ଭାରତ ଓ ତାଲିବାନ

ବିପିନ ବିହାରୀ ମିଶ୍ର

ଅଗଷ୍ଟ ତିରିଶ ତାରିଖ ସୁୁଦ୍ଧା ଆମେରିକାର ସବୁ ସୈନ୍ୟ ଆଫ୍‌ଗାନିସ୍ତାନ ଛାଡ଼ି ନିଜ ଦେଶକୁ ଫେରିଯିବେ। ପୂର୍ବରୁ ଏଇଭଳି ଦୁଇଥର ହୋଇଛି, ଭିଏତ୍‌ନାମ ଦଖଲ କରି ଆମେରିକା ପଛଘୁଞ୍ଚା ଦେଲା; ଇରାକ ଦଖଲ କରି ସେଇଠାରୁ ଫେରିଗଲା। ଭିଏତ୍‌ନାମର ଅଧିବାସୀଙ୍କର ପ୍ରତିଆକ୍ରମଣର ସମ୍ମୁଖୀନ ନ ହୋଇପାରି ଆମେରିକା ସୈନ୍ୟ ଫେରିଗଲେ। ଇରାକ୍‌ରେ ମଧ୍ୟ ସେଇ ଅବସ୍ଥା ହେଲା। ଏବେ ଆଫଗାନିସ୍ତାନ। ଆମେରିକା ଅନ୍ୟ ଏକ ଦେଶକୁ ଦଖଲ କରିବା ଜାଣିଛି, କାରଣ ତା’ର ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସବୁ ଦେଶଠାରୁ ଉନ୍ନତ; କିନ୍ତୁୁ ଦଖଲ କରିସାରି କବ୍‌ଜାରେ ରଖିବାର କଳା ଆମେରିକା ଶିଖିନାହିଁ। ସେ ବିଦ୍ୟା ଇଂଲଣ୍ଡକୁ ଭଲ ଜଣା ଅଛି। ଅବଶ୍ୟ ଆଫଗାନିସ୍ତାନର କଥା ଅଲଗା। ମହାରାଜା ରଣଜିତ ସିଂହଙ୍କ ବ୍ୟତୀତ କୌଣସି ରାଜା ଓ ଦେଶ ଆଫଗାନିସ୍ତାନକୁ ଦଖଲ କରିପାରିନାହାନ୍ତି। ଆଫଗାନମାନେ ବୀର, ଦୁର୍ଦ୍ଧର୍ଷ ଓ ସ୍ବାଧୀନତାପ୍ରେମୀ।

ଆମେରିକା ଯେତିକି ଓହରିଯାଉଛି ତାଲିବାନ ସେତିକି ଧସେଇ ପଶୁଛି। ୧୯୭୯ରେ ସୋଭିଏତ୍‌ ରୁଷିଆ ସୈନ୍ୟବାହିନୀ ପଠାଇ ଆଫଗାନିସ୍ତାନକୁ ଦଖଲ କରିନେଲା। ଅନେକ ଆଫଗାନ ପଳେଇଗଲେ ପାକିସ୍ତାନକୁ ଏବଂ ପାକିସ୍ତାନ ମୁସଲିମ୍‌ ଦେଶମାନଙ୍କୁ ସାହାଯ୍ୟ ମାଗି ଟଙ୍କା ଠୁଳକଲା। ଆମେରିକା ଓ ୟୁରୋପୀୟ ଦେଶରୁ ଆଧୁନିକ ଅସ୍ତ୍ରଶସ୍ତ୍ର ଆଣିଲା ଏବଂ ଏକ ଜେହାଦବାହିନୀ ଗଠନକଲା। ଏମାନଙ୍କୁ ଗରିଲା ବାହିନୀ ହିସାବରେ ବ୍ୟବହାର କରାଗଲା। ସୋଭିଏତ୍‌ ରୁଷିଆ ବିରୋଧରେ ଅନେକ ଦେଶ କାମକଲେ, ଏପରି କି କମ୍ୟୁନିଷ୍ଟ ଦେଶ ହୋଇ ମଧ୍ୟ ମଧ୍ୟ ଚୀନ ଗୁପ୍ତରେ ପ୍ରଶିକ୍ଷକ ପଠାଇ ଜେହାଦିମାନଙ୍କୁ ଗୁପ୍ତରେ ତାଲିମଦେଲା। ତାଲିବାନ୍‌ ବୋଲି ଏକ ସଂସ୍ଥା ପାକିସ୍ତାନ ଗଠନକଲା। ଆଫଗାନିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କ ମଧ୍ୟରେ ଆସିଥିବା ଯୁବବାହିନୀ, ଲେବାନନ୍‌, ଜୋଡ଼ାନ୍‌, ବାହାରିନ୍‌, ମରକ୍କୋ ଇତ୍ୟାଦି ମୁସଲମାନ ଦେଶ ମଧ୍ୟରୁ ଅନେକ ସୈନ୍ୟ ସଂଗ୍ରହ କରାଗଲା ଓ ରୁଷିଆକୁ କଡ଼ା ଜବାବ ଦିଆଗଲା।

ଆଫଗାନିସ୍ତାନର ଦକ୍ଷିଣରେ ହଲମୁଡ଼ ବୋଲି ଏକ ପ୍ରଦେଶ ଅଛି ଯେଉଁଠାରେ ଖୋଲାଖୋଲି ଭାବରେ ଗଞ୍ଜେଇ, ଅଫିମ ଚାଷ କରାଯାଏ। ଗଞ୍ଜେଇ, ଅଫିମ ଚାଷ ବନ୍ଦ କରିବାପାଇଁ କୌଣସି ଆଇନ ନାହିଁ, ବରଂ ସରକାର ଗଞ୍ଜେଇ, ଅଫିମ, ହେରୋଇନ ଇତ୍ୟାଦି ଇରାନ୍‌, ଇରାକ ବାଟଦେଇ ତୁର୍କୀରେ ପ୍ରବେଶ କରାଉଥିଲେ ଓ ତୁର୍କୀରୁ ଏ ସବୁ ୟୁରୋପଦେଇ ଆମେରିକା ଯାଉଥିଲା। ଏଇ ସବୁକୁ ବନ୍ଦ କରିଦେଲେ ଆଫଗାନିସ୍ତାନ ସରକାର ଘୋର ଆର୍ଥିକ ସଂକଟରେ ପଡ଼ିବେ। ଏ ସବୁ ଜିନିଷ ଶସ୍ତାରେ ମିଳୁଥିବାରୁ ସୋଭିଏତ୍‌ ସୈନିକଙ୍କ ମଧ୍ୟରୁ ଅନେକ ନିଶାସକ୍ତ ହୋଇଗଲେ।

ପାକିସ୍ତାନୀ ସୈନିକଙ୍କ ଦ୍ବାରା ତାଲିମପାଇ ତାଲିବାନମାନେ ଘମାଘୋଟ ଲଢ଼େଇ କଲେ। ତାଲିବାନର ଅର୍ଥ ହେଲା ଶିକ୍ଷାର୍ଥୀ। ଅନ୍ୟ ଏକ ଅର୍ଥ ହେଲା ପବିତ୍ର। ସେମାନେ ଯେତିକି ସ୍ଥାନ ମାଡ଼ିବସିଲେ ସେଇଠି କଡ଼ାକଡ଼ି ଭାବରେ ଇସଲାମ ନିୟମ ଜାରିକଲେ। ଯଥା: ଜଣେ ମହିଳା ଏକୁଟିଆ ରାସ୍ତାକୁ ଯାଇପାରିବ ନାହିଁ। ଦ୍ବିତୀୟରେ ସବୁବେଳେ ବୁର୍ଖା ପିନ୍ଧି ଯିବ। ପୁଣି ଯଦି ତା’ ପ୍ରତି କେହି ଦୁର୍ବ୍ୟବହାର କରେ ତେବେ ଦୁର୍ବ୍ୟବହାରୀକୁ ଚାବୁକ୍‌ ମାଡ଼ ଦିଆଯିବ। ତା’ ସାଙ୍ଗରେ ଦୁର୍ବ୍ୟବହାରର ଶିକାର ହୋଇଥିବା ମହିଳାଙ୍କୁ ମଧ୍ୟ ଚାବୁକ୍‌ ମାଡ଼ ଦିଆଯିବ। ଯଦି କୌଣସି ମହିଳାଙ୍କ ଚରିତ୍ର ଉପରେ ସାମାନ୍ୟ ସନ୍ଦେହ ହୁଏ ତେବେ ମୁଲ୍ଲା ତା’ର ବିଚାର କରିବେ ଓ ସେ ମହିଳାଙ୍କୁ ପଥର ମାରିମାରି ପ୍ରାଣଦଣ୍ଡ ଦିଆଯିବ।

ଏଇଭଳି ଅତ୍ୟାଚାରପୂର୍ଣ୍ଣ ସରକାରୀଶାସନ ବିରୋଧରେ ଆମେରିକା ଓ ଅନେକ ଗଣତାନ୍ତ୍ରିକ ସରକାର ସୈନ୍ୟ ଠୁଳକରି ଆଫଗାନିସ୍ତାନରେ ପ୍ରବେଶ କଲେ ଓ ତାଲିବାନ୍‌ଙ୍କୁ ଉଠେଇଲେ। ସେଇ ତାଲିବାନ୍‌ମାନେ ପୁଣି ପାକିସ୍ତାନ ଫେରିଗଲେ ଓ ପାକିସ୍ତାନ ସେମାନଙ୍କୁ ଆଶ୍ରୟ ଦେଲା। ଅନେକ ତାଲିବାନ ଆଫଗାନିସ୍ତାନରେ ଲୁଚିରହି ନିଜର ସଂଖ୍ୟା ବଢ଼ାଇବାରେ ଲାଗିଲେ ଓ ମୁହାଁମୁହିଁ ଯୁଦ୍ଧ ନ କରି ସନ୍ତ୍ରାସବାଦରେ ଲିପ୍ତ ରହିଲେ। ଯେଉଁ ତାଲିବାନ୍‌ମାନେ ପାକିସ୍ତାନରୁ ଚାଲିଗଲେ ସେମାନଙ୍କୁ ଭାରି ଦଣ୍ଡଦେବା କିମ୍ବା ଆଫଗାନିସ୍ତାନ ସରକାରଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ପାକିସ୍ତାନ ସେମାନଙ୍କୁ ସାଦର ଗ୍ରହଣକଲା; ଅଥଚ ଘୋଷଣା କଲା ଯେ ପାକିସ୍ତାନରେ ତାଲିବାନ ନାହାନ୍ତି। ଏଇଟା କିଛି ନୂଆକଥା ନୁହଁ। ଅନେକ ସନ୍ତ୍ରାସବାଦୀଙ୍କୁ ଆଶ୍ରୟଦେଇ ପାକିସ୍ତାନ ଘୋଷଣା କରେ ଯେ ତାଙ୍କ ଦେଶରେ ସନ୍ତ୍ରାସବାଦୀ ନାହାନ୍ତି। ଗୋଟିଏ ଉଦାହରଣ ହେଉଛି ଦାଉଦ ଇବ୍ରାହିମ୍‌। କରାଚିରେ ତାଙ୍କୁ ବିରାଟ ଘର ଦିଆଯାଇଛି ଓ ପାକିସ୍ତାନର ସୀମାନ୍ତ ପୁଲିସ୍‌ (ରେଞ୍ଜର୍ସ) ତାଙ୍କୁ ଦିନରାତି ଜଗୁଛନ୍ତି। ପାକିସ୍ତାନ ଫାଙ୍କୁଚି ଯେ ଦାଉଦ୍‌ ଇବ୍ରାହିମ ପାକିସ୍ତାନରେ ନାହିଁ। ସେଇ ଦାଉଦ ଇବ୍ରାହିମର ଝିଅ ପାକିସ୍ତାନର ବିଖ୍ୟାତ କ୍ରିକେଟ ଖେଳାଳିଙ୍କ ପୁଅକୁ ବାହା ହେଇଛି। ବାହାଘର ହେଲା ଦୁବାଇରେ ଓ ତାକୁ ଧରିବାପାଇଁ ସମସ୍ତ ଚେଷ୍ଟା ହୋଇଥିଲା। ସାମାନ୍ୟ ତ୍ରୁଟିଯୋଗୁଁ ସେ ରକ୍ଷା ପାଇଗଲା ବୋଲି ଶୁଣାଯାଏ।

ବର୍ତ୍ତମାନ ଆମେରିକା ଆଫ୍‌ଗାନିସ୍ତାନ ଛାଡ଼ି ଚାଲିଯିବା, ତାଲିବାନଙ୍କର ଶକ୍ତି ଓ ସଂଖ୍ୟା ବଢ଼ିବା, ଚୀନର ସନ୍ଦେହଜନକ ଗତିବିଧି ଓ ପାକିସ୍ତାନର ତାଲିବାନକୁ ଆର୍ଥିକ ଓ ସାମରିକ ସମର୍ଥନ, ଇରାନ, ମଧ୍ୟଏସିଆ, ଆମେରିକା, ରୁଷିଆ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ହେଇଛି। ଆମେରିକା ଚିନ୍ତା ଯନ୍ତାରେ ପଡ଼ିଛି। ପୁଣି ଥରେ ଯଦି ଯୁଦ୍ଧହୁଏ ପାକିସ୍ତାନ ମଧ୍ୟଦେଇ ସୈନ୍ୟ, ଅସ୍ତ୍ରଶସ୍ତ୍ର, ଖାଦ୍ୟପଦାର୍ଥ ଇତ୍ୟାଦି ପଠେଇବାକୁ ପଡ଼ିବ ଓ ପୂର୍ବପରି ପାକିସ୍ତାନକୁ ଆମେରିକା ‘ବ୍ଲାକ୍‌ମେଲ୍‌’ କରିବ। ଭୌଗୋଳିକ ସ୍ଥିତିରୁ ଦେଖିବାକୁ ହେଲେ ପାକିସ୍ତାନ ଖୁବ୍‌ ସୁବିଧାଜନକ ସ୍ଥିତିରେ ଅଛି। ମଧ୍ୟ ଏସିଆ, ରୁଷିଆ ପାଇଁ ବନ୍ଦର ଦରକାର ଓ ପାକିସ୍ତାନରେ ବନ୍ଦର ଅଛି। ଏ ପର୍ଯ୍ୟନ୍ତ ଆମେରିକା ପାକିସ୍ତାନର ‘ଏ ଘର ମାଉସୀ ଓ ସେ ଘର ପିଉସୀ’ ଆଚରଣକୁ ବରଦାସ୍ତ କରିଅଛି। ଭାରତ ପାଇଁ ଏହା ଶୁଭ ସଙ୍କେତ ନୁହେଁ। ପାକିସ୍ତାନ ଆମେରିକା ସହିତ ପୁଣି କାଶ୍ମୀର ପ୍ରସଙ୍ଗ ଉଠେଇବ, ମାଗଣାରେ ଅସ୍ତ୍ରଶସ୍ତ୍ର ମାଗିବ ଓ ଭାରତ ବିରୋଧରେ ନାନାଦି ଅପପ୍ରଚାର କରିବ।

ଭାରତର ବର୍ତ୍ତମାନ ଚୀନ ସାଙ୍ଗେ ବିବାଦ, ତା ସାଙ୍ଗରେ ତାଲିବାନଙ୍କର ଉପଦ୍ରବ, ଆର୍ଥିକ ଅବସ୍ଥାର ଅବନତି, କୋଭିଡ୍ ସମସ୍ୟାରେ ଭାରତ ନଇଁଯାଇଥିଲାବେଳେ ଯୁଦ୍ଧକରିବା ଅବସ୍ଥାରେ ରହିବା କଷ୍ଟହେବ। ଚୀନ ଚାହୁଁଥିବ ଏଇ ସମୟରେ ଭାରତର ପକ୍ଷଛେଦନ କରିବ। ତେଣୁ ଭାରତକୁ ରୁଷିଆ ସହିତ ସମ୍ପର୍କକୁ ଅଧିକ ଘନିଷ୍ଠ କରିବା ଦରକାର। ତାଲିବାନ୍‌ ସହିତ ଦୋହାରେ (କାତାରର ରାଜଧାନୀ) ଆମର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତାଲିବାନର ମୁଖ୍ୟଙ୍କ ସହିତ ଗୋପନରେ ଆଲୋଚନା କରିଥିଲେ; କିନ୍ତୁ ଆଲୋଚନାରେ କ’ଣ ବିଷୟ ଥିଲା ଓ ଆଲୋଚନାର ଫଳାଫଳ ଏ ପର୍ଯ୍ୟନ୍ତ ଜଣାପଡ଼ିନି। ସେଇଭଳି ପାକିସ୍ତାନ ତାଲିବାନ୍‌ ନେତାଙ୍କ ସହିତ ଗୋପନ ଆଲୋଚନା ଚଳେଇଛି। ଅନ୍ୟ କେତେକ ଦେଶ ବିଶେଷତଃ ୟୁରୋପୀୟ ଖର୍ଚ୍ଚରୁ ନିଜକୁ ରକ୍ଷା କରିବାପାଇଁ ଚାହୁଁଛନ୍ତି ଯୁଦ୍ଧନହେଉ। ତାଲିବାନ୍‌ର ଲକ୍ଷ୍ୟ ହେଉଛି ପ୍ରଥମେ ଆଫ୍‌ଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିନେବା। ତା’ପରେ ଅନ୍ୟ ଦେଶମାନଙ୍କ ସାଙ୍ଗରେ ସମ୍ପର୍କ ସ୍ଥାପନ କରିବା। କୋଡ଼ିଏ ବର୍ଷ ତଳର ତାଲିବାନ୍‌ ଓ ଆଜିର ତାଲିବାନ୍‌ ମଧ୍ୟରେ ଅନେକ ଫରକ୍‌ ଆସିଗଲାଣି। ସେତେବେଳର ତାଲିବାନଙ୍କର ବର୍ବରତା ଓ ମଧ୍ୟଯୁଗର ନିୟମକାନୁନ୍‌କୁ ଲାଗୁ କରିବା ତାହା ସେମାନେ ଦଖଲ କରିଥିବା ଆଫଗାନିସ୍ତାନର ଅଞ୍ଚଳରେ ପରିଲକ୍ଷିତ ହେଉନାହିଁ। ଦେଶର ସରକାରଙ୍କର ବିରୋଧରେ ଯିବା ଓ ଦେଶକୁ ଚଳେଇବା, ଏ ଦୁଇଟା ହେଉଛି ଭିନ୍ନକଥା। ଶାସନକୁ ଆସିଲେ କେବେ ତାଲିବାନ ଚାହିଁବନାହିଁ ବିଶ୍ବ ଦରବାରରେ ଏକୁଟିଆ ରହିବାପାଇଁ। ପାକିସ୍ତାନ ଆଶା ବାନ୍ଧିଛି ଯେ ଥରେ ତାଲିବାନ୍‌ ଆଫଗାନିସ୍ତାନକୁ ଦଖଲ କରିନେଲେ ତା’ପରେ ପାକିସ୍ତାନ ସହିତ ହାତ ମିଳେଇବ କାଶ୍ମୀରରେ ଧସେଇ ପଶିବାପାଇଁ; କିନ୍ତୁ ଭାରତର ଶିଖ୍‌, ଗରୱାଲ, ଡୋଗ୍ରା ସୈନ୍ୟଙ୍କ ସାଙ୍ଗରେ ତାଲିବାନ ଲଢ଼େଇ କରିପାରିବ କି ନାହିଁ ସନ୍ଦେହ। ଅତୀତରେ ଆଫଗାନିସ୍ତାନକୁ ଇଂଲଣ୍ଡ ଯୁଦ୍ଧ କରି ରଖିପାରିଲା ନାହିଁ। କେବଳ ମହାରାଜା ରଣଜିତ ସିଂହ ଆଫଗାନିସ୍ତାନକୁ ଜିତି ନିଜ ଅଧିନସ୍ଥ କରିପାରିଥ​‌ି​‌େ​‌ଲ। ଶିଖମାନଙ୍କର ସେଇ ଆତ୍ମବିଶ୍ବାସ ଏଇ ପର୍ଯ୍ୟନ୍ତ ଅଛି। ଅଳ୍ପ କେତେକ ଉପାୟ ପ୍ରତି ଆମେରିକା, ଆଫଗାନିସ୍ତାନ, ଭାରତ, ରୁଷିଆ ଧ୍ୟାନ ଦେଉଛନ୍ତି ଏ ଜଟିଳ ସମସ୍ୟାର ସମାଧାନ ପାଇଁ। ପାକିସ୍ତାନ ଚାହୁଁଛି ପାକିସ୍ତାନ, ଆଫଗାନିସ୍ତାନ, ଉଜ୍‌ବେକିସ୍ତାନ ଓ ଆମେରିକାକୁ ନେଇ ଏକ ଚତୁ‌େ‌ର୍ଦଶୀୟ ଗୋଷ୍ଠୀ କରାଯାଉ। ଏଥିରେ ଉଜ୍‌ବେକିସ୍ତାନ ଓ ପାକିସ୍ତାନ ଲାଭବାନ ହେବେ। ପାକିସ୍ତାନ ମଧ୍ୟଦେଇ ଉଜ୍‌ବେକିସ୍ତାନ କରାଚୀ ବନ୍ଦର ଜରିଆରେ ସମୁଦ୍ରକୁ ପ୍ରବେଶ ପାଇବ। ଦ୍ବିତୀୟ ପ୍ରସ୍ତାବ ହେଲା ଯେ ଭାରତ ଓ ଆଫଗାନିସ୍ତାନ, ଉଜ୍‌ବେକିସ୍ତାନ ଓ ରୁଷିଆକୁ ନେଇ ଏକ ଗୋଷ୍ଠୀ କରାଯାଉ। ଏହା ଆମେରିକାର ନୀରବ ସମର୍ଥନରେ ରହିବ। ଏଇ ପ୍ରସ୍ତାବ ତାଲିବାନ ଗ୍ରହଣ କରିପାରେ, କାରଣ ଭାରତ ସେଠାରେ ରାସ୍ତା, ଡାକ୍ତରଖାନା, ସ୍କୁଲଘର, କେନାଲ ଆଦି ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛି। ଆଫଗାନିସ୍ତାନର ଆର୍ଥିକ ପରିସ୍ଥିତି ଏତେ ନିମ୍ନଗାମୀ ହୋଇଛି ଯେ ଯେକୌଣସି ଉନ୍ନତିମୂଳକ କାର୍ଯ୍ୟ ସେ ଗ୍ରହଣ କରିବ।
ଆଫଗାନ ଲୋକମାନେ କହନ୍ତି, ‘ଆମ ସାଙ୍ଗେ ବନ୍ଧୁତା କର; କିନ୍ତୁ ଆମକୁ ଶାସନ କରିବାକୁ ଚେଷ୍ଟା କରନି।’ ଏ ସବୁ ପରିସ୍ଥିତିର ସମ୍ଭାବନାକୁ ଆମେ ଏଡ଼ାଇଦେଇ ଯଦି ଭାବିବା ଯେ ତାଲିବାନମାନେ ସମଗ୍ର ଆଫଗାନିସ୍ତାନକୁ ଦଖଲକରି ପୁଣି ମଧ୍ୟଯୁଗୀୟ ଇସ୍‌ଲାମ ନିୟମ ଅନୁସାରେ ଶାସନ କରିବେ, ଅନ୍ୟ ଦେଶମାନଙ୍କୁ ସନ୍ତ୍ରାସବାଦୀ ପଠାଇବେ ତେବେ ଆମେରିକା ଅବାଧରେ ଆକ୍ରମଣ କରିବ। ଯେତେବେଳେ ଆମେରିକାର ସୈନ୍ୟମାନେ ଆଫଗାନିସ୍ତାନରେ ଥିଲେ ସେତେବେଳେ ‘ନିଜଲୋକ’ ଓ ‘ତାଙ୍କଲୋକ’ ବିଚାର କରି ସୀମିତ ଭାବରେ ଯୁଦ୍ଧ କରୁଥିଲେ। ସମଗ୍ର ଆଫଗାନିସ୍ତାନ ଯଦି ତାଲିବାନ୍‌ ଅଧିନସ୍ଥ ହେବ, କେବଳ ଆକାଶବାହିନୀକୁ ବ୍ୟବହାର କଲେ ସେମାନେ ଛତ୍ରଭଙ୍ଗ ଦେବେ। ବର୍ତ୍ତମାନ ଅବସ୍ଥା କୁହେଳିକା ମଧ୍ୟରେ ଅଛି। ତିନିଚାରି ମାସ ମଧ୍ୟରେ ଏହା ସ୍ପଷ୍ଟ ହେଇଯିବ।

Comments are closed.