କୃଷିଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି କାହିଁକି?

ବିପ୍ଳବ

ଓଡ଼ିଶା ଗୋଟିଏ କୃଷିପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏଠି କୃଷିଜାତ ଦ୍ରବ୍ୟର ମୂଲ୍ୟ ସଦାବେଳେ ଉଚ୍ଚା ରହିଥାଏ। ବିଶେଷ କରି କାର୍ତ୍ତିକ ମାସରେ ପନିପରିବା ଦର ଆକାଶଛୁୁଅାଁ ଥାଏ। କାର୍ତ୍ତିକ ମାସକୁ ଆମ ଓଡ଼ିଶାରେ ଧର୍ମ ମାସ ବୋଲି ବିଚାର କରି ଅଧିକାଂଶ ଲୋକ ଶାକାହାରୀ ଜୀବନ ଯାପନ କରିଥାନ୍ତି। ତେଣୁ ଏହି ମାସରେ ଆମିଷ ବିକ୍ରି କମିବା ସହିତ ପନିପରିବାର ଦର ବୃଦ୍ଧି ଘଟିଥାଏ। ଏପରିକି ବଜାରରେ ଗୋଟିଏ ବିଡା କୋଶଳା ଶାଗର ଦାମ୍‍ ଏ ବର୍ଷ ଦଶ ଟଙ୍କା ପାଖାପାଖି ରହିଛି। କେବଳ ଶାଗ ନୁହେଁ ଅନ୍ୟ ସମସ୍ତ ସବୁଜ ପନିପରିବାର ଦର ଅନ୍ୟ ମାସ ଅପେକ୍ଷାକୃତ ଉଚ୍ଚା ରହିଛି। ମାତ୍ର କରୋନା ସମୟରେ ଲୋକମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ଓ ନୂତନ କର୍ମ ସଂସ୍ଥାନ ନମିଳିଥିବାରୁ ପନିପରିବାର ଅହେତୁକ ଦର ବୃଦ୍ଧି ଖାଉଟିମାନଙ୍କୁ ଯଥେଷ୍ଟ ବାଧିଛି। ତୈଳ ଦରର ବାରମ୍ବାର ବୃଦ୍ଧି (ନିକଟରେ ସରକାର କିଛି ଶୁଳ୍କ ଛାଡ଼ କରିଛନ୍ତି) ପରିବହନ ଖର୍ଚ୍ଚ ବଢ଼଼ାଇଛି କହି ବ୍ୟବସାୟୀମାନେ ମନଇଚ୍ଛା ଦର କଷୁଛନ୍ତି। ଉଭୟେ ନିଜନିଜ ଫାଇଦାରେ ରହୁଥିବା ବେଳେ ମାଡ ଖାଉଚି ବିଚରା ଖାଉଟି।

କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କର ଉନ୍ନତି କରୁଛନ୍ତି ଆଉ କୃଷିକୁ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି ବୋଲି ଯେତେ ଡିଣ୍ଡିମ ପିଟିଲେ ମଧ୍ୟ ବାସ୍ତବିକ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଆମ ଓଡ଼ିଶା କଥା ବିିଚାର କରାଯାଉ। ସବୁଜ ପନିପରିବା ଛାଡି ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧିର କାରଣ ପରିବହନ ଖର୍ଚ୍ଚ ବୃଦ୍ଧି ବୋଲି ବିଚାର କରାଯାଉ। ଯେହେତୁ କିଛି ମାସ ହେବ ନିୟମିତ ଭାବରେ ତୈଳ ଦର ବୃଦ୍ଧି ଘଟୁଛି ସେ ଦୃଷ୍ଟିରୁ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିବା ସ୍ୱାଭାବିକ କଥା। କିନ୍ତୁ ଆମ ରାଜ୍ୟରେ ଅମଳ ହେଉଥିବା ସବୁଜ ପନିପରିବାର ଦର ବୃଦ୍ଧି ପଛରେ କାରଣ କ’ଣ ରହିଛି? କାରଣ ଆମ ରାଜ୍ୟ ଏକ କୃଷିପ୍ରଧାନ ରାଜ୍ୟ ହେଲେ ମଧ୍ୟ ଏ ପର୍ଯ୍ୟନ୍ତ ନିଜ ଉପରେ ନିଜେ ନିର୍ଭରଶୀଳ ହୋଇ ପାରିନାହିଁ। ସେଥିପାଇଁ ଆଳୁ, ପିଆଜ, ମାଛ, ମାଂସ, ଅଣ୍ଡା ପ୍ରଭୃତି ଅତ୍ୟାବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଅନ୍ୟ ରାଜ୍ୟ ଉପରେ ଆମକୁ ନିର୍ଭର କରିବାକୁ ପଡ଼ିଥାଏ। ଯଦି କୌଣସି କାରଣରୁ ଯଥା ଜଳବାୟୁ ପରିବର୍ତ୍ତନ, ବନ୍ଦପାଳନ ଅଥବା ସମ୍ପୃକ୍ତ ରାଜ୍ୟମାନଙ୍କ ସହ ଆମର ତିକ୍ତତା ବୃଦ୍ଧି ପାଇଲା ତାହାର କୁପରିଣାମ ଆମ ସମସ୍ତଙ୍କୁ ଭୋଗିବାକୁ ପଡେ। ହୁଏତ ଆବଶ୍ୟକତା ସାମାନ୍ୟ ହ୍ରାସ କରାଯାଇପାରେ; ମାତ୍ର ଦରବୃଦ୍ଧିର ମାଡରୁ ନିସ୍ତାର ମିଳେନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରି ସେମାନଙ୍କ ବ୍ୟାଙ୍କଖାତାକୁ ଟଙ୍କା ପଠାଉଛନ୍ତି; ମାତ୍ର ଏହାଦ୍ବାରା ପ୍ରକୃତରେ କୃଷିର ଉନ୍ନତି ହୋଇଯାଏ କି? ସେହି ଟଙ୍କାର କେତେ ଅଂଶ କୃଷି ପାଇଁ ବ୍ୟବହାର କରାଯାଏ, ଆଉ କେତେ ଅଂଶ ଅନ୍ୟାନ୍ୟ ଖର୍ଚ୍ଚ ଯାଏ ତାହା କଳନା କରିବା ସହଜ ନୁହେଁ। ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ପାଇଁ ବାର ହଜାର ଟଙ୍କା ପାଇସାରି ଲୋକେ ସଞ୍ଜହେଲେ ଢାଳ ଧରି ବାହାରକୁ ଯାଉଛନ୍ତି। ଏଥିରେ ସରକାରଙ୍କୁ ସଦାବେଳେ ଦୋଷ ଦେଇ ହେବନାହିଁ। ଯାତ୍ରା ଦେଖା ସମୟରେ ଅଝଟ ପିଲାଟିକୁ ବୁଝାଇବା ପାଇଁ ବେଲୁନ୍‍ ଦରକାର। ବାପା ମାଆ ବି ପାଞ୍ଚ ବା ଦଶ ଟଙ୍କାରେ ପିଲାଙ୍କୁ ସନ୍ତୁଷ୍ଟ କରିପାରିବେ। ତେଣିକି ପାଞ୍ଚମିନିଟ୍‍ ବା ପାଞ୍ଚଘଣ୍ଟାରେ ବେଲୁନ୍‍ ଫାଟିକି ପବନ ବାହାରିଯାଉ! ଉଭୟ ଖୁସି। ସରକାରୀ ଯୋଜନା ସବୁ ସେମିତି। ନେତାଙ୍କର ଭୋଟ ଦରକାର, ଭୋଟ ପାଇଁ ଯୋଜନା ଦରକାର ଆଉ ଲୋକଙ୍କୁ ଖୁସିିକରିବା ପାଇଁ ଟଙ୍କା ଦରକାର।

ଅଧିକାଂଶ ଲୋକ ଦେଶ କଥା ବା ନିଜର ପ୍ରକୃତ ଉନ୍ନତି କଥା ଭାବନ୍ତି ନାହିଁ। କେଉଁଠୁ ହଜାରେ ପାଞ୍ଚଶହ ପାଇଲେ ବା ମାଗଣା କିଛି ପାଇଲେ କୃତକୃତ୍ୟ ହୋଇଯାଆନ୍ତି। କୃଷି ଆଉ କୃଷକର ପ୍ରତ୍ୟକ୍ଷ ଉନ୍ନତି ପାଇଁ କ’ଣ ଅନ୍ୟ କିଛି ବିକଳ୍ପ ନାହିଁ? ତା’ଛଡା ପ୍ରତିଟି ସରକାରୀ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଅଧିକ। ଯୋଜନା ଯେଉଁମାନଙ୍କ ପାଇଁ ହୋଇଥାଏ ତାହାର ସୁଫଳ ସେମାନେ ପାଇପାରନ୍ତି ନାହିଁ। ତାକୁ ଚତୁର, ବଳଶାଳୀ, କ୍ଷମତାଶାଳୀ ଅଥବା ସ୍ଥାନୀୟ ଶାସକ ଦଳର କର୍ମୀମାନେ ବଳପୂର୍ବକ ହରଣ କରିନେଇଥାନ୍ତି। ଏପରିକି ଗରିବ ଲୋକଙ୍କ ପାଇଁ ଟଙ୍କାକରେ ଦିଆଯାଉଥିବା ଚାଉଳର ଅଯୋଗ୍ୟ ହିିତାଧିକାରୀଙ୍କ ସଂଖ୍ୟା ଯଥେଷ୍ଟ ବେଶି। ଫଳରେ ପରିଶ୍ରମ କରି ବଞ୍ଚିଥିବା ଅଧିକାଂଶ ଶ୍ରମିକ ଗୋଷ୍ଠୀ ଶ୍ରମକାତର ହୋଇ ଅଳସୁଆ ଭାବେ ଜୀବନଯାପନ କରୁଛନ୍ତି। ତେଣୁ ହଜାରହଜାର ଶ୍ରମ ଦିବସ ନଷ୍ଟ ହୋଇ କୃଷିକ୍ଷେତ୍ରରେ ବ୍ୟାପକ କ୍ଷତି ଘଟୁଛି। ଯଦିଓ ଆଜିକାଲି କୃଷିକ୍ଷେତ୍ରରେ ଅଧିକାଂଶ କାର୍ଯ୍ୟ ମେସିନ୍‍ ଦ୍ୱାରା ହୋଇପାରୁଛି; କିନ୍ତୁ ଏମିତି କିଛି କାର୍ଯ୍ୟ ଅଛି ଯାହା ମଣିଷ କରିବାକୁ ବାଧ୍ୟ। ଏଇ ଯେମିତି କୋଡାଖୁସା, ବେଉଷଣ, ତଳିମରା, ଘାସବଛା ଇତ୍ୟାଦି। ଗୋଟିଏ କୃଷି ପ୍ରଧାନ ଦେଶ ବା ରାଜ୍ୟରେ ଏହି ସବୁ ପାଇଁ ହଜାର ହଜାର ଶ୍ରମ ଦିବସ ଦରକାର। କେବଳ ଜମି ମାଲିକ, ଚାଷୀ ବା ଭାଗଚାଷୀ ଏ ସବୁ ଏକାକରିବା ସମ୍ଭବ ନୁହେଁ। ସୁବିଧାରେ ଖାଇବା ପାଇଁ ପାଉଥିବା ଶ୍ରମିକଟିଏ ଏ ସବୁ କାମ କରିବାକୁ ଇଚ୍ଛୁକ ନୁହଁ। ଏ ପରିସ୍ଥିତିରେ କ’ଣ କରାଯାଇ ପାରିବ? ଚାଷୀଟିଏ ବାଧ୍ୟ ହୋଇ ଯେତିକି ଖଟିପାରିବ ସେତିକି ଚାଷ କରିବ ନହେଲେ କିଛି ଜମି ପଡ଼ିଆ ଛାଡିଦେବ। ଫଳ ସ୍ୱରୂପ ଦରବୃଦ୍ଧି ଘଟିବ ହିଁ ଘଟିବ। ତା’ଛଡା ଆଜିକାଲି ଶିକ୍ଷିତ ବେକାରୀମାନେ କୃଷିକ୍ଷେତ୍ର ଜନିତ ଶ୍ରମ ପାଇଁ ସମ୍ପୂର୍ଣ୍ଣ ବିମୁଖ। ଅଳ୍ପ ଶିକ୍ଷିତମାନେ ଅନ୍ୟ ରାଜ୍ୟର ଇଟା ଭାଟି ବା ଅନ୍ୟ କାରଖାନାରେ କାମ କରିବାକୁ ପସନ୍ଦ କରୁଛନ୍ତି। ଆଉ ଉଚ୍ଚ ଶିକ୍ଷିତମାନେ ଅନ୍ୟ ରାଜ୍ୟରେ ବିଭିନ୍ନ କମ୍ପାନୀ ଚାକିରି କରିବାକୁ ପସନ୍ଦ କରୁଛନ୍ତି। ଯେଉଁ ମଝିମଝିଆମାନେ ଗାଁରେ ରହିଗଲେ ସେମାନେ ଅଧିକାଂଶ ସମୟ ତାସଖେଳ, ମଦପିଆ ଓ ରାଜନୀତିରେ ସମୟ ଅତିବାହିତ କଲେ। ଏବେ ଅଧିକାଂଶ ବିଭିନ୍ନ ଅନ୍‍ଲାଇନ୍‍ ବ୍ୟବସାୟ କମ୍ପାନୀର ‘ଡେଲିଭରି ବଏ’ ଭାବେ କାମ କରିବାକୁ ପସନ୍ଦ କରୁଛନ୍ତି। ଏପରି ଅବସ୍ଥାରେ କୃଷିକ୍ଷେତ୍ରଟି ସମ୍ପୂର୍ଣ୍ଣ ଅବହେଳିତ।

ଆଉ ଗୋଟିଏ ବଡ କାରଣ ଅଭାବୀ ବିକ୍ରି; ଯାହା ଚାଷୀକୁ ବହୁତ ବାଧେ। ଧାରକରଜ କରି କଳବଳ ଖଟେଇ ଚାଷୀଟିଏ ଯେତେବେଳେ ସମାଜର ବୃହତ୍‌ ସ୍ୱାର୍ଥ ଦୃଷ୍ଟିରୁ ଅମଳ କରେ, ସେ ତା’ର ପ୍ରାପ୍ୟ ପାଏ ନାହିଁ। ବଜାରରେ ତା’ର ଉଚିତ୍‍ ମୂଲ୍ୟ ପାଇବା ପାଇଁ ସରକାରୀ ସ୍ତରରେ ସେମିତି କିଛି ଉଦ୍ୟମ ହୁଏ ନାହିଁ। ତା’ ଲାଭର ସିଂହ ଭାଗ ବେପାରୀ ହିଁ ନେଇଯାଏ। ସେତେବେଳେ ସେ କୃଷିକ୍ଷେତ୍ରରେ ଖଟେଇଥିବା ଅର୍ଥ ଫେରି ନପାଇ ଫସଲକୁ ରାସ୍ତାରେ ଢ଼ାଳି ପ୍ରତିବାଦ କରେ; ନିରୁପାୟ ହୋଇ କମ୍‍ ମୂଲ୍ୟରେ ଦଲାଲକୁ ବିକେ ନହେଲେ ଶେଷରେ ଆତ୍ମହତ୍ୟାର ବାଟ ବାଛିନିଏ। ସରକାର ବ୍ଲକ ସ୍ତରରେ ଖେଳ ପଡ଼ିଆ ପାଇଁ କୋଟିକୋଟି ଟଙ୍କାର ଅର୍ଥ ଅନୁଦାନ ଦେଉଛନ୍ତି; ଅଥଚ ଗୋଟିଏ ଶୀତଳ ଭଣ୍ଡାର କଥା ଚିନ୍ତା କରନ୍ତି ନାହିଁ। ପ୍ରତି ସବ୍‍ଡିଭିଜନ ସ୍ତରରେ ଯଦି ଗୋଟିଏ ଶୀତଳ ଭଣ୍ଡାର ଥାଆନ୍ତା, ଚାଷୀ ଅଭାବ ବିକ୍ରି ସମୟରେ ଅମଳ ଫସଲକୁ କିଛି ଦିନ ସୁରକ୍ଷିତ ରଖି ଉଚିତ୍‍ ମୂଲ୍ୟ ପାଇ ପାରନ୍ତା। ଫଳରେ ଦରବୃଦ୍ଧି ବାରମ୍ବାର ଘଟନ୍ତା ନାହିଁ କି ଚାଷୀଟିଏ ନିରୁତ୍ସାହିତ ହୋଇ କୃଷିକ୍ଷେତ୍ରରୁ ମୁହଁ ଫେରାଇ ନିଅନ୍ତା ନାହିଁ। ସମଗ୍ର ରାଜ୍ୟରେ ୮୨ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଛି। ନୂଆ ପାଇଁ ଯୋଜନା ନାହିଁ କି ପୁରୁଣାର ଉଦ୍ଧାର ଚିନ୍ତା ବିି ନାହିଁ। ଏତେବଡ କୃଷି ପ୍ରଧାନ ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାର ରହିଛି। ତାହା ମଧ୍ୟରୁ ୧୦୯ଟି ପୁଣି ବେସରକାରୀ। ଏଥିରୁ ସରକାରଙ୍କର କୃଷିନୀତି ବାରି ହୋଇ ପଡୁଛି। ଏମିତି ଅବସ୍ଥାରେ ଚାଷର ଉନ୍ନତି କେମିତି ହେବ? ତେଣୁ କୃଷିଜାତ ଦ୍ରବ୍ୟର ଦର ବୃଦ୍ଧି ଘଟିବ ହିଁ ଘଟିବ। ଏ ବିଷୟରେ ସରକାର ଭୋଟସର୍ବସ୍ୱ କୃଷି ନୀତି ନକରି କୃଷକର ପ୍ରତ୍ୟକ୍ଷ ଉନ୍ନତି ବିଷୟରେ ଚିନ୍ତା କରିବା ଦରକାର।

Comments are closed.