ବିଦେଶୀଙ୍କ ଦୃଷ୍ଟିରେ ଭାରତ

ବିପିନ ବିହାରୀ ମିଶ୍ର

ଭାରତ ବର୍ତ୍ତମାନ ବିଶ୍ବ ଦରବାରରେ ମୁଣ୍ଡ ଟେକି ଛିଡ଼ା ହୋଇଛି। ଏହାକୁ କୌଣସି ଦେଶ ଭୟଭୀତ କରିପାରିବ ନାହିଁ କିମ୍ବା ଦେଶର କୌଣସି ଅଂଶକୁ ମାଡ଼ି ବସି ପାରିବ ନାହିଁ। ଏକଦା ଏହା ସମ୍ଭବ ହେଉଥିଲା; କାରଣ ଆମ ମଧ୍ୟରେ ଏକତା ନଥିଲା। ଆମେ ଆଧୁନିକ ଯୁଦ୍ଧକୌଶଳ ଶିଖିଲୁ ନାହିଁ କିମ୍ବା ଆଧୁନିକ ଅସ୍ତ୍ରଶସ୍ତ୍ର ତିଆରି ଓ ବ୍ୟବହାର କଲୁନାହିଁ। ଏସବୁ କରିବା ଦ୍ବାରା ଛୋଟ ରାଜ୍ୟ ଗଜନୀର ଶାସକ ମହମ୍ମଦ ୧୭ଥର ଭାରତ ଆକ୍ରମଣ କରିଥିଲା। ସେହିପରି ମଙ୍ଗୋଲିୟା ଯାହାର ଜନସଂଖ୍ୟା ବହୁତ କମ୍ ଥିଲା ସେଇ ଦେଶର ଭୟରେ ଚୀନ ୧୫ଶହ ମାଇଲ ଲମ୍ବା ଏକ ବିରାଟ ପାଚେରି କଲା ନିଜ ସୀମାରେ। ମଙ୍ଗୋଲିୟାର ଚେଙ୍ଗିଜ୍ ଖାଁ ସାରା ବିଶ୍ବକୁ ଥରହର କରିଦେଇଥିଲା। ଚେଙ୍ଗିଜ୍ ଖାଁ ଭାରତର ସୀମା ପର୍ଯ୍ୟନ୍ତ ଆସି ଫେରିଯାଇଥିଲା। ସେ ଆସିବାର ବହୁ ବର୍ଷ ପୂର୍ବରୁ ଆଲେକ୍ଜାଣ୍ଡାର ଭାରତ ଆକ୍ରମଣ କରିଥିଲେ। ସେ ବର୍ତ୍ତମାନ ପାକିସ୍ତାନ ଓ ଆଫ୍ଗାନିସ୍ତାନରେ କିଛି ଅଂଶ ଦଖଲ କରିଥିଲା। ସେତେବେଳେ ତା’ର ଗୁରୁ ଆରିଷ୍ଟଟଲ୍ କହିଥିଲେ ଯେ ଭାରତୀୟମାନେ ହେଉଛନ୍ତି ଅଶିକ୍ଷିତ ଓ ବର୍ବର ଏବଂ ତାଙ୍କର ଯୋଗ୍ୟତା ହେଉଛି ଅନ୍ୟମାନଙ୍କର ଦାସ ହେବା। ସେ ଯୁଗରେ ମଣିଷର ଆବଶ୍ୟକତା ବହୁତ ଥିବାରୁ ଆକ୍ରମଣକାରୀମାନେ ଯୁଦ୍ଧରେ ଜିତିଲେ ବହୁ ସଂଖ୍ୟକ ଲୋକଙ୍କୁ ଦାସ କରି ନେଇଯାଉଥିଲେ। ଯେଉଁ ବାବ୍ରୀ ମସଜିଦ୍ ନେଇ ଏତେ ଗଣ୍ଡଗୋଳ ଓ ତନାଘନା ଚାଲିଥିଲା ସେଇ ମସଜିଦ୍ ବାବରଙ୍କ ନାଁରେ ହୋଇନଥିଲା। ବାବରଙ୍କର ଜଣେ ଦାସ ବାବ୍ରୀ, ତା’ର ନାଁରେ ହୋଇଥିଲା। ବାବର ବାବ୍ରୀଙ୍କୁ ଆଫଗାନିସ୍ତାନର ଏକ ଦାସ-ହାଟରେ କିଣିଥିଲେ। ସେ ତାକୁୁ ଏତେ ଭଲ ପାଉଥିଲେ ଯେ ତା ନାଁରେ ମସଜିଦ୍ ଗୋଟିଏ କରାଇଲେ। କୌଣସି ମଣିଷ ନାଁରେ ମସଜିଦ୍ କରିବାର ଦୃଷ୍ଟାନ୍ତ ବିରଳ।

ଭାରତର ଏଇ ସବୁ ଅବସ୍ଥାକୁ ଦେଖି ପାଶ୍ଚାତ୍ୟ ପଣ୍ଡିତମାନେ ତାଚ୍ଛଲ୍ୟ କରୁଥିଲେ କାରଣ ହିନ୍ଦୁ ସଭ୍ୟତା ବିଷୟରେ ସେମାନେ ଗଭୀର ଚାଷ କରିନଥିଲେ। ଅଳ୍ପ କେତେ ଜଣ ବିଖ୍ୟାତ ମନୀଷୀ ଓ ଦାର୍ଶନିକ ଯଥା- ସୋପେନ୍ହୁର୍, ଭୋଲଟେୟାର ଓ ସ୍କେଲିଂ ଭାରତ ବିଷୟରେ ସଂପୂର୍ଣ୍ଣ ଅବଗତ ହେବା ପରେ ଆମ ସାହିତ୍ୟ ସଂସ୍କୃତି ଓ ଶିକ୍ଷା ପ୍ରଣାଳୀକୁ ସମ୍ମାନ ଦେଇଥିଲେ। କାଳକ୍ରମେ ତାଙ୍କ ସଙ୍ଗେ ଯୋଗଦେଲେ ଆଉ ଦୁଇଜଣ ବିଶିଷ୍ଟ ବ୍ୟକ୍ତି ଯଥା- ଆର୍ଣ୍ଣଲଡ୍ ଟଏନ୍ବି ଓ ଉଇଲ ଡୁରାଣ୍ଟ। ଭାରତ ବିଷୟରେ ବେଶ୍ ଗବେଷଣା ଚାଲିଲା ଓ ଉଇଲ ଡୁରାଣ୍ଟ ଲେଖିଲେ ‘ଆମକୁ ମାନିନେବାକୁ ପଡ଼ିବ ୟୁରୋପର ସବୁ ଭାଷାର ଉତ୍ସ ହେଉଛି ସଂସ୍କୃତ, ଭାରତର ଦର୍ଶନଶାସ୍ତ୍ର ଆମ ଦର୍ଶନର ଉତ୍ସ। ଗଣିତ ଅନ୍ୟାନ୍ୟ ଶାସ୍ତ୍ର ଆମେ ତାଙ୍କଠାରୁ ଶିଖିଛେ। ବାସ୍ତବରେ ଗଣିତ ଆଗେଇପାରି ନଥାନ୍ତା ଯଦି ଆର୍ଯ୍ୟଭଟ୍ଟ ‘ଶୂନ’ର ଆବିଷ୍କାର ନକରି ଥାଆନ୍ତେ। ଏଇ ଦେଖନ୍ତୁ ଶୂନ ଏକରେ ଶୂନ ବସାଇଲେ ଦଶ ହୋଇଯାଏ। ଅର୍ଥାତ୍ ଏକରେ ନଅ ମିଶିଯାଏ ଶୂନ ପାଇଁ ଯାହାର ନିଜର ମୂଲ୍ୟ ନାହିଁ। ମୂଲ୍ୟ ନଥିବା ଗୋଟିଏ ସଂଖ୍ୟା ଯେ ସବୁଠାରୁ ମୂଲ୍ୟବାନ ସଂଖ୍ୟା କରିପାରେ ତା’ର ଆବିଷ୍କାରକଙ୍କ ପାଇଁ ଗଣିତ ଶାସ୍ତ୍ର ଆଗେଇ ଚାଲିଲା।

ଭାରତର ପ୍ରଥମ ଉପଗ୍ରହର ନାଁ ରହିଛି ଆର୍ଯ୍ୟଭଟ୍ଟ। ଆମର ଭାଷା ସଂସ୍କୃତି ତମସାଚ୍ଛନ୍ନ ହୋଇ ରହିଲା ବହୁ ବର୍ଷ। ନାଳନ୍ଦା ଓ ତକ୍ଷଶିଳା ବିଶ୍ବବିଦ୍ୟାଳୟ ଶହଶହ ବର୍ଷଧରି ବିଶ୍ବକୁ ଆଲୋକିତ କରିଥିଲା ଭାରତ, ଚୀନ, ଜାପାନ, କୋରିଆ ଇତ୍ୟାଦି ଦେଶକୁ; କିନ୍ତୁ ତୁର୍କି, ଆଫଗାନ୍ମାନେ ଆମର ଏଇ ପବିତ୍ର ଶିକ୍ଷା ଅନୁଷ୍ଠାନକୁ ଜାଳିେପାଡ଼ି ଦେଲେ। ଇତିହାସରେ ଜଳାପୋଡ଼ା, ଭଙ୍ଗାରୁଜା, ହତ୍ୟାରେ ଅପଖ୍ୟାତି ଲଭିଥିବା ଏହି ତଥାକଥିତ ବୀରମାନେ ସଭ୍ୟତା ଓ ସଂସ୍କୃତିର ଯେଉଁ କ୍ଷତି କରିଛନ୍ତି ତାହା ଅବର୍ଣ୍ଣନୀୟ। ଗୟାସୁଦ୍ଦିନ ବଲବନ୍ ନାଳନ୍ଦା ବିଶ୍ବବିଦ୍ୟାଳୟକୁ ଜାଳିଦେଲା ଏବଂ ଦୁଇଶହ ପ୍ରାଧ୍ୟାପକଙ୍କୁ ହାତଗୋଡ଼ ବାନ୍ଧି ନିଆଁରେ ପକେଇ ଦେଲା। ସେଇ ପାମରମାନେ ବୁଝିପାରିଲେ ନାହିଁ ଜ୍ଞାନ ପୋଥିରେ ଥାଏ ଅବଶ୍ୟ, ଜ୍ଞାନ ମସ୍ତିଷ୍କରୁ ଉତ୍ପନ୍ନ ହୁଏ ଓ ସେଇଠି ସଞ୍ଚିତ ହୋଇ ରହେ। ଭୂଗୋଳ ବହିଟେ ପୋଡ଼ିଦେଲେ ବହି ପଢ଼ିଥିବା ପିଲାଟିର ଜ୍ଞାନ ନଷ୍ଟ ହୁଏ ନାହିଁ। ପବିତ୍ର ବେଦ ଏ ତୁଣ୍ଡରୁ ସେ ତୁଣ୍ଡ ହୋଇ ଶହଶହ ବର୍ଷ ହେଲା ରହିଗଲା। ଏଇଭଳି ଭାବେ ବାରମ୍ବାର ଆମ ସଂସ୍କୃତି ଉପରେ ଆକ୍ରମଣ ହୋଇଛି; କିନ୍ତୁ କେହି ତାକୁ ଧ୍ବଂସ କରିପାରି ନାହାନ୍ତି, ବରଂ ଏଇ ସଂସ୍କୃତି ସବୁଆଡ଼େ ଖେଳିଯାଇଛି।

ୟୁରୋପର ପଶ୍ଚିମରେ ରୁଷିଆକୁ ଲାଗି ଏକ ଦେଶ ଅଛି ଇଷ୍ଟୋନିୟା। ସେଇ ଇଷ୍ଟୋନିୟାରେ ମଧ୍ୟ ସଂସ୍କୃତିର ପ୍ରଭାବ ଅଛି। ଦୁଇଟି ଘଟଣା ପାଶ୍ଚାତ୍ୟ ପଣ୍ଡିତଙ୍କର ଆଖି ଖୋଲିଦେଲା। ୧୭୯୧ରେ ଜର୍ମାନୀର ଜଣେ ବିଶିଷ୍ଟ ଲେଖକ କାଳିଦାସଙ୍କର ଶକୁନ୍ତଳାକୁ ଜର୍ମାନ ଭାଷାରେ ଅନୁବାଦ କଲେ। ତାକୁ ଇଂରେଜିରେ ଅନୁବାଦ କଲେ ଜର୍ଜ ହଷ୍ଟର। ଭାରତୀୟମାନେ ଯେ ଏତେ ସୁନ୍ଦର କବିତା ଓ ନାଟକ ଲେଖିପାରନ୍ତି ସେ କଥା ବିଶିଷ୍ଟ ସାହିତ୍ୟିକ ଗେଟେ ଓ ହଷ୍ଟର ଆଶ୍ଚର୍ଯ୍ୟ ପ୍ରକାଶ କଲେ। ସ୍କେଜେଲ ଥିଲେ ଆଉ ଜଣେ ବିଶିଷ୍ଟ ଦାର୍ଶନିକ, ଯିଏ ଆହ୍ବାନ କଲେ ଯେ ଭାରତ ବିଷୟରେ ଆହୁରି ଗବେଷଣା କରାଯାଉ ଓ ଆମର ଅତୀତ ଆମେ ଫେରିପାଇବା ଉଚିତ୍। ଜକ୍ସ ହର୍ଣ୍ଣ ଆବିଷ୍କାର କଲେ ଯେ ୟୁରୋପର ଯେତେ ଭାଷା ଓ ଯାହାର ଉତ୍ସ ହେଉଛି ସଂସ୍କୃତ; ତାକୁ ଭଲଭାବେ ପଠନ କରାଯାଉ। ତା’ପୂର୍ବରୁ ଧାରଣା ଥିଲା ଯେ ଗ୍ରୀକ୍, ଲାଟିନ୍, ଜର୍ମାନ ଏମାନଙ୍କ ଉତ୍ସ ଥିଲା ଗ୍ରୀସ; କିନ୍ତୁ ତାକୁ ଅସତ୍ୟ ବୋଲି ପ୍ରମାଣିିତ କଲେ ବକ୍ସର। ସେ ପ୍ରମାଣିତ କଲେ ସିନା; କିନ୍ତୁ ବହି ଛାପିଲେ ନାହିଁ। ତାଙ୍କ ଅନ୍ତେ ତାଙ୍କର ବନ୍ଧୁ ଜର୍ଜ ହର୍ଣ୍ଣ ତାକୁ ପ୍ରକାଶିତ କଲେ। ଅନ୍ୟ ଏକ ବିଶିଷ୍ଟ ଘଟଣା ହେଉଛି କଲିକତାରେ ଜଣେ ଜର୍ଜ୍ ଉଇଲିୟମ ଜୋନ୍ସ ସଂସ୍କୃତ ପଢ଼ି ଲେଖିଲେ ଯେ ସଂସ୍କୃତ ସବୁ ଗୁଣରେ ଗ୍ରୀକ୍ ଓ ଲାଟିନ୍ଠାରୁ ବହୁତ ଆଗରେ। ସଂସ୍କୃତର ଭାଷା ବ୍ୟାକରଣ, କ୍ରିୟା ସଂପୂର୍ଣ୍ଣ ତ୍ରୁଟିହୀନ। ଜୋନ୍ସଙ୍କର ଏ ମନ୍ତବ୍ୟ ଲହରି ଖେଳେଇ ଦେଲା ଏବଂ ପାଶ୍ଚାତ୍ୟ ଜଗତ ଜାଣିଲା ଯେ ଭାରତ କ’ଣ ତେଣୁ ସବୁ ସ୍ଥାନରେ ଏ ବିଷୟରେ ଗବେଷଣା ଚାଲିଲା। ବୁଲଗେରିଆରେ ପାଠକମାନେ ଲେଖିଲେ ଯେ ତାଙ୍କ ଭାଷାର ଶବ୍ଦ ସିନୁ ବାହାରିଛି ସଂସ୍କୃତ ଶବ୍ଦ ଖୁନୁରୁ (ପୋର୍), ତାଙ୍କ ଭାଷାର ଦିନି ସଂସ୍କୃତର ଦାନ। ଲିଥୋନିୟାରେ ଯଦି କୁହାଗଲା ‘କାସ୍ ତୋ ଏସି’ ଜଣାଯାଏ ଯେ ତାହା ସଂସ୍କୃତରେ ‘କାଶ୍ ତ୍ବଂ ଅସି’ ଅର୍ଥ ତୁମେ କିଏ? ସେହିପରି ‘କାସ୍ ତବୋ ଖୁନୁ’ ସଂସ୍କୃତରେ କାସ୍ ତ୍ବ ଶୁନଃର ଅର୍ଥ ତୁମ ପୁଅ କିଏ? କାସ୍ ତ୍ବ ଏସି ତତ୍ତ୍ବ ଅନୁସାରେ କେତେ ଗଭୀର ଯାହା ସଂସ୍କୃତରୁ ବାହାରିଛି। ‘ତତ ତ୍ବଂ ଅସି।’ ‘ତୁମେ କିଏ?’ ଏ ପ୍ରଶ୍ନ ସହିତ ମଣିଷ ବାରମ୍ବାର ପଚାରିଛି ମୁଁ କିଏ? ଯିଏ ଏହାର ଉତ୍ତର ପାଇପାରିବ ସେହି ଜଣେ ଜ୍ଞାନୀ ବୋଲି ଧରାଯିବ। ଇଂରେଜମାନେ ସଂସ୍କୃତକୁ ଦୁଇ ଉପାୟରେ ଗବେଷଣା କଲେ; ଯଥା ତୁଳନାତ୍ମକ ପଠନ ଓ ଐତିହାସିକ ଅଭିବୃଦ୍ଧି। ଉଭୟ କ୍ଷେତ୍ରରେ ସଂସ୍କୃତ ବହୁତ ଆଗରେ, ଅଥଚ ଭାରତୀୟ ସଂସ୍କୃତି ଉପରେ ବହୁତ ଆକ୍ରମଣ କରାଗଲା।

ଇଂଲଣ୍ଡର ଜେମ୍ସ ମିଲ୍ ଜଣେ ବିଖ୍ୟାତ ଦାର୍ଶନିକ ଓ ଲେଖକ। ସେ ଭାରତ କେବେ ଆସି ନାହାନ୍ତି। ସଂସ୍କୃତ ପଢ଼ିନାହାନ୍ତି; ଅଥଚ ଭାରତ ଇତିହାସ ସେ ଲେଖିଲେ ୧୮୧୭ ମସିହାରେ। ଆଇସିଏସ୍ ପରୀକ୍ଷାଦେବା ପାଇଁ ଏଇ ପୁସ୍ତକଟିକୁ ଇଂଲଣ୍ଡରେ ଛାତ୍ରମାନେ ପଢ଼ୁଥିଲେ ଓ ଭାରତ ବିଷୟରେ ବିଚିତ୍ର ଧାରଣା ନେଇ ଆସୁଥିଲେ। ମାକ୍ସ ମୁଲର୍ ନାଁକୁ କେତେକ ଭାରତୀୟ ଭାରି ଶ୍ରଦ୍ଧା କରନ୍ତି। ସେ ଇଂଲଣ୍ଡରେ ରହି ବିଭିନ୍ନ ଶାସ୍ତ୍ର ବିଷୟରେ ଲେଖୁଥିଲେ। ପବିତ୍ର ବେଦକୁ ବିକୃତିକରଣ କରିବା ପାଇଁ ସେ ମାକ୍ଲେଙ୍କ ଠାରୁ ୧୦,୦୦୦ ଟଙ୍କା ନେଲେ ଏବଂ ଭାରତ ବିରୋଧରେ ବିଷୋଦ୍ଗାର କଲେ। ଯଦି ସଂସ୍କୃତ ଏକ ବିକୃତ ଭାଷା, ତେବେ ଅନୁବାଦ କାହିଁକି କରାଯାଉଛି। ଏକ ପ୍ରଶ୍ନର ଉତ୍ତର ଦେଇଥିଲେ ଲେଖକ ଉଇଲିୟମ୍ ବ୍ୟାରି। ତାଙ୍କ ମତରେ ଏଇ ଭାଷାରେ କେବଳ ଗୋଡ଼ି ମାଟି, ଗୋବର ଅଛି। ଇଂଲଣ୍ଡର ବିଖ୍ୟାତ ପ୍ରଫେସର ଉଇଲ୍ସନ ବିଷ୍ଣୁପୁରାଣକୁ ଅନୁବାଦ କରିଥିଲେ। ସେ କହିଲେ ଆମେ ନିଜେ ଜ୍ଞାନ ଅର୍ଜୁଛୁ। ହିନ୍ଦୁୁଧର୍ମରେ ଯେତେ ସବୁ ଅଶୁଦ୍ଧ କଥା ଅଛି ତାକୁ ଶୁଦ୍ଧ ସ୍ତରକୁ ଆଣିବାପାଇଁ ଚେଷ୍ଟା କରୁଛୁ। ମିଲ୍ ଲେଖିଥିଲେ ହିନ୍ଦୁୁଗୁଡ଼ା ହେଉଛନ୍ତି ମାମଲାଖୋର୍, ବ୍ରାହ୍ମଣମାନେ ହେଉଛନ୍ତି ମିଛୁଆ ଓ ପ୍ରବଞ୍ଚକ। ଏସବୁର ଉତ୍ତର ଦେଇଥିଲେ ଟୟନବି, ଉଇଲ ଡୁରାଣ୍ଟ। ‘‘ସେମାନେ ଭୁଲିଯାଇଥିଲେ ଯେ ଏକଦା ଗ୍ରୀକ୍ମାନେ ଭାରତୀୟ ସଭ୍ୟତାକୁ ବହୁତ ସମ୍ମାନ ଦେଉଥିଲେ।’’ ଜଣେ ଭାରତୀୟ ଆମ ଦର୍ଶନଶାସ୍ତ୍ର ବିଷୟରେ ଏଥେନ୍ସ ଯାଇ ସକ୍ରେଟିସ୍ଙ୍କ ସହ ଆଲୋଚନା କରିଥିଲେ। ଦାର୍ଶନିକ ପିଥା ଗୋରସ୍ ଭାରତୀୟ ଦର୍ଶନଶାସ୍ତ୍ରକୁ ଗ୍ରୀସ୍ରେ ପ୍ରଚଳନ କଲେ।

ପରେ ଊନବିଂଶ ଶତାବ୍ଦୀରେ ବାହାରିଲେ ରାମକୃଷ୍ଣ, ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଦୟାନନ୍ଦ ସରସ୍ବତୀ, ରବୀନ୍ଦ୍ରନାଥ, ଗୋଖଲେ, ତିଲକ୍, ଅରବିନ୍ଦ ଘୋଷ, ସର୍ଦାର ପଟେଲ, ଜବାହରଲାଲ ନେହେରୁ, ନେତାଜୀ ଓ ଏଇ ଭଳି ଅନେକ ମନୀଷୀ ଯେଉଁମାନଙ୍କ ପାଇଁ ଆମ୍ଭେମାନେ ଆଖି, କାନ ଓ ମୁହଁ ଖୋଲିଥିଲୁ।

Comments are closed.