କରୋନାକାଳୀନ ବିକଳ୍ପ ବୃତ୍ତି

କନିଷ୍ଠ କିଶୋର ସାହୁ

ମହାମାରୀ କରୋନାକାଳରେ ଆମ ଦେଶ ତଥା ପୃଥିବୀର ବହୁ ଦେଶରେ ଲୋକେ ନିଜନିଜ ରୋଜଗାର ଓ ଚାକିରି ହରାଇଛନ୍ତି। ସେ ସମସ୍ତେ ସେଥିପାଇଁ ନିଜ ତଥା ପରିବାରର ଭବିଷ୍ୟତକୁ ନେଇ ସଂଘର୍ଷ କରୁଛନ୍ତି। ସେମାନଙ୍କ ଭବିଷ୍ୟତକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି। ପରିସ୍ଥିତି ସମସ୍ତଙ୍କୁ ସେପରି କରିବାକୁ ବାଧ୍ୟ କରୁଛି; କିନ୍ତୁ ଏବେ ଆଉ ସେମାନଙ୍କୁ ହୁଏତ ସେ ସବୁ କରିବାକୁ ପଡ଼ିବ ନାହିଁ। ସେମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ବିକଳ୍ପ ବୃତ୍ତି ରହିଛି ଯାହାକି ପ୍ରାୟ ବିନା ପୁଞ୍ଜିରେ ମଧ୍ୟ ଅାରମ୍ଭ କରାଯାଇ ପରିବାରର ପୋଷଣ ଓ ଆତ୍ମଶାନ୍ତି କରାଯାଇପାରିବ।
ଆଜିକାଲି ଅନଲାଇନ୍‌ରେ କପଡ଼ାରୁ ଆରମ୍ଭ କରି ବିଭିନ୍ନ ଦ୍ରବ୍ୟର କ୍ରୟ ବିକ୍ରୟ ବେଶ୍‌ ଲୋକପ୍ରିୟ ହୋଇଛି। ବିଶେଷ କରି ଯୁବପିଢ଼ି ଏହାର ବଡ଼ ଗ୍ରାହକ ଅଟନ୍ତି। ଏ କ୍ଷେତ୍ରରେ ଆମାଜନ, ଫ୍ଲିପ୍‌କାର୍ଟ, ଇମାର୍ଟ, ମାଏନ୍ତ୍ରା ଭଳି ଇ କମର୍ସ ମଞ୍ଚସହ ଅନୁବନ୍ଧିତ ହୋଇ ନିଜ ଉତ୍ପାଦିତ ହସ୍ତଶିଳ୍ପ, କଳାକୃତି, ଅଳଙ୍କାର, ଟେରାକୋଟା ସାମଗ୍ରୀ, ପ୍ୟାଣ୍ଟସାର୍ଟ ଆଦି ଉଚିତ ମୂଲ୍ୟରେ ବିକ୍ରୟ କରାଯାଇପାରିବ।

ଜଣକର କିଛି ନିର୍ଦିଷ୍ଟ ଜ୍ଞାନ ବ୍ଲଗର ରୂପେ ସାମାଜିକ ଗଣମାଧ୍ୟମରେ ପ୍ରତିଷ୍ଠିତ କରିପାରିବ। ଏ କ୍ଷେତ୍ରରେ ପାଠକଙ୍କର ରୁଚି ଓ ଲୋକପ୍ରିୟ ବିଷୟକୁ ମନୋନୟନ କରିବାକୁ ପଡ଼ିଥାଏ। ବ୍ଲଗର୍‌ ହେବା ନିମନ୍ତେ କିନ୍ତୁ ପ୍ରାନ୍ତୀୟ ଭାଷା ଅପେକ୍ଷା ବୈଶ୍ବିକଭାଷା (ଇଂରାଜୀ)ରେ ବିଶେଷ ଜ୍ଞାନର ଆବଶ୍ୟକତା ପଡ଼ିଥାଏ ଶୀଘ୍ର ସଫଳତା ପାଇବା ନିମନ୍ତେ। ଏଥିରେ ସମ୍ମାନସହ ଭଲ ପାରିଶ୍ରମିକର ସମ୍ଭାବନା ରହିଛି।

ସହବନ୍ଧିତ ବ୍ୟବସାୟ ଅନ୍ୟ ଏକ ବିକଳ୍ପ ଅଟେ। ଏଥିରେ ଜଣେ ବିଭିନ୍ନ କମ୍ପାନୀ ସହିତ ଅନୁବନ୍ଧିତ ହୋଇ ବଜାର ସୃଷ୍ଟି ଓ ବିକ୍ରୟ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଏହା ଯେହେତୁ ମୁକ୍ତବୃତ୍ତି ଭଳି କାମ, ବଜାରରେ ବିକ୍ରୟର ସ୍ଥିତି ଅନୁସାରେ କମିସନ ବା ଲାଭ ସ୍ଥିରୀକୃତ ହୋଇଥାଏ।

ଏଭଳି ସ୍ଥିତିରେ ପନିପରିବା ଚାଷ ମଧ୍ୟ ଲାଭଜନକ ବୃତ୍ତି, ଯାହାର ଜାଗା ଓ ପାଣିର ସୁବିଧା ଅଛି। ଏ ସମୟରେ ବଜାର ଦର ବେଶ ଲାଭଜନକ ମଧ୍ୟ ରହୁଛି। ଏଣୁ ଶାଗ, ଧନିଆଁ, ପୋଦିନା ଆଦି ପାଇଁ ୧୦ରୁ ୧୫ ଦିନ, ଭେଣ୍ଡି, ଟମାଟୋ, ବାଇଗଣ, କଲରା ଆଦି ପାଇଁ ୪୦ରୁ ୪୫ ଦିନକୁ ଲକ୍ଷ୍ୟକରି ଚାଷ କଲେ ତଦନୁସାରେ ଭଲ ଦି ପଇସା ମିଳିବ। ତାକୁ ପୁଣି ଯଦି ଜୈବିକ ପଦ୍ଧତିରେ କରାଯାଇପାରିବ ଲାଭ ଓ ଗ୍ରାହକ ମଧ୍ୟ ଅଧିକ ମିଳିପାରିବ। ଏଣୁ ଏ କ୍ଷେତ୍ରରେ ଦୀର୍ଘସୂତ୍ରୀ କୃଷିକାର୍ଯ୍ୟ ନକରି ଅଳ୍ପଦିନରେ ଭଲ ରୋଜଗାର କରାଯାଇପାରିବ।

ଆଜିକାଲି ୟୁ-ଟ୍ୟୁବର୍‌ ହୋଇ ଅନେକ ବ୍ୟକ୍ତି ଭଲ ଦି.ପଇସା ରୋଜଗାର କରିପାରୁଛନ୍ତି। ଏଥିରେ ମଧ୍ୟ ଲୋକଙ୍କ ରୁଚି ଓ ସାମୟିକ ସ୍ଥିତିକୁ ଅନୁଧ୍ୟାନ କରି ଭିଡ଼ିଓ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ତା’ସହ ହ୍ବାଟ୍‌ସଆପ, ଫେସ୍‌ବୁକ୍‌ ଓ ଟ୍ବିଟରରେ ମଧ୍ୟ ଭଲ ଦି’ପଇସା ମିଳିଥାଏ। ଏଥି ନିମନ୍ତେ କିନ୍ତୁ ନିର୍ଦିଷ୍ଟ କ୍ରମ ଦେଇ ଅନୁବନ୍ଧିତ ହେବାକୁ ପଡ଼ିଥାଏ। ଏ କ୍ଷେତ୍ରରେ ପାଠକ ଓ ଅନୁସରଣକାରୀମାନଙ୍କୁ ଏକ ବିଶେଷ ଧାରାରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥାଏ।

ଯାହାର ବିଶେଷ ଜ୍ଞାନ ଅଛି ସେ ଅନଲାଇନ ମାଧ୍ୟମରେ ଚିତ୍ରକଳା, ସଂଗୀତ, ଯୋଗ, ସିଲେଇ ଆଦିର ପ୍ରଶିକ୍ଷଣ; ବିଭିନ୍ନ ଚାକିରି ନିମନ୍ତେ ତାଲିମ ଓ ପରାମର୍ଶ ଦେବାସହ ବ୍ୟକ୍ତିଗତ ତାଲିମଦାତା ରୂପେ ମଧ୍ୟ କାର୍ଯ୍ୟ କରିପାରିବେ। କବି, ଲେଖକମାନେ ନିଜନିଜ ପୁସ୍ତକାଦିକୁ ଇ-ବୁକ୍‌ ଆକାରରେ ପ୍ରସ୍ତୁତ କରି ଆମାଜନ ଭଳି ସଂସ୍ଥାରେ ବିକ୍ରୟ କରିପାରିବେ। ତା’ସହ ଯିଏ ପାରୁଛି ବିଭିନ୍ନ ଏପ୍ଲିକେସନ୍‌ (ସ୍ମାର୍ଟଫୋନ) ପ୍ରସ୍ତୁତ କରିବାସହ ପ୍ରଚଳିତ ଏପ୍ଲିକେସନଗୁଡ଼ିକର ସଂପାଦନା ଓ ସଂଶୋଧନ କରି ମଧ୍ୟ ଭଲ ଦି ପଇସା ରୋଜଗାର କରିପାରିବେ।

ଏକଦା ମହାତ୍ମାଗାନ୍ଧୀ କହିଥିଲେ, ‘ମୋର ବିଶ୍ବାସ ଅଭେଦ୍ୟ ଅହଂକାର ମଧ୍ୟରେ ସବୁଠୁ ଉଳ ଅଟେ’; ଅର୍ଥାତ୍‌ ନିଜ ଉପରେ ବିଶ୍ବାସ ରଖି ଆଗକୁ ବଢ଼ିବାକୁ ପଡ଼ିବ। ଟଙ୍କା ସବୁଠି ଉଡ଼ୁଛି ଓ ପଡ଼ିଛି ତାକୁ ହସ୍ତଗତ କରିବାକୁ କିନ୍ତୁ ଧୈର୍ଯ୍ୟ, ଗଭୀର ଆତ୍ମବିଶ୍ବାସ ଓ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ତା’ସହ ମନେ ରଖିବାକୁ ପଡ଼ିବ?

Comments are closed.