ଚୀନ ଡ୍ରାଗନର ଯୁଦ୍ଧ ଉନ୍ମାଦ

ଶରତ ମହାପାତ୍ର

୨୦୨୦ ମେ ମାସରୁ ଭାରତ ଓ ଚୀନ ସେନା ଲାଦାଖ ସୀମାରେ ମୁହାଁମୁହିଁ ଅବସ୍ଥାରେ ରହିଥିଲାବେଳେ ୧୯୮୮ ମସିହା ପରଠାରୁ ଦୁଇ ଦେଶର ସମ୍ପର୍କ ଏବେ ସର୍ବନିମ୍ନ ସ୍ଥିତିରେ ରହିଛି। ଏଲଓସିରେ ଅଧିକ ଉତ୍ତେଜନା ସୃଷ୍ଟି ନ ନହେବା ଉଦ୍ଦେଶ୍ୟରେ କୂଟନୈତିକ ତଥା ସାମରିକ ସ୍ତରରେ ଆଲୋଚନା ମଧ୍ୟ ଜାରି ରହିଛି। ୨୦୨୧ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୁଇ ଦେଶର ସାମରିକ କମାଣ୍ଡରସ୍ତରୀୟ ବୈଠକ ୧୨ ଥର ହୋଇ ସାରିଥିଲାବେଳେ ଅକ୍ଟୋବର ମାସ ଦ୍ବିତୀୟ ସପ୍ତାହରେ ୧୩ତମ ‘କୋର- କମାଣ୍ଡର ସ୍ତରୀୟ’ ବୈଠକ ହେବାର ସମ୍ଭାବନା ଥିବାର ଜଣାଯାଏ। ଗତବର୍ଷ ଜୁନ ୧୫ ତାରିଖରେ ଗଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଦେଖାଦେଇଥିବା ଉତ୍ତେଜନା ପ୍ରଶମିତ ପାଇଁ ବହୁବାର କୂଟନୈତିକ ତଥା ସାମରିକ ସ୍ତରୀୟ ବୈଠକ ବସିଥିଲା। ଦୁଇ ଦେଶ ମଧ୍ୟରେ ସହମତି କାରଣରୁ ସୀମାରୁ ସୈନ୍ୟ ଅପସାରଣ କରିବାକୁ ସିଦ୍ଧାନ୍ତ ନିଆଯିବା ପରେ ଲାଦାଖରେ ୬ଟି ଗୁରୁତ୍ବପୂର୍ଣ୍ଣ ଘାଟିରୁ ୪ଟିରୁ ସୈନ୍ୟ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଦେପସାଙ୍ଗ ଓ ଡେମଚୌକ ବିବାଦର ସମାଧାନ ଏବେ ମଧ୍ୟ ହୋଇ ପାରିନାହିଁ।

ଚୀନ୍‌ ଗୋଟିଏ ପଟେ ଲାଦାଖ ସୀମାରେ ଶାନ୍ତି ଫେରାଇବା କଥା କହୁଥିଲାବେଳେ ଏଲଓସିରେ ଏକପାଖିଆ ଭାବେ ସ୍ଥିତାବସ୍ଥା ବଦଳାଇବାକୁ ସବୁବେଳେ ଚେଷ୍ଟିତ। ସୀମାରେ ଚୀନ୍‌ କେତେବେଳେ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରୁଛି ଅବା ଆଉ କେତେବେଳେ ସାମରିକ ଭିତ୍ତିଭୂମି ନିର୍ମାଣରେ ତତ୍ପର। ପୂର୍ବ ଲାଦାଖର ଏଲଓସିରେ ଚୀନ୍‌ ଏବେ ୫୦ ହଜାରରୁ ଊର୍ଦ୍ଧ୍ବ ସୈନ୍ୟବଳ ନିୟୋଜିତ କରି ସେମାନଙ୍କ ରହଣି ପାଇଁ ସୁବନ୍ଦୋବସ୍ତରେ ବ୍ୟସ୍ତ। ପୂର୍ବ ଲାଦାଖରେ କାରାକୋରମ ପାସ୍‌ ନିକଟବର୍ତ୍ତୀ ହଟ୍‌ସ୍ପ୍ରିଙ୍ଗସ୍‌, ଚାଙ୍ଗଲା, ତାଶିଗଙ୍ଗ, ମାନଜା, ପିୟୁ ଓ ଚିରପ ଅଞ୍ଚଳରେ ମାଇନସ୍‌ ୪୦ଡିଗ୍ରୀ ସେଲସିୟସ ତାପମାତ୍ରାରେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାକୁ ୮୪ ସଂଖ୍ୟକ ନୂତନ କ୍ୟାବିନ ନିର୍ମାଣ କରିଛି। ସେଗୁଡ଼ିକରେ ସୋଲାର ପ୍ୟାନେଲ ଦ୍ବାରା ସବୁ ସମୟରେ ଉଷ୍ମତା ରକ୍ଷା କରାଯାଇ ପାରୁଥିବାରୁ ହାଇ ଅଲଟିଚ୍ୟୁଟ୍‌ରେ ବେଶ୍‌ ଆଦୃତ। ଭିତ୍ତିଭୂମି ନିର୍ମାଣକୁ ଚୀନ୍ ଅଗ୍ରାଧିକାର ଦେଇ ଥିବାରୁ ଚୀନ ସେନା ଦୀର୍ଘକାଳ ସେଠାରେ ଆସ୍ଥାନ ଜମାଇବାକୁ ପ୍ରଚେଷ୍ଟା କରୁଥିବା ସ୍ପଷ୍ଟ ସୂଚିତ କରେ। ଲାଦାଖ ସୀମାରେ ଚୀନ୍‌ ତା’ର ସୈନ୍ୟବଳ ବଢ଼ାଇବା ସହ ଏଆରବେସ୍‌ ନିର୍ମାଣ, ଏଆର ଡିଫେନ୍ସ ୟୁନିଟ୍‌ ମୃତୟନ, ରାଡ଼ାର ତଥା ଭାରି ଯୁଦ୍ଧାସ୍ତ୍ର ଠୁଳ କରିବା ଆମ ପାଇଁ ଚିନ୍ତାର କାରଣ ପାଲଟିଛି। ୨୦୨୦ ମସିହାରେ ଭାରତୀୟ ସେନା ଚୀନ ସେନାକୁ ଚକ୍‌ମା ଦେଇ କୈଳାସ ରେଞ୍ଜର ଶିଖରକୁ କବ୍‌ଜା କରି ନେଇଥିଲା। ୬୦୦୦ ମିଟର ଉଚ୍ଚତାରେ ଏହି ଶିଖର ଅତି ଦୁର୍ଗମ ତଥା ଅତ୍ୟଧିକ ଥଣ୍ଡା। ଏଭଳି ଉଚ୍ଚତାରେ ଲଢ଼ିବା ଅତୀବ କଷ୍ଟକର। ଏବେ ଚୀନ୍‌ର ପିଏଲଏ ଏହି ଅଞ୍ଚଳକୁ ଲକ୍ଷ୍ୟରଖି ଏକ ସାମରିକ ଯୁଦ୍ଧ ଅଭ୍ୟାସ କରିଛି, ଯେଉଁଥିରେ ଗୁଳିଗୋଳା ବୋମା ବର୍ଷଣ ସହ ଡ୍ରୋନ୍‌ର ବ୍ୟବହାର ହୋଇଥିବାର ସୂଚନା ମିଳେ। ଚୀନ୍‌ର ମତିଗତିକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ସୀମାରେ ସୈନ୍ୟ ସଂଖ୍ୟା ବଢ଼ାଇବା ସହ ଯୁଦ୍ଧାସ୍ତ୍ର ନିୟୋଜିତ କରି ଭିତ୍ତିଭୂମି ନିର୍ମାଣକୁ ପ୍ରାଧାନ୍ୟ ଦେଇଛି। ଲାଦାଖରେ ଭାରତ ଆଧୁନିକ ହାଇଟେକ୍‌ ଟ୍ୟାଙ୍କ-ମାଉଣ୍ଟେନ୍‌ ସେଲ୍ଫ ପ୍ରେ​‌ାପେଲ୍ଡ ଆଟିଲାରୀ ହାୱାଇଜରସ୍‌ ‘କେ-୯-ବଜ୍ର’ ଅକ୍ଟୋବର ୨ ତାରିଖରେ ମୁତୟନ କରିଛି। ୫୦ କିମି ଦୂରତ୍ବରେ ଶତ୍ରୁର ଟାର୍ଗେଟ ଧ୍ବଂସ କରି ପାରୁଥିବା ଏହି ସ୍ବୟଂଚାଳିତ ତୋପ ହାଇ ଅଲଟିଚ୍ୟୁଟ୍‌ରେ ବେଶ୍‌ କାର୍ଯ୍ୟକ୍ଷମ। ବିସ୍ତାରବାଦୀ ଚୀନ୍‌କୁ ଉପଯୁକ୍ତ ଜବାବ ଦେବାକୁ ଭାରତୀୟ ସେନା ସବୁବେଳେ ପ୍ରସ୍ତୁତ ବୋଲି ଦୁଇଦିନିଆ ଲାଦାଖ ଗସ୍ତକାଳରେ ସେନାଧ୍ୟକ୍ଷ ଜେନେରାଲ ନରବାଣେ କହିଛନ୍ତି।

ଗୋଟିଏ ପଟେ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ କହୁଥିବା ଚୀନ୍‌ ତା’ର ହରକତ୍‌ କିନ୍ତୁୁ ବନ୍ଦ କରୁନାହିଁ। ଲାଦାଖ ପରେ ଏବେ ଉତ୍ତରାଖଣ୍ଡ ଚାମୋଲି ଜିଲାର ବାରାହୋତିର ‘ଜୁନଜୁନ-ଲା’ ଗିରିପଥ ନିକଟ ଏଲଏସି ଅତିକ୍ରମ କରି ୧୦୦ରୁ ଊର୍ଦ୍ଧ୍ବ ଚୀନ୍‌ସୈନ୍ୟ ଭାରତୀୟ ସୀମାର ୫ କି.ମି ଭିତରକୁ ଅନୁପ୍ରବେଶ କରି ପ୍ରାୟ ୩ଘଣ୍ଟା ରହଣିକାଳରେ କେତେକ ନିର୍ମାଣକାର୍ଯ୍ୟକୁ ଭାଙ୍ଗି ଦେଇଛନ୍ତି। ଅତୀତରେ ଚୀନ ଏହି ଅଞ୍ଚଳ ସହ ରିମ୍‌ଖିମ ଅଞ୍ଚଳ ତା’ର ବୋଲି ଦାବି କରିଆସୁଛି। ବାରାରୋତି ଠାରୁ ୭୦ କି.ମି. ଦୂରତ୍ବରେ ଚୀନ୍‌ ତା’ର ସାମରିକ ଘାଟି ଓ ଭିତ୍ତିଭୂମି ବିକାଶ କରୁଥିବାର ସୂଚନା ମିଳେ। ଗୁଇନ୍ଦା ସୂତ୍ରରୁ ଜଣାଯାଏ, ଚୀନ୍‌ର ପିଏଲଏ ‘କିଓଧୁରା ଗିରିପଥ’ରେ ସର୍ଭାଇଲେନ୍ସ ଇକ୍ବିପମେଣ୍ଟ ଓ ଲଙ୍ଗରେଞ୍ଜ୍‌ କ୍ୟାମେରା ସ୍ଥାପନ କରିବା ସହ ସୋଲାର ପ୍ୟାନେଲ ନିର୍ମାଣ କରିଛି। ଚୀନ ତା’ର ‘ତିବ୍‌ବତ ମିଲିଟାରୀ ରିଜିଅନ’ରୁ ସୈନ୍ୟଙ୍କୁ ଆଣି ଉତ୍ତରାଖଣ୍ଡ ସନ୍ନିକଟବର୍ତ୍ତୀ ସୀମାରେ ମୁତୟନ କରୁଥିବାର ଖବର ଆମ ପାଇଁ ଅଧିକ ଗୁରୁତ୍ବ ବହନ କରେ। ସେଥିପାଇଁ ଅଧିକ ସତର୍କତା ଜରୁରୀ।

ପଡ଼ୋଶୀ ପାକିସ୍ତାନର ଭାରତ ବିରୋଧୀ ନୀତି କାରଣରୁ ଦୁଇ ଦେଶ ସମ୍ପର୍କରେ ତିକ୍ତତା ଦେଖା ଦେଇଥିଲାବେଳେ ଚୀନ୍‌ ପାକିସ୍ତାନକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଖୁବ୍‌ ତତ୍ପର। ଚୀନ୍‌ ଆର୍ମିର ପଶ୍ଚିମ କମାଣ୍ଡ ଭାରତର ଲାଦାଖ-ସୀମା ଅଞ୍ଚଳ ଉପରେ ନଜର ରଖିଥାଏ। ଚୀନ୍‌ ପିଏଲଓର ପଶ୍ଚିମ-ଥିଏଟର କମାଣ୍ଡର ନୂତନ ମୁଖ୍ୟ ୱାଙ୍ଗ୍‌ ହାଇଜିଆଙ୍ଗ ଗତ ମାସରେ ନିଯୁକ୍ତ ହେବାପରେ ବନ୍ଧୁତ୍ବର ନିଦର୍ଶନ ସ୍ବରୂପ ପାକିସ୍ତାନ ଆର୍ମିର କ​‌େ​‌ର୍ଣ୍ଣଲ Ñଙ୍କର କେତେକ ଅଫିସରଙ୍କୁ ଚୀନ୍‌ ତା’ର ଯୁଦ୍ଧ-ତାଲିମ ଓ ସାମରିକ ରଣନୀତି ପ୍ରସ୍ତୁତ କରାଯାଉଥିବା ‘ସେଣ୍ଟ୍ରାଲ ମିଲିଟାରୀ- କମିସନ୍‌’ରେ ନିଯୁକ୍ତ କରିଛି। ଚୀନ୍‌ର ପ୍ରରୋଚନାରେ ପାକିସ୍ତାନ ଏଲଓସି ନିକଟ ପିଓକେର ବନ୍ଦ ଥିବା ଦୁଇଟି ବିମାନ ଘାଟିକୁ ପୁଣି ଖୋଲିଛି। ଏହି ବିମାନ ଘାଟିରୁ ପାକିସ୍ତାନ କମ୍ବାଟ୍‌ ଏଆରକ୍ରାଫ୍ଟ ଉଡ଼ାଣ କରିପାରୁ ଥିବାରୁ ଚୀନ୍‌ ପରାମର୍ଶରେ ସେଗୁଡ଼ିକୁ ମୁତୟନ କରିବାକୁ ପାକିସ୍ତାନ ଏବେ ତତ୍ପର ହୋଇଉଠିଛି। ନେପାଳ, ଭୁଟାନ, ଲାଦାଖ, ସିକିମ ଓ ଅରୁଣାଚଳ ପ୍ରଦେଶକୁ କରାୟତ୍ତ କରି ଭାରତକୁ ଦୃଢ଼ ଜବାବ ଦେବାକୁ ଚୀନ୍‌ର ଲକ୍ଷ୍ୟ। ଜିନପିଙ୍ଗ୍‌ ହେଉଛନ୍ତି ଚୀନ୍‌ର ପ୍ରଥମ ନେତା ଯିଏକି ଭାରତ ସୀମା ସଂଲଗ୍ନ ତିବ୍‌ବତ ଅଞ୍ଚଳକୁ ନିକଟରେ ଗସ୍ତ କରିଛନ୍ତି। ତିବ୍‌ବତର ଲାସାରୁ ନେପାଳର ରାଜଧାନୀ କାଠମାଣ୍ଡୁ ପର୍ଯ୍ୟନ୍ତ ୧୭୦୦ କି.ମି. ଦୀର୍ଘ ରେଳପଥ ନିର୍ମାଣରେ ଚୀନ୍‌ ଏବେ ବ୍ୟସ୍ତ ଯାହାକି ସାମରିକ ଦୃଷ୍ଟିରୁ ଭାରତ ପାଇଁ ଖୁବ୍‌ ଗୁୁରୁତ୍ବ ବହନ କରେ।

ଚୀନ୍‌ ଏଭଳି ସ୍ଥିତି ସୃଷ୍ଟି କରୁଛି କାହିଁକି? ୨୦୨୧ ଅଗଷ୍ଟ ୧ ତାରିଖରେ ଚୀନ୍‌ ତା’ର ପିପୁଲ୍‌ସ ଲିବେରେସନ ଆର୍ମିର ପ୍ରତିଷ୍ଠା ଦିବସରେ ୨୦୪୯ ସୁଦ୍ଧା ‘ବିଶ୍ବସ୍ତରୀୟ-ସେନା’ ହେବାକୁ ଲକ୍ଷ୍ୟ ରଖିଥିବା ଘୋଷଣା କରିଛି। ଚୀନ୍‌ ତା’ର ‘ଡିଫେନ୍ସ-ହ୍ବାଇଟ୍‌-ପେପର’ରେ ‘ଇନ୍‌ଫରମେସନ ୱାର ଫେଆର’, ଇଲେକ୍‌ଟ୍ରୋନିକ୍ସ କାଉଣ୍ଟର ମେଜର୍ସ, ସାଇବର ଆଟାକ୍‌, ସାଇକ୍ଲୋଜିକାଲ ୱାରଫେଆର-ମିଶନ ଜରିଆରେ ନିଜକୁ ବିଶ୍ବର ସର୍ବଶ୍ରେଷ୍ଠ ହେବାକୁ ଦର୍ଶାଇଛି। ଭାରତର ଏରୋସ୍ପେସ, ଡିଫେନ୍ସ ଓ ଟେଲିକମ୍‌ ଉପରେ ଚୀନ୍‌ର ଗୁପ୍ତ ଅନୁଷ୍ଠାନ ‘ରେଡ଼ ଫକ୍ସଟ୍ରଟ ଗ୍ରୁପ୍‌’ ସବୁବେଳେ ନଜର ରଖିଥିବାର ସୂଚନା ମିଳେ। ନିକଟରେ ଭାରତ ଉପରେ ହୋଇଥିବା ସାଇବର ଆକ୍ରମଣରେ ମୁମ୍ବଇର ପାୱାର-ସପ୍ଲାଇ ଉପରେ ଦେଖାଦେଇ ଥିବା ବିପତ୍ତି ଚୀନ୍‌ ଦ୍ବାରା ସୃଷ୍ଟ ହୋଇଥିବାର ସନ୍ଦେହ ପ୍ରକାଶ ପାଇଥିଲା।

ଚୀନ୍‌ ନିଜକୁ ବିଶ୍ବର ସର୍ବେସର୍ବା ମନେ କରୁଛି। ଚୀନ୍‌ର ମନଇଚ୍ଛା କାର୍ଯ୍ୟକଳାପକୁ ଭାରତର ବର୍ତ୍ତମାନର ସରକାର ଦୃଢ଼ ବିରୋଧ ପ୍ରକଟ କାରଣରୁ ଚୀନ୍‌ ଏବେ ବିବ୍ରତ। ଗଲୱାନରେ ଭାରତୀୟ ସୈନ୍ୟଙ୍କ ପ୍ରତିରୋଧକୁ ଚୀନ୍‌ ଆଦୌ ଆକଳନ କରି ପାରି ନଥିଲା। ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ରାଷ୍ଟ୍ରସମୂହ ଦ୍ବାରା ଗଠିତ ‘କ୍ବାଡ୍‌’ରେ ଭାରତର ଭାଗିଦାରିତାକୁ ଚୀନ୍‌ ଗ୍ରହଣ କରିପାରୁ ନାହିଁ। ୨୦୨୧ ସେପ୍ଟେମ୍ବର ୨୪ ତାରିଖରେ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ସୀମାନ୍ତରେ ଅଶାନ୍ତି ପାଇଁ ଭାରତକୁ ଦାୟୀ କରିଥିଲାବେଳେ ଏଲଏସିର ସ୍ଥିତି ବଦଳାଇବାକୁ ତା’ ଏକତରଫା ନିଷ୍ପତ୍ତି ସମ୍ପର୍କରେ ଗୋଟିଏ ଶବ୍ଦ ମଧ୍ୟ ଉଚ୍ଚାରଣ କରିନାହିଁ। ଦୀର୍ଘ ତିନି ଦଶନ୍ଧି ଧରି ଭାରତ-ଚୀନ ସୀମାରେ ଗୁଳି ଫୁଟି ନ ଥିଲେ ମଧ୍ୟ ଏବେ ପ୍ରତ୍ୟେକ ସ୍ଥଳରେ ଚୀନ୍‌ ତା’ର ‘ଗୋଲ-ପୋଷ୍ଟ’ ବଦଳାଇବାରେ ବ୍ୟସ୍ତ ଥିବା କାରଣରୁ ସୀମାରେ ଆଶାଜନକ ସ୍ଥିତି ସ୍ଥାପନରେ ବାଧା ସୃଷ୍ଟି ହେଉଛି ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟର ବିକ୍ରମ ମିଶ୍ରି ଦୃଢ଼ ଉତ୍ତର ରଖିଛନ୍ତି।

ଚୀନ ଏକ ଅବିଶ୍ବସନୀୟ ପଡ଼ୋଶୀ ରାଷ୍ଟ୍ର- ଯାହା ଉପରେ ଆଦୌ ଭରସା କରାଯାଇ ନ ପାରେ। ଚୀନ ଏବେ ସୀମାବର୍ତ୍ତୀ ଅଞ୍ଚଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ପିଏଲଓ ସୈନିକଙ୍କ ମୁତୟନ ସହ ଯୁଦ୍ଧ-ଉନ୍ମାଦ ସୃଷ୍ଟି କରିବାର ଅପଚେଷ୍ଟା ଜାରି ରଖିଛି। ଯେ ପର୍ଯ୍ୟନ୍ତ ଚୀନ୍‌ ସମାଧାନ ପାଇଁ ଆନ୍ତରିକତାର ସହ ପଦକ୍ଷେପ ନ ନେଇଛି, ସୀମାରେ ଶାନ୍ତି ଫେରିବା କଷ୍ଟକର। ଚୀନ୍‌ର ପ୍ରତ୍ୟେକ ଚାଲ୍‌ ପ୍ରତି ଦୃଷ୍ଟିରଖି ଭାରତ ନିଜକୁ ଅଧିକ ଶକ୍ତିଶାଳୀ ହେବାସହ ରଣନୀତି ବଦଳାଇ ପଦକ୍ଷେପ ନେବା ବର୍ତ୍ତମାନ ସମୟର ଆବଶ୍ୟକତା।

Comments
Loading...