ବାଂଲାଦେଶରେ ସଂଖ୍ୟାଲଘୁ ଓ ଭାରତ

ଅରୁଣ କୁମାର ପଣ୍ଡା

ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ଉଗ୍ର ସାମ୍ପ୍ରଦାୟିକତା ଏବଂ ଅଳ୍ପସଂଖ୍ୟକଙ୍କ ଉପରେ ଅମାନୁଷିକ ଅତ୍ୟାଚାର ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି। ଦୁର୍ଗାପୂଜାବେଳେ ବାଂଲାଦେଶରେ କୁରାନର କଥିତ ଅପମାନ ସମ୍ପର୍କିତ ଗୁଜବ କାରଣରୁ ଚାରିଜଣ ନିରୀହ ବ୍ୟକ୍ତିଙ୍କ ପ୍ରାଣହାନି ହୋଇଥିବାବେଳେ ଅନ୍ୟ କେତେଜଣ ଗୁରୁତର ଭାବରେ ଆହତ ହୋଇଥିବା ଖବର ମିଳିଛି। ହତାହତ ସଂଖ୍ୟାକୁ ନେଇ ଏହି ଘଟଣାର ଗମ୍ଭୀରତାକୁ ଗୌଣ କରାଯାଇନପାରେ; କାରଣ ଘଟଣା ପଛରେ ଥିବା ମାନସିକତା ଅତି ଚିନ୍ତାଜନକ ବିଷୟ। ଘଟଣାଟିର ବିଶ୍ଳେଷଣ କରିବା ପରେ ଜଣାପଡ଼ିଛି ଯେ, ଘଟଣାସ୍ଥଳ ଥିଲା ଏକ ଦୁର୍ଗାପୂଜା ମଣ୍ଡପ ଏବଂ ହିଂସା ବ୍ୟାପିବାର କାରଣ ଥିଲା ଏକ ଫେସ୍‌ବୁକ୍‌ ପୋଷ୍ଟ। ଯେଉଁ ସ୍ଥାନରେ ଏହି ଅଘଟଣ ହେଲା ସେଠାକାର ସାର୍ବଜନୀନ ଦୁର୍ଗାପୂଜାରେ ହିନ୍ଦୁ-ମୁସଲମାନ ସମସ୍ତେ ଶ୍ରଦ୍ଧାର ସହ ବର୍ଷ ବର୍ଷ ଧରି ସାମିଲ ହୋଇ ଆସୁଥିଲେ। ତେଣୁ ପୂଜାମଣ୍ଡପରେ କୌଣସି ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ନଥିଲା। ଏହାର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ପୂଜାମଣ୍ଡପରେ ଜାଣିଶୁଣି ଏକ କୁରାନ ରଖିଦେଲା ପରେ ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେବାକୁ ଲାଗିଲା। ଏହାପରେ କଠୋରପନ୍ଥୀମାନେ ଗତ ଅକ୍ଟୋବର ୧୫ରେ ନମାଜ ପରେ ବାଂଲାଦେଶର ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ପ୍ରଥମ ହିଂସାତ୍ମକ ଆକ୍ରମଣ ହେଲା ନୋଆଖାଲିରେ। ସେଠାରେ ଥିବା ଇସ୍‌କନ୍‌ ମନ୍ଦିରର ଦୁଇଜଣ ସାଧୁଙ୍କ ସମେତ ଚାରିଜଣଙ୍କୁ କଠୋରପନ୍ଥୀ ନିର୍ମମ ଭାବରେ ହତ୍ୟା କଲେ।

ଖବର ଅନୁସାରେ ବାଂଲାଦେଶର ଅନେକ ସହର ଓ ଗ୍ରାମରେ ଏହି ଘଟଣାରୁ ଦଙ୍ଗା ହୋଇଛି। ପରନ୍ତୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଫଳରେ ଦଙ୍ଗାକାରୀମାନଙ୍କୁ ଦମନ କରାଯାଇଥିବା ସନ୍ତୋଷର ବିଷୟ। ଏହି ଘଟଣା ପଛରେ ‘ଜମାତେ ଇସଲାମୀ’ର ହାତ ଅଛି ବୋଲି କୁହାଯାଉଛି। ଜମାତେ-ଇସ୍‌ଲାମୀ ଚାହେଁ ନାହିଁ ଯେ ଦୁର୍ଗାପୂଜା ନାଁରେ ବାଂଲାଦେଶରେ ହଜାର ହଜାର ମଣ୍ଡପ ସଜାଯାଉ। ଜମାତ୍‌ର ଧ୍ବନି ହେଲା- ‘ହମ୍‌ ଢାକା କୋ କାବୁଲ ବନାଏଙ୍ଗେ।’ ଏହା ଆଶ୍ବାସନାର ବିଷୟ, ଯେ ପର୍ଯ୍ୟନ୍ତ ଶେଖ୍‌ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିବେ ଏହି କଠୋରପନ୍ଥୀଙ୍କ ଷଡ଼ଯନ୍ତ୍ରକୁ କେବେ ସଫଳ ହେବାକୁ ଦେବେନାହିଁ। ନିଜର ମହାନ୍‌ ପିତା ମୁଜିବୁର୍‌ ରହମନ୍‌ଙ୍କ ଆଦର୍ଶରେ ଅନୁପ୍ରାଣିତ ହସିନା ମୁଜିବ୍‌ଙ୍କ ଶାନ୍ତି ପ୍ରତିଷ୍ଠା ପରମ୍ପରାକୁ ଅକ୍ଷୁଣ୍ଣ ରଖିପାରିବେ ବୋଲି ଆଶା କରାଯାଇପାରେ।

ପ୍ରକାଶଥାଉ କି ନୋଆଖାଲିର ଏକ ଦୁର୍ଗାମଣ୍ଡପରେ କେହି ଦୁର୍ବୃତ୍ତ ଲୁକ୍କାୟିତ ଭାବରେ କୁରାନ ସରିଫ ରଖି ଦେବା ପରେ ଜାଣିଶୁଣି ଏହାର ଫଟୋକୁ ବହୁପ୍ରସାରିତ କରାଯାଇଥିଲା। ନୋଆଖାଲି ହେଉଛି ସେହି ଐତିହାସିକ ସ୍ଥାନ ଯେଉଁଠାରେ ହିନ୍ଦୁ-ମୁସଲମାନ ଦଙ୍ଗାକୁ ଶାନ୍ତ କରିବା ପାଇଁ ମହାତ୍ମା ଗାନ୍ଧୀ ଅନଶନରେ ବସିଥିଲେ ଯେତେବେଳେ ସମଗ୍ର ଦେଶ ସ୍ବାଧୀନତା ଉତ୍ସବ ପାଳନରେ ବ୍ୟସ୍ତ ଥିଲା। ଏହି ଘଟଣା ପୂର୍ବରୁ ମନ୍ଦିର ଭଙ୍ଗା, ଅପହରଣ, ଜୋର୍‌ଜବରଦସ୍ତି ଧର୍ମାନ୍ତରୀକରଣ ଭଳି ଘଟଣା ବାଂଲାଦେଶରେ ହୋଇଛି। ନିଜକୁ ଅସୁରକ୍ଷିତ ମନେକରି ଅନେକ ହିନ୍ଦୁ ଶରଣାର୍ଥୀ ଭାବରେ ଭାରତ ପଳାୟନ କରି ଆସିଛନ୍ତି। ଏମାନଙ୍କ ସହିତ ବହୁସଂଖ୍ୟକ ଗୋଷ୍ଠୀର ହଜାର ହଜାର ବ୍ୟକ୍ତି ଷଡ଼ଯନ୍ତ୍ର ପୂର୍ବକ ଭାରତରେ ଅନୁପ୍ରବେଶ କରିଛନ୍ତି, ଯାହା ଆମ ଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି। ପରନ୍ତୁ ଏବର ଦୁର୍ଗାପୂଜା ଦଙ୍ଗା ପରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନେ ସେଠାରେ ନିଜକୁ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେକଲେଣି। ବିଶେଷକରି ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଆସିବା ପରେ ଆମର ଉଭୟ ପଡ଼ୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶରେ କଠୋରପନ୍ଥୀ ମୌଳବାଦୀଙ୍କ ସକ୍ରିୟତା ବଢ଼ିବାରେ ଲାଗିଛି।

ଚଉସ୍ତରି ବର୍ଷ ପୂର୍ବରୁ ଉପରୋକ୍ତ ଦୁଇ ଦେଶ ଭାରତର ଅଭିନ୍ନ ଅଙ୍ଗ ଥିଲା। ଧର୍ମ ଆଧାରରେ ୧୯୪୭ରେ ଭାରତର ବିଭାଜନ ହେଲା, ପାକିସ୍ତାନ ସୃଷ୍ଟି ହେଲା। ସାଂସ୍କୃତିକ, ଭାଷା ଏବଂ ସଂସ୍କାରର ବିଷମତା କାରଣରୁ ଧାର୍ମିକ କଠୋରପନ୍ଥା ଏମାନଙ୍କୁ ବେଶୀଦିନ ଏକାଠି କରି ରଖିପାରିଲା ନାହିଁ। ୧୯୭୧ ମସିହାରେ ପାକିସ୍ତାନରୁ ଅଲଗା ହୋଇ ପୂର୍ବ ପାକିସ୍ତାନ ବାଂଲାଦେଶ ହେଲା ଏବଂ ବାଂଲାଦେଶକୁ ନିର୍ମାଣ କରିବାରେ ଭାରତର ସହାୟକ ଭୂମିକା ସର୍ବାଗ୍ରେ ଥିଲା। ବିଶେଷକରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ତା ଓ କୂଟନୈତିକ ବିଚକ୍ଷଣତା କାରଣରୁ ପାକିସ୍ତାନକୁ ପରାହତ କରି ଏକ ସଶକ୍ତ ବାଂଲାଦେଶ ପ୍ରତିଷ୍ଠିତ ହେଲା ଏବଂ ମୁଜିବୁର ରହମାନ ଦେଶର ପ୍ରଥମ ଶାସନ ମୁଖ୍ୟ ହେଲେ। ଆଶା କରାଯାଉଥିଲା ବାଂଲାଦେଶୀ ନାଗରିକଙ୍କ ପାଇଁ ଭାରତ ଯେଭଳି ସକାରାତ୍ମକ ଭୂମିକା ଗ୍ରହଣ କଲା ଏବଂ ପାକିସ୍ତାନ ହାତରୁ ଏହି ସଂସ୍କୃତିସମ୍ପନ୍ନ ଭୂଖଣ୍ଡକୁ ଛଡ଼ାଇ ଆଣି ଏମାନଙ୍କ ହାତରେ ଦେଲା, ତେଣୁ ଏହି ଦେଶର ଶାସନ ଓ ଜନତା ସବୁବେଳେ ଭାରତ ପ୍ରତି କୃତଜ୍ଞ ରହିବେ। ପରନ୍ତୁ ବର୍ତ୍ତମାନ ସେଭଳି କିଛି ଦେଖିବାକୁ ମିଳୁନାହିଁ। ବାଂଲାଦେଶରେ ମଧ୍ୟ ସେହି ପାକିସ୍ତାନୀ ଅହଂ ଓ ଭାବନା କାମ କରୁଛି।

ଜଣେ ଆମେରିକୀୟ ଲେଖକ ଫିଲିସ୍‌ ଚେସ୍‌ଲର ୱେବସାଇଟ୍‌ ଫ୍ୟାକ୍ସ ନ୍ୟୁଜ୍‌ରେ ଲେଖିଥିଲେ ଯେ, କେଉଁଭଳି ଭାବରେ ବାଂଲାଦେଶ ଏବଂ ଭାରତ-ବାଂଲାଦେଶ ସୀମାରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଛି। ସେ ଲେଖିଥିଲେ- ବାଂଲାଦେଶୀ ଅନୁପ୍ରବେଶକାରୀମାନେ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ନିରୀହ ଗ୍ରାମବାସୀଙ୍କ ଉପରେ କ୍ରମାଗତ ଅତ୍ୟାଚାର କରୁଛନ୍ତି। ଗ୍ରାମବାସୀମାନେ ଭୟଭୀତ ହୋଇ ସେମାନଙ୍କୁ ସହୁଛନ୍ତି ଏବଂ ନିଜେ ବିସ୍ଥାପିତ ହେଉଛନ୍ତି। ପୁଲିସ ନୀରବ ରହୁଛି, ସରକାର ଏବଂ ମିଡିଆ ମଧ୍ୟ ନିଷ୍କ୍ରିୟ। ଅପ୍ରବାସୀ ବାଂଲାଦେଶୀ ଅପରାଧୀଙ୍କ ପାଇଁ ଏହି ସୀମାବର୍ତ୍ତୀ ଗ୍ରାମଗୁଡ଼ିକ ଅସ୍ତ୍ରଶସ୍ତ୍ର, ନିଶାଦ୍ରବ୍ୟ ଏବଂ ଗଣିକା ବୃତ୍ତିର ଆଡ୍ଡାସ୍ଥଳୀ ହୋଇଛି।

ବାଂଲାଦେଶର ସମୁଦାୟ ଜନସଂଖ୍ୟା ହେଉଛି ୧୪କୋଟି ୪୭ଲକ୍ଷ ଏବଂ ଏମାନଙ୍କ ମଧ୍ୟରୁ ପ୍ରାୟ ୧୩କୋଟି ମୁସଲମାନ ସମ୍ପ୍ରଦାୟର। ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଏବଂ ଶିଖ୍‌ମାନଙ୍କ ସଂଖ୍ୟା ୧କୋଟି ୪୭ଲକ୍ଷ। ୩୭ବର୍ଷ ତଳେ ହିନ୍ଦୁ ଓ ଅଣମୁସଲମାନଙ୍କ ଜନସଂଖ୍ୟା ସମୁଦାୟ ଜନସଂଖ୍ୟାର ୧୩ ପ୍ରତିଶତ ଥିବାବେଳେ ଏବେ ଏହା ହ୍ରାସ ପାଇ ମାତ୍ର ୮ ପ୍ରତିଶତ ରହିଛି। ବର୍ଷ ବର୍ଷ ଧରି କ୍ରମାଗତ ଭାବରେ ସେଠାରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି।

ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ନିରବଚ୍ଛିନ୍ନ ଭାବରେ ବର୍ଷ ବର୍ଷ ଧରି ଅତ୍ୟାଚାର ଚାଲୁରହିଛି। ବାବରୀ ଢାଞ୍ଚା ଭଙ୍ଗବେଳେ ବାଂଲାଦେଶରେ ହୋଇଥିବା ଦଙ୍ଗାରେ ୧୨ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା। ସେହିପରି ୨୦୦୧ ନିର୍ବାଚନ ପରେ ପ୍ରାୟ ୪୦ଲକ୍ଷ ଅଣମୁସଲମାନ ନାଗରିକଙ୍କୁ କିଭଳି ଭୟଙ୍କର ଯାତନା ଦିଆଯାଇଥିଲା ଯାହା ବିସ୍ମୃତ ବର୍ଣ୍ଣନା ତସ୍‌ନିଫ୍‌ ଭାଇ ଓରଫ ସଲାମ ଆଜାଦ୍‌ଙ୍କ ରଚିତ ‘ବାଂଲାଦେଶରେ ହିନ୍ଦୁ ସଂହାର’ ପୁସ୍ତକରେ ଦିଆଯାଇଛି। ଘରେ ଜୋର୍‌ଜବରଦସ୍ତ ପଶି ପୁରୁଷ ଲୋକଙ୍କୁ ନୃଶଂସ ଆକ୍ରମଣ କିମ୍ବା ହତ୍ୟାକରି ମହିଳାମାନଙ୍କ ସହ ଦୁଷ୍କର୍ମ କରିବା ଭଳି ଘଟଣା ସମ୍ପର୍କରେ ସୌଭାଗ୍ୟବଶତଃ ବାଂଲାଦେଶର କେତେକ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇବା ପରେ ଆମେନଷ୍ଟ୍ରି ଇଣ୍ଟରନାସନାଲ ତଥା ଜାତିସଂଘ ପକ୍ଷରୁ ଏହାର ମହାସଚିବ ଏହାର ଦୃଢ଼ ନିନ୍ଦା କରିଥିଲେ। ପରନ୍ତୁ ଭାରତର ଜନସାଧାରଣ ଏବଂ ସରକାରଙ୍କ ପକ୍ଷରୁ ଏହାର ଯେଭଳି କଡ଼ା ବିରୋଧ କରାଯିବା କଥା ତାହା ହୋଇନଥିଲା। ତଥ୍ୟ ଅନୁଯାୟୀ ୧୯୬୪ରୁ ୨୦୧୩ ମଧ୍ୟରେ ପ୍ରାୟ ୧କୋଟି ୧୩ଲକ୍ଷ ହିନ୍ଦୁ ଧାର୍ମିକ ଅସହିଷ୍ଣୁତା ଓ ଉତ୍ପୀଡ଼ନ କାରଣରୁ ବାଂଲାଦେଶରୁ ପଳାୟନ କରି ଭାରତରେ ଶରଣାର୍ଥୀ ଜୀବନଯାପନ କରିବାକୁ ବାଧ୍ୟ ହୋଇଥିଲେ। ଗତବର୍ଷ ଅର୍ଥାତ୍‌ ୨୦୨୦ରେ ବିଭିନ୍ନ ଘଟଣାରେ ୧୪୯ ହିନ୍ଦୁଙ୍କୁ ହତ୍ୟା କରାଯାଇଥିବାବେଳେ ୭୦୩୬ ଜଣ ଆହତ ହୋଇଥିଲେ। ୯୪ଜଣ ହିନ୍ଦୁଙ୍କୁ ସେଠାରେ ଅପହରଣ କରାଯାଇଥିଲା ଏବଂ ୨୬୨୩ ଜଣ ହିନ୍ଦୁଙ୍କୁ ଜବରଦସ୍ତି ଧର୍ମାନ୍ତରୀକରଣ କରାଯାଇଥିଲା। ଦୁର୍ଗାପୂଜା ମଣ୍ଡପ ଘଟଣା ପରେ ସମଗ୍ର ବାଂଲାଦେଶରେ ଦଙ୍ଗା ଥମିବାର ନାଁ ନେଉନାହିଁ। ଦଙ୍ଗାରେ ପାଖାପାଖି ୩୦ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ଥିତିକୁ ହାସିନା ସରକାର ସମସ୍ତ ଉଦ୍ୟମ ସତ୍ତ୍ବେ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆଣିପାରିନାହାନ୍ତି।

ଅତୀତକୁ ଦୃଷ୍ଟିପାତ କଲେ ଜଣାପଡ଼ିବ ଯେ ଏଭଳି ଘଟଣା ଦୀର୍ଘ ବର୍ଷରୁ ସେଠାରେ ଚାଲିଛି। ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟ ତଥା ଧାର୍ମିକ ଉଗ୍ରବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ତଥା ଧାର୍ମିକ ପୀଠଗୁଡ଼ିକୁ ଆତଙ୍କବାଦର କେନ୍ଦ୍ର ନ ହେବାକୁ ଦେବା ନିମନ୍ତେ ଠୋସ୍‌ ପଦକ୍ଷେପ ନିଆଯିବା ଉଚିତ।

Comments are closed.