ଜବାହରଲାଲ: ଆଧୁନିକ ଭାରତର ଶିଳ୍ପକାର

ବିଶ୍ବଜିତ୍‌

ଆମ ଦେଶର ସୌଭାଗ୍ୟ ହେଉଛି, ସ୍ବାଧୀନତା ସଂଗ୍ରାମ କାଳରେ ପୁଣି ସ୍ୱାଧୀନତା ପରେ ପ୍ରତି କଥାକୁ ଅର୍ଥବାନ୍ କରିବାର ଲଢ଼େଇରେ ଜବାହରଲାଲଙ୍କ ନେତୃତ୍ୱ ଏ ଦେଶକୁ ମିଳିଥିଲା। ସେ ଭାରତୀୟ ରାଷ୍ଟ୍ରକୁ ଓ ଭାରତୀୟ ମନକୁ ଆନ୍ଦୋଳିତ କରି ନୂଆକରି ଗଢିବା ପାଇଁ ପ୍ରୟାସ ଚଳାଇଥିବା ଏଭଳି ଜଣେ ନାୟକ ଥିଲେ, ଯିଏ ଶେଷ ଯାଏ ହାର ମାନିନଥିଲେ । ସେ ଅନେକ ଥର ଭୁଲ ରାସ୍ତା ବାଛିଛନ୍ତି, ବାରମ୍ବାର ବିଫଳ ବି ହୋଇଛନ୍ତି, ରାଜନୀତିର ଦାଓପେଞ୍ଚ ବି ଖେଳିଛନ୍ତି, ହେଲେ ଦେଶ ଥିଲା ତାଙ୍କ ପାଇଁ ସର୍ବାଗ୍ରେ। ଆନ୍ଦ୍ରେ ମାଲୋଁଙ୍କୁ ଏକ ସାକ୍ଷାତକାର ଦେଇ ସେ କହିଥିଲେ ଯେ, ‘ସଂକୀର୍ଣ୍ଣ ଧର୍ମୀୟ ପାଚେରି ଭିତରେ ବନ୍ଦ ଧର୍ମଭୀରୁ ସମାଜକୁ ଏକ ସର୍ବଧର୍ମ ସମାବେଶୀ ସମାଜରେ ପରିଣତ କରିବା ମୋର ମୂଳ ଲକ୍ଷ୍ୟ।’ ଜବାହରଲାଲ ସନ୍ଥ, ସାଧକ, ବିଚାରକ, କ୍ରାନ୍ତିକାରୀ ବା ଦୁର୍ଦ୍ଧର୍ଷ ପ୍ରଶାସକ ନଥିଲେ; ହେଲେ ଇତିହାସ ତାଙ୍କୁ ଏ ସମସ୍ତ ଭୂମିକାରେ ଅବତୀର୍ଣ୍ଣ ହୋଇ କାମ କରିବାକୁ ବାଧ୍ୟ କରିଥିଲା । ସେହି ସମୟର ଅନ୍ୟ ନାୟକମାନଙ୍କ ଅପେକ୍ଷା ଏ ସମସ୍ତ ଭୂମିକା ନିର୍ବାହନରେ ସେ କେବଳ ସଫଳ ହୋଇନଥିଲେ ବରଂ ଏକ ଆଧାରସ୍ତମ୍ଭ ନିର୍ମାଣ କରିପାରିଥିଲେ । ସେ କେବଳ ଇତିହାସକୁ ଗଭୀର ଭାବରେ ବୁଝିନଥିଲେ ବରଂ ତାଙ୍କର ଜୀବନ ଉତ୍ସାହ ତଥା ପ୍ରେରଣାରେ ଭରପୂର ଥିଲା। ସେଥିପାଇଁ ବାସ୍ତବରେ ବିଶ୍ୱକବି ରବୀନ୍ଦ୍ରନାଥ ତାଙ୍କୁ ’ଋତୁରାଜ’ ରୂପରେ ଓ ଗାନ୍ଧିଜୀ ତାଙ୍କୁ ‘ହିନ୍ଦ୍ କେ ଜବାହର’ ରୂପରେ ଅଭିହିତ କରିଥିଲେ। ଆଜି ଯେତେବେଳେ ଦେଶ ତାଙ୍କର ୧୩୨ ତମ ଜୟନ୍ତୀ ପାଳନ କରୁଛି, ଆମକୁ ବାସ୍ତବ ଜବାହରଲାଲଙ୍କ ସହ ପରିଚିତ ହେବାର ଆବଶ୍ୟକତା ରହିଛି।

ଜବାହରଲାଲ ଭାରତୀୟ ରାଜନୀତିରେ ପ୍ରବେଶ କଲାବେଳକୁ ଗାନ୍ଧିଜୀ ବ୍ରିଟିଶରୂପୀ ପ୍ରଖର ସୂର୍ଯ୍ୟର ସାମ୍ନା କରୁଥାନ୍ତି। ସେହି ଶକ୍ତି ସମ୍ମୁଖରେ ଛିଡାହେବା ସୁବିଧାଜନକ ନଥିଲା । ହେଲେ ଜବାହରଲାଲ ସେହି ଶକ୍ତିର କେବଳ ମୁକାବିଲା କଲେ ନାହିଁ, ନିଜର ଏକ ଭିନ୍ନ ଆଭାମଣ୍ଡଳ ମଧ୍ୟ ନିର୍ମାଣ କଲେ । ସେ ଗାନ୍ଧିଜୀଙ୍କ ପ୍ରତି ଯେଉଁଭଳି ସମର୍ପିତ ଥିଲେ, ବୋଧେ ଦ୍ବିତୀୟ କେହି ସେହିଭଳି ନଥିଲେ । ହେଲେ ଗାନ୍ଧିଜୀଙ୍କ ଦର୍ଶନକୁ ସେ ଖୋଲାଖୋଲି ଅସ୍ବୀକାର ବି କରୁଥିଲେ ।

ସେ ସ୍ୱାଧୀନ ଭାରତକୁ ଗାନ୍ଧୀଙ୍କଠାରୁ ଭିନ୍ନ ତଥା ଓଲଟା ଦିଗରେ ନେଇଗଲେ। ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ତାଙ୍କ ରାସ୍ତାରେ ହିଁ ଦେଶର ବାସ୍ତବ ବିକାଶ ହୋଇପାରିବ । ଦେଶ ଆଜି ପର୍ଯ୍ୟନ୍ତ ତାଙ୍କ ଅଜ୍ଞତାର ମୂଲ୍ୟ ଦେଉଛି, ହେଲେ ଏଭଳି କରିବାପାଇଁ ଯେଉଁମାନେ ଗାନ୍ଧିଜୀଙ୍କର ବିଚାର ପୁରୁଣାକାଳିଆ ଓ ଅାଧୁନିକତା ବିରୋଧୀ ବୋଲି ଭାବୁଥିଲେ ତାଙ୍କୁ ସେ ସମୟର ସେ ସମସ୍ତ ବୁଦ୍ଧିଜୀବୀ, ରାଜନୈତିକ ନେତୃବୃନ୍ଦ, କଳାସଂସ୍କୃତିର ଲୋକେ, ବାମପନ୍ଥୀ ତଥା ବ୍ୟବସାୟୀ ଗୋଷ୍ଠୀ ଅକୁଣ୍ଠ ସମର୍ଥନ ଦେଇଥିଲେ । ଏ ଦୃଷ୍ଟିରୁ ଆମେ ଏହା କହିପାରିବା ନାହିଁ ଯେ, ଗାନ୍ଧିଜୀଙ୍କଠାରୁ ଏ ଦେଶକୁ ଦୂରେଇ ନେଇଯିବାରେ ସେ ହିଁ ଏକମାତ୍ର ଦାୟୀ ଥିଲେ ବୋଲି । ହଁ, ଏକଥା ସତ୍ୟ ଯେ, ଗାନ୍ଧିଜୀଙ୍କୁ ବୁଝିବା ଓ ବୁଝାଇବା ପାଇଁ ଯେତିକି ପ୍ରଚେଷ୍ଟା ତାଙ୍କୁ କରିବାର ଥିଲା, ସେତିକି ସେ କରିନଥିଲେ।

ଜବାହର ଯେଉଁ ପରିବାରରୁ ଆସିଥିଲେ, ଯେଭଳି ପରିବେଶରେ ବଡ଼ ହୋଇଥିଲେ ତଥା ଇଂଲଣ୍ଡର ଯେଉଁ ଜୀବନଶୈଳୀ ମଧ୍ୟଦେଇ ବଡ଼ ହୋଇଥିଲେ, ସେଥିରେ ସେ ‘ଜୁନିୟର ମୋତିଲାଲ’ ଭାବରେ ଅାଭିଜାତ୍ୟରେ ମଗ୍ନ, ଆତ୍ମକୈନ୍ଦ୍ରିକ କ୍ଷମତାକେନ୍ଦ୍ର ହେବା ସ୍ୱାଭାବିକ ଥିଲା । ଯଦି ସେଭଳି ହୋଇଥା’ନ୍ତା, ତେବେ ସ୍ୱାଧୀନ ଭାରତ ଖୁବ୍ ଶୀଘ୍ର ପାକିସ୍ତାନରେ ପରିବର୍ତ୍ତିତ ହୋଇଯାଇଥାଆନ୍ତା । ହେଲେ ନିଜର ସମସ୍ତ ଅବଗୁଣ ସତ୍ତ୍ୱେ ସେ ସଂସଦୀୟ ଗଣତନ୍ତ୍ର ପ୍ରତି ଯେଉଁଭଳି ଅଙ୍ଗୀକାରବଦ୍ଧତା ଦେଖାଇଛନ୍ତି, ଏହାର ଦ୍ବିତୀୟ କୌଣସି ଉଦାହରଣ ନାହିଁ। ଗାନ୍ଧିଜୀଙ୍କ ହତ୍ୟା ଓ ପଟେଲଙ୍କ ମୃତ୍ୟୁ ପରେ ଭାରତୀୟ ରାଜନୀତିରେ ତାଙ୍କ ସମକକ୍ଷ ଆଉ କେହି ବି ନଥିବା ସତ୍ତ୍ୱେ ଜବାହରଲାଲ ନିଜ ଉପରେ କେବଳ ଅଙ୍କୁଶ ଲଗାଇନଥିଲେ; ବରଂ ସଂସଦୀୟ ଗଣତନ୍ତ୍ରକୁ ଏ ଦେଶରେ ମଜଭୁତ କରିବା ଦିଗରେ ତାଙ୍କଠାରୁ ଯାହା ଅପେକ୍ଷା ରଖା ଯାଇଥିଲା, ସେ ସମସ୍ତ କାମ ସେ କରିଥିଲେ।

ଗାନ୍ଧିଜୀଙ୍କଠାରୁ ଶିଖିଥିବା ବିଭିନ୍ନ ବିଚାର ଆଧାରରେ ସେ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚକୁ ପ୍ରଭାବିତ କରିଥିଲେ । ପଞ୍ଚଶୀଳ ଓ ତଟସ୍ଥ ରାଷ୍ଟ୍ରର ସମ୍ପୂର୍ଣ୍ଣ ସଂକଳ୍ପନା, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ତଥା ମିଳିତ ଜାତିସଂଘ ଆଦି ପ୍ରତି ଅଙ୍ଗୀକାରବଦ୍ଧତାର ତତ୍ତ୍ୱ ତାଙ୍କୁ ଗାନ୍ଧିଜୀଙ୍କ ଠାରୁ ପ୍ରାପ୍ତ ହୋଇଥିଲା । ଭାରତୀୟ ଗଣତନ୍ତ୍ରର ମୂଳ ଗାଁରେ ରହିବ, ଗ୍ରାମୋଦ୍ୟୋଗର ବିକାଶରେ ହିଁ ଭାରତର ବିକାଶ ନିହିତ, ଏ କଥାକୁ ସେ କେବେ ସ୍ୱୀକାର କରିନଥିଲେ କି ବୁଝି ମଧ୍ୟ ନଥିଲେ। ନିଜର ଏହି ମତକୁ ସେ କେବେ ବି ଲୁଚାଇ ନଥିଲେ। ଗାନ୍ଧିଜୀ ତାଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଘୋଷିତ କରିଦେଲେ, ତା’ ସହିତ ତାଙ୍କର କଠୋର ପରୀକ୍ଷା ନେବା ମଧ୍ୟ ଆରମ୍ଭ କରିଦେଲେ । ଜବାହରଲାଲ ଅନେକ ଆଶାୟୀ ଥିଲେ ସୁଦ୍ଧା ଗାନ୍ଧିଜୀ ପ୍ରଥମ ବ୍ୟକ୍ତିଗତ ସତ୍ୟାଗ୍ରହୀ ଭାବରେ ତାଙ୍କୁ ନୁହେଁ, ବିନୋବା ଭାବେଙ୍କୁ ଗ୍ରହଣ କରିଥିଲେ। ଏହି ପରୀକ୍ଷା ଆଗାମୀ ସମୟରେ ଆହୁରି କଠିନ ହେଲା, ଯାହା ପାଇଁ ଜବାହରଲାଲ ସୁଦ୍ଧା ପ୍ରସ୍ତୁତ ନଥିଲେ । ହେଲେ ଗାନ୍ଧିଜୀ ତାଙ୍କୁ ଲେଖିଲେ, ‘ଭବିଷ୍ୟତ ଭାରତ ବାବଦରେ ମୋର ଓ ମୋର ରାଜନୈତିକ ଉତ୍ତରାଧିକାରୀ ଭିତରେ ଯେଉଁ ମତଭେଦ ରହିଛି, ତାହା ଦୁନିଆ ଜାଣିବା ଦରକାର। ଏଥିପାଇଁ ତୁମେ ସମୟ ବାହାରକରି ଆସି ମୋତେ ସାକ୍ଷାତ କର ।’

ଭବିଷ୍ୟତ ଭାରତର ଚିତ୍ର ତଥା ଏହାର ରଣନୀତି ସନ୍ଦର୍ଭରେ ସେ ନିଜ ଲିଖିତ ପୁସ୍ତକ ‘ହିନ୍ଦ୍ ସ୍ୱରାଜ’ର ସ୍ମରଣ କରାଇଥାନ୍ତି । ସେ ସମୟରେ ଦେଶର ସ୍ୱାଧୀନତା ମିଳିବାର ଆଶା ଆରମ୍ଭ ହୋଇଯାଇଥାଏ। ଗାନ୍ଧିଜୀଙ୍କ ସମର୍ଥନ ବିନା ଏ ଦେଶର ନେତୃତ୍ୱ ସେତେବେଳେ ଅସମ୍ଭବ ମନେ ହେଉଥାଏ। ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ସୁଦ୍ଧା ସେ ଗାନ୍ଧିଜୀଙ୍କୁ ଜବାବ ଦେଇଥିଲେ ଯେ, ‘ଆପଣଙ୍କର ସେହି ଛୋଟ ପୁସ୍ତିକା ବାବଦରେ ମନେ ତ ପଡୁଛି, ହେଲେ ମୁଁ କି କଂଗ୍ରେସ କେହି ହେଲେ ଏହାକୁ ଗୁରୁତ୍ୱ ଦେଇନାହୁଁ ।’ ଏଣୁ ଆମେ ତାଙ୍କୁ ଦୋଷ ଦେଇପାରିବା ନାହିଁ ଯେ, ସେ ଗାନ୍ଧିଜୀଙ୍କୁ ଛାଡ଼ି ଦେଇଥିଲେ; ବରଂ ଏ କଥା ସତ ଯେ, ସେ ତାଙ୍କୁ ଅସ୍ବୀକାର କରିଥିଲେ । ଜୀବନର ଶେଷ ବେଳକୁ ସେ ସଂସଦରେ ସ୍ୱୀକାର କଲେ ଯେ, ‘ଗାନ୍ଧିଜୀଙ୍କ ରାସ୍ତାକୁ ଆଡେଇ ଦେଇ ମୁଁ ସମ୍ପୂର୍ଣ୍ଣ ଭୁଲ କରିଛି।’ ଅବଶ୍ୟ ସେତେବେଳେ ସେହି ହିମାଳୟ ବତ୍ ଭୁଲକୁ ସୁଧାରିବା ସମ୍ଭବ ନଥିଲା ।
ଜବାହରଲାଲ ସ୍ୱାଧୀନ ଭାରତର ନେତୃତ୍ୱ ନେବା ପରେ ଦୁଇଟି ଲକ୍ଷ୍ୟ ନିଜ ସମ୍ମୁଖରେ ରଖିଥିଲେ । ଭାରତୀୟ ଗଣତନ୍ତ୍ରକୁ ସୁଦୃଢ କରିବା ତଥା ଭାରତୀୟ ଅର୍ଥନୀତିକୁ ସ୍ୱାବଲମ୍ବୀ କରି ଗଢି ତୋଳିବା । ଗାନ୍ଧୀ ତାଙ୍କର ସ୍ବୀକାର୍ଯ୍ୟ ନଥିଲେ ଏବଂ ତାଙ୍କଠାରୁ ଭିନ୍ନ ସମାଜର କୌଣସି ନୂଆଢାଞ୍ଚା ଗଢିତୋଳିବାର ବୌଦ୍ଧିକ କ୍ଷମତା ତାଙ୍କର ନଥିଲା । ସେଥିପାଇଁ ସେ ଅନ୍ୟ ସହଜ ରାସ୍ତା ଖୋଜିଲେ। ତାଙ୍କ ସମ୍ମୁଖରେ ଆମେରିକା ଓ ଋଷ ଦୁଇଟି ନମୁନା ଥିଲା ଏବଂ ଏହି ଦୁଇ ଦେଶର ଭଲ ନମୁନା ସବୁକୁ ସେ ନିଜ ଦେଶରେ ପ୍ରୟୋଗ କରିବାକୁ ଚାହୁଁଥିଲେ । ହେଲେ ସେ ବୁଝିପାରିନଥିଲେ ଯେ, କେଉଁଠିକାର ଇଟା ଆଉ ଅନ୍ୟ କେଉଁଠିକାର ସିମେଣ୍ଟକୁ ମିଶେଇ ରାସ୍ତାଘାଟ କି ଘର ତିଆରି ହୋଇପାରିବ, ହେଲେ ଦେଶ ନିର୍ମାଣ ସମ୍ଭବ ନୁହେଁ । ସେଇଥିପାଇଁ ନେହେରୁଙ୍କ ନେତୃତ୍ୱରେ ଭାରତୀୟ ସମାଜର ବିକାଶ ଅଧାପନ୍ତରିଆ, ଜୟପ୍ରକାଶଙ୍କ ଭାଷାରେ ନକଲି ହୋଇ ନିର୍ମିତ ହୋଇଥିଲା । ହେଲେ ଆମକୁ ଏହା ମଧ୍ୟ ବୁଝିବାକୁ ହେବ ଯେ, ଆମ ସହିତ ସ୍ୱାଧୀନତା ହାସଲ କରିଥିବା, ଚୀନ ବା ଆମର ଅନ୍ୟ ପଡୋଶୀ ରାଷ୍ଟ୍ରମାନେ ଗଣତନ୍ତ୍ରକୁ କେତେ ସମ୍ଭାଳି ପାରିଥିଲେ? ଗଣତନ୍ତ୍ରକୁ ସାଥିରେ ନେଇ ଜବାହରଲାଲ ଭାରତକୁ ଯେଉଁଠି ପହଞ୍ଚାଇଲେ, ଅନ୍ୟ କେହି ଦେଶ ତ ସେଇଯାଏ ପହଞ୍ଚିପାରିଲେ ନାହିଁ । ଜବାହରଲାଲ ହିଁ ଥିଲେ ସ୍ୱାଧୀନ ଆଧୁନିକ ଭାରତର ଶିଳ୍ପକାର।

Comments are closed.