ସୋନିଆ ଦଳ ପାଇଁ ମା’ ତୁଲ୍ୟ; ତାଙ୍କୁ ଆଘାତ ଦେବା ଅଭିପ୍ରାୟ ନ ଥିଲା: ମୋଇଲି

ଦୁଃଖପ୍ରକାଶ କଲେ ଚିଠି ଲେଖିଥିବା ନେତା

ନୂଆଦିଲ୍ଲୀ : କଂଗ୍ରେସର ନେତୃତ୍ବ ଓ ସଂସ୍କାର ପ୍ରସଙ୍ଗ ଉଠାଇ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ​ଲେଖିଥିବା ଦଳର ୨୩ ବରିଷ୍ଠ ନେତା ନରମ ପଡ଼ିଛନ୍ତି। ମଙ୍ଗଳବାର ଏହି ନେତାମାନେ ଦୁଃଖପ୍ରକାଶ ପୂର୍ବକ ସୋନିଆଙ୍କ ନିକଟକୁ ଆଉ ଏକ ପତ୍ର ଲେଖିଛନ୍ତି। ସେମାନଙ୍କର ଗତ ୭ତାରିଖର ପତ୍ର ଯଦି ସୋନିଆଙ୍କ ଭାବନାକୁ ଆଘାତ ଦେଇଥାଏ; ତେବେ ଏଥିପାଇଁ ସେମାନେ ଦୁଃଖିତ ବୋଲି ଏଥିରେ ଜଣାଇଛନ୍ତି। ଚିଠିର ଅନ୍ୟତମ ସ୍ବାକ୍ଷରକାରୀ ବରି​ଷ୍ଠ ନେତା ବୀରାପ୍ପା ମୋଇଲି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସୋନିଆ ଦଳ ପାଇଁ ମା’ ତୁଲ୍ୟ। ତାଙ୍କୁ ଆଘାତ ଦେବାର ଅଭିପ୍ରାୟ କାହାରି ନ ଥିଲା କିମ୍ବା ନାହିଁ। ଦଳ ପ୍ରତି ତାଙ୍କର ତ୍ୟାଗ ଅତୁଳନୀୟ। ସେ ଦଳର ମାର୍ଗଦର୍ଶିକା। ତାଙ୍କ ସମ୍ମାନରେ ଆଞ୍ଚ ଆଣିବା ପାଇଁ କେବେ ହେଲେ ପ୍ରୟାସ କରାଯାଇ ନାହିଁ। ସେମାନେ ଆଦୌ ତାଙ୍କ ନେତୃତ୍ବ ନେଇ ପ୍ରଶ୍ନ ଉଠାଇ ନାହାନ୍ତି; ବରଂ ନିର୍ବାଚନ ଫଳାଫଳ ଓ ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଦଳରେ ଆମୂଳଚୁଳ ସଂସ୍କାର ପାଇଁ ମତ ଦେଇଛନ୍ତି।

ଚିଠି ଲେଖିଥିବା କୌଣସି ନେତାଙ୍କର ଦଳ ଛାଡ଼ିବାର ଅଭିପ୍ରାୟ ନାହିଁ। ସେମାନେ ଏହି ଚିଠି ନେଇ ଗଣମାଧ୍ୟମକୁ ମଧ୍ୟ ଯାଇ ନାହାନ୍ତି। ​କୌଣସି ଦୁଷ୍ଟ ବ୍ୟକ୍ତି ଏହାକୁ ପ୍ରଘଟ କରାଇଛନ୍ତି। ସେମାନଙ୍କ ସୋମବାରର ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ତଦନ୍ତସାପେକ୍ଷ। ଚିଠି ଲେଖିଥିବା ନେତାମାନେ ବିଜେପି ସହିତ ହାତ ମିଳାଇ ନାହାନ୍ତି। ସର୍ବଦା ବିଜେପିକୁ ଘୃଣା କରିଆସିଛନ୍ତି ଏବଂ ସରକାରର ସାଲୋଚନା କରିଆସିଛନ୍ତି। ଚିଠି ପ୍ରଘଟକାରୀଙ୍କ ବିରୋଧରେ ଦଣ୍ଡବିଧାନ ହେବା ଦରକାର। ସେମାନେ ପରମ ବିଶ୍ବାଘାତକ। ଏଭଳି ବ୍ୟକ୍ତି ସବୁ ସମୟରେ ଦଳର କ୍ଷତି ଘଟାଇ ଆସିଛନ୍ତି। ସେମାନେ ଦଳ ଅପେକ୍ଷା ନେତାଙ୍କ ପ୍ରତି ଅନୁଗତ। ସେମାନେ ଆମମାନଙ୍କଠାରୁ ଅଧିକ ଅନୁଗତ ଦେଖାଇ ହେଉଛନ୍ତି ବୋଲି ମୋଇଲି ଆ​‌କ୍ଷେପ କରିଛନ୍ତି। ସେହିପରି ଆନନ୍ଦ ଶର୍ମା କହିଛନ୍ତି ଯେ ସେମାନେ ଲେଖିଥିବା ଚିଠି ଦଳର ହିତ ପାଇଁ ଉଦ୍ଦିଷ୍ଟ ଥିଲା ଓ ଏଥିରେ ସେମାନେ ନିଜ ହୃଦୟର କ୍ଷୋଭ ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ସୋମବାର ଦୀର୍ଘ ୭ଘଣ୍ଟା ଧରି ଅନୁଷ୍ଠିତ କାର୍ଯ୍ୟକାରିଣୀରେ ଏହି ବରିଷ୍ଠ ନେତାମାନେ ଚିଠିକୁ ନେଇ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ପରେ ସୋନିଆ ଓ ରାହୁଲଙ୍କ ହାତମୁଠା ଟାଣ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା।

Comments are closed.