ଲଙ୍ଗଳ: ଜନ୍ମରୁ ସଂଗ୍ରହାଳୟରେ ଆଶ୍ରୟ ପାଇବା ପର୍ଯ୍ୟନ୍ତ

ନଟବର ଷଡ଼ଙ୍ଗୀ

ପୃଥିବୀରେ ପ୍ରଥମ କୃଷି ବିପ୍ଳବ ନିଓଲିଥିକ ଯୁଗ (ଖ୍ରୀ.ପୂ ୭୦୦୦) ବର୍ଷରୁ ଆରମ୍ଭ ହୁଏ। ଆଦିମ ମଣିଷ ଜଙ୍ଗଲରେ ଶିକାର ଏବଂ ଫଳମୂଳ ସଂଗ୍ରହକରି ଖାଉଥିଲା। ପଥର ଘସି ଧନୁ ତୀର, ବର୍ଚ୍ଛା, କୁନ୍ତ, କୁରାଢି ଗଢି ଜନ୍ତୁ ମାରୁଥିଲା। ନିଆଁର ବ୍ୟବହାର ଜାଣିଲାଣି। କୁଡ଼ିଆ ତିଆରି କରି ବସବାସ କଲା। ଲୋକ ସଂଖ୍ୟା ବଢ଼ୁଛି। ଶିକାର କମି ଯାଉଛି। ଖାଦ୍ୟ ସଂକଟ ଅନୁଭବ କଲା। ପଥର ଘସି ଖୁରୁପି, ଖଣତି, ଶାବଳ, କଟୁରି, କୁରାଢି ଏବଂ ଚକମକି ପଥରକୁ ଘଷି ଦା, କରତ, ମାଛକଟା ପନିକି ଭଳି କୃଷି ଉପକରଣ ତିଆରି କଲା। ସ୍ତ୍ରୀ ଲୋକମାନେ ପ୍ରଥମେ ମାଟି ଖୋଳି ମଞ୍ଜି ଲଗାଇଲେ। ପ୍ରଥମେ ଗହମ, ବାର୍ଲି, ଓଟ୍‌ସ ଓ ଧାନ ଭଳି ଘାସ ଜାତୀୟ ଉଦ୍ଭିଦକୁ ଚାଷ କଲେ। ଐତିହାସିକମାନେ ସ୍ତ୍ରୀ ଲୋକମାନଙ୍କୁ କୃଷିର ଆବିଷ୍କାରକ କୋଲି କହନ୍ତି। କୃଷି କାର୍ଯ୍ୟ ପ୍ରଥମେ ପଶ୍ଚିମ ଏସିଆରୁ ଆରମ୍ଭ ହୋଇ ସମୟକ୍ରମେ ୟୁରୋପ, ମିଶର, ଭାରତୀୟ ଉପମହାଦେଶ, ପୂର୍ବ ଏସିଆ ଓ ଚୀନକୁ ବ୍ୟାପିଗଲା।

ଖ୍ରୀ.ପୂ ୩୦୦୦ରୁ ୧୭୦୦ ପର୍ଯ୍ୟନ୍ତ ଚାଲକୋଲିଥିକ ଯୁଗ। ଏହି ଯୁଗରେ ଲଙ୍ଗଳ ଓ ଶଗଡ଼ର ଉଦ୍ଭାବନ ହୋଇଛି। କେଉଁ ଦେଶରେ ପ୍ରଥମେ ଲଙ୍ଗଳରେ ଚାଷ ହେଲା ସେପରି ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ। ଟାଇଗ୍ରିସ ଓ ଇଉଫ୍ରେଟିସ ନଦୀ ଉପତ୍ୟକାରେ ମେସୋପଟାମିଅାଁର ସୁମେରିଆନମାନେ ପ୍ରାୟ ଖ୍ରୀପୂ ୩୦୦୦ ବେଳକୁ ଷଣ୍ଢ ବା ଗାଈ ଯୋଚି ଲଙ୍ଗଳରେ ହଳ କରିଥିବା ତଥ୍ୟ ମିଳୁଛି। ଆଜି ଠାରୁ ୫୦୦୦ ବର୍ଷ ତଳର କାଠ ଲଙ୍ଗଳ ସଂରକ୍ଷିତ କରିବା ସମ୍ଭବ ନୁହେଁ। ପ୍ରତ୍ନତତ୍ତ୍ୱବିତ୍‍ମାନେ ମହେଞ୍ଜୋଦା​‌େ​‌ରାରୁ ସଂଗ୍ରହ କରିଥିବା ଗୋଟିଏ ଟେରାକୋଟା ଲଙ୍ଗଳର ନମୁନା ମୁମ୍ବଇର ପ୍ରିନ୍ସ ଅଫ ଉଏଲସ ମ୍ୟୁଜିୟମରେ ପ୍ରଦର୍ଶିତ ହେଉଅଛି। ( ଦ ହଷ୍ଟ୍ରି ଅଫ ଏଗ୍ରିକଲଚର ଅଫ ଇଣ୍ଡିଆ, ଭାଗ-୧, ଏମ.ଏସ.ରାନ୍ଧୁଆ, ପୃଷ୍ଠା-୧୬୯)। ପାକିସ୍ତାନର ସ୍ୱାତ ଉପତ୍ୟକା ଅଲିଗ୍ରାମରେ ଦ୍ୱାଦଶ ଶତାବ୍ଦୀର ଖଣ୍ଡିଏ ହଳ ଜମି ଏବେ ବି ସଂରକ୍ଷିତ ଅଛି। (ଏସ. ତୁସା; ଦ ଭେଦିକ ଏଜ୍‍, ପୃଷ୍ଠା-୭, ଇନଫାନ ହବିବ)। ଲୁହା ସେ ପର୍ଯ୍ୟନ୍ତ ଆବିଷ୍କାର ହୋଇନି। ଫ୍ଲିଣ୍ଟକୁ ଘଷି ମୁନିଆ କରି ଲଙ୍ଗଳରେ ସାଉଳା ଲଗାଇ ଚାଷୀ ହଳ କରୁଥିଲେ। ଐତିହାସିକ ଗର୍ଡ଼ନ ଚାଇଡ କହନ୍ତି ଖ୍ରୀ.ପୂ ୬୦୦୦ରୁ ୩୦୦୦ ମଧ୍ୟରେ ଦ୍ୱିତୀୟ କୃଷି ବିପ୍ଳବ ଘଟିଛି। ଲଙ୍ଗଳର ଭୂମିକା ଅବର୍ଣ୍ଣନୀୟ। ଏହି ସମୟରେ କୃଷି କାର୍ଯ୍ୟ ସହିତ ଜଙ୍ଗଲୀ ଗାଈ, ମେଣ୍ଢା, ମଇଁଷି, ବା ଘୁଷୁରି ଭଳି ଜୀବମାନଙ୍କୁ ଘରେ ପାଳି ପୋଷି ନିଜ କାମରେ ଲଗାଇଲେ।

ଖ୍ରୀ.ପୂ ୨୫୦୦ ବେଳକୁ ଲଙ୍ଗଳ ପଶ୍ଚିମ ଉପତ୍ୟକାରୁ ସିନ୍ଧୁ ଉପତ୍ୟକାରେ ପହଞ୍ଚିଲାଣି। ଅଣ୍ଡିରା ବାଛୁରୀର ମୁସ୍କ ଛେଦନକରି ବଳଦ କରିବା କୌଶଳ ଭାରତୀୟମାନେ ଉଦ୍ଭାବନ କଲେଣି। ‘ବାଇଓ ଇଞ୍ଜିନିୟରିଙ୍ଗ’ର ଏହା ପ୍ରଥମ ସୋପାନ ବୋଲି ବୈଜ୍ଞାନିକମାନେ କହନ୍ତି। ଷଣ୍ଢ ବା ଗାଈ ପରିବର୍ତ୍ତେ ବଳଦ ଦ୍ୱାରା ଅଳ୍ପ ସମୟରେ ଅଧିକ ଜମି ଚାଷ କରାଯାଇ ପାରିଲା। କୃଷିଜାତ ଦ୍ରବ୍ୟ ପରିବହନ ପାଇଁ ଶଗଡ଼ ବ୍ୟବହାର ହେଲା। ସହରକୁ ଖାଦ୍ୟ ଯୋଗାଣ ବା ବିଦେଶକୁ ଖାଦ୍ୟ ରପ୍ତାନି କାମଟି ସହଜ ହୋଇଗଲା। ଭାରତରୁ ଖାଦ୍ୟଦ୍ରବ୍ୟ ଶଗଡ଼ରେ ପଶ୍ଚିମ ଏସିଆ ଓ ୟୁରୋପକୁ ପଠାଯାଇପାରିଲା। ମହେଞ୍ଜୋଦାରୋ ହରପ୍ପାର କାଠ କାରିଗରମାନେ ଉନ୍ନତ ମାନର ଲଙ୍ଗଳ ତିଆରି କରିପାରିଲେ। ଶାଳ, କ୍ଷୀରକୋଳି, କେନ୍ଦୁ ଓ ଆମ୍ବ ଲଙ୍ଗଳ ତିଆରିରେ ଲାଗିଲା। ଖ୍ରୀ.ପୂ ୧୦୦୦ରୁ ୬୦୦ମଧ୍ୟରେ କାସ୍ପୀୟାନ ସାଗର ଅଞ୍ଚଳରୁ ବହୁ ସଂଖ୍ୟକ ଆର୍ଯ୍ୟ ଖାଇବର ପାସ୍‍ ବାଟେ ଭାରତରେ ପ୍ରବେଶ କଲେ। ସେମାନେ ଲୁହାର ବ୍ୟବହାର ଜାଣିଥାନ୍ତି। ଏଣିକି ଲଙ୍ଗଳରେ ଲୁହା ସାଉଳି ଲାଗିଲା। ଲୁହାରେ ଅନ୍ୟାନ୍ୟ କୃଷି ଉପକରଣ ତିଆରି ହେଲା। ଖ୍ରୀ.ପୂ ୧୨୦୦ ବେଳକୁ ମିଶର, ଗ୍ରୀସ, ମେସୋପଟାମିଆଁ ଓ ସିନ୍ଧୁ ସଭ୍ୟତା ବିକଶିତ ହେଲାଣି। ଆମେରିକାର ପ୍ରତ୍ନତତ୍ତ୍ୱବିତ୍‍ ଓ ନୃତତ୍ତ୍ୱବିତ୍‍ ରବର୍ଟ ଜନ୍‌ ବ୍ରେଡ ଉଡ କହନ୍ତି ମାତ୍ର ୩-୪ ହଜାର ବର୍ଷର ବ୍ରୋଞ୍ଜ ଯୁଗରେ ମଣିଷ ବିକାଶ ପଥରେ ଯେଉଁ ସଫଳତା ଆଣି ପାରିଛି ବିଗତ ୨,୫୦,୦୦୦ର ପରିବର୍ତ୍ତନ ଠାରୁ ଏହା ଯଥେଷ୍ଟ ଅଧିକ, ଲଙ୍ଗଳ ଓ ଶଗଡ଼ ଏପରି ବିକାଶର ଆଧାର।

ପରାଶର ଋଷି ଖ୍ରୀ.ପୂ ୪୦୦ରେ ରଚନା କରିଥିବା କୃଷି ପରାଶର ପାଣ୍ଡୁଲିପିଟିକୁ ଏସିଆନ ଏଗ୍ରି ଟ୍ରଷ୍ଟ ଫାଉଣ୍ଡେସନ ୧୯୯୯ ମସିହାରେ ଅନୁବାଦ କରି ପ୍ରକାଶ କରିଛନ୍ତି। ଭାରତରେ କୃଷି ସର୍ମ୍ପକିତ ଏହି ପୁରାତନ ପୁସ୍ତକରେ ଲଙ୍ଗଳର ସମ୍ପୂର୍ଣ୍ଣ ଚିତ୍ର ସହିତ ଗଠନ ପ୍ରଣାଳୀ ବର୍ଣ୍ଣନା କରାଯାଇଛି। ଶ୍ଳୋକ ୧୧୨ ରୁ ୧୨୦ ପର୍ଯ୍ୟନ୍ତ ହଳ ସାମଗ୍ରୀ ଉପରେ ପରାଶର ଲେଖିଛନ୍ତି।

କାଶ୍ୟପୀୟ କୃଷି ସୂକ୍ତିଃ ୭୦୦-୮୦୦ ଖ୍ରୀଷ୍ଟାବ୍ଦରେ ଋଷି କାଶ୍ୟପ ରଚନା କରିଥିବା କୁହାଯାଏ। ଲଙ୍ଗଳ,ବଳଦ ଏବଂ ଜମିକୁ ପୂଜାକରି ହଳ କରିବା ପାଇଁ କାଶ୍ୟପ ଋଷି ଶ୍ଲୋକ ୨୭୨ରୁ ୨୮୬ ମଧ୍ୟରେ କୃଷକକୁ ଉପଦେଶ ଦେଇଛନ୍ତି।

ଲଙ୍ଗଳ ୩/୪ ପ୍ରକାରର। ଗୋଡିଙ୍ଗା ଲଙ୍ଗଳ ପଡ଼ିଆ ତାଡିବ, କାଦୁଅ, ବେଉଷଣ କରିବ। ଅଧାଫାଳି ଲଙ୍ଗଳ। ୪/୫ ଓଡଧରି ପଡ଼ିଆ ଭାଙ୍ଗିବ। ୧୮ ଆଙ୍ଗୁଳିଆ ଫାଳି, ମାଟି ଗୁଣ୍ଡ କରିବ। ୨୪ ଆଙ୍ଗୁଳିଆ ପଟା ଲଙ୍ଗଳ, ଶେଷ ଓଡ ଧରି ବିହନ ବୁଣାଯିବ ଓ ଚାଷୀ ବିହନ ମଡେଇବ। ଲଙ୍ଗଳ ଗ୍ରାମ ଅର୍ଥନୀତିର ମାନଦଣ୍ଡ ଥିଲା। ଭାରତରେ ୬ଲକ୍ଷ ଗାଁରୁ ଅଧିକ। ପ୍ରତି ଗାଁରେ ଖୁବ କମ୍‍ରେ ଜଣେ ମହାରଣା ଓ ଜଣେ କମାର। ବାର ତେର ଲକ୍ଷ ପରିବାରକୁ କାମ ଯୋଗାଉଥିଲା ଲଙ୍ଗଳ। ୨/୩ କୋଟି କୃଷି ଶ୍ରମିକଙ୍କ ପାଇଁ ବର୍ଷସାରା କାମ। ମହିଳା କୃଷି ଶ୍ରମିକ ରୋଇବେ, ବାଛିବେ, କାଟିବେ, ଖଳାକୁ ବୋହିବେ। ବିହନ ସଂଗ୍ରହ କରିବେ। ଅଣନିଃଶ୍ୱାସୀ କାମ। ଆଜି ଲଙ୍ଗଳ କୋମାରେ। ୨୦ ଲକ୍ଷ ଶ୍ରମିକ ଓଡ଼ିଶାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ନିର୍ଯାତନା ପାଉଛନ୍ତି। ଯାନ୍ତ୍ରିକ କୃଷି, ଆଧୁନିକ କୃଷି , ରାସାୟନିକ କୃଷି ସବୁ ମହାକାଳ ଫଳ।

ପୁଞ୍ଜିପତି ରାଷ୍ଟ୍ରମାନେ କମ୍ପାନୀମାନଙ୍କ ଟ୍ରାକ୍ଟର ବେପାର ଲକ୍ଷ୍ୟରେ ୧୯୪୦-୪୫ ମସିହାରୁ ଅଧିକ କ୍ଷୀର ଉତ୍ପାଦନ ଭେଳିକି ଦେଖାଇ ଭାରତରେ ବିଦେଶୀ ଗାଈ ପହଞ୍ଚାଇ ଦେଲେ। ଦେଶୀ ଗାଈ ଅଲୋଡା ହୋଇଗଲେ। ମାତ୍ର ଜର୍ସି ଗାଈର ଅଣ୍ଡିରା ବାଛୁରୀର ଚୂଳ ନାହିଁ। ହଳ କରି ପାରିଲା ନାହିଁ। ଗାଁ ଗାଁରେ ୧୦-୧୫ ଜର୍ସି ଷଣ୍ଢ। ଆଗେ ଜର୍ସି ଅଣ୍ଡିରାକୁ ଚାଷୀ ଶାଗ ମାଛ ଦରରେ ବେପାରୀଙ୍କୁ ବିକି ପାରୁଥିଲେ। କେନ୍ଦ୍ର ସରକାର ଓ କେତେକ ରାଜ୍ୟ ସରକାରଙ୍କ ଗୋ ସୁରକ୍ଷା ଆଇନ ଯୋଗୁଁ ଜର୍ସି ଅଣ୍ଡିରାମାନଙ୍କର ବିକ୍ରିି ବନ୍ଦ। ଦେଶ ସାରା ୫୦-୬୦ ଲକ୍ଷ ଜର୍ସି ଷଣ୍ଢ ଏବେ ଚାଷୀଙ୍କ ପାଇଁ ବିପଦ। ଫସଲ ଚରି ଯାଉଛନ୍ତି। ସରକାର ଆଇନ କରି ନାହିରେ ତେଲ ପକାଇ ବସିଛି। ଚାଷୀ କାନ୍ଦୁଛି। ରାଜା ଅନ୍ଧ। ପାଣି ଅନ୍ଧ। ଦେଶ ବଳଦ ଶୂନ୍ୟ ହୋଇଗଲା। ଟ୍ରାକ୍ଟର ଚାଷ ସର୍ବନାଶ। ଖାଦ୍ୟରେ ବିଷ। ପାଣିରେ ବିଷ। ଯାହା ବି ହେଲେ ଟ୍ରାକ୍ଟର ଛଡ଼ା ଚାଷୀର ଅନ୍ୟ ଗତି ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆମେରିକାର ଲ୍ୟାଣ୍ଡ ଗ୍ରାଣ୍ଟ ୟୁନିଭରସିଟି ଢାଞ୍ଚାରେ କୃଷି ବିଶ୍ୱବିଦ୍ୟାଳୟରେ ପାଠ୍ୟ ଖସଡ଼ା ତିଆରି କଲେ। କମ୍ପାନୀ ଗୁଡ଼ିକର କୃଷି ଯନ୍ତ୍ରପାତି, ବିହନ, ସାର, କୀଟନାଶକର ବେପାର ବଢ଼ିଚାଲିଲା। ଫଳ? ବିଶ୍ୱ କ୍ଷୁଧା ତାଲିକାରେ ଭାରତର ସ୍ଥାନ ୧୦୧। ପଞ୍ଜାବ କୃଷି ବିଦ୍ୟାଳୟର ମୁଖ୍ୟ ଫାଟକ ଖୋଲିଲେ। ଦେଖିବା ଗୋଟିଏ ଲଙ୍ଗଳର ନମୁନା। କାଠ ଲଙ୍ଗଳ ନୁହେଁ। ସିମେଣ୍ଟ କଂକ୍ରିଟରେ ତିଆରି। ଦିଲ୍ଲୀରେ ଭାରତ ସରକାରଙ୍କ କୃଷି ଭବନ ପ୍ରବେଶ ଦ୍ୱାରରେ ଭାରତୀୟ କୃଷିର ପ୍ରତୀକ ଗୋଟିଏ ଟ୍ରାକ୍ଟର ଚିତ୍ର। ବିନାଶ କାଳେ ବିପରୀତ ବୁଦ୍ଧି।

ଲଙ୍ଗଳ ଭାରତୀୟ କୃଷି ସଂସ୍କୃତିର ପ୍ରତୀକ। ଅକ୍ଷୟ ତୃତୀୟାରେ ବିହନ ଅନୁକୂଳ ହବ। ଲଙ୍ଗଳକୁ ପୂଜା, ବଳଦକୁ ପୂଜା। ରଜର ଚତୁର୍ଥ ଦିନ ବସୁନ୍ଧରା ସ୍ନାନ। ଲଙ୍ଗଳ କୃଷି ଯନ୍ତ୍ରପାତି ପୂଜା। ଶ୍ରାବଣ ମାସ। ଗହ୍ମା ପୂର୍ଣ୍ଣିମା। ଚାଷ କାମ ସରିଛି। ଲଙ୍ଗଳ, ବଳଦକୁ ପୂଜା। ଗୁହାଳରେ ଧୂପ ଦୀପ। ବଳଦକୁ ଏଣ୍ଡୁରିପିଠା ଚାଷୀ ଖୁଆଇବ। ଗାଁ ଦାଣ୍ଡରେ ଗହ୍ମା ତିଆରି ହେବ। ସବୁ ଯେପରି ହଜି ଯାଉଛି। ଗହ୍ମା ପୂର୍ଣ୍ଣିମା ଆଉ ଚାଷୀ ପର୍ବ ହୋଇନାହିଁ। ରାଖି ପୂର୍ଣ୍ଣିମା ! ସଂସ୍କୃତିର ଅବକ୍ଷୟ। ସବୁଜ ବିଶ୍ୱ ଆଜି ଧୂସର ରଙ୍ଗ। ମରୁଭୂମି କାୟା ବିସ୍ତାର କରୁଛି। ଯାନ୍ତ୍ରିକ କୃଷି ମିଳିତ ଜାତିସଂଘର ୨୦୩୦ ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ କରିପାରିବ ନାହିଁ। ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନରେ ରାସାୟନିକ କୃଷିର ଭାଗିଦାରୀ କମ୍‌ ନୁହେଁ। କ୍ଷୁଧା ମୁକ୍ତ ଭାରତ କେବଳ ଲଙ୍ଗଳ ଦ୍ୱାରା ସମ୍ଭବ। ଦେଶୀ ଗାଈର ବଂଶ ବୃଦ୍ଧି କରାଗଲେ ମାତ୍ର ୫-୭ ବର୍ଷରେ ଲକ୍ଷ ଲକ୍ଷ ବଳଦ ଠିଆ ହେବେ। ଇତିହାସର ପୁନାରାବୃତ୍ତି ଏକ ପ୍ରାକୃତିକ ଧାରା। ଯେଉଁ ଲଙ୍ଗଳ ପୃଥିବୀକୁ ୧୦ ହଜାର ବର୍ଷ ଦାନା, କନା ଯୋଗଉଥିଲା ଆଜି ସେ କେତେକ ସଂଗ୍ରହାଳୟରେ ଆଶ୍ରିତ। ଲଙ୍ଗଳ ଫେରିବ ତ ଚାଷୀ ମୁହଁରେ ହସ ଫେରିବ। ଛୋଟ ଓ ନାମ ମାତ୍ର ଚାଷୀ, ଭାଗଚାଷୀ ବଞ୍ଚିଯିବ। ଚାଷ ବଞ୍ଚିବ। ପ୍ରକୃତି ବଞ୍ଚିବ।

Comments are closed.