ଯୁକ୍ତିବାଦ, ଆଦର୍ଶବାଦ ଓ ପ୍ରାସଙ୍ଗିକତା

କୁମାରବର ଦାସ

ଯୁକ୍ତିବାଦ ସବୁବେଳେ ଜ୍ଞାନ ଯୁକ୍ତ ଓ ବସ୍ତୁବାଦ ଆଧାରିତ। ଯୁକ୍ତିବାଦ ଓ ଆଦର୍ଶବାଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆଦର୍ଶ କହେ, ‘ନମ୍ରନ୍ତି ଫଳିନଃ ବୃକ୍ଷାଃ’। ବାସ୍ତବରେ ନମ୍ରତା ପରିବ​‌େ​‌ର୍ତ୍ତ ଜ୍ଞାନ ଅହଂକାର ସୃଷ୍ଟି କରୁଛି। ମଣିଷର ଯୁକ୍ତିପ୍ରବଣତା ଦ୍ୱାରା ଅୟସଖୋର ଓ ଆଳସ୍ୟଖୋର ମନୋବୃତ୍ତି ବୃଦ୍ଧି ପାଉଛି। ମଣିଷ ଧନ, ଅୟସ ଓ ଆଳସ୍ୟ ଭିତରେ ଆନନ୍ଦ ଖୋଜୁଛି। ଆଦର୍ଶବାଦ ଭିତରେ ବ୍ୟକ୍ତିଗତ ସ୍ୱାର୍ଥ ସୂକ୍ଷ୍ମ ଭାବରେ ଲୁଚିକି ଥାଏ। ଯୁକ୍ତିବାଦ କେବଳ ଭୁଲ୍‍ଠିକ, ଭଲମନ୍ଦ, ପାପପୁଣ୍ୟ, ଚୋରସାଧୁ, ନ୍ୟାୟଅନ୍ୟାୟ, ଧର୍ମଅଧର୍ମ ପ୍ରଭେଦକୁ ବୁଝାଏ। ଯୌକ୍ତିକତା ଆବେଗ ରହିତ ବେଗ କିମ୍ବା ପ୍ରବୃତ୍ତି ବିହୀନ ବୃତ୍ତିକୁ ବୃଦ୍ଧି କରେ। ଆମ ଆଧୁନିକତା ଭିତରେ ଭରି ଦିଏ କୃତ୍ରିମତା ଓ ଅହଂକାର। ତେଣୁ ଜ୍ଞାନ-ବିଜ୍ଞାନ ସାଥୀରେ ବଜାର ଚାଲିଥିବା ବେଳେ ସମାଜ ଓ ସଂସ୍କୃତି କୃତ୍ରିମତା ଦ୍ୱାରା ଆକ୍ରାନ୍ତ। ଆଜି ସହରୀ ଜୀବନ ଖୁବ୍‍ ଆକର୍ଷଣୀୟ। ଯୁକ୍ତିବାଦ ଜୀବିକାକୁ ପ୍ରାଧାନ୍ୟ ଦିଏ; କିନ୍ତୁ ଜୀବନ ଓ ଜୀବିକା ଅଲଗା। ଜୀବିକା ଶେଷ ହୁଏ ପାଇବା-ହଜେଇବାରେ, ଜୀବନ ଆରମ୍ଭ ହୁଏ ପ୍ରେମ, ସେବା-ଦେବା ଓ ତ୍ୟାଗରେ। ଅନେକ କ୍ଷେତ୍ରରେ ଜୀବିକାରେ ସଫଳତା ପାଇ ମଧ୍ୟ ଜୀବନ ବ୍ୟର୍ଥ ହୋଇଥାଏ।

ଆମର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଯୁକ୍ତିବାଦ ଆଧାରିତ। ଆଜି ଶିକ୍ଷା ବିଦ୍ୟା ଅଲଗା। ଶିକ୍ଷକ ଗୁରୁ ଏକା ନୁହେଁ। କୋଟିଏ ଶିକ୍ଷିତ ଭିତରେ ଗୋଟିଏ ବିଦ୍ୱାନର ଅଭାବ। ଭଲ ଶିକ୍ଷକ ଛାତ୍ରଙ୍କ ପାଇଁ ଆଦର୍ଶ। ଶିକ୍ଷକ ପିଲାଙ୍କୁ ସବୁବେଳେ ଆଦର୍ଶର ଉଦାହରଣ ଦିଅନ୍ତି। ଶିକ୍ଷିତ ମାଆ ତା’ର ଛୁଆ ପାଇଁ ଆଦର୍ଶ। ପିଲାମାନଙ୍କୁ ଖୁବ୍‍ ଭଲ ଯତ୍ନ ନିଏ ଓ ପାଠ ପଢାଏ; କିନ୍ତୁ ଶିକ୍ଷିତ ମମି-ଡାଡି ପିଲା ପାଇଁ ବୋଝ। କିଛି ବର୍ଷ ପରେ ମମି-ମିସ ପାଠକୁ ସ୍ପୃହଣୀୟ/ଆକର୍ଷଣୀୟ କରିବା ପରିବ‌େର୍ତ୍ତ, ଅସହ୍ୟ–ବର୍ଜନୀୟ-ବୋଝ କରି ଦିଅନ୍ତି। ସେମାନେ ଟିଉସନ ଶିକ୍ଷକର ସାହାଯ୍ୟ ନେଇ ପିଲାକୁ ଘୋଷା ବଳଦ କରି ଦିଅନ୍ତି। ସେମାନେ ବୁଝନ୍ତି ନାହିଁ ଯେ ଘୋଷା ବିଦ୍ୟା ପ୍ରକୃତ ଜ୍ଞାନ ନୁହେଁ; ବରଂ ଅଶିକ୍ଷିତ ମାଆ (ବୋଉ) ତା’ର ପିଲା ପାଇଁ ଆଶୀର୍ବାଦ; କାରଣ ସେଇ ପିଲାର ପ୍ରାକୃତିକ ବିକାଶ ସଂଘଟିତ ହୁଏ। ତା ପଛରେ ଥାଏ ପ୍ରଚ୍ଛନ୍ନ ଦୈବୀଶକ୍ତି। ସେଥିପାଇଁ ସାଧାରଣରୁ ଅସାଧାରଣ ଜନ୍ମ ନିଏ। ‘ମମି’ର ଆଦର୍ଶ ଯାଏ କିଛି ବାଟ, କିନ୍ତୁ ବୋଉର ଆଶୀର୍ବାଦ ଯାଏ ପୂରା ବାଟ। ଯଦିଓ କୃତ୍ରିମତା ବେଶି ଆକର୍ଷଣୀୟ, ପ୍ରାକୃତିକ ବିକାଶ ସବୁବେଳେ କୃତ୍ରିମ ବିକାଶଠାରୁ ଅଧିକ ବଳିଷ୍ଠ। ତେଣୁ ଆଦର୍ଶ ପ୍ରାକୃତିକତାର ଶତ୍ରୁ ଓ ଆଦର୍ଶର ଗ୍ରହଣୀୟତା କମିକମି ଯାଉଛି। ଭଲ ଛାତ୍ରମାନଙ୍କର ସ୍ମରଣଶକ୍ତି ଅଧିକ। ସେମାନେ ଛୋଟ ପରିବେଶରେ ଖୁବ୍‍ ସଫଳତା ହାସଲ କରନ୍ତି; କିନ୍ତୁ ସ୍ମରଣଶକ୍ତି ଆଧାରିତ ସଫଳତା ଅତି ସୀମିତ ମାତ୍ର; କିନ୍ତୁ ଜୀବିକାରେ ସଫଳତା ଓ ଜୀବନରେ ସାର୍ଥକତା ଭିତରେ ପାର୍ଥକ୍ୟ ଅଛି। ପ୍ରଥମଟି ସ୍ୱାର୍ଥକୈନ୍ଦ୍ରିକ, ଦ୍ୱିତୀୟଟି ବିଶ୍ୱ କୈନ୍ଦ୍ରିକ; କାରଣ ମେଧାଶକ୍ତି ଓ ଆମର ଶିକ୍ଷା ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ କାରଣ ଏହା କେବଳ ଅର୍ଥ ଉପାର୍ଜନ କ୍ଷମତା, ବ୍ୟକ୍ତିଗତ ସଫଳତା ଓ ସାମାଜିକ ପ୍ରତିଷ୍ଠା ହାସଲ କରିବାର ମାନସିକତା ସୃଷ୍ଟି କରୁଛି। ପୁସ୍ତକଗତ ଜ୍ଞାନ କେବଳ ବ୍ୟକ୍ତିଗତ ପ୍ରତିଷ୍ଠା ଓ ପରିଚୟ ସୃଷ୍ଟି କରେ, ତା’ପରେ ଯୁକ୍ତି ଦ୍ୱାରା ସୃଷ୍ଟ ପରିଚୟକୁ ସୁରକ୍ଷା ଦିଏ। ପ୍ରାସଙ୍ଗିକତା ବା ଅଙ୍ଗୀକାରବଦ୍ଧତା ବିନା ଭାରତୀୟ ଉଚ୍ଚ ଶିକ୍ଷିତ ବ୍ୟକ୍ତି କିମ୍ବା ବୈଜ୍ଞାନିକମାନଙ୍କର ବ୍ୟକ୍ତିଗତ ସଫଳତା ଓ ପ୍ରତିଷ୍ଠା ଅର୍ଥହୀନ। ଉଦାହରଣସ୍ୱରୂପ ରୋଗ ପ୍ରତିକାର ପରିବ‌େ‌ର୍ତ୍ତ ରୋଗକୁ ଦବାଇଦେବା ଔଷଧ।

ଜନବହୁଳ ଦେଶରେ ପୁଞ୍ଜି-ପ୍ରଚଣ୍ଡ ପ୍ରଯୁକ୍ତି, ସ୍ବୟଂକ୍ରିୟ ବ୍ୟବସ୍ଥା, ଚାଳକ ବିହୀନ କାର୍‍ କିମ୍ବା ଟ୍ରେନ ଇତ୍ୟାଦିର ପ୍ରାସଙ୍ଗିକତା ଘୋର ଅଭାବ। ସପକ୍ଷ ଯୁକ୍ତି ହେଉଛି କାର୍ଯ୍ୟକ୍ଷମତା, ପାରଦର୍ଶିତା ଓ ଉଚ୍ଚ ଅଭିବୃଦ୍ଧ ହାର। ଯୌକ୍ତିକତା (Rationality) ଖୁବ ଅଖଣ୍ଡନୀୟ; କିନ୍ତୁ ତାଙ୍କର ବିଭିନ୍ନ ଗବେଷଣାର ଅହଙ୍କାର ସମଗ୍ର ମଣିଷ ସମାଜ ପାଇଁ କ୍ଷତିକାରକ; କାରଣ ଆମର ଶିକ୍ଷା ଓ ବିଜ୍ଞାନ ସର୍ବଶେଷରେ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେବା ପରିବର୍ତ୍ତେ ବ୍ୟକ୍ତିଗତ ପ୍ରତିଷ୍ଠା ଓ ପୁରସ୍କାର ପ୍ରାପ୍ତିର ମାଧ୍ୟମ ସାଜିଛି। ତୁଚ୍ଛା ଛଳନା, ଅହଂକାର ଓ ସ୍ୱାର୍ଥପରତା ସୃଷ୍ଟି କରୁଛି। ବୈଜ୍ଞାନିକମାନେ ଜୀବନରେ ମଙ୍ଗଳ ଖୋଜିବା ପରିବର୍ତ୍ତେ, ମଙ୍ଗଳ ଗ୍ରହରେ ଯାଇ ଜୀବନ ଖୋଜୁଛନ୍ତି। ଅହଂକାର ମଣିଷକୁ ଅନ୍ଧ କରିଦିଏ। ଅନ୍ଧବ୍ୟକ୍ତିର ଅନ୍ଧତ୍ୱ ବ୍ୟକ୍ତିଗତ ସମସ୍ୟା; କିନ୍ତୁ ଅହଂକାର ସାରା ସମାଜର ସମସ୍ୟା। ମଣିଷ ତୁଚ୍ଛାଟାରେ ଯୁକ୍ତି ଦ୍ୱାରା ଜାହିର କରେ, ମୁଁ ସବୁଠୁ ବୁଦ୍ଧିଆ ପ୍ରାଣୀ। ସେ ଯୁକ୍ତିବାଦକୁ ଶ୍ରେୟ ମନେ କରେ। ଏହା ଫଳରେ ସେ ବାସ୍ତବତାଠାରୁ ଦୂରେଇ ଯାଏ; ପ୍ରାକୃତିକତା ପ୍ରାସଙ୍ଗିକତା ହରାଏ। ଯୁକ୍ତିବାଦ କହେ ମୁଁ ଠିକ, ମୁଁ ଜ୍ଞାନୀ, ମୁଁ ନ୍ୟାୟବାନ, ମୁଁ ସାଧୁ, ମୁଁ ଆଦର୍ଶ; କିନ୍ତୁ ପ୍ରାସଙ୍ଗିକତା କହେ ମୁଁ ସମ୍ବେଦନଶୀଳ ହୃଦୟ ଭରା ମଣିଷଟିଏ। ଏପରିକି କୌଣସି ସମାଜ ସେବା କାର୍ଯ୍ୟରେ ବ୍ୟକ୍ତିଗତ ସ୍ୱାର୍ଥ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ନିହିତ। ଯୁକ୍ତିବାଦ ଦ୍ୱାରା କେବଳ କୃତ୍ରିମତା, ଅହଂକାର ଓ ବ୍ୟକ୍ତିଗତ ପ୍ରତିଷ୍ଠା, ବ୍ୟକ୍ତିଗତ ସଫଳତା ହାସଲ କରିବାର ପ୍ରବଣତା ବୃଦ୍ଧି ପାଏ। ସମାଜ ପାଇଁ କୋଟିଏ ମସ୍ତିଷ୍କଭରା ଜ୍ଞାନୀ ଲୋକଙ୍କଠାରୁ ଗୋଟିଏ ହୃଦୟ ଭରା ମଣିଷ ଶ୍ରେୟସ୍କର।

ଯୁକ୍ତିବାଦ କହେ ଅଧିକ ଧନୀ ବ୍ୟକ୍ତି ଟଙ୍କା ପଇସା ଦ୍ୱାରା ଔଷଧ କିଣିପାରନ୍ତି; କିନ୍ତୁ ବାସ୍ତବରେ ଉତ୍ତମ ସ୍ୱାସ୍ଥ୍ୟ କିଣିହୁଏ ନାହିଁ। ଅଧିକ ବହିପତ୍ର କିଣି ପାରନ୍ତି, କିନ୍ତୁ ଜ୍ଞାନ କିଣି ପାରନ୍ତି ନାହିଁ। ଡାକ୍ତରୀ ଔଷଧ ନିର୍ଦିଷ୍ଟ ରୋଗକୁ ଭଲ କରେ। ରୋଗୀ ସୁସ୍ଥ ହୋଇଯାଏ; କିନ୍ତୁ ଔଷଧ ରୋଗକୁ ଦବାଇଦିଏ କିମ୍ବା ଆରୋଗ୍ୟ କରିପାରେ। ଭଲ ଖାଦ୍ୟ ଅଭ୍ୟାସ ଓ ସୁସ୍ଥ ଜୀବନଶୈଳୀ ରୋଗକୁ ପ୍ରତିରୋଧ କରେ। ପ୍ରାକୃତିକ ଜୀବନ ଶୈଳୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ପିଲାଙ୍କୁ ଆମେ ବିଭିନ୍ନ ଆଦର୍ଶ କଥା କହି ଉପଦେଶ ଦେଇଥାଉ। ଯେଉଁ ସମାଜ ଅଧିକ ରୁଗ୍‍ଣ, ସେଠି ଆଦର୍ଶର କଥା ବେଶି ପ୍ରସାରିତ। ଆଜିକାଲି ପୂଜ୍ୟ ଗ୍ରହଣୀୟ ନୁହେଁ। ପୂଜ୍ୟ ବ୍ୟକ୍ତିଙ୍କ ପୂଜା ଯେତିକି ବଢିଛି ସେମାନଙ୍କ କଥାର ଗ୍ରହଣୀୟତା ସେତିକି କମିଛି; କିନ୍ତୁ ଆମ ସମାଜରେ ଆଦର୍ଶବାଦୀ ବ୍ୟକ୍ତିମାନେ ନିଜକୁ ଖୁବ୍‍ ଶ୍ରେଷ୍ଠ ମନେକରନ୍ତି। ଆଦର୍ଶବାଦ ସମାଜରେ ବିଭିନ୍ନ କୃତ୍ରିମତା, ଛଳନା ଓ ଅହଂକାର ବୃଦ୍ଧି କରାଇବାରେ ସହାୟକ ସାଜିଛି। ଶିକ୍ଷକ ଉପଦେଶ ଦିଅନ୍ତି, କଠିନ ପରିଶ୍ରମର ବିକଳ୍ପ ନାହିଁ। ସେ କହନ୍ତି ‘କଷ୍ଟ କଲେ କୃଷ୍ଣ ମିଳେ’। ବାସ୍ତବରେ କୃଷ୍ଣ ପ୍ରାପ୍ତ କରିଥିବା ଲୋକମାନେ ହିଁ କଷ୍ଟ କରିଥାଆନ୍ତି; କିନ୍ତୁ ସମସ୍ତ କଷ୍ଟକରିଥିବା ଲୋକମାନେ କୃଷ୍ଣ ପ୍ରାପ୍ତି କରନ୍ତି ନାହିଁ। ଆମେ ଜାଣୁ, କିଛି ଲକ୍ଷ୍ୟ ହାସଲ କଲେ ସଫଳତା ଆସେ। ବାସ୍ତବରେ ସଫଳତା ଥାଏ ରାସ୍ତାରେ (ପ୍ରକ୍ରିୟାରେ), ଲକ୍ଷ୍ୟରେ ନୁହେଁ। ସାଧାରଣତଃ ସଫଳତା କିଛି ପ୍ରାପ୍ତିକୁ ବୁଝାଏ; କିନ୍ତୁ ସାର୍ଥକତା ଲକ୍ଷ୍ୟ ହାସଲ କରିବାରେ ବିଶ୍ୱାସ କରେ ନାହିଁ। ସେ ପାଇବାରେ ବିଶ୍ୱାସ କରେ ନାହିଁ; ଦେବାରେ ଓ ହେବାରେ ବିଶ୍ୱାସ କରେ; କାରଣ ପାଇବାର ଆନନ୍ଦ ସୀମିତ, ଦେବାର ଆନନ୍ଦ ଅସୀମିତ। ବିନ୍ଦୁଏ ତ୍ୟାଗରେ ସିନ୍ଧୁଏ ଆନନ୍ଦ ମିଳେ। ସଫଳତାର ଖୁସି କ୍ଷଣସ୍ଥାୟୀ; କିନ୍ତୁ ଆନନ୍ଦରୁ ମିଳିଥିବା ସଫଳତା କାଳଜୟୀ।

ପଣ୍ଡିତେ କହନ୍ତି ‘ଅଭାବରୁ ସ୍ୱଭାବ ନଷ୍ଟ’। ସମସ୍ତେ ବିଶ୍ୱାସ କରନ୍ତି ଯେ ଗରିବ ଲୋକମାନେ ଚୋରି କରନ୍ତି। ତା’ର କଣ ଅଭାବ ଥିଲା ଯେ ସେ ଏପରି ଛୋଟ କର୍ମ କରି ଧରା ପଡ଼ିଲା। କିନ୍ତୁ ବାସ୍ତବରେ ଧନୀ ବେଶି ଚୋରି ଓ ଦୁର୍ନୀତି କରେ। ଗୋଟିଏ ଧନୀ ଲୋକର ଦୁର୍ନୀତିର ସାମାଜିକ ଭାର ସମସ୍ତ ଚୋରଙ୍କର ଚୋରିଧନ ଠାରୁ ଅଧିକ। ଚୋରିକରିବା ଏକ ପ୍ରବଣତା ଯାହା ଉଭୟ ଧନୀ ଓ ଗରିବଙ୍କ ପାଖେ ଥାଏ। ତେଣୁ ଦାରିଦ୍ର୍ୟ ଏହାର କାରଣ ନୁହେଁ। ଅନ୍ଧ ଦେଖିପାରେ ନାହିଁ। ତା’ର ଦୃଷ୍ଟିଶକ୍ତି ନାହିଁ; କିନ୍ତୁ ଶିକ୍ଷିତ ଲୋକ ଦେଖନ୍ତି ନାହିଁ। ଅହଂକାର ତାଙ୍କୁ ଅନ୍ଧ କରିଦିଏ। ଅହଂକାରୀ ମନ ବିଭିନ୍ନ ଯୁକ୍ତିର ସାହାରା ନିଏ। ଅଶିକ୍ଷିତ ଲୋକ କହେ ମୁଁ କିଛି ଜାଣେ ନାହିଁ, ଶିକ୍ଷିତ ଲୋକ କହେ- ମୁଁ କିଛି ଖାତିର କରେ ନାହିଁ, ମୋର କିଛି ଯାଏ ଆସେ ନାହିଁ। ଯୁକ୍ତିନିହିତ ଶିକ୍ଷା ନିଜ ସ୍ୱାର୍ଥ ଓ ପରିଚୟକୁ ସୁରକ୍ଷିତ ରଖେ; କାରଣ ସେମାନେ ବେଶି ପରିମାଣରେ ସ୍ୱାର୍ଥାନ୍ଧ, ଅର୍ଥାନ୍ଧ, କାମାନ୍ଧ, ଜ୍ଞାନାନ୍ଧ କିମ୍ବା ଧର୍ମାନ୍ଧ। ତେଣୁ ତାଙ୍କର ସାମାଜିକ ଚେତନା ଓ ସମ୍ପୃକ୍ତିର ଅଭାବ। ଆଜି ଶିକ୍ଷିତ ଲୋକଙ୍କର ସାମାଜିକ ସଂପୃକ୍ତି କମିକମି ଯିବା ବଡ ଦୁଃଖର କଥା।

ଜ୍ଞାନୀ ପ୍ରଚାର କରେ ଲୋକ ସଂଖ୍ୟା ବୃଦ୍ଧି ଆମ ଦେଶର ମୁଖ୍ୟ ସମସ୍ୟା। ବାସ୍ତବରେ ଭଲ ମଣିଷଙ୍କ ସଂଖ୍ୟା ହ୍ରାସ ଦେଶର ମୁଖ୍ୟ ସମସ୍ୟା। ଆମ ପାଇଁ ଆଧୁନିକତା ସାଜିଛି କେବଳ କୃତ୍ରିମତା ଓ ନଗ୍ନ ଉପଭୋକ୍ତାବାଦ। ଆଦର୍ଶବାଦ ସାଙ୍ଗେ ପ୍ରାସଙ୍ଗିକତା ଓ ପ୍ରାକୃତିକତା କମୁଛି। ଆମ ଦେଶରେ ମାନବ ସମ୍ବଳର ବିକାଶ ଘଟୁଛି ସତ, କିନ୍ତୁ ମାନବିକତା ଓ ସାମାଜିକ ମୂଲ୍ୟବୋଧର ହ୍ରାସ ଘଟୁଛି। ଆଧୁନିକତା ସହିତ ସାଂସ୍କୃତିକ ଅଧୋଗତି, ଆଧ୍ୟାତ୍ମିକତା ଓ ସମ୍ପର୍କର ସଂକଟ ଘନୀଭୂତ ହେଉଛି। ଧନୀ ଲୋକଙ୍କର ଘରେ ସୁଖର ପ୍ରାଚୁର୍ଯ୍ୟ; କିନ୍ତୁ ଶାନ୍ତିର ଘୋର ଅଭାବ। ପ୍ରକୃତ ଆନନ୍ଦ ଉପଲବ୍‍ଧି କରିଥିବା ଲୋକଟି ସୁଖଦୁଃଖର ଖୁବ୍‍ ଊର୍ଦ୍ଧ୍ବରେ ଥାଏ। ସୁଖ ଦୁଃଖ ତାକୁ ଛୁଇଁ ପାରେ ନାହିଁ। ପ୍ରକୃତ ଆଧ୍ୟାତ୍ମିକ ଲୋକଟି ଧର୍ମ ଅଧର୍ମର ଖୁବ୍‍ ଉପରେ। ପ୍ରକୃତ ପ୍ରଜ୍ଞାବାନ୍‌ ଲୋକଟି ଶିକ୍ଷିତ ଅଶିକ୍ଷିତ ଖୁବ୍‍ ଉଚ୍ଚରେ। ତେଣୁ ମଣିଷର ସମସ୍ତ ଜ୍ଞାନ, ବିଜ୍ଞାନ, ଶିକ୍ଷା, ଯୁକ୍ତି ଓ ପାଣ୍ଡିତ୍ୟ ସବୁ କିଛି ବସ୍ତୁବାଦରେ ସୀମିତ ରହିବା ଅନୁଚିତ। ବିବେକ ବିହୀନ ଜ୍ଞାନ ସମାଜ ପାଇଁ ଅର୍ଥହୀନ। ସଫଳତାର ସଂଜ୍ଞା ପରିବର୍ତ୍ତନ ଦରକାର। ବ୍ୟକ୍ତିଗତ ବା ପେସାଗତ ସଫଳତା ଜୀବନର ସାର୍ଥକତାରେ ପରିଣତ ହେବା ଉଚିତ। ସମସ୍ତ କଥା କିମ୍ବା କର୍ମର ଯୌକ୍ତିକତା ସାଙ୍ଗେ ପ୍ରାସଙ୍ଗିକତା ଓ ସାମାଜିକ ଦାୟିତ୍ୱବୋଧ ରହିବା ଉଚିତ। ମଣିଷର ଅଙ୍ଗୀକାରବଦ୍ଧତାଯୁକ୍ତ ଜ୍ଞାନ ବା ସାମାଜିକ ସମ୍ପୃକ୍ତି ନିହିତ ସଫଳତା ସାରା ବିଶ୍ୱର ବାଞ୍ଛନୀୟ ପୁଞ୍ଜି।

Comments
Loading...