱାଧୀନତାର ପଞ୍ଚସ୍ତରି ବର୍ଷ ପରେ ମଧ୍ୟ ସାଧାରଣ ଲୋକଙ୍କ ମୁଖରେ ସମ୍ବିଧାନର ଇତିହାସ, କାହାଣୀ, ଧାରା, ସମ୍ବିଧାନ ନିର୍ମାତା ବା ମୂଲ୍ୟମାନ ସହଜତାର ସହିତ ଉଚ୍ଚାରିତ ହେବାର ଦେଖାଯାଉନାହିଁ। ବରଂ ଦୁର୍ଭାଗ୍ୟ, ଯେଉଁମାନଙ୍କୁ ଆମେ ନେତା ଓ ରାଜନୀତିଜ୍ଞ ବୋଲି ସମ୍ମାନ ଦେଉଛୁ ସେମାନେ ସେଇ ରାଜତନ୍ତ୍ରୀୟ ପ୍ରଥାକୁ ଧରି ନିର୍ବାଚନ ଲଢ଼ୁଛନ୍ତି। ରାଜା ମହାରାଜାଙ୍କ ଗୌରବ ଗାନ କରି ସାଧାରଣ ଲୋକଙ୍କୁ ମୋହାଚ୍ଛନ୍ନ କରି ରଖୁଛନ୍ତି। ରାଜତାନ୍ତ୍ରିକ ପ୍ରଥା ଅନୁସାରେ ମନ୍ଦିର ବା କୌଣସି ଧର୍ମପୀଠରେ ପୂଜାପାଠ କରି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଭଳି ଉଚ୍ଚ-ପଦାଧିଷିକ୍ତ ନେତାମାନେ ନିର୍ବାଚନ ପ୍ରଚାର ଶୁଭାରମ୍ଭ କରୁଛନ୍ତି। ଥରେ ଭାବନ୍ତୁ ଏହି ନେତାମାନଙ୍କ ଦେଇ ଦେଶ ଲୋକତନ୍ତ୍ର ଦିଗରେ ଗତି କରିବ କିପରି?

ଯେଉଁ ଲୋକମାନେ ନିଜର ସର୍ବନିମ୍ନ ନାଗରିକ ଅଧିକାର, ମତଦାନ ଅଧିକାରଟିକୁ କେତୋଟି ଟଙ୍କା ବିନିମୟରେ ସିଆଣିଆ ନେତାଙ୍କ ହାତକୁ ଟେକି ଦେଉଛନ୍ତି ସେମାନେ ପଲ୍ଲୀସଭା, ଗ୍ରାମସଭା ଭଳି ତଳସ୍ତରର ଗଣତାନ୍ତ୍ରିକ ଧାରାରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି କିପରି ଆଶା କରିବା? ଏଥିରୁ ଅନୁମାନ କରିହେବ ସମ୍ବିଧାନରେ ସନ୍ନିହିତ ମୂଲ୍ୟଗୁଡିକୁ ସମାଜର ନିମ୍ନ ପ୍ରସ୍ଥରେ ରୋପଣ କରିବାର କେତେ କାର୍ଯ୍ୟ ବାକି ଅଛି।

ଆପଣ ଭାବିପାରନ୍ତି ସ୍କୁଲ କଲେଜରେ ରାଜନୀତି ପରି ବିଷୟ ମାଧ୍ୟମରେ ସାମ୍ବିଧାନିକ ଧାରା ଉପରେ ଶିକ୍ଷାଦାନ ତ କରାଯାଉଛି। ଏହା ସତ୍ୟ, ମାତ୍ର ଆମ ଶିକ୍ଷା ବ୍ୟବସ୍ଥାରେ ଅଧିକ ନମ୍ବର, ଉଚ୍ଚସ୍ଥାନ ହାସଲ ଓ ଚାକିରି ପାଇବା ଆଶାରେ ଶିକ୍ଷାର୍ଥୀ ଅଧ୍ୟୟନ କରନ୍ତି, ସକ୍ରିୟ ନାଗରିକ ହେବାପାଇଁ ନୁହେଁ। ସମ୍ବିଧାନକୁ ପଢି ବୁଝି କାମରେ ଲଗାଇବା ଲକ୍ଷ୍ୟରେ ଅଧ୍ୟୟନ କରୁଥିବା ବ୍ୟକ୍ତି ବିରଳ। ଗତ ୨୦୧୫ରେ କେନ୍ଦ୍ର ସରକାର ନଭେମ୍ବର ୨୬କୁ ଜାତୀୟ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା କଥା ଘୋଷଣା କଲେ। ସେହି ବର୍ଷ ଥିଲା ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜନ୍ମ ବାର୍ଷିକ ଏବଂ ୧୯୪୯ ମସିହା ସେହି ତାରିଖରେ ସମ୍ବିଧାନଟି ସାମ୍ବିଧାନିକ ସଭାରେ ଗୃହୀତ ହୋଇଥିଲା। ଏହି ଅବସରରେ ‘ଦ’ ହିନ୍ଦୁ’ରେ ‘ହାଓ ଇନଫର୍ମଡ଼ ଆର୍ ୟୁ ଆବାଉଟ ଦ କନଷ୍ଟିଚିଉସନ ଅଫ ଇଣ୍ଡିଆ’ ଶୀର୍ଷକ ଲେଖାଟିଏ ପ୍ରକାଶିତ ହୋଇଥିଲା। ଏଥିରେ ଲେଖକ ଆଲବର୍ଟ ପି ରାୟନ ଶିକ୍ଷକ ଓ ଶିକ୍ଷାର୍ଥୀମାନେ ସମ୍ବିଧାନର ସାରତତ୍ତ୍ୱ ପ୍ରାଞ୍ଜଳ ଭାବେ ବୁଝିବା ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ। ତାଙ୍କର ଯୁକ୍ତି ଥିଲା ଯେ ଶିକ୍ଷାର୍ଥୀମାନେ ସମ୍ବିଧାନ ଶିକ୍ଷା ପାଇ ଆଗକୁ ଦକ୍ଷ ନେତା ହୋଇପାରିବେ। ଲେଖକଙ୍କୁ ଯଥାସମ୍ମାନ ପ୍ରଦାନ ସହ ମୁଁ ଏହା କହିବାକୁ ଚାହେଁ ଯେ ଅଗଣିତ ସାଧାରଣ ଜନଙ୍କ କଥା ଏତେ ସହଜରେ ଆମେ ଭୁଲିଯାଉ କିପରି? ଯେଉଁମାନଙ୍କ ସଂଖ୍ୟା ଦେଶରେ ସର୍ବାଧିକ, ଯେଉଁମାନଙ୍କ ଭୋଟ ଯୋଗୁଁ ସରକାର ଗଠନ ସମ୍ଭବ ହୁଏ, ସେମାନେ କାହିଁକି ସମ୍ବିଧାନ ସଚେତନ ନ ହେବେ? ଯେଉଁ ଦେଶ ହଜାର ହଜାର ବର୍ଷ ରାଜତନ୍ତ୍ର ଦ୍ୱାରା ଶାସିତ ଥିଲା ଓ ପ୍ରଜାକୁଳ ନାନା ପ୍ରକାର ଅଭାବ, ଶୋଷଣ, ଅତ୍ୟାଚାର, ଅବହେଳାର ଯନ୍ତ୍ରଣା ଭୋଗିଥିଲେ ସେହି ଦେଶ ଯେତେବେଳେ ଆସି ଏକ ବିରାଟ ଐତିହାସିକ ମୋଡ଼ରେ ପହଞ୍ଚିଲା ସେହି ମୁହୂର୍ତ୍ତରୁ, ଅର୍ଥାତ୍‌ ସ୍ୱାଧୀନତାର ସକାଳଠାରୁ ନାଗରିକମାନଙ୍କୁ ଲୋକତନ୍ତ୍ରର ସାରମର୍ମ, ସାମ୍ବିଧାନିକ ଆଦର୍ଶମାନ ଶିଖାଇବାର ପ୍ରୟାସ କରାଗଲା ନାହିଁ କାହିଁକି? ମତଦାତାଙ୍କୁ ଅନ୍ଧକାରରେ ରଖି କଳେବଳେ ଭୋଟଗୁଡ଼ିକୁ ସେମାନଙ୍କ ହାତରୁ ଛଡ଼େଇ ନେବା ଗଣତନ୍ତ୍ର ହେଇଗଲା କିପରି?

ସମ୍ବିଧାନ ପାଠଶାଳା ଏକ ପ୍ରସ୍ତାବନା, ଏକ ପରିକଳ୍ପନା। ସମ୍ବିଧାନର ମୂଳମନ୍ତ୍ରଗୁଡିକ ସମସ୍ତଙ୍କ ପାଇଁ ଲୋଡ଼ା ଓ ସମସ୍ତେ ଏହି ଶିକ୍ଷାଗ୍ରହଣ ପାଇଁ ଯୋଗ୍ୟ- ବୟସ, ଶିକ୍ଷା ଯୋଗ୍ୟତା ଯାହା ହେଇଥାଉନା କାହିଁକି। ଅନେକଙ୍କର ଧାରଣା କେବଳ ଆଇନଜ୍ଞ, ଆଇନଜୀବୀ ରାଜନୀତି ଅଧ୍ୟାପକ ଭଳି ବିଦ୍ୱାନ୍‌ମାନେ ସମ୍ବିଧାନ ଧାରାଗୁଡିକ ବୁଝିପାରିବେ, ସାଧାରଣ ଲୋକେ ନୁହେଁ। ଏ ବିଚାରଟି ଭୁଲ। ଯେଉଁମାନେ ଭାବନ୍ତି ଭଗବଦ୍‌ଗୀତା ବା ଉପନିଷଦ ଭଳି ଶାସ୍ତ୍ର ସାଧାରଣ ଲୋକଙ୍କ ବୁଝିବା ଶକ୍ତି ବାହାରେ, ସେହିପରି ବ୍ୟକ୍ତିମାନେ ଏପରି ଚିନ୍ତା କରନ୍ତି। ଯଦି କୌଣସି ଶାସ୍ତ୍ର ସାଧାରଣ ଲୋକଙ୍କ ବୋଧଶକ୍ତି ବାହାରେ ସେ ଶାସ୍ତ୍ରର ଆବଶ୍ୟକତା କଅଣ? ଯଦି ଚାଷୀ, ଶ୍ରମିକ, କାରିଗର ଓ ଗୃହିଣୀ ପରି ସାଧାରଣ ନାଗରିକମାନେ ସମ୍ବିଧାନର ମୂଳକଥାଗୁଡ଼ିକ ବୁଝିପାରିବେ ନାହିଁ, ତେବେ ସେମାନଙ୍କଠାରୁ ରାଷ୍ଟ୍ର ଭୋଟ ଆଦାୟ କରିବ କାହିଁକି? କୌଣସି ଜ୍ଞାନକୁ ଦୁର୍ବୋଧ୍ୟ କହି ଗୋଟିଏ ସଂଖ୍ୟା ଗରିଷ୍ଠ ଜନ-ସମୁଦାୟକୁ ଏଥିରୁ ବଞ୍ଚିତ କରାଯାଇ ପାରିବ ନାହିଁ। ଯେଉଁ ବିଦ୍ୱାନ ବା ବିଶେଷଜ୍ଞ ତାଙ୍କର ଅର୍ଜିତ ଜ୍ଞାନକୁ ଅନ୍ୟମାନଙ୍କୁ ବୁଝାଇ ପାରିବେ ନାହିଁ ତାଙ୍କୁ ବିଜ୍ଞ କୁହାଯାଇପାରିବ ନାହିଁ। କହିବା ଅର୍ଥ, ଏହା ସମ୍ଭବ। ସମ୍ବିଧାନର ନୀତି, ମୂଲ୍ୟ, ବିଚାର ଆଦି ସାଧାରଣ ନାଗରିକଙ୍କୁ ବୁଝାଇବା ସମ୍ଭବ। ଭିନ୍ନ ଭିନ୍ନ ସାମାଜିକ, ଆର୍ଥିକ ଓ ଧାର୍ମିକ ପରିବାରରୁ ଆସି ଏକାଠି ପଢ଼ୁଥିବା ପିଲା ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅସମାନତା ବୁଝନ୍ତି; କାରଣ ବିଶ୍ଳେଷଣ କରି ଦେଖାଇବା ଶିକ୍ଷକଙ୍କ ପାରଦର୍ଶିତା ଉପରେ ନିର୍ଭର କରେ ଏବଂ ଅସମାନତାଗୁଡିକ ସମାଜରେ ଅଛି ବୋଲି ତ ସମାନତାର ପାଠ ସମ୍ବିଧାନ ଶିଖାଉଛି।

ସମ୍ବିଧାନ ରଚିତ ହୋଇଥିଲା କେବଳ ରାଷ୍ଟ୍ରର ସ୍ୱରୂପ ଆଙ୍କିବା ପାଇଁ ବା ସରକାର ଗଠନର ମାର୍ଗ ଦର୍ଶନ ନିମନ୍ତେ ନୁହେଁ। ଆଇନ ତିଆରି, ଆଇନ କାର୍ଯ୍ୟକାରୀ ଓ ଆଇନର ଶାସନ ନିଶ୍ଚିତ କରିବାରେ ଏହା ସୀମିତ ନୁହେଁ। ସମ୍ବିଧାନ ନିର୍ମିତ ହୋଇଛି ରାଜତନ୍ତ୍ରରୁ ଓ ସାମନ୍ତବାଦରୁ ମୁକ୍ତ ଏକ ପ୍ରଜାପ୍ରଧାନ ଗଣରାଜ୍ୟ ପ୍ରତିଷ୍ଠା ଲକ୍ଷ୍ୟରେ। ୩୯୫ଟି ଧାରା ବିଶିଷ୍ଟ ଏହି ସମ୍ବିଧାନରେ ପ୍ରତିଫଳିତ ହୋଇଛି ସମାନତା, ସ୍ୱାଧୀନତା, ନ୍ୟାୟ, ସ୍ବଧର୍ମସମାନତା, ବ୍ୟକ୍ତି ମର୍ଯ୍ୟାଦା ଓ ପାରସ୍ପରିକ ସଦ୍ଭାବ ସମ୍ପନ୍ନ ଏକ ସମାଜର ଛବି। ଜାତିଗତ ଭେଦ ଓ ଶୋଷଣରୁ ମୁକ୍ତି, ମହିଳାଙ୍କୁ ସୁରକ୍ଷା ଓ ପୁରୁଷ-ସମମର୍ଯ୍ୟାଦା ପ୍ରଦାନ ଏବଂ ଅସ୍ପୃଶ୍ୟ ଭଳି ଅମାନୁଷିକ ପ୍ରଥାର ଉଚ୍ଛେଦ ମୌଳିକ ଅଧିକାର ଭିତରେ ଅନ୍ତର୍ଭୁକ୍ତ। ରାଷ୍ଟ୍ର ନିର୍ଦେଶାବଳୀରେ ଅନ୍ୟତମ ଅଂଶ ରହିଛି ନାଗରିକମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ମତ ମାନସିକତା ଜାଗରଣର ଆହ୍ୱାନ; ଅର୍ଥାତ୍‌ ପ୍ରାଚୀନ କୁସଂସ୍କାର ଓ ଅନ୍ଧବିଶ୍ୱାସଗୁଡିକରୁ ମୁକ୍ତ ଏକ ସ୍ୱଚ୍ଛ ଆଲୋକିତ ସମାଜର ସ୍ବପ୍ନ। ସାଧାରଣ ଲୋକଙ୍କୁ ପ୍ରସ୍ତୁତ ନ କଲେ ଏପରି ସମାଜର ସୋପାନ ତିଆରି ହେବ କିପରି? କେବଳ ଅଦାଲତ ପ୍ରକୋଷ୍ଠ ମଧ୍ୟରେ ବିତର୍କରେ ସୀମିତ, ଅବା ବିଦ୍ୱାନ ଅଧ୍ୟାପକ ଗବେଷକଙ୍କ ସେମିନାର ପାଇଁ ପ୍ରସ୍ତୁତ ନିବନ୍ଧ ପଠନରେ ସୀମିତ ରହିବ ନାହିଁ ଆମ ସମ୍ବିଧାନ; ବରଂ ଜନସାଧାରଣଙ୍କ ଜୀବନ ସହ ଜଡ଼ିତ ହୋଇ ଛୋଟ-ବଡ଼ ବୈଠକ ଓ ପାଠଶାଳାରେ ଏହାର ସାରାଂଶ ଚର୍ଚ୍ଚା ହେଲେ ଯାଇ ଏ ଗଣରାଜ୍ୟକୁ ଅସଲରେ ଜନଗଣ ଆପଣା ରୀତିରେ କାମରେ ଲଗାଇ ପାରିବେ।

Comments are closed.