ନୀଳ ଆକାଶ ପରେ

ପ୍ରମୋଦ କୁମାର ମହାପାତ୍ର

ନୀଳଗ୍ରହ ପୃଥିବୀ। ଆଜି ସୁଦ୍ଧା ଆମେ ଜାଣିବାରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ଏକମାତ୍ର ସଜୀବମାନଙ୍କର ବସତି କ୍ଷେତ୍ର ରୂପେ ପରିଚିତ ଏକ କୋଳାହଳମୟ ଗ୍ରହ। ଏହା ପୃଷ୍ଠର ବିସ୍ତୀର୍ଣ୍ଣ ସାଗରର ରଙ୍ଗ ନୀଳ, ପୁଣି ଚତୁଃପାର୍ଶ୍ବକୁ ଘେରିରହିଥିବା ଆକାଶ ହିଁ ନୀଳ ବର୍ଣ୍ଣର। ତେବେ ବେଳେବେଳେ ଅନେକଙ୍କ ମନରେ ପ୍ରଶ୍ନ ଉଠେ ଅସୀମ ମନେ ହେଉଥିବା ନୀଳ ସାଗରରେ ଆମେ ଯେକୌଣସି ସ୍ଥାନରୁ ଯାତ୍ରାକଲେ ମଧ୍ୟ ଅନ୍ୟ ପାର୍ଶ୍ବରେ ପହଞ୍ଚିବା ନିଶ୍ଚିତ ହେଉଥିବାବେଳେ, ଆମ ମୁଣ୍ଡ ଉପରେ ଚତୁଃପାର୍ଶ୍ବର ଦିଗ୍‍ବଳୟକୁ ସବୁଦିଗରେ ସ୍ପର୍ଶ କରି ରହିଥିବା ନୀଳଆକାଶ ପରେ ପରେ କ’ଣ ଅଛି ? ପୁଣି ଅନାଦିକାଳରୁ ମଣିଷ ଦେଖିଆସିଛି ସକାଳପହରୁ ରକ୍ତିମ ଅାଭାନେଇ ସୂର୍ଯ୍ୟ ପୂର୍ବ ଦିଗରେ ଉଦିତ ହୋଇ ସାରାଦିନ ଆକାଶ ପରିକ୍ରମା କରି ସନ୍ଧ୍ୟାରେ ଦିଗ୍‍ବଳୟରେ ଅସ୍ତମିତ ହୋଇଯିବାର ଦୃଶ୍ୟ। ଏହା ବ୍ୟତୀତ ରାତ୍ରିରେ ଶୀତଳ ଜ୍ୟୋତ୍ସ୍ନା ବିତରଣ କରୁଥିବା ଚନ୍ଦ୍ରମା, ଅସୁମାରି ନକ୍ଷତ୍ର, ବେଳେବେଳେ ଧୂମକେତୁର ହଠାତ୍‍ କେତେଦିନ ପାଇଁ ଆବିର୍ଭାବ, ଆକାଶରେ ଲମ୍ବାଗାର ଟାଣି ଆବିର୍ଭୂତ ହେଉଥିବା ଉଲ୍‍କା ଆମକୁ ସୂଚନା ଦିଏ ଯେ ମହାକାଶ ପୃଥିବୀ ଭଳି ଏକ ବହୁବିଧ ଅନନ୍ୟ ବିସ୍ମୟର ଗନ୍ତାଘର। ଏସବୁ ନୈସର୍ଗିକ ବସ୍ତୁଗୁଡ଼ିକୁ ଦେଖିବାକୁ ହେଲେ ମହାକାଶ ଯାତ୍ରା ହିଁ ଚରମ ଲକ୍ଷ୍ୟ। ଏହି ଲକ୍ଷ୍ୟ ସାଧନପାଇଁ ପୃଥିବୀପୃଷ୍ଠର ଆଦିମାନବ ଗୋଷ୍ଠୀ ମଧ୍ୟ ପଛେଇ ନାହାନ୍ତି। ନୀଳ ଆକାଶର ବିସ୍ତୃତି କେତେ ବାଟ, ତା’ପରେ କ’ଣ ଅଛି, ଧୂମକେତୁର ବାସସ୍ଥାନ କେଉଁଠି, ବେଳେବେଳେ ଉଲ୍‍କା ପଡ଼େ କାହିଁକି ଇତ୍ୟାଦି ଜାଣିବାକୁ ସାଧାରଣ ମଣିଷ ମନରେ ଏବେ ମଧ୍ୟ ଆଶା ସୃଷ୍ଟି ହୁଏ।

ଦୂରବୀକ୍ଷଣ ଯନ୍ତ୍ରର ସୃଷ୍ଟି ପରେ ଅଜଣା ବିଶ୍ୱବ୍ରହ୍ମାଣ୍ଡ ସଂପର୍କରେ କିଛି ତଥ୍ୟ ଆମେ ଜାଣିଥିଲେ ମଧ୍ୟ ରକେଟ ନଥିବା ଯୁଗରେ ମଣିଷ ​‌େ​‌ବ୍ୟାମଯାନ ଓ ବେଲୁନ ସାହାଯ୍ୟରେ ମଧ୍ୟ ମହାକାଶ ଯାତ୍ରା କରିବାକୁ ଆଗଭର ହୋଇଛି ଓ ଏଥିରୁ ସାମାନ୍ୟ ମାନସିକ ସାନ୍ତ୍ୱନା ପାଇଛି ସତ, ସଂପୂର୍ଣ୍ଣ ରୂପେ ସଫଳତା ପାଇପାରି ନାହିଁ। ମହାକାଶ ଅଭିଯାନ ଭଳି ମଣିଷର ବହୁ ପୁରାତନ ଇଚ୍ଛା ଏବେ ସଫଳତା ହାସଲ କରିବା ସହିତ ଆଶା କରାଯାଉଛି ଯେ ଖୁବ୍‍ଶୀଘ୍ର ଏହା ସମଗ୍ର ମାନବ ସମାଜ ପାଇଁ ଏକ କୌତୂହଳପ୍ରଦ ଅଭିଜ୍ଞତା ଓ ମହାକାଶ ସଂପର୍କରେ ନୂତନ ଜ୍ଞାନ ପ୍ରଦାନରେ ସହଯୋଗୀ ହେବ।

ତେବେ ଆମେ ଭାବୁଥିବା ମହାକାଶ ଆମ ପାଇଁ ଏତେଟା ଉପଯୋଗୀ ନୁହେଁ। ଆମକୁ ମନେରଖିବାକୁ ହେବ ଯେ ଏବେ ଆମେ ଉଚ୍ଚକୋଟୀର ରକେଟ ତଥା ସ୍ୱତନ୍ତ୍ର ମହାକାଶଯାନ ମାଧ୍ୟମରେ ସୁରକ୍ଷିତ ଭାବେ ମହାକାଶ ଯାତ୍ରା କରିବାରେ ସକ୍ଷମ ହୋଇପାରିଛୁ। ତେବେ ମଣିଷ ବଞ୍ଚିରହିବା ପାଇଁ ଜଳ, ବାୟୁ, ମାଧ୍ୟାକର୍ଷଣ ଶକ୍ତି, ଆଲୋକ ଭଳି ପଦାର୍ଥଗୁଡ଼ିକ ମହାକାଶରେ ନଥିବାରୁ ଏଭଳି ଯାତ୍ରା ଆମ ପାଇଁ ସବୁବେଳେ ବିପଦପୂର୍ଣ୍ଣ। ତେବେ ସେସବୁ ଯାହାହେଲେ ମଧ୍ୟ ପୃଥିବୀ ଚତୁଃପାର୍ଶ୍ବରେ ଥିବା ବାୟୁମଣ୍ଡଳ ଏକ ସମତା ରକ୍ଷାକାରୀ ମଣ୍ଡଳ ଭାବେ ବିବେଚିତ ହୋଇ ଜୀବମଣ୍ଡଳକୁ ସବୁବେଳେ ପୃଥିବୀପୃଷ୍ଠରେ ସୁରକ୍ଷା ପ୍ରଦାନ କରିଆସିଛି। ପୃଥିବୀର ମାଧ୍ୟାକର୍ଷଣ ଶକ୍ତିଦ୍ୱାରା ଏହା ବାନ୍ଧିହୋଇ ରହିଛି। ଆମେ ମହାକାଶ ପର୍ଯ୍ୟଟନରେ ଯିବାକୁ ହେଲେ ଯେଉଁ ରକେଟରେ ମହାକାଶକୁ ଯାତ୍ରାକରିବା ତା’ର ବେଗ ଘଣ୍ଟାପ୍ରତି ୨୫ରୁ ୪୦ହଜାର କିଲୋମିଟର ହେବା ଆବଶ୍ୟକ। କାରଣ ଏତିକି ବେଗରେ ଯାତ୍ରା କରିଗଲେ ତାହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ଏଡ଼ାଇ ଯାଇପାରିବ। ଯେଉଁ ପର୍ଯ୍ୟଟକମାନେ ମହାକାଶ ଯିବେ ସେମାନେ ନିଶ୍ଚିତ ରୂପେ ପୂର୍ବରୁ ତାଲିମ ନେବାର ଆବଶ୍ୟକତା ରହିଛି। ଶୂନ୍ୟ ମାଧ୍ୟାକର୍ଷଣ ମଣ୍ଡଳରେ ମହାକାଶ ପର୍ଯ୍ୟଟକମାନେ ପହଞ୍ଚିଯିବା ମାତ୍ରେ କେବଳ ସେମାନେ ନୁହନ୍ତି ସବୁ ପଦାର୍ଥ ଆସବାସପତ୍ର ଶୂନ୍ୟରେ ଭାସିବା ନିଶ୍ଚିତ। ଏଥିପାଇଁ ପୂର୍ବପ୍ରସ୍ତୁତି ଜରୁରୀ। ମହାକାଶଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସେଠାରେ ଓଜନ ହ୍ରାସ ହେବା ନିଶ୍ଚିତ। ବେଶି ସମୟ ଏଠାରେ କଟାଇଲେ ଶରୀରର ମାଂସପେଶୀ ଦୁର୍ବଳ ସହ ରକ୍ତସଂଚାଳନରେ କେତେକ ବିଭ୍ରାଟ ଦେଖାଯାଏ। ତେଣୁ ମହାକାଶ ଯାତ୍ରୀମାନଙ୍କୁ ନିୟମିତ ବ୍ୟାୟାମ କରିବା ନିଶ୍ଚିତ। ମୋଟଉପରେ ମହାକାଶ ପର୍ଯ୍ୟଟନ କେବଳ ଏକ ବ୍ୟୟବହୁଳ ଯାତ୍ରା ନୁହେଁ, ପରନ୍ତୁ ସାଧାରଣ ଯାତ୍ରୀଙ୍କ ପାଇଁ ଏହା ଏକ ବିପଦପୂର୍ଣ୍ଣ ଯାତ୍ରା ଯେଉଁଥିରେ ସଫଳ ହେବାକୁ ହେଲେ ନିଷ୍ଠାପର ତାଲିମ ନେବାସହ ନିୟମିତ ଅନେକ ବ୍ୟବସ୍ଥାକୁ ଗ୍ରହଣ କରିବା ଜରୁରୀ ମନେହୁଏ। ମହାକାଶଚାରୀଙ୍କୁ ସେଠାରେ ସେମାନଙ୍କ ସ୍ୱତନ୍ତ୍ର ପୋଷାକ ହିଁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ। ଯାହା ପୃଥିବୀପୃଷ୍ଠରେ ଓଜନିଆ ହୋଇଥିବାବେଳେ ମହାକାଶରେ ସୋଲ ଭଳି ହାଲ୍‍କା ଲାଗେ। ଅତୀତରେ ଆମେରିକାର ସୌଖିନ ପର୍ଯ୍ୟଟକ ଡେନିସ୍‍ ଟିଟୋ ମହାକାଶ ଯାତ୍ରାରେ ଯାଇ ଅଳ୍ପସମୟ ମଧ୍ୟରେ ଫେରି ଆସିଥିଲେ। ତାଙ୍କୁ ପ୍ରଥମ ଅଣତାଲିମପ୍ରାପ୍ତ ମହାକାଶ ପର୍ଯ୍ୟଟକର ମାନ୍ୟତା ପ୍ରଦାନ କରାଯାଇଛି।

ଚଳିତ ମାସ ୧୧ ତାରିଖରେ କାଲିଫର୍ଣ୍ଣିଆରୁ ୭୦ବର୍ଷ ବୟସ୍କ ରିଚାର୍ଡ ବ୍ରାନସନ ଭର୍ଜିନ ଗାଲାଟିକ ମହାକାଶଯାନରେ ନିଜ ସହ ଆଉ ୫ଜଣ ମହାକାଶଚାରୀଙ୍କୁ ସାଙ୍ଗରେ ନେଇ ଜିରୋ ଗ୍ରାଭିଟି ଅଞ୍ଚଳରେ ୩ ମିନିଟ କଟାଇ ସେଠାରେ ବେଲୁନ ପରି ଉଡ଼ିବା ଭଳି ସ୍ୱତନ୍ତ୍ର ଅଭିଜ୍ଞତା ସହ ପୃଥିବୀକୁ ମହାକାଶରୁ ଦର୍ଶନ କରି, ମହାକାଶର ଅନେକ ଅପାସୋରା ଦୃଶ୍ୟ ଦେଖିବାରେ ସକ୍ଷମ ହୋଇଛନ୍ତି। ଏଥିପାଇଁ ତାଙ୍କୁ ବହୁଦିନ ତାଲିମ ନେବାକୁ ହୋଇଛି। ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ ତାଙ୍କ ସହିତ ଭାରତୀୟ ମହିଳା ଶିରିସା ବାନ୍ଦଲା ମଧ୍ୟ ମହାକାଶ ଯାତ୍ରା କରି ୪ର୍ଥ ଭାରତୀୟ ଜନ୍ମିତ ମହିଳା ଭାବେ ମହାକାଶଚାରୀ ହୋଇ ଆମ ଦେଶବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି। ଏହାପରେ ଆମାଜନ ମୁଖ୍ୟ ଜେଫ ବେଜୋସ୍‌ ମହାକାଶ ଯାତ୍ରା କରିଛନ୍ତି। ପୃଥିବୀର ୨୦ଟି କମ୍ପାନୀ ଯେଉଁଭଳି ଭାବେ ଏବେ ମହାକାଶ ପର୍ଯ୍ୟଟନ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଛନ୍ତି, ନିକଟ ଭବିଷ୍ୟତରେ ଏହା ଆମକୁ ଏକ ସ୍ୱତନ୍ତ୍ର ଅନୁଭୂତି ଓ ଅନୁଭବ ଦେବାକୁ ଯିବା ଭଳି ମନେହେଉଛି। ମଣିଷ ଖୁବଶୀଘ୍ର ନୀଳ ଆକାଶକୁ ଭେଦକରି ଶୂନ୍ୟ, ଶୂନ୍ୟ ମହାଶୂନ୍ୟରେ ପହଞ୍ଚି ନିଜର ବହୁଦିନର ଅଭିଳାଷକୁ ପୂର୍ଣ୍ଣ କରିପାରିବ ବୋଲି ପୃଥିବୀବାସୀ ସାଧାରଣ ମଣିଷମାନେ ଏବେ ଆଶାବାଦୀ ହୋଇଛନ୍ତି।

Comments
Loading...