ସୋନିଆଙ୍କ ରଣକୌଶଳ, କଂଗ୍ରେସକୁ ମଜବୁତ କରିବ ‘ଚିନ୍ତନ ଶିବିର’

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ ବିଜେପି ବିରୋଧରେ ଲଢ଼ିବା ପାଇଁ ଦଳର ନେତାମାନେ ଏକଜୁଟ ହୋଇଛନ୍ତି ଏବଂ ଆଗାମୀ ଦିନରେ ‘ଚିନ୍ତନ ଶିବିର’ ଆୟୋଜନ କରି କଂଗ୍ରେସ ଦଳକୁ ମଜବୁତ କରିବ। ଆଜି ନିଜ ବାସଭବନରେ ଦଳର ବରିଷ୍ଠ ନେତାଙ୍କ ବୈଠକକୁ ସମ୍ବୋଧିତ କରି ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ ଏକ ବଡ ପରିବାର ଏବଂ ଗଣତାନ୍ତ୍ରିକ ଢଙ୍ଗରେ ଦଳରେ ନିଜର ମତ ରଖିବାକୁ ସମସ୍ତେ ମୁକ୍ତ ଅଟନ୍ତି।

ସେ କହିଛନ୍ତି, ବୃହତ ପ୍ରସଙ୍ଗରେ ମତଭେଦ ରହିବା ସ୍ୱାଭାବିକ, କିନ୍ତୁ ଦଳକୁ ମଜବୁତ କରିବା ପାଇଁ ସମସ୍ତ ଦଳର ନେତା ଏକଜୁଟ ହୋଇଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ନାମକୁ ଦଳର ମୁଖ୍ୟ ପଦବୀ ପାଇଁ ପ୍ରସ୍ତାବକୁ ବୈଠକରେ କେହି ଆପତ୍ତି କରିନାହାଁନ୍ତି। ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ ଆଗରେ ସବୁଠାରୁ ବଡ ଆହ୍ୱାନ ହେଉଛି ଭାରତୀୟ ଜନତା ପାର୍ଟି ଏବଂ ଏହାର ବିସ୍ତୃତ ଆଲୋଚନା ପାଇଁ ‘ଚିନ୍ତନ ଶିବିର’ ଆୟୋଜନ କରାଯିବା ଉଚିତ୍।

ଚିନ୍ତନ ଶିବିର କେବେ ଅନୁଷ୍ଠିତ ହେବ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କାଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାଜସ୍ଥାନ ମୁଖ୍ୟ ଅଶୋକ ଗେହଲୋଟ୍, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଦା ଉପସ୍ଥିତ ଥିଲେ।

Comments are closed.