ମନୁଷ୍ୟ ଦେହେ ଦିବ୍ୟଜ୍ଞାନ…

ଗିରିଶ ଚନ୍ଦ୍ର ଶତପଥୀ

ଶାସ୍ତ୍ରରେ ଅଛି ‘ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ’। ଆମେମାନେ ଜାଣିଥିବାର ଏହି କ୍ଷୁଦ୍ର ଶାସ୍ତ୍ରବାଣୀ ପ୍ରକୃତରେ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏହା ଆମକୁ ନିଜ ସମ୍ବନ୍ଧରେ, ଅନ୍ୟମାନଙ୍କ ସମ୍ବନ୍ଧରେ ତଥା ସମୁଦାୟ ମନୁଷ୍ୟ ସମାଜ ସମ୍ବନ୍ଧରେ ଏକ ବିଶେଷ ବାର୍ତ୍ତା ପ୍ରଦାନକରି ଏହାର ବିଶ୍ଳେଷଣ ପାଇଁ ପ୍ରେରଣା ଦିଏ। ଏ ଦିବ୍ୟଜ୍ଞାନ ବା ଦିବ୍ୟଗୁଣଗୁଡ଼ିକ ପ୍ରକୃତରେ କ’ଣ! ସାଧାରଣତଃ ଆମେ ଭାବୁ ଦୟା, କରୁଣା, ଦାନ, ଅହିଂସା, ଅକ୍ରୋଧ, କ୍ଷମା ଓ ନମ୍ରତା ଇତ୍ୟାଦି ଅନେକ ଭଲ ଗୁଣ। ଜଣେ ମଣିଷ ପାଖେ ଏହିପରି କିଛି ସଦ୍‌ଗୁଣ ବା ଦିବ୍ୟତା ଲକ୍ଷ୍ୟକଲେ ଆମେ ତାଙ୍କୁ ଜଣେ ଭଲ ମଣିଷ ବୋଲି କହିଥାଉ। ‘ଭଲ ମଣିଷ’ ଏକ ଅତ୍ୟନ୍ତ ସାଧାରଣ ଶବ୍ଦଟିଏ ହୋଇଥିଲେ ବି ଏହାର ବିଶଦ ବ୍ୟାଖ୍ୟା ଆମ ଆଗରେ ମାନବିକତାର ଏଭଳି ଏକ ପ୍ରତିଛବି ଉପସ୍ଥାପନ କରେ ଯେ ଆମେ ହୃଦୟଙ୍ଗମ କରୁ ପ୍ରକୃତରେ ଏହି ଦିବ୍ୟଗୁଣଗୁଡ଼ିକ ଯୋଗୁଁ ହିଁ ମନୁଷ୍ୟ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ। ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରୁ ଋଷିପ୍ରତିମ ଆଚାର୍ଯ୍ୟ ହରିହରଙ୍କର ବାର୍ତ୍ତା ହେଲା, ‘ଭଲ ମଣିଷ ହୁଅ’। ଜଣେ ଭଲ ବୃତ୍ତିଧାରୀ ହେବା ପାଇଁ ସେ କହିନାହାନ୍ତି। ଯେ କୌଣସି ବୃତ୍ତି ଆପଣାଇ ଥିଲେ ବି ପ୍ରଥମେ ଜଣେ ଭଲ ମଣିଷ ହୁଅ।

ଆସନ୍ତୁ ଏହି ଦିବ୍ୟଗୁଣଗୁଡ଼ିକ ମଧ୍ୟରୁ ପ୍ରଥମେ ଆଲୋଚନା କରିବା ଦୟା ଓ କରୁଣା ବିଷୟରେ। ଯେ କୌଣସି ବ୍ୟକ୍ତି (ବା ଜୀବ) କୌଣସି ଅସୁବିଧାର ସମ୍ମୁଖୀନ ହୋଇଥିଲେ, ତାହା ରୋଗବ୍ୟାଧି ହେଉ ବା ଅନ୍ୟାନ୍ୟ କୌଣସି କାରଣରୁ ହେଉ, ତାଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଆମ୍ଭମାନଙ୍କର ଏକ ସହଜାତ ପ୍ରବୃତ୍ତି। ଏହା ସ୍ବତଃ ଆମ ଭିତରେ ପ୍ରକାଶ ପାଏ। ଏହି ମାନବୀୟ ସଦ୍‌ଗୁଣକୁ ଆମେ ‘ଦୟା’ କହୁ। ପରନ୍ତୁ ଶାସ୍ତ୍ରକାର ପଣ୍ତିତମାନଙ୍କ ମତରେ ‘କରୁଣା’ ଶବ୍ଦର ଅର୍ଥ ଏହାଠାରୁ ସ୍ବତନ୍ତ୍ର ଓ ବ୍ୟାପକ। ତାହା ହେଲା, ଅତୀତରେ ଆମକୁ ଲାଞ୍ଛିତ, ଅପମାନିତ କରିଥିବା ବା ଜାଣିଶୁଣି ଆମକୁ କ୍ଷତି ପହଞ୍ଚାଇଥିବା କୌଣସି ବ୍ୟକ୍ତି ଯଦି ଅସୁବିଧାରେ ପଡ଼ିଥାଏ ଏବଂ ସେତେବେଳେ ଆମ ଭିତରେ ତାଙ୍କ ପ୍ରତି ସମବେଦନା ପ୍ରକାଶ ପାଏ ବା ଉଦାରଭାବ ଜାତ ହୁଏ, ଆମେ ବିନା ଦ୍ବିଧାରେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯାଉ, ତାହା ହେଲା ‘କରୁଣା‘। ଏହା ଏକ ଅତ୍ୟନ୍ତ ଉଚ୍ଚ ଭାବନା। ଭଗବାନଙ୍କର ଅନ୍ୟ ନାମ ସେଥିପାଇଁ ‘କରୁଣାକର’। ଋଷି ଜଣେ ନଦୀରେ ସ୍ନାନ କରୁଥିବାବେଳେ ବିଛାଟିଏ ଭାସିଯାଉଥିବାର ଦେଖିଲେ। ଉଠାଇ ଆଣିବାକୁ ହାତ ବଢ଼େଇବାବେଳେ ବିଛାଟି ତାଙ୍କୁ ଦଂଶନ କଲା। ଋଷିଜଣକ ସେଥର ଛାଡ଼ିଦେଇ, ଦ୍ବିତୀୟ ପ୍ରୟାସରେ ତାକୁ ଉଦ୍ଧାର କରିବାକୁ ଚେଷ୍ଟାକଲେ ଓ ସଫଳ ହେଲେ। ଏହା କରୁଣା। ବିଛାଟିର ଦଂଶନରେ ବ୍ୟତିବ୍ୟସ୍ତ ହୋଇ କଷ୍ଟ ପାଇ ମଧ୍ୟ ସେ ବିଚ୍ଛାଟିକୁ ରକ୍ଷାକରିବାରେ ଆଗ୍ରହ ରଖିଲେ। ଏହା ହିଁ ଦିବ୍ୟତା।

ଦାନ ଦେବା ଏକ ବି​‌େ​‌ଶଷ ଗୁଣ ଭାବେ ପରିଗଣିତ ହୁଏ। ତାହା ଶ୍ରମଦାନ, ଅର୍ଥଦାନ, ସମୟଦାନ, ବିଦ୍ୟାଦାନ ବା ଯେ କୌଣସି ଦାନ ହୋଇଥାଉ ନା କାହିଁକି ଏହା ସର୍ବଦା ମହାନ। ଅନେକ ସମୟରେ ଦାନ ଦେବା ଲୋକଟିର ଆଗ୍ରହ ହିଁ ତାଙ୍କୁ ଏ ଦିଗରେ ପ୍ରେରିତ କରେ ଓ ସେ ମଧ୍ୟ ଏଥିରେ ଆନନ୍ଦ ଲାଭ କରନ୍ତି; କିନ୍ତୁ ଏଠାରେ ଆଉ ଏକ ବିଷୟ ଅଧିକ ପ୍ରଣିଧାନଯୋଗ୍ୟ। ସାଧାରଣ ମତରେ, ଯାହାଠାରୁ ଆମେ କୌଣସି ସାହାଯ୍ୟ ବା ଦାନ ପାଇଛେ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଦରକାର। ପରନ୍ତୁ ଏଠାରେ ଏ କଥାଟିର ଏକ ଭିନ୍ନ ଉପସ୍ଥାପନା କରାଯାଇଛି। ଆମକୁ ଶୁଣୁଶୁଣୁ ଟିକେ ଅଡ଼ୁଆ ଲାଗିପାରେ, କିନ୍ତୁ ଏଥିରେ ଦାନ ଦେବାର ମହନୀୟତା ନିଧାର୍ଯ୍ୟ। ଦାତାଙ୍କୁ ଉପଦେଶ ଦିଆଯାଉଛି ଯେ ଆପଣ ଯାହାକୁ ଦାନ ଦେଉଛନ୍ତି, ସେହି ଗ୍ରହୀତାଙ୍କ ପ୍ରତି ଆପଣ କୃତଜ୍ଞ ରହିବା ଉଚିତ। କାରଣ ଆପଣଙ୍କ (ଦାତାଙ୍କ) ଦ୍ବାରା ସମ୍ପାଦିତ ଏହି ମହାନ କାର୍ଯ୍ୟ (ଦାନ) କେବଳ ସେଇ ଗ୍ରହୀତାଙ୍କ ସହଯୋଗରୁ ହିଁ ସମ୍ଭବ ହୋଇପାରିଲା। ସୁତରାଂ ଗ୍ରହୀତାଙ୍କ ସହଯୋଗ ପାଇଁ ଦାତା ତାଙ୍କ ପ୍ରତି କୃତଜ୍ଞ ରହିବାର ବିଚାର ହିଁ ଦିବ୍ୟ।

ଅହିଂସା ଓ ଅକ୍ରୋଧ ଦୁଇଟି ଅତ୍ୟନ୍ତ ମହାନ ଗୁଣ। ଏହାର ବ୍ୟାବହାରିକ ବିଚାରରେ ଆମେମାନେ ଅନେକ ସମୟରେ ଏକ ଭୁଲ ଧାରଣାର ବଶବର୍ତ୍ତୀ ହେଉଯାଉ। ଆମେ ଭାବୁ, ହିଂସା ବା ପ୍ରତିହିଂସା ପ୍ରିୟ କ୍ରୋଧୀ ବ୍ୟକ୍ତି ଜଣକ ଅତ୍ୟନ୍ତ ବଳବାନ। ଏହି ମହାବଳୀମାନଙ୍କର ଅନେକ ଅନୁଚିତ କାର୍ଯ୍ୟକୁ ଆମେ ସେମାନଙ୍କର ଶକ୍ତିର ପ୍ରଦର୍ଶନ ତଥା ନିଦର୍ଶନ ବୋଲି ବିଚାର କରୁ। ମହାତ୍ମା ଗାନ୍ଧୀଙ୍କ ବିଚାରରେ ‘ଅହିଂସା କେବଳ ସବଳର ଆଚରଣ, ଦୁର୍ବଳର ନୁହେଁ।’ କାରଣ ଶାସ୍ତ୍ରଜ୍ଞମାନଙ୍କ ମତରେ ‘କ୍ରୋଧ ଭୟରୁ ହିଁ ସୃଷ୍ଟି’ ନିଜକୁ ଅସୁରକ୍ଷିତ ମନେ କରୁଥିବା ଦୁର୍ବଳମନାମାନେ, ହୀନମନ୍ୟତାର ଶିକାରହୋଇ, ନିଜକୁ ଅଧିକ ବଳଶାଳୀ ବୋଲି ସମାଜ ଆଗରେ ଦେଖାଇହେବାର ଆବଶ୍ୟକତା ଅନୁଭବ କରି କ୍ରୋଧ ବା ହିଂସାର ପଥ ଆପଣାଇଥାନ୍ତି; କିନ୍ତୁ ଯତ୍ନର ସହ ବିଶ୍ଳେଷଣ କଲେ, ଏହା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଆତ୍ମିକ ଶକ୍ତି, ଆଙ୍ଗିକ ଶକ୍ତିଠାରୁ ଅନେକ ଗୁଣରେ ଅଧିକ। ଆତ୍ମ ଶକ୍ତିରେ ଶକ୍ତିମାନ ବ୍ୟକ୍ତି ଆଦୌ ଭୟଭୀତ ହୁଏ ନାହିଁ। ଫଳରେ ନଜକୁ ଅସୁରକ୍ଷିତ ମନେ କରିବାର ପ୍ରଶ୍ନ ହିଁ ନାହିଁ। କ୍ରୋଧ ବା ହିଂସା ତ ଅନେକ ଦୂରରେ। ପୁରାଣ କଥା ଅନୁସାରେ ଶ୍ରୀବତ୍ସ ନାମକ ବ୍ରାହ୍ମଣ, ଭଗବାନ ବିଷ୍ଣୁଙ୍କୁ ପଦାଘାତ କଲାପରେ, ପ୍ରଭୁ ଉଠିପଡ଼ି ସେହି ବ୍ରାହ୍ମଣଙ୍କର ପାଦକୁ ଆଉଁଶି ଦେଇଥିଲେ ଯେ କେତେ କଷ୍ଟ ତାଙ୍କ ପାଦକୁ ହୋଇଥିବ। ଅହିଂସା ଓ ଅକ୍ରୋଧର ଦିବ୍ୟତାକୁ ନେଇ ଏହାଠାରୁ ପ୍ରକୃଷ୍ଟର ଉଦାହରଣ ଆଉ କ’ଣ ବା ହୋଇପାରେ।

କ୍ଷମା ଓ ନମ୍ରତା ପରି ସଦ୍‌ଗୁଣରେ ମହାନତା ଏତେ ପ୍ରଭାବଶାଳୀ ଯେ ଆମେ ତାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଏହା ପ୍ରକୃତରେ ଅନୁଭବ ସାପେକ୍ଷ। ପ୍ରଚଣ୍ଡ ନିଦାଘ କାଳରେ ସ୍ନିଗ୍ଧ, ଶାନ୍ତ ବାରିଧାରା ପରି ଏହା ଅତ୍ୟନ୍ତ ତୃପ୍ତି ପ୍ରଦାନ କରେ। ଏ ଗୁଣ ଦୁଇଟିରେ ପରିପୂର୍ଣ୍ଣ ବ୍ୟକ୍ତିଙ୍କୁ ଆମେ ସାଧାରଣ ମାନବ ନ କହି ମହାାମନବ ବା ମହାପୁରୁଷ ଭାବେ ବିଚାର କରୁ। କ୍ଷମାର ବ୍ୟାଖ୍ୟାରେ ଶାସ୍ତ୍ରକାରମାନେ ଲେଖିଲେ ‘କ୍ଷମା ବୀରସ୍ୟ ଭୂଷଣମ୍‌’। କ୍ଷମା ବୀରମାନଙ୍କର ଏକ ଅତିମାନବୀୟ ଗୁଣ ଅଟେ। ମହାନ୍‌ ଶାସ୍ତ୍ର ଶ୍ରୀମଦ୍‌ ଭାଗବତ ଲେଖିଲେ ‘ଦଣ୍ଡିବା ଶକ୍ତି ଯା’ର ଥାଇ, ସେ ପୁଣି କ୍ଷମା ଆଚରଇ’। ଅର୍ଥାତ୍‌ ଅନ୍ୟକୁ ଦଣ୍ଡ ଦେବାର ଶକ୍ତିଥିବା ବ୍ୟକ୍ତି ହିଁ କ୍ଷମାର ଆଚରଣ କରିପାରେ। ସୁତରାଂ କ୍ଷମାର ମହନୀୟତା, ଉପାଦେୟତା ଉତ୍କର୍ଷତା ଓ ବ୍ୟାବହାରିକତା, କର୍ତ୍ତାଙ୍କର ଅତ୍ୟନ୍ତ ଉଚ୍ଚ ମନୋଭାବ ଓ ବିଚାରର ସୂଚନା ପ୍ରଦାନ କରେ। ମାନସିକ ଶକ୍ତି ସମ୍ପନ୍ନ ଜଣେ ଉଦାର ହୃଦୟ ବ୍ୟକ୍ତି ହିଁ ଅନ୍ୟକୁ ତା’ର ଦୋଷ ପାଇଁ କ୍ଷମା କରିପାରେ। ଇଂରାଜୀରେ ତ ଆଉ ପାଦେ ଆଗକୁ କୁହାଗଲା ଯେ ‘ଫର୍‌ଗିଭ୍‌ ଆଣ୍ଡ୍ ଫରଗେଟ୍‌’ ଅର୍ଥାତ୍‌ କ୍ଷମାକର ଓ ଏହା ଭୁଲିଯାଅ। ଜଣେ ବ୍ୟକ୍ତିଙ୍କର ଏହି ଦୋଷ ପାଇଁ ତାଙ୍କୁ କ୍ଷମା ଦିଆଗଲା, ଏହାକୁ ମନେ ରଖିବାର କୌଣସି ପ୍ରୟୋଜନ ନାହିଁ, ଭୁଲିଯିବାରେ ହିଁ ମହନୀୟତା। ସାଧୁମାନେ ଆମ ଆଗରେ ବୃକ୍ଷର ଉଦାହରଣ ଦେଲେ। ପିଲାମାନେ ଫଳ ଥିବା ଗଛକୁ ଟେକାପଥର ମାରି ଚାଲନ୍ତି, ଫଳ ଝଡ଼ାଇବା ପାଇଁ। ଗଛଟି ଆଘାତପ୍ରାପ୍ତ ହେବା ସତ୍ତ୍ବେ, ପିଲାମାନଙ୍କ ଆନନ୍ଦ ପାଇଁ ଫଳଟି ଖସାଇଦିଏ। ସତରେ କ୍ଷମାର ଏ କି ପ୍ରକାର ଉତ୍କର୍ଷତା, କି ଦିବ୍ୟତା! ଭାବନାର ପରିଧିରେ ଏହା ସୀମିତ ନୁହଁ।

ଏହା ପରେ ନମ୍ରତା। ଏ ସୁନ୍ଦର ଶବ୍ଦଟିର ଉଚ୍ଚାରଣ ହିଁ କମନୀୟତାରେ ଭରା। ଅତ୍ୟନ୍ତ କୋମଳତାର ସହିତ ଏ ଦିବ୍ୟଗୁଣର ପ୍ରତିଫଳନ ଘଟେ। ଆମେ ଜାଣୁ ବିଦ୍ୟା ହିଁ ଜ୍ଞାନ ଆହରଣର ଶ୍ରେଷ୍ଠ ସାଧନ ଅଟେ; କିନ୍ତୁୁ ବିଦ୍ୟାର ବିଶେଷ ପ୍ରଭାବ ହେଲା ବିନୟଭାବ ବା ନମ୍ରତା। ‘ବିଦ୍ୟା ଦଦାତି ବିନୟମ୍‌’। ବିଦ୍ୟା ଏହାର ସାଧକଙ୍କୁ ବିନୟୀ କରାଏ। ବିଦ୍ୟାରେ ବିଭୂଷିତ ବ୍ୟକ୍ତି ବିନୟୀ ତଥା ନମ୍ର ହୋଇଥାନ୍ତି। ବିଦ୍ୟାର ଗରିମା ଏହାଦ୍ବାରା ପ୍ରତିପାଦିତ ହୁଏ। ଯାହା ତାଙ୍କ ବ୍ୟକ୍ତିତ୍ବର ଏକ ପ୍ରାଥମିକତା। ସେମାନଙ୍କର ଆଚାର ବ୍ୟବହାର, ମତ ବିନିମୟର ସଂଭ୍ରମ ଓ କାର୍ଯ୍ୟକଳାପର ଶାଳୀନତାରେ ଏହା ସର୍ବଦା ପରିଲକ୍ଷିତ ହୁଏ। ନମ୍ରତା ଏକ ଏଭଳି ପ୍ରଭାବଶାଳୀ ତଥା ମଧୁର ଅଭିବ୍ୟକ୍ତିି ଯେ ଏହା ଅନ୍ୟର ମନକୁ କିଣି ନିଏ ଓ ଜିଣିନିଏ।

ପ୍ରଥମେ ପ୍ରଥମେ ନିଜର ବକ୍ତବ୍ୟର କୋମଳ ଉପସ୍ଥାପନରେ ସାମାନ୍ୟ ଦୁର୍ବଳ ମନେ ହେଉଥିବା ନମ୍ର ବ୍ୟକ୍ତି ଯେ କେତେ ପ୍ରଭାବଶାଳୀ ଓ କେତେ ଅପରିମିତ ଶକ୍ତିର ଅଧିକାରୀ, ତାହା ଅଚିରେ ପ୍ରମାଣିତ ହୁଏ। ନିଜେ ନଇଁପଡ଼ି ସେହି ବ୍ୟକ୍ତି ଅନ୍ୟମାନଙ୍କ ନିକଟରେ ଉଚ୍ଚ ହୋଇଯାଆନ୍ତି। ଉନ୍ନତି ଶବ୍ଦର ବ୍ୟାଖ୍ୟାରେ କୁହାଗଲା ଯେ ଉତ୍‌+ନତି, ଉଚ୍ଚ ସମ୍ମୁଖରେ ଯେ ନଇଁପଡ଼େ ତା’ର ଉନ୍ନତି ଅବଶ୍ୟମ୍ଭାବୀ। ନମ୍ରତାର ଉତ୍କର୍ଷ ପ୍ରଦର୍ଶନରେ ରଚିତ ଏହି ଶ୍ଳୋକ, ‘ନମ୍ରନ୍ତି ଫଳିନୋ ବୃକ୍ଷାଃ, ନମ୍ରନ୍ତି ଗୁଣିନୋ ଜନାଃ’। ଅର୍ଥାତ୍‌ ଗଛର ଯେଉଁ ଡାଳଟିରେ ଫଳ ହୋଇଥାଏ ସେହି ଡାଳଟି ନଇଁ ପଡ଼େ। ଯେଉଁ ଗୁଣୀଜନଙ୍କ ହୃଦୟ ଜ୍ଞାନର ପରାକାଷ୍ଠାରେ ପରିପୂର୍ଣ୍ଣ ସେ ହିଁ ନଇଁ ପଡ଼ନ୍ତି। ନମ୍ରତା ପରି ଦିବ୍ୟଗୁଣର ଏହା ଏକ ସର୍ବଶ୍ରେଷ୍ଠ ଉଦାହରଣ।
ସ୍ନେହ ଓ ଶ୍ରଦ୍ଧା ମଧ୍ୟ ଏକ ଦିବ୍ୟଗୁଣ। ଯାହା ପାଇଲେ ପର ଆପଣାର ହୋଇଯାଏ। ଶ୍ରଦ୍ଧା ଏକ ଏପରି ସ୍ନିଗ୍ଧ ଅନୁଭବ ଯାହା ନିଜ ଭିତରେ ଏକ ସ୍ବର୍ଗୀୟ ଚେତନା ଭରିଦିଏ। ଏହା କନିଷ୍ଠମାନଙ୍କ ପ୍ରତି ସ୍ନେହ ଆକାରରେ ଝରି ପଡ଼ିଲାବେଳେ, ବରିଷ୍ଠମାନଙ୍କ ପ୍ରତି ସମ୍ମାନର ରୂପ ନିଏ। ସାମାଜିକତାର ବିକାଶରେ ଏହି ଦିବ୍ୟଗୁଣଟିର ମହନୀୟତା ଯେ କେତେ ତାହାକୁ କେବଳ ଅଭିଜ୍ଞତା ଦ୍ବାରା ଅନୁଭବ କରିହୁଏ, ବର୍ଣ୍ଣନା ଅସମ୍ଭବ। ଶ୍ରଦ୍ଧା କରୁଥିବା ଓ ଶ୍ରଦ୍ଧା ପାଉଥିବା ଉଭୟଙ୍କ ପାଇଁ ଏ ସବୁ ଅପାରଆନନ୍ଦ ପ୍ରାପ୍ତିର ମହାନ୍‌ ମାଧ୍ୟମ ହୋଇଯାଏ।

ବିଜ୍ଞ ପାଠକମାନଙ୍କ ନିକଟରେ, ଦିବ୍ୟତାରେ ଭରା ଉପରୋକ୍ତ ସଦ୍‌ଗୁଣଗୁଡ଼ିକର ଉପସ୍ଥାପନା ଓ ଯତ୍‌କିଞ୍ଚିତ୍‌ ଆଲୋଚନା, ଆନନ୍ଦ ଦେବ ବୋଲି ଆଶା। ଆମ୍ଭମାନଙ୍କ ନିକଟରେ ଏଇ ଭଳି ସଦ୍‌ଗୁଣଗୁଡ଼ିକ ବିକଶିତ ହେଉ ଓ ଏମାନଙ୍କର ପ୍ରଭାବ ପରିଲକ୍ଷିତ ହେଉ। ବିଭୁକୃପା ଲାଭ କରି ଏ ଜୀବନ ଏକ ନୂତନ ଆଲୋକିତ ଦିଗରେ ଅଗ୍ରସର ହୋଇ, ଦିବ୍ୟତା ଲାଭ କରୁ ଓ ଆମର ବ୍ୟକ୍ତିତ୍ବର ବ୍ୟାପ୍ତିକୁ ଏହା ପ୍ରସାରିତ କରୁ ଏହା ହିଁ କାମନା।

Comments are closed.