ବସୁଧୈବ କୁଟୁମ୍ବକଂ ବିଭ୍ରମ

ଅଶୋକ

ଅୟଂ ନିଜଃ ପରୋ ବେତି ଗଣନା ଲଘୁଚେତସାଂ।
ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍‌।। (ପଞ୍ଚତନ୍ତ୍ର: ୫.୩୮)
(ନୀଚମନା ଲୋକେ ‘ଇଏ ଆପଣା ଇଏ ପର’ ଏଭଳି ଭେଦବୁଦ୍ଧି ପ୍ରକାଶ କରିଥାନ୍ତି; କିନ୍ତୁ ଉଦାରମନା ଲୋକେ ସମଗ୍ର ପୃଥିବୀର ଲୋକଙ୍କୁ ନିଜ ପରିବାର ବୋଲି ମନେ କରନ୍ତି।)

ସଂସ୍କୃତର ସର୍ବାଧିକ ଲୋକପ୍ରିୟ ଶ୍ଳୋକ କ’ଣ ଜାଣିବା ନିମନ୍ତେ ଆମେ ଯଦି ଏକ ସର୍ବେକ୍ଷଣ କରିବା, ତେବେ ଏହି ଶ୍ଳୋକର ଶେଷ ପଦ, ଅର୍ଥାତ୍‌ ବସୁଧୈବ କୁଟୁମ୍ବକଂ ହିଁ ସର୍ବାଗ୍ରେ ରହିବ। ଆମେ ଜାଣି ଆଶ୍ଚର୍ଯ୍ୟ ହେବା ଯେ ଏହା ସାହିତ୍ୟ କି ଧର୍ମ କ୍ଷେତ୍ରରେ ଯେତେ ବ୍ୟବହାର କରାଯାଏ, ତା’ଠୁ ଏହାର ଅଧିକ ଉପଯୋଗ ଦେଖାଯାଏ ରାଜନୀତି/କୂଟନୀତି କ୍ଷେତ୍ରରେ। ସାଧାରଣତଃ ଏହାକୁ ବହୁସଂସ୍କୃତିବାଦ ଓ ଆନ୍ତର୍ଜାତିକବାଦର ପ୍ରତୀକ ରୂପେ ଆମ ଦେଶର ନେତୃବୃନ୍ଦ ଜାତୀୟ/ଅନ୍ତର୍ଜାତୀୟ ମଞ୍ଚଗୁଡ଼ିକରେ ବାରମ୍ବାର ଉଚ୍ଚାରଣ କରିଆସିଚନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କଠୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ପର୍ଯ୍ୟନ୍ତ, ଏପରି କୌଣସି ପ୍ରମୁଖ ନେତା ନାହାନ୍ତି, ଯିଏ ଏହି ଶ୍ଳୋକର ସମ୍ମୋହନରେ ପଡ଼ିନାହାନ୍ତି। ଏମାନଙ୍କ ମଧ୍ୟରୁ ତିନି ଜଣଙ୍କ ଦୃଷ୍ଟାନ୍ତ ଅବଶ୍ୟ ଦ୍ରଷ୍ଟବ୍ୟ। ପୂର୍ବତନ ରାଷ୍ଟ୍ରପତି ତଥା ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଉପଯୋଗ କେବଳ ରୋଚକ ନୁହେଁ, ମହତ୍ତ୍ବପୂର୍ଣ୍ଣ ମଧ୍ୟ; କାହିଁକି ନା ସେମାନଙ୍କ ବିବୃତିରୁ ଆମେ ଏହି ଶ୍ଳୋକାଂଶ ପ୍ରତି ଭାରତୀୟଙ୍କ ସାଧାରଣ ଦୃଷ୍ଟିକୋଣ ଜାଣିବା ସହ ଭାରତର ବୈଦେଶିକ କୂଟନୀତି ଉପରେ ଧାରଣାଟିଏ ଅବଶ୍ୟ ପାଇପାରିବା।

୨୦୦୬ (୨୫ ମାର୍ଚ୍ଚ)ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ହାଭାର୍ଡ ଆଲୁମ୍‌ନି ଆସୋସିଏସନ’ ସଭାରେ ଉଦ୍‌ବୋଧନ ଦେଇ ମନମୋହନ କହିଥିଲେ, ‘‘ପ୍ରାଚୀନ ଭାରତବର୍ଷରେ ଭାରତର ଉଦାରବାଦୀ ଦୃଷ୍ଟିକୁ ବସୁଧୈବ କୁଟୁମ୍ବକଂ ଦର୍ଶନ ଦ୍ବାରା ସଂଜ୍ଞାୟିତ କରାଯାଉଥିଲା, ଯାହା ‘ସଭ୍ୟତାର ସଂଘର୍ଷ’ (କ୍ଲାଶ୍‌ ଅଫ୍ ସିଭିଲାଇଜେସନ୍ସ)ର ବିପରୀତ… ଯେଉଁ ଉପପାଦ୍ୟ ସହିତ ମୁଁ ଆଦୌ ଏକମତ ନୁହେଁ। ଆମକୁ ସେହି ଉଦାରବାଦୀ ସ୍ଥାନକୁ ପୁନଃ ପ୍ରାପ୍ତ କରିବାକୁ ହେବ।’’ ଆମେରିକୀୟ ରାଜନୀତି ବିଜ୍ଞାନୀ ସାମୁଏଲ୍‌ ହଟିଙ୍ଗ୍‌ଟନଙ୍କ ବହୁଚର୍ଚ୍ଚିତ ବିଚାର ‘ସଭ୍ୟତାର ସଂଘର୍ଷ’ର ଓଲଟା ସୂତ୍ର ବସୁଧୈବ କୁଟୁମ୍ବକଂରେ ରହିଛି, ଯାହା ସଭ୍ୟତାଗୁଡ଼ିକ ମଧ୍ୟରେ ପାରସ୍ପରିକ ସଂପ୍ରୀତି ଓ ସଦ୍ଭାବନାର କାରକ ହୋଇପାରିବ- ମନମୋହନଙ୍କ ଏହି ଚିନ୍ତାରେ ନେହେରୁଙ୍କ ଉଦାରବାଦୀ ଆନ୍ତର୍ଜାତିକବାଦର ପ୍ରତିଫଳନ ପରିସ୍ଫୁଟ। ପ୍ରାଚୀନ ହିନ୍ଦୁ ଆଦର୍ଶକୁ ପୁନଃସଂଚାଳିତ କରି ଆପଣାର ମୂଲ୍ୟବୋଧକୁ ପ୍ରତ୍ୟୟନ କରିବାର ୟେ ଥିଲା ଏକ ନିଷ୍କପଟ ପ୍ରଚେଷ୍ଟା। ତେବେ ଭାରତର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀ ୨୦୦୭ (୫ ଡିସେମ୍ବର)ରେ ରାଜ୍ୟସଭାକୁ ଉଦ୍‌ବୋଧନ ଦେଇ ଉଦାତ୍ତ କଣ୍ଠରେ ଯେଉଁ ଘୋଷଣା କରିଥିଲେ, ତାହା ଥିଲା ଅପୂର୍ବ: ‘‘ବସୁଧୈବ କୁଟୁମ୍ବକଂ ଆମର ବୈଦେଶିକ ନୀତି।’’ ସେହିପରି ଶ୍ରୀ ମୋଦୀ ୨୦୧୮ରେ (୨୩ ଜାନୁଆରୀ) ଡାଭୋସ୍‌ରେ ଆୟୋଜିତ ‘ୱାର୍ଲଡ ଇକୋନୋମିକ୍‌ ଫୋରମ୍‌’ରେ ବସୁଧୈବ କୁଟୁମ୍ବକଂର ଅର୍ଥ ବୁଝାଇବାକୁ ଯାଇ କହିଥିଲେ, ‘‘ଭୌତିକ ପୃଥିବୀ ବିଷୟରେ ମଧ୍ୟ, କେଉଁ ପ୍ରାଚୀନ କାଳରୁ ଆମେ ସେହି ସମାନ କଥା ବସୁଧୈବ କୁଟୁମ୍ବକଂ କହିଆସୁଛୁ। ତତ୍କାଳୀନ ପୃଥିବୀର ଗୋଟିଏ ପ୍ରାନ୍ତରୁ ଆର ପ୍ରାନ୍ତକୁ ଯାତାୟାତ ପାଇଁ ସେପରି ସାଧନ ନଥିଲା; ତଥାପି ଏକତା ଭାବନା ରହିଥିଲା।’’

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ସ୍ବାଧୀନତୋତ୍ତର କାଳରେ ତା’ର ନୀତିନିର୍ଦ୍ଧାରଣକୁ ବିଶ୍ବତୋମୁଖୀ ଉପସ୍ଥାପନ ପାଇଁ ବସୁଧୈବ କୁଟୁମ୍ବକଂକୁ ହିଁ ତା’ର ସର୍ବୋତ୍କୃଷ୍ଟ ଆଦର୍ଶ ବୋଲି ଦର୍ଶାଇଆସିଛି। ତେଣୁ ସଂସଦ ଭବନ ପ୍ରବେଶ ପଥରେ ମଧ୍ୟ ଏହାକୁ ଉତ୍‌କୀର୍ଣ୍ଣ କରାଯାଇଛି। ପାରମ୍ପରିକ ହିନ୍ଦୁଙ୍କ ଧାରଣା ଯେ ଭାରତବର୍ଷର ମୁନିଋଷିଗଣ ଏହାକୁ ବିଶ୍ବଭ୍ରାତୃତ୍ବ ପ୍ରତି ସେମାନଙ୍କର ଉଦାର ଦୃଷ୍ଟି‌େକାଣ ରୂପେ ଉପସ୍ଥାପିତ କରିଥିଲେ। ତେବେ ଆଧୁନିକ ଭାରତୀୟଙ୍କ ମଧ୍ୟରୁ ବହୁଳାଂଶ ସମ୍ପୂର୍ଣ୍ଣ ଶ୍ଳୋକଟି ଜାଣିଥିବେ କି ନା ତାହା ସନ୍ଦେହ। ସମ୍ଭବତଃ ସେହି ହେତୁରୁ ଅନେକାଂଶରେ ଏ ସମ୍ପର୍କିତ ବହୁଳ ବିମର୍ଶ ଏକ କୃତ୍ରିମ/କପଟ ଆଚରଣ ଓ ଅଜ୍ଞ ବୌଦ୍ଧିକତାର ପ୍ରତିଫଳ, ତାହା ଶ୍ଳୋକଟିର ଗଭୀର ଅନୁଶୀଳନରୁ ଅବଶ୍ୟ ଜଣାପଡ଼େ। କୂଟନୀତି କ୍ଷେତ୍ରରେ ଯେଭଳି ଏହାର ଅପପ୍ରୟୋଗ ହୋଇଆସିଛି, ତାହା କେବଳ ଅଜ୍ଞାନତାର ପରିଣାମ କୁହାଗଲେ ଅସଙ୍ଗତ ହେବନାହିଁ। ଅତଏବ ଏହି ଶ୍ଳୋକର ମୂଳ ସ୍ରୋତ ଏବଂ ଏହାର ପ୍ରୟୋଗର ହେତୁଗୁଡ଼ିକର ନିରୀକ୍ଷଣର ଆବଶ୍ୟକତା ମନେହୁଏ ଅପରିହାର୍ଯ୍ୟ।
ଏହି ସର୍ବାଧିକ ବ୍ୟବହୃତ ଶ୍ଳୋକାଂଶଟି ଋଗ୍‌ବେଦ, ମହାଭାରତ, ମନୁସ୍ମୃତି ଓ ପୁରାଣ ଆଦିରୁ ଆନୀତ ବୋଲି ଅନେକଙ୍କ ଧାରଣା; କିନ୍ତୁ ପ୍ରକୃତରେ ଏହାକୁ ଆମେ ଯେଉଁ କେତେକ ପ୍ରାଚୀନ ସଂସ୍କୃତ ଗ୍ରନ୍ଥରେ ଦେଖିବାକୁ ପାଉ, ତାହା ହେଲା ହିତୋପଦେଶ, ପଞ୍ଚତନ୍ତ୍ର, ଚାଣକ୍ୟ ଓ ଭର୍ତ୍ତୃହରିଙ୍କ ରଚନା, ମହୋପନିଷଦ, ବିକ୍ରମ ଚରିତ ଏବଂ କାଶ୍ମୀରୀ କବି ଭଟ୍ଟ ଉଦ୍ଭଟଙ୍କ ରଚନାରେ। ଆମେ ସର୍ବପ୍ରଥମେ ଦେଖିବା ହିତୋପଦେଶରେ ଏହା କେଉଁ ପରିପ୍ରେକ୍ଷୀରେ ପ୍ରୟୋଗ ହୋଇଛି। ଆନୁମାନିକ ପଞ୍ଚମ ଶତାବ୍ଦୀରେ ପ୍ରସିଦ୍ଧ ରାଜନୀତିବେତ୍ତା ନାରାୟଣ ପଣ୍ଡିତ ଦୁଇ ଜଣ ବିଦ୍ୟାବିମୁଖ ରାଜପୁତ୍ରଙ୍କୁ ଶିକ୍ଷା ଦେବା ନିମନ୍ତେ ଏହାକୁ ନିଜର ନୀତିକଥା ମଧ୍ୟରେ ସନ୍ନିବେଶିତ କରିଥିଲେ। ହିତୋପଦେଶରେ ଚାରିଟି ମୁଖ୍ୟ ଅଧ୍ୟାୟ ରହିଥିବାବେଳେ ପ୍ରତ୍ୟେକ କଥା(ଗଳ୍ପ) ଭିତରେ ଏକାଧିକ ଉପକଥା/ଆଖ୍ୟାୟିକା ଗୁନ୍ଥାଯାଇଛି।

ପ୍ରଥମ ଅଧ୍ୟାୟ ‘ମିତ୍ରଲାଭ’ରେ ହିଁ ବସୁଧୈବ କୁଟୁମ୍ବକଂ ଦେଖିବାକୁ ମିଳେ। ହିରଣ୍ୟକ ନାମକ ମୂଷିକ ଏବଂ ତା’ ବନ୍ଧୁ ଲଘୁପତନକ କାକ(କୁଆ)ର କାହାଣୀ ଭିତରେ ଆଉ ଗୋଟିଏ କାକ ସୁବୁଦ୍ଧି, ଚିତ୍ରାଙ୍ଗ ମୃଗ ଓ କ୍ଷୁଦ୍ରବୁଦ୍ଧି ଶୃଗାଳକୁ ନେଇ ଏହାର କଥନିକା ଗତିଶୀଳ। ଏଠାରେ କ୍ଷୁଦ୍ରବୁଦ୍ଧି ଯେତେବେଳେ ସୁବୁଦ୍ଧିଠାରୁ ‘ଜରଦ୍‌ଗବ ଗୃଧ୍ର (ଶାଗୁଣା) ଓ ଦୀର୍ଘକର୍ଣ୍ଣ ମାର୍ଜାର (ବିରାଡ଼ି)’ ସମ୍ବନ୍ଧୀୟ ଅନ୍ୟ ଏକ କାହାଣୀ ଶୁଣେ, ସେତେବେଳେ ସେ ବସୁଧୈବ କୁଟୁମ୍ବକଂ ଶ୍ଳୋକଟି ଉଚ୍ଚାରଣ କରେ। କ୍ଷୁଦ୍ରବୁଦ୍ଧି ଶୃଗାଳ ଚିତ୍ରାଙ୍ଗ ମୃଗକୁ ଭକ୍ଷଣ କରିବା ଉଦ୍ଦେଶ୍ୟରେ ତା’ ସହ ମିତ୍ରତା କରିବାକୁ ପାଞ୍ଚେ; କିନ୍ତୁ ଚିତ୍ରାଙ୍ଗର ପ୍ରକୃତ ବନ୍ଧୁ ସୁବୁଦ୍ଧି କାକ କ୍ଷୁଦ୍ରବୁଦ୍ଧିର ମନ୍ଦ ଉଦ୍ଦେଶ୍ୟ ଜାଣି ଚିତ୍ରାଙ୍ଗକୁ ଚେତାଇଦିଏ; କିନ୍ତୁ କ୍ଷୁଦ୍ରବୁଦ୍ଧି ବସୁଧୈବ କୁଟୁମ୍ବକଂ ଶ୍ଳୋକ ଆବୃତ୍ତି ସହ ଯୁକ୍ତି କରି କହେ ଯେ ଚିତ୍ରାଙ୍ଗ କେବଳ କାକକୁ ନିଜର ଓ ତାକୁ (ଶୃଗାଳ) ପର ବୋଲି ଭାବି ନୀଚମନା ହେବା ଅନୁଚିତ। ବସୁଧୈବ କୁଟୁମ୍ବକଂ ବିମର୍ଶ ହିଁ ଚିତ୍ରାଙ୍ଗ ମୃଗର ମନରୁ କ୍ଷୁଦ୍ରବୁଦ୍ଧି ଶୃଗାଳ ପ୍ରତି ଥିବା ସମସ୍ତ ସଂଶୟକୁ ଦୂର କରିଦିଏ ଓ ପ୍ରକୃତ ବନ୍ଧୁ ସୁବୁଦ୍ଧି କାକର ଉପଦେଶକୁ ସେ ଅଗ୍ରାହ୍ୟ କରିବା ସହ ବସୁଧୈବ କୁଟୁମ୍ବକଂ ଉଚ୍ଚାରଣକାରୀ ପ୍ରବଞ୍ଚକ ଶୃଗାଳକୁ ନିଜ ବାସସ୍ଥାନକୁ ଡାକିନିଏ। ଶୃଗାଳଟି ପରେ ତାକୁ ଫାଶରେ ପକାଇବାର ମନ୍ଦ ଉପାୟ ପାଞ୍ଚେ ଓ ସଫଳ ହୁଏ; କିନ୍ତୁ ସୌଭାଗ୍ୟକୁ କାକ ସେଠାରେ ପହଞ୍ଚି ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବନ୍ଧୁ ମୃଗକୁ ବଞ୍ଚାଏ ଏବଂ ଶୃଗାଳର ପ୍ରାଣନାଶ କରିବାରେ ମଧ୍ୟ ସଫଳ ହୁଏ।

ମହାନ ରାଜନୀତିବିଦ୍‌ ନାରାୟଣ ପଣ୍ଡିତଙ୍କ ବସୁଧୈବ କୁଟୁମ୍ବକଂର ଏ ପରିପ୍ରେକ୍ଷ ଲୋକପ୍ରିୟ ପରିପ୍ରେକ୍ଷଠାରୁ କେବଳ ଭିନ୍ନ ନୁହେଁ; ପ୍ରାୟ ବିପରୀତମୁଖୀ! ଭ୍ରାତୃତ୍ବ/ସଖ୍ୟ କଥା କହି ପ୍ରବଞ୍ଚନା କରୁଥିବା ଗୋଟିଏ ଶୃଗାଳ ମୁହଁରେ ଏହି ଶ୍ଳୋକଟିକୁ ଉଚ୍ଚାରଣ କରାଇ ସେ ଇତିହାସ, ପ୍ରକୃତି ଓ ଉଦ୍ଦେଶ୍ୟ ନ ଜାଣି ଅନ୍ଧଭାବେ କୌଣସି ବିଚାର/ବ୍ୟକ୍ତିକୁ ଗ୍ରହଣ ନ କରିବାକୁ ତାଙ୍କ ଚେତାବନୀ ଖୁବ୍‌ ସ୍ପଷ୍ଟ।

ଶୃଗାଳଟିକୁ ବିଶ୍ବାସ ନ କରିବାକୁ ବୁଝାଇବା ପାଇଁ ସୁବୁଦ୍ଧି ତା’ ବନ୍ଧୁ ମୃଗକୁ ‘ଜରଦ୍‌ଗବ ଗୃଧ୍ର ଓ ଦୀର୍ଘକର୍ଣ୍ଣ ମାର୍ଜାର’ ଗଳ୍ପ ଶୁଣାଇଥିଲା। ସଂକ୍ଷେପରେ କାହାଣୀଟି ଏମିତି: ଜରଦ୍‌ଗବ ଅତି ବୃଦ୍ଧ ହୋଇଯାଇଥିବା ହେତୁ ସେ ପକ୍ଷୀଶାବକଙ୍କୁ ବୃକ୍ଷ କୋରଡ଼ରେ ଜଗିବାର ଦାୟିତ୍ବ ନେଇଥିଲା; କିନ୍ତୁ ନିଜକୁ ଧାର୍ମିକ ପ୍ରତିପାଦିତ କରି ଦୀର୍ଘକର୍ଣ୍ଣ ମାର୍ଜାର କୋରଡ଼ରେ ଅବସ୍ଥାନ କଲା ଏବଂ ଗୋଟିଏ ପରେ ଗୋଟିଏ ସମସ୍ତ ପକ୍ଷୀଶାବକଙ୍କୁ ଭକ୍ଷଣ କଲା। ଜରଦ୍‌ଗବ ଭକ୍ଷଣ କରିଥିବା ସନ୍ଦେହରେ ପକ୍ଷୀମାନେ ତାକୁ ମାରିଦେଲେ। ଏହି କାହାଣୀ ଶୁଣିବା ପରେ କ୍ରୁଦ୍ଧ ହୋଇ ଶୃଗାଳଟି କାକକୁ ବସୁଧୈବ କୁଟୁମ୍ବକଂ ଦର୍ଶନ ଶୁଣାଇଥିଲା।

ଏଥିରୁ ଅବଶ୍ୟ ଗୋଟିଏ କଥା ସ୍ପଷ୍ଟ ଯେ ଆଚାର୍ଯ୍ୟ ନାରାୟଣ ପଣ୍ଡିତ ନୀତି ପ୍ରଣୟନ କ୍ଷେତ୍ରରେ ଅନ୍ଧଭାବେ ଭ୍ରାତୃତ୍ବ ଓ ସଖ୍ୟ ଭାବ ପ୍ରତିଷ୍ଠା ନ କରିବାକୁ ଚେତାବନୀ ଦେଇଛନ୍ତି। ଅପରପକ୍ଷେ ସେ ଏହି ଶ୍ଳୋକଟିକୁ ବିଶ୍ବର ସର୍ବଶ୍ରେଷ୍ଠ ନୀତିକଥା ‘ପଞ୍ଚତନ୍ତ୍ର’ରୁ ଉଦ୍ଧାର କରିଥିବା ସ୍ପଷ୍ଟ; କାରଣ ସେ ଠାଏ ସ୍ବୀକାର କରିଛନ୍ତି: ‘‘ପଞ୍ଚତନ୍ତ୍ରାତ୍ତଥାନ୍ୟସ୍ମାତ୍‌ ଗ୍ରନ୍ଥାଦକୃଷ୍ୟ ଲିଖ୍ୟତେ’’ (ହିତୋପଦେଶ ୧.୯)। ଆନୁମାନିକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ଶାସନକାଳରେ ଆଚାର୍ଯ୍ୟ ବିଷ୍ଣୁଶର୍ମଣ/ବିଷ୍ଣୁଶର୍ମାଙ୍କ ଦ୍ବାରା ରଚିତ ଏହି ଅମୂଲ୍ୟ ନୀତିକଥା ତତ୍କାଳୀନ ସମସାମୟିକ ପୃଥିବୀର ସମସ୍ତ ସଭ୍ୟତାକୁ ସଞ୍ଚରିଯାଇଥିଲା, ଯାହା ଏକ ବିସ୍ମୟ। ଫଳତଃ ଏସବୁ ନୀତିକଥା ପର୍ସିଆନ, ସିରିଆକ୍, ତୁର୍କିକ୍‌, ଗ୍ରୀକ, ଲାଟିନଠାରୁ ଆରମ୍ଭ କରି ହିବ୍ର୍ୟୁ ଓ ଚାଇନିଜ୍‌ ଯାଏ, ବିଶ୍ବର ସମସ୍ତ ପ୍ରମୁଖ ପ୍ରାଚୀନ ଭାଷାରେ ଉପଲବ୍ଧ। ଆହୁରି ମଧ୍ୟ ପିଲ୍‌ପାଇ, ଏସପ୍‌, ଗ୍ରୀମ୍‌ ଭଳି ଇଉରୋପର ପ୍ରମୁଖ ଗଳ୍ପମାଳାଗୁଡ଼ିକର ମୂଳ ଉତ୍ସ ‘ପଞ୍ଚତନ୍ତ୍ର’ ବୋଲି ସର୍ବସ୍ବୀକୃତ। ଏଥିରେ ବସୁଧୈବ କୁଟୁମ୍ବକଂର ପ୍ରୟୋଗ ହୋଇଛି ପଞ୍ଚମ ତନ୍ତ୍ର ‘ଅପରୀକ୍ଷିତକାରକମ୍’ର ‘ସିଂହ କାରକ ମୂର୍ଖ ବ୍ରାହ୍ମଣ କଥା’ ଗଳ୍ପ‌େର। ଧ୍ୟାନଯୋଗ୍ୟ, ବିଷ୍ଣୁଶର୍ମା ଏହି ଶ୍ଳୋକଟିକୁ ଯେଉଁ ଚରିତ୍ର ମୁହଁରେ ଆବୃତ୍ତି କରାଇଛନ୍ତି, ତାକୁ ସେ ଆରମ୍ଭରୁ ହିଁ ମୂର୍ଖ/ନିର୍ବୁଦ୍ଧିଆ ​‌େ​‌ଘାଷଣା କରିଛନ୍ତି। ସଂକ୍ଷିପ୍ତ କାହାଣୀଟି ଏହିପରି: ଚାରିଜଣ ବ୍ରାହ୍ମଣ ଯୁବବନ୍ଧୁଙ୍କ ମଧ୍ୟରୁ ତିନି ଜଣ ଶାସ୍ତ୍ରବିଦ୍ୟାରେ ପାରଙ୍ଗମ ଥିଲେ ହେଁ ଥିଲେ ନିର୍ବୁଦ୍ଧିଆ; କିନ୍ତୁ ଜଣେ ଶାସ୍ତ୍ରଶିକ୍ଷାରେ ନ୍ୟୂନ ଥିଲେ ମଧ୍ୟ ଥିଲା ଅତି ବୁଦ୍ଧିମାନ। ଶିକ୍ଷିତ-ନିର୍ବୁଦ୍ଧିଆମାନେ ଥରେ ଆପଣାର ଶାସ୍ତ୍ରଜ୍ଞାନ ପରୀକ୍ଷା ପାଇଁ ମନ ବଳାଇ ଏକ ନଗର ଅଭିମୁଖେ ବାହାରିଲେ। ଅଶିକ୍ଷିତ-ବୁଦ୍ଧିଅ‌ାଜଣକ ସେମାନଙ୍କ ବନ୍ଧୁ ଥିବାରୁ ତୃତୀୟ ଶିକ୍ଷିତ-ନିର୍ବୁଦ୍ଧିଆର ପ୍ରରୋଚନାରେ ସେମାନେ ତାକୁ ସାଙ୍ଗ​ରେ ନେଲେ। ଅନ୍ୟ ଦୁଇଜଣ ତାକୁ ନିଜ ସହ ନେବାକୁ ମନା କରୁଥିବାରୁ ତୃତୀୟଜଣକ ସେମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ବସୁଧୈବ କୁଟୁମ୍ବକଂ ଆବୃତ୍ତି କରିଥିଲା। ଯିବାବେଳେ ବାଟରେ ଏକ ସ୍ଥାନରେ ଅସ୍ଥିମାନ ପଡ଼ିଥିବା ଦେଖି ତାକୁ ଜୀବନ୍ୟାସ ଦେଇ ନିଜ ଶାସ୍ତ୍ରଜ୍ଞାନ ପରୀକ୍ଷା କରିବାକୁ ତିନି ଶିକ୍ଷିତ-ନିର୍ବୁଦ୍ଧିଆ ଭାବିଲେ ଏବଂ ସତକୁ ସତ ତାକୁ ସଜୀବ କରିବା ପରେ ସେଥିରୁ ସିଂହଟିଏ ଆବିର୍ଭାବ ହୋଇ ତିନିଜଣଙ୍କୁ ମାରି ପକାଇଥିଲା। ଅଶିକ୍ଷିତ-ବୁଦ୍ଧିଆଜଣକ ସେପରି କରିବାକୁ ପୂର୍ବରୁ ବାରଣ କରିଥିଲା; କିନ୍ତୁ ସେମାନେ ତା’ କଥା ନ ଶୁଣିବାରୁ ସେ ଏକ ଉଚ୍ଚବୃକ୍ଷରେ ଆଶ୍ରୟ ନେଇ ନିଜର ଜୀବନରକ୍ଷା କରିପାରିଥିଲା।

ଉଲ୍ଲେଖନୀୟ, ହିତୋପଦେଶରେ ନାରାୟଣ ପଣ୍ଡିତ ବସୁଧୈବ କୁଟୁମ୍ବକଂ ଶ୍ଳୋକଟିକୁ ଜଣେ ପ୍ରବଞ୍ଚକ ଶୃଗାଳ ମୁହଁରେ କୁହାଇ ଏହାର ଅନ୍ଧ-ପ୍ରୟୋଗକୁ ବ୍ୟଙ୍ଗ କରିବା ସହ ଚେତାବନୀ ଦେଇଥିବାବେଳେ ଆଚାର୍ଯ୍ୟ ବିଷ୍ଣୁଶର୍ମା ଏହାକୁ ଜଣେ ଘୋଷିତ ମୂର୍ଖ ବା ନିର୍ବୁଦ୍ଧିଆ ମୁହଁରେ ଆବୃତ୍ତି କରାଇ ତାଙ୍କର ଏ ନେଇ ଥିବା ଦୃଷ୍ଟିକୋଣକୁ ସ୍ପଷ୍ଟ କରିଦେଇଛନ୍ତି। ସେ ଏପରି ଜଣକ ମୁହଁରେ ବସୁଧୈବ କୁଟୁମ୍ବକଂ କୁହାଇଛନ୍ତି, ଯିଏ ତା’ର ବୋକାମି ଦ୍ବାରା ନିଜର ମରଣକୁ ଆମନ୍ତ୍ରଣ କଲା, ଠିକ୍‌ ହିତୋପଦେଶର ସେହି ଶଠ ଶୃଗାଳଟି ପରି, ଯାହାକୁ ବାସ୍ତବବାଦୀ ନାୟକ ସୁବୁଦ୍ଧି କାକ ଆପଣାର ବୁଦ୍ଧିବଳରେ ମାରି ନିଜ ବନ୍ଧୁର ପ୍ରାଣରକ୍ଷା କରିଥିଲା। ବିଶ୍ବର ପ୍ରାଚୀନତମ ଶ୍ରେଷ୍ଠ ନୀତିକଥାଦ୍ବୟ ପଞ୍ଚତନ୍ତ୍ର ଓ ହିତୋପଦେଶର ରଚୟିତା ତଥା ମହାନ ରାଜନୀତିବେତ୍ତା ବିଷ୍ଣୁଶର୍ମା ଓ ନାରାୟଣ ପଣ୍ଡିତ ଏହା ଚେତାଇବାକୁ ଚେଷ୍ଟା କରିଛନ୍ତି ଯେ ପାର୍ଥିବ/ଜାଗତିକ/ଭୌତିକ ବିଷୟରେ ବସୁଧୈବ କୁଟୁମ୍ବକଂର ନିଃସର୍ତ୍ତ ପ୍ରୟୋଗ କେବଳ ଆତ୍ମଘାତୀ​‌ ନୁହେଁ; ଅବାସ୍ତବ ମଧ୍ୟ। ଏହା କେବଳ ଓ କେବଳ ଅଧ୍ୟାତ୍ମ ​କ୍ଷେତ୍ର (‘ମହୋପନିଷଦ’ରେ ଅଧ୍ୟାତ୍ମର ସର୍ବୋଚ୍ଚ ସୋପାନ ବ୍ରାହ୍ମୀସ୍ଥିତିର ଲକ୍ଷଣ ବର୍ଣ୍ଣନା ନିମନ୍ତେ ଏହି ଶ୍ଳୋକର ଅବତାରଣା ହୋଇଛି; ଏ ଶୃଙ୍ଖଳାର ପରବର୍ତ୍ତୀ ରଚନାରେ ଆଲୋଚିତ) ନିମନ୍ତେ ଉଦ୍ଦିଷ୍ଟ।

Comments are closed.