ମୂର୍ତ୍ତି ଚାରି ଫୁଟ ଭାଷା ଏକ ଫୁଟ

ନଟବର ଶତପଥୀ

ହେ, ଦେବୀ! ଆକାଶକୁ ଛୁଇଁଛି ତୁମର ଶିରୋଭାଗ, ପାତାଳକୁ ସ୍ପର୍ଶ କରିଛି ତୁମର ପାଦଯୁଗଳ। ଦୁଇ ହାତର ପ୍ରସାରିତ ଦୀର୍ଘତା ଧରାଧାମକୁ କରିଛି ଆଲିଙ୍ଗନ, ତୁମର ନେତ୍ର ଯୁଗଳରେ ଯୁଗପତ୍‌ ଆହବନୀୟ ଓ ଗାହର୍ସ୍ପତ୍ୟ ଅଗ୍ନି, ଦେବଗଣ ନେଇ ସ୍ବୟଂ ବିଷ୍ଣୁ ଅବସ୍ଥାନ କରନ୍ତି ତୁମର ଜିହ୍ବାରେ; ହେ ମାତା! ତୁମେ ସ୍ବୟଂ କାଳ। ତୁମେ କରାଳୀ, ତୁମେ ବିକରାଳୀ, ତୁମେ ହିଁ ସ୍ବୟଂ ଧାତ୍ରୀ ଓ ଧରିତ୍ରୀ, ତୁମେ ହିଁ ଜୀବନ, ତୁମେ ହିଁ ଏ ବିଶ୍ବଭୂମାର ଏକମାତ୍ର ସନାତନୀ ଶକ୍ତି ଓ ଶକ୍ତି ଦାୟିନୀ, ଜ୍ଞାନରୂପା ବ୍ରାହ୍ମୀ। ହେ ମାତା, ତୁମେ ସଂକଟତାରିଣୀ ମହାମାୟା, ଉଦ୍ଧାର କାରିଣୀ ଉପାୟ ପ୍ରଦାୟିନୀ।

ହେ ବାକ୍‌ ! ପରମଂ ବ୍ୟୋମ, ତୁମେ ହିଁ ବାଗର୍ଥ, ତୁମେ ହିଁ ପାର୍ବତୀ ପରମେଶ୍ବର, ତୁମେ ହିଁ ପ୍ରତିପତ୍ତି, ତୁମେ ହିଁ ସରସ୍ବତୀ, ପ୍ରତିଶ୍ରୁତି ଓ ପ୍ରତିଜ୍ଞା। ତୁମେ ହିଁ ସମସ୍ତବୋଧ, ବିଷୟ ଓ ତା’ର ଅର୍ଥ ସମୂହ, ତୁମେ ହିଁ ସାର୍ଥକ ଧ୍ବନି ଓ ତା’ର ଅର୍ଥ ହିଁ ସ୍ବୟଂ। ତୁମେ ହିଁ ବସ୍ତୁ ଓ ତା’ର ପଞ୍ଚବିଧ ଆକାର- ଅସ୍ତି ଭାତି ରୂପ ଗୁଣ ଓ ନାମ। ହେ ବାକ୍‌, ତୁମେ ଚଞ୍ଚଳ ହୁଅ, ପ୍ରକଟିତ ହୁଅ, ଜିହ୍ବାଗ୍ରେ ବାସ କର। ଶାସନର ଭାବ ଓ ଭାଷାକୁ ଜୀବନମୁଖୀ କର ଦେବି।

ଶରତକାଳ- ଦେବୀ ବନ୍ଦନାର କାଳ; ଜୀବନ ଉନ୍ମେଷର ମୁହୂର୍ତ୍ତ; କିନ୍ତୁ ବିବାଦରେ ମୁଖର ଶକ୍ତି ଓ ସନ୍ତାନ ମଧ୍ୟରେ ଭେଦ ହେବାପରି ଏକ ବିଚଳିତ ଅବସ୍ଥା। ଯାର ରୂପ ନଭଚୁମ୍ବୀ, ତାଙ୍କୁ ଚାରିଫୁଟରେ ସୀମିତ କରିବାର ଆକାଙ୍‌କ୍ଷା କାହିଁକି? ଗଗନତୁଲ୍ୟ ବିଶାଳ ଅବୟବକୁ କ୍ଷୁଦ୍ର କରିବାର ମନୋଭାବ ଶକ୍ତିକୁ ବିନ୍ଦୁରେ ପରିଣତ କରିବା। ବିନ୍ଦୁର ସ୍ବରୂପ ଅନନ୍ତ ହୋଇପାରେ ମାତ୍ର ତାହା ବାସ୍ତବ ଓ ସୀମିତ ଜଗତର ନେତ୍ରରେ ଅସ୍ତିତ୍ବହୀନ, ଦେବୀ ଶକ୍ତିର ବିପରୀତ। ବିନ୍ଦୁରେ ଭୂମାର ଅବସ୍ଥିତି ପ୍ରମାଣ କରିବାପାଇଁ ମୃଣ୍ମୟୀ ରୂପର ଆବିର୍ଭାବ। ସେ ରୂପ ଦୁଷ୍ଟଦଳିନୀ, ତମନାଶିନୀ, ସନ୍ଥପାଳିନୀ। ପାର୍ଥିବ ନେତ୍ର ବିରାଟ ରୂପକୁ ହିଁ ବିଶ୍ବାସକରେ, ତନ୍ମୟ ହୁଏ, ନିଜକୁ ସମର୍ପଣ କରେ। ଶକ୍ତି ଆକାରଆଶ୍ରିତ ସଂସାରୀଜନ ପାଇଁ, କାରଣ ସଂସାରୀ ସ୍ଥୂଳ ଦେହଧାରୀ। ସ୍ଥୂଳତା ଭିତରେ ସୂକ୍ଷ୍ମତାକୁ ଅନୁସନ୍ଧାନ କରିବା ହିଁ ଦର୍ଶନର ବିଷୟ। ଦେବ ବା ଦେବୀ ମୂର୍ତ୍ତି ଏଇଥିପାଇଁ ମଣିଷ ଶରୀର ତୁଲ୍ୟ ବା ତଦୂର୍ଦ୍ଧ୍ବ! ଏଇଥିପାଇଁ ମନ୍ଦିର ବିଶାଳ। ମୂର୍ତ୍ତି ଉଚ୍ଚତର। ତାଳଗଛ ଉଚ୍ଚ କାରଣ ଆକାଶକୁ ମାଟିର ବାର୍ତ୍ତା ଶୁଣାଇବା ତା’ର ଧର୍ମ। ଆକାଶ ଉଚ୍ଚ କାରଣ ସମଗ୍ର ଧରିତ୍ରୀକୁ ସେ ସମାନ ଆଖିରେ ଦେଖେ, ଦେବସ୍ଥାନ ପାଇଁ ଅନୁକୂଳ ଭୂମି ପ୍ରସ୍ତୁତ କରେ।

ଦେବୀ ମୃଣ୍ମୟୀ, ମୃତ୍ତିକା ବିକାର। ସେ ସ୍ଥୂଳ ରୂପ। ସ୍ଥୂଳ କାରଣ ଇନ୍ଦ୍ରିୟର ସୀମିତ ଶକ୍ତି ଭିତରେ ସେ ଅନୁଭୂତ ହେବେ। ସ୍ଥୂଳତାର ବୃଦ୍ଧି ଅନୁସାରେ ମହିମାର ନାନା ସୂତ୍ର ପ୍ରକଟିତ ହୁଏ। ସେଇଥିପାଇଁ ଦ୍ବିଭୁଜରୁ ଚତୁର୍ଭୁଜ, ଚତୁର୍ଭୁଜରୁ ଅଷ୍ଟଭୁଜ, ଅଷ୍ଟଭୁଜରୁ ସହସ୍ରଭୁଜ। ଭୁଜ ସଂଖ୍ୟା ଅନୁକ୍ରମେ ଆକାର ବା ଉଚ୍ଚତାର ନିର୍ଣ୍ଣୟ। ଚାରିଫୁଟ ଉଚ୍ଚତା ନେତ୍ର ବିରୋଧୀ। ଯାହା ନେତ୍ର ବିରୋଧୀ ତାହା ଶାସ୍ତ୍ର ସମ୍ମତ ନୁହେଁ। କରୋନା କାଳରେ ଚାରିଫୁଟକୁ ପ୍ରଶାସନୀୟ ସ୍ବୀକୃତି, ଅଧିକ ଉଚ୍ଚତାକୁ ବିରୋଧ ଯୁକ୍ତିହୀନ। ଚାରିଫୁଟରେ ଉଚ୍ଚତା ସୀମିତ ହେଲେ ନିୟନ୍ତ୍ରଣ ସମ୍ଭବ, ବ୍ୟତିକ୍ରମ, ନିୟନ୍ତ୍ରଣ ବହିର୍ଭୂତ ହେବ, ଏହା ଅବାନ୍ତର। ଦର୍ଶକଙ୍କ ଆକର୍ଷଣ, ଯାହା ବହୁବର୍ଷ ହେବ ଦେଖାଯାଉଛି ଆକର୍ଷଣୀୟ ସାଜସଜ୍ଜା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହେତୁ ହୋଇଥାଏ। ପ୍ରଶାସନ ଏହା ଉପରେ କଟକଣା ଲାଗୁ କରିପାରନ୍ତି। ଦେବୀଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ହସ୍ତକ୍ଷେପ ବିବାଦର ବିଷୟ ନ ହେଉ।

ଦେବୀ ସ୍ବୟଂ ବାକ୍‌ମୟୀ। ‘ବିଦ୍ୟା ସମସ୍ତୀ ତବ ରୂପ ଭେଦାଃ’ ବୋଲି କୁହାଯାଏ। ଦେବୀ ଭାଷା ସ୍ବରୂପିଣୀ। ଭାଷାରେ ସେ ବନ୍ଦନୀୟ, ଭାଷାରେ ତାଙ୍କର ସ୍ବରୂପ ଓ ଲୀଳାର ପ୍ରକାଶ। ଶକ୍ତିର ପରିକଳ୍ପନାଠାରୁ ତାଙ୍କର ଗୁଣ, କର୍ମ, ଲୀଳା ଓ ସନ୍ତାନସ୍ନେହ ସବୁ ତାଙ୍କର ବିଭୂତିର ଅଂଶ। ଭାଷା ଦେବୀଙ୍କ ପରି ପ୍ରାଚୀନ, ସମୃଦ୍ଧ ଓ ସମସ୍ତ ବିଦ୍ୟାର ମାଧ୍ୟମ। ଏ​‌େ​‌ବ ଓଡ଼ିଆମାନେ ନିଜର ଭାଷାକୁ ଖର୍ବ କରି ପରୋକ୍ଷରେ ନିଜର ସଂସ୍କୃତିକୁ ହତାଦର କରିବା ଦେଖାଯାଉଛି। ଭାଷାର ଜନନୀ ସଂସ୍କୃତି; ସଂସ୍କୃତିରେ ଦେବୀ ମାତା ସ୍ବରୂପିଣୀ, ଶକ୍ତି ଓ ଜ୍ଞାନ ପ୍ରଦାୟିନୀ। ଏଣୁ ଦେବୀ, ଶକ୍ତି, ଜ୍ଞାନ ଓ ଭାଷା ମଧ୍ୟରେ ଭିନ୍ନତା ନାହିଁ। ମାତ୍ର ଆଜିର ଓଡ଼ିଆ, ଓଡ଼ିଆ ପ୍ରଶାସନ ଭାଷାର ଉଚ୍ଚତାକୁ ଖର୍ବ କରି ଚାଲିଛନ୍ତି। ଦେବୀ ମୂର୍ତ୍ତି ତୁଲ୍ୟ ଭାଷା ହୋଇଛି ଅନୁଚ୍ଚ, ଏକ ଫୁଟ ବାମନ। ଭାଷାର ଅନ୍ୟ ନାମ ପ୍ରତିଭା। ସେ ସର୍ବଗର୍ଭିଣୀ ସ୍ବତନ୍ତ୍ରରୂପା ଚିତ୍‌ ଶକ୍ତି। ଭାଷା ଚ ନାମ ପ୍ରତିଭା ମହତୀ ସର୍ବଗର୍ଭିଣୀ। ଦେବୀ ମଧ୍ୟ ଚିତ୍‌ଶକ୍ତି; ଉଭୟେ ସମାର୍ଥ। ବାଗର୍ଥ ପାର୍ବତୀ ପରମେଶ୍ବର। ଆଜି ଉଭୟେ ବିରୋଧର ସମ୍ମୁଖୀନ। ହୁଏତ ଶ୍ରଦ୍ଧା ଓ ଶକ୍ତି ସଂଗଠିତ ହୋଇ ଦେବୀଙ୍କୁ ତାଙ୍କର ଯଥାର୍ଥ ଉଚ୍ଚତା ଦେଇପାରେ, କିନ୍ତୁ ଭାଷାକୁ ତା’ର ଉଚ୍ଚତା ଦେବାପାଇଁ ଓଡ଼ିଆଙ୍କ ପ୍ରାଣ ଅଛି କି, ସଂଗଠନ ଅଛି କି?

Comments are closed.