ଗଞ୍ଜାମକୁ ‘ମହାରାଷ୍ଟ୍ର’ ଭୟ, ଏସ୍‌ଓପି ଜାରି

- କଡ଼ାକଡ଼ି ହେବ କୋଭିଡ କଟକଣା, ମାସ୍କ ପିନ୍ଧା, ସାମାଜିକ ଦୂରତାକୁ ଗୁରୁତ୍ବ

ବ୍ରହ୍ମପୁର: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଓଡ଼ିଶା ସରକାର ସତର୍କ ହୋଇ ପଡ଼ିଛନ୍ତି। ସରକାର ଜିଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି। ଗଞ୍ଜାମ ଜିଲା ବିଗତ ଦିନରେ କରୋନାର କରାଳ ରୂପ ଦେଖିଥିଲା। ଏବେ ମହାରାଷ୍ଟ୍ର ଘଟଣାକୁ ନେଇ ଗଞ୍ଜାମ ଜିଲାରେ ଭୟ ସଞ୍ଚାର ହୋଇଛି। ସାମାନ୍ୟ ଅସତର୍କତା ଜିଲାରେ ବିପର୍ୟ୍ୟୟ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଅପରପକ୍ଷେ ଜିଲାରେ ପୂର୍ବଭଳି କରୋନା କଟକଣା ଆଉ କଡ଼ାକଡ଼ି ପାଳନ କରାଯାଉ ନାହିଁ। ମାସ୍କ ପରିଧାନକୁ ସଂପୂର୍ଣ୍ଣ ଅବହେଳା କରାଯାଉଛି। ପ୍ରଶାସନିକ ଅଧିକାରୀମାନେ ମଧ୍ୟ ମାସ୍କ ପିନ୍ଧୁନାହାନ୍ତି। କେବଳ ଏତିକି ନୁହଁ, ଜିଲାରେ କରୋନା ପରୀକ୍ଷା ମଧ୍ୟ ଦୃତ ଗତିରେ ହ୍ରାସ ପାଇବାରେ ଲାଗିଛି। ଶନିବାର ଗଞ୍ଜାମ ଜିଲାପାଳଙ୍କ ତରଫରୁ ଏସ୍‌ଓପି ଜାରି କରାଯାଇଛି।

ଏସ୍‌ଓପି ଅନୁଯାୟୀ, ସାମାଜିକ ଦୂରତା, ମାସ୍କ ପରିଧାନ ଏବଂ କୋଭିଡ୍‌ ସଂପର୍କିତ ଅନ୍ୟାନ୍ୟ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଘରୋଇ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକରେ କାର୍ୟ୍ୟରତ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଜିଲାର ସବୁ ବ୍ଲକ ଏବଂ ସହରାଞ୍ଚଳରେ ‘ମାସ୍କ ଯାଞ୍ଚ ପଏଣ୍ଟ’ ରହିବ। ତହସିଲଦାର, ବିଡ଼ିଓ ଏବଂ କାର୍ୟ୍ୟନିର୍ବାହୀ ଅଧିକାରୀ, ଥାନା ଅଧିକାରୀମାନେ ମାସ୍କ ଯାଞ୍ଚକୁ କଡ଼ାକଡ଼ି କରିବେ। କୋଭିଡ ଟେଷ୍ଟିଂକୁ ମଧ୍ୟ ଗୁରୁତ୍ବ ଦିଆଯିବ। ଉପଜିଲାପାଳମାନେ ବିଡ଼ିଓଙ୍କ ସହ ଯୋଗାଯୋଗରେ ରହି ଦୈନିକ ନମୂନା ସଂଗ୍ରହର ତଦାରଖ କରିବେ। କେଉଁ ଅଞ୍ଚଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ତାହାକୁ ତଦାରଖ କରାଯିବ। ବିଡ଼ିଓ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକମାନେ ନୂତନ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଏବଂ ଯାତ୍ରା ବିବରଣୀ ନେଇ ତଥ୍ୟ ରଖିବେ। ସନ୍ଦେହଜନକ ବ୍ୟକ୍ତିଙ୍କୁ ପରୀକ୍ଷା ପାଇଁ ଆଶା, ଅଙ୍ଗନବାଡ଼ି ଏବଂ ସ୍ବାସ୍ଥ୍ୟକର୍ମୀମାନେ ଚିହ୍ନଟ କରିବେ। ଦୋକାନ, ବଜାରରେ କଟକଣା ପାଳନକୁ ଅଧିକ ଗୁରୁତ୍ବ ଦିଆଯିବ। ଏଥିରେ ଉଲ୍ଲଂଘନ ହେଲେ, ଦୋକାନୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ଦୋକାନୀମାନେ କଟକଣା ପାଳନକୁ ଗୁରୁତ୍ବ ଦେଉଥିବେ, ସେମାନଙ୍କୁ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ତରଫରୁ ପ୍ରଶଂସାପତ୍ର ପ୍ରଦାନ କରାଯିବ । ସେହିଭଳି ବଜାର ଏବଂ ଦୋକାନୀଙ୍କୁ ‘କରୋନାରୁ ସୁରକ୍ଷିତ’ ଭାବେ ଚିହ୍ନଟ କରାଯିବ। ବସ୍‌, ଟ୍ରେନ୍‌ ଏବଂ ଅନ୍ୟାନ୍ୟ ପରିବହନ ମାଧ୍ୟମଗୁଡ଼ିକରେ ମଧ୍ୟ କଟକଣା ପାଳନକୁ ଗୁରୁତ୍ବ ଦିଆଯିବ। ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହାକୁ ଯାଞ୍ଚ କରିବା ପାଇଁ ଟିମ୍‌ ଗଠନ କରାଯିବ ବୋଲି ଜିଲାପାଳଙ୍କ ତରଫରୁ ଜାରି ଏସ୍‌ଓପିରେ ଉଲ୍ଲେଖ ରହିଛି।

ସବୁଆଡ଼େ ଗହଳି। ବଜାରଠାରୁ ମନ୍ଦିର, ଛକଠାରୁ ହୋଟେଲ୍‌। ଯୁଆଡ଼େ ଦେଖିଲେ ହାଉଯାଉ। ନା’ ରହୁଛି ସାମାଜିକ ଦୂରତା, ନା’ ପିନ୍ଧୁଛନ୍ତି ମାସ୍କ। ସପିଂ ମଲ୍‌ କିମ୍ବା ବଡ଼ ବଡ଼ ଦୋକାନରେ ଗ୍ରାହାକଙ୍କ ସାନିଟାଇଜ୍‌ କରାଯାଉ ନାହିଁ। ହାତ ଧୋଇବା ପାଇଁ ପାଣି ଟୋପାଏ ମଧ୍ୟ ରଖୁ ନାହାନ୍ତି । ଗ୍ରାହକମାନେ ମାସ୍କ ପିନ୍ଧିନଥିଲେ ମଧ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ମାସ୍କ ପରିଧାନକୁ ସମସ୍ତେ ଅବହେଳା କରୁଛନ୍ତି। ସରକାରୀ ଅଧିକାରୀଙ୍କ ମୁହଁରେ ଆଉ ମାସ୍କ ରହୁନି। କରୋନା ଗଞ୍ଜାମ ଜିଲାରୁ ସମ୍ପୂର୍ଣ୍ଣ ଟଳି ଯାଇଥିବା ଲୋକଙ୍କ ମନରେ ଧାରଣା ଜାତ ହୋଇଛି। ବସ୍‌ ଏବଂ ଟ୍ରେନ୍‌ ଚଳାଚଳ ମଧ୍ୟ ସ୍ବାଭାବିକ ହୋଇ ଗଲାଣି। କିନ୍ତୁ ଏସବୁ ପାଇଁ ସରକାର ଯାହା ଏସ୍‌ଓପି ଜାରି କରିଥିଲେ, ତାହା ପାଳନ ହେଉନି। ଗୋଟିଏ ପଟେ ରାଜ୍ୟ ସରକାର ମହାରାଷ୍ଟ୍ରକୁ ନେଇ ସତର୍କ କରାଇଛନ୍ତି। ବ୍ରହ୍ମପୁରକୁ ଦୈନିକ ମହାରାଷ୍ଟ୍ରରୁ କେତେକ ଟ୍ରେନ୍‌ ଆସୁଛି। କିନ୍ତୁ ଏହାର ଯାତ୍ରୀଙ୍କ ଥର୍ମାଲ୍‌ ସ୍କ୍ରିନିଂ ମଧ୍ୟ କରାଯାଉ ନାହିଁ। ଶୁକ୍ରବାର ସନ୍ଧ୍ୟା ୮ଟା ୫ ମିନିଟ୍‌ରେ କୋଣାର୍କ ଏକ୍ସପ୍ରେସ୍‌ (ମୁମ୍ବାଇ-ଭୁବନେଶ୍ବର) ବ୍ରହ୍ମପୁର ଷ୍ଟେସନ୍‌ରେ ପହଞ୍ଚିଥିଲା। ହେଲେ ସେମାନଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ନ ଥିଲା। କୌଣସି ପ୍ରକାର ଯାଞ୍ଚ ମଧ୍ୟ ହୋଇନଥିଲା। ଏଭଳି ଅବହେଳା ଭବିଷ୍ୟତରେ ବିପର୍ୟ୍ୟୟ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ତା’ ସହିତ ଟେଷ୍ଟିଂ ମଧ୍ୟ ଦୃତ ଗତିରେ କମିବାରେ ଲାଗିଛି। ଶୁକ୍ରବାର ଜିଲାରେ ମାତ୍ର ୯୨୦ଟି ନମୁନା ପରୀକ୍ଷା କରାଯାଇଥିଲା। କିନ୍ତୁ ସେଥିରୁ କେହି ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଦେଖିବାକୁ ଗଲେ, କିଛିଦିନ ହେଲା ଦୈନିକ ଟେଷ୍ଟିଂ ଏକ ହଜାରରୁ ଠାରୁ କମ୍‌ ହିଁ ରହୁଛି। ଗୁରୁବାର ୯୧୨ଟି ନମୁନା ପରୀକ୍ଷା ହୋଇଥିବା ବେଳେ ବୁଧବାର ୮୭୦, ମଙ୍ଗଳବାର ୯୨୩, ସୋମବାର ୬୭୨, ରବିବାର ୭୧୨ ଏବଂ ଗତ ଶନିବାର ୧୦୬୯ଟି ନମୁନା ପରୀକ୍ଷା ହୋଇଛି। କରୋନାକୁ ରୋକିବା ପାଇଁ ଟେଷ୍ଟିଂକୁ ଗୁରୁତ୍ବ ଦିଆଯାଉଥିବାବେଳେ ଗଞ୍ଜାମ ଜିଲାରେ ଏହାର ଓଲଟା ପରିସ୍ଥିତି ଦେଖିବାକୁ ମିଳୁଛି।

ଜିଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଜିଲାରେ ମୋଟ ୨୧ହଜାର ୮୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ହଜାର ୬୩୩ଜଣ ସୁସ୍ଥ ହୋଇଛନ୍ତି। ମାତ୍ର ୨ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଜିଲାରେ ମୋଟ ୨୪୮ଜଣ କରୋନାରେ ଏବଂ ଅନ୍ୟ ରୋଗରେ ୮ଜଣଙ୍କ ଜୀବନ ଯାଇଛି। ଜିଲାରେ ସୁସ୍ଥ ହାର ୯୮.୮ପ୍ରତିଶତ ରହିଛି।

Comments are closed.