ମିଛ ଖବରରେ କେମିତି ଲାଗିବ ଅଙ୍କୁଶ?

ବିଜନ କୁମାର ମହାପାତ୍ର​

ୟୁ ଟ୍ୟୁବ, ଫେସବୁକ୍ ଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମ ସହ ବିଭିନ୍ନ ୱେବସାଇଟ ଓ ପୋର୍ଟାଲରେ ‘ଫେକ୍ ନ୍ୟୁଜ’ ବା ‘ମିଥ୍ୟା ଖବର’ର ଅନିୟନ୍ତ୍ରିତ ପ୍ରସାର ଆଜିକାଲି ଏକ ସାମାଜିକ ବ୍ୟାଧିରେ ପରିଣତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏସବୁ ତଥାକଥିତ ‘ନ୍ୟୁ ମିଡିଆ’ରେ ପ୍ରକାଶିତ ଓ ପ୍ରସାରିତ ହେଉଥିବା ମିଥ୍ୟା, ଅତିରଞ୍ଜିତ ଓ ପକ୍ଷପାତପୂର୍ଣ୍ଣ ଖବର ଭାରତୀୟ ସମାଜ ପାଇଁ ହାନିକାରକ। ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଫେକ୍ ନ୍ୟୁଜର ପ୍ରଚାର ପ୍ରସାର ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ପ୍ରକୃତରେ ଅନଲାଇନ ମାଧ୍ୟମରେ ଏବେ ସତ୍ୟ ଅପେକ୍ଷା ଅସତ୍ୟ ସୂଚନାର ବହୁଳ ପ୍ରସାର ହେଉଛି। ବୋଧହୁଏ ଅଧିକାଂଶ ଡିଜିଟାଲ ମଞ୍ଚର ଧରି ନେଇଛନ୍ତି ଯେ, ଅର୍ଦ୍ଧସତ୍ୟ, ମସାଲାଦାର ଓ ଅତିରଞ୍ଜିତ ଖବରର ପ୍ରଚାର ପ୍ରସାର କରି ସେମାନେ ଜନାଦୃତ ହୋଇପାରିବେ। ତେଣୁ ନିଜର ସ୍ୱାର୍ଥ ହାସଲ ପାଇଁ ସେମାନେ ଉଡା ଖବରକୁ ସତ ଭାବରେ ଉପସ୍ଥାପନ କରନ୍ତି। ଆଉ ଲୋକେ ବି ସେଗୁଡିକୁ ସହଜରେ ଗ୍ରହଣ କରିନିଅନ୍ତି। ପ୍ରକୃତ କଥା ଜାଣିବା ବେଳକୁ ଡେରି ହୋଇଯାଇଥାଏ। ‘ଫେକ୍ ନ୍ୟୁଜ୍‌’ ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ‘ନାରେଟିଭ’୍ ବା ବିଷୟବସ୍ତୁ ପ୍ରସ୍ତୁତ କରାଯାଏ। ‘ଫେକ୍ ନ୍ୟୁଜ’ ବର୍ତ୍ତମାନ ଏକ ବୈଶ୍ୱିକ ସମସ୍ୟା ଭାବେ ମୁଣ୍ଡ ଟେକିଲାଣି। କାରଣ ଇଣ୍ଟରନେଟ୍ ଭୂଗୋଳକୁ ଇତିହାସରେ ପରିଣତ କରିସାରିଲାଣି। ଆଉ ଲୋକେ ଛଦ୍ମ ବା ଗୋପନ ପରିଚୟ ଦ୍ୱାରା ନିଜ ନିଜର ଅନୈତିକ କାର୍ଯ୍ୟକଳାପ ଚଳାଇବା ପାଇଁ ଇଣ୍ଟରନେଟ୍‌ରେ ସୁଯୋଗ ରହିଛି। ତେଣୁ କଳ୍ପନାର ଦୁନିଆରେ ରହି ଲୋକେ ଏପରି ସବୁ କାମ କରନ୍ତି, ଯାହା କି ସେମାନେ ଅସଲ ଜୀବନରେ କେବେ କରିପାରିବେ ନାହିଁ।

କୌଣସି ଠୋସ୍ ଆନ୍ତର୍ଜାତିକ ଆଇନର ଅନୁପସ୍ଥିତି ଫେକ୍ ନ୍ୟୁଜର ବହୁଳ ପ୍ରଚାର ପ୍ରସାରରେ ମୁଖ୍ୟ କାରଣ। କୌଣସି ଦେଶର ଆଇନ୍ ସେହି ଦେଶର ଭୌ‌େ​‌ଗାଳିକ ସୀମା ଯାଏ ହିଁ ସୀମିତ। ଫେକ୍ ନ୍ୟୁଜ ଉପରେ ଅଙ୍କୁଶ ଲଗାଇବା ପାଇଁ କୌଣସି ଆନ୍ତର୍ଜାତିକ ନୀତିନିୟମ ନାହିଁ କି ଦେଶ ଦେଶ ମଧ୍ୟରେ କୌଣସି ରାଜିନାମା ସ୍ୱାକ୍ଷର ହୋଇନାହିଁ। ଫ୍ରାନ୍ସ, ସିଙ୍ଗାପୁର, ମାଲେସିଆ ଭଳି କିଛି ଦେଶ ଫେକ୍ ନ୍ୟୁଜ୍ ନିୟନ୍ତ୍ରଣ ପାଇଁ ବିଶେଷ ଆଇନ ପ୍ରଣୟନ କରିଛନ୍ତି; କିନ୍ତୁ ଆନ୍ତର୍ଜାତିକ ଆଇନ ନ ଥିବାରୁ ଫେକ୍ ନ୍ୟୁଜ ଉପରେ ଅଙ୍କୁଶ ଲାଗି ପାରୁନାହିଁ।

ଫେକ୍ ନ୍ୟୁଜ୍ ଉପରେ ନିୟନ୍ତ୍ରଣ ପାଇଁ ଭାରତରେ ବି କୌଣସି ଠୋସ୍ ଆଇନ ନାହିଁ। ଏହି ପ୍ରସଙ୍ଗରେ ସୂଚନା ପ୍ରଯୁକ୍ତି ଆଇନ୍ ବା ଆଇଟି ଆକ୍ଟ ନୀରବ। ୨୦୦୮ରେ ଆଇଟି ଆକ୍ଟରେ ସଂଶୋଧନ କରାଯାଇ ୬୬-ଏ ଧାରା ଯୋଡା ଯାଇଥିଲା। ଏହି ଧାରା ଅନୁସାରେ କିଛି ମାତ୍ରାରେ ଫେକ୍ ନ୍ୟୁଜ୍‌ର ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ଥିଲା। ଏଥିରେ କୁହାଯାଇଥିଲା ଯେ, ଯଦି କେହି ନିଜର କମ୍ପ୍ୟୁଟର ବା ମୋବାଇଲ ଫୋନରୁ ଆପତ୍ତିଜନକ ସାମଗ୍ରୀ ପ୍ରକାଶିତ-ପ୍ରସାରିତ କରେ, ତାହା ହେଲେ ତାକୁ ତିନି ବର୍ଷ ଜେଲ୍ ଓ ୫ ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡିବ। ନ ହେଲେ ଉଭୟ ଜେଲ୍ ଦଣ୍ଡ ଓ ଜୋରିମାନା ବା ଲାଗୁ ହେବା ପାଇଁ ଧାରା ୬୬-ଏ ଅନୁସାରେ ବ୍ୟବସ୍ଥା ଥିଲା; କିନ୍ତୁ ଏହି ଧାରାର ବୈଧତାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ୨୦୧୫ ମସିହା ମାର୍ଚ୍ଚ ମାସରେ ଆଇଟି ଆକ୍ଟର ଧାରା ‘୬୬-ଏ’କୁ ଅସାମ୍ବିଧାନିକ ଘୋଷଣା କରିଥିଲେ ସୁପ୍ରିମକୋର୍ଟ।

ଫେକ୍ ନ୍ୟୁଜ ଉପରେ ଅଙ୍କୁଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛିଟା ଉଦ୍ୟମ ହୋଇଛି। ଏ ବର୍ଷ ଫେବୃଆରୀ ୨୫ ତାରିଖରେ ଆଇଟି ରୁଲ୍ସ -୨୦୨୧ ଜାରି କରାଯାଇ କାର୍ଯ୍ୟକାରୀ କରାଯାଇଛି। ଏହାର ଏକ ଧାରା କହେ ଯେ, ନିଜ ନିଜର ଫୋରମରେ ଭିତ୍ତିହୀନ ଓ ମିଥ୍ୟା ଖବରର ପ୍ରଚାର ପ୍ରସାର ଉପରେ ଅଙ୍କୁଶ ଲଗାଇବା ହେଉଛି ସର୍ଭିସ ପ୍ରୋଭାଇଡର ବା ସେବା ପ୍ରଦାନକାରୀ ସଂସ୍ଥାଗୁଡିକର ଗୁରୁଦାୟିତ୍ୱ। ସର୍ଭିସ ପ୍ରୋଭାଇଡରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏ ବାବଦରେ ଲିଖିତ ଅଭିଯୋଗ କରାଯାଇପାରିବ। ଫେକ୍ ନ୍ୟୁଜର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ହେବ। ଏ ଦିଗରେ ୱେବସାଇଟ, ସାମାଜିକ ଗଣମାଧ୍ୟମ ଓ ୟୁ ଟ୍ୟୁବ ବି ଯଥାସମ୍ଭବ ଉଦ୍ୟମ କରିପାରିବେ। ଫେକ୍ ନ୍ୟୁଜର ପ୍ରସାର ପ୍ରକାଶନକୁ ପ୍ରଶ୍ରୟ ଦେଉଥିବା ସାମାଜିକ ଗଣମାଧ୍ୟମଗୁଡିକ ବିରୋଧରେ କଡା ଆଇନଗତ ବ୍ୟବସ୍ଥା ହେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଆସୁଛନ୍ତି; କିନ୍ତୁ ଏହାର ଅନ୍ୟ ଏକ ଦିଗ ବି ରହିଛି। ଅନେକ ରାଜନୈତିକ ଦଳର ଆଇଟି ସେଲ୍ ବି ଫେକ୍ ନ୍ୟୁଜ୍ ପ୍ରସାର-ପ୍ରକାଶନରେ ସାମିଲ ବୋଲି ଅଭିଯୋଗ ହୋଇଆସୁଛି। ତେଣୁ ଫେକ୍ ନ୍ୟୁଜ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜନୈତିକ ଦଳଗୁଡିକ ସେତେ ତତ୍ପର ନ ହେବା ସ୍ୱାଭାବିକ ।

ଚାଞ୍ଚଲ୍ୟକର ଶିରୋନାମା ସହ ଖବରକୁ ଅତିରଞ୍ଜିତ କରି ପ୍ରକାଶିତ ଓ ପ୍ରସାରଣ କରିବା ମଧ୍ୟ ଏକ ଅପରାଧ। ଏଭଳି ଖବରର ମୂଳ ଖବର ସହିତ କୌଣସି ସଂପର୍କ ନ ଥାଏ। ମିଥ୍ୟା ଖବର ଭଳି ଏ ଧରଣର ଖବର ମଧ୍ୟ ସମାଜ ପାଇଁ ବେଶ୍‌୍ କ୍ଷତିକାରକ। ଏଭଳି ଖବରର ପ୍ରକାଶନ-ପ୍ରସାରଣ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୬୮ ଅନୁସାରେ ସାମାଜିକ ଗଣମାଧ୍ୟମ ବିରୋଧରେ ମାମଲା ରୁଜୁ କରାଯାଇପାରିବ। ଏହି ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ଜେଲ୍ ଦଣ୍ଡ ଭୋଗିବା ସହ ଜୋରିମାନା ବି ଦେବାକୁ ହେବ; କିନ୍ତୁ କଥା ହେଉଛି ଯେ, ଅନେକ ଲୋକ ଏ ସଂପର୍କରେ ଅବଗତ ନାହାନ୍ତି। ତେଣୁ ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆସିବା ଭଳି ଯଦି କିଛି ଠୋସ୍ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୁଏ, ତାହା ହେଲେ ହୁଏତ ସ୍ଥିତିରେ କିଛି ପରିବର୍ତ୍ତନର ଆଶା କରାଯାଇପାରେ; କିନ୍ତୁ ଫେକ୍ ନ୍ୟୁଜ୍ ରୋକିବା ପାଇଁ ଏକ ଉତ୍ସର୍ଗୀକୃତ ଆଇନ ନ ଥିବାରୁ ଅଦାଲତରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ବେଶ୍ ଆହ୍ୱାନମୂଳକ ହୋଇଥାଏ। ତେଣୁ ଫେକ୍ ନ୍ୟୁଜ୍ ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ କଠୋର ଆଇନର ଆବଶ୍ୟକତା ଅନୁଭୂତ ହେଉଛି; କିନ୍ତୁ ଏଥିପାଇଁ ଦରକାର ଦୃଢ ରାଜନୈତିକ ଇଚ୍ଛାଶକ୍ତି ।

Comments are closed.