୫୦ ଗାଁକୁ ମୋବାଇଲ ସେବା ଅପହଞ୍ଚ, ବାଉଁଶରେ କନ୍ଧମାଳ ଟାୱାର ସହ ସଂଯୋଗ ଉଦ୍ୟମ

ସୋରଡ଼ା: ସାରା ଦେଶରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ଅନକେ ଗୁଡ଼ିକଏ ଯୋଜନା କାର୍ଯ୍ୟକାରୀ ହେଉଛି। ୪ ଜିବି ପରେ ୫-ଜିବି ନେଟ୍‍ୱାର୍କ ସେବା ପାଇଁ ଅନ୍ୟ ବିକଶିତ ରାଷ୍ଟ୍ରଙ୍କ ସହିତ ତାଳ ଦେଇ ଭାରତ ମଧ୍ୟ ଯୋଜନା କରୁଛି। ଅଧୁନା ଭାରତ ଡିଜିଟାଲ୍‍ ଇଣ୍ଡିଆ ପାଲଟିଛି। ରୋଷେଇ ପାଇଁ ଗ୍ୟାସ କି ବ୍ୟାଙ୍କ କାରବାର, ମେଡିକାଲ୍‍ ଜରୁରୀକାଳୀନ ସେବା ହେଉ କିମ୍ବା ମନୋରଞ୍ଜନର ପାଇଁ ସବୁଠି ମୋବାଇଲ୍‍ ସେବା ସାଜିଛି ଏକମାତ୍ର ପ୍ରମୁଖ ମାଧ୍ୟମ। ଗତ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ୍‍ ଅନ୍ତର୍ଗତ ଗଜବାହାଲ ପଞ୍ଚାୟତରେ ମୋବାଇଲ ଅଭିଯୋଗ ସେବା ପାଇବାକୁ ପଞ୍ଚାୟତସ୍ତରରେ ମୋବାଲ୍‍ ଫୋନ୍‍ ଜରିଆରେ ଅଭିଯୋଗ ଗ୍ରହଣ ବ୍ୟବସ୍ଥା ରାଜ୍ୟରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହୋଇଛି। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ବର୍ତ୍ତମାନ ମଧ୍ୟ ଏମିତି କିଛି ପଞ୍ଚାୟତ ଅଛି ଯେଉଁଠିକୁ ମୋବାଇଲ୍‍ ସେବା ଏବେ ବି ଅପହଞ୍ଚ ହୋଇ ରହିଛି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଗଂଜାମ ଜିଲା ସୋରଡ଼ା ବ୍ଳକ୍‍ରେ। ଏହି ବ୍ଲକର ୪ ପଞ୍ଚାୟତର ୫୦ରୁ ଅଧିକ ଗଁାକୁ ମୋବାଇଲ ସେବା ଅପହଞ୍ଚ ରହିଛି। ଲୋକେ ସୁଉଚ୍ଚ ବାଉଁଶର ଅଗ୍ର ଭାଗରେ ୱାଇଫାଇ ମେସିନ ସଂଯୋଗ କରି ପଡୋଶୀ କନ୍ଧମାଳ ଜିଲାର ଏକ କମ୍ପାନୀର ମୋବାଇଲ ଟାୱାରରୁ ସେବା ପାଇବାକୁ ଉଦ୍ୟମ ଚଳାଇଛନ୍ତି।

ଏହି ବ୍ଳକ୍‍ର ଗୌଡ଼ଗୋଠ ଓ ଗାଜଲବାଡ଼ି ପଞ୍ଚାୟତର ଅଳ୍ପ କିଛି ଗ୍ରାମରେ ମୋବାଇଲ୍‍ ସେବା ଉପଲବ୍ଧ ଥିବା ବେଳେ ମେରିକୋଟ ଓ ବଡ଼ଗୋଛା ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ମୋବାଇଲ୍‍ ସେବା ପହଞ୍ଚିପାରିନି। ବ୍ଳକର ଏହି ୪ ପଞ୍ଚାୟତର ୫୦ ରୁ ଅଧିକ ଗଁାବାସୀ ମୋବାଇଲ୍‍ ସେବାରୁ ବଞ୍ଚିତ ଅଛନ୍ତି। ବଡଗୋଛା ପଞ୍ଚାୟତର ଅଧିକାଂଶ ଗ୍ରାମରେ ୱାଇଫାଇ ମେସିନ୍‍କୁ ସୁଉଚ୍ଚ ବାଉଁଶରେ ଲଗାଇ ପଡ଼ୋଶୀ କନ୍ଧମାଳ ଜିଲାର ନେଟ୍‍ୱାର୍କ ଆଣିବାପାଇଁ ଉଦ୍ୟମ ଚଳାଇଛନ୍ତି। ଯାହାକି ଏକବିଂଶ ଶତାଦ୍ଦୀର ଡିଜିଟାଲ୍‍ ଇଣ୍ଡିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨୬ ପଞ୍ଚାୟତକୁ ନେଇ ଗଠିତ ସୋରଡ଼ା ବ୍ଳକ୍‍ର ଅଧିକାଂଶ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଓ ଅନୁନ୍ନତ। ସେଥିମଧ୍ୟରୁ ଗାଜଲବାଡ଼ି,ଗୌଡ଼ଗଠ, ମେରିକୋଟ ଓ ବଡ଼ଗୋଛା ଅନ୍ୟତମ। ପାହାଡ଼ ପର୍ବତ ଘେରା ଏହି ସବୁ ଅଞ୍ଚଳରେ ଗୋଟିଏ ପଟେ ଗଜପତି ଓ ଅନ୍ୟପଟେ କନ୍ଧମାଳ ଜିଲା ରହିଛି। ଦୀର୍ଘବର୍ଷ ପରେ ଅଞ୍ଚଳବାସୀଙ୍କ ପାଇଁ ରାସ୍ତାଘାଟ ଓ ବିଦ୍ୟୁତ ସମସ୍ୟାର ଆଂଶିକ ସମାଧାନ ହୋଇଥିଲେ ମଧ୍ୟ ଅନେକ ଆବଶ୍ୟକୀୟ ସେବାରୁ ବଞ୍ଚିତ । ଗୌଡଗୋଠ ଓ ଗାଜଲବାଡ଼ି ପଞ୍ଚାୟତର କିଛି ଗ୍ରାମରେ ମୋବାଇଲ ସେବା ଉପଲବ୍ଧ ଥିବା ବେଳେ ବଡ଼ଗୋଛା ପଞ୍ଚାୟତର ବଡଗୋଛା, ଗଣ୍ଡିଗାଁ, ଗିଲିମା, କୈଠଗୁଡ଼ି, ମିନାଙ୍ଗି, ନନ୍ଦପୁର, ପିଡ଼ିଆବନ୍ଧ, ସାନଗୋଛା ଓ ଉପର ଉସ୍ତପଦା ଏବଂ ସେହିପରି ମେରିକୋଟ ପଞ୍ଚାୟତର କୁଟାବୋଲି, ଆମ୍ବିଳିଆମ୍ଭ, ବାଣପୁର, ବାପୁଜି ନଗର, ବାରଭରଣିଆ, ଦଳପତି ନଗର, ଗୋଠବଣିଆ, ଗୁନାଖାଲ, କୁମ୍ଭାରଝୋଳି, ଲୋହୋରାଗଁା, ମଝିଗାଁ, ମଇଁଷିକଟା, ରଣପଲ୍ଲୀ, ରଙ୍ଗାବୁଡ଼ି, ଶାନ୍ତି ନଗର, ସେରେକାବନ୍ଧ, ସୁନାଖଣ୍ଡି, ଟୀକାନଗର, ଜେରା ଆଦି ଗ୍ରାମରେ ମୋବାଇଲ୍‍ ସେବା ଅହପଞ୍ଚ ରହିଛି। ପଡ଼ୋଶୀ କନ୍ଧମାଳ ଜିଲାର ନେଟ୍‍ୱାର୍କକୁ ଆଣିବା ପାଇଁ ବଡଗୋଚ୍ଛା ଗ୍ରାମରେ କିଛି ଯୁବକ ଘରୋଇ କମ୍ପାନୀ ନେଟ୍‍ୱାର୍କ ସଂସ୍ଥାର ୱାଇଫାଇ ମେସ୍‍ିନ୍‍କୁ ଜରି ଗୁଡାଇ ଘର ଆଗରେ ସୁ ଉଚ୍ଚ ବାଉଁଶରେ ବାନ୍ଧି ମୋବାଇଲ ସେବା ସଂଯୋଗ ପାଇଁ ଉଦ୍ୟମ ଚଳାଇଛନ୍ତି। ବେଳେବେଳେ କନ୍ଧମାଳ ଜିଲାର ଦାରିଙ୍ଗିବାଡି ଓ ବ୍ରାହ୍ମଣୀ ଗାଁର ନେଟ୍‍ୱାର୍କ ସାମାନ୍ୟ ଭାବେ ଉପଲବ୍ଧ ହେଉଛି। ମୋଗାଇଲ୍‍ ସେବା ନଥିବା କାରଣରୁ ଚଳିତ ଶିକ୍ଷା ବର୍ଷର ଅନ୍‍ ଲାଇନ୍‍ କ୍ଳାସ ଜଣେ ବି ଛାତ୍ରଛାତ୍ରୀ କରିପାରି ନାହାନ୍ତି। ଆବଶ୍ୟକସ୍ଥଳେ କୌଣସି ପ୍ରକାରର ମୋବାଲ୍‍ ସେବା ସୁବିଧା ଏପରିକି ଜରୁରୀକାଳୀନ ପରିସ୍ଥିତିରେ ୧୦୮ ଆମ୍ବୁଲାନ୍‍ସ ସେବାକୁ ମଧ୍ୟ ବ୍ୟବହାର କରିହେଉନାହିଁ ବୋଲି ଗ୍ରାମର କୈଳାସ ମଲ୍ଲିକ କହିଛନ୍ତି। ଆମ ପଂଚାୟତରେ ଏକ ମୋବାଇଲ୍‍ ଟାୱାର ପ୍ରତିଷ୍ଠା ନିମନ୍ତେ ଜିଲା ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ବୋଲି ବଡ ଗୋଛା ସରପଞ୍ଚ ଗଣେଶ ମଲ୍ଲିକ କହିଛନ୍ତି। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛିି ବୋଲି ସ୍ଥାନୀୟ ବ୍ଳକ୍‍ ପ୍ରଶାସନ କହୁଥିବା ବେଳେର ଆସିକା ସାଂସଦଙ୍କ ଜରିଆରେ ରାଜ୍ୟ ସରକାର ଏପରିକି କେନ୍ଦ୍ର ସରକାରଙ୍କୁ ମଧ୍ୟ ଜଣାଯାଇଛି। ଯଥାଶୀଘ୍ର ମୋବାଇଲ୍‍ ସେବା ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କହିଛନ୍ତି।

Comments are closed.