ମୃତ୍ୟୁ ନା ହତ୍ୟା! ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ନୂଆମୋଡ଼

ପତ୍ନୀ, ବନଖଣ୍ଡ ଅଧିକାରୀ ଓ ରୋଷେୟାଙ୍କ ସମ୍ପୃକ୍ତି ଅଭିଯୋଗ

ପାରଳାଖେମୁଣ୍ଡି: ଏତଲା ଦାୟର ପରେ ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ବନବିଭାଗର କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ ନେଇଛି। ପୁଅକୁ ଷଡଯନ୍ତ୍ର କରି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ପତ୍ନୀ, ପାରଳା ବନଖଣ୍ଡ ଅଧିକାରୀ ଓ ରୋଷେୟା ଷଡଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରିଛନ୍ତି ବୋଲି ବାପା ଥାନାରେ ଏତଲା ଦାୟର କରିବା ପରେ ଏହି ଘଟଣା ଏବେ ରୋଚକପୂର୍ଣ୍ଣ ହୋଇଛି।

ପାରଳା ବନ ବିଭାଗ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯିବା ଏବଂ ଗତକାଲି କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟଣା ପରେ ଆଜି ଥାନାରେ ମାମଲା ରୁଜୁ ହୋଇଛି। ବୋହୂ, ଗଜପତି ବନଖଣ୍ଡ ଅଧିକାରୀ ଓ ରୋଷେୟା ମିଳିତ ଭାବେ ସୌମ୍ୟଙ୍କୁ ମାରିଦେଇ ଥିବା ଅଭିଯୋଗ କରି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଥାନାରେ ଇ-ମେଲ ଜରିଆରେ ଏତଲା ଦାୟର କରିଛନ୍ତି। କେଶ ନମ୍ବର ୧୪୧/୨୦୨୧ରେ ଧାରା ୩୦୨ ଓ ଭାରତୀୟ ପିଙ୍ଗଳ କୋଡର ଧାରା ୧୨୦ (ବି)ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ବୈଷୟିକ ଦଳ ଘଟଣାସ୍ଥଳକୁ ଯାଇ ସବୁ ଦିଗରୁ ତଦନ୍ତ କରିବ। ମୁଁ ନିଜେ ତଦନ୍ତ ଭାର ନେଇଛି ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି। ରୋଷେଇ ସାରି ବସାକୁ ଫେରିଥିଲି, ଚିତ୍କାର ଶୁଣି ମୁଁ ସୌମ୍ୟ ସାରଙ୍କ ଘରକୁ ପହଞ୍ଚିବା ବେଳକୁ ସାର ଜଳୁଥିଲେ। ତେବେ ସେ ନିଆଁ ସଂସ୍ପର୍ଶରେ କିପରି ଆସିଲେ ସେ ଜାଣି ନାହାନ୍ତି ବୋଲି କହିଛନ୍ତି ରୋଷେୟା ମନ୍ମଥ କୁମ୍ଭ।

ଗଜପତି ବନଖଣ୍ଡ ଅଧିକାରୀ ବୋହୂ ସହ ଅନୈତିକ ସମ୍ପର୍କ ରଖିବା ଏବଂ ସୌମ୍ୟଙ୍କୁ ରାତ୍ରିକାଳୀନ କାମ ଦେଉଥିଲେ ବୋଲି ବାପା ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏହାର ତଦନ୍ତ ହେଲେ ପୁଲିସକୁ ସେ ସହଯୋଗ କରିବେ ବୋଲି ବନଖଣ୍ଡ ଅଧିକାରୀ ସଂଗ୍ରାମକେଶରୀ ବେହେରା ଗଣମାଧ୍ୟମକୁ କହିଛନ୍ତି। ସୌମ୍ୟରଞ୍ଜନଙ୍କ ବିୟୋଗରେ ସେ ମର୍ମାହତ ବୋଲି କହିଛନ୍ତି। ସେ କେବେ ସୌମ୍ୟରଞ୍ଜନଙ୍କ ଘରକୁ ଯାଇ ନାହାଁନ୍ତି କି ଫୋନରେ ମଧ୍ୟ କଥା ହୋଇ ନାହାନ୍ତି। ଘଟଣା ଘଟିବା ସମୟରେ ସେ ଜଣେ ବନ୍ଧୁଙ୍କ ସହ ନିଜ ସରକାରୀ ବାସଭବନରେ ଥିଲେ ବୋଲି ବନଖଣ୍ଡ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଘଟଣାର ପ୍ରାଥମିକ ତଦନ୍ତ ସରିଛି ବୋଲି ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମକୃଷ୍ଣ ପତି କହିଛନ୍ତି। ସୌମ୍ୟରଞ୍ଜନଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦେବା ସହ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ନିଆଯାଇଛି।

ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରୁ କିଛି ଜଳି ଯାଇଥିବା ପୋଷାକ, ଦିଆସିଲି କାଠି ଓ କିରାସିନ ଜବତ କରାଯାଇଛି। ଦୁର୍ଘଟଣାବଶତଃ ଅଗ୍ନି ସଂସ୍ପର୍ଶରେ ଆସି ଯିବାରୁ ଜଳି ଗଲେ ବୋଲି ନିଜେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି ଚିକିତ୍ସା କେନ୍ଦ୍ରରେ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଛନ୍ତି ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ କହିଛନ୍ତି। ପତ୍ନୀ ବିଦ୍ୟା ଭାରତୀ ମଧ୍ୟ ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଏବଂ ତଦନ୍ତର ସବୁ ଦିଗ ଖୋଲା ରହିଛି ବୋଲି କହିଛନ୍ତି। ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନ ଅନୁଧ୍ୟାନ ପରେ ତାଲା ପକାଯାଇ ବନ ବିଭାଗର ଦାୟିତ୍ବରେ ରଖାଯାଇଛି। ମୃତ ସୌମ୍ୟରଞ୍ଜନଙ୍କ ଘର ଲୋକେ ଆସିଲେ ଖୋଲାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଡିସେମ୍ବରରେ ସୌମ୍ୟରଞ୍ଜନଙ୍କ ବିବାହ ହୋଇଥିଲା। ସେ ପାରଳାଖେମୁଣ୍ଡିସ୍ଥିତ ନିଜ ସରାକାରୀ ବାସଭବନରେ ରହୁଥିଲେ। ପତ୍ନୀ ନିର୍ଯାତନା ଦେଉଥିଲେ ବୋଲି ସୌମ୍ୟ ପୂର୍ବରୁ ମା,ମାଇଁ ଓ ଅନ୍ୟମାନଙ୍କୁ କହିଥିବା ବାପା ଏତଲାରେ ଉଲ୍ଲେଖ କରିଛନ୍ତି। ଏ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ତ୍ରୀ ଦିବ୍ୟାଭାରତୀ ପଣ୍ଡା।

Comments are closed.