ଓଡ଼ିଶାର ଦୋଳଯାତ୍ରା

- ବାବାଜୀ ଚରଣ ଦାସ

ଫାଲଗୁନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ମଧ୍ୟାହ୍ନ ଧୂପ ସରିଲା ପରେ ତିନି ବାଡ଼ରେ ମଇଲମ ହୋଇ ଠାକୁରମାନଙ୍କୁ ନାଲି ବସ୍ତ୍ର ଲାଗିହୁଏ। ତାପରେ ପାଳିଆ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଭଣ୍ଡାର ଘରୁ ଚନ୍ଦନ ଆଣି ଚନ୍ଦନ ଲାଗି ନୀତି ସମ୍ପନ୍ନ କରନ୍ତି। ଶ୍ରୀ ଦେବୀ, ଭୂଦେବୀ ଦକ୍ଷିଣ ଘରକୁ ବିଜେ କରି ବେଶ ହୋଇ ଦୋଳଗୋବିନ୍ଦଙ୍କ ସହ ସିଂହାସନକୁ ବିଜେ କରନ୍ତି। ତା’ ପରେ ‌ପଞ୍ଚୋପଚାରରେ ଚାଚେରୀ ଭୋଗ ହୁଏ। ଏହାପରେ ଆଜ୍ଞାମାଳ ପାଇବାପରେ ଶ୍ରୀ ଦୋଳଗୋବିନ୍ଦ, ଶ୍ରୀ ଦେବୀ,ଭୂଦେବୀ ବିମାନରେ ବିଜେହୋଇ ସିଂହଦ୍ୱାର ଦେଇ ଘଣ୍ଟ, ଛତା, କାହାଳୀ, ଚାମରପଟୁଆରରେ ଜଗନ୍ନାଥ ବଲ୍ଲଭମଠକୁ ବିଜେ କରନ୍ତି।

୧୫୬୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଶ୍ରୀମନ୍ଦିର ବେଢ଼ା ଭିତରେ ଦକ୍ଷିଣ ପୂର୍ବ ପାର୍ଶ୍ବରେ ଦୋଳମଣ୍ଡପ ନିର୍ମାଣ କରାଯାଇଥିଲା। ଜଗନ୍ନାଥଙ୍କ ବିଗ୍ରହକୁ ସେଠାକୁ ନିଆଯାଇ ଦୋଳଯାତ୍ରା ପାଳିତ ହେଉଥିଲା। ହଠାତ୍ ଦୋଳିର ଗୋଟିଏ ପଟ ଛିଡି ପଡ଼ିବାରୁ ଶ୍ରୀଜଗନ୍ନାଥଙ୍କ ଗୋଟିଏ ହାତରେ ସାମାନ୍ୟ ଆଘାତ ଲାଗିଥିଲା। ସେହି ଦୁର୍ଘଟଣା ପରେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ସ୍ବରୂପ ପିତ୍ତଳରେ ତିଆରି ମଦନମୋହନଙ୍କ ବିଗ୍ରହକୁ ଦୋଳମଣ୍ଡପକୁ ନିଆଯାଉଛି। ମଣ୍ଡପର ସ୍ଥାନ ପରିବର୍ତ୍ତନ କରାଯାଇ ମନ୍ଦିର ବେଢ଼ାକୁ ଲାଗି ଉତ୍ତରପୂର୍ବ କୋଣରେ ଦୋଳମଣ୍ଡପ ନିର୍ମିତ ହୋଇଛି।

ଦୋଳପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ସହିତ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଥାଏ। ଭୋରରୁ ଦ୍ବାରଫିଟା ନୀତି ପରେ ଶ୍ରୀମନ୍ଦିରରେ ଭିତର ଶୋଧ, ମଙ୍ଗଳ ଆଳତି,ମଇଲମ, ତଡପଲାଗି, ଅବକାଶ, ରୋଷହୋମ, ସୂର୍ୟ୍ୟ ପୂଜା, ଦ୍ବାରପାଳ ପୂଜା ପ୍ରଭୃତି ନୀତି ସମ୍ପନ୍ନ ପରେ ଶ୍ରୀଜୀଉମାନଙ୍କୁ ରାଜାଧିରାଜ ବେଶ ବା ୩୨ ପ୍ରକାର ଅଳଙ୍କାର ଦ୍ୱାରା ସୁନାବେଶ କରାଯାଇଥାଏ। ଏହି ଫଗୁ ଦଶମୀ ଠାରୁ ମୁଖ୍ୟ ଆରାଧ୍ୟ ରାଧାକୃଷ୍ଣଙ୍କୁ ଅବିର ଅର୍ପଣ ସହିତ ଦୋଳଯାତ୍ରା ଆରମ୍ଭ ହୁଏ। ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ମହାଡମ୍ବରରେ ଆକର୍ଷଣୀୟ ସାଜସଜ୍ଜା ସହିତ ଛୋଟ ଛୋଟ ବିମାନରେ ବସାଇ ଗ୍ରାମ ବା ସହରର କେତେକ ସ୍ଥାନରେ ପ୍ରତ୍ୟେକ ଦ୍ବାରକୁ ନିଆଯାଇ କଞ୍ଚାଆମ୍ବ , ଗୁଡ ମିଶା ଚଣା ଓ ଅନ୍ୟାନ୍ୟ ଭୋଗ ଦ୍ବାରି ଭୋଗ ଆକାରରେ ଅର୍ପଣ କରାଯାଏ। ଭକ୍ତର ଭଗବାନ, ତେଣୁ ଭକ୍ତର ଦ୍ବାରରେ ସ୍ବୟଂ ଭଗବାନ ଉପସ୍ଥିତ, ଏଭଳି ଅନନ୍ୟ ପରମ୍ପରା ସମଗ୍ର ବିଶ୍ବରେ ବିରଳ।

ଦୋଳଯାତ୍ରାକୁ ବସନ୍ତୋତ୍ସବ ମଧ୍ୟ କୁହାଯାଏ। ଶ୍ରୀମନ୍ଦିର ଭଳି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଦୋଳଯାତ୍ରା ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ। ବୈଷ୍ଣବ ଧର୍ମ ପରମ୍ପରା ସହ ସଦ୍ଭାବ, ସୈାହାର୍ଦ ଓ ଐତିହ୍ୟର ପର୍ବ ଦୋଳଯାତ୍ରା। ଓଡ଼ିଆ ଜ୍ୟୋତିର୍ବିଦ ‌ଶତାନନ୍ଦଙ୍କ ଦ୍ବାଦଶ ଶତାବ୍ଦୀରେ ରଚିତ ‘ଶତାନନ୍ଦ ସଂଗ୍ରହ’ରେ ଦୋଳଯାତ୍ରା ସମ୍ପର୍କରେ ଆଲୋକପାତ କରାଯାଇଥିବାରୁ ଏହି ଯାତ୍ରାର ପ୍ରାଚୀନତା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳେ। ଶ୍ରୀରାଧାକୃଷ୍ଣଙ୍କ ରାସଲୀଳା ବ୍ୟତୀତ କେତେକ ପୈାରାଣିକ ମତ ଏହି ପର୍ବ ସହିତ ସମ୍ମିଳିତ।

କେତେକ ସ୍ଥାନରେ କେବଳ ଦିନକ ପାଇଁ ଦୋଳପୂର୍ଣ୍ଣିମା ଦିନ, ଦୋଳଯାତ୍ରା ଅନୁଷ୍ଠିତ ହୁଏ, ଏହାକୁ ଫୁଲଦୋଳ କୁହାଯାଏ। ଆଉ କେତେକ ସ୍ଥାନରେ ଫଗୁ ଦଶମୀ ଠାରୁ ଆରମ୍ଭ ହୋଇ ଦୋଳପୂର୍ଣ୍ଣିମାରେ ଶେଷ ହୁଏ। ଏହାକୁ ରାଜ ଦୋଳ କହନ୍ତି। ଫାଲଗୁନ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ପଞ୍ଚମୀରେ ଶେଷ ହେଉଥିବା ଦୋଳକୁ ପଞ୍ଚ ଦୋଳ କୁହାଯାଏ। ଫାଲଗୁନ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ନବମୀରେ ଶେଷ ହେଉଥିବା ଦୋଳକୁ ଦଶ ଦୋଳ କୁହାଯାଏ। କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅ ଦୋଳ କିମ୍ବା ନବଦୋଳ ପାଳିତ ହୁଏ। ପୃଥିବୀରେ ଋତୁରାଜ ବସନ୍ତକୁ ସ୍ବାଗତ କରିବା ସହିତ ଦୋଳଯାତ୍ରା ମାଧ୍ୟମରେ ବ୍ୟକ୍ତି, ବ୍ୟକ୍ତି ମଧ୍ୟରେ, ଗୋଷ୍ଠୀ, ଗୋଷ୍ଠୀ ମଧ୍ୟରେ ଓ ଗ୍ରାମ, ଗ୍ରାମ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ସଦ୍ଭାବ ସୃଷ୍ଟି କରିବା ହେଉଛି ଦୋଳଯାତ୍ରାର ପ୍ରକୃତ ଉଦ୍ଦେଶ୍ୟ।

Comments
Loading...