‘ଅନ୍ତିମ-ଚିକିତ୍ସା ଇଚ୍ଛାପତ୍ର’ର ବ୍ୟାବହାରିକ ଦିଗ

ପ୍ରଦୀପ ମହାପାତ୍ର

ଲିଭିଂ ୱିଲ’ର ଓଡ଼ିଆ ଅନୁବାଦ ‘ଅନ୍ତିମ-ଚ଼ିକିତ୍ସା ଇଚ୍ଛାପତ୍ର’ କୁହାଯାଇପାରେ। ମନୁଷ୍ୟ ରୋଗାକ୍ରାନ୍ତ ହୋଇ କିମ୍ୱା ଉତ୍ତର-ବାର୍ଦ୍ଧକ୍ୟରେ ମାନସିକ ସନ୍ତୁଳନ ଅଭାବ କାରଣରୁ ଚ଼ିକିତ୍ସା ନିମନ୍ତେ ନିଜ ମତ ପ୍ରକାଶରେ ଅକ୍ଷମ ଅବସ୍ଥାରେ ପହଞ୍ଚିବା ଅବସରରେ ସେ କେଉଁସବୁ ପ୍ରଣାଳୀରେ ଚ଼ିକିତ୍ସାଧୀନ ହେବାକୁ ଚ଼ାହେଁ ନାହିଁ ତାହା ‘ଅନ୍ତିମ-ଚ଼ିକିତ୍ସା ଇଚ୍ଛାପତ୍ର’ରେ ପୂର୍ଣ୍ଣସକ୍ଷମ ଅବସ୍ଥାରେ ଲିପିବଦ୍ଧ କରିଥାଏ ।

ଏହି ଆଇନାନୁମୋଦିତ ଦଲିଲ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ପରବର୍ତ୍ତୀ ଜୀବଦ୍ଦଶାରେ ଆବଶ୍ୟକସ୍ଥଳେ ଚ଼ିକିତ୍ସକଙ୍କ ପାଇଁ ନିର୍ଦେଶିକା ରୂପେ ବ୍ୟବହୃତ ହୋଇଥାଏ। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ୯ ମାର୍ଚ୍ଚ ୨୦୧୮ର ରାୟ ଅନୁଯାୟୀ ଏଭଳି ଦଲିଲ ପ୍ରସ୍ତୁତି ଓ ଚ଼ିକିତ୍ସକଙ୍କ ଦ୍ୱାରା ଉପଯୋଗ ଆଇନାନୁମୋଦିତ ହୋଇଥିଲା। ସଂସଦରେ ଏଥିନିମନ୍ତେ ଆବଶ୍ୟକୀୟ ଆଇନ ପ୍ରଣୟନ ଯାଏ ଅଦାଲତଙ୍କ ଦ୍ୱାରା ପ୍ରଣୀତ ନିୟମାବଳୀ ବଳବତ୍ତର ରହିବ ବୋଲି ଅଦାଲତ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା।

‘ଲିଭିଂ ୱିଲ’ ବୈଧକରଣ ଭାରତର ମାନବାଧିକାର ଆଇନ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଆନ୍ତର୍ଜାତିକ ସ୍ତରରେ ଯୁକ୍ତରାଷ୍ଟ୍ର ଆମେରିକାର କେତେଗୋଟି ରାଜ୍ୟ, କାନାଡ଼ା, ଜାପାନ, ନେଦରଲ୍ୟାଣ୍ଡ, ସୁଇଜରଲ୍ୟାଣ୍ଡ, ବେଲଜିଅମ ଓ କଲମ୍ୱିଆ ଭଳି ରାଷ୍ଟ୍ରରେ ଅନୁରୂପ ଆଇନଗତ ବ୍ୟବସ୍ଥା ପ୍ରଚଳିତ ଥିବା ସ୍ଥଳେ ଭାରତ ସେହି ଅଗ୍ରଣୀ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହୋଇଛି । ଭାରତ ଭଳି ଏକ ରକ୍ଷଣଶୀଳ ରାଷ୍ଟ୍ରରେ ବିଜ୍ଞାନସମ୍ମତ ଯୁକ୍ତିଯୁକ୍ତ ଅନ୍ତିମ ଜୀବନଚର୍ଯ୍ୟା ନିମନ୍ତେ ଉନ୍ନତ ପରିବେଶ ସୃଷ୍ଟିରେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ରାୟ ବିଶ୍ୱର ବହୁ ବିକଶିତ ରାଷ୍ଟ୍ରର ବୁଦ୍ଧିଜୀବୀଙ୍କୁ ଚ଼କିତ କରିଥିଲା ।

ଭାରତରେ ‘ଇଚ୍ଛାମୃତ୍ୟୁ’ ବା ‘ୟୁଥେନେସିଆ’କୁ ଆଇନ ଅନୁମୋଦିତ କରିବା ନିମନ୍ତେ ବିଗତ ଶତାବ୍ଦୀର ଅଷ୍ଟମ ଦଶକରୁ ବୁଦ୍ଧିଜୀବୀ ମହଲରେ ଦାବି ଉପସ୍ଥାପନ କରାଯାଉଛି। ନୂଆଦିଲ୍ଲୀସ୍ଥିତ ‘କମନ କଜ’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଛି। ଅନୁଷ୍ଠାନ ପକ୍ଷରୁ ୨୦୦୫ ମସିହାରେ ‘ଲିଭିଂ ୱିଲ’ ପ୍ରଚଳନ ନିମନ୍ତେ ଆଇନ ପ୍ରଣୟନ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ‘ରିଟ ପିଟିସନ’ ଦାୟର କରାଯାଇଥିଲା। ୨୦୧୪ ମସିହାରେ ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟର ସାମ୍ୱିଧାନିକ ବେଞ୍ଚକୁ ସ୍ଥାନାନ୍ତରିତ ହୋଇଥିଲା। ୨୦୧୮ ମାର୍ଚ୍ଚ ୯ ତାରିଖରେ ପ୍ରଧାନ ବିଚ଼ାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ବିଚ଼ାରକମଣ୍ଡଳୀ ରାୟ ପ୍ରକାଶ କରି ‘ଲିଭିଂ ୱିଲ’ ପ୍ରଚଳନ ନିମନ୍ତେ ନି​‌େ​‌ର୍ଦଶ ଦେଇଥିଲେ।

‘ଲିଭିଂ ୱିଲ’କୁ ଇଚ୍ଛାମୃତ୍ୟୁ ସମ୍ମତିପତ୍ର ରୂପେ ବୁଝା ଯାଇପାରେନା। ସେହିପରି ସର୍ବୋଚ୍ଚ ନ୍ୟାୟାଳୟର ରାୟ ‘ଇଚ୍ଛାମୃତ୍ୟୁ’କୁ ବୁଝାଉ ନାହିଁ । ‘ଲିଭିଂ ୱିଲ’ ମୁଖ୍ୟତଃ ଅନ୍ତିମ ଚ଼ିକିତ୍ସା ଅବସରରେ ଜଳ ଓ ଖାଦ୍ୟ ଗ୍ରହଣରେ ସମର୍ଥହୀନ ଅବସ୍ଥାରେ ନଳୀ ବ୍ୟବହାର ବା ‘ଟ୍ୟୁବ ଫିଡ଼ିଂ’, ଭେଣ୍ଟିଲେଟର ଭଳି କୃତ୍ରିମ ଶ୍ୱାସ ସମ୍ପାଦନକାରୀ ଯନ୍ତ୍ର ବ୍ୟବହାର ନକରିବା ନିମନ୍ତେ ବ୍ୟକ୍ତିଗତ ଅଭିଳାଷ ଲିପିବଦ୍ଧ କରିଥାଏ । ଅନ୍ତିମ ଚ଼ିକିତ୍ସା କାଳରେ କେତେକ ଚ଼ିକିତ୍ସା କୌଶଳ କିଛି କାଳ ମନୁଷ୍ୟର ଜୀବନ ଧାରଣ ନିମନ୍ତେ ସହାୟକ ହେଉଥିବାସ୍ଥଳେ ଆରୋଗ୍ୟଲାଭ ସାଧନରୂପେ ସ୍ୱୀକୃତ ହୋଇନଥାଏ। ଏହିଭଳି ଚ଼ିକିତ୍ସାଗୁଡ଼ିକୁ ଗ୍ରହଣ ନ କରିବା ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଆଇନତଃ ବିଚ଼ାର କରାଯାଉଛି। ଏତାଦୃଶ ସୁଯୋଗ ଗ୍ରହଣ ନିମନ୍ତେ ‘ଲିଭିଂ ୱିଲ’ ରଚ଼ନା ଓ ବୈଧୀକରଣ ସହାୟକ ହୋଇପାରିବ ।

‘ଲିଭିଂ ୱିଲ’ ଦ୍ୱାରା ଚ଼ିକିତ୍ସକଙ୍କ ସାଧାରଣ ଚ଼ିକିତ୍ସା ପ୍ରଭାବିତ ହୋଇ ନଥାଏ। ଯେଉଁ ଅନ୍ତିମ ଚ଼ିକିତ୍ସା ପରିସ୍ଥିତିରେ ଆରୋଗ୍ୟ ଲାଭର ଆଶା ନଥାଏ ଏବଂ ସଂପୃକ୍ତ ବ୍ୟକ୍ତି ବିଶେଷ ଚ଼ିକିତ୍ସା ସଂପର୍କରେ ଅଭିବ୍ୟକ୍ତି କରିବା ନିମନ୍ତେ ଅକ୍ଷମ ହୋଇପଡ଼ନ୍ତି, ସେହି ପରିବେଶରେ ‘ଲିଭିଂ ୱିଲ’ରେ ପୂର୍ବ-ପ୍ରଦତ୍ତ ନି‌େର୍ଦଶାବଳୀ କାର୍ଯ୍ୟକାରୀ କରିବା ନିମନ୍ତେ ସୁଯୋଗ ସୃଷ୍ଟି ହୋଇଥାଏ। ଦେଶବିଦେଶରେ ଅନୁସୃତ ପଦ୍ଧତି ଅନୁଯାୟୀ ରୋଗୀଙ୍କ ବ୍ୟକ୍ତିଗତ ଚ଼ିକିତ୍ସକ ଓ ରୋଗୀଙ୍କ ଅବସ୍ଥା ସଂପର୍କରେ ଚ଼ିକିତ୍ସା ନଥିପତ୍ର ଅନୁଧ୍ୟାନ କରିଥିବା ଅନ୍ୟ ଜଣେ ଚ଼ିକିତ୍ସକ ବା ଚ଼ିକିତ୍ସକ ଗୋଷ୍ଠୀଙ୍କ ଅନୁମୋଦନକ୍ରମେ ‘ଲିଭିଂ ୱିଲ’ର ନି‌େ‌ର୍ଦଶିକା ପାଳନ କରାଯାଇଥାଏ ।

ପ୍ରାଚ଼୍ୟ ସଭ୍ୟତାରେ ‘ଇଚ୍ଛାମୃତ୍ୟୁ’ ବା ଦେହତ୍ୟାଗ ପରମ୍ପରା ରହିଆସିଥିଲା । ଅତୀତରେ ଚ଼ିକିତ୍ସା ବିଜ୍ଞାନ ବିକଶିତ ନହୋଇଥିବା ଅବସରରେ ଭାରତରେ ଉତ୍ତର-ବାର୍ଦ୍ଧକ୍ୟରେ ସାଧୁସନ୍ନ୍ୟାସୀ, ଗୁଣୀଜନଙ୍କଠାରୁ ଆରମ୍ଭ କରି ସାଧାରଣ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେହତ୍ୟାଗ ଉଦାହରଣର ଅଭାବ ନଥିଲା । ବିଶେଷକରି ଜୈନ ଧର୍ମ ପ୍ରସାର କାଳରେ ‘ସନ୍ଥରା’ ଭଳି ଦେହତ୍ୟାଗ ପଦ୍ଧତିର ବହୁଳ ଉପଯୋଗ ଦେଖିବାକୁ ମିଳିଥିଲା । ସେହିପରି ଜାପାନରେ ମଧ୍ୟ ‘ହାରାକରି’ ଭଳି ବିଭିନ୍ନ ଦେହତ୍ୟାଗ ସଂସ୍କୃତି ପ୍ରଚଳିତ ହେଉଥିଲା । ବ୍ରିଟିଶ ଉପନିବେଶ ପ୍ରତିଷ୍ଠା ପରେ ପାଶ୍ଚାତ୍ୟ ଆଇନ ଅନୁଯାୟୀ ଭାରତରେ ସମସ୍ତ ରକମର ସ୍ୱଇଚ୍ଛାରେ ଜୀବନହାନିକୁ ଆତ୍ମହତ୍ୟା ପର୍ଯ୍ୟାୟଭୁକ୍ତ କରି ଆଇନାନୁଯାୟୀ ଦଣ୍ଡନୀୟ ଅପରାଧ ରୂପେ ପରିଗଣିତ କରାଗଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ପାଶ୍ଚାତ୍ୟ ଭୂଖଣ୍ଡରେ ପ୍ରତିକୂଳ ପରିସ୍ଥିତିରେ ସ୍ୱଇଚ୍ଛାରେ ଦେହତ୍ୟାଗ ପ୍ରସ୍ତାବ ସାମାଜିକ ସ୍ୱୀକୃତି ଲାଭ କରିବାରେ ଲାଗିଲା । ବର୍ଦ୍ଧିତ ଜୀବଦ୍ଦଶା ତଥା ଜଟିଳ ରୋଗାକ୍ରାନ୍ତଙ୍କ ଅଥର୍ବ ଅବସ୍ଥାରୁ ମୁକ୍ତି ପାଇବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ‘ଇଚ୍ଛାମୃତ୍ୟୁ’କୁ ଆଇନାନୁମୋଦିତ କରିବା ନିମନ୍ତେ ଦାବି ଉପସ୍ଥାପନ ହେଲା । ଚ଼ିକିତ୍ସା ବିଜ୍ଞାନରେ କ୍ରମୋନ୍ନତି କେତେକ କ୍ଷେତ୍ରରେ ରୋଗୀର ଜୀବନରକ୍ଷା ନିମନ୍ତେ ପରିବେଶ ସୃଷ୍ଟି କରିପାରୁଥିବା ସ୍ଥଳେ ଆରୋଗ୍ୟ ସମ୍ଭବପର ହୋଇପାରି ନଥାଏ । ସଂପୃକ୍ତ ବ୍ୟକ୍ତି ଯନ୍ତ୍ରଣାମୟ ଜୀବନ ଯାପନ କରିବା ଲାଗି ବାଧ୍ୟ ହୋଇଥାଏ। ଏଭଳି ପରିସ୍ଥିତି ଏଡ଼ାଇବା ଲାଗି ସୁବିଧା ସୁଯୋଗ ସୃଷ୍ଟି କରିବା ନିମନ୍ତେ ଆଇନାନୁମୋଦିତ ପନ୍ଥା ନିର୍ଦ୍ଧାରଣ ଲାଗି ଦାବି ଯୁକ୍ତିଯୁକ୍ତ ମନେ ହୋଇଥାଏ ।

ଜଣେ ବ୍ୟକ୍ତି ଦୁରାରୋଗ୍ୟ ଅବସ୍ଥାରେ ବିବେକାନୁମୋଦିତ ଦେହତ୍ୟାଗ ପ୍ରକ୍ରିୟାକୁ ଏଲୋପାଥିକ ଚ଼ିକିତ୍ସା ବିଜ୍ଞାନରେ ‘ୟୁଥନେସିଆ’ ନାମିତ କରାଯାଏ । ‘ଏକ୍ଟିଭ ୟୁଥେନେସିଆ’ରେ ପ୍ରପୀଡ଼ିତ ବ୍ୟକ୍ତିକୁ ବିଷ ପ୍ରୟୋଗକରି ପ୍ରାଣତ୍ୟାଗର ପରିବେଶ ସୃଷ୍ଟି କରାଯାଉଥିବା ସ୍ଥଳେ ‘ପାସିଭ ୟୁଥେନେସିଆ’ରେ ପ୍ରପୀଡ଼ିତକୁ ଜୀବନରକ୍ଷାକାରୀ ଚ଼ିକିତ୍ସାଗୁଡ଼ିକରୁ ବିରତ ରଖାଯାଇ ପ୍ରାକୃତିକ ମୃତ୍ୟୁ ପରିଧିରେ ସମର୍ପି ଦିଆଯାଇଥାଏ। ‘ଲିଭିଂ ୱିଲ’ର ଆଇନାନୁମୋଦନ ‘ୟୁଥେନେସିଆ’କୁ ନବୁଝାଉଥିଲେ ହେଁ ସେହିଭଳି ପ୍ରକ୍ରିୟା ପ୍ରଚଳନ ନିମନ୍ତେ ପ୍ରାଥମିକ ପଦକ୍ଷେପ ବୋଲି ବିଚ଼ାର କରାଯାଇପାରେ।

ସାଧାରଣରେ ‘ଲିଭିଂ ୱିଲ୍‌’ ଶିକ୍ଷିତ ମହଲରେ ସ୍ୱାଗତଯୋଗ୍ୟ ପଦକ୍ଷେପ ରୂପେ ସ୍ୱୀକୃତ ହେଉଥିଲେ ହେଁ ପୂର୍ବରୁ ପ୍ରଚଳିତ ଅନେକ ପ୍ରାନ୍ତରେ ଏହାର ବିଧିବଦ୍ଧ ଉପଯୋଗ ସୀମିତ । ଉଦାହରଣ ସ୍ୱରୂପ ଯୁକ୍ତରାଷ୍ଟ୍ର ଆମେରିକାରେ ‘ଲିଭିଂ ୱିଲ’ ପ୍ରଚଳିତ ରାଜ୍ୟଗୁଡ଼ିକରେ ୨୦୦୫ ଅଧ୍ୟୟନ ଅନୁଯାୟୀ ମାତ୍ର ୧୮ ପ୍ରତିଶତ ଏଭଳି ଦଲିଲରେ ସ୍ୱାକ୍ଷର କରିଥିଲେ । ସେହିପରି ଅନ୍ୟ ଏକ ଅନୁଧ୍ୟାନରେ ସେଠାକାର ଡାଏଲେସିସ ନେଉଥିବା କିଡନୀ ରୋଗାକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୩୫ ପ୍ରତିଶତ ‘ଲିଭିଂ ୱିଲ’ ପ୍ରସ୍ତୁତ କରିଥିଲେ । ଭାରତ ଭଳି ରକ୍ଷଣଶୀଳ ସମାଜରେ ଏହାର ଉପଯୋଗ ସୀମିତ ରହିବା ଆଶଙ୍କା କରାଯାଉଥିଲେ ହେଁ ଉଚ୍ଚତମ ନ୍ୟାୟାଳୟର ରାୟ ଉତ୍ତର-ବାର୍ଦ୍ଧକ୍ୟରେ ସମ୍ମାନଜନକ ଜୀବନଚର୍ଯ୍ୟା ଲାଗି ସୁଯୋଗ ସୃଷ୍ଟି କରିଛି ବୋଲି ବିଚାର କରାଯାଇପାରେ।

Comments are closed.