ଅନ୍ୟକୁ ଠକିଲେ ନିଜକୁ ଠକିବା

ଛନ୍ଦା ମିଶ୍ର

ଏବେ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲାଗୁଚି। ପରୀକ୍ଷା ହଲ୍‌ରେ ପରୀକ୍ଷକ ଅନୁପସ୍ଥିତ ରହିଲେ ଚଳିବ ମାତ୍ର ସିସିଟିଭିଟି ‘ଅନ୍’ ଥିବା ନିହାତି ଆବଶ୍ୟକ; ନହେଲେ ପରୀକ୍ଷାର୍ଥୀ କୋଉ ବାଗରେ ଠକିବେ ତାହା କେହି ଜାଣି ପାରିବ ନାହିଁ। ଶାସ୍ତ୍ରୀଙ୍କ ଯୁଗରେ, ତାଙ୍କୁ ଶିକ୍ଷକ ନିଜେ ସାଙ୍ଗଠାରୁ ଦେଖି ଲେଖିବା ପାଇଁ କହିଥିଲେ। ସେ ସେପରି କରିବା ଚୋରି ସହ ସମାନ୍ ବୋଲି କହି, ଉତ୍ତମ ନମ୍ବର ତୁଳନାରେ ଉତ୍ତମ ଚରିତ୍ରକୁ ଦେଇଥିଲେ ପ୍ରାଧାନ୍ୟ। ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଗଳିପଶି ଯେମିତି ହେଉ ସର୍ବାଧିକ ନମ୍ବର ହାସଲ କରିବା ଲାଗି ଆମେ ତତ୍ପର।

ଆଉ ‘ସପିଙ୍ଗ୍‌ମଲ୍‌’ଗୁଡ଼ିକର ଚାକଚକ୍ୟଭରା ଦୁନିଆ, ‘ଅଫର୍‌’ର ଲୋଭ, ଥଣ୍ଡା ପବନ ଖାଇ ନିଜେ ନିଜ ଜିନିଷ କିଣିବାର ସ୍ବାଧୀନତା ଯୋଗୁ ସେଠାରେ ପ୍ରବଳ ଭିଡ; କିନ୍ତୁ ଆମ ପ୍ରକୃତି ଜାଣି ସେଠାରେ ମଧ୍ୟ ଲାଗିଛି ସିସିଟିଭି। ଖାଲି ଲାଗିନି ତ କାଗଜରେ ସମସ୍ତେ ଦେଖିଲା ପରି ସ୍ଥାନରେ ଲେଖା ହୋଇଛି- ସାବଧାନ୍, ଆପଣ ସିସିଟିଭି ନଜରରେ ଅଛନ୍ତି ! ତା’ ସତ୍ତ୍ୱେ ବି ସେଠାକୁ ଯାଉଥିବା ଭଲ ଘରର ଲୋକେ ଚୋରିକରି କେବେ ଧରାପଡୁଛନ୍ତି; କେବେ ଠକି ଦେଇଛନ୍ତି।

ଏବେ ରାସ୍ତାଘାଟ ସବୁ ଜାଗାରେ ସିସିଟିଭି ପହରା। ହେଲେ, ଆମ ଲୋକଙ୍କର କ’ଣ ତାକୁ ଫାଙ୍କିବାକୁ ବୁଦ୍ଧି ନାହିଁ ! ସେଥିକୁ ସହଯୋଗ କରୁଛି ମୁଣ୍ଡରେ ଶିରସ୍ତ୍ରାଣ (ହେଲମେଟ) ଓ ମୁହଁରେ ତୁଣ୍ଡି। ଭୁଲ ନମ୍ବରପ୍ଲେଟଟିଏ ଗାଡିରେ ଲଗେଇ ଦେଲେ, ସିସିଟିଭି ଆଉ କ’ଣ କରିବ ଯେ? ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ବେକ, ହାତ ଓ ପକେଟ ଅଣ୍ଡାଳିବାକୁ ଯିଏ ଆଗଭର ତାଙ୍କୁ ସ୍ବୟଂ ବ୍ରହ୍ମା ବି ଆସିଲେ ଜଗିପାରିବେ ନାହିଁ।

ମନେ ପଡୁଥିଲା, ଆମ ଏଇ ଓଡିଶାରେ ଦେଖିଥିବା ଦୃଶ୍ୟଟିଏ। ସଞ୍ଜ ବେଳେ ରାସ୍ତା କଡ଼ରେ କିଛି ଲୋକେ ବସି ମଳତ୍ୟାଗ କରୁଥାନ୍ତି। ଗାଡ଼ିର ଆଲୋକ ପଡ଼ିଲା ମାତ୍ରେ ସେମାନେ ଅଣ୍ଟା ଲୁଗାଟିରେ ମୁହଁ ଘୋଡାଇ ପକାଇଲେ।

ଆଶ୍ଚର୍ଯ୍ୟ.. ଘୋଡାଇବା ଚିଜଟିକୁ ଦେଖାଇ ହୋଇ ପଡିଥିଲେ ସମ୍ପୂର୍ଣ୍ଣ ଉଲଗ୍ନ। ଆଜି ଊଣାଅଧିକେ ଆମେ ସମସ୍ତେ ଏହିପରି ଉଲଗ୍ନ ହୋଇ ବାଟ ଚାଲୁଥିଲେ ବି, ମୁହଁରେ ଭଦ୍ରାମିର ମୁଖା ପିନ୍ଧିଛୁ। ଯାହାର ଭଦ୍ରାମିର ମୁଖା ଖସିଯାଉଛି ତା’ ମୁହଁ ଘୋଡାଇ, ପୁଲିସ ଦେଖାଉଛି ଟିଭି ଆଗରେ। ସତରେ ଦେଖିବାକୁ ଗଲେ କିଏ କାହାକୁ ଜଗିଛି? ସିସିଟିଭି ଯଦି ପ୍ରକୃତରେ ଜଗୁଆଳିର କାମ କରୁଥାନ୍ତା, ତା’ହେଲେ ସିସିଟିଭିର ସଂଖ୍ୟା ବୃଦ୍ଧି ସହ ଅପରାଧର ମାତ୍ରା କମି ଯାଆନ୍ତା; କିନ୍ତୁ ସେପରି ହେଉଛି କି? ତେଣୁ ପ୍ରତ୍ୟକ୍ଷ ଭାବେ ଅନ୍ୟକୁ ଠକିବା ବା ପରୋକ୍ଷରେ ନିଜକୁ ଠକିବା ଆମ ଦେଶର ଜାତୀୟ ଚରିତ୍ରରେ ପରିଣତ ହୋଇ ଗଲାଣି। ବାହାର କଥା ଛାଡ଼ନ୍ତୁ, ଘରେ ପରିବାର ମଧ୍ୟରେ ଜଣେ ଆଉ ଜଣଙ୍କୁ ଠକିବାରେ ଆମେ ହୋଇ ଗଲୁଣି ଧୁରନ୍ଧର।

ଚରିତ୍ର କଥା ଯେତେବେଳେ ମନକୁ ଆସୁଚି, ସାଧାରଣ ଲୋକ ଚରିତ୍ର ଦେଖି ହତାଶାର ଦୀର୍ଘଶ୍ୱାସ ବାହାରି ଯାଉଛି। କେମିତି କାହାକୁ ଠକି, ଭଣ୍ଡି ଆମ ପେଟ ଓ ପକେଟ ଭରିବୁ ଏହି ଚିନ୍ତା ଆମକୁ ଶାନ୍ତିରେ ଶୁଆଇ ଦେଉନି। ଯାହା ଆମର ନୁହେଁ ତା’ ନେଇଯିବା ଚୋରି ବୋଲି ଜାଣି ବି ଆମେ ଅଜଣା ସାଜିଛୁ। ଆଉ ମାଗଣା ନେବା ପାଇଁ ଆମେ ଏତେ ତଳକୁ ଖସିଯାଇଛୁ ଯେ ମାଗଣାରେ ମିଳୁଥିବା ବିଷ ଟିକକ ପାଇଁ ବି ହାତ ପତେଇ ଦେଉଛୁ। ଚୋରି କରୁଥିବା ଫୁଲରେ ଠାକୁରଙ୍କୁ ପୂଜା କରିବାରୁ ନେଇ ମାଗଣାରେ ମିଳୁଥିବା ପାଞ୍ଚ ଟଙ୍କିଆ ଆହାର ଓ ଟଙ୍କିକିଆ ଚାଉଳ ପାଇଁ ଆମେ ଷାଠିଏ ହଜାର ଟଙ୍କାର ମୋଟର ସାଇକଲ ଚଢି ଆସୁଛୁ, ନିଜ ସ୍ୱାଭିମାନ ଓ ଆତ୍ମସମ୍ମାନକୁ ପାଦରେ ଆଡ଼େଇ । ଥିଲାବାଲା ନଥିଲା ବାଲାଙ୍କର ହଡ଼ପ କରି ମଧ୍ୟ ହେଉନି ଆତ୍ମଗ୍ଲାନି। କିଏ ବା ଜଗିଛି କାହାକୁ?

ସିସିଟିଭି କିନ୍ତୁ ଲାଗିଛି.. ବାହାରେ ନୁହେଁ ଆମ ଛାତି ଭିତରେ। ପ୍ରତି ମୁହୂର୍ତ୍ତରେ ଆମକୁ ଚେତେଇ ଦେଉଛି, “ବାପ ଧନ, ଯାହା କରୁଛୁ, ଭଲ କରୁନୁ..ରୋଇବୁ ଯାହା କାଟିବୁ ତାହା, ସେ କଥାକୁ ନିଘା ଅଛିଟି.. ସାବଧାନ୍!!” ହେଲେ ସତେ ଯେମିତି ଆମେ କାଲ ହୋଇଯାଇଚୁ, ଆମକୁ କିଛି ଶୁଭୁନି। ଯାହାର ଚେତାବନୀ, ଆମକୁ ଚେତେଇ ଦେବା କଥା, ତା ମୁହଁରେ କଳା କପଡା ଢାଙ୍କି ଆମେ ତାକୁ କରି ଦେଇଚୁ ଅଚେତ। କଥାରେ ଅଛି ପରା, ମନ ଜାଣେ ପାପ.. ଯେଉଁଠି ମନ ସବୁ ଜାଣି ବି ଅଜଣା, ତାକୁ ବା ଜଣାଇବ କିଏ? ଏପରି ମଣିଷଙ୍କୁ ସିସିଟିଭି କ’ଣ ତା ବାପା ଆସିଲେ ବି ଜଗି ପାରିବ ନାହିଁ। ସାନ ବେଳେ ପଢ଼ା ହୋଇଥିଲା, ଯାହା ମୁଁ କରଇ ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ.. ଅର୍ଥାତ୍, ଚିନ୍ତା ଆସିଲା ମାତ୍ରେ ପ୍ରଭୁ ଜାଣି ପାରୁଛନ୍ତି। ହାଏ.. ତା’ ସତ୍ୱେ ବି…!

ଯାହାର ଭିତରେ ସିସିଟିଭି ଖୋଲା ଅଛି ତାକୁ ବାହାରର ସିସିଟିଭିରେ କୌଣସି ଫରକ ପଡେନାହିଁ। କେହି ଦେଖୁ ବା ନଦେଖୁ ସେ ନିଜେ ନିଜକୁ ସତର୍କ କରେ। ଯେମିତି ନିଜ ହୃଦୟର ତାଡନାରେ ପଡି କେହି ଦେଖି ନଥିଲେ ବି ଗାନ୍ଧିଜୀ ଚୋରି କରିଥିବା କଥା ପିତାଙ୍କ ଆଗରେ ସ୍ୱୀକାର କରି ହୋଇଥିଲେ ଅନୁତପ୍ତ। ଅନୁତାପର ଅଶ୍ରୁ ଗୋଟିଏ ମୁହୂର୍ତ୍ତରେ ଧୋଇ ଦେଇଥିଲା ଚୋରି କରି ଥିବାର ସମସ୍ତ କ୍ଷୋଭ ଓ ହୀନମନ୍ୟତା; ମୋହନ ପାଲଟିଥିଲେ ମହାତ୍ମା।

ଯଦିଓ ଏବେ ଏବେ ବୈଜ୍ଞାନିକମାନେ ପ୍ରମାଣ ପାଇଲେ ଯେ, ପ୍ରତି ଅଣୁରେ ‘ଈଶ୍ବରକଣିକା’ ଉପସ୍ଥିତ ଅଛି, ମାତ୍ର କାହିଁ କେଉଁ କାଳରୁ ଆମର ନମସ୍ୟ ଋଷିମୁନିଗଣ ଉଦାତ୍ତ କଣ୍ଠରେ ଘୋଷଣା କରି ଯାଇଛନ୍ତି ଯେ, ପ୍ରତି ଧୂଳିକଣା କୃଷ୍ଣମୟ; ସକଳ ଘଟେ ନାରାୟଣ।

ନିଜ ଘଟ ଭିତରେ ଥିବା ନାରାୟଣଙ୍କୁ ଯିଏ ଠକିବା ଶିଖିଗଲାଣି, ତା’ ନିକଟରେ ସିସିଟିଭି କେତେ ଛାର ସତେ!

Comments are closed.