ଏକ ଘୋଡ଼ାର ଅପମୃତ୍ୟୁ ସମ୍ପର୍କରେ

ଶ୍ୟାମସୁନ୍ଦର ଅଗ୍ରୱାଲା

ସମଗ୍ର ଭାରତବର୍ଷ ବର୍ତ୍ତମାନ କରୋନା ମହାମାରୀର ଦ୍ବିତୀୟ ଲହର ସହିତ ଯୁଦ୍ଧ କରୁଛି। ଏହି ଲହର କେବେ ସମାପ୍ତ ହେବ କେହି କହି ପାରୁନାହାନ୍ତି ଅଥଚ ବୈଜ୍ଞାନିକମାନେ ଆସନ୍ତା ଅଗଷ୍ଟ ମାସରେ ଏହାର ତୃତୀୟ ଲହର ପ୍ରବେଶ କରି ଅକ୍ଟୋବର ଓ ନଭେମ୍ବର ମାସରେ ଶୀର୍ଷ ଛୁଇଁବ ବୋଲି ଭବିଷ୍ୟବାଣୀ କରିସାରିଲେଣି। ଏହି ଛାତିଥରା ଭବିଷ୍ୟତବାଣୀ ଶୁଣିଲା ପରେ ରାଜଦରବାରର ଜନୈକ ଜ୍ୟୋତିଷ ମହାଶୟଙ୍କ ରାସ୍ତା ଦୁର୍ଘଟଣାର କଥା ମନେ ପଡ଼ିଯାଉଛି। ମହାଶୟ ରାସ୍ତାରେ ଯାଉଯାଉ ଗୋଟେ ବଡ଼ ଗାତରେ ଗଳିପଡ଼ିଲେ। ଗାତ ଭିତରୁ ଥାଇ ଖୁବ୍‌ ଆର୍ତ୍ତନାଦ କଲେ। ବୁଢ଼ୀଟିଏ ସେଇ ବାଟରେ ଯାଉଥିବାବେଳେ ଜ୍ୟୋତିଷ ମହାଶୟଙ୍କୁ ବଡ଼ କଷ୍ଟରେ ଟାଣିଟୁଣି ଉଦ୍ଧାର କଲା। ମହାଶୟ ବୁଢ଼ୀ ଉପରେ ଖୁସି ହୋଇଯାଇ କହିଲେ, ‘ମାଉସୀ, ତୁ ଜାଣିନୁ, ତୁ ଆଜି କାହାକୁ ଉଦ୍ଧାର କଲୁ? ମୁଁ ହେଉଛି ରାଜ ଦରବାରର ଜ୍ୟୋତିଷ ମହାଶୟ। ପ୍ରତ୍ୟହ ରାଜାଙ୍କ ହାତ ଓ ମୁଖ ଦର୍ଶନ କରି ରାଜ୍ୟର ଭବିଷ୍ୟବାଣୀ କରିଥାଏ। ଥରେ ଭବିଷ୍ୟବାଣୀ କଲେ ମୁଁ ଗୋଟିଏ ସୁବର୍ଣ୍ଣମୁଦ୍ରା ନେଇଥାଏ। ଆଜି ମୁଁ ତୋ’ ଉପରେ ବହୁତ ଖୁସି ତେଣୁ ବିନା ମୂଲ୍ୟରେ ମୁଁ ତୋ’ର ଭବିଷ୍ୟତବାଣୀ କହିବାକୁ ଚାହୁଁଛି।’ ଏ କଥା ଶୁଣି ବୁଢ଼ୀ କହିଲା, ‘ରଖ ହୋ ତୁମ ଭବିଷ୍ୟତବାଣୀ। ଯିଏ ଦିନ ଦ୍ବିପ୍ରହରେ ତା’ ଆଖି ଆଗରେ ଥିବା ଗାତଟିକୁ ଦେଖିପାରୁନାହିଁ ସେ ପୁଣି ମୋର କି ଭବିଷ୍ୟତବାଣୀ କରିବ?’

ବନ୍ଧୁଗଣ, ବର୍ତ୍ତମାନ ବୈଜ୍ଞାନିକମାନଙ୍କୁ ଅନୁରୋଧ ସେମାନେ ଆମ ଆଖି ଆଗରେ ଚାଲିଥିବା କରୋନାର ଦ୍ବିତୀୟ ଲହର କେବେ ସମାପ୍ତ ହେବ ଠିକ୍‌ କୁହନ୍ତୁ। କରୋନାର ଦ୍ବିତୀୟ ଲହରରେ ଲୋକମାନେ ଅକଥନୀୟ ଦୁଃଖ ଓ କଷ୍ଟରେ କାଳାତିପାତ କରୁଛନ୍ତି। ଏହି ସମୟରେ ତୃତୀୟ ଲହରୀର ଭବିଷ୍ୟବାଣୀ କରି ଲୋକଙ୍କ ମନରେ କୋକୁଅା ଭୟ ସୃଷ୍ଟି କରନ୍ତୁ ନାହିଁ। ଯଦି ଏହା ସତର୍କ କରିବାପାଇଁ ଉଦ୍ଦିଷ୍ଟ ତେବେ ଏହା ସତର୍କତା ଅପେକ୍ଷା ଅଧିକ ଆତଙ୍କ ସୃଷ୍ଟି କରି ଘାତକ ସାବ୍ୟସ୍ତ ହେବ। ଏହି ପରି ଏକ ଆକଳନ ଗତ ବର୍ଷ ମଧ୍ୟ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଦୁଇହଜାର ଏକୋଇଶ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତବର୍ଷରେ ଅର୍ଦ୍ଧାଧିକ ଲୋକ କୋଭିଡ୍‌ଗ୍ରସ୍ତ ହୋଇଯିବେ ଆଉ କୋଟିଏ ପାଖାପାଖି ଲୋକ ଏହା ଦ୍ବାରା ମୃତ୍ୟୁବରଣ କରିବେ। ଏହା ଭାରତୀୟମାନଙ୍କୁୁ ସତର୍କ କରିବା ଅପେକ୍ଷା ଅତ୍ୟନ୍ତ ଆତଙ୍କିତ କରିଦେଇ ଅନେକ ଲୋକଙ୍କୁ ମାନସିକ ରୋଗଗ୍ରସ୍ତ କରିଦେବାର ପ୍ରମୁଖ କାରଣ ହୋଇଥିଲା।

କରୋନା ଭୂତାଣୁ ଉପରେ ଯେ କୌଣସି ବୈଜ୍ଞାନିକ ଗବେଷଣା ସର୍ବଦା ସ୍ବାଗତଯୋଗ୍ୟ, କିନ୍ତୁ ହଠାତ୍‌ କୌଣସି ନିଷ୍କର୍ଷରେ ପହଞ୍ଚିଯାଇ ଏହିପରି ଭୟାନକ ଭବିଷ୍ୟତବାଣୀ ସ୍ପୃହଣୀୟ ନୁହେଁ। ଆଜି ପର୍ଯ୍ୟନ୍ତ ଏହି ଭୂତାଣୁ ଏକ ରହସ୍ୟମୟ ଭୂତାଣୁ ହୋଇ ରହିଛି ଓ ଏହାର ଆଚାର ବ୍ୟବହାର ଅତ୍ୟନ୍ତ ପ୍ରହେଳିକାପୂର୍ଣ୍ଣ ମନେ ହେଉଛି। ଉଦାହରଣ ସ୍ବରୂପ ସମଗ୍ର ଭାରତବର୍ଷରେ କୋଭିଡ୍‌ ମହାମାରୀ ଦ୍ରୁତଗତିରେ କମ ହେଉଥିବାବେଳେ ଓଡ଼ିଶାରେ ଏହା ଅତ୍ୟନ୍ତ ମନ୍ଥର ଗତିରେ କମ୍‌ ହେଉଛି; ଅାଉ କେରଳ ଯାହାକୁ କୋଭିଡ୍‌ ନିୟନ୍ତ୍ରଣର ଏକ ଆଦର୍ଶ ରାଜ୍ୟ ବୋଲି ଗଣାଯାଉଥିଲା ତାହା ଉତ୍କଟ ପରିସ୍ଥିତି ଦେଇ ଗତି କରୁଛି। ଏହାର ଅର୍ଥ କ’ଣ ଓଡ଼ିଶାବାସୀ ବିହାର ଓ ଝାଡ଼ଖଣ୍ଡବାସୀମାନଙ୍କ ଠାରୁ ଅଧିକ ଅମାନିଆ ନା କେରଳବାସୀ ଓଡ଼ିଶାବାସୀଙ୍କଠାରୁ ଆହୁରି ଅମାନିଆ? ଯଦି ପରିସଂଖ୍ୟାନ ଠିକ୍‌ କହୁଛି, ତେବେ କୋଭିଡ୍‌ ଭୂତାଣୁର ଏ ଭଳି ବ୍ୟବହାର ଅତ୍ୟନ୍ତ ପ୍ରହେଳିକାପୂର୍ଣ୍ଣ ମନେହୁଏ ନାହିଁ କି?

ବର୍ତ୍ତମାନ ଜୀବନ ଓ ଜୀବିକା ଉଭୟ ସଂକଟମୟ ପରିସ୍ଥିତି ଦେଇ ଗତି କରୁଥିବାବେଳେ ଏହିପରି ବିପଜ୍ଜନକ ଭବିଷ୍ୟତବାଣୀ ସ୍ବାବଲମ୍ବୀ ବ୍ୟକ୍ତିମାନଙ୍କୁ ଅଧିକ ମାନସିକ ଦୁଶ୍ଚିନ୍ତାରେ ପକେଇ ଦେଇଛି। ଏହିପରି ଭବିଷ୍ୟତବାଣୀ ଶୁଣିବାପରେ ଯେ କୌଣସି ସରକାର ଆଗକୁ ନିଜ ଉପରୁ ଦୋଷ ଛଡ଼େଇଦେବା ନିମନ୍ତେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ। ଏ କଥା ସରକାରଙ୍କର ମୁଖିଆମାନେ ମନେ ରଖିବା ଉଚିତ ଯେ ବର୍ତ୍ତମାନ ରାଜ୍ୟ​‌େ​‌ର କୋଟିକୋଟି ଲୋକଙ୍କର ଜୀବନ ବଞ୍ଚେଇ ରଖିବାକୁ ହେଲେ ଜୀବିକା ଅନିବାର୍ଯ୍ୟ ହୋଇପଡ଼ିଛି। ଏଣିକି ଜୀବିକା ଚାଲିଗଲେ ମୃତ୍ୟୁ ସୁନିଶ୍ଚିତ, କାରଣ ଲୋକମାନେ ବର୍ତ୍ତମାନ ଜୀବିକା ଅଭାବରୁ ଜୀବନର ଚରମସୀମାରେ ପହଞ୍ଚି ସାରିଲେଣି। ‘ହଁ, ଏତେ ଦିନ ତ ବିନା ଜୀବିକାରେ କଷ୍ଟ ଭୋଗିଲଣି, ଆଉ ମାସେ, ପନ୍ଦର ଦିନ ଅପେକ୍ଷା କରିଯାଅ’ ବୋଲି କହିବା ଗୋଟିଏ ସହରର ଗାଡ଼ି ଟାଣୁଥିବା ଘୋଡ଼ାର ଖାଦ୍ୟକୁ ଦିନକୁ ଦିନ ନିୟନ୍ତ୍ରଣ କରିବା ସହିତ ସମାନ ହେବ।

ସହର ବାସିନ୍ଦାମାନେ ମିଳିମିଶି ରାସ୍ତାଘାଟରେ ଅଳିଆ ସଫା କରିବାପାଇଁ ଗୋଟିଏ ଘୋଡ଼ାଗାଡ଼ି କିଣିଲେ। ସେମାନେ ଅତ୍ୟନ୍ତ ଗରିବ ହୋଇଥିବାରୁ ଘୋଡ଼ାଗାଡ଼ି ବାବଦ ଖର୍ଚ୍ଚ ବହନ କରିବାକୁ ସମର୍ଥ ହେଉ ନଥିଲେ। ଦିନେ ସହରର ମୁଖିଆମାନେ ଏହାର ଖର୍ଚ୍ଚକାଟ ନିମନ୍ତେ ସ୍ଥିର କରି ନିର୍ଣ୍ଣୟ ନେଲେ। ଯାହା ଦାନା ଦିଆଯାଉଥିଲା ତା’ର ଚାରିଭାଗରୁ ଗୋଟିଏ ଭାଗ ଦାନା କାଟି ଦିଆଗଲା। ଦେଖାଗଲା ଘୋଡ଼ାଟି ଠିକ୍‌ ପୂର୍ବବତ୍‌ ଗାଡ଼ି ଟାଣୁଛି। ଦିନା କେତେ ପରେ ତା’ର ଦାନାକୁ ଅଧେ କରିଦିଆଗଲା; ତଥାପି ଘୋଡ଼ାଟି ପୂର୍ବବତ୍‌ ଗାଡ଼ି ଟାଣିଲା। ପୁଣି କେତେଦିନ ପରେ ତିନିଭାଗ ଦାନା କାଟି ମାତ୍ର ଗୋଟିଏ ଭାଗ ଦାନା ତାକୁ ଖାଇବାକୁ ଦିଆଗଲା। ସହରବାସିନ୍ଦାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ ଯେତେବେଳେ ଘୋଡ଼ାଟି ତଥାପି କ​‌େ​‌ଷ୍ଟମଷ୍ଟେ ଗାଡ଼ି ଟାଣିଲା। ଦିନେ ମୁଖିଆମାନେ ବସି ଚିନ୍ତାକଲେ ଯେ ଘୋଡ଼ାର ଗାଡ଼ିଟାଣିବା ସହିତ ଦାନାର କିଛି ସମ୍ପର୍କ ନାହିଁ ଆଉ ସେମାନେ ଅଯଥାରେ ଆଜିଯାଏ ଘୋଡ଼ାପାଇଁ ଦାନା ବାବଦରେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପରେ ସେମାନେ ଘୋଡ଼ାକୁ ଦାନା ଦେବା ପୂରା ବନ୍ଦ କରିଦେଲେ। ଦୁଇଦିନ ପରେ ଘୋଡ଼ାଟି ଗାଡ଼ି ଟାଣୁଥିବାବେଳେ ରାସ୍ତାଉପରେ ମରି ପଡ଼ିଥିବାର ଦେଖାଗଲା। ବନ୍ଧୁଗଣ, ବର୍ତ୍ତମାନ ସ୍ବାବଲମ୍ବୀ ବ୍ୟକ୍ତିମାନଙ୍କର ଦୁର୍ଦଶା ଦିନକୁ ଦିନ ବଢ଼ି ଚରମ ସୀମାରେ ପହଞ୍ଚିଯାଇଛି। ଘୋଡ଼ା ଭଳି ସେମାନେ ଗୋଟିଏ ଭାଗ ଦାନା ଖାଇ ବଞ୍ଚିଛନ୍ତି। ଜୀବିକା ଆହୁରି ନିୟନ୍ତ୍ରଣ ହେଲେ ସେମାନଙ୍କର ଜୀବନ କ’ଣ ହେବ, ତାହା ଚିନ୍ତା କରନ୍ତୁ।

Comments are closed.