ସମାନ ନାଗରିକ ସଂହିତା ଆବଶ୍ୟକ କି?

ଅନନ୍ତ ଚରଣ ସାହୁ

ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍‌ କୋଡ୍‌) କହିଲେ ଆମେ ସାଧାରଣତଃ ବୁଝିଥାଉ ଯେ ଭାରତର ବିଭିନ୍ନ ଧର୍ମ-ସଂପ୍ରଦାୟ ମଧ୍ୟରେ ଥିବା ସେମାନଙ୍କର ଗୋଷ୍ଠୀଗତ ବା ବ୍ୟକ୍ତିଗତ ଆଇନ୍‌ ପରିବର୍ତ୍ତେ କୌଣସି ଧାର୍ମିକ ବିଚାର ନିର୍ବିଶେଷରେ ସମଗ୍ର ଭାରତୀୟ ନାଗରିକଙ୍କ ପାଇଁ ସମାନ ନାଗରିକ ଆଇନ୍‌ ବା ସଂହିତାର ପ୍ରଚଳନ।

ସମ୍ବିଧାନ ନିର୍ମାତାଗଣ ଭାରତ ସମ୍ବିଧାନର ଅନୁଚ୍ଛେଦ ୪୪ରେ ସ୍ପଷ୍ଟରୂପେ ଉଲ୍ଲେଖ କରିଅଛନ୍ତି ଯେ, ଭାରତୀୟ ନାଗରିକମାନଙ୍କ ପାଇଁ ଏକ ଏକକ ନାଗରିକ ସଂହିତାର ପ୍ରଣୟନ ଆବଶ୍ୟକ। ସମ୍ବିଧାନର ନୀତି ନିର୍ଦେଶକ ତତ୍ତ୍ବ (ଡିରେକ୍ଟିଭ୍‌ ପ୍ରିନ୍ସିପୁଲ୍‌ସ)ରେ ମଧ୍ୟ ଏହାର ଉପଲବ୍ଧି ପାଇଁ ପରୋକ୍ଷ ସଂକେତ ଦିଆଯାଇଅଛି। ପ୍ରାକ୍‌-ସ୍ବାଧୀନତା କାଳରେ ବ୍ରିଟିଶଶାସିତ ଭାରତର ବହୁଧର୍ମୀ ସମାଜରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଓ ପାରସୀ ପ୍ରଭୃତି ମୁଖ୍ୟ ଧର୍ମାବଲମ୍ବୀମାନଙ୍କର ବ୍ୟକ୍ତିଗତ ଆଇନସମୂହ ଯଥା ହିନ୍ଦୁ ଆଇନ, ମୁସଲିମ୍‌ ଆଇନ୍‌ ଓ ଖ୍ରୀଷ୍ଟିୟାନ ଆଇନ୍‌ ପ୍ରଭୃତି ପ୍ରମୁଖ ଧାର୍ମିକ ଆଇନଗୁଡ଼ିକ ବଳବତ୍ତର ରହିଥିଲା। ସମ୍ପୃକ୍ତ ଧର୍ମ ସମ୍ପ୍ରଦାୟଗୁଡ଼ିକ ବୈବାହିକ, ବିବାହ-ବିଚ୍ଛେଦାତ୍ମକ, ସମ୍ପତ୍ତି ଉତ୍ତରାଧିକାର, ପୋଷ୍ୟସନ୍ତାନ ଗ୍ରହଣ, ମୃତ୍ୟୁ ପର ଶବସଂସ୍କାର ଓ ଶୁଦ୍ଧିକ୍ରିୟା ପାଳନ ସମ୍ପର୍କୀୟ ନାନାବିଧ ଆଇନ୍‌ ଦ୍ବାରା ପରିଚାଳିତ ହେଉଥିଲେ। ଏହି ଆଇନଗୁଡ଼ିକ ମୁଖ୍ୟତଃ ବ୍ୟକ୍ତିଗତ ଓ ସାମାଜିକ ଦୁଇପ୍ରକାର ଗୋଷ୍ଠୀରେ ବିଭକ୍ତ।

ଉଦାହରଣ ସ୍ବରୂପ-ମୁସଲିମ୍‌ ପର୍ସନାଲ ଲ’, ଯାହାକି ସାରିଆ ଆଇନଦ୍ବାରା ପରିଚାଳିତ, ତାହା ବଳରେ ମୁସଲମାନ୍‌ ସଂପ୍ରଦାୟ ମଧ୍ୟରେ ବହୁ-ପତ୍ନୀ ଗ୍ରହଣ, ‘ତିନି ତଲାକ’ ବିବାହ ବିଚ୍ଛେଦ ପ୍ରଭୃତି ଅନେକ ପ୍ରଥା ପ୍ରଚଳିତ ଥିଲା। ଦ୍ରୁତ ପରିବର୍ତ୍ତିତ ସାମାଜିକ ଜୀବନଶୈଳୀର ପ୍ରବର୍ତ୍ତନ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଗତିଶୀଳ ଜୀବନଧାରା ଅବଲମ୍ବନ ଫଳରେ ଏଗୁଡ଼ିକ ଅସମୟୋଚିତ ଓ ଅସଙ୍ଗତ ହୋଇପଡ଼ିଅଛି।

ସମାଜର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଭାରତରେ ଅନୁସୃତ ବିଶେଷ ବୈବାହିକ ଆଇନ୍‌ ୧୯୫୪ ବଳରେ ବର୍ତ୍ତମାନ ଯେକୌଣସି ଭାରତୀୟ ଧର୍ମାବଲମ୍ବୀ ଅନ୍ତର୍ଜାତୀୟ ବିବାହ କ୍ଷେତ୍ରରେ ନିଜର ବ୍ୟକ୍ତିଗତ ଧାର୍ମିକ ଆଇନ୍‌ ପରିବର୍ତ୍ତେ କୋର୍ଟକଚେରିରେ ପଞ୍ଜିକୃତ ବିବାହକୁ ଆଇନସମ୍ମତ ବିବାହ ରୂପେ ପ୍ରତିଷ୍ଠିତ କରିପାରୁଛି। ୧୯୫୫ରେ ଗୃହୀତ ହିନ୍ଦୁ ବୈବାହିକ ଆଇନ ଏ କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ। ସ୍ବାଧୀନତା ପରେ ନାଗରିକ ସଂହିତାର ସଂସ୍କାର ଦ୍ବାରା ଏକ ଏକକ ନାଗରିକ ସଂହିତାର ପ୍ରତିଷ୍ଠା ଲକ୍ଷ୍ୟରେ ବହୁ ଆଇନ କମିସନ ଗଠିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନେବାରେ ସଫଳ ହୋଇପାରି ନାହାନ୍ତି।

ହିନ୍ଦୁକୋଡ୍‌: ସ୍ବାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଭୀମରାଓ ଆ‌େ‌ମ୍ବଦକରଙ୍କ ଦ୍ବାରା ଏହା ୧୯୫୬ ମସିହାରେ ଭାରତୀୟ ସଂସଦରେ ବହୁ ବିରୋଧ ସତ୍ତ୍ବେ ଗୃହୀତ ହୋଇଥିଲା। ହିନ୍ଦୁ ବୈବାହିକ, ଉତ୍ତରାଧିକାରିତ୍ବ, ମୁରବିତ୍ବ, ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କୀୟ କେତେଗୁଡ଼ିଏ ଆଇନ୍‌ର ଅବଲମ୍ବନ ପୂର୍ବକ ସମଷ୍ଟିଗତ ଭାବରେ ଯେଉଁ ହିନ୍ଦୁ କୋଡ୍‌ ବିଲ୍‌ଟି ଗୃହୀତ ହୋଇଥିଲା, ତାହା ଫଳରେ ହିନ୍ଦୁମାନଙ୍କ ସାମାଜିକ, ଜୀବନର ଆଇନଗତ ସମନ୍ବୟ ଅନେକ ପରିମାଣରେ ଉପଲବ୍ଧ ହୋଇପାରିଛି।

ସ୍ବାଧୀନତା ପରବର୍ତ୍ତୀ ଯୁଗରେ ବିଂଶ ଶତାବ୍ଦୀର ଅନ୍ତିମ ଦଶକ ଓ ଏକବିଂଶ ଶତାବ୍ଦୀର ପ୍ରଥମ ଦଶକ ମଧ୍ୟରେ ନାରୀ-ସ୍ବାଧୀନତା, ନାରୀ-ସଶକ୍ତୀକରଣ ଓ ନାରୀ ପୁରୁଷ ମଧ୍ୟରେ ଆଇନ୍‌ ଦୃଷ୍ଟିରୁ ଭେଦବିଚାର ପରିହାର ସମ୍ପର୍କୀୟ ସଚେତନତା ସୃଷ୍ଟି ହେବା ଫଳରେ ଧର୍ମସମ୍ପ୍ରଦାୟ ନିର୍ବିଶେଷରେ ପ୍ରଗତିବାଦୀ ସମାଜ-ସଂସ୍କାରକଗଣ, ନାରୀ ସଶକ୍ତୀକରଣ ଓ ସାମାଜିକ, ରାଜନୈତିକ ଓ ଧାର୍ମିକ ସମାନତା ପାଇଁ ଯେଉଁ ସଂଗ୍ରାମ ଜାରି ରଖିଲେ, ତାହା ଫଳରେ ନାରୀ-ପୁରୁଷ ବିଭେଦ ବ୍ୟତିରେକେ ଏକ ଏକକ ଓ ସମନ୍ବିତ ସମାଜ ଗଠନ ଅନିବାର୍ଯ୍ୟ ହୋଇପଡ଼ିଅଛି।

ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଯେ ହିନ୍ଦୁୁ ନାରୀମାନଙ୍କ ଜୀବନଯାପନ କ୍ଷେତ୍ରରେ କେତେକ ସଂସ୍କାରାତ୍ମକ ଆଇନ୍‌ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ଭାରତର ଅନ୍ୟ ଧାର୍ମିକ ସଂପ୍ରଦାୟୀମାନଙ୍କ କ୍ଷେତ୍ରରେ ସେଭଳି କିଛି ଆଖିଦୃଶିଆ ଆଇନ୍‌ ପ୍ରଣୟନ ହୋଇପାରିନାହିଁ। ହିନ୍ଦୁ ବିଧବା ପୁନଃ ବିବାହ ଆଇନ୍‌, ୧୯୫୫, ହିନ୍ଦୁ ସମ୍ପତ୍ତି ଉତ୍ତରାଧିକାରିତ୍ବ ଆଇନ ପ୍ରଭୃତି କେତୋଟି ଆଇନ୍‌ ପ୍ରଣୀତ ହୋଇଥିଲେ ମଧ୍ୟ ଏ ଦିଗରେ କୌଣସି ବୈପ୍ଳବିକ ପଦକ୍ଷେପ ନିଆଯାଇନାହିଁ।

ଆମ୍ବେଦକରଙ୍କ ଆଇନ ମନ୍ତ୍ରିତ୍ବ କାଳରେ ଭାରତ‌େର ଏକକ ନାଗରିକ ଆଇନ୍‌ ପ୍ରବର୍ତ୍ତନ ପାଇଁ କେତେଗୁଡ଼ିଏ ପ‌ଦକ୍ଷେପ ଆରମ୍ଭ କରାଯାଇଥିଲେ ମଧ୍ୟ କଂଗ୍ରେସ ଦଳର ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସର୍ଦାର ବଲ୍ଲଭଭାଇ ପଟେଲ, କହ୍ନାଇଲାଲ ମାଣିକଲାଲ ମୁନ୍‌ସୀ ପ୍ରଭୃତି କେତେକ ଶୁଦ୍ଧାଚାରୀ ନେତାଙ୍କ ବିରୋଧ ଯୋଗୁଁ ନେହେରୁ ସରକାର ଏ ଦିଗରେ ବିଶେଷ ଆଗେଇ ପାରିନଥିଲେ।

ହିନ୍ଦୁ କୋଡ ବିଲ୍‌ର ପ୍ରଣୟନ ଫଳରେ ହିନ୍ଦୁ ସମାଜ ମଧ୍ୟରେ ଯେଉଁ ନାଗରିକ ସଂସ୍କାର ପ୍ରବର୍ତ୍ତିତ ହୋଇଥିଲା ତାହା ଫଳରେ ପ୍ରଗତିଶୀଳ ମୁସଲମାନ ଧର୍ମାବଲମ୍ବୀଗଣ କେତେକ ପରିମାଣରେ ଉତ୍ସାହିତ ହୋଇପଡ଼ିଥିଲେ। ଏହାର ଏକ ପ୍ରକୃଷ୍ଟ ଉଦାହରଣ ସାହାବାନୁ ମାମଲା ନିମ୍ନରେ ପ୍ରଦତ୍ତ ହେଲା।
୧୯୮୫ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସାହାବାନୁ ନାମକ ଏକ ଅସହାୟ ମୁସଲିମ୍‌ ଛାଡ଼ପତ୍ର- ବିଚ୍ଛେଦିତାଙ୍କ ନିବେଦନ ଯାଚିକାର ବିଚାର କରି ଯେଉଁ ଐତିହାସିକ ରାୟ ଦେଇଥିଲେ, ତାହା କାର୍ଯ୍ୟକାରୀ ହୋଇଥିଲେ ଧର୍ମ-ନିରପେକ୍ଷ ଭାରତର ନାଗରିକ ଆଇନ୍‌ ତଥା ସାମାଜିକ ସ୍ଥିତିରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଥାଆନ୍ତା। ଏହା ପରବର୍ତ୍ତୀ କାଳରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏକ ସାର୍ବଜନୀନ ମଜଭୁତ ଏକକ ନାଗରିକ ଆଇନ ପ୍ରଣୟନର ପଥ ପରିଷ୍କାର କରିଦେଇଥାଆନ୍ତା।

୬୯ ବର୍ଷ ବୟସ୍କା ସାହାବାନୁ ଦୀର୍ଘ ୪୩ ବର୍ଷ ବ୍ୟାପୀ ବୈବାହିକ ଜୀବନ ଅତିବାହିତ କରିବାପରେ, ସ୍ବାମୀ ମହମ୍ମଦ ଅହମ୍ମଦ ଖାଁଙ୍କ ଦ୍ବାରା ‘ତିନି ତଲାକ’ ବା ଛାଡ଼ପତ୍ର ପାଇ ଅସହାୟ ଅବସ୍ଥାରେ ନ୍ୟାୟାଳୟର ଆଶ୍ରୟ ନେଲେ। ଶେଷରେ ସର୍ବୋଚ୍ଚ ନ୍ୟାୟାଳୟ‌େ‌ର ମାମଲାଟି ବିଚାର ପରେ ସର୍ବୋଚ୍ଚ ଅଦାଲତ ପରିତ୍ୟକ୍ତା ମହିଳାଙ୍କର ଅଧିକାର ସାବ୍ୟସ୍ତ ପୂର୍ବକ ସ୍ବାମୀଙ୍କଠାରୁ ନିଜର ଭରଣପୋଷଣ ପାଇଁ ମାସକୁ ମାତ୍ର ଟ.୫୦୦ କ୍ଷତିପୂରଣ ପାଇବାର ରାୟ ଦେଲେ। ଏହି ରାୟ ପ୍ରକାଶ ପାଇଲା ପରେ ଭାରତର ବିଚାରବନ୍ତ ପ୍ରଗତିଶୀଳ ମୁସଲିମ୍‌ ଗୋଷ୍ଠୀ ମଧ୍ୟରେ ନୂତନ ଆଶା ସୃଷ୍ଟି ହେଲା।
କିନ୍ତୁ ୧୯୮୫ର ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ସାହାବାନୁ ମୋକଦ୍ଦମାର ରାୟକୁ ଅକାମୀ କରିବା ପାଇଁ କଠୋରପନ୍ଥୀ ମୁସଲମାନ୍‌ ଧର୍ମଗୁରୁମାନଙ୍କ ତୀବ୍ର ବିରୋଧ ହେତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଭାରତୀୟ ସଂସଦରେ ଏକ ପରିପନ୍ଥୀ ଆଇନ୍‌ ପ୍ରଣୟନ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅକାମୀ କରିଦେଇଥିଲେ। ଫଳରେ ସମାନ ବା ଏକକ ନାଗରିକ ଆଇନ ପ୍ରଣୟନ ଦିଗରେ ଯେଉଁ ପ୍ରଚେଷ୍ଟା ଆରମ୍ଭ କରାଯାଇଥିଲା ତାହା ବିଫଳ ହୋଇଥିଲା।

ବର୍ତ୍ତମାନର ନରେନ୍ଦ୍ର ମୋଦୀଙ୍କ ସରକାର ‘ତିନି ତଲାକ୍‌’ ବିରୋଧରେ ଯେଉଁ ଆଇନ୍‌ଟି ପ୍ରଣୟନ କରିଅଛନ୍ତି, ତାହା ସପକ୍ଷରେ ଅଧିକାଂଶ ପ୍ରଗତିବାଦୀ ମୁସଲମାନ ନର-ନାରୀ ସମର୍ଥନ ଦେଉଥିଲେ ମଧ୍ୟ କେତେକ କଠୋରପନ୍ଥୀ ମୁସଲମାନ ଧର୍ମଗୁରୁ ଏହାର ବିରୋଧ କରି ବମ୍ବେ ଉଚ୍ଚ ନ୍ୟାୟାଳୟରେ ମୋକଦ୍ଦମା ଦାୟର କରି ମଧ୍ୟ ଆଇନକୁ ଅକାମୀ କରିବାରେ ବିଫଳ ହେଲେ।
ଉଦାହରଣ ସ୍ବରୂପ ଭାରତର କେବଳ ଗୋଟିଏ ରାଜ୍ୟ ଅଛି ‘ଗୋଆ’ ଯେଉଁଠାରେ ବିଭିନ୍ନ ସାମାଜିକ ପ୍ରଥା ନିର୍ବିଶେଷରେ କେବଳ ଗୋଟିଏ ସମନ୍ବିତ ଏକକ ନାଗରିକ ସଂହିତାର ପ୍ରଚଳନ ସମ୍ଭବ ହୋଇଥିବାର ମୂଳ କାରଣ ହେଉଛି, ଦୀର୍ଘକାଳ ବ୍ୟାପୀ ଗୋଆ, ଦାମନ ଓ ଡିୟୁ ଅଞ୍ଚଳଗୁଡ଼ିକ ପର୍ତ୍ତୁଗୀଜ୍‌ ଶାସନ କବଳରେ ରହିଥିଲା। ଭାରତ ସ୍ବାଧୀନତାର ବହୁ ବର୍ଷ ପରେ ଏହି ଅଞ୍ଚଳଗୁଡ଼ିକ ସ୍ବାଧୀନ ଭାରତରେ ଅନ୍ତର୍ଭୁକ୍ତ ହୋଇଥିଲା। ତେଣୁ ଏଠାରେ ପର୍ତ୍ତୁଗୀଜ ଶାସନ କାଳରୁ ପ୍ରଚଳିତ ଏକକ ନାଗରିକ ସଂହିତା କାଏମ ରହିଲା। ଭାରତରେ ଏକ ସମନ୍ବିତ, ସଂସ୍କାରାତ୍ମକ, ସମାଜ ପ୍ରତିଷ୍ଠା ପାଇଁ ଗାନ୍ଧିଜୀଙ୍କର ଯେଉଁ ପରିକଳ୍ପନା ଥିଲା ତାହା ଏକକ ନାଗରିକ ସଂହିତା ପ୍ରଣୟନ ଫଳରେ ବହୁ ପରିମାଣରେ ଫଳବତୀ ହୋଇପାରିବ।

ସମାନ ନାଗରିକ ସଂହିତା ଭାରତୀୟ ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ଧାର୍ମିକ ବିଦ୍ବେଷ, ଅବା ଅବମାନନା ସୃ​‌ଷ୍ଟି ନ କରି ସମାଜରେ ସଂହତି, ସଙ୍ଗତି, ସମନ୍ବୟ ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହେବ। ସୁଖର ବିଷୟ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଖଣ୍ଡପୀଠ ତଲାକ ସମ୍ପର୍କିତ ଏକ ମାମଲାର ବିଚାର କରିବା ଅବସରରେ ସ୍ପଷ୍ଟମତ ଦେଇ କହିଅଛନ୍ତି ଯେ ଆଧୁନିକ ଭାରତର ପ୍ରଗତିଶୀଳ ଯୁବ ସମାଜ ମଧ୍ୟରେ ଧାର୍ମିକ, ଜାତିଭିତ୍ତିକ ଓ ସାମ୍ପ୍ରଦାୟିକ ବାଛବିଚାର କ୍ରମଶଃ ମଉଳିଯାଇଛି। ତେଣୁ ସମାନ ବା ଏକକ ନାଗରିକ ସଂହିତା ଫଳରେ ବିବାହ ଓ ଛାଡ଼ପତ୍ର ସମ୍ପର୍କୀୟ ଆଇନ ଦ୍ବନ୍ଦ୍ବର ସମ୍ମୁଖୀନ ନ ହୋଇ ତ୍ବରିତ୍‌ ସମାହିତ ହୋଇପାରିବ।

Comments are closed.