ଉତ୍ପୀଡ଼ନ ଓ ପ୍ରତିରୋଧର ଇତିହାସ

- ଅଶୋକ

କ୍ଷମତା ସର୍ବଦା କର୍ତ୍ତୃତ୍ବ ଜାହିର କରେ; ଅନ୍ୟକୁ ଶୋଷଣ କରି ନିଜର ବଡ଼ପଣ ଦେଖାଏ। ଔପନିବେଶିକ ହେଉ ବା ଗଣତାନ୍ତ୍ରିକ, ସବୁ ଶାସନରେ ସମାଜର ନିମ୍ନବର୍ଗର ଲୋକଙ୍କ ପ୍ରତି କେବଳ ଅନ୍ୟାୟ ଅତ୍ୟାଚାର କରାଯାଇନାହିଁ, ସେମାନଙ୍କଠାରୁ ପ୍ରକୃତିଦତ୍ତ ଜଳ, ଜମି, ଜଙ୍ଗଲକୁ ମଧ୍ୟ ଛଡ଼ାଇ ନେବାର ଫନ୍ଦିଫିକର କରାଯାଇଛି। ସାମାଜିକ-ଆର୍ଥିକ-ସାଂସ୍କୃତିକ କ୍ଷେତ୍ରରୁ ଉତ୍ପାଟିତ କରିଦେବାକୁ ମଧ୍ୟ ବିଭିନ୍ନ ଷଡ଼ଯନ୍ତ୍ର ରଚନା କରାଯାଇଛି। ଯେତେବେଳେ ଏହା ଅସହ୍ୟ ହୋଇଚି, ସେତେବେଳେ ଆଗ୍ନେୟଗିରିର ଲାଭା ପରି ଅସନ୍ତୋଷର ଅନଳ ଉଦ୍‌ଗିରଣ ହୋଇଚି ଓ ବେଳେବେଳେ ଉତ୍‌ପୀଡ଼କକୁ ଜାଳିପୋଡ଼ି ଧ୍ବଂସ କରିଚି। ଉତ୍ତର-ସ୍ବାଧୀନତା କାଳରୁ ନବେ ଦଶକର ନବ୍ୟ-ଉଦାରବାଦୀ ଅର୍ଥନୀତି ତଥା ପରବର୍ତ୍ତୀ କାଳର ଓଡ଼ିଶାରେ ତଥାକଥିତ ବିକାଶର ଧାରା ସହିତ ସାଧାରଣ ଚାଷୀ ମୂଲିଆ, ଆଦିବାସୀ, ବନବାସୀ, ମତ୍ସ୍ୟଜୀବୀଙ୍କ ସଂଘର୍ଷର ଇତିହାସ ସମାନ୍ତରାଳ ଭାବେ ଗତିଶୀଳ। ଗୋଟିଏ ପଟେ ଶାସନ-ପ୍ରଶାସନ ପ୍ରାୟୋଜିତ/ପ୍ରୋତ୍ସାହିତ ପୁଞ୍ଜିବାଦୀ ଅତ୍ୟାଚାର ଓ ଅନ୍ୟ ପଟେ ନିଜ ଜୀବନଜୀବିକାର ଉତ୍ସ ନଦୀ, ଝରଣା, ହ୍ରଦ, ମାଳି, ଡଙ୍ଗର ଆଦିର ସୁରକ୍ଷା ପାଇଁ ପ୍ରତିରୋଧ- ବିକାଶ ଓ ବିନାଶର ଏହି ପ୍ରାଣାନ୍ତକ ଖେଳରେ କେତେ ଶହ ଲୋକଙ୍କ ଜୀବନ ଯାଇଚି ତ କେତେ ସହସ୍ର ହୋଇଚନ୍ତି ଉଦ୍‌ବାସ୍ତୁ, ତା’ର ଠିକଣା ନାଇଁ। ସରକାରୀ ସାହାଯ୍ୟ ସହାୟତା, ଥଇଥାନ ଏହି ମଣିଷମାନଙ୍କୁ ଦଶନ୍ଧି ଦଶନ୍ଧି ପରେ ବି ଦେଇପାରିନାଇଁ ସାମାଜିକ-ସାଂସ୍କୃତିକ-ରାଜନୈତିକ ପରିଚୟ, ବରଂ କରିଦେଇଚି ସମାଜ/ସଂସ୍କୃତି/ବାସ-ଚ୍ୟୁତ; ଏକାବେଳକେ ଚ୍ଛିନ୍ନମୂଳ। ଏହି ଶ୍ରେଣୀକୁ କୁହାଯାଇପାରେ ଆନ୍ତନିଅ ଗ୍ରାମ୍‌ସିଙ୍କ ‘ସବ୍‌ଅଲ୍‌ଟର୍ନ’ ଏବଂ କାର୍ଲ ମାର୍କ୍ସଙ୍କ ‘ପ୍ରୋଲେତାରିଏତ୍’ର ପ୍ରତିଭୂ, ଯାହାକୁ ପୁଞ୍ଜିବାଦର ଲାଳସା ନିମନ୍ତେ ସଜାଯାଇଚି ବଳିଭୋଜ୍ୟ। ଆଧୁନିକ ମନ୍ଦିର ଭାବେ ଏକଦା ଖ୍ୟାତ ହୀରାକୁଦ ବନ୍ଧ ଯୋଗୁଁ ବାସଚ୍ୟୁତ ହୁଅନ୍ତୁ ବା ଚିଲିକାର ଉଦ୍‌ବାସ୍ତୁ ମତ୍ସ୍ୟଜୀବୀ- ଏମାନଙ୍କ ଅବସ୍ଥା ପ୍ରାୟ ସମାନ।

ପୁଞ୍ଜିପତି ଓ କ୍ଷମତାସୀନଙ୍କ ବିରୋଧରେ ପୁଞ୍ଜିହୀନ ଓ କ୍ଷମତାହୀନଙ୍କ ସଂଘର୍ଷର ଇତିହାସ ଓଡ଼ିଶାର ଚାରିଆଡ଼େ ବିଛାଡ଼ି ହେଇ ରହିଚି। ହୀରାକୁଦରୁ ଆରମ୍ଭ କରି ରେଙ୍ଗାଲି, ଚିଲିକା, ଗନ୍ଧମାର୍ଦନ, ବାଲିଆପାଳ, ଗୋପାଳପୁର, କଳିଙ୍ଗନଗର, କାଶୀପୁର, ନିୟମଗିରି ଓ ଢିଙ୍କିଆ ପର୍ୟ୍ୟନ୍ତ ସବୁଠି ସେହି ଉତ୍ପୀଡ଼ନ ଓ ତା’ ବିରୋଧରେ ପ୍ରତିରୋଧ ଓ ଆନ୍ଦୋଳନ ସେଗୁଡ଼ିକୁ ଓଡ଼ିଶା ସାମାଜିକ ଇତିହାସର ଗୋଟିଏ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟରେ ପରିଣତ କରିଚି। ସ୍ଥାନ ଓ କାଳ ବିଶେଷରେ ଏହି ଆନ୍ଦୋଳନଗୁଡ଼ିକ ପରସ୍ପରଠାରୁ ଭିନ୍ନ ହୋଇଥିଲେ ହେଁ ସେଗୁଡ଼ିକର ଅନ୍ତଃସ୍ବର ସମାନ: ନିଜ ଭିଟାମାଟିରୁ ଉଚ୍ଛେଦ ନହେବାପାଇଁ, ଅତି ଆପଣାର ଗାଁ ଭୂଇଁକୁ ଛାଡ଼ି ନଯିବା ପାଇଁ ଶେଷ ପର୍ୟ୍ୟନ୍ତ ଆପ୍ରାଣ ଉଦ୍ୟମ। ନବେ ଦଶକର ଭାରତରେ ଉଦାରୀକରଣ, ଜଗତୀକରଣ ଓ ଘରୋଇକରଣର ଯେଉଁ ଆର୍ଥନୀତିକ ତତ୍ତ୍ବମାନ ପ୍ରୟୋଗ କରାଗଲା, ତା’ରି ଫଳଶ୍ରୁତି ଥିଲା ବହୁରାଷ୍ଟ୍ରୀୟ ପୁଞ୍ଜିପତିଙ୍କ ପୁଞ୍ଜିରେ ବୃହତ୍‌ ଶିଳ୍ପ ପ୍ରତିଷ୍ଠା ଏବଂ ରାଷ୍ଟ୍ରାୟତ୍ତ ଶିଳ୍ପଗୁଡ଼ିକର ଘରୋଇକରଣ, ଯାହା ଆଜି ପର୍ୟ୍ୟନ୍ତ ଜାରି ରହିଛି।

ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜୀବନଜୀବିକାର ଉତ୍ସ ଚିଲିକାର ଜଳ ହେଉ ବା ଗୋପାଳପୁରର କିଆଫୁଲ ଚାଷୀଙ୍କ ଜମି, ପୁଞ୍ଜିପତିଙ୍କ ହାତକୁ ଟେକି ଦିଆଗଲା। କ୍ରମେ ରାଷ୍ଟ୍ରର ଭୂମିକା ଗୌଣ ହୋଇଗଲା ଓ ପୁଞ୍ଜି ହିଁ ତା’ର ଅର୍ଥନୀତିର ଅସଲ ଚାଳକ ଶକ୍ତି ସାଜିଲା। ରାଜନୀତି ଯେତେବେଳେ ସମାଜ ବା ନାଗରିକପ୍ରଧାନ ନହୋଇ ପୁଞ୍ଜିପ୍ରଧାନ ହେଲା, ତାହା ସମାଜବିରୋଧୀ ହେବା ଆଦୌ ବିଚିତ୍ର ନୁହେଁ। ହେଲା ମଧ୍ୟ। ନାଗରିକ ବା ସମାଜ ନୁହେଁ, ପୁଞ୍ଜି ଓ ପୁଞ୍ଜିପତିର ସ୍ବାର୍ଥ ତା’ ପାଇଁ ହେଲା ମୁଖ୍ୟ। ରାଜନୈତିକ ମହତ୍ତ୍ବାକାଂକ୍ଷାର ଏ ସ୍ଖଳନ ଅନେକ ବିକୃତିକୁ ଜନ୍ମ ଦେଲା। ଯେଉଁ ରାଷ୍ଟ୍ର ତା’ର ନାଗରିକଙ୍କ ସୁରକ୍ଷା କରିବା କଥା, ସେ ଦମନକାରୀ ପାଲଟିଲା; ଯାହାର ଉଦାହରଣ ଆମେ ଦେଖିବାକୁ ପାଉ ଓଡ଼ିଶାର କାଶୀପୁର, ନିୟମଗିରି, କଳିଙ୍ଗନଗର ଓ ଢିଙ୍କିଆରେ।

ଆଶ୍ଚର୍ୟ୍ୟର କଥା ଯେ କର୍ପୋରେଟ୍‌ ପରିଚାଳିତ ପୁଞ୍ଜିବାଦୀ ବିକାଶକୁ ଦଳିତ, ଆଦିବାସୀ, ଗରିବ, ଚାଷୀ ଆଦି ସମାଜର ଏକ ବୃହତ୍‌ ଗୋଷ୍ଠୀ ବିରୋଧ କରୁଥିଲେ ହେଁ ସେମାନଙ୍କୁ ରାଜନୈତିକ ସମର୍ଥନ ମିଳିଲା ନାହିଁ। ଗଣମାଧ୍ୟମ ବି ଜନ ଆନ୍ଦୋଳନର ପ୍ରକୃତ କଥାକୁ ଯେପରି ପ୍ରଚାର କରିବା କଥା ତାହା କଲାନାହିଁ ଏବଂ ପୁଞ୍ଜିବାଦୀ ପ୍ରଲୋଭନରେ ତାହା ବି ପଡ଼ିଗଲା। ତେବେ ଗଣ ହିଁ ନିଜ ଭିତରୁ ଶକ୍ତି ସଂଗ୍ରହ କରି ଲ‌େ‌ଢ଼ଇ ଜାରି ରଖିଲା ଏବଂ ଏବେ ବି ରଖିଚି। କେଉଁଠି ହାରିଚି ଓ କେଉଁଠି ତା’ର ଜିତାପଟ ବି ହୋଇଚି। ଖୁସିର କଥା ଯେ ଓଡ଼ିଶାରେ ଗଣ ସଂଗ୍ରାମର ଏପରି ଏକ ସୁଦୀର୍ଘ ଇତିହାସ ବିଛାଡ଼ି ହୋଇ ରହିଥିବାବେଳେ ସେଗୁଡ଼ିକୁ ବିଧିବଦ୍ଧ ଭାବେ ଏକତ୍ର ଲିପିବଦ୍ଧ କରିବାକୁ ଏବେ ଏକ ନିଷ୍ଠାପର ଉଦ୍ୟମ ହୋଇଚି। ସାମାଜିକ କର୍ମୀ ନିଗମାନନ୍ଦ ଷଡ଼ଙ୍ଗୀ ଓ ଲେଖିକା ରଞ୍ଜନା ପାଢ଼ୀ ସେହି ଅନନ୍ୟ କାର୍ୟ୍ୟଟିକୁ କରିବାର ସାହସ ଦେଖାଇଚନ୍ତି ସେମାନଙ୍କ ପୁସ୍ତକ ‘ଗାଁ ଛାଡ଼ିବୁ ନାହିଁ- ଦଶଟି ଜନ ଆନ୍ଦୋଳନର ଗାଥା’ରେ।

ସେମାନେ ଏଇଥିପାଇଁ ସାହସୀ ଯେ ଏଥିରେ ଯେଉଁ ଶୋଷିତ, ବଞ୍ଚିତ, ଅତ୍ୟାଚାରିତଙ୍କ ଲୁହଲହୁର ଗାଥା ରହିଚି, ସେମାନଙ୍କ କଥାକୁ ନା ସରକାର ନା ପ୍ରଶାସନ ନା ଆମ ସମାଜ କେବେ‌ ଶୁଣିବାକୁ କି ବୁଝିବାକୁ ଚେଷ୍ଟା କରିଚନ୍ତି, ଅଥଚ ଲେଖକଦ୍ବୟ ସେମାନଙ୍କ ନିକଟରେ ନିଜେ ପହଞ୍ଚି ସେମାନଙ୍କ ଅଙ୍ଗେନିଭା କାହାଣୀର ସତ୍ୟନିଷ୍ଠ ବିବରଣୀ ବୃହତ୍ତର ପାଠକଙ୍କ ନିକଟରେ ପହଞ୍ଚାଇଚନ୍ତି। ‘ଗାଁ ଛାଡ଼ିବୁ ନାହିଁ’ରେ ସାତ ଦଶନ୍ଧି ଭିତରେ ଓଡ଼ିଶାରେ ଘଟିଥିବା ଦଶଟି ଉଲ୍ଲେଖନୀୟ ଜନ ଆନ୍ଦୋଳନର ଇତିହାସ ଲିପିବଦ୍ଧ ହୋଇଚି ଦଶଟି ଅଧ୍ୟାୟରେ। ସବୁଠୁ ବଡ଼କଥା ହେଲା, ସରଳ ଓ ଭାବଦ୍ୟୋତକ ଭାଷା; ଆନ୍ଦୋଳନ ସହ ସଂପୃକ୍ତ ଲୋକଙ୍କ ମୂଳ କଥନ ଓ ସ୍ଥାନୀୟ ଭାଷାର ଅବିକଳ ଉପସ୍ଥାପନା; ଆନ୍ଦୋଳନ ସହ ଜଡ଼ିତ ସାଂସ୍କୃତିକ ପ୍ରେକ୍ଷାପଟର ଅବତାରଣା ଏହାକୁ କେବଳ ସୁବୋଧ୍ୟ କରିନାହିଁ, ପ୍ରାମାଣିକ ମଧ୍ୟ କରିପାରିଚି। ମାନବ ବିଜ୍ଞାନ କେନ୍ଦ୍ର ଭୁବନେଶ୍ବର ଦ୍ବାରା ପ୍ରକାଶିତ ଏହି ଉତ୍ପୀଡ଼ନ ଓ ପ୍ରତିରୋଧର ଅନନ୍ୟ ଇତିହାସ କେବଳ ଓଡ଼ିଶାର ସମାଜତାତ୍ତ୍ବିକ ଗବେଷଣା କ୍ଷେତ୍ରରେ ନୁହେଁ, ବରଂ ଗଣତାନ୍ତ୍ରିକ ଆନ୍ଦୋଳନ ଏବଂ ଏକାଡେମିକ୍‌ କ୍ଷେତ୍ରରେ ମଧ୍ୟ ମାର୍ଗଦର୍ଶକର ଭୂମିକା ତୁଲାଇବ, ତାହା ନିଃସନ୍ଦେହ।

Comments are closed.