ସର୍ବେ ଭବନ୍ତୁ ସୁଖିନଃ

ଗିରିଶ ଚନ୍ଦ୍ର ଶତପଥୀ

ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ରଚିତ ଏକ ମହାନ ଲୋକପ୍ରିୟ ଶ୍ଳୋକ ହେଲା- ‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା; ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍‌ ଦୁଃଖ ଭାଗ୍‌ ଭବେତ୍‌’। ଆଜିର ଏ ଆଲୋଚନାର ଶୀର୍ଷକ ଏହାର ପ୍ରଥମ ପାଦକୁ ନେଇ, ଯା’ର ଅର୍ଥ ହେଲା ଯେ ‘ସମସ୍ତେ ସୁଖୀ ହୁଅନ୍ତୁ’। ସ୍ବାଭାବିକ ଭାବେ ପ୍ରତ୍ୟେକ ମନୁଷ୍ୟ (ପ୍ରାଣୀ) ସୁଖ ପାଇବାକୁ ଇଚ୍ଛା କରନ୍ତି। ଦୁଃଖରେ କାଳ କଟାଇବା କେହି ଚାହାନ୍ତି ନାହିଁ; କିନ୍ତୁ କ’ଣ ଏ ସୁଖ ଓ ଦୁଃଖର ପରିଭାଷା!

ମହାଭାରତର ଏକ ଉପାଖ୍ୟାନରେ, ଯକ୍ଷ ଯୁଧିଷ୍ଠିରଙ୍କୁ ପଚାରିଲେ ଯେ ଏ ଦୁନିଆରେ ସୁଖୀ କିଏ? ତାହାର ଉତ୍ତର ଦେଇ ଧର୍ମରାଜ ଯୁଧିଷ୍ଠିର କହିଥିଲେ ଯେ, ନିଋଣୀ ଅର୍ଥାତ୍‌ ଯେ ଋଣ କରିନାହିଁ, ନିରୋଗ- ଯାର ଶରୀର ରୋଗମୁକ୍ତ, ନିପ୍ରବାସୀ- ଯେ ପ୍ରବାସରେ ନୁହେଁ ସ୍ବଦେଶରେ ପରିବାର ସହ କାଳାତିପାତ କରେ ଓ ଯାହାକୁ ଦୁଇବେଳା ପେଟପୂରା ଭୋଜନ ପ୍ରାପ୍ତ ହୁଏ, ସେ ହିଁ ପ୍ରକୃତରେ ସୁଖୀ। ଏହା ତ ସୁଖ ପ୍ରାପ୍ତିର ଏକ ସରଳ ବ୍ୟାଖ୍ୟା; କିନ୍ତୁୁ ଆମେ ଯେଉଁ ସୁଖ ଆଶାକରୁ ବା ଯାହାକୁ ଆମେ ସାଧାରଣତଃ ସୁଖୀ ବୋଲି ବିଚାରକରୁ ଆମ ଭିତରେ ତାହାର ଏକ ଅନ୍ୟ ପ୍ରତିକୃତି ଅଛି। ଯାହାର ବହୁତ ଧନସମ୍ପତ୍ତି, ଭଲ ବଡ଼ ବାସଗୃହ, ଗାଡ଼ିମଟର, ଭଲ ରୋଜଗାରକ୍ଷମ ପୁତ୍ର, କନ୍ୟା ଓ ସମାଜରେ ପ୍ରତିପତ୍ତି ତାକୁ ହିଁ ସୁଖୀ ବୋଲି କହୁ। ଏହି ତଥାକଥିତ ସୁଖରେ ଧନ ସମ୍ପତ୍ତି ବା ଭୌତିକ ସୁଖର ଅଧିକ ପ୍ରଭାବ (ଆଲେଖ୍ୟ) ଥାଏ; କିନ୍ତୁ ପ୍ରକୃତରେ ଉପଯୁକ୍ତ ପ୍ରବୀଣତାର ସହ ବିଚାର କଲେ ଆମେ ଦେଖିବା ଯେ ଏହି ଦୁଃଖ ବା ସୁଖ, ଆମମାନଙ୍କର ଏକ ଆପେକ୍ଷିକ ମାନସିକ ସ୍ଥିତି। ଆମେ ସମସ୍ତେ ମଧ୍ୟ ଏ କଥା ଅଳ୍ପ ବହୁତେ ଅନୁଭବ କରିଛେ। କାରଣ ସୁଖ ବା ଦୁଃଖ, ବାହାରେ କୌଣସି ବିପଣିରେ ମିଳୁଥିବା ଏକ ଦ୍ରବ୍ୟ ନୁହେଁ। ଆମର ଦୃଷ୍ଟିଭଙ୍ଗୀ, ଆମର ଚିନ୍ତା ଶକ୍ତି ଓ ବିଚାରବୁଦ୍ଧି ଦ୍ବାରା ଆମେ ନିଜର ସୁଖ ବା ଦୁଃଖର କାରଣ ହେଉ। ଆମେ ନିଜେ ଏହାର ସ୍ରଷ୍ଟା ଓ ଏହା ହିଁ ସତ୍ୟ। ବେଳେବେଳେ ଆମର ଅଲକ୍ଷ୍ୟରେ ବା ଅଜାଣତରେ ଆମେ ଏକ ମାନସିକ ପରାଧୀନତାର ଶିକାର ହେଇଯାଉ। ଏଇ ଯେମିତି ଆମକୁ ଜଣେ ଭଲ କହିଲେ, ପ୍ରଶଂସାକଲେ ଆମେ ଖୁସି ହେବା। ଆମେ ଆଶା କରୁଥିବା ଭଳି ଭଲ ବ୍ୟବହାର ପାଇଲେ ବା ଘଟଣା ଘଟିଲେ ଆମେ ଖୁସି ହେବା, ଅର୍ଥାତ୍‌ ଆମର ସୁଖ ବା ଦୁଃଖ ପାଇଁ ଆମେ ଅନ୍ୟମାନଙ୍କ କାର୍ଯ୍ୟ ବା ବ୍ୟବହାର ଉପରେ ନିର୍ଭରଶୀଳ ହୋଇପଡ଼ୁ। ଏହା ହିଁ ପରାଧୀନତା। ଏଥିରୁ ମୁକ୍ତି ପାଇ ଧୀରେଧୀରେ ଆମକୁ ଏକ ସନ୍ତୁଳିତ ମାନସିକତାକୁ ଆପଣାଇବାକୁ ପଡ଼ିବ। ଅଧିକାଂଶ କ୍ଷେତ୍ରରେ ସକାରାତ୍ମକ ଭାବନା ଆମକୁ ମାନସିକ ଦୃଢ଼ତା ପ୍ରଦାନ କରିବ। ଫଳରେ ଅନ୍ୟମାନଙ୍କର, ଆମ ପ୍ରତି ବ୍ୟବହାର କୌଣସି ଏକ ଘଟଣା ଆମକୁ ମାନସିକ ସ୍ତରରେ ଅତ୍ୟନ୍ତ ପ୍ରଭାବିତ କରିପାରିବ ନାହିଁ।

ଦୁଇତିନିଟି ଘଟଣାର ଅବତାରଣା ବା ଉଦାହରଣ, ଆମ ଭିତରେ ଉପରୋକ୍ତ ଧାରଣାକୁ ଆଉ ଟିକେ ଅଧିକ ସ୍ପଷ୍ଟ ତଥା ଦୃଢ଼ କରିବ। ଗୁରୁବାର ଦିନ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ପ୍ରବେଶ କଲାବେଳେ ଦ୍ବାରମୁହଁରେ ଥିବା ଫୁଲବାଲା ମାଳୀ ଡାକଦେଲେ ଯେ, ‘ଆଜି ଗୁରୁବାରରେ ମହାଲକ୍ଷ୍ମୀଙ୍କୁ ପଦୁଅଁ ମାଳଟିଏ ଦିଅନ୍ତୁ ଆଜ୍ଞା।’ କାନରେ ବାଜିଲା ପଦ୍ମମାଳଟେ କିଣି ଜଣେ ଭକ୍ତ ଭିତରକୁ ଯାଇ ମା ମହାଲକ୍ଷ୍ମୀଙ୍କୁ ଦର୍ଶନ ଓ ନମସ୍କାର କରି ପୂଜକ ଭାଇନାଙ୍କ ହାତକୁ ଫୁଲମାଳଟେ ବଢ଼ାଇଦେଲେ। ମାଆଙ୍କୁ ମାଳଟେ ଚଢ଼ାଇବା (ଲାଗି କରିବା) ପାଇଁ ପୂଜକ ଭାଇନାଙ୍କୁ ଅନୁରୋଧ କରି ଓ ଦକ୍ଷିଣା ଦେଇ ଭଦ୍ରଲୋକ ଆଉ ଥରେ ମାଆଙ୍କୁ ପ୍ରଣାମ କରି ଖୁସି ମନରେ ମନ୍ଦିରରୁ ପଦାକୁ ବାହାରିଗଲେ। ପରେପରେ ଅନ୍ୟଜଣ ଭକ୍ତ ମନ୍ଦିର ପ୍ରବେଶ କରନ୍ତେ, ମାଳୀଙ୍କଠାରୁ ପଦ୍ମ ମାଳଟେ କିଣି ପୂଜକ ଭାଇନାଙ୍କୁ ଦେଲେ ଓ ଟିକେ ଚଞ୍ଚଳ ଲାଗି କରିବାକୁ ଅନୁରୋଧ କଲେ। ଭାଇନାଙ୍କୁ ଦକ୍ଷିଣା ବଢ଼େଇ ଭଦ୍ରଳୋକ ଜଣକ ଅ‌େ‌ପକ୍ଷା କଲେ ଦେଖିବାକୁ ଯେ ପ୍ରକୃତରେ ପୂଜକ ଭାଇନା ମାଳାଟିକୁ ମା’କୁ ଲାଗିକଲେ କି ନାହିଁ। ପୂଜକ ଭାଇନା ଜଣକ ଅନ୍ୟ ଭକ୍ତମାନଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ପୁଣି ସେମାନଙ୍କଠାରୁ ମଧ୍ୟ ମାଳ ଓ ଦକ୍ଷିଣା ନେଇ ଭିତରକୁ ଯାଉଯାଉ ଭିତର କାଠ ପାଖେ ଅନ୍ୟ ଭାଇନାଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ଟିକିଏ ରହିଯିବାରେ ସମୟ କିଛି ଅତିକ୍ରାନ୍ତ ହେଲା। ଏପଟେ ଅପେକ୍ଷାରତ ଭକ୍ତ ଜଣକ ଧୈର୍ଯ୍ୟ ହରାଇ ତାଙ୍କ ମାଳଟି ମା’ଙ୍କଠାରେ ଲାଗିଲା କି ନାହିଁ, ଦେଖିବାପାଇଁ ଟେକିହୋଇ ଚାହିଁଲେ। କିଛି ଠିକ୍‌ଭାବେ ତାଙ୍କୁ ଦିଶୁ ନାହିଁ। ମାଆଙ୍କ ଆଗଦେଇ ଅନେକ ପୂଜକଙ୍କ ଯିବା ଆସିବା ଭିତରେ ମାଳଟି ଠିକ୍‌ ଭାବେ ଲାଗିଲା କି ନାହିଁ ଜାଣି ହେଉନି। ଭକ୍ତ ଜଣଙ୍କ ମନରେ ଆସିଲା, ଯେ ସେଇ ମାଳକୁ ପୁଣି ଆଣି ମାଳୀପାଖରେ ଦେଇ ଆଉ ଥରେ ବିକା ଯାଉଛି କି କ’ଣ କିଏ ଜାଣେ! ଏମିତି ଅନେକ ଭାବନା ଓ ସନ୍ଦେହରେ, ଭକ୍ତ ଜଣକ ବ୍ୟସ୍ତତାରେ ଅଧିକ ସମୟ ଭିିତରେ ରହିଯିବାରେ, ଭିଡ଼ ଭାଙ୍ଗିବାପାଇଁ ମନ୍ଦିର ପୁଲିସ ଧରିଥିବା ବେତରେ ତାଙ୍କୁ ଟିକେ ଠିକେଇ ଦେଇ ଶୀଘ୍ର ବାହାରକୁ ବାହାରିଯିବା ପାଇଁ ନିର୍ଦେଶଦେଲେ। ଭକ୍ତ ଜଣକ ଅଗତ୍ୟା ବାଧ୍ୟ ହୋଇ ମନ କଷ୍ଟରେ ପଦାକୁ ବାହାରି ଆସିଲେ।

ଉପରୋକ୍ତ ଘଟଣାରେ ଉଭୟଙ୍କ କାର୍ଯ୍ୟକ୍ରମ ଏକାପରି ହୋଇଥିଲେ ମଧ୍ୟ ପ୍ରଥମ ବ୍ୟକ୍ତିଜଣକ ଖୁସି ମନରେ ବାହାରକୁ ଆସିଲାବେଳେ, ଦ୍ବିତୀୟ ବ୍ୟକ୍ତି ଜଣକ ମନଦୁଃଖରେ ପଦାକୁ ଆସିଲେ। ଉଭୟ କ୍ଷେତ୍ରରେ ନିଜର ମନର ଭାବନା ହେତୁ ହିଁ ଦୁଃଖ ବା ସୁଖ ଲାଭକଲେ। ଏଠାରେ ଏ ଦୁହେଁ ନିଜର ସୁଖ ବା ଦୁଃଖର ସ୍ରଷ୍ଟା। ପ୍ରଥମ ଲୋକ ମାଳଟି ପୂଜକଙ୍କୁ ଅର୍ପଣ କରି ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ଓ ତା’ପରଠୁ ଏହା ପୂଜକଙ୍କର ଦାୟିତ୍ବ ମନେ କରି ଖୁସିରେ ବାହାରିଗଲେ। ଦ୍ବିତୀୟ ଭକ୍ତ ଜଣକ ନିଜର କାମ ସାରି ଅନ୍ୟ ଜଣକ କାର୍ଯ୍ୟକୁ ଅପେକ୍ଷା କରିବାରେ ଓ ସର୍ବୋପରି ସନ୍ଦେହର ବଶବର୍ତ୍ତୀ ହୋଇ ଦୁଃଖ ପାଇଲେ। ଆମେ ଏ କଥା ବି ଲକ୍ଷ୍ୟ କରିଥିବା ଯେ କାହାରି ପିଲାଟି ପରୀକ୍ଷାରେ ଶତକଡ଼ା ୭୦ ନମ୍ବର ରଖିଥିବାରୁ ଘରେ ଆନନ୍ଦ ଓ ଉତ୍ସବ ଲାଗିଛି। ସମସ୍ତେ ଖୁସି ମନାଉଛନ୍ତି। ଅନ୍ୟପକ୍ଷରେ ସେହି ପରୀକ୍ଷାରେ ଶତକଡ଼ା ୯୪ ନମ୍ବର ରଖିଥିବା ପିଲାଟି ଘରେ ଅନେକ ଦୁଃଖ ଓ ଅଶାନ୍ତି, ଦିନେ ଦୁଇଦିନ ଭଲରେ ଖାଇବା ପିଇବା ମଧ୍ୟ ହୋଇପାରିଲା ନାହିଁ। କାରଣ ଦ୍ବିତୀୟ କ୍ଷେତ୍ରରେ ପରୀକ୍ଷାର ଫଳାଫଳ ଆଦୌ ପିତାମାତାଙ୍କ ଆଶା ମୁତାବକ ହେଲାନାହିଁ। ନିଜନିଜର ମାନସିକତାରୁ ସୃଷ୍ଟ ଏ ପରିସ୍ଥିତି। ଆମର ଅନେକ ଅନୁଚିତ ଆଶା ହିଁ ଅଧିକାଂଶ କ୍ଷେତ୍ରରେ ଆମ ପାଇଁ ଦୁଃଖର କାରଣ ହୁଏ। ପରୀକ୍ଷାରେ ପିଲାମାନେ ଭଲ ମାର୍କ ରଖିବା ଭଲ କଥା; କିନ୍ତୁ ଏହା ଜୀବନର ସବୁକିଛି ନୁହେଁ। ଜୀବନର ବ୍ୟାପକତା ଏହାଠାରୁ ଅନେକ ଉଚ୍ଚରେ। ଏ କଥା ବିଚାର କରିବାକୁ ପଡ଼ିବ।

ଘଟଣା ତ ସ୍ବାଭାବିକ ଭାବେ ଘଟେ; କିନ୍ତୁ ଆମର ଦୃଷ୍ଟିଭଙ୍ଗୀ ତଥା ଭାବନା ଅନୁସାରେ ଏହାର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ଆମ ମନରେ ଭିନ୍ନଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରେ। ଏହା ଆମର ଚିନ୍ତା ଓ ଚେତନାକୁ ବହୁଳଭାବେ ପ୍ରଭାବିତ କରି ସୁଖ ଓ ଦୁଃଖର କାରଣ ହୁଏ। କର୍ତ୍ତବ୍ୟ ସମ୍ପାଦନରେ ନିଷ୍ଠା, ସକାରାତ୍ମକ ତଥା ଉଦାର ମନୋଭାବ ପୋଷଣ କରିବା ସହ, ଅନ୍ୟମାନଙ୍କର ମନ୍ତବ୍ୟ ଓ କାର୍ଯ୍ୟକୁ ସହଜ ଭାବେ ଗ୍ରହଣ କରିବା, ଆମକୁ ସନ୍ତୋଷ ତଥା ଆନନ୍ଦ ପ୍ରଦାନ କରିବ। ପ୍ରକୃତରେ ଆମେ କ’ଣ ଚାହୁଁ, ସୁଖ ନା ଦୁଃଖ, ନିଷ୍ପତ୍ତି ଅନେକାଂଶରେ ଆମ ନିଜର। ସୁତରାଂ ଆସନ୍ତୁ ଏକ ଉନ୍ନତ ଦୃଷ୍ଟିଭଙ୍ଗୀ ତଥା ଉଦାର ମନୋଭାବ ନେଇ ସାମଗ୍ରିକ ଭାବେ ନିଜର, ପରିବାରର ଓ ସମାଜର ଆନନ୍ଦ ପାଇଁ ସୁଖ ପାଇଁ ନିଜକୁ ପ୍ରସ୍ତୁତ କରିବା। ମାନସିକ ସ୍ବାଧୀନତା ସହ ଜୀବନକୁ ଆନନ୍ଦରେ ଭରିଦେବା। ଏହା ହିଁ ସୁଖଲାଭର ପ୍ରକୃତ ଅବଲମ୍ବନ।

Comments are closed.