ଭାରତରେ ନବ-ବିଶ୍ବାୟନର ୩୦ ବର୍ଷ

ମୃଣାଳ ଚାଟ୍ଟାର୍ଜୀ ଓ ସମ୍ବିତ୍‌ ପାଲ

୨୪ ଜୁଲାଇ ୧୯୯୧। ୩୦ ବର୍ଷ ତଳ ଏଇ ଦିନଟିର ଗୁରୁତ୍ୱ ଭାରତୀୟ ସମାଜ, ଅର୍ଥନୀତି ଏବଂ ରାଜନୀତି କ୍ଷେତ୍ରରେ ଅପରିସୀମ। ଏହି ଦିନରେ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ଏକ ଯୁଗାନ୍ତକାରୀ ବଜେଟ ଉପସ୍ଥାପନ କରି ଆର୍ଥିକ ସଂସ୍କାର ମାଧ୍ୟମରେ ଭାରତର ବଦ୍ଧ ଅର୍ଥନୀତିର କବାଟଟି ବିଶ୍ୱ ବଜାର ପାଇଁ ଖୋଲି ଦେଇଥିଲେ। ନବ ରୂପରେ ବିଶ୍ୱାୟନର ଜୁଆର ପହଞ୍ଚି ଥିଲା ଭାରତ ମାଟିରେ।

ଭାରତୀୟ ଅର୍ଥନୀତିର ଉଦାରୀକରଣ ଏବଂ ନବ ବିଶ୍ୱାୟନ ପାଇଁ ମନମୋହନ ସିଂହଙ୍କୁ ହିଁ ବିଶେଷ ଶ୍ରେୟ ଦିଆଯାଏ। ତେବେ ବିଭିନ୍ନ ପ୍ରତିକୂଳ ଅବସ୍ଥା ସତ୍ତ୍ୱେ ସେ ଐତିହାସିକ ପଦକ୍ଷେପ ନେବା ପାଇଁ ନରସିଂହ ରାଓଙ୍କ ଭୂମିକାକୁ ଆଦୌ ଅସ୍ୱୀକାର କରିହେବ ନାହିଁ। ମନମୋହନ ସିଂହ ଯଦି ଅର୍ଥନୈତିକ ଉଦାରୀକରଣର ମୁହଁ ହୁଅନ୍ତି, ତେବେ ନରସିଂହ ରାଓ ହେଲେ ନିଃଶବ୍ଦ କାରିଗର।

ପାମୁଲା ପତି ଭେଙ୍କଟ ନରସିଂହ ରାଓଙ୍କର ଜନ୍ମ ଶତବାର୍ଷିକୀରେ ଏ ସ୍ମୃତି ଚାରଣ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ। ଭାବି ଦେଖନ୍ତୁ କେଉଁ ସମୟରେ ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି। ଭାରତୀୟ ଅର୍ଥନୀତିରେ ସେତେବେଳେ ଅତ୍ୟନ୍ତ ଖରାପ ଅବସ୍ଥା। ବିଦେଶୀ ମୁଦ୍ରାର ସଞ୍ଚୟ ଏତେ କମିଯାଇଛି ଯେ, ଆଉ ଦୁଇ ସପ୍ତାହ ଭିତରେ ଦେଶକୁ ଦେବାଳିଆ ଘୋଷଣା କରିବାର ଅବସ୍ଥା ଆସିଗଲାଣି। ଆର୍ଥିକ ମାନ୍ଦାବସ୍ଥା ମୋଟ ଆଭ୍ୟନ୍ତରୀଣ ଉତ୍ପାଦନ ୧୦ ଶତାଂଶରେ ଆସିି ପହଞ୍ଚିଛି। ଆର୍ଥିକ ବୃଦ୍ଧି ୩-୪ ଶତାଂଶ ଭିତରେ ରହୁଛି। ବିଶ୍ୱ ରାଜନୀତିରେ ସେତେବେଳେ ଅସ୍ଥିରତା ବୃଦ୍ଧି ପାଉଛି। ଶୀତଳ ଯୁଦ୍ଧ ଶେଷ ହୋଇଛି। ସୋଭିଏତ ରୁଷିଆ ଭାଙ୍ଗି ଯାଉଛି। ବିଶ୍ୱ ରାଜନୀତି ଓ ବଜାର ଅର୍ଥନୀତିରେ ଆମେରିକାର ଏକାଧିପତ୍ୟ ବଢ଼ୁଛି। ଇରାକରେ ମାର୍କିନ ସେନା ହମଲା କରୁଛନ୍ତି ଏବଂ ବିଶ୍ୱ ବଜାରରେ ତେଲ ଦର ବଢ଼ି ଚାଲିଛି।

ଦେଶର ରାଜନୀତି ମଧ୍ୟ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ୧୯୮୯-୧୯୯୧ ଭିତରେ ଭାରତ ମିଳିତ ସରକାରଙ୍କର ୩ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି। ସାରା ଦେଶରେ ମଣ୍ଡଳ ଏବଂ କମଣ୍ଡଳର ରାଜନୀତି ଚାଲିଛି। ପଛୁଆ ଜାତିର ସୁରକ୍ଷା ପାଇଁ ସୁପାରିସକୁ ନେଇ ଉଚ୍ଚ ବର୍ଣ୍ଣରେ ବିକ୍ଷୋଭ ଏବଂ ଆଯୋଧ୍ୟାରେ ରାମମନ୍ଦିର ତିଆରି ପାଇଁ ଭାଜପା ଏବଂ ହିନ୍ଦୁ ସଂଗଠନର ଆନ୍ଦୋଳନ ଜୋରଦାର ହେଉଛି। କାଶ୍ମୀର ଓ ପଞ୍ଜାବ ମଧ୍ୟ ଅଶାନ୍ତ। ସେପଟେ ତାମିଲ ସନ୍ତ୍ରାସବାଦୀଙ୍କ ହାତରେ ନିହତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ନେହେରୁ ଗାନ୍ଧୀ ପରିବାରର କେହି କଂଗ୍ରେସର ମଙ୍ଗ ଧରିବାକୁ ଆଗେଇ ଆସି ନାହାନ୍ତି। ଆଉ ୧୯୯୧ ମସିହାରେ ସର୍ବବୃହତ୍‌ ରାଜନୈତିକ ଦଳ ହେଲେ ମଧ୍ୟ ସଂଖ୍ୟାଗରିଷ୍ଠତା ଅର୍ଜନ କରିପାରିନାହିଁ କଂଗ୍ରେସ।

ଏହି ସମୟରେ ପ୍ରାୟ ରାଜନୈତିକ ସନ୍ନ୍ୟାସରୁ ଉଠେଇ ଆଣି ପ୍ରଧାନମନ୍ତ୍ରୀ ଆସନରେ ଆସୀନ କରାଗଲା କଂଗ୍ରେସର ପ୍ରାର୍ଥୀ ନରସିଂହ ରାଓଙ୍କୁ। ଏହା ପୂର୍ବରୁ ସେ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସମୟରେ ସ୍ୱରାଷ୍ଟ୍ର, ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଛନ୍ତି। ଦୁଇ ବର୍ଷ ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। ସେଠାରେ ଭୂମି ସଂସ୍କାର ଭଳି କର୍ମସୂଚୀ ହାତକୁ ନେଇଥିଲେ। କଂଗ୍ରେସ ରାଜନୀତିରେ ସେ ସମାଜବାଦୀ ନେହେରୁ ପନ୍ଥୀ ଏବଂ ଗାନ୍ଧୀ ପରିବାରର ଅନୁଗତ ବୋଲି ପରିଚିତ ଥିଲେ।

ଏଭଳି ଜଣେ ନେତା ଯେ ଆଧୁନିକ ଭାରତର ଚାଣକ୍ୟ ଓ ବଜାର ଅର୍ଥନୀତିର ଚାଳକ ହୋଇ ଉଠିବେ, ତାହା କେହି ଭାବି ନଥିଲେ। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ସେ ଭାରତୀୟ ସମାଜ ଓ ଅର୍ଥନୀତିର ଆମୂଳ ପରିବର୍ତ୍ତନର ପଥ ଖୋଲିଦେଲେ।

ପ୍ରଥମେ ନରସିଂହ ରାଓ ତାଙ୍କ ମନ୍ତ୍ରିମଣ୍ଡଳକୁ ଆଣିଲେ ରାଜନୀତି ବାହାରର ଜଣେ ଲୋକ- ଅର୍ଥନୀତିବିତ୍‍ ମନମୋହନ ସିଂହଙ୍କୁ। ତାଙ୍କ ସହିତ ରଖିଲେ ମଣ୍ଟେକ ସିଂହ ଆଲୁୱାଲିଆ ଏବଂ ରାକେଶ ମୋହନଙ୍କ ଭଳି ଅର୍ଥବିତ୍‍ମାନଙ୍କୁ।

ନେହେରୁଙ୍କର ସମାଜତନ୍ତ୍ର ଆଡ଼କୁ ନରମ ଭାବ ଥିବା ମିଶ୍ର ଅର୍ଥନୀତିଠୁଁ ପୂରାପୂରି ବଜାର ଅର୍ଥନୀତି ଆଡ଼କୁ ଭାରତକୁ ନେଇଯିବା ରାଜନୈତିକ ଭାବରେ ବେଶ୍‍ କଷ୍ଟକର ଥିଲା। ଦଳ ଭିତରେ ପ୍ରଧାନମନ୍ତ୍ରୀ ପାଇଁ ଆଶା ବାନ୍ଧିଥିବା ମଧ୍ୟପ୍ରଦେଶର ଅର୍ଜୁନ ସିଂହ, ମରାଠା ନେତା ଶରଦ ପାୱାର, ଉତ୍ତରପ୍ରଦେଶର ନାରାୟଣ ଦତ୍ତ ତିୱାରି- ଏମାନେ ସମସ୍ତେ ନରସିଂହ ରାଓଙ୍କୁ ବେଶ୍‍ ଚାପରେ ରଖିଥିଲେ। ତା’ ସହିତ ବାମପନ୍ଥୀମାନଙ୍କର ପ୍ରତିରୋଧ। ଲୋକସଭାରେ ବିରୋଧୀମାନଙ୍କର ବଡ଼ ଅଂଶ ଥିଲା ବାମପନ୍ଥୀ ଏବଂ ସମାଜତାନ୍ତ୍ରିକ ଜାତୀୟ ମୋର୍ଚ୍ଚାର। ଦକ୍ଷିଣପନ୍ଥୀ ଭାଜପାର ମଧ୍ୟ ସେତେବେଳେ ସଂସଦରେ ଭଲ ସଂଖ୍ୟା ଥାଏ। ଭାରତୀୟ ଶିଳ୍ପପତି ଏବଂ ଅମଲାମାନଙ୍କର ନିଃଶବ୍ଦ ବିରୋଧ ମଧ୍ୟ ଥିଲା। ୟାରି ଭିତରେ ସେ ଏକ ସଂଖ୍ୟାଲଘୁ ସରକାର ଚଳଉଥିଲେ। ସରକାର ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିଯିବାର ଆଶଙ୍କା ରହୁଥିଲା।

ଅବଶ୍ୟ ୧୯୮୦ ଦଶକରୁ ଦେଶ ଧୀରେଧୀରେ ଆର୍ଥିକ ସଂସ୍କାର ଆଡ଼କୁ ଅଗ୍ରସର ହେଉଥିଲା। ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଅମଳରେ କମ୍‍ ହେଲେ ମଧ୍ୟ ସଂସ୍କାରର କାମ ଚାଲିଥିଲା। ଅର୍ଥନୀତିବିତ୍‍ ଅରବିନ୍ଦ ପାନାଗଡ଼ିଆ ଉଲ୍ଲେଖ କରନ୍ତି, ୧୯୭୫-୧୯୭୬, ୧୯୮୦-୧୯୮୪ରେ ନାନା ଆର୍ଥିକ ପଦକ୍ଷେପ ବଦ୍ଧ ଅର୍ଥନୀତିର କବାଟ ଖୋଲିବାର ଇଙ୍ଗିତ ଦେବାକୁ ଆରମ୍ଭ କରିଥିଲା। ସୋଭିଏତ ୟୁନିୟନ ଉପରେ ଭରସା କରିଥିବା ଏକ ଦେଶ ୧୯୮୧ ମସିହାରେ ଆନ୍ତର୍ଜାତିକ ଅର୍ଥ ଭଣ୍ଡାରରୁ ଋଣ ନେବା ପାଇଁ ବାଧ୍ୟ ହେଇଥିଲା। ସର୍ତ୍ତ ଥିଲା ଭାରତକୁ ଆର୍ଥିକ ସଂସ୍କାର କରିବାକୁ ପଡି଼ବ। ଆମଦାନୀ ନୀତିର ଉଦାରୀକରଣ, ଲାଭ ଉପରୁ କର ଛାଡ଼, ୨୫ଟି ବଡ଼ ଶିଳ୍ପକୁ ଲାଇସେନ୍ସରାଜଠୁ ବାହାରକୁ ନେଇଯିବା, ୟୁନିଟ ଟ୍ରଷ୍ଟ ଗଠନ, ଦିଲ୍ଲୀ ଓ ମୁମ୍ବଇରେ ମହାନଗର ଟେଲିଫୋନ ନିଗମ ତିଆରି, କର୍ପୋରେଟ କର କମାଇବା, ଏ ସବୁ ସଂସ୍କାର ହେଉଥିଲା।

ତେବେ ତାହା ଥିଲା ଖୁବ୍‌ କମ। ପ୍ରଧାନମନ୍ତ୍ରୀ ନରସିଂହ ରାଓ ସବୁ ବିରୋଧ ସତ୍ତ୍ୱେ ସଂସ୍କାର ପଥରେ ଦ୍ରୁତ ଗତିରେ ଆଗେଇଗଲେ। ସେ କ’ଣ କଲେ? ସ୍ୱିଜରଲାଣ୍ଡ ବ୍ୟାଙ୍କ ଅଫ୍‍ ଇଂଲଣ୍ଡରେ ୬୭ଟନ୍‍ ସୁନା ଗଚ୍ଛିତ ରଖି, ୬ଶହ ନିୟୁତ ଆମେରିକୀୟ ଡଲାର ଆଣି, ବାଲାନ୍ସ ଅଫ୍‍ ପେମେଣ୍ଟର ସମସ୍ୟାକୁ ଆଗେ ମେଣ୍ଟେଇଲେ। ଆନ୍ତର୍ଜାତିକ ଅର୍ଥଭଣ୍ଡାର ବିଶ୍ୱ ବ୍ୟାଙ୍କରୁ ଋଣ ନେଲେ ଏବଂ ସାରା ବିଶ୍ୱ ପାଇଁ ଭାରତର ବଜାର ଖୋଲିଦେଲେ। ଲାଇସେନ୍ସ ପ୍ରଥା ଉଠିଗଲା। ଦେଶର ଅର୍ଥନୀତିକୁ ସ୍ଥିର କରିବା ଲକ୍ଷ୍ୟରେ ସେ କିଛି ପଦକ୍ଷେପ ନେଲେ ଏବଂ ଭବିଷ୍ୟତ କଥା ଭାବି କିଛି ସଂସ୍କାର ପଥକୁ ଆଗେଇଲେ। ଏ ସବୁ କାମ କରିବା, ରାଜନୀତିରେ ବାହାରୁ ଆସିଥିବା ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କ ପକ୍ଷରେ ସମ୍ଭବ ନଥିଲା। ମନମୋହନଙ୍କ ସାଙ୍ଗରେ କାମ କରିଥିବା ସଞ୍ଜୟ ବାରୁ ତାଙ୍କ ବହିରେ ଲେଖିଛନ୍ତି, ଗଣତାନ୍ତ୍ରିକ ଦେଶରେ ରାଜନୈତିକ ନେତୃତ୍ୱ ଦିଅନ୍ତି ଦେଶର ପ୍ରଧାନମନ୍ତ୍ରୀ। ଆଉ ୨୦୦୪ ମସିହାରେ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ଦେଇଥିବା ଏକ ଟେଲିଭିଜନ ସାକ୍ଷାତ୍‌କାରରେ ନରସିଂହ ରାଓ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ମନମୋହନ ସିଂହଙ୍କୁ ଆର୍ଥିକ ସଂସ୍କାର ବିଷୟରେ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ; କିନ୍ତୁ ନିଜେ ଏକ ସୁଦୃଢ଼ କାନ୍ଥ ଭଳି ତାଙ୍କ ପଛରେ ଠିଆ ହୋଇଥିଲେ। ରାଜନୈତିକ ଝଡ଼ଝଞ୍ଜା ଯେମିତି ଅର୍ଥମନ୍ତ୍ରୀଙ୍କୁ ଛୁଇଁ ନ ପାରେ ତାହା ସେ ନିଶ୍ଚିତ କରିଥିଲେ।

୧୯୯୧ର ଆର୍ଥିକ ସଂସ୍କାରରେ କେତେ ଲାଭ ଓ କେତେ କ୍ଷତି ହୋଇଛି, ତାକୁ ନେଇ ବିତର୍କର ଅବକାଶ ରହିଛି; କିନ୍ତୁ ଭାରତର ବିଶ୍ୱାୟନ କ୍ଷେତ୍ରରେ ଏ ପଦକ୍ଷେପ ଜରୁରୀ ଥିଲା। ପ୍ରଯୁକ୍ତି, ମିଡିଆ, ବିଦେଶୀ ପୁଞ୍ଜି ଲଗାଣ ମାଧ୍ୟମରେ ସାରା ବିଶ୍ୱ ସହିତ ଭାରତର ଯେଉଁ ଯୋଗାଯୋଗ ଗଢ଼ି ଉଠିଲା, ତାହା ପଛରେ ପି.ଭି ନରସିଂହ ରାଓଙ୍କ ଅବଦାନକୁ ଭୁଲିଗଲେ ଚଳିବନି। ତାଙ୍କରି ହାତଧରି ଭାରତବାସୀ ବିଶ୍ୱ ଦରବାରରେ ନିଜକୁ ତୋଳି ଧରିବାର ସ୍ୱପ୍ନ ଦେଖିବାକୁ ଲାଗିଲା। ୯୦ ଦଶକରେ ଦାରିଦ୍ର୍ୟ ସୀମାତଳେ ବସବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ୫.୪ ଶତାଂଶ କମିଲା। ମଧ୍ୟବିତ୍ତ ଶ୍ରେଣୀର ଉତ୍‌ଥାନ ହେଲା। ରୋଜଗାର ବଢ଼ିବା ପାଇଁ ଲାଗିଲା । ଭାରତୀୟ ଅର୍ଥନୀତିରେ ପ୍ରାଣ ସଞ୍ଚାର ହେଲା। ଅନେକ କହନ୍ତି (ଏବଂ ତାହା କେତେକାଂଶରେ ସତ୍ୟ ମଧ୍ୟ) ଯେ, ଆର୍ଥିକ ସଂସ୍କାର ଫଳରେ ଧନୀମାନେ ଆହୁରି ଧନୀ ହେଲେ। ମଧ୍ୟବିତ୍ତ ଶ୍ରେଣୀ, ବିଦେଶୀ ପଣ୍ୟରେ ଲୋଭୀ ହୋଇଗଲେ। ସାମାଜିକ ଭାବରେ ଭାରତୀୟ ସଂସ୍କୃତିରେ ପାଶ୍ଚାତ୍ୟ ପ୍ରଭାବ ବଢ଼ିବାକୁ ଲାଗିଲା। ନାନା ପ୍ରକାର ଅର୍ଥନୈତିକ ଦୁର୍ନୀତିର ଜନ୍ମ ହେଲା।

ଇଏ ଅନ୍ୟ ଏକ ବିତର୍କର କଥା ; କିନ୍ତୁ ୧୯୯୧ରେ ଦେଶ ଯେଉଁ ସଙ୍କଟରେ ପଡ଼ିଥିଲା, ସେଇ ସମୟରେ ନରସିଂହ ରାଓଙ୍କ ପାଖରେ ଆଉ କିଛି ଉପାୟ ନ ଥିଲା। ଏ ବିଶ୍ୱାୟନର ସୁଫଳ ଭାରତବର୍ଷ ତା’ ପର ଦୁଇ ଦଶନ୍ଧି ଧରି ଉପଭୋଗ କରିଛି।

ବର୍ତ୍ତମାନ ଦେଶର ରାଜନୈତିକ ପରିବେଶ ଭିନ୍ନ; କିନ୍ତୁ ଅର୍ଥନୈତିକ ଅବସ୍ଥା କରୁଣ। ୧୯୯୧ର ଶିକ୍ଷା ହେଲା, ସାହସୀ ହେବାକୁ ପଡି଼ବ। ଯେଉଁ ସାହସିକତାର ସହିତ ଅର୍ଥନୀତିକୁ ନରସିଂହ ରାଓ ଓ ମନମୋହନ ସିଂହ ସମ୍ଭାଳିଥିଲେ, ଦେଶର ବର୍ତ୍ତମାନ ରାଜନୈତିକ ନେତୃତ୍ୱ ଯଦି ସେଇ ବୁଦ୍ଧି ଓ ସାହସିକତା ଦେଖାଇ ପାରନ୍ତି ତା’ହେଲେ ନିଶ୍ଚିତ ଭାବରେ ଭାରତୀୟ ଅର୍ଥନୀତି ପୁଣି ଅଭିବୃଦ୍ଧି ପଥରେ ଚାଲିପାରିବ।

Comments are closed.