ମୋ ଆଖିର କେତେ କଥା…

ଛନ୍ଦା ମିଶ୍ର

ଆଖି କହେ ସେହି କଥା, ଯାହା ଓଠ କହିପାରେନା। ଆଖି କହେ ହୃଦୟର କଥା, ଓଠ ମସ୍ତିଷ୍କର । ଓଠର ଭାଷା କାନ ଶୁଣେ, ମାତ୍ର ଆଖିର ଭାଷା, ଆଖିଟିଏ ପଢ଼ିନିଏ। ଆଖିର ଭାଷାକୁ ବୁଝିବା ପାଇଁ ସାହାଯ୍ୟ କରେ ଷଷ୍ଠେନ୍ଦ୍ରିୟ। ଓଠର ଭାଷାଠାରୁ ଆଖିର ଭାଷା ଅଧିକ ସଚ୍ଚୋଟ। ଓଠ କହେ କାର୍ଯ୍ୟ ହାସଲର କଥା, କାମନା ଚରିତାର୍ଥର କଥା, ଯେଉଁଥିରେ ଛଳନାର ପୁଟ, ତୋଷାମଦର ରଙ୍ଗ ମଡାହୋଇ ହୋଇଥାଏ ବର୍ଣ୍ଣିଳ। ହେଲେ ଆଖି, ତା’ ତ ହୃଦୟର ଖୋଲା ଝରକାଟିଏ। ମନର ପ୍ରତିବିମ୍ବ ଆଖିରେ ହିଁ ତ ଝଲସି ଉଠେ। ମନ ଭିତରେ ଛପି ରହିଥିବା ଈର୍ଷା, ହିଂସା, ​‌େ​‌ଦ୍ବଷ, କାମନା, କୁତ୍ସିତ ବାସନା ସହ ସ୍ନେହ, ପ୍ରେମ, କରୁଣା ଓ ସଦିଚ୍ଛା ଆଦି ସବୁକିଛି ଆଖିରେ ହିଁ ତ ହୁଏ ଦୃଶ୍ୟମାନ।

ତେବେ ଆଖି ପଢିବା ପାଇଁ ଆଖିଟିଏ ଦରକାର। ଯେଉଥିପାଇଁ ଅନେକ ସମୟରେ ବାପାଙ୍କୁ ଓଠ ଖୋଲି ଗାଳି ଦେବାକୁ ପଡେନା, ବାଡ଼ି ଉଞ୍ଚେଇ ଡରାଇବାକୁ ହୁଏନା; ବରଂ ବାପାଙ୍କ ନାଲି ଆଖି ଯଥେଷ୍ଟ ହୋଇଥାଏ ପିଲାଙ୍କୁ ଶୃଙ୍ଖଳିତ କରିବା ପାଇଁ। ବାପା, ମୁହଁ ନ ଖୋଲି, ହାତ ନ ଉଠେଇ ଯେଉଁ କାମ କରି ପାରନ୍ତି, ତାହା ବୋଉ କରି ପାରେନି। ସେ ବାଡ଼ି ଉଞ୍ଚେଇ, ବଡ ପାଟିରେ ଗାଳି ଦେଇ ପଛରେ ଧାଇଁ ଥାଏ ସତ; କିନ୍ତୁ ଆଖିରେ ତା’ର ଆମ ପାଇଁ ଥିବା ବାତ୍ସଲ୍ୟ ପ୍ରେମ ଯୋଗୁ “ବୋଉ ଗାଳି, ଦାଣ୍ଡ ଧୂଳି” କହି ଆମେ ତାକୁ ଦେହରୁ ଝାଡ଼ିଦେଉ। ସେଥିପାଇଁ ବୋଉ ଶହେ ଥର କହିଥିବା କଥାଟି, ବାପାଙ୍କ ଥରଟିଏ ନାଲି ଆଖିରେ ହୋଇଯାଏ ସମ୍ପନ୍ନ।

କେବଳ ଆଖି ହିଁ ଆଖିର ଭାଷା ପଢ଼ିପାରେ ବୋଲି, ପ୍ରଥମ ଦେଖାରେ ହୋଇଯାଏ ପ୍ରେମ। ଚାରି ଚକ୍ଷୁର ମିଳନ ଏପରି ପ୍ରଗାଢ, ଏପରି ଆବେଗିକ ହୋଇ ଉଠେ ଯେ, ପ୍ରେମ ହୋଇଯାଏ ଅନ୍ଧ। ଜାତି, ଧର୍ମ ଓ ବର୍ଣ୍ଣ, ସେ ସ୍ଥାନରେ କୌଣସି ମୂଲ୍ୟ ରଖେନା। ସମାଜର ରୀତିନୀତିକୁ ପ୍ରେମୀଯୁଗଳ ଖାତିର୍ କରନ୍ତି ନାହିଁ। ପ୍ରେମପୂର୍ଣ୍ଣ ଚକ୍ଷୁଟି ପାଇଁ ସମସ୍ତ ରକ୍ତ ସମ୍ପର୍କ ଛିନ୍ନ କରିବାକୁ ହୁଅନ୍ତି ଆଗଭର। ଏପରି କି ମୃତ୍ୟୁକୁ ବରଣ କରିବାକୁ ହୁଅନ୍ତି ନାହିଁ ପଶ୍ଚାତ୍‌ପଦ। ତେବେ ଆଖିର କଥା ଓଠ କହିବାକୁ ସକ୍ଷମ ହୁଏନା ବୋଲି ଅନେକ ସମୟରେ ତାହା ଅବୁଝା ରହିଯାଏ; କିନ୍ତୁ କଜଳ ଆଖି ଯେବେ ମରମ ଘାରିଛି, ନିଶାରେ ନିଶାରେ ମତୁଆଲା ହୋଇଉଠିଛି ପ୍ରେମିକ। ପ୍ରେମିକା ଭାବେ, “ଓଠ ସିନା କହିବାକୁ ଲଜ୍ଜା ବୋଧ କରୁଛି, ହେଲେ ଆଖିରେ ତ ମୋ ମନ କଥା ସବୁ କହିସାରିଛି, ତମେ କ’ଣ ଏତେ ବୋକା.. ସତରେ କ’ଣ ଏତେ ଅଜଣା.. କିଛି ବୁଝି ପାରୁନ.. ନା ବୁଝି ରହୁଛ ଅବୁଝା ଯେ..”। ଆପେ ତା’ ଓଠ ଗାଇ ଉଠେ, ମୋ ଆଖିର କେତେ କଥା, ମୋ ମନର ନିରବତା, କହିବାକୁ ଚାହେଁ ଯାହା କହି ପାରେନା; କିନ୍ତୁ ସବୁବେଳେ ଚକ୍ଷୁ, ପ୍ରେମର ଭାଷା କହେନା। ଓଠ ପ୍ରେମର ଜୁଆରରେ ପ୍ରଗଲ୍‌ଭ ହୋଇ ଉଠୁଥିଲାବେଳେ, ଛଳନାର ମାୟାଜାଲରେ ବାନ୍ଧି ପକାଉଥିଲାବେଳେ, ଆଖିରେ ଜଳୁଥାଏ କାମନାର ନିଆଁ। କାମନା ଚରିତାର୍ଥ କରିବାପାଇଁ ମସ୍ତିଷ୍କ, ଓଠ ଦ୍ବାରା କୁହାଇନିଏ କପଟତାର କଥା। କେତେ ଫେଡ଼ି କେତେ ମିଶାଇ, ବଙ୍କେଇ ତେଢେଇ ଓଠ ଦେଖାଇଥାଏ ଚାତୁରୀ।

ଚାତୁରୀରେ ଭାସିଯାଏ ସରଳ ମନଟିଏ। କାମନା ପୂରଣ ହେଲେ ସମ୍ପର୍କ ହୁଏ ଛିନ୍ନ। ସରଳ ମନର ବିଶ୍ବାସରେ ମିଶିଯାଏ ବିଷ। ଯଦି ସାମାନ୍ୟ ପୂର୍ବରୁ, ବିଶ୍ବାସରେ ଭରା ଆଖିଟି, କପଟତାପୂର୍ଣ୍ଣ ଚକ୍ଷୁର ଉଦ୍ଦେଶ୍ୟ ବୁଝିପାରନ୍ତା, କେତେ ଜୀବନ ବର୍ତ୍ତି ଯାଇପାରନ୍ତା ସତେ।

ଭାବର ଆଦାନପ୍ରଦାନରେ ଚକ୍ଷୁର ଭୂମିକା ସବୁଠାରୁ ଅଧିକ। ଯାହା ମୂକକୁ ବାଚାଳ କରେ, ବଧିରକୁ ପ୍ରଦାନ କରେ ଶ୍ରବଣ ଶକ୍ତି। ପାଟି ନ ଫିଟାଇ କହିପାରେ ଅନେକ କଥା। ଓଠର ହସ ସେ ପର୍ଯ୍ୟନ୍ତ ସ୍ବଚ୍ଛ ମନେ ହୁଏନା, ଯେ ପର୍ଯ୍ୟନ୍ତ ଆଖି ମଧ୍ୟ ଓଠ ସହ ତାଳ ଦେଇ ହସି ନ ଉଠେ। ତେବେ ଚକ୍ଷୁ କେବଳ ପ୍ରେମ, କାମନା, ସ୍ନେହ ଓ କ୍ରୋଧର କଥା କହେନା, ଜଣାଏ ମଧ୍ୟ ସମ୍ମାନ, ଦିଏ ଆଶ୍ୱାସନାର ଆଶ୍ୱସ୍ତି, ଦେଖାଏ ଆପଣାପଣ, ବଢ଼ାଏ ଆତ୍ମବିଶ୍ବାସ। ଆଉ ଛଳଛଳ, ଢଳଢଳ, କମଳ ପ୍ରାୟ କଥାକୁହା ଆଖି ଦିଓଟି, ହୃଦୟକୁ ଏପରି ମାୟାଚ୍ଛନ୍ନ କରି ରଖେ ଯେ, ତାହାକୁ ଏଡ଼ାଇ ଯିବା, କେଡେ କେଡେ ବୀରଙ୍କ ପାଇଁ ହୋଇପଡେ ଅସମ୍ଭବ। ପୁଣି ଚକ୍ଷୁର କଟାକ୍ଷରେ କେତେ ଯେ ହୃଦୟ ହୁଏ କ୍ଷତାକ୍ତ, ତା’ର ହିସାବ ରହେନା; କିନ୍ତୁ ଆଖିରୁ ଝରି ପଡିଥିବା ଲୁହ, ସବୁଠାରୁ ଅଧିକ ଶକ୍ତିଶାଳୀ ବୋଲି ହୋଇଛି ପ୍ରମାଣିତ। ସେଇ ଲୁହ କେତେ ଘର ସଜାଡିଛି, ଉଜାଡିଛି ବି ଅନେକ ଘର, ଏପରି କି ଭସେଇ ନେଇଚି କେତେକେତେ ଦେଶ।

ତେବେ ଏ ମର୍ତ୍ତ୍ୟ ଭୁବନରେ, କୋଟିକୋଟି ଚକ୍ଷୁ ହୋଇଯାଇଛି ନିଷ୍ପ୍ରଭ, ସେଇ ଚକାଆଖି ଦିଓଟି ନିକଟରେ। ସେଇ ଶଗଡ ଚକା ଭଳି ଢିମା ଢିମା ଆଖି ଦୁଇଟିର ସମ୍ମୋହନ ଶକ୍ତିରୁ କେହି ବାଦ୍ ପଡିନି। ଆପେ ଆଖି ଟାଣି ହୋଇ ଯାଇଚି ସେଇ ଚକାଆଖି ଆଡକୁ । ଆଖିରେ ଆଖି ମିଶିଗଲା ପରେ ପଲକ ପକାଇବାକୁ ଯାଇଛି ପାସୋରି। ଅଜାଣତରେ ଆଖିରୁ ଝରି ପଡିଚି ଅଶ୍ରୁ, ଅମାନିଆ ହୋଇ, ଆନନ୍ଦର, ଅଭିମାନର। ସେଠି ସମସ୍ତ ଛଳନା, କପଟତା, ଅଭିନୟ ହୋଇ ଯାଇଚି ମୂଲ୍ୟହୀନ। ସେଇ ଚକା ଆଖିକୁ ସାକ୍ଷୀ ରଖି ନିଜ ଜୀବନ ବିତାଇବାର ପଣ କରିଛି ଆଖିରେ ଆଖିରେ। ସେଇ ଆଖି ଦୁଇଟିର ଭରସାରେ ଦୁଃଖସୁଖର ନାଆଟିକୁ ବାହି ଜୀବନ ଜଞ୍ଜାଳର ନଈଟିକୁ ସୁରୁଖୁରୁରେ ପାରି କରିଯିବା ପାଇଁ ମନରେ ଦମ୍ଭ ଧରିଛି। କେବେ ଆନନ୍ଦରେ ଆଉ କେବେ ଅବସାଦରେ ଗାଇ ଉଠିଛି, ନାଉରିଆ କରିଦେ ପାରି ରେ…।

Comments are closed.