ବିକାଶର ସଂଜ୍ଞା ଓ ସ୍ବରୂପ

ଅରବିନ୍ଦ ବେହେରା

‘ବିକାଶ’ ସାଂପ୍ରତିକ ସମୟର ଏକ ବହୁଳ ବ୍ୟବହୃତ ଶବ୍ଦ। ଅର୍ଥନୀତିଜ୍ଞମାନେ ଅର୍ଥନୈତିକ ଅଭିବୃଦ୍ଧି (ଗ୍ରୋଥ୍‍) ଓ ବିକାଶ (ଡେଭଲପମେଣ୍ଟ) ମଧ୍ୟରେ ପାର୍ଥକ୍ୟ ଥିବା କଥା କହନ୍ତି। ରାଜନୈତିକ ବ୍ୟକ୍ତିମାନେ ଅନେକ ସମୟରେ ଏହି ପାର୍ଥକ୍ୟ ସଂପର୍କରେ ଏତେ ସଚେତନ ନଥାନ୍ତି। ଉଦାହରଣସ୍ୱରୂପ ସେମାନେ ବିକାଶ କଥା କହୁଥିବାବେଳେ ପ୍ରକୃତରେ ଅର୍ଥନୈତିକ ଅଭିବୃଦ୍ଧି ବିଷୟରେ କହୁଥାନ୍ତି। ଅନ୍ୟ କେତେଜଣ ହୁଏତ ବିକାଶ କହିଲେ ଆହୁରି ସଂକୀର୍ଣ୍ଣ ଭାବରେ ବୁଝନ୍ତି ରାସ୍ତା, କୋଠାବାଡି, ବନ୍ଦର, ବିଦ୍ୟୁତଶକ୍ତି ଇତ୍ୟାଦି ଭିତ୍ତିଭୂମି ନିର୍ମାଣକୁ। ପ୍ରକୃତରେ ବିକାଶ ବା ଡେଭଲପମେଣ୍ଟର ସଂଜ୍ଞା ହେଉଛି ଅଭିବୃଦ୍ଧି ବା ଗ୍ରୋଥ ତୁଳନାରେ ଅଧିକ ବ୍ୟାପକ। ସେହିପରି ମାନବ ବିକାଶର ସଂଜ୍ଞା ଓ ପରିସର ସାଧାରଣ ବିକାଶ ଠାରୁ ଆହୁରି ବ୍ୟାପକ। ଅର୍ଥନୈତିକ ଅଭିବୃଦ୍ଧି, ବିକାଶ ଓ ମାନବ ବିକାଶ ଏସବୁ ମଧ୍ୟରେ ଥିବା ପାର୍ଥକ୍ୟ ସଂପର୍କରେ ଆଲୋଚନା କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ। ନିକଟରେ ବିଖ୍ୟାତ ଅର୍ଥନୀତିଜ୍ଞ ପ୍ରଫେସର ପାର୍ଥ ଦାସଗୁପ୍ତା ଏକ ନୂଆ ମାପକ ସଂପର୍କରେ ସୂଚନା ଦେଇଛନ୍ତି। ତାହା ହେଉଛି ‘ସହଭାଗୀ ଧନ’ ବା ଇଂରାଜୀରେ ‘ଇନ୍‍କ୍ଲୁସିଭ୍‍ ୱେଲ୍‍ଥ’। ବର୍ତ୍ତମାନ ସମୟରେ ଏହି ବିଷୟରେ ଆଲୋଚନା କରିବା ଖୁବ୍‍ ପ୍ରାସଙ୍ଗିକ ଓ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିିଛି।
ଅଭିବୃଦ୍ଧିକୁ ମାପିଥାଏ ‘ଗ୍ରସ୍‍ ଡୋମେଷ୍ଟିକ ପ୍ରଡକ୍ଟ’ ଜିଡିପି।

ପ୍ରାୟ ୭୦ ବର୍ଷରୁ ବେଶୀ କାଳ ହେବ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଯେଉଁ ଦର୍ପଣରେ ନିଜର ପ୍ରତିଫଳନ ଦେଖିବାକୁ ଚାହିଁଛନ୍ତି ତାହା ହେଉଛି ଅଭିବୃଦ୍ଧି ଓ ତା’ର ମାପକ ଜିଡିପି। କାଳକ୍ରମେ ଜିଡିପି ହିଁ ହୋଇଯାଇଛି ଗୋଟିଏ ଦେଶର ସାମଗ୍ରିକ ଅର୍ଥନୈତିକ ସ୍ୱାସ୍ଥ୍ୟ ସଂପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସହଜ ପରିମାପ। ୧୯୩୦ ଦଶକରେ ଯେଉଁ ବିଶ୍ୱବ୍ୟାପୀ ଅର୍ଥନୈତିକ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଥିଲା (ଗ୍ରେଟ୍‍ ଡିପ୍ରେସନ୍‍) ତାହାର ପ୍ରତିକାର ପାଇଁ ଜିଡିପିକୁ ଏକ ଅସ୍ତ୍ର ଭାବରେ ଉଦ୍ଭାବନ କରାଯାଇଥିଲା। ଏହା ପରେ ଆମେରିକାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଯେଉଁ ପ୍ରସ୍ତୁତି ଆବଶ୍ୟକ ହେଲା ସେଥିରେ ଜିଡିପି ଏକ ଅସ୍ତ୍ର ଭାବରେ ବ୍ୟବହୃତ ହେଲା। ଜିଡିପି ହେଉଛି ଏକ ହିସାବ- ଅର୍ଥ ମାଧ୍ୟମରେ ଅର୍ଥନୀତିରେ ଯେଉଁସବୁ ବିନିମୟ ହୁଏ ତାହାରି ହିସାବ। ଯାହାକୁ ଅର୍ଥରେ କିଣାବିକା କରାଯାଏ ନାହିଁ, ତାହା ଜିଡିପିରେ ମଧ୍ୟ ଗଣାଯାଇ ନଥାଏ। ମଣିଷ ବଞ୍ଚିବା ପାଇଁ ଅନେକ ଦ୍ରବ୍ୟ ଓ ସେବାର ଆବଶ୍ୟକତା ଥାଏ ଯାହାକୁ ଅର୍ଥ ସାହାଯ୍ୟରେ କିଣାଯାଏ ନାହିଁ, ଯେପରି ମା’ ଦ୍ୱାରା ଶିଶୁର ଯତ୍ନ, ସ୍ୱଚ୍ଛ ବାୟୁମଣ୍ଡଳରୁ ମିଳୁଥିବା ଅମ୍ଲଜାନ ଇତ୍ୟାଦି। ଜଣେ ମହିଳା ଯଦି କୂଅରୁ ବା ନଦୀରୁ ଗରାଏ ପାଣି ଘରକୁ ଆଣନ୍ତି ଏବଂ ଏଥିପାଇଁ ତାଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡେ ନାହିଁ, ଏହା ଜିଡିପି ହିସାବକୁ ଯାଏ ନାହିଁ; କିନ୍ତୁ ଜଣେ ପିଇବା ପାଣି ବୋତଲଟିଏ ଦୋକାନରୁ କିଣିଲେ ଯେଉଁ ଅର୍ଥ ବିନିମୟ ହୁଏ ତାହା ଜିଡିପିରେ ମିଶେ। ଗରିବ ଦେଶଗୁଡ଼ିକରେ ଅର୍ଥରେ ରୂପାନ୍ତରିତ ହୋଇ ନଥିବା ଅର୍ଥନୀତିର ଏକ ବଡ ଅଂଶ ଜିଡିପି ବାହାରେ ରହେ। ଅର୍ଥନୈତିକ ଅଭିବୃଦ୍ଧି ବୃଦ୍ଧି ପାଉଥିବା ଆର୍ଥିକ ଅସମାନତା ସଂପର୍କରେ କିଛି କହେ ନାହିଁ। ଯଦି ଧନୀମାନେ ଅଧିକ ଧନୀ ହେଉଥିବେ ଏବଂ ଅଧିକାଂଶ ଲୋକ କେବଳ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବେ ତା ହେଲେ ଏ ପ୍ରକାର ଅଭିବୃଦ୍ଧି କାହା ପାଇଁ ଏ ପ୍ରଶ୍ନ ନିଶ୍ଚୟ ଉଠିବ।

ନୋବେଲ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ସାଇମନ କୁଜନେଟ୍‍ସ୍‍ଙ୍କୁ ଜିଡିପିର ଉଦ୍ଭାବକ ବୋଲି କୁହାଯାଇଥାଏ। ଆମେରିକାର ଜିଡିପି ହିସାବ କଲାବେଳେ ଅର୍ଥନୀତିର ଏହି ମାପକ ସଂପର୍କରେ ସେ ନିଜେ ମଧ୍ୟ ସନ୍ତୁଷ୍ଟ ନଥିଲେ, ଯେହେତୁ ମଣିଷ ସମାଜର ହିତ ସାଧନ କରୁନଥିବା କେତେକ ଅର୍ଥନୈତିକ ବିନିମୟ ମଧ୍ୟ ଏଥିରେ ମିଶି ରହିଥିଲା। ୧୯୬୮ ମସିହାରେ ଆମେରିକାର ସିନେଟର ରବର୍ଟ କେନେଡି ପରିହାସ କରି କହିଥିଲେ : ‘ଜୀବନକୁ ମୂଲ୍ୟବାନ କରୁଥିବା ସ୍ୱାସ୍ଥ୍ୟ, ଶିକ୍ଷା ଓ ଶିଶୁ କଲ୍ୟାଣ ପରି ପଦାର୍ଥ ବ୍ୟତୀତ ଜିଡିପି ସବୁକିଛି ମାପିପାରେ’।

ସଂପୂର୍ଣ୍ଣ ସନ୍ତୋଷଜନକ ମାନକଟିଏ ନହେଲେ ମଧ୍ୟ କେବଳ ଜିଡିପି ସଂଖ୍ୟା ଭିତ୍ତିରେ ବିଭିନ୍ନ ଦେଶର ଅର୍ଥନୈତିକ ସ୍ଥିତି ସଂପର୍କରେ ଏକ ମୋଟାମୋଟି ଧାରଣା କରିହେବ ବୋଲି ବିଶ୍ୱାସ କରାଯାଏ। କେତେକଙ୍କ ମତରେ ଜିଡିପି ଠାରୁ ମୁଣ୍ଡପିଛା ଆୟ ଗୋଟିଏ ଦେଶର ଅର୍ଥନୈତିକ ସ୍ଥିତିର ଏକ ଉତ୍କୃଷ୍ଟତର ସୂଚକ। ମୁଣ୍ଡପିଛା ଆୟ ହିସାବ କଲାବେଳେ ଜିଡିପିକୁ ଲୋକସଂଖ୍ୟା ଦ୍ୱାରା ବିଭାଜନ କରାଯାଇଥାଏ। ମାମୁଲି ଜିଡିପି ଭିତ୍ତିିରେ ଭାରତର ସ୍ଥାନ ବିଶ୍ୱରେ ଷଷ୍ଠ ହୋଇଥିବାବେଳେ ମୁଣ୍ଡପିଛା ଆୟ ବିଚାରକୁ ନେଲେ ବିଶ୍ୱରେ ଏହାର ସ୍ଥାନ ୧୪୫ତମ। ନିକଟରେ ଏକ ସମ୍ବାଦପତ୍ର ସ୍ତମ୍ଭରେ ବିଶ୍ୱ ଅର୍ଥନୀତିର ଜଣେ ବିଶିଷ୍ଟ ବିଶ୍ଲେଷକ ରୁଚିର ଶର୍ମା ଦେଶ ଦେଶ ମଧ୍ୟରେ ତୁଳନା ପାଇଁ ମୁଣ୍ଡପିଛା ଆୟକୁ ବିଚାରକୁ ନେବାପାଇଁ ଯୁକ୍ତି କରିଛନ୍ତି। ତାଙ୍କ ମତରେ ଯେଉଁ ଦେଶର ମୁଣ୍ଡପିଛା ଆୟ ବେଶୀ ସେହି ଦେଶ ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ ଇତ୍ୟାଦି ବିଷୟରେ ମଧ୍ୟ ଅଧିକ ଅଗ୍ରଗତି କରିଥିବା ଦେଖାଯାଏ। ଏହା ଠିକ୍‌ କି ନୁହେଁ ବିତର୍କକୁ ଏଇଠି ରଖି ଏବେ ମାନବ ବିକାଶ ସୂଚକାଙ୍କ ବିଷୟରେ ଆଲୋଚନା ପ୍ରାସଙ୍ଗିକ ହେବ।

୧୯୯୦ ମସିହାରୁ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍‍ଡିପି) ଆନୁକୂଲ୍ୟରେ ମାନବ ବିକାଶ ଓ ଜୀବନର ଗୁଣାତ୍ମକ ମାନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଷ୍ଟ୍ରର ବିକାଶର ମୂଲ୍ୟାୟନ କରାଯାଉଛି। ଆରମ୍ଭରେ ଏଥିରେ ମୁଖ୍ୟ ଭୂମିକା ଥିଲା ପାକିସ୍ତାନୀ ଅର୍ଥନୀତିଜ୍ଞ ମହବୁବ୍‍ ଅଲ୍‍ ହକ୍‍ଙ୍କର। କ୍ରମେ ଅମର୍ତ୍ତ୍ୟ ସେନ୍‍ଙ୍କ ସମେତ ବିଶ୍ୱର ଅନେକ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଏହି ସୂଚକାଙ୍କ ପ୍ରସ୍ତୁତିରେ ଅଂଶଗ୍ରହଣ କରିଛନ୍ତି। ପ୍ରଥମେ ଜିଡିପି ବ୍ୟତୀତ ମଣିଷର ଆୟୁ, ଶିକ୍ଷା, ପୁଷ୍ଟିକର ଖାଦ୍ୟର ସହଜ ଲଭ୍ୟତା, ଶିଶୁ ମୃତ୍ୟୁହାର ଇତ୍ୟାଦିକୁ ନେଇ ମାନବ ବିକାଶ ସୂଚକାଙ୍କ ତିଆରି ହୋଇଥିଲା। ପରେ ମହିଳା ସଶକ୍ତୀକରଣ, ଅସମାନତାର ସ୍ତର, ମାନବ ସ୍ୱାଧୀନତା ଇତ୍ୟାଦି ସୂଚକକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଜିଡିପି ଓ ସାଧାରଣ ଲୋକଙ୍କ ଜୀବନର ଗୁଣାତ୍ମକ ମାନ, ଉଭୟ ଏହି ସୂଚକାଙ୍କରେ ଥିବାରୁ ଜିଡିପିଠାରୁ ଏହା ଏକ ଉନ୍ନତତର ସୂଚକାଙ୍କ ବୋଲି କହିହେବ। ଏହି ମାପକରେ ପୃଥିବୀର ସବୁଠାରୁ ଧନଶାଳୀ ରାଷ୍ଟ୍ର ମଧ୍ୟ ମାନବ ବିକାଶ ଦୃଷ୍ଟିରୁ ଉଚ୍ଚତମ ସ୍ଥାନରେ ନରହିପାରେ। ଯେପରି ତୈଳ ସମୃଦ୍ଧ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡିକର ମୁଣ୍ଡପିଛା ଆୟ ଅଧିକ ହୋଇଥିଲେ ମଧ୍ୟ ମାନବ ବିକାଶ ଦୃଷ୍ଟିରୁ ସେଗୁଡିକର ସ୍ଥାନ ଅପେକ୍ଷାକୃତ ନିମ୍ନରେ। ୨୦୨୦ରେ ଏହି ସୂଚକାଙ୍କରେ ଭାରତର ସ୍ଥାନ ଥିଲା ବିଶ୍ୱର ୧୮୯ ଦେଶ ମଧ୍ୟରେ ୧୩୨।

ବିକାଶର ଆଲୋଚନା କଲାବେଳେ ଏବେ ଆମକୁ ଅନ୍ୟ ଏକ ପରିସରକୁ ଯିବାକୁ ପଡ଼ିବ। ଏହା ହେଉଛିି ପ୍ରାକୃତିକ ସଂପଦ ଅର୍ଥନୀତିର ପରିସର। ଯେଉଁ ବିକାଶ କେବଳ ଜିଡିପି ବା ଜାତୀୟ ଆୟ ବଢାଇବାରେ ସାହାଯ୍ୟ କରେ କିନ୍ତୁ ସେହି ପ୍ରକ୍ରିୟାରେ ପ୍ରାକୃତିକ ପରିବେଶ ଓ ସଂପଦର କ୍ଷୟ ସାଧନ କରି ଚାଲିଥାଏ ସେପରି ବିକାଶ ସୁସ୍ଥାୟୀ ତ କେବେ ହୋଇପାରିବ ନାହିଁ, ବରଂ କ୍ଷଣସ୍ଥାୟୀ ହେବା ନିଶ୍ଚିତ। ମହାତ୍ମା ଗାନ୍ଧୀ ଭଲ ଭାବରେ ଜାଣିଥିଲେ ଯେ ପାଶ୍ଚାତ୍ୟ ଦେଶଗୁଡିକ ଯେଉଁ ପ୍ରଣାଳୀରେ ବିକାଶ ଲାଭ କରିଛନ୍ତି ତାହା ସମଗ୍ର ବିଶ୍ୱ ପାଇଁ ପ୍ରୟୋଜନୀୟ ବା ପ୍ରଯୁଜ୍ୟ ନୁହେଁ। ଇଉରୋପରେ ଶିଳ୍ପ ବିପ୍ଲବ ପରେ ତଥାକଥିତ ବିକାଶର ଯେଉଁ ପ୍ରକ୍ରିୟା ତ୍ୱରାନ୍ୱିତ ହେଲା ତାହା ହୁଏତ ବୃହତ୍ତର ଜନସମୁଦାୟର ଜୀବନଧାରଣର ମାନରେ ବୈପ୍ଳବିକ ଉନ୍ନତି ଆଣିଲା; କିନ୍ତୁ ଏହାଦ୍ୱାରା ପ୍ରାକୃତିକ ପରିବେଶର ଅବକ୍ଷୟ ମଧ୍ୟ ତ୍ୱରାନ୍ୱିତ ହେଲା। ଏହାର ପରିଣାମ ଜଳବାୟୁ ପରିବର୍ତ୍ତନ ପରି ଘୋର ବିପତ୍ତି ଯାହା ସମଗ୍ର ଜୀବଜଗତର ସ୍ଥାୟିତ୍ୱ ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ନିକଟରେ ବ୍ରିଟିଶ ସରକାର ଅର୍ଥନୈତିକ ବିକାଶ ପ୍ରକ୍ରିୟାରେ ଜୈବ ବିବିଧତା କିପରି କ୍ଷତିଗ୍ରସ୍ତ ହୋଇଛି ତାହାର ଏକ ଆକଳନ କରିବା ପାଇଁ ବିଶ୍ୱ ବିଖ୍ୟାତ ଅର୍ଥନୀତିଜ୍ଞ ପ୍ରଫେସର ପାର୍ଥ ଦାସଗୁପ୍ତାଙ୍କୁ ଦାୟିତ୍ୱ ଦେଇଥିଲେ। ଏଇ କେତେମାସ ତଳେ ସେ ପ୍ରସ୍ତୁତ କରିଥିବା ରିପୋର୍ଟ ପ୍ରକାଶିତ ହୋଇଛି। ଏହାକୁ କୁହାଯାଇଛି ‘ଜୈବ ବିବିଧତାର ଅର୍ଥନୀତି : ଦାସଗୁପ୍ତା ସମୀକ୍ଷା’। ତାଙ୍କ ରିପୋର୍ଟଟି ସମସ୍ତଙ୍କ ପାଇଁ ଏକାନ୍ତ ପ୍ରଣିଧାନ-ଯୋଗ୍ୟ। ଅର୍ଥନୀତି କିପରି ପ୍ରକୃତିକୁ ସଂପୂର୍ଣ୍ଣ ଭାବରେ ଅବହେଳା କରିଛି ତାହା ହିଁ ସେ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏହି ରିପୋର୍ଟରୁ ଜଣାପଡେ ଯେ ୧୯୫୦ ଦଶକ ଠାରୁ ଏ ପର୍ଯ୍ୟନ୍ତ ବିଶ୍ୱ ଅର୍ଥନୈତିକ ଉତ୍ପାଦନର ପରିମାଣ ଏହା ମଧ୍ୟରେ ୧୫ଗୁଣ ହୋଇଥିବାବେଳେ ବିଶ୍ୱ ଜୈବମଣ୍ଡଳ ଅସ୍ୱାଭାବିକ ଭାବରେ ସଙ୍କୁଚିତ ହୋଇଛି। ଅୟୁତ ଅୟୁତ ବର୍ଷ ଧରି ଯେଉଁ ହାରରେ ଜୈବ ବିବିଧତାର ହ୍ରାସ ହେଉଥିଲା ଏବେ ସେହି ହାର ୧୦୦ରୁ ୧୦୦୦ଗୁଣ ଅଧିକ ହୋଇଛି।

ପ୍ରଫେସର ଦାସଗୁପ୍ତାଙ୍କ ମତରେ ଅର୍ଥନୀତିଜ୍ଞମାନେ ଓ ବିଭିନ୍ନ ରାଷ୍ଟ୍ରଗୁଡିକ ଅର୍ଥନୈତିକ ଅଭିବୃଦ୍ଧି ଉପରେ ମାତ୍ରାଧିକ ଗୁରୁତ୍ୱ ଦେବାରୁ ଓ ପ୍ରକୃତିକୁ ଅବହେଳା କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକାଂଶ ଅର୍ଥନୀତିଜ୍ଞ ରାଷ୍ଟ୍ରର ଉନ୍ନତିରେ ଅନ୍ତର୍ଜାତୀୟ ବାଣିଜ୍ୟର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥାନ୍ତି; କିନ୍ତୁ ସମ୍ଭବତଃ ଆନ୍ତର୍ଜାତୀୟ ବାଣିଜ୍ୟ ହିଁ ଗରିବ ଦେଶରୁ ଧନୀ ଦେଶକୁ ସମ୍ପତ୍ତି ସ୍ଥାନାନ୍ତରିତ କରିବାରେ ଏକ ବିଶେଷ ଭୂମିକା ଗ୍ରହଣ କରିଥିବ। ଜଗତୀକରଣ ପ୍ରକ୍ରିୟାରେ ଆନ୍ତର୍ଜାତିକ ବାଣିଜ୍ୟ ବହୁଗୁଣିତ ହୋଇଛି ସତ, କିନ୍ତୁ ଏହାଦ୍ୱାରା ଅପେକ୍ଷାକୃତ ଗରିବ ରାଷ୍ଟ୍ରଗୁଡିକର ପରିବେଶ ଯେପରି କ୍ଷତିଗ୍ରସ୍ତ ହୋଇଛି ତାହାକୁ ସରକାରୀ ହିସାବରେ ଦର୍ଶାଯାଇନାହିଁ। ପ୍ରାକୃତିକ ସଂପଦ ଉେତ୍ତାଳନ ଜନିତ ସାମାଜିକ କ୍ଷତିର ପ୍ରକୃତ ଆକଳନ ହୁଏନାହିଁ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ପ୍ରଫେସର ଦାସଗୁପ୍ତା। ସାମଗ୍ରିକ ଅର୍ଥନୀତିର ସ୍ୱଳ୍ପକାଳୀନ ବିଶ୍ଲେଷଣ ପାଇଁ ଜିଡିପି ଏକ ଆବଶ୍ୟକ ମାନକ ହୋଇପାରେ ; କିନ୍ତୁ ଏକ ରାଷ୍ଟ୍ରର ଦୀର୍ଘକାଳୀନ ବିକାଶ ପାଇଁ ଏହା ଉପଯୁକ୍ତ ମାନକ ନୁହେଁ ବୋଲି ସେ କହିଛନ୍ତି। ଶେଷରେ ସେ ପ୍ରକୃତ ବିକାଶର ଏକ ଠିକ ମାପକ ସୁପାରିସ କରିଛନ୍ତି ଯାହା ହେଉଛି ‘ସହଭାଗୀ ସମ୍ପତ୍ତି’ ବା ଇନକ୍ଲୁସିଭ ୱେଲ୍‍ଥ୍‍। ଏହି ମାନକଟିରେ ତିନି ପ୍ରକାର ପୁଞ୍ଜି ଅନ୍ତର୍ଭୁକ୍ତ ହୋଇପାରିବ : ଉତ୍ପାଦିତ ପୁଞ୍ଜି, ମାନବ ପୁଞ୍ଜି ଓ ପ୍ରାକୃତିକ ପୁଞ୍ଜି। ଏହି ତିନିଟି ଉପାଦାନକୁ ବିଚାରକୁ ନେବା ପରେ ହିଁ ଏକ ଦେଶର ପ୍ରକୃତ ସୁସ୍ଥାୟୀ ବିକାଶର ଦିଗ ଓ ଆକାର ନିର୍ଣ୍ଣୟ କରାଯାଇପାରିବ।

Comments are closed.