ବିସ୍ତାରବାଦୀ ଚୀନକୁ ସାବଧାନ
ଶରତ ମହାପାତ୍ର
୧୯୨୧ରେ ସୃଷ୍ଟି ହୋଇଥିବା ଚୀନ୍ର କମ୍ୟୁନିଷ୍ଟ ପାର୍ଟି ୨୦୨୧ ଜୁଲାଇ ୧ରେ ତା’ର ଶତବାର୍ଷିକ ପାଳନ କରିଛି। ଏହି ଅବସରରେ ଚୀନ୍ର ସର୍ବଶକ୍ତିମାନ ନେତା କମ୍ୟୁନିଷ୍ଟ ପାର୍ଟିର ସେକ୍ରେଟାରୀ ଜେନେରାଲ, ଚୀନ୍ ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ତଥା ରାଷ୍ଟ୍ରପତି ସି ଜିନ୍ପିଙ୍ଗ ପ୍ରଖ୍ୟାତ ତିଆନେନମେନ୍ ଚୌକରେ ମିଳିତ ବାହିନୀର ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ତାଙ୍କ ଅଭିଭାଷଣରେ ଚୀନ୍ର ୧୪୦କୋଟି ଲୋକ ବିଦେଶୀ ଶକ୍ତି ତାଙ୍କ ଦେଶକୁ ଧମକାଇବାକୁ କେବେ ବି ସହିବେ ନାହିଁ ଏବଂ ଯଦି କିଏ ଏଭଳି ଉଦ୍ୟମ କରେ ତେବେ ଚୀନ-ପ୍ରାଚୀରରେ ସେମାନଙ୍କ ମୁଣ୍ଡ କଚାଡ଼ି ଫଟାଇ ଦିଆଯିବ ବୋଲି କହିଛନ୍ତି। ଚୀନ୍ର କମ୍ୟୁନିଷ୍ଟ ପାର୍ଟି କ୍ଷମତା ହାସଲ ପରଠାରୁ ଏହା ବିପକ୍ଷରେ ଭିନ୍ନ ମତ ରଖୁଥିବା ବ୍ୟକ୍ତିଙ୍କୁ ନୃଶଂସ ହତ୍ୟା, ଯାତନା ପ୍ରଦର୍ଶନର ଦୀର୍ଘ ଫର୍ଦ ଇତିହାସରେ ସ୍ଥାନିତ। ଜର୍ମାନୀର ନାଜିବାଦୀ, ଇଟାଲୀର ଫାସିବାଦୀଙ୍କଠାରୁ କ୍ରୂରତା ପ୍ରଦର୍ଶନରେ ତୁଳନାତ୍ମକ ଭାବେ ଚୀନର କମ୍ୟୁନିଷ୍ଟ ପାର୍ଟି ବହୁ ଆଗରେ।
୨୦୨୧ରେ ଚୀନ୍ କମ୍ୟୁନିଷ୍ଟ ଶାସନର ଶତବାର୍ଷିକୀ ଉତ୍ସବ ପାଳନ କରୁଥିବାବେଳେ ଭାରତ ପକ୍ଷରୁ କୌଣସି ସୌଜନ୍ୟମୂଳକ ଶୁଭେଚ୍ଛା ଜ୍ଞାପନ କରାଯାଇ ନଥିଲା; ମାତ୍ର ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ୮୬ତମ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରକାଶ୍ୟରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏଥିସହ ଚୀନ୍ର ଶତ୍ରୁରାଷ୍ଟ୍ର ଭିଏତ୍ନାମ କମ୍ୟୁନିଷ୍ଟ ପାର୍ଟିର ବାର୍ଷିକ ଉତ୍ସବ ପାଳନ ଅବସରରେ ମୋଦୀ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏହା ଚୀନକୁ କରିଛି ଅଧିକ କ୍ଷୁବ୍ଧ। ୧୯୫୯ ମସିହାରେ ଚୀନଦ୍ବାରା ତିବ୍ବତ ଅତିକ୍ରମଣ ହେବାପରେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ଏବଂ ତାଙ୍କ ସହ ଆସିଥିବା ଶରଣାର୍ଥୀମାନଙ୍କୁ ଭାରତ ଆଶ୍ରୟ, ପ୍ରୋତ୍ସାହନ ଓ ସମ୍ମାନ ପ୍ରଦାନକୁ ଚୀନ୍ ଏ ପର୍ଯ୍ୟନ୍ତ ଗ୍ରହଣ କରିପାରି ନାହିଁ। ଦଲାଇ ଲାମାଙ୍କୁ ସମଗ୍ର ବିଶ୍ବ ଆଦର, ସମ୍ମାନ ପ୍ରଦର୍ଶନ କରୁଥିବାବେଳେ ଚୀନ ତାଙ୍କୁ ଅତି ସନ୍ଦେହ ଚକ୍ଷୁରେ ଦେଖି ଆସିଛି। ଲଦାଖରେ କେତେକ ତିବ୍ବତୀୟ ଶରଣାର୍ଥୀ ଦଲାଇଲାମାଙ୍କ ଜନ୍ମ ଦିବସରେ ଏକତ୍ର ହୋଇ ଆନନ୍ଦ ଉଲ୍ଲାସରେ ମାତିଥିବାବେଳେ ଚୀନର ସୀମା ସୁରକ୍ଷାବାହିନୀ ଏକ ଲାଲ ରଙ୍ଗର ‘ବ୍ୟାନର’ ଦେଖାଇ ଏହାକୁ ବିରୋଧ କରିଥିଲେ। ଏଥିରୁ ଚୀନ୍ର ମନ୍ଦ ଭାବନାର ଗନ୍ଧ ବାରି ହୁଏ।
ଭାରତ-ଚୀନ ସୀମାନ୍ତରେ ଦେଖା ଦେଇଥିବା ଉତ୍ତେଜନା ୨୦୨୦ ଜୁନ୍ ୧୫ରେ ଲଦାଖର ‘ଗଲୱାନ’ ଠାରେ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଏହାକୁ ନେଇ ଯୁଦ୍ଧ ଆଶଙ୍କା ଦେଖା ଦେଇଥିଲା। କୂଟନୀତିକ ଓ ସେନାସ୍ତରୀୟ ଆଲୋଚନା ଜରିଆରେ ଏହା ପ୍ରଶମିତ ହୋଇଥିଲେ ମଧ୍ୟ କେତେକ ସ୍ପର୍ଶକାତର ଅଞ୍ଚଳରୁ ଚୀନ ତା’ର ସୈନ୍ୟ ଅପସାରଣ କରିନାହିଁ। ଉଭୟ ପକ୍ଷ ସେଠାରେ ପ୍ରାୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଲଦାଖ, ସିକିମ ତଥା ଅରୁଣାଚଳ ପ୍ରଦେଶ ସୀମାନ୍ତରେ ଚୀନ୍ ସେନାଙ୍କ ଶିବିର ନିର୍ମାଣ, କଂକ୍ରିଟ ବଙ୍କର ନିର୍ମାଣ, ଉନ୍ନତମାନର ରାସ୍ତାନିର୍ମାଣ; ତିବ୍ବତ ଅଞ୍ଚଳରେ ବିମାନଘାଟି ତଥା ତୀବ୍ରଗତି ରେଳ ଚଳାଚଳର ବ୍ୟବସ୍ଥା ସହ ସୈନ୍ୟବଳ ଓ ଯୁଦ୍ଧାସ୍ତ୍ର ଠୁଳ ଚୀନ୍ର ବିସ୍ତାରବାଦ ଚିନ୍ତାଧାରାକୁ ପୁଣି ପ୍ରଦର୍ଶିତ କରେ। ଉତ୍ତରାଖଣ୍ଡର ସୀମାବର୍ତ୍ତୀ ବାରାହୋତିଠାରେ ଚୀନ୍ସେନା କ୍ରମାଗତ ଡ୍ରୋନ୍, ୟୁଏଭି ଉଡ଼ାଣ କରୁଥିବା ସହ ‘ବାୟୁ ପ୍ରତିରକ୍ଷା ପ୍ରଣାଳୀ’ ମୁତୟନ କରିଛି। ପାଙ୍ଗ୍ ସୁ ପ୍ରଦେଶର ମରୁଭୂମି ଭିତରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଗୁପ୍ତସୁଡ଼ଙ୍ଗ ନିର୍ମାଣ କରି ଚୀନ ତା’ର ପରମାଣୁ ଅସ୍ତ୍ର ଓ ଦୂରଗାମୀ କ୍ଷେପଣାସ୍ତ୍ର ଲୁଚାଇ ରଖୁଥିବା ଖବର ଆମେରିକାର ‘ଦି ୱାଶିଂଟନ’ ପତ୍ରିକାରେ ପ୍ରକାଶ ପାଇଛି। ୨୦୨୧ ଜୁଲାଇ ୨୩ରେ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ଅରୁଣାଚଳ ପ୍ରଦେଶ ସୀମାନ୍ତ ତିବ୍ବତୀୟ ସହର ପରିଦର୍ଶନ କରିଛନ୍ତି।
ଦଲାଇଲାମା ହେଉଛନ୍ତି ତିବ୍ବତୀୟମାନଙ୍କର ଧର୍ମଗୁରୁ, ପୁଣ୍ୟପ୍ରାଣ ତଥା ଜାତୀୟତାର ପ୍ରତୀକ। ଚୀନ୍ ନିଜ ତରଫରୁ ଏପରି ଜଣେ ବ୍ୟକ୍ତିଙ୍କୁ ‘ଲାମା’ ଭାବରେ ପ୍ରତିଷ୍ଠା କରିବାକୁ ଚାହଁଛି; ଯିଏ ଚୀନ କମ୍ୟୁନିଷ୍ଟ ପାର୍ଟି ପ୍ରତି ସମର୍ଥିତ ଥିବ। ଚୀନ୍ର ଏହି ନୀତି ପୂରଣ ହୋଇଗଲେ ତା’ର ତିବ୍ବତ ନୀତିକୁ ଏହା ବଳଶାଳୀ କରାଇବ। ୨୦୨୧ ମେ ମାସରେ ଏକ ‘ଶ୍ବେତପତ୍ର’ ପ୍ରକାଶ କରି ଚୀନ୍ ଦଲାଇଲାମାଙ୍କ ଉତ୍ତରାଧିକାରୀ ମନୋନୟନ କରିବ ବୋଲି ଦର୍ଶାଇଛି। ତିବ୍ବତୀୟମାନଙ୍କୁ ସ୍ବାୟତ୍ତତା ପ୍ରଦାନକୁ ପ୍ରତ୍ୟାଖ୍ୟାନ କରି ଆସିଥିବା ଚୀନ୍ ଏବେ ମଧ୍ୟ ଏହା ସପକ୍ଷରେ ନାହିଁ। ଯେବେ ତିବ୍ବତ ଉପରେ ଚୀନର ସାର୍ବଭୌମତ୍ବକୁ ଭାରତ ସ୍ବୀକାର କରିଥିଲା; ସେତେବେଳେ ତିବ୍ବତକୁ ଚୀନର ସ୍ବାୟତ୍ତତା ପ୍ରଦାନ କରାଯିବା ପ୍ରତି ଭାରତ ସର୍ତ୍ତ ରଖିଥିଲା ମାତ୍ର ତାହାକୁ ଚୀନ୍ ରଖିନାହିଁ। ଚୀନ ଯେହେତୁ ପୂର୍ବ ବୁଝାମଣା ଓ ଚୁକ୍ତିକୁ ସ୍ବୀକାର କରୁନାହିଁ, ଭାରତ ମଧ୍ୟ ‘ଯେସାକୁ ତେସା’ ନୀତି ଗ୍ରହଣ କରି ନିଜ ପ୍ରତିଶ୍ରୁତିର ପୁନଃବିଚାର କରିବା ଆବଶ୍ୟକ। ତେଣୁ ସମୟ ଉପନୀତ, ଭାରତ ତା’ର ତିବ୍ବତ ନୀତିରେ ପରିବର୍ତ୍ତନ କରିବା ଉଚିତ।
ଭାରତ ତିବ୍ବତୀୟ ଶରଣାର୍ଥୀଙ୍କ ମଧ୍ୟରୁ କେତେକଙ୍କୁ ମନୋନୀତ କରି ‘େସ୍ପସାଲ ଫ୍ରଣ୍ଟିଅର ଫୋର୍ସ’ (ଏସ୍ଏଫ୍ଏଫ୍) ଗଠନ କରିଛି। ୨୦୨୦ ଅଗଷ୍ଟ ୩୧ ତାରିଖରେ ଗୁରୁଙ୍ଗ୍ ପାର୍ବତ୍ୟାଞ୍ଚଳର ଚୁସୁଲରେ ‘ଏସଏଫ୍ଏଫ’ର କମାଣ୍ଡୋ ନାଇମା ତେଜନିନ୍ ଏକ ଘାତକ ବିସ୍ଫୋରଣରେ ସହିଦ ହୋଇଥିଲେ। ‘ସୋନିପ୍ଲିଙ୍ଗ’ ଶରଣାର୍ଥୀ ଶିବିରରେ ସେହି କମାଣ୍ଡୋଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ବିଜେପିର ନେତା ରାମ ମାଧବ ଯୋଗ ଦେଇଥିଲେ ଯାହା ଭାରତର ତିବ୍ବତ ସପକ୍ଷ ନୀତିକୁ ସୂଚାଇ ଥିଲା। ଏଥିରେ ଏହି କମାଣ୍ଡୋ ବାହିନୀ ହୋଇଥିଲେ ଅଧିକ ଉତ୍ସାହିତ। ମାତ୍ର ଶେଷ କୃତ୍ୟ ସମ୍ପର୍କରେ କରିଥିବା ‘ଟଇଟ୍’କୁ ପ୍ରକାଶ ପାଇବାର କିଛି ସମୟ ପରେ ହଟାଇ ଦିଆଯିବା କାରଣରୁ ଭାରତରେ ରହୁଥିବା ତିବ୍ତୀୟ ଶରଣାର୍ଥୀମାନେ ଅନ୍ତରରେ କଷ୍ଟ ଅନୁଭବ କରିଥିଲେ ମଧ୍ୟ ତାହା ପ୍ରକାଶ କରି ନଥିଲେ ବୋଲି ତିବ୍ବତ୍ ନୀତି ପ୍ରତିଷ୍ଠାନର ୟାସି ଦାୱା କହିଛନ୍ତି। ତିବ୍ବତୀୟମାନଙ୍କୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା ରାଶି ହ୍ରାସ କରିଦେବାକୁ ବୈଦେଶିକ ନୀତି ବିଶାରଦମାନେ ଗ୍ରହଣ କରିପାରୁ ନାହାନ୍ତି। ଚୀନ୍ ଏବେ ତିବ୍ବତର ଯୁବକଙ୍କୁ ନେଇ ଏକ ବାହିନୀ ଗଠନ କରି ୧୮ହଜାର ଫୁଟ ଉଚ୍ଚ ପ୍ରବଳ ଥଣ୍ଡା ଅଞ୍ଚଳରେ ଲଢ଼ାଇ ପାଇଁ ତାଲିମ ପ୍ରଦାନ କରୁଥିବା ଗୁଇନ୍ଦା ସୂଚନା ମିଳୁଛି।
ବିଗତ କିଛି ବର୍ଷ ଭିତରେ ଭାରତ ଚୀନ ବିରୋଧରେ ଯେଉଁ ଆର୍ଥିକ, କୂଟନୈତିକ ଅସ୍ତ୍ର ପ୍ରୟୋଗ କରିଛି ସେଥିରେ ଚୀନ୍ ବ୍ୟତିବ୍ୟସ୍ତ ହୋଇପଡ଼ିଛି; ତେଣୁ ପ୍ରତିଶୋଧ ଜ୍ବାଳାରେ ସୀମାନ୍ତକୁ ଅଶାନ୍ତ କରି ଭାରତ ଉପରେ ଦାଉ ସାଧିବାକୁ ବେଜିଂର ନେତୃବର୍ଗଙ୍କ ପାଇଁ ଏବେ ଏକ ସାଧନ ପାଲଟିଛି। ଏଥିରେ କ୍ଷେତ୍ରୀୟ ଓ ବୈଶ୍ବିକ ଶାନ୍ତି, ସ୍ଥିରତା ଯେ କ୍ଷୁଣ୍ଣ ହେଉଛି ତାହା ବୁଝିବାକୁ ଚୀନ୍ ଆଦୌ ପ୍ରସ୍ତୁତ ନୁହେଁ।
ଚୀନ୍ ତା’ର ସ୍ବୟଂଶାସିତ ଅଞ୍ଚଳ ଜିନଜିଆଙ୍ଗଠାରେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ବାଧ୍ୟତାମୂଳକ ଶ୍ରମ ଶିବିରରେ ରଖି ସେମାନଙ୍କୁୁ ଦେଉଛି ଅସହ୍ୟ ନିର୍ଯାତନା। ମୁସଲମାନଙ୍କ ସଂଖ୍ୟା କମାଇବାକୁ ଜୋର ଜବରଦସ୍ତ ବନ୍ଧ୍ୟାକରଣ କରୁଥିବାର ସମ୍ବାଦ ସମଗ୍ର ବିଶ୍ବବାସୀଙ୍କୁ କରିଛି ଚକିତ। ବିଗତ ଶହେବର୍ଷ ମଧ୍ୟରେ ମାନବିକତାର ହତ୍ୟା କରି ଆସିଥିବା ଚୀନ୍ କମ୍ୟୁନିଷ୍ଟ ପାର୍ଟି ଏବେ ମଧ୍ୟ କରୋନା ଜରିଆରେ ବିଶ୍ବର ମାନବିକତା ଉପରେ ଆକ୍ରମଣ ଜାରି ରଖିଛି। ୧୯୮୯ରେ ଗଣତନ୍ତ୍ର ଦାବି କରୁଥିବା ୧୦ ହଜାରରୁ ଊର୍ଦ୍ଧ୍ବ ପ୍ରଦର୍ଶନକାରୀଙ୍କୁ ହତ୍ୟା କରାଯାଇଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଥିଲେ ଯାହାକୁ ଚୀନ କେବେ ମାନି ନାହିଁ। ତଥାପି ଭାରତରେ ବସିଥିବା କେତେକ ଚୀନ ଏଜେଣ୍ଟ ଏବେ ମଧ୍ୟ ସିପିପିର ଶହେବର୍ଷ ପୂର୍ତ୍ତି ଅବସରରେ ଚୀନ୍ର ଗୁଣଗାନ କରିବାରେ ଲାଗିଛନ୍ତି। ଏହା ହିଁ ବିଡ଼ମ୍ବନାର ବିଷୟ।
ଭାରତ-ଚୀନ ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବ, ସୀମାନ୍ତ ଶାନ୍ତ ରହିବ, ସୀମା ବିବାଦର ସମାଧାନ ହୋଇଯିବ-ଏପରି ଯେଉଁ ଚିନ୍ତା କରାଯାଉଥିଲା, ତାହା ଭୁଲ୍ ପ୍ରମାଣିତ ହୋଇଛି। ଆମର ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାରକୁ ଚୀନ୍ ବରଂ ଦୁର୍ବଳତା ବୋଲି ବିଚାର କରୁଛି। ବିସ୍ତାରବାଦୀ ଓ ଆକ୍ରୋଶ ଚିନ୍ତାଧାରା ରଖିଥିବା ଚୀନ୍ ସହ ଆକ୍ରମଣାତ୍ମକ ବ୍ୟବହାର କରାଯିବା ଉଚିତ୍ ହେବ ବୋଲି ଉଠୁଚି ସ୍ବର। ‘କ୍ବାଡ’ ସଂଗଠନରେ ସାମିଲ ହେବା, ତିବ୍ବତ, ତାଇୱାନ୍, ଭିଏତ୍ନାମ୍, ହଂକଂ, ଦକ୍ଷିଣ-ଚୀନ-ସାଗର ପ୍ରସଙ୍ଗରେ ଭାରତ ତା’ର କୂଟନୀତିକୁ ଅଧିକ ଶାଣିତ କରିବା ଉପରେ ଜୋର ଦେବାର ସମୟ ଆସିଯାଇଛି। ଚୀନ୍ ଯେଉଁ ଭାଷା ବୁଝେ, ଭାରତ ତାକୁ ସେଇ ଭାଷାରେ ପ୍ରତ୍ୟୁତ୍ତର ଦେବା ବର୍ତ୍ତମାନ ସମୟର ଆବଶ୍ୟକତା।
Comments are closed.