୧୦ବର୍ଷରେ ୧୨୦୦ ଶବଦାହ

ବହି ବନ୍ଧାଳିରୁ ସମାଜସେବୀ

କଟକ : ପେଶା ବହି ବନ୍ଧେଇ। ସେଥିରୁ ଯାହା ରୋଜଗାରରୁ ୩ପ୍ରାଣୀ ପରିବାର ଚଳନ୍ତି। ଆଉ ବଳକା ଅର୍ଥକୁ ସଞ୍ଚୟ ନ କରି ଦିନଦରିଦ୍ରଙ୍କ ସହାୟତାରେ ଖର୍ଚ୍ଚ କରନ୍ତି। ଏମିତି ୧୦ବର୍ଷ ହେଲା ନିରନ୍ତରଭାବେ ଅସହାୟ ଓ ଗରିବ ଲୋକଙ୍କୁ ନିସ୍ୱାର୍ଥପରଭାବେ ସେବା ଯୋଗାଇ ଚାଲିଛନ୍ତି। କଟକ ବଡ଼ ଡାକ୍ତରଖାନା ଓ ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ରରେ ଅସହାୟ ଲୋକଙ୍କ ଆଶାବାଡି ପାଲଟିଛନ୍ତି ଅଭିମନ୍ୟୁ ଦାସ। କେବଳ ଅସହାୟ ରୋଗୀ ନୁହନ୍ତି, ଏହି ଦୁଇ ମେଡିକାଲରେ ମୃତ୍ୟୁବରଣ କରୁଥିବା ଅସହାୟ ଲୋକଙ୍କ ଶବ ଦାହ କରିଚାଲିଛନ୍ତି ଅଭିମନ୍ୟୁ। ଏହି ଦୁଇ ଡାକ୍ତରଖାନାରେ କୌଣସି ଅସହାୟ ଓ ଅପରିଚିତ ବ୍ୟକ୍ତିର ମୃତ୍ୟୁ ଘଟିଲେ ପ୍ରଥମେ ଖୋଜାପଡନ୍ତିି ସେ। ୧୦ବର୍ଷ ହେଲା ଅସହାୟଙ୍କ ଶବ ଦାହ କରିଚାଲିଛନ୍ତି। ୧୦ବର୍ଷରେ ୧୨୦୦ରୁ ଊର୍ଦ୍ଧ୍ବ ଶବଦାହ କରିଥିବା ଦାବି କରନ୍ତି ଅଭିମନ୍ୟୁ।
ପୁଲିସ ହେଉକି ପ୍ରଶାସନ। ସମସ୍ତେ ସହାୟତା ନିଅନ୍ତି ତାଙ୍କର। ଖବର ପାଇବା କ୍ଷଣି ସବୁ କାମକୁ ପଛକୁ କରି ଛୁଟିଆସନ୍ତି ଡାକ୍ତରଖାନା। ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ପହଞ୍ଚି ଶବକୁ ନିଜର କରି ନିଅନ୍ତି ସେ। କେମିତି ଶବ ଯିବ ଶ୍ମଶାନକୁ। ଶ୍ମଶାନରେ କିପରି ହେବ ସତ୍କାର। ସଙ୍ଗେ ସଙ୍ଗେ ସେ ବ୍ୟବସ୍ଥା କରନ୍ତି ଅଭିମନ୍ୟୁ। ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ସେ ଶବ ସତ୍କାର କରନ୍ତି। ପକେଟରେ ଟଙ୍କା ନଥିଲେ ବି ସେ ବିଚଳିତ ହୁଅନ୍ତି ନାହିଁ। ପୁଅ କିମ୍ବା ପତ୍ନୀର ସଞ୍ଚିତ ଅର୍ଥ ବି ଆଣିବାରେ କୃପଣତା ଦେଖାନ୍ତି ନାହିଁ। ଯଦି ସେଥିରେ ନିଅଣ୍ଟ ପଡିଲା, ତେବେ ସାଙ୍ଗସାଥୀଙ୍କୁ ମାଗି ଆଣି ଶବସତ୍କାର କରନ୍ତି। ଦିନ ହେଉକି ରାତି, ଶବ ଦାହ ପାଇଁ ସେ ଘଣ୍ଟା ଦେଖନ୍ତିନି। କେମିତି ସତ୍କାର ହେବ ସେହି ଚିନ୍ତା ତାଙ୍କର।
ଅଭିମନ୍ୟୁଙ୍କ ଶବ ସତ୍କାର କରିବା ବର୍ତ୍ତମାନ ଏକ ନିଶାରେ ପରିଣତ ହୋଇଛି। କେବଳ ଡାକ୍ତରଖାନା କାହିଁକି ସହରରେ କୌଣସି ଅସହାୟ ବ୍ୟକ୍ତିର ମୃତ୍ୟୁ ଖବରପାଇ ସଙ୍ଗେ ସଙ୍ଗେ ହାଜର ହୋଇଯା’ନ୍ତି ସେ। ପକେଟରୁ ଟଙ୍କା ଖର୍ଚ୍ଚ କରି ସେ ଶବ ନେଇଯାଆନ୍ତି ଶ୍ମଶାନକୁ। ଏମିତି ନିସ୍ୱାର୍ଥପରଭାବେ ୧୦ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଅସହାୟ ଓ ଅପରିଚିତ ବ୍ୟକ୍ତିର ଶବ ସତ୍କାର କରିଚାଲିଛନ୍ତି ଅଭିମନ୍ୟୁ। ଏହି ୧୦ବର୍ଷ ମଧ୍ୟରେ ସେ ୧୨୦୦ରୁ ଊର୍ଦ୍ଧ୍ବ ଶବ ସତ୍କାର କରିସାରିଲେଣି। କୌଣସି ରେକର୍ଡ କରିବା ନିଶାରେ ସେ ଶବ ସତ୍କାର କରୁନଥିବା କହନ୍ତି ଅଭିମନ୍ୟୁ।
ଅଭିମନ୍ୟୁ ଦାସ। ଘର ମଧୁପାଟଣା ଥାନା ଅନ୍ତର୍ଗତ ନେତାଜୀ ନଗରରେ। ପତ୍ନୀ ନିରୂପମା ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ପେଶାରେ ସେ ଜଣେ ବହି ବନ୍ଧାଳି ଓ ବିକ୍ରେତା। ନିଶା କିନ୍ତୁ ତାଙ୍କର ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରିବା। କେବଳ ଶବ ସତ୍କାର ନୁହେଁ, ୨୦୦୨ରୁ ଦୀର୍ଘ ୧୭ବର୍ଷ ହେଲା ସେ କଟକ ବଡ଼ ଡାକ୍ତରଖାନା ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଗରିବରୋଗୀଙ୍କୁ ସହାୟତା କରିଆସୁଛନ୍ତି। କାହାର ଔଷଧ କିଣିବାକୁ ଟଙ୍କା ନାହିଁ ତ କାହାର ଖାଇବାକୁ ପଇସା ନାହିଁ, ସେହି ଗରିବ ରୋଗୀଙ୍କ ନିକଟରେ ପହଞ୍ଚିଯା’ନ୍ତି ଅଭିମନ୍ୟୁ। ନିସ୍ୱାର୍ଥପରଭାବେ ସେବା ଯୋଗାଇ ଦିଅନ୍ତି ସେମାନଙ୍କୁ। କାହାକୁ ପଇସା ଦିଅନ୍ତି ଔଷଧ କିଣିବାକୁ ତ କାହାର ୱାର୍ଡରେ ରହି ସେବା ଶୁଶ୍ରୁଷା କରନ୍ତି। ଏସ୍‍ସିବି ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଗରିବରୋଗୀଙ୍କୁ ସେବା ଯୋଗାଇ ଦେଉଥିବାବେଳେ ୨୦୧୦ରେ ନେତାଜୀ ନଗରରେ ଏକ ଅଭାବନୀୟ ଘଟଣା ଘଟିଲା ତାଙ୍କ ଜୀବନରେ। ସାହିରେ ଭଡାରେ ରହୁଥିବା ଗୋଟିଏ ପରିବାରର ବାପ ଓ ପୁଅ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି। ପୁଅର ଶବ ଗୋଟିଏ ଦିନ ପଡିରହିଲା। କେହି ଶବ ସତ୍କାର କଲେନାହିଁ। ଖବର ପାଇ ଅଭିମନ୍ୟୁ ନିଜ ପକେଟରୁ ପଇସା ଖର୍ଚ୍ଚ କରି ଖାନନଗର ଶ୍ମଶାନରେ ଶବ ସତ୍କାର କରିଥିଲେ ବୋଲି କହନ୍ତି ଅଭିମନ୍ୟୁ। ତା’ପରଠାରୁ ଅଭିମନ୍ୟୁ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେହିଦିନଠାରୁ ଶବ ସତ୍କାର କରିବା ନିଶାରେ ପଡିଯାଇଛନ୍ତି ସେ। ଅପରିଚିତ ଓ ଅସହାୟ ଲୋକଙ୍କ ଶବ ସତ୍କାର କରିବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ସେ କହନ୍ତି। ଏସ୍‍ସିବି ଓ କର୍କଟକେନ୍ଦ୍ରରେ କୌଣସି ଅସହାୟ ଓ ଅପରିଚିତ ରୋଗୀର ମୃତ୍ୟୁ ଘଟିଲେ ତାର ଶବ ସତ୍କାର କରନ୍ତି ସେ। ପାଖରେ ଟଙ୍କା ନ ଥିଲେ କେତେକ ବଦାନ୍ୟ ବ୍ୟକ୍ତିଙ୍କଠାରୁ ହାତ ପତାଇ ଟଙ୍କା ଆଣି ଶବ ସତ୍କାର କରିଥାନ୍ତି ଅଭିମନ୍ୟୁ। ଅଭିମନ୍ୟୁଙ୍କ ଏ ପ୍ରକାର ସେବା ଦେଖି କମିସନରେଟ ପୁଲିସ ବି ଅଭିମନ୍ୟୁଙ୍କୁ ସହାୟତା ହାତ ବଢାଇଛି। କୌଣସି ଅପରିଚିତ ବ୍ୟକ୍ତିର ଶବ ଦାହ କରିବାକୁ ହେଲେ ସେମାନେ ଅଭିମନ୍ୟୁର ସହାୟତା ଲୋଡନ୍ତି। ଅଭିମନ୍ୟୁ ବି କେତେବେଳେ ବି ପୁଲିସର ଅସହଯୋଗ କରିନାହାନ୍ତି। ସବୁବେଳେ ପୁଲିସକୁ ସହାୟତାର ହାତ ବଢାଇ ଅଭିମନ୍ୟୁ ନିଜ ମହାନତାର ପରିଚୟ ଦେଇଚାଲିଛନ୍ତି। ତାଙ୍କର ଏ ପ୍ରକାର ସେବା ମନୋବୃତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏଥିପାଇଁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତାଙ୍କୁ ଅନେକ ସମ୍ମାନ ସାଉଁଟିଲେଣି। ଏହି ସେବାରେ ସେ ଯେଉଁ ଆତ୍ମତୃପ୍ତି ଲାଭ କରୁଛନ୍ତି ତାହା ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରୁଛି ବୋଲି କହନ୍ତି ଅଭିମନ୍ୟୁ।

Comments are closed.