ପରାଧୀନ ଭାରତର ସ୍ବାଧୀନ ଜନନେତା

ବିଶ୍ବଭୂଷଣ ହରିଚନ୍ଦନ, ରାଜ୍ୟପାଳ, ଆନ୍ଧ୍ରପ୍ରଦେଶ

“ପରାଧୀନ ଭାରତର ସ୍ୱାଧୀନ ଜନନେତା।” ଏ କଥାଟା ବଡ଼ ଅସଙ୍ଗତ ଓ ଅସମ୍ଭବ ଜଣାଯାଉଛି। ଦେଶରେ ସେତେବେଳେ ପ୍ରବଳ ପ୍ରତାପୀ ଇଂରେଜମାନଙ୍କ ଶାସନ ଚାଲିଥିଲା। ଆମ ଜନ୍ମଭୂମି ଭାରତବର୍ଷ ହରାଇ ବସିଥିଲା ତା’ର ସ୍ୱାଧୀନତା। ପରାଧୀନତାର ଗ୍ଲାନି ଓ ଅପମାନରେ ଆମେ ଜର୍ଜରିତ ହୋଇ ଯାଇଥିଲୁ ଭାରତବାସୀ। ମହାତ୍ମା ଗାନ୍ଧୀଙ୍କ ଡାକରାରେ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀ ରାଜ ରାସ୍ତାକୁ ଓହ୍ଲାଇ ଆସିଥାନ୍ତି ସ୍ୱାଧୀନତା ସଂଗ୍ରାମର ନିଆଁରେ ଝାସ ଦେବା ପାଇଁ। ବ୍ରିଟିଶ ପୁଲିସର ଲାଠି ଓ ଗୁଳିକୁ ଖାତିର ନଥାଏ। ‘ବନ୍ଦେ ମାତରମ୍‍’ ଓ ‘ଭାରତ ମାତା କୀ ଜୟ’ ଧ୍ୱନିରେ ସାରା ଦେଶ ଆକୁମାରୀ ହିମାଚଳ ପ୍ରକମ୍ପିତ ହେଉଥାଏ। ସାଧାରଣ ଜନତା ତ୍ରସ୍ତ ଶଙ୍କିତ ହୋଇ ରହିଥାନ୍ତି। ଇଂରେଜମାନଙ୍କ ଶାସନର ଆତଙ୍କରାଜ ଭିତରେ, ପରାଧୀନ ଭାରତରେ ଏ ସ୍ୱାଧୀନ ଜନନେତା କିଏ? ସେ ଜଣେ ସାଧାରଣ ମଣିଷ ନୁହନ୍ତି, ଜଣେ ଅସାଧାରଣ ମଣିଷ; ଯାହାର ଦରଦୀ ଛାତି ତଳେ ଦେଶ ପାଇଁ, ସାଧାରଣ ମଣିଷ ପାଇଁ ଭରି ରହିଥିଲା କେବଳ ବ୍ୟଥା ଓ ବେଦନା ନୁହେଁ; ତା’ ସହିତ ଥିଲା ଦେଶକୁ ମୁକ୍ତ କରିବା ପାଇଁ ବିପ୍ଳବର ଅଗ୍ନିଶିଖା। ସେ ହେଉଛନ୍ତି ବିଶିଷ୍ଟ ଜନନାୟକ, ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ, ଉତ୍କଳର ବରପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ।

ଯେଉଁ ବ୍ୟକ୍ତି ଦୃଢ଼ କଣ୍ଠରେ କହି ପାରୁଥିଲେ ସ୍ୱାଧୀନତା ମଣିଷର ଜନ୍ମଗତ ଅଧିକାର, ଇଂରେଜ ଶାସନର ଆଇନକୁ, ତାର ଶାସନ ଓ ଶାସନ ବ୍ୟବସ୍ଥାକୁ ଯିଏ ସ୍ୱୀକାର କରୁନଥିଲେ, ସେ ମହାନ ବିପ୍ଳବୀଙ୍କୁ ଆମେ କଣ ପରାଧୀନ କହିପାରିବା! ଯେଉଁମାନେ ଏ କଥା ଶୁଣି ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ଓ ଭ୍ରୂକୁଞ୍ଚନ କରୁଛନ୍ତି ସେମାନଙ୍କୁ ସେ ସମୟର ଗୋଟିଏ ବିଶେଷ ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ଏହା ଥିଲା ୧୯୨୧ ମସିହା ଅଗଷ୍ଟ ୧୩ ତାରିଖରେ ସାପ୍ତାହିକ ‘ସମାଜ’ର “ସତ୍ୟ ହୋଇଥିଲେ ସାଂଘାତିକ” ଶିରୋନାମାରେ ଏକ ଖବର ଯାହାକୁ ନିଜ ମନ୍ତବ୍ୟ ସହିତ ଗୋପବନ୍ଧୁ ପ୍ରକାଶ କରିଥିଲେ। ଖବରଟି ହେଉଛି ଖୋରଧା ଜିଲା ବେଗୁନିଆର ଜଣେ ବାଳକ ତା ଭଉଣୀକୁ ନେଇ ତାର ଶାଶୂଘରେ ଛାଡ଼ିବାକୁ ଯାଉଥିଲା। ସେଇ ଯୁବତୀଙ୍କୁ ଦୁଇଜଣ କନଷ୍ଟେବଳ ଜୋର ଜବରଦସ୍ତ ନେଇ ଗୋଟିଏ ଘର ଭିତରେ ବନ୍ଦକରି ତାଲା ପକାଇ ରଖିଲେ। ଯୁବତୀଟି ନିଜ ଶାଢ଼ିରେ ଦଉଡ଼ିଦେଇ ପ୍ରାଣ ହରାଇ ଦେଇଥିଲା।

ଏ ଚାଞ୍ଚଲ୍ୟକର ସମ୍ବାଦ ସେତେବେଳେ ନିଶ୍ଚିତ ଭାବରେ ଚାରିଆଡ଼େ ଚହଳ ପକାଇ ଦେଇଥିବ। ଏ ଖବରର ସତ୍ୟାସତ୍ୟ ଜାଣିବା ପରେ ପୁଣି ୨୮.୧୦.୨୧ ତାରିଖରେ ଏ ସମ୍ବାଦ ଜନରବ ଉପରେ ଆଧାରିତ ଥିଲା ବୋଲି ସ୍ୱୀକାର କରି ଗୋପବନ୍ଧୁ ଏହାର ସ୍ପଷ୍ଟୀକରଣ ଦେଇ ଦୁଃଖପ୍ରକାଶ କଲେ। ଏତିକିରେ ଏହାର ପରିସମାପ୍ତି ଘଟିବା କଥା। କାରଣ ସେ ୨୧ ତାରିଖର ଖବରର ଶିରୋନାମା ଥିଲା “ସତ୍ୟ ହୋଇଥିଲେ ସାଂଘାତିକ”। ତାର ଅର୍ଥ ହେଉଛି, ଗୋପବନ୍ଧୁ ଏହାକୁ ଏକ ସତ୍ୟ ସମ୍ବାଦ କହି ପ୍ରକାଶ କରିନଥିଲେ। ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ଏହାର ସ୍ପଷ୍ଟୀକରଣ ଦିଆଯାଇଥିଲା। ଜନସାଧାରଣ ସିନା ଜାଣିଲେ ତାଙ୍କର ପ୍ରିୟନେତା ଗୋପବନ୍ଧୁଙ୍କର ଏଥିରେ କିଛି ଦୋଷ ନାହିଁ, କିନ୍ତୁ ଇଂରେଜ ଶାସକ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟିକଲା। ଯେଉଁ ଗୋପବନ୍ଧୁ ଉତ୍କଳ ମାଟିରେ ସ୍ୱାଧୀନତା ସଂଗ୍ରାମର ଥିଲେ ପ୍ରମୁଖ ନେତା ଓ ସେତେବେଳେ ଅସହଯୋଗ ଆନ୍ଦୋଳନର ନେତୃତ୍ୱ ନେଇ ଜନଜାଗରଣ କରି ଚାଲିଥିଲେ ତାଙ୍କୁ ଦମନ କରିବା ପାଇଁ, ଏତେ ବଡ଼ ସୁଯୋଗକୁ ସେମାନେ ହାତଛଡ଼ା କରନ୍ତେ କିପରି?

ତତ୍‍କାଳୀନ ପୁରୀ ଜିଲା ପୁଲିସ୍‍ ସୁପରିଟେଣ୍ଡେଣ୍ଟ ଗାଇସ୍‍ ସାହେବ ବେଗୁନିଆ ଥାନାର ପୁଲିସ୍‍ କନ‌େଷ୍ଟବଳ ଓ ଆଉ କେତେଜଣକୁ ମତାଇ ‘ସମାଜ’ର ମୁଦ୍ରାକର ସଂପାଦକ ଓ ପ୍ରକାଶକଙ୍କ ବିରୁଦ୍ଧରେ ଫଉଜଦାରୀ ଦଣ୍ଡବିଧି ଆଇନ୍‍ର ୫୦୦ ଦଫାରେ ମାନହାନି ମୋକଦ୍ଦମା ଖୋର୍ଦ୍ଧା ଏସ୍‍.ଡି.ଓ. କୋର୍ଟରେ ଦାୟର କଲେ। ଏ ମାମଲା ଖୋର୍ଦ୍ଧାର ଦ୍ୱିତୀୟ ଅଫିସର ମାଜିଷ୍ଟ୍ରେଟ ସୁରେଶ ଚନ୍ଦ୍ର ବୋଷଙ୍କ ଅଦାଲତରେ ୮/୧୧/୨୧ ତାରିଖରେ ଆରମ୍ଭ ହେଲା। ତାଙ୍କର ପ୍ରିୟ ନେତା ଗୋପବନ୍ଧୁଙ୍କର କଚେରିରେ ବିଚାର ହେଉଥିବା ଖବର ପାଇ ହଜାର ହଜାର ଲୋକ ଆସି ଖୋର୍ଦ୍ଧାରେ ପହଞ୍ଚିଗଲେ। ମୁଦେଇଙ୍କ ତରଫରୁ ପୁରୀର କୋର୍ଟ ଇନ୍ସପେକ୍ଟର ମୋକଦ୍ଦମା ଚଳାଇଥିଲେ। ଗୋପବନ୍ଧୁ ଅସହଯୋଗ ଆନ୍ଦୋଳନର ପ୍ରମୁଖ ନେତା ଥିବାରୁ ଓ ଇଂରେଜ ଶାସନ ଓ ତା’ର ବ୍ୟବସ୍ଥାକୁ ସ୍ୱାକାର କରୁ ନଥିବାରୁ ଏଥିରେ ସେ ଅସହଯୋଗ କଲେ। ନିଜ ତରଫରୁ କୌଣସି ଓକିଲ ଦେଲେ ନାହିଁ ଓ ନିଜେ ସାକ୍ଷୀମାନଙ୍କୁ ଜେରା କରିବାକୁ ମନାକଲେ। ଏହା ପରେ ଏ ମୋକଦ୍ଦମାକୁ ୯/୧୧/୨୧ ତାରିଖକୁ ମହଲତ ରଖାଗଲା।

ମାଜିଷ୍ଟ୍ରେଟ୍‍ ଜାମିନରେ ଯିବା ପାଇଁ ପଚାରିବାରୁ ଗୋପବନ୍ଧୁ କହିଲେ, “ମୁଁ ଜଣେ ଅସହଯୋଗୀ। ଯଦି ମୋ କଥା ଉପରେ ଓ ମୋର ସ୍ପଷ୍ଟୀକରଣରେ ଆପଣଙ୍କର ବିଶ୍ୱାସ ଥାଏ, ବିଚାରର ଏ ପ୍ରହସନକୁ ଏତିକିରେ ସମାପ୍ତ କରି ମୋତେ ଯିବାକୁ ଦିଅନ୍ତୁ। ତା ନହେଲେ ମୋତେ ଜେଲ୍‍ ହାଜତକୁ ପଠାଇ ଦିଅନ୍ତୁ।” ଜାମିନରେ ଯିବାକୁ ମନା କରିବାରୁ ମାଜିଷ୍ଟ୍ରେଟ୍‍ ଗୋପବନ୍ଧୁଙ୍କୁ ଜେଲ୍‍ ହାଜତକୁ ପଠାଇଦେଲେ। ହଜାର ହଜାର ଲୋକଙ୍କ ଗହଣରେ ବିପୁଳ ଜୟଧ୍ୱନି ଭିତରେ ହାଜତକୁ ଚାଲିଲେ ଗୋପବନ୍ଧୁ। ଏବେ କହନ୍ତୁ ତ ଦେଖି, ଯେଉଁ ମହାନ ବ୍ୟକ୍ତି ଇଂରେଜ ଶାସନ କାଳରେ ପରାଧୀନ ଦେଶରେ ଇଂରେଜ ଶାସନ ଓ ତା’ର ଶାସନତାନ୍ତ୍ରିକ ଓ ନ୍ୟାୟିକ ବ୍ୟବସ୍ଥାକୁ ସ୍ୱୀକାର ନକରି ତା ସହିତ ସଂପୂର୍ଣ୍ଣ ଅସହଯୋଗ କରୁଥିଲେ ଓ ହସି ହସି ଜେଲ୍‍ ଯାଉଥିଲେ, ସେ କ’ଣ ପରାଧୀନ! ସେ ଯଦି ପରାଧୀନ, ତେବେ ସ୍ୱାଧୀନ ଆଉ କିଏ?

ଗୋପବନ୍ଧୁଙ୍କ ଭଳି ଜଣେ ମହାନ ବିପ୍ଳବୀ, ଉତ୍କଳର ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ନେତାଙ୍କୁ ଦମନ କରିବା ପାଇଁ ଓ ତାଙ୍କର ପ୍ରତିଷ୍ଠିତ ସାପ୍ତାହିକ ‘ସମାଜ’, ଯାହା ସ୍ୱାଧୀନତା ସଂଗ୍ରାମର ମୁଖପତ୍ର ଥିଲା ତାକୁ ବନ୍ଦ କରିଦେବା ପାଇଁ ଏ ଥିଲା ଏକ ବିରାଟ ଷଡ଼ଯନ୍ତ୍ର। କୋର୍ଟରେ ବିଚାର ପାଇଁ ତାରିଖ ପଡ଼ିଲା ଦିନ ଦେଖାଗଲା ଯେ ହଜାର ହଜାର ଲୋକ ଗୋପବନ୍ଧୁଙ୍କୁ ଫୁଲମାଳରେ ପୋତି ପକାଇ ତାଙ୍କର ଜୟ ଜୟକାର କରିବା ସହିତ ଭାରତ ମାତା କୀ ଜୟ ଧ୍ୱନିରେ ଆକାଶ ପବନକୁ ପ୍ରକମ୍ପିତ କରି ତାଙ୍କୁ ଜେଲ୍‍ ହାଜତରୁ ଆଣୁଛନ୍ତି ଓ କଚେରି ବିଚାର ସରିବା ପରେ ଖୋର୍ଦ୍ଧା ସବ୍‍ଜେଲ୍‍କୁ ନେଉଛନ୍ତି। କି ବିଚିତ୍ରକର୍ମା ଅଦ୍ଭୁତ ମଣିଷ ଏ ଗୋପବନ୍ଧୁ! ଜେଲ୍‍ ଯନ୍ତ୍ରଣା ପାଇଁ ତିଳେ ହେଲେ ଦୁଃଖ ନାହିଁ। ହସି ହସି ବିପୁଳ ଜନତାଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ଜେଲ୍‍ଖାନାରୁ କଚେରି ଓ ସେଠାରୁ ପୁଣି ଜେଲ୍‍ ହାଜତକୁ ଫେରୁଛନ୍ତି।

ବିଚାର ତ ଥିଲା ଏକ ପ୍ରହସନ। କୌଣସିମତେ ଗୋପବନ୍ଧୁଙ୍କୁ ଜବତ କରିବା ପାଇଁ ଏ ଥିଲା ଏକ ସୁଚିନ୍ତିତ ଯୋଜନା। ସରକାର ଯେତେ ସାକ୍ଷୀ ସବୁ ଦେଲେ ଗୋପବନ୍ଧୁ ଓ ‘ସମାଜ’ ବିରୁଦ୍ଧରେ କହିବାକୁ ସମସ୍ତେ କାଠଗଡ଼ାରେ ଠିଆ ହୋଇ ବିଚଳିତ ହୋଇପଡ଼ିଲେ ଓ ଗୋପବନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କଲା ଭଳି କୌଣସି ବୟାନ ଦେବାକୁ ପଛଘୁଞ୍ଚା ଦେଲେ। ସେମାନଙ୍କୁ ଜେରା କରିବାକୁ ଗୋପବନ୍ଧୁଙ୍କ ତରଫରୁ କୌଣସି ଓକିଲ ନ ଦେବା ସତ୍ତ୍ବେ ଏ ଥିଲା ସେତେବେଳେ ଅଦାଲତ ଭିତରର ଦୃଶ୍ୟ। ଶେଷରେ ୨୧/୧୧/୧୯୨୧ ମସିହା ଦିନ ରାୟ ଦେବାର ତାରିଖ ପଡ଼ିଲା। ଖୋର୍ଦ୍ଧା ଲୋକାରଣ୍ୟ ହୋଇଗଲା। ରାୟ ଶୁଣାଇବାର ସମୟ ଆସିଲା। ଗଭୀର ଉତ୍‍କଣ୍ଠାର ସହ ଜନସାଧାରଣ ଅପେକ୍ଷା କରିଥାନ୍ତି, ମଝିରେ ମଝିରେ ଯେତେବେଳେ ଉତ୍ତେଜିତ ଜନତା ଚିତ୍କାର କରି ଉଠନ୍ତି ଗୋପବନ୍ଧୁ ହାତଯୋଡ଼ି ସମସ୍ତଙ୍କୁ ନୀରବ ରହିବାକୁ ନିବେଦନ କରନ୍ତି, “ଅହିଂସାର ଅସ୍ତ୍ର ନେଇକରି ଆମେ ଲଢ଼ୁଛେ ଭାଇମାନେ। ଆମେ ଅସହଯୋଗ ଆନ୍ଦୋଳନ କରୁଛେ। କୌଣସି ପ୍ରକାର ହିଂସାକାଣ୍ଡ କଲେ ମୋ ଆତ୍ମାକୁ ବାଧିବ।” ଏତିକିରେ ଜନତା ଶାନ୍ତ ଓ ନୀରବ ହୋଇ ରାୟ ଶୁଣିବାକୁ ଅପେକ୍ଷା କଲେ। ଗୋପବନ୍ଧୁଙ୍କୁ ଦଣ୍ଡିତ କଲେ କଚେରି ପରିସର ଓ ତା ବାହାରେ ରୁଣ୍ଡ ହୋଇଥିବା ହଜାର ହଜାର କ୍ରୁଦ୍ଧ ଜନତା ଯେ କି ଭୟଙ୍କର ଲଙ୍କାକାଣ୍ଡ ଭିଆଇବେ ସେଇ ଆଶଙ୍କାରେ ଇଂରେଜ ପ୍ରଶାସନ ଆତଙ୍କିତ ଅବସ୍ଥାରେ ଥାଏ। ମାଜିଷ୍ଟ୍ରେଟ ଶ୍ରୀ ବୋଷ ଆସି ଅତି ଗମ୍ଭୀର ହୋଇ ତାଙ୍କ ଆସନରେ ବସିଲେ।

ଏଠାରେ ଆହୁରି ଏକ ଉଲ୍ଲେଖଯୋଗ୍ୟ ଘଟଣାକୁ ପ୍ରକାଶ କରିବା ବୋଧେ ନିହାତି ପ୍ରାସଙ୍ଗିକ ହେବ। ଏ ମୋକଦ୍ଦମାରେ ଗୋପବନ୍ଧୁ ଥିଲେ ଏକ ଫୌଜଦାରୀ ମାମଲାର ଆସାମୀ। ଏ ଆସାମୀମାନେ ବିଚାରର ସବୁ ସମୟ ଆସାମୀମାନଙ୍କ ପାଇଁ ଉଦ୍ଦିଷ୍ଟ କାଠଗଡ଼ା ଭିତରେ ଠିଆ ହୋଇ ରହନ୍ତି। ଲକ୍ଷ ଜନତାର ପ୍ରିୟ ନେତା ଗୋପବନ୍ଧୁଙ୍କ ପ୍ରତି କ’ଣ ଏହିଭଳି ହୀନ ବ୍ୟବହାର କରାଯାଇଥିଲା! ନା, କାଠଗଡ଼ା ଭିତରେ ସମ୍ମାନ ସହକାରେ ବସିବାକୁ ତାଙ୍କୁ ଗୋଟିଏ ଚୌକି ଯୋଗାଇ ଦିଆଯାଉଥିଲା। ମାଜିଷ୍ଟ୍ରେଟ୍‍ ଅଦାଲତରେ ତାଙ୍କ ଆସନରେ ବସିବା ପରେ ଗୋପବନ୍ଧୁଙ୍କୁ ବସିବା ପାଇଁ ଇସାରା ଦେଲେ। ଗୋପବନ୍ଧୁ ବସିଲେ ଓ ମାଜିଷ୍ଟ୍ରେଟ୍‍ ଶ୍ରୀ ବୋଷ ତାଙ୍କର ରାୟ ପଢ଼ିବାକୁ ଆରମ୍ଭ କରବା ମାତ୍ରେ ଗୋପବନ୍ଧୁ କହିଲେ, “ସଂପୂର୍ଣ୍ଣ ରାୟକୁ ପଢ଼ିବାର ଆବଶ୍ୟକତା ନାହିଁ, ଆପଣ ମୋତେ କି ଦଣ୍ଡ ଦେଇଛନ୍ତି ସେତିକି ଘୋଷଣା କରିଦେଲେ ଯଥେଷ୍ଟ ହେବ।” କାରଣ କେବଳ ଗୋପବନ୍ଧୁ ନୁହନ୍ତି ସମଗ୍ର ଜନତା ଜାଣିଥିଲେ ଯେ ଇଂରେଜ ଶାସନ କାଳରେ ତାଙ୍କର ପ୍ରିୟ ନେତାଙ୍କୁ ଦଣ୍ଡ ତ ନିଶ୍ଚୟ ମିଳିବ, ତେବେ କେତେ କାଳ କାରାକୋଠରି ଭିତରେ ସେ ବନ୍ଦୀ ହୋଇ ରହିବେ ସେଇ କଥା ବିଚାରପତିଙ୍କ ମୁହଁରୁ ଶୁଣିବାକୁ ସେମାନେ ଅପେକ୍ଷା କରିଥିଲେ। ‘ଗୋପବନ୍ଧୁ ନିର୍ଦୋଷରେ ଖଲାସ’ ବୋଲି ରାୟ ଘୋଷଣା କରି ତାଙ୍କ ଉଦ୍ଦେଶ୍ୟରେ ନମସ୍କାର କରି ବିଚାରାଳୟରୁ ଉଠିଲେ ମାଜିଷ୍ଟ୍ରେଟ୍‍। ଗୋପବନ୍ଧୁ ପ୍ରତିନମସ୍କାର କରି ଚକିତ ବିସ୍ଫାରିତ ନେତ୍ରରେ ଏ ସ୍ୱାଧୀନଚେତା, ଦେଶପ୍ରେମୀ ବିଚାରପତି, ଯେ ଇଂରେଜ ଶାସନର ସମସ୍ତ ଚାପ ସତ୍ତ୍ବେ ଏ ଭଳି ଐତିହାସିକ ରାୟ ଦେଲେ ତାଙ୍କ ମୁହଁକୁ ଚାହିଁ ରହିଲେ। ତେବେ କିଏ ଏ ଦେଶପ୍ରାଣ ଦୃଢ଼ମନା ଓ ବିଚାରବନ୍ତ ବିଚାରପତି? ସେ ଆଉ କେହି ନୁହନ୍ତି ଏ ଦେଶମାତୃକାର ଅନ୍ୟତମ ସୁଯୋଗ୍ୟ ସନ୍ତାନ, କୋଟି ଜନତାର ହୃଦୟର ସମ୍ରାଟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବଡ଼ଭାଇ ସୁରେଶ ଚନ୍ଦ୍ର ବୋଷ। ଏହା ପରେ ସୁରେଶ ବାବୁ ତାଙ୍କ ଚାକିରିରୁ ଇସ୍ତଫା ଦେଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଲେ।

ଜନତାର ପ୍ରିୟ ନେତା ଗୋପବନ୍ଧୁ ନିର୍ଦୋଷରେ ଖଲାସ ହେବା ଶୁଣି କଚେରି ପରିସର ଓ ବାହାର ପଡ଼ିଆରେ ରୁଣ୍ଡ ହୋଇଥିବା ହଜାରହଜାର ଜନତା ଗୋପବନ୍ଧୁଙ୍କର ଜୟ ଜୟକାର କରିବା ସହିତ ଭାରତ ମାତା କୀ ଜୟ, ମହାତ୍ମା ଗାନ୍ଧୀ କୀ ଜୟ ଧ୍ୱନିରେ ସମଗ୍ର ବାତାବରଣକୁ ପ୍ରକମ୍ପିତ କରିଦେଲେ। ଗୋବବନ୍ଧୁଙ୍କୁ ଫୁଲମାଳରେ ପୋତିପକାଇଲେ। ହରିବୋଲ, ହୁଳହୁଳି ଧ୍ୱନିରେ ସମଗ୍ର ବାତାବରଣ ଉଛୁଳି ପଡ଼ିଲା। ଏ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ, ଉତ୍କଳର ଜନମାନସର ମହାନ ନେତା, ଜନନାୟକ, ଇଂରେଜ ଶାସନ ଓ ବ୍ୟବସ୍ଥାକୁ ସ୍ୱୀକାର ନ କରି, ତା ସହିତ ଅସହଯୋଗ କରୁଥିବା ପରାଧୀନ ଭାରତର ସ୍ୱାଧୀନ ଜନନେତା।

Comments are closed.