ଉଡ଼ନ୍ତା ଥାଳିଆ ଓ ଅଜ୍ଞ ମଣିଷ

ସ୍ବଦେଶ ସୁନ୍ଦର ପଟ୍ଟନାୟକ

ଇତି ମଧ୍ୟରେ ଦୈନିକ ‘ସମାଜ’ରେ ପ୍ରକାଶିତ ଦରିଆ ପାରିରୁ ଉଡନ୍ତା ଥାଳି ସଂପର୍କରେ ଲିଖିତ ସନ୍ଦର୍ଭଟିଏ ଦୃଷ୍ଟି ଆକର୍ଷଣ କଲା। ପ୍ରସଙ୍ଗଟି ସଂପୂର୍ଣ୍ଣ ନୂଆ ନୁହଁ। ଅନେକ ଦଶନ୍ଧି ଧରି ଏହି ଅଜଣା ଉଡନ୍ତା ଥାଳିଆ ବା ୟୁ .ଏଫ୍. ଓ . (Unidentified Flying Object) ସଂପର୍କରେ ବହୁ ଚର୍ଚ୍ଚା ହୋଇ ଆସିଛି। ଲେଖିକାଙ୍କ ସୂଚନା ଅନୁଯାୟୀ ୧୯୪୭ ମସିହା ଜୁନ୍ ୨୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ରେଇନୀ ପର୍ବତ ଶିଖର ଉପରେ କେନିଥ୍ ଆର୍ଣ୍ଣଲଡ ନାମକ ଏକ ପାଇଲଟ ଉଡାଜାହାଜ ଉଡାଣ କରୁଥିବା ସମୟରେ ଏକ ଅସାମାନ୍ୟ ଉଜ୍ଜ୍ୱଳ ଆଲୋକ ପିଣ୍ଡ ଦେଖିଥିଲେ, ଯାହାକି ଆଖି ପିଛୁଳାକେ ଉଭେଇ ଗଲା। ସେ ତାକୁ ଉଡନ୍ତା ଥାଳିଆ ବା ଫ୍ଲାଇଙ୍ଗ ସସର ନାମ ଦେଇ ଥିଲେ। ପ୍ରାୟ ସେହି ସମୟରେ ହିଁ ନିଉ ମେକ୍ସିକୋର ଏକ ଫାର୍ମରେ ଉଇଲିୟମ ବ୍ରେଜର ନାମକ ଜଣେ ବ୍ୟକ୍ତି ମହାକାଶଯାନର କିଛି ଭଗ୍ନାଂଶ ପାଇ ତାକୁ ୟୁ .ଏଫ୍. ଓ.ର ଭଗ୍ନାବଶେଷ ବୋଲି ପ୍ରଚାର କରିଥିଲେ। ତା’ପରେ ବିଭିନ୍ନ ଦେଶରୁ ୟୁ .ଏଫ. ଓ . ଦର୍ଶନର କାହାଣୀ ବିଭିନ୍ନ ସମୟରେ ବିଭିନ୍ନ ଢଙ୍ଗରେ ପ୍ରଚାରିତ ହେବାରେ ଲାଗିଛି। ସେଥିରୁ ଅନେକ ମିଥ୍ୟା ପ୍ରମାଣିତ ମଧ୍ୟ ହୋଇଅଛି। ଅଧିକାଂଶ କିନ୍ତୁ ଏ ପର୍ଯ୍ୟନ୍ତ ରହସ୍ୟପୂର୍ଣ୍ଣ।

ଗତ ୨୦୨୧ ମସିହା ଜୁନ ମାସର ଆମେରିକାର ପାଣ୍ଟେଗନ ରିପୋର୍ଟର ଆଧାରରେ ଗାଲିଲିଓ ନାମକ ଏକ ପ୍ରୋଜେକ୍ଟ ହାଭାର୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ପ୍ରଫେସର ଲୋଏବଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ୟୁଏଫ୍ଓର ଫେଟାଚିତ୍ର ଅଧିକ ପ୍ରାଞ୍ଜଳ ଭାବେ ଉତ୍ତୋଳନ କରି ଗବେଷଣା କରିବା ଏହାର ଲକ୍ଷ୍ୟ। ସନ୍ଦର୍ଭର ଶେଷରେ ଲେଖିକାଙ୍କ ପ୍ରଶ୍ନ: ସତରେ ଦିନେ ମହାଶୂନ୍ୟରେ ମଣିଷ ମହାମାନବକୁ ଖୋଜି ପାଇବ!

ଆମ ପିଲାଦିନେ ବ୍ୟୋମଯାନଟିଏ ବାଦଲ ଚିରି ଆକାଶରେ ଉଡିଯିବା ଦେଖି ଆଚମ୍ବିତ ହେଉଥିଲୁ। ମନ କହୁଥିଲା ସେହି ଉଡନ୍ତା ଯାନ ସମ୍ପର୍କରେ ଅଧିକ ଜାଣି ସେଥିରେ ବସି ବ୍ୟୋମ ପଥରେ ଉଡିଯା’ନ୍ତି କି! ଠିକ୍ ସେହିପରି ୟୁ. ଏଫ. ଓ.ର ସାମୟିକ ଝଲକ ଦେଖି ସମଗ୍ର ମାନବ ଜାତିର ମନରେ ଉତ୍କଣ୍ଠା ଓ ଅନ୍ବେଷା ସୃଷ୍ଟି ହେବା ସ୍ୱାଭାବିକ।

ବିଶ୍ୱ ବ୍ରହ୍ମାଣ୍ଡ ବାସ୍ତବିକ ଏକ ଅଦ୍ଭୁତ ସୃଷ୍ଟି। ଆମ ପ୍ରିୟ ପରିଚିତ ପୃଥିବୀଠାରୁ କାହିଁ କେତେ ସହସ୍ର ଗୁଣରେ ବଡ ସୂର୍ଯ୍ୟ। ତା’ ଠାରୁ ଲକ୍ଷଲକ୍ଷ ଗୁଣରେ ବଡ ତାରକା ପୁଞ୍ଜ। କାହିଁ କେତେ ତାରକା ପୁଞ୍ଜଙ୍କୁ ନେଇ ଗ୍ୟାଲାକ୍ସି, ଶ୍ୱେତଧାରା, ନୀହାରିକା ଇତ୍ୟାଦି। ତା’ ମଧ୍ୟରେ ତ ଅଛି ମହାଶୂନ୍ୟ। ଏ ସମସ୍ତ ଗ୍ରହ ନକ୍ଷତ୍ର ସବୁ ପରସ୍ପରଠାରୁ ବିଚ୍ଛୁରିତ ହୋଇ ଆଲୋକବର୍ଷରୁ ସହସ୍ର ଗୁଣ ଅଧିକ ବେଗରେ ଦୂରେଇବାରେ ଲାଗିଛନ୍ତି, ଯେପରି ଦୀପାବଳିରେ ଜଳିଲା ଫୁଲଝରିର ଅଗ୍ନିକଣାମାନେ କିଛି କ୍ଷଣ ପାଇଁ ରଙ୍ଗବେରଙ୍ଗ ରୂପରେ ବିଚ୍ଛୁରିତ ହୋଇ ଲିଭି ଯାଆନ୍ତି। ସମ୍ଭବତଃ ବିଶ୍ୱବ୍ରହ୍ମାଣ୍ଡ ବି ଦିନେ ସେହିପରି ନିଷ୍ପ୍ରଭ ହୋଇ ମହାଶୂନ୍ୟରେ ସମ୍ପୂର୍ଣ୍ଣ ନିର୍ବାପିତ ହୋଇ ଯାଇପାରେ।

ଅତି ଆଚମ୍ବିତ କଥା ଯେ ଏହି ସମ୍ଭାବ୍ୟ ମହାପ୍ରଳୟର ପ୍ରକ୍ରିୟା ମଧ୍ୟରେ ପୃଥିବୀ ପରି ଏକ କ୍ଷୁଦ୍ରାତିକ୍ଷୁଦ୍ର ସତ୍ତାର ସୃଷ୍ଟି ହୋଇପାରିଛି ଓ ସେଥିରେ ଭରି ରହିଛନ୍ତି ଦୃଶ୍ୟ ଅଦୃଶ୍ୟ ଅକଳନ ଗଛବୃଛ, ଜୀବଜନ୍ତୁ, ଜୀବାଣୁ ଓ ପରମାଣୁ। ଝରକା ଆରପେଟ ଫିଙ୍ଗି ଦେଇଥିବା ଅଲୋଡା ଶିମ୍ବ ମଞ୍ଜିଟି ମଧ୍ୟରୁ ବି ଛାଏଁ ଛାଏଁ କୁନି ଅଙ୍କୁରଟିଏ ଉଙ୍କି ମାରୁଛି, ଫୁଲ ଧରୁଛି, ଫଳ ଫଳୁଛି। ଠିପିଦିଆ ଶିଶିଟି ଭିତରେ କିଛିଦିନ ପରେ ଭରି ଯାଉଛି ସାଲୁବାଲୁ ଜୀବନସତ୍ତା। ପତରଖିଆ ଘୃଣ୍ୟ ଶଁବାଳୁଆ ପୋକଟିଏ ମଧ୍ୟ ମାଟି ଖୋଳପା ଭିତରେ ପ୍ରଜାପତି ସାଜି ସମସ୍ତଙ୍କ ମନ ମୋହୁଛି ଓ ଫୁଲରୁ ଫୁଲ ଡେଇଁ ମଧୁ ପାନ କରୁଛି। ଏହିପରି ପୃଥିବୀର ଜଳସ୍ଥଳ ଆକାଶରେ କେତେ ଯେ ବୈଚିତ୍ର୍ୟ! ଏହା କ’ଣ ସୃଷ୍ଟି ସର୍ଜନାର ଏକମାତ୍ର ବ୍ୟତିକ୍ରମ? ଏପରି ଜୀବନ ସ୍ରୋତ ସତରେ ଆଉ କେଉଁଠି ନାହିଁ ? ଯଦି ଅଛି ତାହା କେଉଁଠି ଓ କେଉଁ ରୂପରେ?

ମଣିଷ ସର୍ବଦା ‘ଅଜଣା’କୁ ‘ଜାଣିବା’ରେ ପରିଣତ କରିବା ପାଇଁ ପ୍ରୟାସ କରି ଆସିଛି ଓ ଅଧିକାଂଶ ସ୍ଥଳରେ ସଫଳ ବି ହୋଇଛି। ଦିନେ ତ ଆମେରିକା ବି ଅଜଣା ଥିଲା। ଅନ୍ତରୀକ୍ଷ କ୍ଷେତ୍ରରେ ମଧ୍ୟ ସେ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି। ତେବେ ଏ ପର୍ଯ୍ୟନ୍ତ ପୃଥ୍ବୀ ଅନୁରୂପ ଅନ୍ୟ ଏକ ଅସ୍ତିତ୍ୱ ସହ ତା’ର ଭେଟାଭେଟି ବା ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ। ତା’ର ମୁଖ୍ୟ କାରଣ ହୁଏତ ବିଶ୍ୱବ୍ରହ୍ମାଣ୍ଡର ଅସୀମ ବ୍ୟାପକତା ଓ ଆମ ବୈଜ୍ଞାନିକ ସାଧନର ସୀମିତ କ୍ଷମତା।

ଅନ୍ୟ ଏକ କାରଣ ବି ଥାଇପାରେ। ହୁଏ ତ ସେହି ଇତର ଅସ୍ତିତ୍ୱଟି ଆମ ଜଣାଶୁଣା ପଞ୍ଚଭୂତ ବ୍ୟତୀତ ଅନ୍ୟ କେଉଁ ଧାତୁରେ ଗଢା ହୋଇଥାଇ ପାରନ୍ତି, ଯାହାକୁ ଆମ ପଞ୍ଚେନ୍ଦ୍ରିୟ ଠାବ କରିବାରେ ଅସମର୍ଥ। ହୁଏ ତ ଆମଠାରୁ ସେହି ଭିନ୍ନ ସତ୍ତା ଅଧିକ ବିଜ୍ଞାନୀ ଓ ଆମକୁ ଆମ ଅଲକ୍ଷ୍ୟରେ ଠାବ କରି ସାରିଛି; ୟୁ .ଏଫ. ଓ. ତା’ର ଭୌତିକ ପରିପ୍ରକାଶ ମାତ୍ର।

ବଟ୍ରାଣ୍ଡ ରେସଲ ଥରେ କହିଥିଲେ- ଯାହା ଆମେ ଜାଣିଛେ ବା ଜାଣି ପାରିବା ତାହା ବିଜ୍ଞାନ; ଯାହା ଜାଣିବା ସମ୍ଭବ ନୁହଁ ତାହା ବିଶ୍ୱାସ ବା ଅନ୍ଧ ବିଶ୍ୱାସ। ଏହାର ମଧ୍ୟବର୍ତ୍ତୀ ଇଲାକା ଦର୍ଶନ।

ପୃଥିବୀ ଅନୁରୂପ ଜୀବନ ସତ୍ତା ଏକ ଅନ୍ଧବିଶ୍ୱାସ ହୋଇ ନପାରେ । ଅନ୍ୟପକ୍ଷରେ ବିଜ୍ଞାନର ପରିସରରେ ଥାଇ ମଧ୍ୟ ସେହି ସତ୍ତା ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ । ତେଣୁ ଉଡନ୍ତା ଥାଳିଆ ବା ୟୁଏଫଓ ଉଭୟ ବୈଜ୍ଞାନିକ ଓ ଦାର୍ଶନିକମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ଭାବୋଦ୍ଦୀପକ ପ୍ରସଙ୍ଗ। ବୈଜ୍ଞାନିକଙ୍କ ପାଇଁ ତାହା ଏକ ଭୌତିକ ଆହ୍ବାନ ହେଲେ ଦାର୍ଶନିକଙ୍କ ପାଇଁ ଏକ ବୌଦ୍ଧିକ ବିସ୍ମୟ। ସତ୍ୟର ସନ୍ଧାନ ପାଇଁ ଉଭୟେ ଉଭୟଙ୍କର ପରିପୂରକ। ସେମାନଙ୍କ ପ୍ରଚେଷ୍ଟାରେ ଆଜି ନହେଲା ନାହିଁ; ଦିନେ ନା ଦିନେ ମଣିଷ ତା’ ଅନୁରୂପ ବା ତା’ ଠାରୁ ଅଧିକ ବିଜ୍ଞାନୀ ସତ୍ତାଟି ସହ ଅନ୍ତରୀକ୍ଷରେ ସଂଯୋଗ ସ୍ଥାପନ କରିବାରେ ସଫଳ ନିଶ୍ଚୟ ହେବ ଏଥିରେ ସନ୍ଦେହ ନାହିଁ। ତେବେ ସେ ସତ୍ତାର କି ସ୍ୱରୂପ ଅନୁମାନ କରିବା ମୁସ୍କିଲ।

Comments are closed.