ପିଆଜ କିଲୋ ୫ଟଙ୍କା !

ପିଆଜ ବଞ୍ଚାଇଲା ଯୁବତୀଙ୍କ ପ୍ରାଣ

ନୂଆଦିଲ୍ଲୀ : ଘଟଣାଟି କେତେଦୂର ସତ, ତାହା ଜଣାନାହିଁ। କିନ୍ତୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏଇ ଘଟଣାକୁ ନେଇ ଜୋର୍ ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ପୂରା ଭାରତବର୍ଷରେ ଯୁବତୀ, ମହିଳା ହୁଅନ୍ତୁ କିମ୍ବା କୁନି ଝିଅଟେ, କେତେ ଦୂର ସୁରକ୍ଷିତ, ତାହା ସମସ୍ତେ ଭଲଭାବେ ଅବଗତ। ହାଇଦରାବାଦର ଗଣଦୁଷ୍କର୍ମ ଘଟଣାରେ ସମସ୍ତେ ଏକରକମ ଭୟଭୀତ ହୋଇଯାଇଛନ୍ତି। ଏପରି ସ୍ଥଳେ ପୁଲିସ୍‌ଙ୍କର ପଦକ୍ଷେପ ପ୍ରକୃତରେ ସବୁଠୁ ଅଧିକ ପ୍ରଶଂସନୀୟ। ଅଧିକାଂଶ ବେସରକାରୀ ଅଫିସ୍‌‌ରେ ମଧ୍ୟ ମହିଳାଙ୍କୁ ଏବେ ଶୀଘ୍ର ଘରକୁ ଯିବାର ନିୟମ ଲାଗୁ ହୋଇଥିବାର ଜଣାପଡ଼ିଛି। ଏସବୁ ଭିତରେ ଦିଲ୍ଲୀର ଜନୈକା ଯୁବତୀ ତାଙ୍କ ସହ ଘଟିଥିବା ଘଟଣାକୁ ସୋସିଆଲ ସାଇଟ୍‌ରେ ଉଲ୍ଲେଖ କରିଛନ୍ତି। ଏକ ବେନାମୀ ପରିଚୟରେ ସେ ସୋସିଆଲ୍ ସାଇଟ୍‌ରେ ଆକାଉଣ୍ଟ ଖୋଲିବା ସହ ଉଲ୍ଲେଖ କରିଛନ୍ତି, ବନ୍ଧୁମାନେ, ୨ଦିନ ତଳର ଘଟଣା। ଏହା ନିରାଟ ସତ, ବୋଧହୁଏ ମୋ ବୁଦ୍ଧିମତ୍ତା କାରଣରୁ ରକ୍ଷା ପାଇଗଲି। ଈଶ୍ବରଙ୍କୁ ଧନ୍ୟବାଦ ଜଣାଉଛି ଯେ ମୋତେ ଏଭଳି ବିପଦରୁ ଉଦ୍ଧାର କଲେ।

ଦିଲ୍ଲୀରେ ଶୀତର ପ୍ରକୋପ କାରଣରୁ ରାତି ୧୦ଟା ପୂର୍ବରୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ଯୁବତୀଜଣକ ରାତି ୮ଟା ୩୦ବେଳକୁ ନୋଏଡା ପାଖରେ ଅଟୋରୁ ଓହ୍ଲାଇଲେ। ତାଙ୍କ ଧାରଣା ନଥିଲା ଯେ ଶୁକ୍ରବାର ଏଇ ସମୟରେ ରାସ୍ତାଘାଟରେ ଲୋକ ଏତେ କମ୍ ଚଳପ୍ରଚଳ କରୁଥିବେ। ରାସ୍ତା ପାଖରୁ ତାଙ୍କ ସେକ୍ଟର ମାତ୍ର ୧୦ ମିନିଟ୍‌ର ରାସ୍ତା, ମନରେ କିନ୍ତୁ ତାଙ୍କର ଖୁବ୍ ଭୟ। କିଛି ଅଘଟଣ ହେବନି ତ? ଦୁର୍ଭାଗ୍ୟକୁ ୪ଜଣ ଯୁବକ ଏକ ଲମ୍ବା କାରରେ ବସି ଜୋର୍‌ରେ ହସୁଥିବାର ସେ ଲକ୍ଷ୍ୟ କଲେ। ଈଶ୍ବରଙ୍କ ନାମ ସ୍ମରଣ କରି ଯୁବତୀଜଣକ ଆଗକୁ ବଢ଼ିଲେ, ୨ଜଣ ଯୁବକ କାର୍‌ରୁ ଓହ୍ଲାଇ ଠିକ୍ ତାଙ୍କ ଆଗ ପଛ କରି ଛିଡ଼ା ହୋଇଗଲେ। ତୁରନ୍ତ ଯୁବତୀଜଣକ ଚିତ୍କାର କଲେ, ପିଆଜ କିଲୋ ୫ଟଙ୍କା, ପିଆଜ କିଲୋ ୫ଟଙ୍କା। ଦୁଇ ପାଖରେ ଥିବା କୋଠାଘର ବାଲକୋନିର ବତୀ ଜଳିବା ସହ ଘରର ମହିଳାମାନେ ସେଠାକୁ ଆସିଗଲେ। ଯୁବତୀଜଣକ ଆଉ ଅପେକ୍ଷା ନ କରି ଏକମୁହାଁ ହୋଇ ଦୌଡ଼ିଲେ ଓ ଘରେ ପହଞ୍ଚି ଭୋଭୋ ହୋଇ କାନ୍ଦିଲେ। ପିଆଜକୁ ସେ ଧନ୍ୟବାଦ ଜଣାଇବା ସହ ଆମେ କେବେ ସୁରକ୍ଷିତ ହେବା, ଏ ବାବଦରେ ପ୍ରଶ୍ନ କରିଛନ୍ତି ଜନସାଧାରଣଙ୍କୁ। ଏହି ଉଲ୍ଲେଖକୁ ସଂଖ୍ୟାଧିକ ଲୋକ ଲାଇକ୍ କରିବା ସହ ବାରମ୍ବାର ସେୟାର କରାଯାଇଛି। ଅନେକ ମଧ୍ୟ ମତାମତ ଦେଇଛନ୍ତି, ପ୍ରକୃତରେ ଏହା ଏକ ହସକଥା ନା ସତ୍ୟ ଘଟଣା?

Comments are closed.