ଉଦ୍‌ଜାନରେ ଉଡ଼ୁଛି ରେଳଗାଡ଼ିର ଜଳବାୟୁ ପରିବର୍ତ୍ତନ ଯୋଜନା!

ବିଭୂତି ପତି

ଭାରତୀୟ ରେଳପଥଗୁଡିକର ଶତପ୍ରତିଶତ ବିଦ୍ୟୁତ୍‌କରଣ କରାଗଲେ ଅଧିକ ଅଙ୍ଗାରକାମ୍ଳ ଉତ୍ସର୍ଜନ ହେବ ଏବଂ ଏହା ପରିବେଶ ଉପରେ କୁପ୍ରଭାବ ପକାଇବ, କାରଣ ରେଳବାଇ ଦ୍ୱାରା ବ୍ୟବହୃତ ବିଦ୍ୟୁତ୍‍ ଶକ୍ତିର ଅଧିକାଂଶ ଜୀବାଶ୍ମ ଇନ୍ଧନରୁ ହିଁ ଆସିଥାଏ। ଜଳବାୟୁ ପରିବର୍ତ୍ତନ ବିପଦ ବିଶ୍ୱକୁ ଗ୍ରାସ କରୁଥିବାବେଳେ ରେଳ ମନ୍ତ୍ରଣାଳୟରୁ ଉଭେଇ ଯାଉଛି ଉଦ୍‍ଜାନ ଯୋଜନା।

ଗତ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣରେ କହିଥିଲେ, ଗ୍ୟାସ ଭିତ୍ତିକ ଇନ୍ଧନ, ବିଦ୍ୟୁତ୍‍ ଚାଳିତ ଯାନବାହନ ଏବଂ ପେଟ୍ରୋଲରେ ଜୈବ ଇନ୍ଧନ/ଇଥାନଲ୍‍ ଅର୍ଥନୀତି ବଳରେ ଭାରତ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହାସଲ କରିପାରିବ। ୨୦୨୧-୨୨ ବଜେଟରେ ଘୋଷଣା କରାଯାଇଥିବା ଜାତୀୟ ଉଦ୍‍ଜାନ ମିଶନ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗଣତନ୍ତ୍ର ଦିବସରେ ଏହାର ଶୁଭାରମ୍ଭ ଘୋଷଣା କରିଥିଲେ। ଏହି ମିଶନ ନବୀକରଣଯୋଗ୍ୟ ଇନ୍ଧନରୁ ଅଙ୍ଗାରକମୁକ୍ତ ଇନ୍ଧନ ଉତ୍ପାଦନ ପାଇଁ ସହାୟକ ହେବ। ୨୦୪୭ସୁଦ୍ଧା ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଭାରତ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭାରତ ସ୍ୱାଧୀନତା ପ୍ରାପ୍ତିର ୧୦୦ତମ ବର୍ଷରେ ଶକ୍ତିକ୍ଷେତ୍ରରେ ସ୍ୱାଧୀନତା ହାସଲ କରିବ ବୋଲି ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦୀ ଠିକଣା ଭାବେ ଜନମାନସରେ ଏକ ଭେଳିକି ସୃଷ୍ଟିର ପ୍ରଭାବ ପକାଇ ପାରିଥିଲେ।
ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଉ ଏକ ଘୋଷଣା ସମ୍ପର୍କରେ ସ୍ମରଣ କରିବା। ୨୦୧୫ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ଊର୍ଜା ସଙ୍ଗମ ସମ୍ମିଳନୀରେ ମୋଦୀ ଭାରତର ତୈଳ ଆମଦାନୀକୁ ୨୦୧୩-୧୪ର ୭୭%ରୁ ହ୍ରାସ କରି ୨୦୨୨ ସୁଦ୍ଧା ୬୭%ରୁ ଆଣିବାର ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲେ। ମାତ୍ର ସମ୍ପ୍ରତି, ଭାରତର ତୈଳ ଆବଶ୍ୟକତାର ପ୍ରାୟ ୮୫% ଆମଦାନୀ ହେଉଛି ଅର୍ଥାତ୍‍ ଶକ୍ତି ଆମଦାନୀ ଉପରେ ଆମ ଦେଶର ନିର୍ଭରଶୀଳତା ବାସ୍ତବରେ ବୃଦ୍ଧି ପାଇଛି।

ଘୋଷିତ ଜାତୀୟ ଲକ୍ଷ୍ୟଗୁଡିକ କେତେ ଦୂର ବାସ୍ତବବାଦୀ ତାହା ଏକ ବୃହତ୍ତର ବିତର୍କର ପ୍ରସଙ୍ଗ। ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସର ଘୋଷଣାର କିଛି ଦିନ ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଭାରତୀୟ ରେଳବାଇ ଭାରତରେ ଉଦ୍‌ଜାନ ଆଧାରିତ ଗମନାଗମନ ବ୍ୟବସ୍ଥା ଆରମ୍ଭ କରିବାର ଉଦ୍ଦେଶ୍ୟରେ ‘ଉଦ୍‍ଜାନ ଇନ୍ଧନ ବ୍ୟାଟେରି’ ଚାଳିତ ରେଳଗାଡି ସକାଶେ ଟେଣ୍ଡର ଆହ୍ୱାନ କରିଛି। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି, ଯେତେବେଳେ ଭାରତୀୟ ରେଳ ମନ୍ତ୍ରଣାଳୟ ଟେଣ୍ଡର ଆହ୍ୱାନ କରେ (କାର୍ଯ୍ୟର ପ୍ରଭାବ ରୂପାୟନ ପୂର୍ବରୁ) ତାହା ପ୍ରାୟତଃ ପ୍ରଚାର ସର୍ବସ୍ୱ ବଡ଼ ଖବର ହୁଏ, ପରବର୍ତ୍ତୀ ସମୟରେ ଦେଖାଯାଏ ପ୍ରକଳ୍ପଟି ବହୁ ଆଡ଼ମ୍ବରରେ ଲଘୁକ୍ରିୟା ବୋଲି ପ୍ରମାଣିତ ହୁଏ।
ଭାରତୀୟ ରେଳ ମନ୍ତ୍ରଣାଳୟ ପ୍ରଥମେ ଜୈବ ଇନ୍ଧନକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ ଆରମ୍ଭ କଲା। ଏପରି କି ରେଳ ମନ୍ତ୍ରଣାଳୟ ଦିଲ୍ଲୀଠାରେ ବିକଳ୍ପ ଇନ୍ଧନ ପାଇଁ ଭାରତୀୟ ରେଳବାଇର ସଂଗଠନ ବା ‘ଆଇରୋଫ’ ନାମକ ଏକ ସ୍ୱତନ୍ତ୍ର ସଂସ୍ଥା ମଧ୍ୟ ଗଠନ କରିଦେଲେ। ଏହି ସଙ୍ଗଠନର ଉଦ୍ଦେଶ୍ୟ ହେଲା ଭାରତୀୟ ରେଳବାଇରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଶକ୍ତ୍‍ି ସାଶ୍ରୟୀ ଏବଂ ପରିବେଶ ଅନୁକୂଳ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମାନଦଣ୍ଡ ନିର୍ଦ୍ଧାରଣ କରିବା ଏବଂ ସେଗୁଡିକୁ ଅଧିକ ବିକଶିତ କରିବା। ଅସଂଖ୍ୟ ପରୀକ୍ଷା ନିରୀକ୍ଷା କରିବା, ପ୍ରତିବନ୍ଧକ ଜାରି କରିବା, ଇଷ୍ଟର ପ୍ରସ୍ତୁତି ପାଇଁ ପ୍ଲାଣ୍ଟ ବସାଇବା, ଲଗାତାର ଖବର ପ୍ରକାଶିତ କରାଇବା ଇତ୍ୟାଦି ଅନେକ କଥା କରାଯାଇଥିଲେ ମଧ୍ୟ ଭାରତୀୟ ରେଳ ମନ୍ତ୍ରଣାଳୟର ଗୋଟିଏ ହେଲେ ଡିଜେଲ ଟ୍ରେନ୍‍ ନିୟମିତ ରୂପେ ଡିଜେଲ ଓ ଜୈବିକ ଇନ୍ଧନ ମିଶ୍ରଣରେ ଚାଲୁନାହିଁ।

ଖୁବ୍‌ଶୀଘ୍ର ଦୁଇ ପ୍ରକାରର ଇନ୍ଧନ ବ୍ୟବହାର ହେଉଥିବା ଟ୍ରେନକୁ ନେଇ ପ୍ରୟାସ ସମ୍ପର୍କରେ ଘୋଷଣା କରାଗଲା। ଡିଜେଲ ଇଂଜିନଗୁଡିକ ସକାଶେ ଡିଜେଲ ଏବଂ ଘନୀଭୂତ ପ୍ରାକୃତିକ ବାଷ୍ପ (ସି.ଏନ.ଜି) ତଥା ଡିଜେଲ ଓ ଏକାଧିକ ବିୁଦ୍ୟତ୍‍ ଏକକ ବା ‘ଡେମୁ’ (ଡି.ଇ.ଏମ.ୟୁ) ଇଂଜିନର ବ୍ୟବହାର କରାଗଲା ଯଦ୍ଦ୍ବାରା ରେଳଗାଡିର ପାଇପରୁ ଉତ୍ସର୍ଜନକୁ କମାଯାଇପାରିବ। କେତୋଟି ମୂଳ ଇଂଜିନ ନିର୍ମାଣ ପରେ (ପ୍ରୋଟୋଟାଇପ୍‍) ସି.ଏନ.ଜି. ବଦଳରେ ତରଳୀକୃତ ପ୍ରାକୃତିକ ବାଷ୍ପ (ଏଲ.ଏନ.ଜି.) ବ୍ୟବହାର ଅଧିକ ଫଳପ୍ରଦ ହେବ ବୋଲି ବିବେଚନା କରାଯାଇ ସି.ଏନ.ଜି. ବ୍ୟବହାର ପାଇଁ ଉଦ୍ଦିଷ୍ଟ ଇଂଜିନ ନିର୍ମାଣ ବନ୍ଦ କରାଗଲା। କାରଣ ସି.ଏନ.ଜି.ର ପ୍ରତ୍ୟେକ ଏକକ ବସ୍ତୁତ୍ୱରୁ ଅପେକ୍ଷାକୃତ ଭାବେ କମ୍‍ ପରିମାଣର ଶକ୍ତି ଉତ୍ପାଦିତ ହୋଇଥାଏ। ଅନ୍ୟପକ୍ଷରେ ତରଳ ପ୍ରାକୃତିକଗ୍ୟାସ (ଏଲ.ଏନ.ଜି.) କ୍ଷେତ୍ରରେ ପ୍ରତ୍ୟେକ ଏକକ ବସ୍ତୁତ୍ୱରୁ ଡିଜେଲ ସହ ସମକକ୍ଷ ପରିମାଣର ଶକ୍ତି ମିଳିଥାଏ, ତେଣୁ ରେଳଗାଡିରେ ହିଁ ଏହି ଇନ୍ଧନକୁ ସାଇତା ଯିବାକୁ ନେଇ କୌଣସି ସମସ୍ୟା ଦେଖାଦିଏ ନାହିଁ। ଏବେ ବହୁ ବର୍ଷ ହେଲା ଏଲ.ଏନ.ଜି. ପ୍ରକଳ୍ପ ତା’ର ବାଳୁତ ଅବସ୍ଥାରେ ହିଁ ରହିଅଛି, ଏବଂ ଏହି କାର୍ଯ୍ୟକୁ କିପରି ଆଗେଇ ନିଆଯିବ ସେଥିପାଇଁ କୌଣସି ସ୍ପଷ୍ଟ କାର୍ଯ୍ୟ ଯୋଜନା ମଧ୍ୟ ନାହିଁ।

ଭାରତୀୟ ରେଳ ମନ୍ତ୍ରଣାଳୟର କଳ୍ପନାକୁ ଆନ୍ଦୋଳିତ କରିଥିବା ପରବର୍ତ୍ତୀ ପ୍ରକଳ୍ପ ହେଲା, ଏକାଧିକ ଜେନେରେଟର ଥିବା ଡିଜେଲ ଇଂଜିନ। ଏଥିରେ ଗୋଟିଏ ଇଂଜିନକୁ ଚାଲୁ କରିବା ଅଥବା ବନ୍ଦ କରିଦେବାର ବିକଳ୍ପ ଥିଲା। ଏହା ମଧ୍ୟ ଶକ୍ତି ସଞ୍ଚୟ କରିବାରେ ଅଧିକ ଦକ୍ଷ। ବିଗତ ପ୍ରାୟ ୧୦ବର୍ଷ ତଳେ ଏପରି, ଦୁଇଟି ମୂଳ ଇଂଜିନ ପ୍ରସ୍ତୁତ କରାଯାଇଥିଲା। ମାତ୍ର ପ୍ରକଳ୍ପ ସମାପ୍ତ ହେବା ପୂର୍ବରୁ ଏହାକୁ ବନ୍ଦ କରିଦିଆଗଲା। ଭାରତୀୟ ରେଳ ମନ୍ତ୍ରଣାଳୟ ଏହାର ରେଳପଥଗୁଡିକର ବିଦ୍ୟୁତ୍‌କରଣ ଦ୍ରୁତ ବେଗରେ ଆଗେଇ ନେଇଥିବା କାରଣରୁ ରେଳବିଭାଗ ଅନେକ ବିଳମ୍ବରେ ଏକଥା ବିବେଚନା କଲା ଯେ, ବିକଶିତ ରେଳ ଇଂଜିନଗୁଡିକର ସଂଖ୍ୟା ଆଗକୁ ଆଉ ବଢ଼ାଯାଇପାରିବ ନାହିଁ।
ଡେମୁ ଗାଡ଼ିର ଛାତ ଉପରେ ସୌର ପ୍ୟାନେଲମାନ ଲଗାଯିବା ସମ୍ପର୍କରେ ମଧ୍ୟ ଆମେ ଶୁଣିଛେ ଏବଂ ଏ ବାବଦକୁ ଅନେକ ପ୍ରଚାର ହୋଇଛି। ଡେମୁ ଗାଡିର କେତୋଟି କୋଚ ପାଇଁ ଏକ ପାଇଲଟ୍‍ ପ୍ରକଳ୍ପ କାର୍ଯ୍ୟକାରୀ କରାଗଲା ଏବଂ ଦିଲ୍ଲୀର ସହରତଳି ଅଞ୍ଚଳରେ ଏହାକୁ ଚଳାଗଲା। ଏହା ବିଶ୍ୱର ପ୍ରଥମ ସୌରଚାଳିତ ରେଳଗାଡି ବୋଲି ମଧ୍ୟ ଦାବି କରାଗଲା। ଏହା ଯଦି ବିଶ୍ୱର ପ୍ରଥମ ଏପରି ରେଳଗାଡି ହୋଇଥାଆନ୍ତା ତେବେ ଏହି ପ୍ରକଳ୍ପ ରେଳବାଇକୁ ଏହାର ଅଯୌକ୍ତିକତା କ’ଣ ସେ ସମ୍ପର୍କରେ ସଚେତନ କରାଇ ଦେଇଥାଆନ୍ତା। ଏହି ପ୍ରକଳ୍ପର ମୂଳରୂପଗୁଡିକ ଏପରି ନିର୍ମାଣ କରାଯାଇଥିଲା ଯେ, ବଗି/କୋଚ ଉପରେ ଲାଗିଥିବା ସୌର ପ୍ୟାନେଲଗୁଡିକ ବାୟୁକୁ ପ୍ରତିରୋଧ କରିବା ଫଳରେ ସୌର ପ୍ୟାନେଲରୁ ମିଳୁଥିବା ଶକ୍ତିଠାରୁ ମଧ୍ୟ ଅଧିକ ପରିମାଣର ଶକ୍ତି ବାୟୁ ପ୍ରତିରୋଧ ଦ୍ୱାରା ଅପଚୟ ହେଲା। ଏହା ଆଉ ଏକ ଯୁକ୍ତିଯୁକ୍ତତା ନଥିବା ପ୍ରକଳ୍ପ ଏବଂ ଦ୍ରୁତ ବିଦ୍ୟୁତ୍‌କରଣ କାରଣରୁ ଡେମୁ ପ୍ରକଳ୍ପ ଯେପରି ବନ୍ଦ କରି ଦିଆଗଲା, ଏହି ସୌରଶକ୍ତି ପ୍ରକଳ୍ପକୁ ମଧ୍ୟ ସେହିପରି ବନ୍ଦ କରିଦିଆଗଲା।

ସମ୍ଭବତଃ ପରିବେଶ ଅନୁକୂଳ ଉଦ୍‍ଜାନର ବ୍ୟବହାର କରାଯିବା ଫଳରେ, ଭାରତ ତା’ର ପାରିବେଶିକ ଅଗ୍ରଗତିଗୁଡିକୁ ହାସଲ କରିବାରେ ଲମ୍ଫ ମାରିବ ବୋଲି ପ୍ରଧାନମନ୍ତ୍ରୀଙ୍କର ଘୋଷଣା ଆଧାରରେ ଭାରତୀୟ ରେଳ ମନ୍ତ୍ରଣାଳୟ ଏପରି ପଦକ୍ଷେପକୁ ପୁନଶ୍ଚ ପ୍ରଚାର ସର୍ବସ୍ୱ କରିଛି। ଆଇରୋଫ୍‍ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ, ରେଳବାଇର ଏହି ଉଦ୍‌ଜାନ ପ୍ରକଳ୍ପଟି ସୋନିପଥ-ଜିନ୍ଦ୍‍ ମଧ୍ୟସ୍ଥ ୮୯କିଲୋମିଟରର ରେଳପଥରେ କାର୍ଯ୍ୟକାରୀ କରାଯିବ। ଏଥିରେ ଡେମୁର ଦୁଇଟି ଟ୍ରେନରେ ଅତିରକ୍ତ ଭାବେ ଉଦ୍‍ଜାନ ଇନ୍ଧନର ବ୍ୟାଟେରୀମାନ ଲଗାଯିବ।

ଗତ କେଇ ଦଶନ୍ଧି ହେଲା ଭାରତୀୟ ରେଳ ମନ୍ତ୍ରଣାଳୟ ଉଦ୍‍ଜାନ ଇନ୍ଧନ ବ୍ୟାଟେରିର ପ୍ରଯୁକ୍ତି ବିଦ୍ୟା ହାସଲ କରିବା ପାଇଁ ପ୍ରୟାସ କରିଆସୁଛି, ମାତ୍ର ବ୍ୟର୍ଥତା ଛଡ଼ା ଏହା ଆଉ କିଛି ହାସଲ କରିପାରି ନାହିଁ। ଗତ କିଛି ଦିନ ତଳେ ଭାରତୀୟ ରେଳ ମନ୍ତ୍ରଣାଳୟ ବିଡିଂ ପ୍ରକ୍ରିୟା ଘୋଷଣା କରିବା ପୂର୍ବରୁ କୌଣସି ଅନୁଧ୍ୟାନ ଏବଂ ଅନୁସନ୍ଧାନ ଏହାକୁ ନେଇ କରିଥିଲା କି? ତାଙ୍କର ଭାଷଣରେ ପ୍ରଧାନମନ୍ତ୍ରୀ ସେହି କଥା ହିଁ କହିଲେ, ଯାହା ରେଳ ମନ୍ତ୍ରଣାଳୟ ବିଗତ କେଇବର୍ଷ ହେଲା ବାରମ୍ଭାର କହି ଆସୁଛି। ଦେଶର ସମସ୍ତ ରେଳପଥର ୧୦୦% ବିଦ୍ୟୁତ୍‌କରଣ ଯାହାକି ଶୂନ୍ୟ ଉତ୍ସର୍ଜନ ନୀତି ଅନୁଯାୟୀ କରାଯିବ ଏବଂ ଯାହା ଫଳରେ ଭାରତ ବିଶ୍ୱର ପ୍ରଥମ ପ୍ରମୁଖ ପରିବେଶ ଅନୁକୂଳ ରେଳବାଇ ଥିବା ରାଷ୍ଟ୍ର ହେବାର ଗୌରବ ହାସଲ କରିବ।

ଏ ସଂକ୍ରାନ୍ତରେ ଭିନ୍ନ ଏକ ମତ ହେଲା ଯେ, ଭାରତୀୟ ରେଳବାଇର ଆହୁରି ଅଧିକ ବିଦ୍ୟୁତ୍‌କରଣ କରାଗଲେ ତାହା ଅଙ୍ଗାରକାମ୍ଳ ଉତ୍ସର୍ଜନର ମାତ୍ରା ବୃଦ୍ଧି କରିବ। କାରଣ ରେଳବାଇରେ ବ୍ୟବହୃତ ହେଉଥିବା ବିଦ୍ୟୁତ୍‍ ଶକ୍ତି ମୁଖ୍ୟତଃ ଜୀବାଶ୍ମ ଇନ୍ଧନରୁ ଉତ୍ପାଦନ କରାଯାଇଥାଏ। ତେଣୁ ଭାରତ ପ୍ରଥମେ ତା’ର ବିଦ୍ୟୁତ୍‍ ନେଟୱାର୍କକୁ ପରିବେଶ ଅନୁକୂଳ କରିବା ଆବଶ୍ୟକ। ରେଳପଥର ବିଦ୍ୟୁତ୍‌କରଣ ବଦଳରେ ନବୀକରଣ ଯୋଗ୍ୟ ବିଦ୍ୟୁତ୍‍ ଉତ୍ପାଦନକୁ ବେଗବାନ କରାଯିବାର ଆବଶ୍ୟକତା ରହିଛି। ସେ ଯାହା ହେଉନା କାହିଁକି ଭାରତୀୟ ରେଳ ମନ୍ତ୍ରଣାଳୟ ଯଦି ତାର ସମସ୍ତ ରେଳପଥକୁ ଶତପ୍ରତିଶତ ବିଦ୍ୟୁତ୍‌କରଣ କରିବା କାର୍ଯ୍ୟକୁ ବଳବତ୍ତର ରଖିବ, ତେବେ ଉଦ୍‍ଜାନ ଇନ୍ଧନ ବ୍ୟାଟେରି ବାବଦକୁ ଅର୍ଥ ଓ ଶକ୍ତି ଅପଚୟର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ ସୃଷ୍ଟି ହେଉଛି?

ଯଦି ଏକଥା ଧରି ନିଆଯାଏ ଯେ, ଏହି ପ୍ରକଳ୍ପଟି ଏକ ବିକଳ୍ପ ପ୍ରଯୁକ୍ତି ବିଦ୍ୟା ବିକଶିତ କରିବାର ପ୍ରୟାସ, ତେବେ ଏହି ପ୍ରଯୁକ୍ତି ବିଦ୍ୟାର ବିକାଶ ସଙ୍ଗେ ସଙ୍ଗେ ଉଦ୍‍ଜାନ ମିଳିବାର ସମସ୍ୟାକୁ ମଧ୍ୟ ଏକାଦି କ୍ରମେ ସମାଧାନ କରାଯିବା ଆବଶ୍ୟକ। ଆମ ଦେଶରେ ସମସ୍ତ ଉଦ୍‍ଜାନ ଉତ୍ପାଦନ ‘ଷ୍ଟିମ୍‍ ମିଥେନ୍‍ ରିଫର୍ମିଂ’ ପ୍ରକ୍ରିୟା ଦ୍ୱାରା କରାଯାଇଥାଏ। ଏହି ପ୍ରକ୍ରିୟାରୁ ଉଦ୍‍ଜାନ ଉତ୍ପାଦନ ପାଇଁ ଜୀବାଶ୍ମ ଇନ୍ଧନର ବ୍ୟବହାର କରାଯାଏ, ଯାହାକି ଏକ ପ୍ରଦୂଷଣ ସୃଷ୍ଟିକାରୀ ଇନ୍ଧନ। ବୈଦ୍ୟୁତିକ ପ୍ରକ୍ରିୟା ଦ୍ୱାରା ଜଳର ବିଘଟନ କରି ଉଦ୍‍ଜାନ ଉତ୍ପାଦନ ଏକ ପ୍ରଦୂଷଣମୂକ୍ତ ମାଧ୍ୟମ ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ଖର୍ଚ୍ଚ ବହୁଳ। ପୁଣି ଏହି ପ୍ରଯୁକ୍ତି ବିଦ୍ୟା ଏବେ ପ୍ରାରମ୍ଭିକ ଅବସ୍ଥାରେ ଅଛି ଯଦି ଜୀବାଶ୍ମ ଇନ୍ଧନରୁ ହିଁ ଉଦ୍‌ଜାନ ଉତ୍ପାଦନ କରାଯାଏ, ତେବେ ଉଦ୍‍ଜାନ ଇନ୍ଧନ ପ୍ରକୃତ ପକ୍ଷେ ପରିବେଶ ଅନୁକୂଳ ହୋଇପାରିବ କି?

ଯଦି ଏହି ପ୍ରକଳ୍ପର ସମସ୍ତ ଦୁର୍ବଳ ଦିଗ ପ୍ରତି ଧ୍ୟାନ ଦେଇ ସେଗୁଡିକର ପ୍ରତିକାର କରାନଯାଏ, ତେବେ ଏହା ତାହାର ପୂର୍ବ ଅବତାରର ପ୍ରକଳ୍ପଗୁଡିକ ପରି ବ୍ୟର୍ଥ ହିଁ ସାବ୍ୟସ୍ତ ହେବ। ଏଥିପାଇଁ ମୂଳରୁ ପ୍ରକଳ୍ପଟି କେତେ ଦୂର ସଫଳ ହୋଇପାରିବାର ସମ୍ଭାବନା ରହିଛି, ଉପକରଣ ପାଇଁ ଟେଣ୍ଡର କରିବା, ଉପକରଣର ଅର୍ଡର ଦେବା, ରେଳଗାଡିର ଡିଜାଇନ୍‍ ପ୍ରସ୍ତୁତ କରିବା, ଅତିରିକ୍ତ ଭାବେ ରେଳଡବାରେ ଉପକରଣମାନ ଲଗାଇବା, ନୂତନ ଭାବେ ପ୍ରସ୍ତୁତ ରେଳଗାଡିକୁ କାର୍ଯ୍ୟରେ ଲଗାଇବା ଓ ପରୀକ୍ଷଣ ଏବଂ ଦୀର୍ଘକାଳୀନ ଭିତ୍ତିରେ ଏହାକୁ ଚଳାଇବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଆବଶ୍ୟକ। ଏହି ପୃଷ୍ଠଭୂମିରେ ବିଚାର କଲେ ଭାରତୀୟ ରେଳ ମନ୍ତ୍ରଣାଳୟ ରିପୋର୍ଟ କାର୍ଡ଼ ଅତ୍ୟନ୍ତ ଖରାପ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମହାଦାକାଂକ୍ଷୀ ଯୋଜନାକୁ ଏହା ସମୃଦ୍ଧ ଓ ପରିବର୍ଦ୍ଧିତ କରିବା ପାଇଁ ଅତ୍ମବିଶ୍ୱାସ ସୃଷ୍ଟି କରୁନାହିଁ।

ହୁଏ ତ ଦୀର୍ଘ ଦଶନ୍ଧିର ରେଳ ମନ୍ତ୍ରଣାଳୟର ଏଭଳି ବିଫଳତା କାହାଣୀକୁ ସଫଳ କରିବାକୁ ତଥା ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଘୋଷଣାର ବାସ୍ତବ ରୂପାୟନ ପାଇଁ ଦକ୍ଷ ବ୍ୟକ୍ତି ଅଶ୍ୱିନୀ ବୈଷ୍ଣବଙ୍କୁ ରାତାରାତି ରେଳ ମନ୍ତ୍ରଣାଳୟର ଦାୟିତ୍ୱ ଅର୍ପଣ କରିଛନ୍ତି। ଆଗାମୀ ଦିନରେ ଆଶା କରାଯାଉଛି ରେଳ ମନ୍ତ୍ରଣାଳୟର ଏହି ବିଫଳତାଗୁଡିକର ସମାଧାନ ଅଶ୍ୱିନୀ ବୈଷ୍ଣବ କରିପାରିବେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣାକୁ ସଫଳ ରୂପାୟନ କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବେ। ଭାରତୀୟ ରେଳ ମନ୍ତ୍ରଣାଳୟର ଇଂଜିନିୟରମାନେ ଏହି ପରୀକ୍ଷଣକୁ ସଫଳ କରିବା ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ହୁଏତ ନିଶ୍ଚିତ ଆଗେଇ ଯିବେ ଏବଂ ଭାରତୀୟ ରେଳପଥକୁ ପରିବେଶ ଅନୁକୂଳ କରି ଅଙ୍ଗାରକାମ୍ଳ ଉତ୍ସର୍ଜନ କମ୍‍ କରିବାରେ ସହାୟକ ହେବେ, ଯାହା କି ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଭାରତ ନିୟନ୍ତ୍ରଣ କରିବାରେ ସହାୟକ ହେବ। ଯଦି ଏହି କାର୍ଯ୍ୟକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରୂପାୟନ କରିବାରେ ସଫଳ ନହେବେ ତେବେ ରେଳ ମନ୍ତ୍ରଣାଳୟ ପୁନଶ୍ଚ ଏକ ବିଫଳତା ଯୋଜନାକୁ ଦୋହରାଇବ ଏବଂ ଭାରତୀୟ ରେଳଗାଡ଼ି ଉଦ୍‍ଜାନରେ ଗଡ଼ିବାର ଘୋଷଣା ଉଭେଇ ଯାଇ ପୁଣି ଏକ ବ୍ୟର୍ଥତାର ଇତିହାସ ଲେଖିବ।

Comments are closed.