ବିଦ୍ୟାଳୟ ରୂପାନ୍ତରୀକରଣ ନେଇ ସଂଶୟ

ସୁକାନ୍ତ କୁମାର ମହାନ୍ତି

ସରକାର ୫-ଟି ଅଧୀନରେ ୨ଟି ପର୍ଯ୍ୟାୟରେ ୪ହଜାରରୁ ଅଧିକ ସ୍କୁଲ୍‍ରେ ଭିତ୍ତିଭୂମି ରୂପାନ୍ତରୀକରଣ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ଏହାର ସୁପରିଚାଳନା, ସ୍ଥାୟିତ୍ୱ ଓ ସୁରକ୍ଷା ଅତ୍ୟନ୍ତ ସମସ୍ୟା ବହୁଳ। ଉତ୍କର୍ଷ ବିଦ୍ୟାଳୟ ଯୋଜନା, ରୂପାନ୍ତରୀକରଣ, ପୋଷ୍ୟ ସ୍କୁଲ୍‍ ଯୋଜନା ଓ ମୋ’ ସ୍କୁଲ୍‍ ଯୋଜନା ୪ଟି କ୍ଷେତ୍ରରେ ଟଙ୍କା ସୁଅ ଛୁଟିବା ସହ ଏହି ଯୋଜନାର କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ କରାଯିବା ଆବଶ୍ୟକ ଥିଲା। ପୁନଶ୍ଚ ଏହି ଯୋଜନାରେ ୪୫ଲକ୍ଷ ଟଙ୍କା କାହା ମାଧ୍ୟମରେ, କେଉଁ କ୍ଷେତ୍ରରେ ବିନିଯୋଗ କରାଯିବା ଉପରେ ଏକ ସ୍ୱତନ୍ତ୍ର ନିର୍ଦେଶାବଳୀ ଥିବା ସତ୍ତ୍ବେ କେତେକ ସ୍କୁଲରେ ଏହାର ବ୍ୟତିକ୍ରମ ହେଉଛି।

ଏହି ଅନୁଷ୍ଠାନରେ ଅଂଶୀଦାର ହେଲେ ପ୍ରଧାନଶିକ୍ଷକ, ପୁରାତନ ଛାତ୍ର, ୧୧ ଜଣିଆ ମୋ’ ସ୍କୁଲ୍‍ କିମିଟି, ବରିଷ୍ଠ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ, ସରକାରୀ ବିଭାଗର ଅଧିକାରୀଗଣ। ସର୍ବୋପରି ଜିଲା ପ୍ରଶାସନ ମୁଖ୍ୟ ଜିଲାପାଳ। ବାରଭାଇ ଆଖଡ଼ା। ଏ ସମସ୍ତଙ୍କୁ ମଣିଷ କହିବାକୁ ବାଧ୍ୟ; ହେଲେ ଏମାନଙ୍କ ମଧ୍ୟରେ ଅମଣିଷ ଲୋଭଗ୍ରସ୍ତ ପୋଷାକରେ ଆବୃତ ହୋଇ ହୁକୁମାତି ଜାଲିଆତିର ଶିକାର ହେଉଛି ରୂପାନ୍ତରୀକରଣ ଯୋଜନା। ଏହି କର୍ମରେ ବ୍ୟାପୃତ ଥିବା ମଣିଷର ରୂପାନ୍ତରୀକରଣ ସର୍ବାଗ୍ରେ ଆବଶ୍ୟକ। ଧନକୁ ସଦ୍‍ବ୍ୟବହାର କରିବାକୁ ସର୍ଜନାତ୍ମକ ମନ ଦରକାର।

ପ୍ରମୁଖତଃ ଯେଉଁ ସ୍କୁଲ୍‍ଗୁଡ଼ିକ ୫୦ବର୍ଷରୁ ଊର୍ଦ୍ଧ୍ବ ସେସବୁ ସ୍କୁଲ୍‍ରେ ଥିବା ଟିଣ, ଆଜବେଷ୍ଟସ୍‍ ଛାତଘରକୁ କଂକ୍ରିଟ୍‍ ଛାତ କରିବା ଏବଂ ସେହି ଶ୍ରେଣୀ କୋଠରିରେ ସ୍ମାର୍ଟ ଶ୍ରେଣୀ, ଇ-ଲାଇବ୍ରେରୀ ଇତ୍ୟାଦି କରାଯାଇଥିଲେ ଆଗାମୀ ୫୦ବର୍ଷ ସ୍ଥାୟିତ୍ୱ ପାଇଁ ଆଶା କରାଯାଇଥାଆନ୍ତା। କିନ୍ତୁ ଏବେ ପୁରୁଣା କଂକ୍ରିଟ୍‍ ଛାତ ଥିବା ସ୍କୁଲ୍‍ରେ ଯାହା ଶ୍ରେଣୀ ପ୍ରକୋଷ୍ଠ ଭାବେ ବ୍ୟବହୃତ ହେଉଥିଲା, ସେହି କୋଠରୀ ବ୍ୟବହାର କରାଯିବା ଦ୍ୱାରା ପୁରୁଣା ଘରର ଆୟୁଷ ଉପରେ ପ୍ରଶ୍ନ ଆସେ; ଅପରପକ୍ଷେ ଦଦରା ଟିଣଘର ମଧ୍ୟରେ ପିଲାଙ୍କ ପାଠପଢ଼଼ା ଚାଲୁରହିବା ଦ୍ୱାରା ସଙ୍କଟାପନ୍ନ ହେବା ସ୍ୱାଭାବିକ। ରୂପାନ୍ତରୀକରଣ ଯୋଜନାରେ ହତା ମଧ୍ୟରେ ଥିବା ଘାସପଡ଼ିଆକୁ କଂକ୍ରିଟ୍‍ କରାଯିବା ଦ୍ୱାରା ପରିବେଶ ଉପରେ ଆଞ୍ଚ ଆସିପାରେ ଏବଂ ପିଲାଙ୍କ ପାଇଁ ବିପଜ୍ଜନକ ହୋଇପାରେ। ସରକାରଙ୍କ ଘୋଷଣା ଅନୁଯାୟୀ ଆସନ୍ତା ୪ବର୍ଷ ପାଇଁ ପ୍ରତ୍ୟେକ ସ୍କୁଲ୍‍ରେ ବନୀକରଣ, ବଗିଚା ଓ ଜୈବିକ ଖତ ପ୍ରସ୍ତୁତି ପାଇଁ ପଦକ୍ଷେପ ନେବାକୁ ଥିଲାବେଳେ ଘାସ, ମାଟି ଓ ଗଛ କାଟି ସଫା ଚାଲିଛି। କେତେକ ଖେଳପଡ଼ିଆ ଶ୍ରେଣୀ ବାରଣ୍ଡାକୁ ଲାଗି ରହିଥିବାରୁ ଖେଳ ପିରିୟଡ଼୍‍ ଥିବା ପିଲାଙ୍କ ଖେଳ ଶ୍ରେଣୀ ପାଠପଢ଼଼ାକୁ ବ୍ୟାହତ କରିବା ସୁନିଶ୍ଚିତ।

ରୂପାନ୍ତରୀକରଣର ଦୁଇଟି ଫଳପ୍ରଦ ଦିଗ ହେଉଛି ଭିତ୍ତିଭୂମିର ନୂତନ ରୂପ ଧାରଣ ଓ ଆଭ୍ୟନ୍ତରୀଣ ଅଭାବ ପୂରଣ। ହେଲେ ଭିତ୍ତିଭୂମି ୧୯୮୬ ପରଠାରୁ ଅସଜଡ଼ା ଥିଲାବେଳେ ୨୦୦୦ ମସିହାରୁ ଶିକ୍ଷକ ଓ ଶିକ୍ଷାକର୍ମୀ ଅଭାବ ଉତ୍କଟ ରୂପ ଧାରଣ କରିଛି। ଏହାପରେ ଆସିବ ଗୁଣାତ୍ମକ ଦିଗର ଗୁରୁତ୍ୱ ସାବ୍ୟସ୍ତୀକରଣ। ଶିକ୍ଷକ ଓ ଶିକ୍ଷାକର୍ମୀ ନିଯୁକ୍ତି ନ’ହେବା ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ଦୋଷାରୋପ କରିବା ସମୀଚୀନ ନୁହେଁ। ଏହାର ସଫଳତା ନିର୍ଭର କରେ ଶିକ୍ଷାସେବୀ ସକାରାତ୍ମକ ପ୍ରଶାସକଙ୍କ ଦୃଢ଼ ମାନସିକତା ଉପରେ।

ପିଲାଙ୍କୁ ଡିଜିଟାଲ୍‍ ବ୍ୟବସ୍ଥାରେ ଶିକ୍ଷାଦାନ କରିବାକୁ ରୂପାନ୍ତରୀକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ରାଜ୍ୟରେ ଅନେକ ଇଂରାଜୀ ମାଧ୍ୟମ ସ୍କୁଲ ଓ ଆଦର୍ଶ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‍ ପ୍ରସ୍ତୁତ କରାଯାଉଛି। ତେବେ ଏହାର ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଡ଼ିଜିଟାଲ୍‍ ଶ୍ରେଣୀକକ୍ଷର ସୁରକ୍ଷା। କୌଣସି ଶିକ୍ଷକ/ପ୍ରଧାନଶିକ୍ଷକ ବିଦ୍ୟାଳୟ ହତାରେ ରହନ୍ତି ନାହିଁ। ସଂଧ୍ୟାବେଳେ ନିରାପତ୍ତା ନିମନ୍ତେ ତୁରନ୍ତ ରାତ୍ରି ଜଗୁଆଳି ବାହାରର ଏକ ସୁରକ୍ଷା ସଂସ୍ଥାରୁ ନିଯୁକ୍ତି ଦିଆଯାଉ। ଦୈନିକ ଏହାର ପରିଷ୍କାର ପରିଚ୍ଛନ୍ନତା ପାଇଁ ଅନ୍ୟୂନ ଦୁଇଜଣ ପିଅନ ଓ ଜଣେ ସଫେଇ କର୍ମଚାରୀ ନିଯୁକ୍ତି ପ୍ରଦାନ ଆବଶ୍ୟକ। ସରକାର ଜାଣି ରଖିବା ଦରକାର ଏବର ଶିକ୍ଷକ ଓ ପ୍ରଧାନଶିକ୍ଷକ କିରାଣି ଓ କମ୍ପ୍ୟୁଟର ଶିକ୍ଷକ କାର୍ଯ୍ୟ କରି ସମସ୍ୟା ଜର୍ଜରିତ। ପାଠ ପଢ଼଼ା ବ୍ୟତୀତ ବିଦ୍ୟାଳୟ ଜଗିବା ତାଙ୍କ ଚାକିରି ସର୍ତ୍ତାବଳୀ ବହିର୍ଭୂତ। ବାରଭାଇ ଆଖଡ଼ାରେ ଚାଲୁଥିବା ରୂପାନ୍ତରୀକରଣ ଯୋଜନା ସ୍କୁଲ ପରିବେଶ, ପୁରାତନ ଛାତ୍ର ସଂସଦ ଓ ଜନସାଧାରଣରେ ବିଭେଦ ସୃଷ୍ଟି ହୁଅନ୍ତା ନାହିଁ ଯଦି ଏହି ଯୋଜନା ସେହି ଅଞ୍ଚଳରେ ସରକାରୀ ବିଭାଗ ମାଧ୍ୟମରେ ‘ଟେଣ୍ଡର୍‍’ ଡକାଯାଇ ସ୍ୱଚ୍ଛତା ରକ୍ଷା କରାଯାଇପାରନ୍ତା। ଏହାର ମାନ ନିର୍ଦ୍ଧାରଣ କରିବାକୁ ପୁରାତନ ଛାତ୍ର, ସ୍କୁଲ୍‍ ପରିଚାଳନା କମିଟି ସଭ୍ୟଙ୍କୁ ନେଇ ଏକ ସର୍ବେକ୍ଷଣ କମିଟି ଗଢ଼ାଯାଉ। ପ୍ରଧାନଶିକ୍ଷକଙ୍କୁ ସେଥିରେ ସମ୍ପୃକ୍ତି କରାନଯାଉ। ଏବେ ଦେଖାଯାଉଛି, ଅନେକ ପ୍ରତିଷ୍ଠିତ ସ୍କୁଲରେ କେତେକ ଅଯୋଗ୍ୟ ପ୍ରଧାନ ଶିକ୍ଷକଙ୍କ ସହ ମନୋମାଳିନ୍ୟ ସୃଷ୍ଟି ହୋଇ ଭିଜିଲାନ୍‌ସ ତଦନ୍ତ ପର୍ଯ୍ୟନ୍ତ କଥା ଉଠିଲାଣି; ଯାହାକି ଆକର୍ଷଣୀୟ ଯୋଜନାଟିକୁ ବିକର୍ଷଣୀୟ କରୁଛି।

ମନ୍ଦିରର ଚାକଚକ୍ୟ ମୁଖଶାଳା ଓ ଦେବୀ ମୂର୍ତ୍ତିଙ୍କ ଶୋଭା ବର୍ଦ୍ଧନତାକୁ ସାକାର କରିବାକୁ ସମର୍ଥ ପୂଜକର ଆବଶ୍ୟକତା ପରି ରୂପାନ୍ତରୀକରଣ ସ୍କୁଲ୍‍ରେ ଉପଯୁକ୍ତ ଶିକ୍ଷକ ଓ ଶିକ୍ଷାକର୍ମୀ ଅଭାବ ତୁରନ୍ତ ପୂରଣ କରିବା ବାଞ୍ଛନୀୟ। ଅଭିଜ୍ଞ ପ୍ରଧାନଶିକ୍ଷକ ପଦକୁ ଗୁରୁତ୍ୱ ଦେଇ ୨ୟଶ୍ରେଣୀ କରାଯାଇପାରେ; କିନ୍ତୁ ନୂତନ ଭାବେ ୨ୟ ଶ୍ରେଣୀ ପାହ୍ୟା ପାଉଥିବା ପ୍ରଧାନଶିକ୍ଷକ ପଦ ଉଚ୍ଛେଦ କରାଯାଉ।
କେତେକ ସ୍ଥଳରେ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ଦୁରବସ୍ଥାର କାରଣ ହୋଇପାରେ। ରୂପାନ୍ତରୀକରଣ ଓ ଉତ୍କର୍ଷ ସ୍କୁଲ ଥାଉ ଥାଉ ଯଦି ନିକଟରେ ଆଦର୍ଶ ବିଦ୍ୟାଳୟ ଗଢ଼ିଉଠିଥାଏ, ତେବେ ଏହାର ରୂପାନ୍ତର ଭୟଙ୍କର ହେବ। ଏଣୁ ଏ ଦୁଇ ପ୍ରକାର ସ୍କୁଲ୍‍ରେ ପ୍ରବେଶିକା ପରୀକ୍ଷା ପ୍ରଚଳନ କରାଗଲେ କେତେକ ସରକାରୀ ସ୍କୁଲ୍‍ ତିଷ୍ଠିଯାଇପାରେ।

Comments are closed.