ଆଇନ ସ୍ନାତକ ଏବେ ସଫଳ ଚାଷୀ : ଟାଙ୍ଗରା ଭୂଇଁରେ ହସୁଛି ସବୁଜିମା

ସୋନପୁର  (ସ୍ୱାଧୀନ ମେହେର): ଶିକ୍ଷାଗତ ଯୋଗ୍ୟତା ଆଇନରେ ସ୍ନାତକ। କୌଣସି ଓକିଲ ସଂଘରେ ନାମ ପଞ୍ଜୀକରଣ କରିଥିଲେ ହୋଇ ପାରିଥା’ନ୍ତେ ଜଣେ ଆଇନଜୀବୀ। କିନ୍ତୁ ସେଭଳି ମର୍ଯ୍ୟାଦାକୁ ଆଡ଼େଇ ଦେଇ ମନ ବଳାଇଲେ କୃଷି କ୍ଷେତ୍ରରେ। ନିଷ୍ଠାପର ଉଦ୍ୟମ ସାଙ୍ଗକୁ କୃଷିକୁ ନିଶା ଭାବରେ ଗ୍ରହଣ କରି ବର୍ତ୍ତମାନ ସେ ହୋଇପାରିଛନ୍ତି ଜଣେ ସଫଳ ଚାଷୀ। ୨୫ ଏକର ଜମିରେ ବର୍ଷକୁ ଫଳାଇ ପାରୁଛନ୍ତି ଦୁଇ ତିନିଟି ବର୍ଗର ବିବିଧ ଫସଲ। ଏହା ସହିତ ବର୍ଷସାରା ସ୍ଥାନୀୟ ୨୦ ଜଣ ଯୁବକଙ୍କୁ ଦେଇଛନ୍ତି କର୍ମସଂସ୍ଥାନର ସୁଯୋଗ। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ମୟୂରଉଡାନ ପଞ୍ଚାୟତ ଅନ୍ତର୍ଗତ କଇଁଫୁଲ ଗାଁର ଶରତ ନାରାୟଣ ମିଶ୍ର(୪୫)।

ଆଇନରେ ସ୍ନାତକ ଡିଗ୍ରୀ ହାସଲ ପରେ ଶରତ କିଛି ଦିନ ପାଇଁ ଶାଢ଼ୀ ବ୍ୟବସାୟ କରିଥିଲେ। ପରେ ଘଞ୍ଚ ଜଙ୍ଗଲ ଭିତରେ ଜମି କିଣିଥିଲେ। ସେଠାରେ ମେଟାଲ୍‌ କମ୍ପ୍ରେସର୍‌ ରଖି ବିଭିନ୍ନ ସ୍ଥାନକୁ ମେଟାଲ ଯୋଗାଣ କରୁଥିଲେ। ଏଥିରେ ତାଙ୍କ ମନ ମାନି ନ ଥିଲା। ଜଣେ ସଫଳ ଚାଷୀର ପରିଚୟ ନେଇ ବଞ୍ଚିବାର ଦୃଢ଼ ମନୋବଳ ତାଙ୍କୁ କୃଷି କାର୍ଯ୍ୟ ପ୍ରତି ଆକର୍ଷିତ କରିଥିଲା। ୨୦୦୭-୦୮ରେ ୧୦ ଏକର ଜମିରେ ଆରମ୍ଭ କରିଥିଲେ କୃଷି ଫାର୍ମ। ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ମାତ୍ର ୧୨ ବର୍ଷ ମଧ୍ୟରେ ଏହାର ପରିସୀମା ବୃଦ୍ଧି ପାଇ ୨୫ ଏକରରେ ପହଞ୍ଚିଛି। ପଡ଼ିଆ ଜମିରେ ସୃଷ୍ଟି କରି ପାରିଛନ୍ତି ଘନ ସବୁଜିମା।

ସୋନପୁର-ବୁର୍ଡା ମୁଖ୍ୟ ରାସ୍ତା କଡ଼ରେ ୨୫ ଏକର ଜମିରେ ରହିଛି କୃଷି ଫାର୍ମ। ଫାର୍ମରେ ଦଶାରୀ, ଆମ୍ରପଲ୍ଲୀ, ଆଲ୍‌ଫାନ୍‌ସୋ, କେଶର, ଲେଙ୍ଗଡ଼ା ଆଦି ବିଭିନ୍ନ କିସମର ୨୫ ଶହ ଆମ୍ବ ଗଛ ରହିଛି। କୋଲକାତା, ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଆଦି ରାଜ୍ୟର ବ୍ୟବସାୟୀ ଏଠାକୁ ଆସି ଆମ୍ବ କିଣି ନେଉଛନ୍ତି। ଏହା ସହିତ ନୂତନ ଜ୍ଞାନକୌଶଳରେ ଫାର୍ମରେ ବର୍ଷସାରା ଟମାଟୋ, ସୂର୍ଯ୍ୟମୁଖି, ମୁଗ, ବିରି, ମଟର ଆଦି ଚାଷ ହେଉଛି। ଗତ ବର୍ଷ ପୁଣି ୧୦ ଏକର ଜମିକୁ ପ୍ରସ୍ତୁତ କରି ମହାରାଷ୍ଟ୍ରରୁ ଆସିଥିବା ସୁପର ଗୋଲଡେନ୍‌ ଏନ୍‌ଏମ୍‌କେ-୧ ନାମକ ନୂତନ କିସମର ଆତ ଚାଷ ଆରମ୍ଭ କରିଛନ୍ତି। ଚାରା ରୋପଣ ପରେ ଖାଲି ସ୍ଥାନରେ ତରଭୁଜ ଓ ମିଠା ମକ୍କା(ସୁଇଟ୍‌ କର୍ନ) ଚାଷ କରି ସେସବୁକୁ କୋଲକାତାରେ ବିକ୍ରି କରିବାରେ ସଫଳ ହୋଇଛନ୍ତି।

ଆଧୁନିକ ପ୍ରଣାଳୀରେ ହେଉଥିବା ଚାଷରେ କେବଳ ଜୈବିକ ସାର ପ୍ରୟୋଗ କରିଥା’ନ୍ତି। ଏଥିପାଇଁ ନିଜେ ଜମିରେ ଜୈବିକ ସାର ମଧ୍ୟ ପ୍ରସ୍ତୁତ କରୁଛନ୍ତି। ବଳକା ସାରକୁ ଫୁଲବାଣୀ, ଭବାନୀପାଟଣା ଉଦ୍ୟାନ ବିଭାଗକୁ ପଠାଇଥା’ନ୍ତି। ଚାଷରେ ରୋଗପୋକ ଲାଗିଲେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେବା ପୂର୍ବରୁ ନିଜର ଅଭିଜ୍ଞତାରୁ ରୋଗପୋକ ଦମନ, ଔଷଧ ସିଞ୍ଚନ କରିଥା’ନ୍ତି। ଶରତ କିଛି ଦିନ ତଳେ ଛତିଶଗଡ଼ରୁ ପିଜୁଳି ଓ ବରକୋଳି ଚାରା ଆଣିଛନ୍ତି। ଆନ୍ଧ୍ରପ୍ରଦେଶରୁ ଆମ୍ଭ, ନଡ଼ିଆ ଆଦି ଚାରା ଆଣି ଚାଷ କରିବା ସହ ଅଞ୍ଚଳରେ ବିକ୍ରି କରୁଛନ୍ତି। ତାଙ୍କ ଫାର୍ମକୁ ବିଭିନ୍ନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଚାଷୀ ପରିଦର୍ଶନରେ ଆସି ଜ୍ଞାନ ଆହରଣ କରିଥାନ୍ତି। ଫାର୍ମରେ ୨୦ ଜଣ ଯୁବକ ଯୁବତୀଙ୍କୁ ବର୍ଷସାରା କର୍ମ ସଂସ୍ଥାନ ଯୋଗାଇବା ସହିତ ପ୍ରତ୍ୟେକ ବର୍ଷ ଦଶ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଜଣେ ସଫଳ ଚାଷୀ ଭାବେ ନିଜର ପରିଚୟ ନେଇ ଖୁସି ଥିବା କହନ୍ତି ଶରତ।

Comments are closed.