ଗୁରୁଙ୍କୁ ଗୁରୁଜ୍ଞାନ!

ରାଜେନ୍ଦ୍ର ନାରାୟଣ ଦାସ

ତ କିଛିବର୍ଷ ହେଲା ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ଶବ୍ଦଟି ଭାରି ଶୁଣାଯାଉଛି। ଏଥିପାଇଁ ମନ୍ତ୍ରୀ-ହାକିମମାନେ ଯେମିତି କସରତ କରୁଛନ୍ତି, ମନେହେଉଛି ରାଇଜର ସବୁ ବିଦ୍ୟାର ଆଳୟଗୁଡ଼ାକର ନାଁ ଆରମ୍ଭରେ ସତେ କି ‘ବିଶ୍ୱ’ ଯୋଡ଼ି ହୋଇଯିବ। କେତେକରେ ଯୋଡ଼ା ବି ହେଇସାରିଲାଣି, ‘ବିଦ୍ୟା’ ଓ ‘ଆଳୟ’ର ମାନ ଯାହା ଥାଉ ପଛକେ! ଏବେ ଓଡ଼ିଶାରେ ଯାହାକୁ ଯେତେ ବିଶ୍ୱବିଦ୍ୟାଳୟ।” (ସମାଜ, ୧୧.୦୩.୨୦୨୧, ଶୀର୍ଷକ: ବନବିଦ୍ୟାଳୟ ବିଶ୍ୱବିଦ୍ୟାଳୟ, ଲେଖକ: ଅଶୋକ)।

ପ୍ରାୟ ୬ ମାସ ତଳେ ‘ସମାଜ’ରେ ପ୍ରକାଶିତ ଏଇ କେତୋଟି ଧାଡ଼ି ଜର୍ମାନୀରେ ପଢ଼ି ଚମକି ପଡ଼ିଥିଲି। ସାଙ୍ଗେସାଙ୍ଗେ ମୋର ଜଣେ ଘନିଷ୍ଠ ବନ୍ଧୁ ଯିଏ କି ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଓ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଚିବ ଥିଲେ (ବର୍ତ୍ତମାନ ଭୁବନେଶ୍ୱରରେ ବସବାସ କରୁଛନ୍ତି) ତାଙ୍କ ସହିତ ଫୋନ୍‍ରେ ଯୋଗାଯୋଗ କଲି। ଭାବିଥିଲି ଏଇ ଖବର ଶୁଣି ସେ ବହୁତ ଖୁସି ହେବେ। ଦୀର୍ଘ ଆଲୋଚନା ପରେ ସେ ତାଙ୍କ ମନ୍ତବ୍ୟକୁ ଇ-ମେଲ୍‍ ମାଧ୍ୟମରେ ଲିପିବଦ୍ଧ କରିଥିଲେ– “ଭାଇ! ନମସ୍କାର, ଏମାନେ ଆଗାମୀ ଦିନରେ ଶିକ୍ଷା ଦାନ ଓ ବୌଦ୍ଧିକ ମୂଲ୍ୟ ଯେତେ ନିମ୍ନମାନର ହେଉ ପଛେ, ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ବିଶ୍ୱବିଦ୍ୟାଳୟ ସ୍ଥାପନ କରିପାରନ୍ତି। ଆମ ଲୋକମାନଙ୍କ କଥା ଆଉ କ’ଣ କହିବା? ଉତ୍‍ଫୁଲ୍ଲିତ ହୋଇପଡ଼ୁଛନ୍ତି। ଭଗବାନ ଓଡ଼ିଶାକୁ ରକ୍ଷା କରନ୍ତୁ। ଆପଣ ଜାଣନ୍ତି, ଭାରତବର୍ଷ ଶିକ୍ଷକମାନଙ୍କ ପାଇଁ ସର୍ବଦା ପ୍ରସିଦ୍ଧ। ହେଲେ ବର୍ତ୍ତମାନ ସମସ୍ୟା ହେଉଛି ପ୍ରକୃତ ଶିକ୍ଷକମାନେ ପୃଷ୍ଠଭୂମିରେ ଅବସ୍ଥାପିତ ଓ ଆମର ରାଜନେତାମାନେ ଶିକ୍ଷାଦାନ କରିବା ଆରମ୍ଭ କରିଦେଇଛନ୍ତି। ଏହା ହେଉଛି ବର୍ତ୍ତମାନ ଆମ ଓଡ଼ିଶାର ଉଚ୍ଚଶିକ୍ଷାର ସଫଳତା।” ବନ୍ଧୁଙ୍କର ଏଇ ଇ-ମେଲ୍‍ ମୋ ମୁଣ୍ଡକୁ ଭାରାକ୍ରାନ୍ତ କରିଦେଇଥିଲା। ପାଠକଙ୍କ ଅବଗତି ପାଇଁ କେବଳ ଲେଖିଲି। ବର୍ତ୍ତମାନ ମୂଳ ପ୍ରସଙ୍ଗକୁ ଆସିବା।

ଏଇ ବର୍ଷ ଜାନୁଆରୀ ୨୨ ତାରିଖ ଫକିରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଅନୁଜପ୍ରତିମ ବନ୍ଧୁ ପ୍ରଫେସର ଶିବପ୍ରସାଦ ଅଧିକାରୀ ମୋ ନିକଟକୁ ଗୋଟିଏ ଇ-ମେଲ୍‍ ପଠାଇ ଜଣାଇଥିଲେ– “ଚେନ୍ନଇସ୍ଥିତ ‘ସିପେଟ୍‌’ର ମୁଖ୍ୟ ନିର୍ଦେଶକ ପ୍ରଫେସର ସଞ୍ଜୟ କୁମାର ନାୟକ (ଖୁବ୍‍ ପ୍ରଭାବଶାଳୀ) ଘଣ୍ଟାଏ ପୂର୍ବରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ ହୋଇଛନ୍ତି। କାମନା କରୁଛି, ରେଭେନ୍ସା ତାଙ୍କ ନେତୃତ୍ୱରେ ଅଧିକ ଉଚ୍ଚତାରେ ପହଞ୍ଚିପାରିବ।” ତାଙ୍କର ‘ଖୁବ୍‌ ପ୍ରଭାବଶାଳୀ’ ମନ୍ତବ୍ୟଟି ମୋ ମନକୁ ପ୍ରବଳ ଆନ୍ଦୋଳିତ କରିଥିଲା। ସଙ୍ଗେସଙ୍ଗେ ନବନିଯୁକ୍ତ କୁଳପତିଙ୍କ ବିଷୟରେ ସବୁକିଛି ଜାଣିବାକୁ ଗୁଗଲ୍‍ର ସାହାଯ୍ୟ ନେଇଥିଲି ଓ ସେଇଦିନ ତାଙ୍କ ସହିତ ଫୋନ୍‍ରେ କଥାବାର୍ତ୍ତା ହୋଇଥିଲି। କୁଳାଧିପତିଙ୍କ ସଙ୍ଗେ ସାକ୍ଷାତ୍‍କାର ପରେ ସେ ନିଯୁକ୍ତି ପାଇ ଭୁବନେଶ୍ୱରରେ ଥିଲେ, ଚେନ୍ନଇ ଫେରିନଥିଲେ। ହଠାତ୍‍ କାହିଁକି ‘ଘର ବାହୁଡ଼ା’ ଶବ୍ଦଟି ମୋ ମନରେ ଉଙ୍କି ମାରିଥିଲା। ନିଜକୁ ପଚାରିଥିଲି, ପାଖାପାଖି ୩୦ବର୍ଷ ଓଡ଼ିଶା ବାହାରେ ନିଜର ବୃତ୍ତିଗତ ଜୀବନ ବିତେଇ ନବନିଯୁକ୍ତ କୁଳପତି ମହୋଦୟ ତାଙ୍କର ‘ଆଲ୍‍ମାମାଟର’ ରେଭେନ୍ସା ପାଇଁ କ’ଣ ନିଜର ‘ଋଣ ପରିଶୋଧ’ କରିବା ପାଇଁ ଓଡ଼ିଶା ଫେରିଲେ କି?

ପ୍ରଫେସର ସଞ୍ଜୟ କୁମାର ନାୟକଙ୍କ ସହିତ କଥାବାର୍ତ୍ତା କରିବା ପରେ ମୋର ମନେହେଲା ସତେଯେପରି ‘ଘର’କୁ ଭଲ ପାଉଥିବା ମଣିଷଟିଏ ସେ ଓ ଯେତେ ଦୂରରେ ଥିଲେ ବି ତାଙ୍କର ନିଜ ଲୋକଙ୍କ ପାଖରେ ସବୁବେଳେ ଥିଲେ। ଭୂଗୋଳର ସୀମା ଡେଇଁ ଏଇ ରେଭେନ୍ସା ନାମକ ଶିକ୍ଷା ମନ୍ଦିରକୁ ଛୁଇଁବାର ସୁଯୋଗ ପାଇ ସେ ସମସ୍ତ ପ୍ରବଣତା ନେଇ କୃତଜ୍ଞତା ଜଣାଇବା ପାଇଁ ବ୍ୟାକୁଳ ହୋଇ ପଡ଼ିଛନ୍ତି। ମୋର ମନେହେଲା ପ୍ରଫେସର ସଞ୍ଜୟ କୁଳପତି ଆସନ ପାଇଁ ନୁହେଁ, ଏହା ତାଙ୍କ ପାଇଁ ଏକପ୍ରକାର ଘରବାହୁଡ଼ା ହେଲେ ମଧ୍ୟ ରେଭେନ୍ସା ପାଇଁ ତାଙ୍କର ‘ଋଣ ପରିଶୋଧ’ ହେଉଛି ତାଙ୍କର ଅବଶିଷ୍ଟ ଜୀବନର ଏକ ସୌଭାଗ୍ୟ। ସେ ମୋର ପୁତ୍ରବତ୍‍। ବୟସରେ ଯଥେଷ୍ଟ କନିଷ୍ଠ ହେଲେ ମଧ୍ୟ ଏଭଳି ଜଣେ ପ୍ରଚଣ୍ଡ ଜ୍ଞାନୀ ଓ ଋଣ ପରିଶୋଧ-ମନସ୍କ ପ୍ରତିଭାଧର ବ୍ୟକ୍ତିଙ୍କ ପାଖରେ ନତମସ୍ତକ ହେବାକୁ ସେଦିନ ମୁଁ ଆଦୌ କୁଣ୍ଠାବୋଧ କରି ନ ଥିଲି। ସେ ଯେଉଁ ବର୍ଷ ଜନ୍ମଗ୍ରହଣ କରିଥିଲେ ମୁଁ ସେଇବର୍ଷ ଜର୍ମାନୀ ଆସିଥିଲି।

ପରେପରେ ଶୁଣିବାକୁ ପାଇଲି ଯେ ଏହି ନିଯୁକ୍ତି ପାଇଁ ପ୍ରଫେସର ସଞ୍ଜୟଙ୍କୁ ରାଜଭବନରେ ଲିଖିତ ପରୀକ୍ଷା ଦେବାକୁ ପଡ଼ିଲା ନାହିଁ। କେବଳ କୁଳାଧିପତିଙ୍କ ସହିତ ମୌଖିକ ଆଲୋଚନା ପରେ ନିଯୁକ୍ତି ମିଳିଗଲା। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ୨୦୧୭ ମସିହାରେ ସମ୍ମାନସୂଚକ ଡକ୍ଟରେଟ୍‍ ପାଇଥିଲେ। ସେଥିପାଇଁ ବୋଧହୁଏ ଆଉ ଲିଖିତ ପରୀକ୍ଷାର ଆବଶ୍ୟକତା ନଥିଲା। ସେଦିନ ହଠାତ୍‍ କେଜାଣି କାହିଁକି ମନେ ପଡ଼ିଯାଇଥିଲା ଓଡ଼ିଶାର ଜଣେ ପ୍ରାକ୍ତନ କୁଳପତିଙ୍କର ପରିହାସପୂର୍ଣ୍ଣ ମନ୍ତବ୍ୟ ‘ମୂର୍ଖ ଦେଶରେ କୁଳପତି ହେଲି ଲିଖିତ ପରୀକ୍ଷାରେ କରି ପାସ୍‍’।

ଗତ ମାର୍ଚ୍ଚ ମାସ ୩୧ ତାରିଖରେ ରେଭେନ୍ସାର ନୂତନ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର ନାୟକ ଯୋଗଦେଲେ। ରେଭେନ୍ସାର ‘ବିକାଶ ପାଇଁ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବି’ ଏହା ଥିଲା ତାଙ୍କର ପ୍ରଥମ ଦିନର ଆହ୍ୱାନ। ତାଙ୍କର ୪ବର୍ଷ କାର୍ଯ୍ୟକାଳରୁ ଏହା ଭିତରେ ୪ ମାସ ସରିଗଲାଣି; ଅର୍ଥାତ୍‌ ରେଭେନ୍ସାରେ ‘ସଞ୍ଜୟ ଯୁଗ’ ଆରମ୍ଭ ହୋଇ ଚାରି ମାସ ଅତିକ୍ରାନ୍ତ। ଭୁବନେଶ୍ୱର ‘ପୁସ୍ତକ ଭବନ’ରେ କାର୍ଯ୍ୟରତ ‘ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ’ ଗଠନ ହେବା ପରେ ଏହା ଉଚ୍ଚଶିକ୍ଷା ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟମାନଙ୍କର ‘ଶକ୍ତିକେନ୍ଦ୍ର’ ହୋଇ ଯାଇଛି। ଏଠାରେ ସମସ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ଉପରେ ଲଦି ଦିଆଯାଏ। ଏପରିକି ସଚିବ ଏବଂ ମନ୍ତ୍ରୀ ମଧ୍ୟ ‘ପୁସ୍ତକ ଭବନ’କୁ କୁଳପତିମାନଙ୍କୁ ଯେ କୌଣସି ମୁହୂର୍ତ୍ତରେ ଡକାଇ ନି​‌େ​‌ର୍ଦଶ ଦେଇଥା’ନ୍ତି, ବିଚରା କୁଳପତିମାନେ କ’ଣ କରିବେ? ଏହା ହେଉଛି ‘ଏକ ନିୟୁତ ଡଲାର’ ପ୍ରଶ୍ନ।

ଗତ ବର୍ଷ ଡିସେମ୍ବର ମାସ ୧୧ ତାରିଖ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ୬ ବିଶ୍ୱବିଦ୍ୟାଳୟରେ ନବନିଯୁକ୍ତ କୁଳପତିଙ୍କୁ ନେଇ ଏକ ବୈଠକ ହୋଇଥିଲା। ସେଥିରେ ମନ୍ତ୍ରୀ ମହୋଦୟ କୁଳପତିମାନଙ୍କୁ ଏକପ୍ରକାର ‘ଗୁରୁଜ୍ଞାନ’ ଦେଇ କହିଥିଲେ ଯେ, କୁଳପତିମାନେ ‘ମୋ କଲେଜ’ ଓ ‘ମୋ ବିଶ୍ୱବିଦ୍ୟାଳୟ’ଗୁଡ଼ିକୁ କ୍ରିୟାଶୀଳ କରନ୍ତୁ। ଗବେଷଣା କାର୍ଯ୍ୟକୁ ସବୁଠାରୁ ବେଶି ଗୁରୁତ୍ୱ ଦିଅନ୍ତୁ।

ନେପୋଲିଅନ କହିଥିଲେ– ପୃଥିବୀରେ ସବୁଠାରୁ ସହଜରେ ଓ ଶସ୍ତାରେ ମିଳୁଥିବା ଜିନିଷ ହେଉଛି ‘ଉପଦେଶ’। ବଙ୍ଗଳାରେ ଗୋଟିଏ ସୁନ୍ଦର ଢଗ ଅଛି– ‘ଦାଦା, ସବ୍‍ କିଛୁ କୋର୍‍ବେ, କିନ୍ତୁ ଜ୍ଞାନ ଦେବେନା’; ଅର୍ଥାତ୍‍– ଭାଇ ସବୁ କିଛି କରିବ, କିନ୍ତୁ ଉପଦେଶ ଦେବ ନାହିଁ। ଅନ୍ୟମନସ୍କତା ଯୋଗୁଁ ବୋଧହୁଏ ସେଦିନ ମନ୍ତ୍ରୀ ମହୋଦୟ ଭୁଲିଯାଇଥିଲେ ଯେ କୁଳପତିମାନେ ସାଧାରଣ ଲୋକ ନୁହନ୍ତି କି ସାଧାରଣ ରାଜନେତା ନୁହନ୍ତି। ଯାହାସବୁ ମନ୍ତ୍ରୀ କୁଳପତିମାନଙ୍କୁ ଉପଦେଶ ଦେଲେ ସେସବୁ କଥା ସେମାନେ ଜାଣି ନଥିଲେ କି? ସେମାନେ ସମସ୍ତେ ୨୫ ରୁ ୩୦ ବର୍ଷ ଧରି ଶିକ୍ଷକତା କରିଥିଲେ ପରା!

ଓଡ଼ିଶାରେ ଗତ ୬ବର୍ଷ ଭିତରେ ନଅଟି ନୂଆ ବିଶ୍ୱବିଦ୍ୟାଳୟ ହୋଇଛି। ଏଗୁଡ଼ିକ ଠିକ୍‍ ଗଛର ମୂଳକୁ ଶୁଖିଲା ରଖି ଗଛ ଉପରେ ପାଣି ଦେଲାପରି ହୋଇଛି। ଏଇ ଶିକ୍ଷାନୁଷ୍ଠାନରେ ପଢ଼ିବେ କିଏ? ସେଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଧନୀ ଲୋକଙ୍କର ପିଲାମାନେ ପଢ଼ିବେ ବୋଧହୁଏ। କେବଳ ବିଶ୍ୱବିଦ୍ୟାଳୟ ଗଢ଼ିଦେଇ ସରକାର କେବଳ ବାହାବା ନେଲେ ହେବ ନାହିଁ, ଆଜିର ‘ବିପର୍ଯ୍ୟସ୍ତ ଶିକ୍ଷା’କୁ ସୁସଙ୍ଗଠିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉ।
ମୋର ପୂଜ୍ୟ ଗୁରୁମାନେ (ପ୍ରାୟ ସମସ୍ତେ ଆରପାରିରେ) ବହୁତ ମନେ ପଡୁଛନ୍ତି। ସେମାନେ ସତରେ ସେ ସମୟରେ କେତେ ସମ୍ମାନର ଅଧିକାରୀ ଥିଲେ। ଆଜିର ଗୁରୁମାନଙ୍କର ଏପରି ଅପମାନଜନକ ଅବସ୍ଥା ଦେଖିଲେ ନିରାଶ ଲାଗେ।

ସମୟ କହିବ, ନୂତନ କୁଳପତିଙ୍କ ନେତୃତ୍ୱରେ ରେଭେନ୍ସାରେ ବିଶ୍ୱବିଦ୍ୟାଳୟ ଶିକ୍ଷା କେତେ ଆକର୍ଷଣୀୟ ହେବ। “ବିଶ୍ୱବିଦ୍ୟାଳୟ ନିଶ୍ଚିତ ଭାବରେ ସରକାରଙ୍କ ନିୟନ୍ତ୍ରଣରେ ରହିବା ଉଚିତ ନୁହେଁ, କୁଳପତି ସରକାରଙ୍କ ପ୍ରତିନିଧି ହେବା ଉଚିତ ନୁହେଁ ଓ ବିଶ୍ୱବିଦ୍ୟାଳୟ ସରକାରଙ୍କର ଏକ ବିଭାଗ ହେବା ଉଚିତ ନୁହେଁ” ।

Comments are closed.