ସିଲଭର୍‌ ସିଟିରେ ସିଲଭର୍‌ ଗାନ୍ଧିଜୀ

ଶୈଳଜ ରବି

ଏଇ କିଛିଦିନ ହେବ ଜଣେ ଓଡ଼ିଆ ପୁଅ ମୋହନ ମହାପାତ୍ର (ସାଇରାମ୍‌) ଙ୍କୁ ନେଇ ନିର୍ମିତ ‘ସିଲ୍‌ଭର୍‌ ଗାନ୍ଧୀ’ ଚଳଚ୍ଚିତ୍ର ବେଶ୍‌ ଚର୍ଚ୍ଚାରେ ଅଛି। କିଛି ମାସ ତଳେ ଭୁବନେଶ୍ବରରେ ଜଣେ ଯୁବ ସିଲ୍‌ଭର୍‌ ଗାନ୍ଧୀଙ୍କ ସହିତ ଛିଡ଼ାହୋଇ ପ୍ରମୁଖ ରାଜନେତା ଉଠାଇଥିବା ଫଟୋ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ତା’ ପୂର୍ବରୁ ଦେଖିଥିଲୁ ଦିଲ୍ଲୀର ଗୋଟିଏ ବାହାଘର ଭୋଜିରେ ଦ୍ବାରପାଳରୂପେ ଛିଡ଼ାହୋଇ ଜନୈକ ସିଲ୍‌ଭର୍‌ ଗାନ୍ଧୀ ଅତିଥିମାନଙ୍କୁ ସ୍ବାଗତ ଜଣାଉଥିଲେ। ଭାରତରେ ଗାନ୍ଧିଜୀଙ୍କ ଲୋକପ୍ରିୟତା ଏଥିରୁ ବେଶ୍‌ ପ୍ରମାଣିତ ହେଉଛି ବୋଲି ଯୁକ୍ତି କରାଯାଇପାରେ। ଭାରତରେ ଯେ ଆଉ ଏକ ଭକ୍ତି ଆନ୍ଦୋଳନର ଲହରୀ ଆସିଛି ତାହାର ପ୍ରମାଣ, ଦେଶରେ ପ୍ରାୟ ୭୦ରୁ ଅଧିକ ଗାନ୍ଧୀମନ୍ଦିର ତିଆରି ସରିଲାଣି। ସମଗ୍ର ବିଶ୍ବବାସୀ ଯେ ଗାନ୍ଧୀଙ୍କୁ ପୂଜିବା ଆରମ୍ଭ କଲେଣି ତା’ର ହୁଏତ ଏକ ପ୍ରମାଣ, ପ୍ରାୟ ୮୦/୮୫ଟି ଦେଶରେ ଗାନ୍ଧିଜୀଙ୍କର ବିରାଟବିରାଟ ମୂର୍ତ୍ତି ଛିଡ଼ାହେଲେଣି। ଏବେ ‘ଗାନ୍ଧୀ-ଓଡ଼ିଶା-୧୦୦’ ପାଳନ ଆରମ୍ଭ ହୋଇଯାଇଛି। ଗାନ୍ଧିଜୀ ଓଡ଼ିଶାର ଯେଉଁ ଯେଉଁ ସ୍ଥାନକୁ ଯାଇଥିଲେ, ଯେଉଁ ଯେଉଁଠାରେ ନିତ୍ୟକର୍ମ ସାରିଥିଲେ ବା ବିଶ୍ରାମ କରିଥିଲେ ସେ ସବୁ ସ୍ଥାନରେ ଅନ୍ତତଃପକ୍ଷେ ଗୋଟିଏଗୋଟିଏ ଗାନ୍ଧିମୂର୍ତ୍ତି ସ୍ଥାପନ ହେବା ଅପରିହାର୍ଯ୍ୟ ବୋଲି ସ୍ଥାନୀୟ ଗାନ୍ଧୀପ୍ରେମୀମାନେ ମନେ କରୁଛନ୍ତି।

ଆମେ ଦେବଦେବୀଙ୍କର ପ୍ରଥମେ କାଷ୍ଠପାଷାଣରେ ମୂର୍ତ୍ତି ଗଢ଼ୁ। ତା’ପରେ ତାକୁ ନକଲ କରି କିଛି ଶ୍ରମଜୀବୀଙ୍କୁ ହରପାର୍ବତୀ, ରାମସୀତା ରୂପେ ସଜାଇ ନଗର ପରିକ୍ରମା କରାଇଥାଉ। ସେହି ଫର୍ମୁଲା ଅବଲମ୍ବନ କରି ଗାନ୍ଧୀଙ୍କର ମଧ୍ୟ ମୂର୍ତ୍ତିକରଣ ଓ ମାନବୀକରଣ ପ୍ରକ୍ରିୟା ଚାଲିଛି। କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଦେଶର ବିଭିନ୍ନ ରାସ୍ତାକଡ଼ରେ ଖରାଖିଆ ମହାଦେବଙ୍କ ପରି ଛିଡ଼ାହୋଇଥିବା ଗାନ୍ଧୀ-ମୂର୍ତ୍ତି ଏବଂ ସିଲ୍‌ଭର୍‌ ଗାନ୍ଧୀ ତଥା ଫ୍ୟାନ୍ସୀ-ଡ୍ରେସ୍‌-ଗାନ୍ଧୀ ଏହି ପ୍ରକ୍ରିୟାର ଫଳଶ୍ରୁତି।

ସୁଇଡେନ ଦେଶର ଗ୍ରେଟା ଥନ୍‌ବର୍ଗ ନାମକ କିଶୋରୀ ଆଜି ପୃଥିବୀବ୍ୟାପୀ ‘ନୂତନ ଗାନ୍ଧୀ’ ରୂପେ ପରିଚିତ। ପୃଥିବୀକୁ ଦ୍ରୁତଗତିରେ ପ୍ରଳୟମୁହଁା କରିଚାଲିଥିବା କ୍ଷମତାଲୋଭୀ ରାଜନେତା ଓ ଦାୟିତ୍ବହୀନ ଗୁରୁଜନଙ୍କ ବିରୋଧରେ ସେ ସବିନୟ ଅବଜ୍ଞା ଆନ୍ଦୋଳନର ଆହ୍ବାନ ଦେଇଥିଲା। ତା’ ଆହ୍ବାନ ରକ୍ଷାକରି ଦେଶବିଦେଶର ବହୁ କିଶୋରକିଶୋରୀ ପରିବେଶ ସୁରକ୍ଷାର ଶପଥ ନେଲେ ଏବଂ ପ୍ରତି ଶୁକ୍ରବାର ସ୍କୁଲକଲେଜ ସହିତ ଅସହଯୋଗ କରି ବୟସ୍କ ପୃଥିବୀର ଅବିମୃଶ୍ୟକାରିତା ବିରୋଧରେ ନିଜର ପ୍ରତିବାଦ ଜଣାଇଲେ। ଅପରପକ୍ଷରେ ‘ଗାନ୍ଧୀ ୧୫୦’ ପାଳନ କରିବାକୁ ଯାଇ ତେଲଙ୍ଗାନାର ଗୋଟିଏ ସ୍କୁଲ ୫୦୦ ଛାତ୍ରଛାତ୍ରୀଙ୍କୁ ଗାନ୍ଧୀ ବେଶରେ ସଜ୍ଜିତ କରି, ବିଶ୍ବରେକର୍ଡ ସୃଷ୍ଟି କରିଥିବା ଦାବି କଲା। ସେ ଦୃଶ୍ୟ ଟିଭିରୁ ଦେଖି ବହୁ ଗାନ୍ଧୀପ୍ରେମୀ ଭାରତୀୟ ଭାବାବେଗ ସମ୍ବରଣ କରିପାରିନଥିଲେ।

ଗାନ୍ଧିଜୀଙ୍କ ଲୋକପ୍ରିୟତା ଓ ପ୍ରାସଙ୍ଗିକତା ପ୍ରମାଣ କରିବାକୁ ଓଡ଼ିଆଙ୍କ ପାଖରେ ଏବେ ଆଉ ଏକ ସୁବର୍ଣ୍ଣସୁଯୋଗ ଆସିଛି। ଏଣୁ ରାଜନେତା-ପ୍ରଶାସକ, କବି-କଳାକାର, ଶିକ୍ଷାବିତ୍‌-ବୁଦ୍ଧିଜୀବୀ ମାତ୍ରାଧିକ ସକ୍ରିୟ ହୋଇପଡ଼ିଛନ୍ତି। ଗାନ୍ଧୀଙ୍କୁ ନେଇ ଭାଷଣ, ପ୍ରବଚନ, ନାଟକ, ଚଳଚ୍ଚିତ୍ର, ଗଳ୍ପ କବିତା ଦେଶବାସୀଙ୍କ ଉପରେ ଅଜାଡ଼ି ହୋଇପଡ଼ୁଛି। ୨ କି.ମି.ରୁ ୪ କି.ମି. ବ୍ୟାପୀ ପଦଯାତ୍ରା ଓଳିକିଆ ଉପବାସ ଇତ୍ୟାଦି ଆୟୋଜନ ଦିଗରେ ମଧ୍ୟ କିଛି ଗାନ୍ଧୀଜନ ତତ୍ପର ହୋଇଉଠିଛନ୍ତି। ପୁଣି ବାମପନ୍ଥୀ ଏବଂ ଦକ୍ଷିଣପନ୍ଥୀ ନେତୃବୃନ୍ଦ ଯେଉଁମାନେ ଗାନ୍ଧୀଙ୍କୁ ସମପରିମାଣରେ ଘୃଣା କରନ୍ତି, ହଠାତ୍‌ ସମପରିମାଣରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଉଠିଛନ୍ତି। ପରସ୍ପର ପରସ୍ପରର ମୁଣ୍ଡ ଠୁକାଇବା ପାଇଁ ଗାନ୍ଧିଜୀଙ୍କୁ ଏକ ଅହିଂସକ ଲାଠିରୂପେ ବ୍ୟବହାର କରୁଛନ୍ତି।

ତେବେ ଏହି ସବୁ ଆଖିଝଲସା ସମାରୋହ, କାନଫଟା କୀର୍ତ୍ତନ, ପ୍ରବଚନ ଶୁଣି ସାଧାରଣ ମଣିଷଟିଏ ଭାବୁଥିବ, ସତରେ, କାହା ପାଇଁ ଏ ଗାନ୍ଧୀ ପ୍ରାସଙ୍ଗିକ? ସେ ହୁଏତ ପଢ଼ିଥିବ ବା ଶୁଣିଥିବ ଗାନ୍ଧୀଙ୍କ ପ୍ରସିଦ୍ଧ ରକ୍ଷାକବଚ। ସେଥିରେ ସେ ଆମ ସମସ୍ତଙ୍କୁ ଆମ କାମକୁ ବାରମ୍ବାର ପରଖ କରି ନିଜକୁ ପଚାରିବାକୁ କହୁଛନ୍ତି, ‘ମୋର ଏ କାମ ସବାତଳେ ପଡ଼ିଥିବା ମଣିଷଟିର କିଛି କାମରେ ଆସିବ କି?’ ଦେଶର ଏକ ସଂକଟମୟ ମୁହୂର୍ତ୍ତରେ ଦେଶବାସୀଙ୍କୁ ଗାନ୍ଧୀଙ୍କର ଏହା ହିଁ ଥିଲା ପ୍ରାଥମିକ ପ୍ରଶ୍ନ। ଆଜିର ଏ ସଂକଟମୟ ମୁହୂର୍ତ୍ତରେ ଗାନ୍ଧୀ-ପ୍ରାସଙ୍ଗିକତାର ଏହା ହିଁ ବୋଧେ ହେବା ଉଚିତ କଷଟିପଥର। ଗାନ୍ଧୀ-୧୫୦ରୁ ଗାନ୍ଧୀ-ଓଡ଼ିଶା-୧୦୦ ଯାଏ ଚାଲିଥିବା ଚବିଶପ୍ରହର ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ତଳେ ପଡ଼ିଥିବା ସେ ମଣିଷଟି ନିଜ ଜୀବନ ସହିତ ଗାନ୍ଧୀଙ୍କୁ ଯୋଡ଼ି ପାରିବ କି? ଯୋଡ଼ି ପାରୁଛି କି?

‘ଗାନ୍ଧୀକଥା’ ଶୁଣାଇ ଶୁଣାଇ ପରିଣତ ବୟସରେ ଦେଶସାରା ଘୂରିଥିବା, ଗାନ୍ଧୀଙ୍କ ଖାସ୍‌ ସଂସ୍ପର୍ଶରେ ଆସି, ଗାନ୍ଧୀ ବିଚାରକୁ ଆଧାରକରି ସାରା ଜୀବନ କଟାଇଦେଇଥିବା, ଗାନ୍ଧିଜୀଙ୍କ ସେକ୍ରେଟାରୀ ଶ୍ରୀ ମହାଦେବ ଦେଶାଇଙ୍କ ସୁଯୋଗ୍ୟ ପୁତ୍ର ବିଶ୍ବବିଖ୍ୟାତ ଗାନ୍ଧୀଜନ ସ୍ବର୍ଗତ ନାରାୟଣ ଦେଶାଇ ଆଜିକୁ ୧୨ବର୍ଷ ତଳେ ଭୁବନେଶ୍ବରରେ ପାଞ୍ଚଦିନ ଗାନ୍ଧୀଦର୍ଶନ ଉପରେ ପ୍ରବଚନ ଦେଇଥିଲେ। ଆଜିର ଦୁନିଆରେ ଗାନ୍ଧୀଙ୍କ ପ୍ରାସଙ୍ଗିକତାକୁ ନେଇ ସେ ଯାହା ବକ୍ତବ୍ୟ ରଖିଥିଲେ, ସ୍ଥାନାଭାବରୁ, ସେଥିରୁ କେବଳ ତିନିଟି ବାକ୍ୟ ହିନ୍ଦୀରୁ ଭାଷାନ୍ତର କରିଥିବା ବନ୍ଧୁ ଶ୍ରୀ ଧନଦା ମିଶ୍ରଙ୍କ ଭାଷାରେ ରଖୁଛି: ‘କେବଳ ଗୋଟିଏ ଦେଶରେ ଗାନ୍ଧୀଙ୍କ ପ୍ରାସଙ୍ଗିକତାକୁ ନେଇ ସବୁଠାରୁ ଅଧିକ ପ୍ରଶ୍ନ ପଚରାଯାଏ- ତାହା ହେଲା ଭାରତବର୍ଷ। ଅନ୍ୟ ଦେଶରେ ଲୋକେ ଗାନ୍ଧୀ କଥା ଶୁଣିବାକୁ ଆସନ୍ତି କାରଣ ତାଙ୍କ ପାଇଁ ଗାନ୍ଧୀ ପ୍ରାସଙ୍ଗିକ।’ ନାରାୟଣ ଭାଇଙ୍କ ତୃତୀୟ ବାକ୍ୟଟି ଥିଲା, ‘‘xxx ଗାନ୍ଧୀଙ୍କ ଆମ ପାଇଁ ପ୍ରାସଙ୍ଗିକତା ଯେତେ ମହତ୍ତ୍ବପୂର୍ଣ୍ଣ ନୁହେଁ, ଆମେ ଗାନ୍ଧୀଙ୍କ ପାଇଁ କେତେ ପ୍ରାସଙ୍ଗିକ ତାହା ଅଧିକ ଗୁରୁତ୍ବପୂର୍ଣ୍ଣ।’’ ଅଳମତି ବିସ୍ତରେଣ।

ଗାନ୍ଧିଜୀ ତାଙ୍କର ସେଇ ପ୍ରଥମ ଓଡ଼ିଶାଗସ୍ତ ସମୟରେ ଦୁଇଟି ମଞ୍ଜିକଥା କହିଥିଲେ। ଗୋଟିଏ ମର୍ମସ୍ପର୍ଶୀ, ଆରଟି ମର୍ମନ୍ତୁଦ। ସିଲ୍‌ଭର୍‌ ସିଟି କଟକରୁ ସିଲ୍କସିଟି ବ୍ରହ୍ମପୁରକୁ ଟ୍ରେନ୍‌ରେ ଯାଉଥିବାବେଳେ ଖୋର୍ଦ୍ଧା ରୋଡ଼ରେ ଜଣେ କର୍ମୀଙ୍କ ପ୍ରଶ୍ନ ଓ ତା’ର ଉତ୍ତର: ‘ମହାତ୍ମାଜୀ, ଜନସାଧାରଣଙ୍କ ଉପରେ ଆପଣଙ୍କର ଏପରି ପ୍ରଭାବର କାରଣ କ’ଣ?’’ ଉତ୍ତରରେ ଗାନ୍ଧିଜୀ କହୁଛନ୍ତି, ‘‘ମୁଁ ଆପଣଙ୍କ ଭଳି ନିଜକୁ ଜଣେ ସାଧାରଣ ଲୋକ ବୋଲି ଭାବିଥାଏ। xxx ଯାହାକୁ ମୋର ପ୍ରଭାବ ବୋଲି ମନେ କରୁଛନ୍ତି ତାହା ମୋର ଆଗ୍ରହର ଫଳ। କୌଣସି କଥାରେ ସତ୍ୟତା ଅନୁଭବ କଲେ ମୁଁ ତାକୁ କାମରେ ଲଗାଇବାପାଇଁ ଉଦ୍ୟମ କରିଥାଏ। ସାଧନା ହିଁ ମୋତେ ଲୋକଙ୍କ ଆଖିରେ ବଡ଼ କରିଛି।’ ତା’ପରେ ଗାନ୍ଧିଜୀ ଗମ୍ଭୀର ହୋଇଯାଇ କହିଲେ, ‘ହୁଏତ ଏପରି ଦିନ ଆସିବ ଯେତେବେଳେ ମୋ କଥାରେ ବହୁତ କମ୍‌ ଲୋକ ରହିବେ। ସେତେବେଳେ ମୁଁ ଦୁଃଖିତ ହେବି ନାହିଁ କି ନିରାଶ ହେବିନାହିଁ। ମୋର ଉଦ୍ୟମରୁ ମଧ୍ୟ ମୁଁ ବିରତ ହେବିନାହିଁ। ଦକ୍ଷିଣ ଆଫ୍ରିକାରେ ଦିନେ ଏମିତି ମୋ ସାଙ୍ଗକୁ ମାତ୍ର ଷୋଳଜଣ ରହିଥିଲେ।’’ (‘ଓଡ଼ିଶା ଓ ଗାନ୍ଧୀ’; ପାବକ କାନୁନ୍‌ଗୋ)

ଗାନ୍ଧିଜୀଙ୍କର ଏ ଭବିଷ୍ୟତବାଣୀ ଯିଶୁଖ୍ରୀଷ୍ଟ କ୍ରୁଶବିଦ୍ଧ ହେବା ପୂର୍ବରୁ ତାଙ୍କର ଶେଷ ରାତ୍ରି ଭୋଜନ ସମୟରେ ଉପସ୍ଥିତ ୧୨ଜଣ ଶିଷ୍ୟଙ୍କ ନିକଟରେ କରିଥିବା ଭବିଷ୍ୟତବାଣୀ ପରି ଶୁଣାଯାଏ। ଯିଶୁ ଭବିଷ୍ୟତବାଣୀ କରିଥିଲେ ଯେ ସେ ବାରଜଣଙ୍କ ଭିତରୁ ଯୁଡାସ୍‌ ଓ ପିଟର୍‌ ତାଙ୍କ ସହିତ ବିଶ୍ବାସଘାତକତା କରିବେ। ହଁ, ଗାନ୍ଧିଜୀ ତାଙ୍କ ସହିତ ‘ବହୁତ କମ୍ ଲୋକ’ ଶେଷଯାଏ ରହିବେ ବୋଲି ଭବିଷ୍ୟତବାଣୀ କରିଥିଲେ। ସଂଖ୍ୟାରେ କମ୍‌ ହେଲେ ମଧ୍ୟ ସେହିଭଳି କିଛି ନୀତିନିଷ୍ଠ ଗାନ୍ଧୀଜନ ଏବେ ବି ଦେଶସାରା ବିଛାଡ଼ିହୋଇ ରହିଛନ୍ତି। ସେମାନେ ବିଶେଷ ଦୃଶ୍ୟମାନ ନୁହନ୍ତି କି’ ବାବଦୁକ ନୁହନ୍ତି। ଗାନ୍ଧୀ ବିଚାରରେ ବିଭିନ୍ନ ସଂପ୍ରତ୍ୟୟକୁ ନେଇ ସେମାନେ ଏବେ ବି କ୍ଷେତ୍ର-ପ୍ରୟୋଗ ଚଳାଇ ରଖିଛନ୍ତି।

ଆମ ଗାଁ ଗହଳିରେ ଲୋକେ ଚକ୍‌ଚକିଆ ଆଲୁମିନିୟମ ବାସନକୁ ସିଲ୍‌ଭର ବାସନ କହିଥାନ୍ତି। ତିଥିବାର ଦେଖି ଗାନ୍ଧୀ କର୍ମକାଣ୍ଡରେ ଲିପ୍ତ ରହି ଆମେ ସେହିଭଳି ସିଲ୍‌ଭର ଗାନ୍ଧୀଙ୍କ ସ୍ମରଣାର୍ଥେ ସିଲ୍‌ଭର୍‌ ମହୋତ୍ସବ ପାଳନ କରୁ ନାହୁଁ ତ?

Comments
Loading...